ପୌରାଣିକ ମାନ୍ୟତା ଅନୁଯାୟୀ, ଭଗବାନ ବିଷ୍ଣୁଙ୍କର ଷଷ୍ଠ ଅବତାର ହେଉଛନ୍ତି ପର୍ଶୁରାମ। ପର୍ଶୁରାମ ଜମଦଗ୍ନି ଏବଂ ରେଣୁକାଙ୍କର ପୁତ୍ର ଥିଲେ। ଯିଏକ ଭଗବାନ ଶିବଙ୍କଠାରୁ ଏକ ଫାର୍ଶା ପ୍ରାପ୍ତ କରିଥିଲେ। ଏହି ଫାର୍ଶା ଆଜି ମଧ୍ୟ ପୃଥିବୀପୃଷ୍ଠରେ ଥିବା କୁହାଯାଉଛି। ଝାରଖଣ୍ଡ ରାଜଧାନୀ ରାଞ୍ଚିଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଗୁମଲା ଜିଲ୍ଲାରେ ଏକ ପାହାଡ଼ ଅଛି। ଏହି ପାହାଡ଼ ଉପରେ ଟାଙ୍ଗିନାଥ ଧାମ ଅବସ୍ଥିତ। ଏଠାରେ ଅଛି ପର୍ଶୁରାମଙ୍କ ଫାର୍ଶା। ହଜାର ହଜାର ବର୍ଷ ଧରି ଏହି ଫାର୍ଶାଟି ଖୋଲା ଅକାଶ ତଳେ ଥିଲେ ମଧ୍ୟ ଏଥିରେ କଳଙ୍କି ଲାଗିନାହିଁ।
କୁହାଯାଏ ଯେ, ଥରେ ଲୋହାର ଜନଜାତିର କିଛି ଲୋକ ଏହାକୁ ଭୂମିରୁ ହଟାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ଏଥିରେ ବିଫଳ ହୋଇଥିଲେ। ବିଫଳ ହେବା କାରଣରୁ ସେମାନେ ଏହାର ଉପର ଅଂଶ କାଟି ଦେଇ ଏହାକୁ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏଥିରେ ବି ସେମାନେ ସଫଳ ହୋଇନଥିଲେ। ଏହି ଘଟଣା ପରେ ସ୍ଥାନୀୟ ଲୋହାର ଜନଜାତି ଲୋକଙ୍କର ମୃତ୍ୟୁ ହେବାକୁ ଲାଗିଲା। ମୃତ୍ୟୁ ଭୟରେ ଲୋହାର ଜନଜାତିର ଲୋକେ ସେହି ଅଞ୍ଚଳ ଛାଡ଼ି ପଳାଇଥିଲେ। ଭଗବାନ ପର୍ଶୁରାମ ଟାଙ୍ଗିନାଥ ଧାମକୁ ଆସିବା ଏବଂ ସେଠାରେ ଫାର୍ଶା ପୋତିଦେବା ପଛରେ ଏକ ରୋଚକ କାହାଣୀ ମଧ୍ୟ ଅଛି। ବିଶ୍ୱାସ କରାଯାଏ ଯେ, ତ୍ରେତୟା ଯୁଗରେ ଜନକପୁରରେ ମାତା ସୀତାଙ୍କ ସ୍ବୟଂବର ସମୟରେ ଭଗବାନ ରାମ ଶିବଙ୍କ ଧନୁ ଭାଙ୍ଗିଥିଲେ। ସେତେବେଳେ ପର୍ଶୁରାମ ଏହାର ଭୟଙ୍କର ଶବ୍ଦ ଶୁଣି କ୍ରୋଧରେ ଜନକପୁରରେ ପହଞ୍ଚିଥିଲେ। ସେ ଭଗବାନ ରାମ ଏବଂ ଲକ୍ଷ୍ମଣଙ୍କୁ ଚିହ୍ନି ନ ପାରି କଟୁ କଥା ପ୍ରୟୋଗ କରିଥିଲେ। ପରେ ସେ ଅନୁଭବ କରିପାରିଥିଲେ ଯେ, ରାମ ହେଉଛନ୍ତି ଶ୍ରୀବିଷ୍ଣୁଙ୍କର ଅବତାର। ଏହା ଜାଣିସାରିବା ପରେ ସେ ପଶ୍ଚାତାପ କରିବା ପାଇଁ ଘୋର ଜଙ୍ଗଲ ମଧ୍ୟକୁ ଚାଲିଗଲେ। ସେଠାରେ ସେ ଫାର୍ଶା ପୋତି ଦେଇ ଅନୁତାପ କରିଥିଲେ। ଯେଉଁ ସ୍ଥାନରେ ଫାର୍ଶା ପୋତିଥିଲେ ସେହିସ୍ଥାନ ବର୍ତ୍ତମାନ ‘ଟାଙ୍ଗିନାଥ ଧାମ’ ନାମରେ ଜଣାଶୁଣା। କୁହାଯାଏ ଯେ, ଫାର୍ଶା ବ୍ୟତୀତ ଏଠାରେ ଭଗବାନ ପର୍ଶୁରାମଙ୍କ ପାଦଚିହ୍ନ ମଧ୍ୟ ଅଛି। ଟାଙ୍ଗିନାଥ ଧାମରେ ଖୋଲା ଆକାଶ ତଳେ ଶହ ଶହ ପ୍ରାଚୀନ ଶିବଲିଙ୍ଗ ଅଛି। ୧୯୮୯ ମସିହାରେ ପ୍ରତ୍ନତତ୍ତ୍ୱ ବିଭାଗ ଏଠାରେ ଖନନ କରିଥିଲା, ଯେଉଁଥିରେ ହୀରା, ସୁନା ଓ ରୁପା ଅଳଙ୍କାର ସହିତ ବହୁ ମୂଲ୍ୟବାନ ଜିନିଷ ମିଳିଥିଲା। ତେବେ ପରେ ହଠାତ୍ ଖନନ କାର୍ଯ୍ୟ ବନ୍ଦ କରିଦିଆଯାଇଥିଲା। ତେବେ କାହିଁକି ଖନନ କାର୍ଯ୍ୟ ବନ୍ଦ କରିଦିଆଗଲା, ତାହା ଏବେ ବି ରହସ୍ୟ ହୋଇ ରହିଛି। ତେବେ ଖନନରୁ ମିଳିଥିବା ଜିନିଷଗୁଡ଼ିକ ଡୁମରି ପୁଲିସ ତତ୍ତ୍ବାବଧାନରେ ରଖାଯାଇଛି।