ଓଡ଼ିଆଙ୍କ ଅନ୍ୟତମ ପରିଚୟ କହିଲେ ପଖାଳକୁ ବୁଝାଏ, ବିଭିନ୍ନପ୍ରକାର ପଖାଳଖିଆ ବେଲା ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା…

ଭୁବନେଶ୍ୱର(ସମ୍ପୂର୍ଣ୍ଣା ଦାସ): ଓଡ଼ିଆଙ୍କ ଅନ୍ୟତମ ପରିଚୟ କହିଲେ ପଖାଳକୁ ବୁଝାଏ। ପାରମ୍ପରିକ ଭାବେ ପ୍ରତିଟି ଓଡ଼ିଆ ଏହାକୁ ନିତିଦିନିଆ ଖାଦ୍ୟ ଭାବେ ବ୍ୟବହାର କରି ଆସୁଛନ୍ତି। ଓଡ଼ିଆଙ୍କ ପଖାଳର ଗୁଣବତ୍ତାକୁ ନେଇ ଆଜି ବିଶ୍ୱର ବହୁ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ଗବେଷକମାନେ ଆରମ୍ଭ କରିଛନ୍ତି ଗବେଷଣା। ତେବେ ପଖାଳ ଅଛି ମାନେ ପଖାଳ କଂସା ବି ତା ସହିତ ଯୋଡ଼ି ହୋଇ ରହିଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଯଥା ଦକ୍ଷିଣ ଓଡ଼ିଶା, ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ […]

ଭୁବନେଶ୍ୱର(ସମ୍ପୂର୍ଣ୍ଣା ଦାସ): ଓଡ଼ିଆଙ୍କ ଅନ୍ୟତମ ପରିଚୟ କହିଲେ ପଖାଳକୁ ବୁଝାଏ। ପାରମ୍ପରିକ ଭାବେ ପ୍ରତିଟି ଓଡ଼ିଆ ଏହାକୁ ନିତିଦିନିଆ ଖାଦ୍ୟ ଭାବେ ବ୍ୟବହାର କରି ଆସୁଛନ୍ତି। ଓଡ଼ିଆଙ୍କ ପଖାଳର ଗୁଣବତ୍ତାକୁ ନେଇ ଆଜି ବିଶ୍ୱର ବହୁ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ଗବେଷକମାନେ ଆରମ୍ଭ କରିଛନ୍ତି ଗବେଷଣା। ତେବେ ପଖାଳ ଅଛି ମାନେ ପଖାଳ କଂସା ବି ତା ସହିତ ଯୋଡ଼ି ହୋଇ ରହିଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଯଥା ଦକ୍ଷିଣ ଓଡ଼ିଶା, ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପଖାଳ କଂସା ବହୁ ପ୍ରକାରର। ଭେଦ, ଉଦ୍ଦେଶ୍ୟ, ତିଆରି ପ୍ରଣାଳୀ, ରୂପରେଖ ନାମ ଭିନ୍ନ ଭିନ୍ନ। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ବିଭିନ୍ନ ଜାତି, ରାଜବଂଶୀୟ, ଜମିଦାର, ଗାଁ ସାହୁକାର, ଗାଁ ପଧାନ, ସାଧାରଣବର୍ଗ, ଚାଷୀକୁଳ ଆଦିବାସୀ ସମ୍ପ୍ର୍ରଦାୟଙ୍କର ପଖାଳ କଂସା ଭିନ୍ନ ଭିନ୍ନ ଥିଲା। ଭୁବନେଶ୍ୱର ଜାଗମରା ଅଞ୍ଚଳରେ ରହୁଥିବା କଣ୍ଟିଲୋର ମୂଳବାସିନ୍ଦା ତଥା ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର୍‌‌ ସୁଦର୍ଶନ ସାହୁ ତାଙ୍କ ସଂଗ୍ରହାଳୟରେ ଏସବୁ ବେଲାକୁ ସ୍ଥାନିତ କରିଛନ୍ତି। ସଂଗ୍ରହାଳୟର ନାମ ରଖିଛନ୍ତି ‘ଗୋପିନାଥ ଐତିହ୍ୟ କଂସା ପିତ୍ତଳ ବସ୍ତୁ ତଥା ଅବହେଳିତ କଳାକୃତି ସଂଗ୍ରହାଳୟ’। ପଖାଳଖିଆ ବେଲା ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା।

ଦକ୍ଷିଣୀ ପଖାଳ କଂସା
ସୁଦର୍ଶନଙ୍କ ସଂଗ୍ରହାଳୟରେ ସ୍ଥାନ ପାଇଛି ଦକ୍ଷିଣୀ ପଖାଳ କଂସା। ସାଧାରଣତଃ ବାଡ଼ିଆ ପିଟା ଓ ଢଳେଇ ପଦ୍ଧତିରେ ଦକ୍ଷିଣୀ ବେଲା ଉତୁରୁଥିଲା, ଯାହା ଓଜନିଆ ମଧ୍ୟ ଥିଲା। ଯଥା – ମାଟିଆ କେଳା ବେଲା (ମାଟି ଖୋଳି ଜୀବିକା ନିର୍ବାହ କରୁଥିବା ସମ୍ପ୍ରଦାୟ) ଲୋକେ ଏହାକୁ ପଖାଳ ଖାଇବାରେ ବ୍ୟବହାର କରନ୍ତି। ଯେଉଁ ବେଲା ଦେଖିବାକୁ ଡମ୍ୱରୁ ଭଳି। ରୋଗ ଶୋକ ଫସଲହାନୀ ସମୟରେ ଲୋକେ ଘରେ ରଖିଥିବା ଏହି ବେଲାକୁ ବିକ୍ରିକରି ସାମୟିକ ଗୁଜୁରାଣ ମେଣ୍ଟାଇଥାନ୍ତି।

ପୋଚବେଲା
ଓଡ଼ିଶାର ସମସ୍ତ ବେଲା ଭିତରେ ରାଜା ବୋଲି ବିବେଚନା କରାଯାଏ। ଏହା ଜମାଦାରଙ୍କ ଟୋପି ଭଳି ଦେଖିବାକୁ ହୋଇଥିବାରୁ ଏହାକୁ ଜମାଦାର ଟୋପି ବେଲା ବୋଲି କୁହାଯାଇଥାଏ। ଯାହାର ଓଜନ ୩ କିଲୋରୁ ୫ କିଲୋ। ପିଆଜ, ଲୁଣ, ଆମ୍ୱୁଲ, ବଡ଼ି, ଲଙ୍କା ଅଦା ରଖି ପୋଚ ଭାତ (ଦୁଇ ରାତି ରଖି)କୁ ନେଇ ହଳୁଆ ଚାଷୀ ଜଳଖିଆ ଭାବେ ସକାଳେ ଖାଇ ବିଲକୁ ବାହାରେ। ଏଥିରେ ପଖାଳ ଭାତ ଦୁଇଦିନ ରହିବା ପରେ ତାହା ସାମାନ୍ୟ ନିଶା ହୋଇଥାଏ ଏବଂ ତାକୁ ଖାଇ ଲୋକେ ଅଧିକ କାମ କରିପାରନ୍ତି।

ପଶ୍ଚିମା ପଖାଳ କଂସା ବେଲା
ରାମ ସାଇ ପଖାଳ କଂସା ବେଲା ବରଗଡ଼ ସମ୍ୱଲପୁର ଚଷା ଘରର ବଡ଼ ବୋହୂ ଗୋଟିଏ ପଙ୍ଗତ ଥାଳିରେ ୪ଟି ପଖାଳ କଂସା ମୁଣ୍ଡରେ ଧରି (ଥାଳି ଫାଙ୍କରେ ଶାଗ, ପିଆଜ, ଆମ୍ୱୁଲ, ଲଙ୍କା) ଗାଁ ରୁ ବାହାରି ବିଲମୁଣ୍ଡ ବରଗଛରେ ଓହ୍ଲାଇ ସ୍ୱାମୀ ତିନି ଦିଅରଙ୍କୁ ପଖାଳ ବାଢ଼େ। ଏବେ କିନ୍ତୁ ଗ୍ରାମରେ ବି ପ୍ରଚଳନ ଅଛି। ଏହା ଓଲଟା କୁମ୍ପିବାଣ ଭଳି ଦେଖିବାକୁ।

ବାଲେସେରୀ ବେଲା
ବାଲେସେରୀ ବେଲା ସୌକିଆ ଓ ଦାମୀ ବେଲା। ରଜାଘର ଗାଁ ସର୍ବରକାର, ଗାଁ ପଧାନ, ଜମିଦାର, ବଡ଼ ଲୋକ ତଥା ଧନୀ ଲୋକଙ୍କ ଘରେ ଦେଖା ଯାଉଥିଲା। ଏ ବେଲାର ଏନ୍ତୁଡ଼ିଶାଳ କଣ୍ଟିଲୋ। ତେବେ କଣ୍ଟିଲୋ, ବୌଦ୍ଧ, ସୋନପୁରରୁ ଏଭଳି ବେଲା ଚାଳ ଡଙ୍ଗାରେ କଟକରୁ ମହାନଦୀ ଯାଏ। ସେଠୁ ସାଧବପୁଅ ଜାଭା, ସୁମାତ୍ରା, ଇଣ୍ଡୋନେସିଆ, ବାଲି ଦେଶରେ ବେପାର କରୁଥିଲେ। ଏବେ ସେଠାକାର କଂସା ବର୍ତ୍ତନ ଦୋକାନ ମଲରେ ଗ୍ରାହକଙ୍କୁ ଏଭଳି ବେଲାକୁ କଣ୍ଟିଲିଆ ବାଉଲ କହି ବିକ୍ରି କରନ୍ତି।

ଟଭାଫାଳିଆ ବେଲା
ଏଭଳି ବେଲାକୁ ଅନେକ ଗୋଲ ବେଲା ବି କହିଥାଆନ୍ତି। ଟଭାକୁ ଦୁଇଫାଳ କଲେ ଯେପରି ଦେଖାଯାଏ। ଆକାର ଖୁବ୍‌‌ ବଡ଼। ଯେଉଁଥିରେ ୪ରୁ ୬ ଲିଟର ତୋରାଣି ଧରିପାରିବ। ବାପା, ପୁଅ, ମାଆ ଝିଅ ଏକାଠି ଏହି ବେଲାରେ ପଖାଳର ମଜା ନିଅନ୍ତି।

ତୋରାଣି ବେଲା
ଏହି ବେଲା ହାଲୁକା ଓ କମ ଗାଡ଼ୁଆ। ଚଷାଘର ବୋହୂ ବିଲ ଫେରନ୍ତା ଚଷା ପୁଅକୁ ପ୍ରଥମେ ଦହି, ଲଙ୍କା, ଅଦା, ପୋଦିନା ମିଶା ତୋରାଣି ଏଥିରେ ପିଇବାକୁ ଦିଏ। କାମ କରି ଆସିଥିବା ହଳୁଆ ଘରର ପୁଅ ଏଥିରେ ତିନି ବେଲା ତୋରାଣି ପିଇ ଶୋଷ ମାରିଥାଏ।

ଫାସ ବେଲା
ଉପକୂଳିଆ ପଖାଳ କଂସା ବେଲା ଉପକୂଳିଆ ବେଲା ପ୍ରାୟତଃ ହାଲୁକା ଓ ସଉକିଆ ବେଲାରେ ଗଣାଯାଏ। ଏହାକୁ ଅନେକ ସୌଖିନ ଭାବେ ବ୍ୟବହାର କରନ୍ତି। ଯାହା ଦେଖିବାକୁ ଅତି ସୁନ୍ଦର ଓ ଆକର୍ଷଣୀୟ।

ଲହରୀ ବେଲା
ଏଭଳି ବେଲା ଅତି ଆକର୍ଷଣୀୟ ହୋଇଥାଏ। ପୂର୍ବକାଳରୁ ବଡ଼ବଡ଼ ଲୋକେ ଏହାକୁ ବ୍ୟବହାର କରି ଆସୁଥିଲେ। ବିଶେଷକରି ଜମିଦାର, ରଜାଘର, ଧନୀକ ଶ୍ରେଣୀର ଲୋକେ ଏହି ବେଲାରେ ପଖାଳ ଖାଇଥାନ୍ତି।

ଓଉଖମା ବେଲା
ଏହି ବେଲା ଅନୁଗୋଳ ଜିଲ୍ଲାର ଓ୍‌‌ଉଖମା ଗ୍ରାମରେ ତିଆରି ହେଉଥିବାରୁ ଏହାକୁ ଓଉଖମା ବେଲ ବୋଲି କୁହାଯାଏ। ଏଭଳି ବେଲା ବେଶୀ ଓଜନ ନୁହେଁ। ଓଜନ ଦୃଷ୍ଟିରୁ ଦାମ୍‌‌ ମଧ୍ୟ ବେଶି ନୁହେଁ। ଯାହାକୁ ସବୁ ବର୍ଗର ଲୋକେ କିଣି ବ୍ୟବହାର କରିପାରନ୍ତି।

ଦୁଦୁରା ଫୁଲିଆ ବେଲା
ଅନେକେ ଏହାକୁ କୁଣ୍ଡ ବେଲା କୁହନ୍ତି। ଏହା ଦେଖିବାକୁ ଦୁଦୁରା ଫୁଲର ମୁହଁ ଭଳି। ୩ରୁ ୪ ଲିଟର ତୋରାଣି ଧରେ। ବାପ, ପୁଅ, ମାଆଝିଅ ଏହି ବେଲାରେ ପଖାଳ ଖାଇବାର ମଜା ନିଅନ୍ତି।

ହାତୀ ପାହୁଲିଆ ବେଲା
ହାତୀ ଖୋଜ ଭଳି ଦେଖିବାକୁ। ଏକ ସମୟରେ ୨ରୁ ୩ ଜଣ ପଖାଳ ଖାଇବାର ମଜା ନିଅନ୍ତି। ଏହା ଏବେ ବି ଆଦିବାସୀ (ଫୁଲବାଣୀ, ବୌଦ୍ଧ, ବଲାଙ୍ଗିର) ଙ୍କ ଖୁବ୍‌‌ ପ୍ରିୟ ବେଲା।

ବଇଠି ବେଲା
ତଳେ ବଇଠା ଲାଗିଥାଏ। ବିଭା ବେଦୀରେ ବନ୍ଦାଣ ସମୟରେ ବି ରଖାଯାଇଥାଏ। ବନ୍ଦାଣ ଜିନିଷ ଟଙ୍କା ଭେଟି ଦେବାରେ ଏହି ବେଲାର ଅଧିକାଂଶ ଆବଶ୍ୟକ ପଡ଼ିଥାଏ। ପାରମ୍ପରିକ ଭାବେ ଏହି ବେଲା ବିବାହ କାର୍ଯ୍ୟରେ ଲାଗିଥାଏ।

କୁନକୁରି ବେଲା
ପେଟୁଆ ବେଲା ଦେଖିବାକୁ ପେଟୁଆ ଲୋକର ପେଟଭଳି। ଏହି ବେଲା ଛତିଶଗଡ଼ରେ ଅଧିକ ଚାହିଦା ଥିବାରୁ ପଶ୍ଚିମ ଓଡ଼ିଶାରୁ ଛତିଶଗଡ଼ ରପ୍ତାନି ହୁଏ।

ଛାତି ଫୁଲାଣିଆ ପଖାଳ କଂସା
ଇନ୍ଦ୍ରପୁରୀ ବେଲା ବି କୁହାଯାଏ। ହାଲୁକା ପେଟ ଫୁଲିଥାଏ। ଡଉଲଡାଉଲ ବେଲାଟିଏ।

ରକମ ବେଲା ଓ ଅଟକାଳି ବେଲା
ଅଲଣା ଓଷାଦିନ ଅଟକାଳି ବଢ଼଼ାଯାଇ ଗାଁରେ ସାହିକୁ ସାହି ବଣ୍ଟା ଯାଏ ଏ ବେଲାରେ। ଯାହାକୁ ଅନେକ ଅଟକାଳି ବେଲା ବୋଲି କହିଥାନ୍ତି।

ମାଟୁ କଂସା ବା କୁଣ୍ଡି ବେଲା
ମାଟୁ କଂସା ବା କୁଣ୍ଡି ବେଲା ଦେଖିବାକୁ ଏହା ଗୋଦରା ଭଳି। ଏହାର ଓଜନ ୨ରୁ ୩ କିଲୋଗ୍ରାମ୍‌‌। ଏହାକୁ ଅନେକେ ହାତୀ ପାହୁଲିଆ ବେଳା କୁହନ୍ତି। ହାତୀ ଖୋଜ ପରି ଦେଖିବାକୁ।

ଅନ୍ୟାନ୍ୟ ବେଲା
ମଣ୍ଡା ବେଲା ନାମରେ ଏକ ବେଲା ରହିଛି ଯେଉଁଥିରେ ମାଣ୍ଡିଆ ଜାଉ ଜେଜେ ନାତି ନାତୁଣୀ ସଙ୍ଗେ ଖାଇ ମଜା ନିଅନ୍ତି। ସେହିଭଳି ସହରୀ ବାବୁ ପଖାଳ କଂସା ବେଲା ରହିଛି। ଯାହାକୁ ଟିପ ନ ବୁଡ଼ିବା ଲାଗି କାଠର ଦୁଇଟି ଛୋଟ ପ୍ଲେଟ୍‌‌ ପେଚରେ ଫଙ୍ଗରେ ଅଣାଯାଇଥାଏ। ହାଲୁକା ଓ ନେବା ଆଣିବା ସହଜ। ତୋରାଣୀ ଢାଳେ ନାହିଁ। ଅନ୍ୟପକ୍ଷେ ରେକାବି ବେଲା ମଧ୍ୟ ସୁଦର୍ଶନଙ୍କ ସଂଗ୍ରହାଳୟରେ ରହିଛି ଯେଉଁଥିରେ ପଖାଳ ଖାଇବା ନିଷିଦ୍ଧ। ଅତିଥି, ଅଭ୍ୟାଗତ, ପୁରୋହିତ ଜାନୁ ଘଣ୍ଟିଆ, ଯୋଗୀ, ଆପଟ, ବ୍ରାହ୍ମଣମାନଙ୍କୁ ଦେବା ଲାଗି ବ୍ୟବହାର ହୁଏ। ମାଣ ବେଲା, ବେଲପଡ଼ି ବେଲା, ଯଜ୍ଞ ଆହୁତି ବେଲା ମଧ୍ୟ ସୁଦର୍ଶନଙ୍କ ସଂଗ୍ରହାଳୟରେ ସ୍ଥାନିତ ହୋଇଛି। ଯଜ୍ଞ ଆହୁତି ବେଲା ଯଜ୍ଞରେ ଘିଅ ଆହୁତିରେ ଲାଗେ। ତଳ ଭାଗରେ (ଭିତର) ତ୍ରିଭୁଜ ଦଣ୍ଡ ଭଳି ଥାଏ। ଯେଉଁ ବେଲାରେ ପଖାଳ ଭୋଜନ କରିବା ନିଷିଦ୍ଧ।

ଖୁବ୍‌‌ ଦାମ୍‌‌ର ବେଲା ହେଉଛି ଦୋହରି ରେକାବି ବେଲା। ସମୁଦି, ସମୁଦୁଣୀଙ୍କୁ ଏ ବେଲାରେ ପଖାଳ ବଢ଼଼ାଯାଏ। ଦୁଇଟି ଫଙ୍ଗ ଭଳି ଦେଖାଯାଏ। ଯାହା ଏକ ସୂକ୍ଷ୍ମ କଳା। ତ୍ରିପଟା ତୋରାଣି ବେଲା ମଧ୍ୟ ରହିଛି, ଯାହାର ବାହାର ପଟେ ୩ଟି ଧାର ଥାଏ। ବେଶୀ ଗାଢ଼଼ୁଆ ନୁହେଁ। କେବଳ ଧନିକ, ଜମିଦାର ଲୋକେ ଏଥିରେ ଖରାଦିନେ ତୋରାଣି ପିଇବାରେ ମଜା ନେଇଥାଆନ୍ତି। ନକସୀ ବେଲାର ପେଟ ସାରା ସୂକ୍ଷ୍ମ ହାତ ନକ୍ସା (ଓଲଟା ଶୁଆ, ସଦା ବିହାରୀ ଫୁଲ, ହରିଣ, ଗଣେଶ, ଦୋଳ ବିମାନ, ରାଜାଙ୍କ ପାରିଧି ଆଦି ଦୃଶ୍ୟ) ଖୋଦେଇ ହୋଇଥାଏ। ଉପହାର ଦେବା ବେଲାରେ ଗଣା। ପଖାଳ ଖିଆ ଯାଏ ନାହିଁ ଏଥିରେ।

About The Author: The Sakala