ଅଦିନିଆ ଝାଞ୍ଜିତାତିର ମୁକାବିଲା

ଚଳିତବର୍ଷ ଗ୍ରୀଷ୍ମ କାଳରେ(ମାର୍ଚ୍ଚରୁ ମେ’) ଝାଞ୍ଜି ପ୍ରବାହ ଦିବସ ସଂଖ୍ୟା ବୃଦ୍ଧି ପାଇବା ଘେନି ପାଣିପାଗ ବିଭାଗ ସତର୍କତା ଜାରି କରିଛି। ତେଣୁ ଅଂଶୁଘାତ ଜନିତ ଦୁର୍ଘଟଣା ଓ ତାପପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ଜିଲ୍ଲାପାଳମାନଙ୍କୁ ସତର୍କ କରାଇ ଦେଇଛନ୍ତି। ଚଳିତ ବର୍ଷର ପାଣିପାଗର ବିଲକ୍ଷଣ ହେଲା ଫେବୃଆରୀ ମାସ ଶେଷ ସପ୍ତାହରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୫/୬ ଡିଗ୍ରୀ ଉପରେ ରହିଛି। ପ୍ରତିଦିନ ତାପମାତ୍ରା ନୂଆ […]

ଚଳିତବର୍ଷ ଗ୍ରୀଷ୍ମ କାଳରେ(ମାର୍ଚ୍ଚରୁ ମେ’) ଝାଞ୍ଜି ପ୍ରବାହ ଦିବସ ସଂଖ୍ୟା ବୃଦ୍ଧି ପାଇବା ଘେନି ପାଣିପାଗ ବିଭାଗ ସତର୍କତା ଜାରି କରିଛି। ତେଣୁ ଅଂଶୁଘାତ ଜନିତ ଦୁର୍ଘଟଣା ଓ ତାପପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ଜିଲ୍ଲାପାଳମାନଙ୍କୁ ସତର୍କ କରାଇ ଦେଇଛନ୍ତି। ଚଳିତ ବର୍ଷର ପାଣିପାଗର ବିଲକ୍ଷଣ ହେଲା ଫେବୃଆରୀ ମାସ ଶେଷ ସପ୍ତାହରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୫/୬ ଡିଗ୍ରୀ ଉପରେ ରହିଛି। ପ୍ରତିଦିନ ତାପମାତ୍ରା ନୂଆ ନୂଆ ରେକର୍ଡ ପ୍ରତିଷ୍ଠା କରିଚାଲିଛି। ଚଳିତ ବର୍ଷ ଶୀତଦିନରେ ରାଜ୍ୟରେ ପ୍ରାୟତଃ ବର୍ଷା ହୋଇନାହିଁ। ତେଣୁ ତାପମାତ୍ରା ବଢ଼଼ିବାରେ ଲାଗିଛି। ଆଗାମୀ ଦିନରେ ବିଶେଷକରି ମାର୍ଚ୍ଚ ଓ ଏପ୍ରିଲ୍‌‌ ମାସରେ ମଝିରେ ମଝିରେ ବର୍ଷା ଯଦି ନ ହୁଏ ତେବେ ପରିସ୍ଥିତି ଆହୁିର ଖରାପ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଜଳବାୟୁ ପରିବର୍ତ୍ତନର ପ୍ରଭାବ କ୍ରମଶଃ ଉତ୍କଟ ହେଲାଣି। ଏହାର କୁପ୍ରଭାବ ଭାରତ ଏବଂ ଓଡ଼ିଶା ଉପରେ ପଡ଼ିଲାଣି। ଏପରିକି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଦେଶର ସବୁଠାରୁ ଉତ୍ତପ୍ତ ସହର ଭାବରେ ଅନେକ ଥର ଅଲୋଡ଼ା ରେକର୍ଡ ମଧ୍ୟ ସୃଷ୍ଟି କରୁଛି। କହିବା ବାହୁଲ୍ୟ, ଏଥିପାଇଁ ଆମର ଅପରିଣାମଦର୍ଶୀ କାର୍ଯ୍ୟକଳାପ ହିଁ ଦାୟୀ। ଆମେ ବିକାଶ ନାମରେ ଜଙ୍ଗଲର ଯେପରି ଆଖିବୁଜା ବିନାଶ କରିଚାଲିଛେ ଏବଂ ବିଳାସପୂର୍ଣ୍ଣ ଜୀବନ ଜିଇଁବାର ଲାଳସାରେ ପରିବେଶ ଉପରେ ଯେପରି ଚାପ ସୃଷ୍ଟି କରିଚାଲିଛେ ତାହା ଆମ ପୃଥିବୀ ପାଇଁ ଘୋର ବିନାଶର ରାସ୍ତା ଖୋଲିବାରେ ଲାଗିଛି। ବର୍ଷାହାନି, ଶୀତ ହ୍ରାସ ଏବଂ ଏବେ ଅସମୟରେ ଉତ୍ତାପ ବୃଦ୍ଧି ପଛରେ ଏହା ହିଁ ଏକମାତ୍ର କାରଣ। ବିଡ଼ମ୍ବନା ହେଉଛି ସମସ୍ୟା ଆସିଲେ ବିଚାର ଆଲୋଚନା ହୁଏ। ସତର୍କତା ଅବଲମ୍ବନ କରିବାକୁ ସଂକଳ୍ପ ଜାରି ହୁଏ। କିନ୍ତୁ ସମୟ ଗଡ଼଼ିବା ସହିତ ‘ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ଆମେ ସବୁକିଛି ଭୁଲିଯାଉ’।

ଏବେ ଯେଉଁ ସମସ୍ୟା ଦେଖାଦେଉଛି ତାହାର ତତ୍କାଳ ପ୍ରତିକାର ବା ଉପଶମ ସମ୍ଭବ ନୁହେଁ। ଏଥିପାଇଁ ଦୀର୍ଘମିଆଦୀ ଯୋଜନା ସହିତ ବ୍ୟାପକ ଜନସଚେତନତା ଓ ସତର୍କତା ଲୋଡ଼ା। ଏବେ ଆମ ହାତରୁ ସମୟ ସରି ସରି ଯାଉଛି। ଯଦି ଆମ ମାନସିକତାରେ ଶୀଘ୍ର ପରିବର୍ତ୍ତନ ନ ଆସିବ ତେବେ ସାବଧାନ କରାଇବାକୁ ସରକାରଙ୍କ ପାଖରେ ଏବଂ ସତର୍କ ହେବାକୁ ଆମ ପାଖରେ ମଧ୍ୟ ସମୟ ନଥିବ। ଏବେ ଅସ୍ୱାଭାବିକ ଉତ୍ତାପ ନିକଟ ଭବିଷ୍ୟତରେ ପୁଣି ଏକ ମହାବାତ୍ୟାକୁ ଡାକି ଆଣିପାରେ। ୧୯୯୮ ଅଂଶୁଘାତ ପରେ ଓଡ଼ିଶା ସାମ୍ନା କରିଥିବା ୧୯୯୯ ମହାବାତ୍ୟା ଆଧାରରେ ପାଣିପାଗ ବିଶେଷଜ୍ଞମାନେ ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି।

୧୯୯୮ରେ ଅଂଶୁଘାତ ଜନିତ ଦାରୁଣ ସ୍ଥିତି ଓ ଦୁଃଖଦ ଘଟଣାକୁ ଓଡ଼ିଶାବାସୀ ଏ ପର୍ଯ୍ୟନ୍ତ ଭୁଲି ନାହାନ୍ତି। ତେଣୁ ଚଳିତ ବର୍ଷ ମଧ୍ୟ ଅଂଶୁଘାତ ସମସ୍ୟାର ମୁକାବିଲା ପାଇଁ ପ୍ରଶାସନକୁ ଆହୁରି ଅଧିକ ସତର୍କ ରହିବାକୁ ହେବ। ଖରାଦିନେ ପାନୀୟ ଜଳର ଅଭାବ ଓଡ଼ିଶାରେ ଆଉ ଏକ ବଡ଼ ସମସ୍ୟା। ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସରକାର କରୁଥିଲେ ମଧ୍ୟ ରାଜ୍ୟର ଦୂରଦୂରାନ୍ତ ଅଗମ୍ୟ ଓ ପାହାଡ଼ିଆ ଇଲାକା ତଥା ଗ୍ରାମାଞ୍ଚଳରେ ଲୋକେ ଜଳକଷ୍ଟର ସମ୍ମୁଖୀନ ହୋଇ ଆସୁଛନ୍ତି। ବିଶେଷକରି ଆଦିବାସୀ ଅଞ୍ଚଳରେ ଏହି ସମସ୍ୟା ଉତ୍କଟ। ତେଣୁ ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ଯୋଗାଣ ବିଭାଗକୁ ଆହୁରି ଅଧିକ ସକ୍ରିୟ ଓ ସତର୍କ ରହିବାକୁ ପଡ଼ିବ। ଲୋକେ ଯେପରି ପାନୀୟ ଜଳରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ସ୍ୱତନ୍ତ୍ର ରିଲିଫ୍‌‌ କମିଶନର ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ। ନବନିଯୁକ୍ତ ରିଲିଫ୍‌‌ କମିଶନ୍‌‌ରଙ୍କ ପାଇଁ ଏହା ଏକ ଆହ୍ୱାନ ନିଶ୍ଚିତ। କିନ୍ତୁ ଓଡ଼ିଶାରେ ବିଭିନ୍ନ ଅଞ୍ଚଳ ସହିତ ପରିଚିତ ଥିବାରୁ ଓ ଅଭିଜ୍ଞତା ଦୃଷ୍ଟିରୁ ସେ ଏହି ଆହ୍ୱାନର ସଫଳ ମୁକାବିଲା କରିବେ ବୋଲି ଆଶା। ଆଉ ଏକ ବିଡ଼ମ୍ବନା ହେଲା ଆମେ ପାଣିକୁ ସବୁଠାରୁ ଶସ୍ତା ବା ହେୟଜ୍ଞାନ କରି ଏହାର ବୃଥା ଅପଚୟ କରି ଚାଲିଛୁ। କିନ୍ତୁ ଜଳ ଯେ ସବୁଠାରୁ ମୂଲ୍ୟବାନ ତାହା ଆମକୁ ପ୍ରତି ମୁହୂର୍ତ୍ତରେ ମନେ ରଖିବାକୁ ପଡ଼ିବ। ଅସମୟରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳ ଶୁଷ୍କ ସ୍ଥତି ଏବଂ ଅପରପକ୍ଷରେ ଜଳ ଅପଚୟ – ଏହି ଧାରାରେ ଯଦି ବିରାମ ନ ଲାଗେ ତେବେ ଖୁବ୍‌‌ଶୀଘ୍ର ଆମକୁ ପାଣି ପାଇଁ ରକ୍ତାକ୍ତ ସଂଘର୍ଷ ପରି ଦୁଃସ୍ଥିତିର ସାମ୍ନା କରିବାକୁ ପଡ଼ିବ।

ଖରାଦିନେ ବିଜୁଳି ସଙ୍କଟ ରାଜ୍ୟରେ ଆଉ ଏକ ସ୍ଥାୟୀ ସମସ୍ୟା। ବିଜୁଳି ଅଭାବରୁ ଲୋକେ କେବଳ ଗରମରେ କଷ୍ଟ ପାଆନ୍ତି ନାହିଁ ପାଣି ପମ୍ପ ଆଦି ନ ଚାଲିବାରୁ ଜଳସଙ୍କଟ ମଧ୍ୟ ସୃଷ୍ଟି ହୁଏ। ଲୋ ଭୋଲଟେଜ୍‌‌ ଏହି ପରିସ୍ଥିତିକୁ ଅଧିକ ଜଟିଳ କରିଦିଏ। ଏବେ ଖବର ପ୍ରକାଶ ପାଇଛି ଯେ ଦେଶରେ ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକରେ ଯଥେଷ୍ଟ ପରିମାଣ କୋଇଲା ମହଜୁଦ ନାହିଁ। ତେଣୁ ଗ୍ରୀଷ୍ମର ଅତିରିକ୍ତ ଚାପକୁ ସମ୍ଭାଳିବା ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ପ୍ରାୟ ୭୫୦ ମାଲବାହୀ ଟ୍ରେନ୍‌‌କୁ ଖଣିରୁ ତାପଜ ବିଦ୍ୟୁତ କେନ୍ଦ୍ରକୁ କୋଇଲା ପରିବହନ କାମରେ ନିୟୋଜିତ କରିବାକୁ ଯାଉଛନ୍ତି। ଏହି କାମରେ ସମନ୍ୱୟ ରକ୍ଷା, କୋଇଲା ଯୋଗାଣ ଓ ଭଣ୍ଡାରଣକୁ ସ୍ୱାଭାବିକ କରି ଖାଉଟିକୁ ଉତ୍ତମମାନର ବିଜୁଳି ଖରା ଦିନେ ଯୋଗାଇବା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏଥିରେ କୌଣସି ତ୍ରୁଟି ବା ଆଳ ଗ୍ରହଣୀୟ ନୁହେଁ।

ସବୁଠୁ ଉଦ୍‌‌ବେଗଜନକ ହେଉଛି ନଦୀ, ନାଳ, ପୁଷ୍କରିଣୀ ଆଦି ଶୁଖିଯିବା ଫଳରେ ପଶୁ ସମ୍ପଦ ମଧ୍ୟ ଜଳକଷ୍ଟର ସମ୍ମୁଖୀନ ହେବେ। ତେଣୁ ଜଳଭଣ୍ଡାରଗୁଡ଼ିକରୁ କେନାଲ୍‌‌କୁ ଖରାଦିନେ ପାଣି ଛାଡ଼ିବା ସହିତ ନଦୀର ତଳମୁଣ୍ଡରେ ଆଡ଼ିବନ୍ଧ ମାନ ତିଆରି କରି ଜଳସଂରକ୍ଷଣ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ବିଶେଷକରି ଜଙ୍ଗଲର ଜଳାଶୟଗୁଡ଼ିକ ପ୍ରତି ଅଧିକ ଦୃଷ୍ଟି ଦେବାକୁ ହେବ। ଏଥର ବଜେଟ୍‌‌ରେ ରାଜ୍ୟ ସରକାର ମହାନଦୀ, ବ୍ରାହ୍ମଣୀ ସମେତ ରାଜ୍ୟର ବଡ଼ ବଡ଼ ନଦୀର ପାଣି ସାଇତି ରଖିବାକୁ ଆଡ଼ିବନ୍ଧ ଓ ପୋଖରୀ ଖନନ ପାଇଁ ଆଖିଦୃଶିଆ ବ୍ୟୟବରାଦ କରିଛନ୍ତି। ଏହି ଅର୍ଥକୁ ତୁରନ୍ତ କାମରେ ଲଗାଇଲେ ଏପ୍ରିଲ୍‌‌-ମେ’ ମାସ ବେଳକୁ ଅନେକ ସ୍ଥାନରେ ଜଳ ସଂରକ୍ଷଣ ବ୍ୟବସ୍ଥା ସାମୟିକ ଭାବେ କାର୍ଯ୍ୟକାରୀ ହୋଇପାରିବ।

ଗ୍ରୀଷ୍ମ ପ୍ରବାହ ସହିତ ଓଡ଼ିଶାର ଅଭିଜ୍ଞତା ବେଶ ଲମ୍ବା ଓ ଘଟଣାବହୁଳ। ତେଣୁ ଏଥରର ନିଦାଘ ଗ୍ରୀଷ୍ମର ମୁକାବିଲା ପାଇଁ ସରକାର ଆଗୁଆ ପ୍ରତିକାର ବ୍ୟବସ୍ଥା କରୁଛନ୍ତି। ଜନସାଧାରଣ ସତର୍କ ଓ ସଂଯମ ହେଲେ ଏହି ସମସ୍ୟାର ସମାଧାନ ସହଜ ହୋଇପାରିବ। ପ୍ରକୃତି ସହିତ ତାଳ ମିଳାଇ ଆମକୁ ବଞ୍ଚିବାକୁ ହେବ ଏବଂ ନିଜର ଆବଶ୍ୟକତାକୁ ପ୍ରକୃତିର ସାମର୍ଥ୍ୟ ଅନୁଯାୟୀ ସୀମିତ କରିବାକୁ ପଡ଼ିବ।

About The Author: The Sakala