‘ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ’ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଓଡ଼ିଶା ସରକାରଙ୍କୁ ପୁଣି ଥରେ ପ୍ରଶଂସା କରିଛନ୍ତି। ଏହାପୂର୍ବରୁ ମଧ୍ୟ ଅନେକ ଥର ଓଡ଼ିଶାର ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ ଓ ସଫଳ ପରିଚାଳନା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ’ ମୁଖ୍ୟାଳୟରେ ୨୦୨୨ ମସିହାରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ରାଜ୍ୟରେ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମର ପରିଚାଳନା ବିଷୟରେ ବିସ୍ତୃତ ଉପସ୍ଥାପନା କରିଥିଲେ। ଏଥିପାଇଁ ଓଡ଼ିଶା ସରକାରଙ୍କୁ ଜାତିସଂଘ ସ୍ତରରେ ସମ୍ମାନିତ ମଧ୍ୟ କରାଯାଇଥିଲା। ବିଶ୍ୱରେ ଦାରିଦ୍ର୍ୟ ସହିତ ବୁଭୁକ୍ଷା ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏହି ପୃଷ୍ଠଭୂମିରେ ଖାଦ୍ୟ ନିରାପତ୍ତାରେ ଓଡ଼ିଶାର ସଫଳତା ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏ ବିଷୟରେ ଆଲୋଚନା କଲା ବେଳେ ଅନେକ ପ୍ରସଙ୍ଗ ପରିସରକୁ ଆସିବ।
ଭୋକର ଭୂଗୋଳ ଭାବେ ପରିଚିତ ଏକ ରାଜ୍ୟକୁ ଖାଦ୍ୟ ବଳକା ରାଜ୍ୟରେ ପରିଣତ କରିବା ଏବଂ ଖାଦ୍ୟ ନିରାପତ୍ତା ପାଇଁ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ ହେବା, ଅନ୍ୟ ରାଜ୍ୟ ଓ ଦେଶ ପାଇଁ ଅନୁକରଣୀୟ ହେବା ସହଜ କଥା ନୁହେଁ। ଏହା ପଛର ସଂଘର୍ଷ ଯେତିକି କଷ୍ଟକର ଅଭିଯାନ ସେତିକି ମହତ୍ତ୍ୱପୂର୍ଣ୍ଣ ଥିଲା। ‘ସମସ୍ତେ ପେଟପୂରା ଖାଇବାକୁ ପାଆନ୍ତୁ’, ‘ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ ହେଉ’, ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ଏହି ଲକ୍ଷ୍ୟ ଓ ନୀତିକୁ ଆଧାର କରି ଚଳିତ ଶତାବ୍ଦୀର ପ୍ରଥମ ଦଶନ୍ଧିର ପ୍ରଥମ ଚରଣରେ ଖାଦ୍ୟ ନିରାପତ୍ତାର ଯେଉଁ ଅଙ୍କୁରୋଦ୍ଗମ ହୋଇଥିଲା, ତାହା ଆଜି ବିଶାଳ ବୃକ୍ଷର ରୂପ ନେଇ ଫଳ ପ୍ରଦାନ କରିଛି। ଆଗାମୀ ଦିନରେ ଏହି ବୃକ୍ଷର ଶାଖାପ୍ରଶାଖା ଆହୁରି ବୃଦ୍ଧି ପାଇବ, ଯାହାର ସ୍ୱାଦ ଉତ୍ତର ପିଢ଼ି ମଧ୍ୟ ଅନୁଭବ କରିପାରିବେ।
ଖାଦ୍ୟ ନିରାପତ୍ତାର ମହତ୍ ଓ ସୁଦୂର ପ୍ରସାରୀ ଲକ୍ଷ୍ୟ ନେଇ ଗତ ସରକାର ଅମଳରେ ଜନକଲ୍ୟାଣ ସହିତ ଗରିବଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣର ଏକ ସମନ୍ୱିତ ଯୋଜନା ହାତକୁ ନିଆଯାଇଥିଲା। ଏହି ଆଧାରରେ ଆଦିବାସୀ ଅଧ୍ୟୁଷିତ ତଥା ଦୂରଦୂରାନ୍ତ ଅଞ୍ଚଳରେ ଗରିବ ଜନସାଧାରଣ ଏବଂ ଆଦିବାସୀ ବିଦ୍ୟାଳୟ ଓ ଛାତ୍ରାବାସମାନଙ୍କରେ ଛାତ୍ରଛାତ୍ରୀଙ୍କୁ ମାଣ୍ଡିଆରୁ ପ୍ରସ୍ତୁତ ଲଡ଼ୁ ଓ ଅନ୍ୟାନ୍ୟ ପୁଷ୍ଟିକର ମିଷ୍ଟାନ୍ନ ମାଗଣାରେ ବଣ୍ଟନ କରିବା ସହିତ ୩୦ଟି ଯାକ ଜିଲ୍ଲାରେ ଭିଟାମିନଯୁକ୍ତ ଚାଉଳ ବଣ୍ଟନ କରାଯାଇଥିଲା। କିଶୋରୀ, ଶିଶୁ, ଗର୍ଭବତୀ, ପ୍ରସୂତିମାନଙ୍କ ସ୍ୱାସ୍ଥ୍ୟବସ୍ଥାର ଉନ୍ନତି ପାଇଁ ଗତବର୍ଷ ସେପ୍ଟେମ୍ବର ମାସରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଓ ପଡ଼ା ପୁଷ୍ଟି କାର୍ଯ୍ୟକ୍ରମ’ ଆରମ୍ଭ କରାଯାଇଥିଲା, ଯେଉଁଥିରେ ପୁଷ୍ଟିକର ଶୁଖିଲା ଖାଦ୍ୟ, ଛତୁଆ ଓ ଅଣ୍ଡା ବଣ୍ଟନ କରାଯାଇଥିଲା। ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ଲାଗି ଧାନ ସଂଗ୍ରହର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହିକ୍ରମରେ ଓଡ଼ିଶାର ୬୫୦ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧାନ ସଂଗ୍ରହରେ ସାମିଲ କରାଯାଇଥିଲା। ଫଳରେ ଉଭୟ କୃଷି ଓ ମହିଳା ସଶକ୍ତୀକରଣରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ସଫଳତାର ସ୍ୱାକ୍ଷର କରିଥିଲା। ସେହିଭଳି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତ ମାଧ୍ୟମରେ ପାଖାପାଖି ୭୦ ପ୍ରତିଶତ ଚାଉଳ ଆବଣ୍ଟନ କରାଯିବାର ସଫଳ ଉଦ୍ୟମ ମଧ୍ୟ ଆରମ୍ଭ ହୋଇଥିଲା।
ଯେତେବେଳେ ଖାଦ୍ୟ ନିରାପତ୍ତା ଯୋଜନାର ସଫଳତା କଥା ଉଲ୍ଲେଖ କରାଯାଉଛି ସେଠାରେ ‘ମିଲେଟ୍ ମିଶନ୍’ର ଅବଦାନକୁ ଅସ୍ୱୀକାର କରିହେବ ନାହିଁ। ପୁଷ୍ଟିକର କୃଷିର ଏହି ନିରବ ବିପ୍ଳବ ଓଡ଼ିଶାର ଆଦିବାସୀ ଓ ଗ୍ରାମାଞ୍ଚଳ ପାଇଁ ପୌଷ୍ଟିକ ଖାଦ୍ୟ, କୃଷି ଆୟ ବୃଦ୍ଧି ଏବଂ ଖାଦ୍ୟାନ୍ନ ବିବିଧତାର ଅକ୍ଷୟ ଭଣ୍ଡାରର ସୁଯୋଗ ସୃଷ୍ଟି କରିଥିଲା, ଯାହାର ସୁଫଳ ଏବେ ବିଶ୍ୱବାସୀ ଦେଖୁଛନ୍ତି। ଓଡ଼ିଶାର ‘ମିଲେଟ୍ ମିଶନ୍’କୁ ନିତି ଆୟୋଗ ଓ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହିତ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସ୍ୱୀକୃତି ମିଳିଛି। ଅନ୍ୟ ରାଜ୍ୟମାନେ ଓଡ଼ିଶାର ଏହି ଯୁଗାନ୍ତକାରୀ ଅଭିଯାନକୁ ମଡେଲ୍ ଭାବେ ଗ୍ରହଣ କରୁଛନ୍ତି। ପ୍ୟାରିସ୍ରେ ଆୟୋଜିତ ଅନ୍ତର୍ଜାତୀୟ ଖାଦ୍ୟ ଉତ୍ପାଦନ ପ୍ରଦର୍ଶନୀ ‘ସିଆଲ୍ ୨୦୨୨’ରେ ଓଡ଼ିଶାର ମିଲେଟ୍ ସାମିଲ ହୋଇପାରିଛି। ଅନ୍ତର୍ଜାତୀୟ ସ୍ତରରେ ସବୁଜ ବିପ୍ଳବ କାର୍ଯ୍ୟକ୍ରମ ଜରିଆରେ କେମ୍ୱ୍ରିଜ୍ ବିଶ୍ୱବିଦ୍ୟାଳୟ ମଧ୍ୟ ‘ଓଡ଼ିଶା ମିଲେଟ୍ ମିଶନ୍’ର ଭାଗିଦାରୀ ହୋଇଛି। ୨୦୧୭ରୁ ଆରମ୍ଭ ହୋଇଥିବା ଓଡ଼ିଶାର ‘ମିଲେଟ୍ ମିଶନ୍’ ଏବେ ୩୦ଟି ଜିଲ୍ଲାର ୧୭୭ ବ୍ଲକରେ ସଫଳତାର ସହ କାର୍ଯ୍ୟକାରୀ ହେଉଛି। ୨୦୨୨-୨୩ ଖରିଫ୍ ଋତୁ ସୁଦ୍ଧା ୭୪ ହଜାର ୮ ଶହ ୨୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯାଇଥିବା ବେଳେ ପ୍ରାୟ ୧ ଲକ୍ଷ ୫୮ ହଜାରରୁ ଊର୍ଦ୍ଧ୍ବ ଚାଷୀ ଏଥିରେ ସାମିଲ ହୋଇଛନ୍ତି। ମିଲେଟ୍ ଅମଳ ପରବର୍ତ୍ତୀ ପରିଚାଳନା ପାଇଁ ୟୁନିଟ୍ ସ୍ଥାପନର ବିକେନ୍ଦ୍ରୀକରଣ କରାଯିବା ସହିତ ଚାଷୀମାନେ ଯେପରି ଉଚିତ୍ ବଜାର ମୂଲ୍ୟ ପାଇପାରିବେ ସେଥିପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ଏଥିସହିତ ସମନ୍ୱିତ ଶିଶୁ ବିକାଶ ଯୋଜନା, ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାଣ୍ଡିଆକୁ ସାମିଲ କରାଯାଇଛି। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ସ୍ୱେଚ୍ଛାସେବୀ ସଂଗଠନ ମାଧ୍ୟମରେ ମାଣ୍ଡିଆରୁ ୩୦ରୁ ଊର୍ଦ୍ଧ୍ବ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ଏହାର ବିକ୍ରୟ ପାଇଁ ଉପଯୁକ୍ତ ବଜାର ସୃଷ୍ଟି କରାଯାଉଛି।
ଏବେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ସହକାରୀ ନିର୍ବାହୀ ନିର୍ଦ୍ଦେଶକ ରାଜ୍ୟକୁ ଏଥିପାଇଁ ଯେଭଳି ପ୍ରଶଂସା କରିଛନ୍ତି ବାସ୍ତବରେ ତାହାର ଶ୍ରେୟ ପୂର୍ବ ସରକାରଙ୍କ ଅକ୍ଲାନ୍ତ ପରିଶ୍ରମ, ରାଜ୍ୟର ଗରିବ କଲ୍ୟାଣ ପ୍ରତି ଅଙ୍ଗୀକାରବଦ୍ଧତା ଓ ତୃଣମୂଳସ୍ତରର ଖାଦ୍ୟ ନିରାପତ୍ତାର ସୁଫଳ ପହଞ୍ଚାଇବାରେ ନିରବଚ୍ଛିନ୍ନ ଉଦ୍ୟମକୁ ମିଳିବ। ଏ ବିଷୟ ଆଲୋଚନା କଲା ବେଳେ ଖାଦ୍ୟ ନିରାପତ୍ତା ଯୋଜନାରେ ଓଡ଼ିଶାକୁ ପାତରଅନ୍ତର କଥା ମଧ୍ୟ ନିଶ୍ଚୟ ମନେ ପଡ଼ିବ। ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଲାଗୁ ହେବା ପରେ ଓଡ଼ିଶା ସରକାର ଏହାର ସୁବିଧା ପାଇବା ପାଇଁ ଯେଉଁ ତାଲିକା କେନ୍ଦ୍ର ସରକାରଙ୍କୁ ଦେଇଥିଲେ, ସେଥିରୁ ୯ଲକ୍ଷ ପରିବାରକୁ କେନ୍ଦ୍ର ତାଲିକାଭୁକ୍ତ କରି ନ ଥିଲେ। ଓଡ଼ିଶାର ‘ସିଙ୍ଗଲ୍ ଇଞ୍ଜିନ’ ସରକାର ଏହି ୯ଲକ୍ଷ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ୨୦୧୮ ଅକ୍ଟୋବର ପହିଲାରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ମୁଣ୍ଡ ପିଛା ପାଞ୍ଚ କିଲୋ ଟଙ୍କିକିଆ ଚାଉଳ ଯୋଗାଣର ବ୍ୟବସ୍ଥା କରିଥିଲେ। ଏହିସବୁ ଜନକଲ୍ୟାଣ ଯୋଜନାର ସୁଫଳ ଏବେ ରାଜ୍ୟବାସୀ ଭୋଗ କରୁଛନ୍ତି ଏବଂ ବିଶ୍ୱବାସୀ ପ୍ରଶଂସାରେ ଶତମୁଖ ହେଉଛନ୍ତି।
କଥାରେ ଅଛି ‘ଯିଏ ଗଛ ଲଗାଇଥାଏ ସେ ଫଳ ଖାଇବାର ଆଶା ରଖି ନ ଥାଏ’। ତତ୍କାଳୀନ ଓଡ଼ିଶା ସରକାରଙ୍କର ଲୋକକଲ୍ୟାଣ ପାଇଁ ଅଙ୍ଗୀକାରବଦ୍ଧ ପଦକ୍ଷେପର ସୁଫଳ ଏବେ ପରବର୍ତ୍ତୀ ସରକାରମାନେ ନେବେ ଏହା ନିଶ୍ଚିତ। କିନ୍ତୁ ଏଠାରେ ମନେ ରଖିବାକୁ ହେବ ଯେ ଫଳପ୍ରାପ୍ତି ପାଇଁ ଗଛର ସୁରକ୍ଷା ନିହାତି ଆବଶ୍ୟକ। ଖାଦ୍ୟ ନିରାପତ୍ତାର ବିଶାଳ ବୃକ୍ଷ ଓ ଏହାର ଶାଖା ସମୂହକୁ ସୁରକ୍ଷିତ ରଖିବା ରାଜନୈତିକ ଇଚ୍ଛାଶକ୍ତିର ପ୍ରଦର୍ଶନ ଓ ଗରିବ କଲ୍ୟାଣର ଅଙ୍ଗୀକାରବଦ୍ଧତା ଉପରେ ନିର୍ଭର କରେ। ଆଶା ବର୍ତ୍ତମାନ ଓ ଭବିଷ୍ୟତର ସରକାରମାନେ ଦଳୀୟ ଆଦର୍ଶ ଓ ରାଜନୀତିରୁ ଊର୍ଦ୍ଧ୍ବକୁ ଉଠି ଏହି ମହତ୍ ଲକ୍ଷ୍ୟ ପୂରଣ ପାଇଁ ସାଧୁ ଉଦ୍ୟମ କରିବେ।