ଜଳଯୁଦ୍ଧ ଯନ୍ତ୍ରଣା

ପହଲଗାମ୍‌‌ରେ ଆତଙ୍କବାଦୀଙ୍କ ନରସଂହାରର ପ୍ରତିକ୍ରିୟା କେବଳ ଆମ ଦେଶରେ ସୀମିତ ରହିନାହିଁ। ଜାତିସଂଘ ନିରାପତ୍ତା ପରିଷଦ ମଧ୍ୟ ଘଟଣାର କଠୋର ନିନ୍ଦା କରିଛି। ଏଥିମଧ୍ୟରେ ୭ ଦିନ ସମୟ ଅତିବାହିତ ହୋଇସାରିଛି। ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ ବଢ଼଼ିବାରେ ଲାଗିଛି। ଦଳମତ ନିର୍ବିଶେଷରେ ସରକାରଙ୍କୁ ନିରଙ୍କୁଶ ସମର୍ଥନ ମିଳିଛି। ଏହି ବର୍ବରୋଚିତ ଆତଙ୍କବାଦୀ ଆକ୍ରମଣର ଯଥୋଚିତ ଜବାବ ଦେବା ଲାଗି ସେନାବାହିନୀକୁ ଚୂଡ଼ାନ୍ତ ନିଷ୍ପତ୍ତି ନେବାର କ୍ଷମତା ଭାରତ ସରକାର ଦେଇସାରିଛନ୍ତି। ଏସବୁ ସତ୍ତ୍ବେ […]

ପହଲଗାମ୍‌‌ରେ ଆତଙ୍କବାଦୀଙ୍କ ନରସଂହାରର ପ୍ରତିକ୍ରିୟା କେବଳ ଆମ ଦେଶରେ ସୀମିତ ରହିନାହିଁ। ଜାତିସଂଘ ନିରାପତ୍ତା ପରିଷଦ ମଧ୍ୟ ଘଟଣାର କଠୋର ନିନ୍ଦା କରିଛି। ଏଥିମଧ୍ୟରେ ୭ ଦିନ ସମୟ ଅତିବାହିତ ହୋଇସାରିଛି। ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ ବଢ଼଼ିବାରେ ଲାଗିଛି। ଦଳମତ ନିର୍ବିଶେଷରେ ସରକାରଙ୍କୁ ନିରଙ୍କୁଶ ସମର୍ଥନ ମିଳିଛି। ଏହି ବର୍ବରୋଚିତ ଆତଙ୍କବାଦୀ ଆକ୍ରମଣର ଯଥୋଚିତ ଜବାବ ଦେବା ଲାଗି ସେନାବାହିନୀକୁ ଚୂଡ଼ାନ୍ତ ନିଷ୍ପତ୍ତି ନେବାର କ୍ଷମତା ଭାରତ ସରକାର ଦେଇସାରିଛନ୍ତି। ଏସବୁ ସତ୍ତ୍ବେ ତିନିଟି ଭିନ୍ନ ଭିନ୍ନ ପ୍ରତିକ୍ରିୟାର ପ୍ରଭାବ ମଧ୍ୟ ଅନୁଭୂତ ହେଉଛି।

ସର୍ବଦଳୀୟ ବୈଠକରେ ସରକାରଙ୍କ ଆଭିମୁଖ୍ୟ ଯାହା ହେଉନା କାହିଁକି ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ପରିବାର ପକ୍ଷରୁ ନିରାପତ୍ତା ବ୍ୟବସ୍ଥାରେ ତ୍ରୁଟି ନେଇ ଯେଉଁ ପ୍ରତିକ୍ରିୟା ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି, ତାହା ସମସ୍ତଙ୍କୁ ବ୍ୟସ୍ତବିବ୍ରତ କରିଛି। ଦୋଷ ଯାହାର ଥାଉନା କାହିଁକି କାଶ୍ମୀର ଉପତ୍ୟକାରେ ଘଟିଥÒବା ଅଘଟଣ ପାଇଁ ସୁରକ୍ଷା ବ୍ୟବସ୍ଥାରେ ଢିଲାପଣ ଯେ ଅନେକାଂଶରେ ଦାୟୀ, ତାହାକୁ ଅସ୍ବୀକାର କରିହେବ ନାହିଁ। କାଶ୍ମୀରରେ ଫେରିଥିବା ଶାନ୍ତି ଓ ସୌହାର୍ଦ୍ଦ୍ୟ ଦୃଷ୍ଟିରୁ ପରିସ୍ଥିତି ଓ ପରିବେଶ ପର୍ଯ୍ୟଟକଙ୍କ ମନରେ ଆସ୍ଥା ଓ ବିଶ୍ୱାସ ସୃଷ୍ଟି କରିଥିଲା। କିନ୍ତୁ ସେମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ତତ୍ପରତା ଯଥେଷ୍ଟ ନଥÒଲା ବୋଲି ଅଭଯୋଗ ହେଉଛି। ପର୍ଯ୍ୟଟକଙ୍କ ପରିଚୟପତ୍ର ଯାଞ୍ଚ ବା ଚିହ୍ନଟ କରି ଗୁଳି କରାଯିବା ଘଟଣା ଦେଶର କେତେକ ସ୍ଥାନରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିଛି। ଶେଷ କଥାଟି ହେଲା କାଶ୍ମୀରରେ ପାକିସ୍ତାନ ବିରୋଧୀ ମୋର୍ଚ୍ଚା ବାହାରିବା ଅନେକଙ୍କୁ ବିସ୍ମିତ କରିଛି। ପାକ୍‌‌ ଆତଙ୍କୀଙ୍କ ଏହି ଅମାନବୀୟ କାର୍ଯ୍ୟ ସେମାନଙ୍କ ଜୀବନ ଓ ଜୀବିକାକୁ ଗୁରୁତର ପ୍ରଭାବିତ କରିବାକୁ ଯାଉଛି। ପର୍ଯ୍ୟଟକଙ୍କ ଆଗମନ ସ୍ରୋତ ଦିନକୁ ଦିନ କ୍ଷୀଣ ହେଉଥିବାରୁ ତାହା ଉପରେ ନିର୍ଭର କରୁଥିବା କାଶ୍ମୀରବାସୀଙ୍କ ପାକିସ୍ତାନ ବିରୋଧୀ ପ୍ରତିକ୍ରିୟାରେ ସେଭଳି କିଛି ଅସ୍ୱାଭାବିକତା ନାହିଁ। ଏହି ଧାରା ବଜାୟ ରହିଲେ ଆତଙ୍କବାଦୀଙ୍କ ପ୍ରତି ସ୍ଥାନୀୟ ଲୋକଙ୍କ ସହାନୁଭୂତି ସବୁଦିନ ପାଇଁ ମୂଳପୋଛ ହୋଇଯିବ। ୩୭୦ ଧାରା ଉଚ୍ଛେଦର ଉଦ୍ଦେଶ୍ୟ ଖୁବ୍‌‌ ଶୀଘ୍ର ସାକାର ହେବ।

ସରକାରଙ୍କ ପାଲଟା କାର୍ଯ୍ୟାନୁଷ୍ଠାନର ସବୁଠାରୁ ପ୍ରଭାବଶାଳୀ ଦିଗ ହେଉଛି ସିନ୍ଧୁ ନଦୀ ଜଳ ବଣ୍ଟନ ଚୁକ୍ତିକୁ ଅନିର୍ଦ୍ଦିଷ୍ଟକାଳ ସକାଶେ ସ୍ଥଗିତ ରଖିବା। ସରକାର ଏହାକୁ ‘ଜଳବୋମା’ ରୂପେ ବ୍ୟବହାର କରିବାକୁ ଚାହାନ୍ତି। ଭୌଗୋଳିକ ସ୍ଥିତି ଦୃଷ୍ଟିରୁ ନଦୀର ଉପରମୁଣ୍ଡରେ ଭାରତ ଥିବାରୁ ନଦୀ ଜଳ ନିୟନ୍ତ୍ରଣର ଚାବିକାଠି ମଧ୍ୟ ତା’ ହାତରେ ଅଛି। ତିରୋଟ ବା ଶୁଷ୍କ ସମୟରେ ଜଳ ପ୍ରବାହକୁ ରୋକିବା ବା ନିୟନ୍ତ୍ରଣ କରିବା ଅଧିକ ସହଜ। ତେଣୁ ପାକିସ୍ତାନର ଜଳବିଦ୍ୟୁତ୍‌‌ ପ୍ରକଳ୍ପ, କୃଷିକ୍ଷେତ୍ରକୁ କେନାଲ ଜଳ ଓ ପିଇବା ପାଣି ସବୁସ୍ତରରେ ଯେଉଁ ବିଭ୍ରାଟ ସୃଷ୍ଟି ହେବ, ତାହାର ପ୍ରତିକାର କରିବା ସେଠିକାର ସରକାରଙ୍କ ସକାଶେ କାଠିକରପାଠ ହୋଇପଡ଼ିବ। ଏ ସମ୍ପର୍କରେ ଉଲ୍ଲେଖ କଲାବେଳେ ବିଶ୍ୱବ୍ୟାଙ୍କ ମଧ୍ୟସ୍ଥତାରେ ଦୀର୍ଘ ବର୍ଷ ଧରି ବିଚାରବିମର୍ଶ ପରେ ୧୯୬୦ ମସିହାରେ ସ୍ୱାକ୍ଷରିତ ଏହି ଚୁକ୍ତିର କିଛି ଦିଗ ସମ୍ପର୍କରେ ଆଲୋଚନା କରାଯାଇପାରେ। ସିନ୍ଧୁଜଳ ବଣ୍ଟନ ଚୁକ୍ତି ଅନୁଯାୟୀ ପୂର୍ବ ଓ ପଶ୍ଚିମ ସ୍ଥିତିରେ ପ୍ରବାହିତ ନଦୀଜଳର ବ୍ୟବହାର ସକାଶେ ଭାରତ ଓ ପାକିସ୍ତାନ ମଧ୍ୟରେ ଆବଣ୍ଟିତ କରାଯାଇଛି। ସିନ୍ଧୁ ସହ ଜଡ଼ିତ ପଞ୍ଚ ଉପନଦୀ ମଧ୍ୟରୁ ଝେଲମ ଓ ଚେନାବ ଜଳର ପ୍ରବାହକୁ ପାକିସ୍ତାନ ଅଭିମୁଖେ ଛାଡ଼ି ଦିଆଯିବ ଏବଂ ଅବଶିଷ୍ଟ ରାବି, ବ୍ୟାସ ଓ ସତଲେଜ ଜଳରାଶିକୁ ଭାରତ ପୂର୍ଣ୍ଣମାତ୍ରାରେ ବ୍ୟବହାର କରିବ। ଭାରତ ଓ ପାକିସ୍ତାନ ମଧ୍ୟରେ ତିନି ତିନୋଟି ଯୁଦ୍ଧ ହୋଇଥିଲେ ମଧ୍ୟ ଏହି ଚୁକ୍ତିର ଖିଲାପ ହୋଇନି। ଏସବୁ ସତ୍ତ୍ବେ ଜଳବାୟୁ ପରିବର୍ତ୍ତନ ଏବଂ ସମୟର ଆବଶ୍ୟକତା ଦୃଷ୍ଟିରୁ ଚୁକ୍ତିନାମାର ସମୀକ୍ଷା ଓ ସଂଶୋଧନ ଜରୁରୀ ହୋଇଥିବା ସମ୍ପର୍କରେ ଭାରତ ପକ୍ଷରୁ ଏକାଧିକବାର ପାକିସ୍ତାନର ସହଯୋଗ ଲୋଡ଼ାଯାଇଛି। ଏପରିକି ଭାରତର ନିର୍ମାଣାଧୀନ ନଦୀବନ୍ଧ ଯୋଜନା ଓ ଜଳ ବିଦ୍ୟୁତ ପ୍ରକଳ୍ପ ନେଇ ପାକିସ୍ତାନ ଆପତ୍ତି ଓ ପ୍ରତିବାଦ କରି ଆସିଛି। ତେଣୁ ଏକାଧିକ ନିର୍ମାଣାଧୀନ ପ୍ରକଳ୍ପରେ ମନ୍ଥରତା ପରିଲକ୍ଷିତ ହୋଇଛି। ଅଥଚ ନଦୀର ଉପରମୁଣ୍ଡରେ ରହି ଆମେ ଯେଉଁ ସୁବିଧା ଓ ସୁଯୋଗ ହାସଲ କରିବା କଥା ସେଥିରୁ ବଞ୍ଚିତ ହେଉଛେ।

ବେଲୁଚିସ୍ତାନ ଓ ଆଫଗାନିସ୍ତାନ ପକ୍ଷରୁ କ୍ରମାଗତ ଚାପରେ ଥିବା ପାକ୍‌‌ ସେନାବାହିନୀ ନିଜର ବିଫଳତାକୁ ଘଣ୍ଟଘୋଡ଼ାଇ ରଖିବା ସକାଶେ ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ହୋଇଥିବା କାଶ୍ମୀରରେ ଆତଙ୍କବାଦୀଙ୍କୁ ପ୍ରୟୋଗ କରିଛି। ପରିଣତି ସ୍ୱରୂପ ପହଲଗାମ୍‌‌ରେ ୨୬ ପର୍ଯ୍ୟଟକଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି। ଏହା ପଛରେ ମଧ୍ୟ ଦୁଇଟି ଦିଗ ଅଛି। କାଶ୍ମୀରରେ ବିକଶିତ ପର୍ଯ୍ୟଟନ ଶିଳ୍ପକୁ ଧ୍ୱଂସ କରି ରାଜ୍ୟବାସୀଙ୍କ ଆର୍ଥିକ ଦୁର୍ଗତିର ସୁଯୋଗ ଦେବା। ସମଗ୍ର ଭାରତରେ ହିନ୍ଦୁ-ମୁସଲମାନ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ହେଉଛି ପାକିସ୍ତାନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦୁଇ ଦିଗକୁ ପ୍ରତିହତ କରି ଭାରତ ସରକାରଙ୍କୁ ସୁବ୍ୟବସ୍ଥିତ ଢଙ୍ଗରେ ପାକିସ୍ତାନକୁ ଜବାବ ଦେବାକୁ ହେବ। ତେଣୁ ସିନ୍ଧୁଜଳ ବଣ୍ଟନ ଚୁକ୍ତି ଅଚଳ କରିଦେଲେ ସେମାନଙ୍କ ଜୀବନରେଖା ଗୁରୁତର ଭାବେ ପ୍ରଭାବିତ ହେବ। ଏକଥା ସତ ଯେ ପାକିସ୍ତାନକୁ ନଦୀଜଳ ପ୍ରବାହ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ଏତେ ସହଜ ନୁହେଁ। କାରଣ ଏହି ବିପୁଳ ଜଳରାଶିକୁ ସଂରକ୍ଷଣ ଓ ଉପଯୋଗ କରିବାର ସାମର୍ଥ୍ୟ ଆମ ନିକଟରେ ନାହିଁ। ତେବେ ନଦୀଜଳ ସଂକ୍ରାନ୍ତ ତଥ୍ୟ ବିନିମୟକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବ। ଶୁଷ୍କ ସମୟରେ ଜଳ ପ୍ରବାହ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଗଲେ ପାକିସ୍ତାନ ସବୁଠାରୁ ସମୃଦ୍ଧି ରାଜ୍ୟ ସିନ୍ଧ ଓ ପଞ୍ଜାବ ପ୍ରଦେଶରେ ହାହାକାର ସୃଷ୍ଟି ହେବ। ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ବ୍ୟାହତ ହେବ। ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଅସମୟରେ ପାଣିଛାଡ଼ି ଦେଲେ କେତେଲୋକ ମରି ହଜିଯିବେ ଓ ଧନସମ୍ପଦ ନଷ୍ଟ ହେବ, ତାହାର କିଛି ହିସାବ ରହିବନି। ପାକିସ୍ତାନ ପକ୍ଷରୁ ଆତଙ୍କବାଦୀ ପ୍ରେରଣ ବନ୍ଦ ନ ହେବା ପର୍ଯ୍ୟନ୍ତ ଭାରତ ତାହାର ନିଷ୍ପତ୍ତିରେ ଅଟଳ ରହିବ ବୋଲି ସ୍ପଷ୍ଟ କରିଛି।

ଭାରତୀୟ ବାୟୁସେନା ରାଫେଲର ମୁକାବିଲା ସକାଶେ ପାକିସ୍ତାନ ପିଏଲ୍‌‌-୧୫ କ୍ଷେପଣାସ୍ତ୍ର ଚୀନରୁ ତୁରନ୍ତ ସଂଗ୍ରହ କରୁଛି। କ୍ରମେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ପାକିସ୍ତାନ ମନ୍ତ୍ରୀ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଭୟ ଓ ଆତଙ୍କର ଏହା ଅଂଶବିଶେଷ। ଆମର କଥାରେ ଅଛି ‘ହାତରେ ନମାରି ଭାତରେ ମାର’। ତେଣୁ ଯୁଦ୍ଧ ବଦଳରେ କେନ୍ଦ୍ର ସରକାର ଜଳବୋମା ମାଧ୍ୟମରେ ଯେଉଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ସେଥିରେ ପାକିସ୍ତାନର କୋଟି କୋଟି ଲୋକ କଲବଲ ହେବେ। ସେମାନଙ୍କ ଚାପରେ ସରକାର ଓ ସେନାବାହିନୀ ନିଜ ନୀତିରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ ହେବ।

About The Author: The Sakala