ଶତ୍ରୁ ମରିନି, ଯୁଦ୍ଧ ସରିନି

ଭାରତ ଓ ପାକିସ୍ତାନ ମଧ୍ୟରେ ୭୮ ଘଣ୍ଟାର ଯୁଦ୍ଧ ଓ ବିରାମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗୁଜରାଟରେ ସଭା ଓ ସମାବେଶ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶର ଜନସମୁଦାୟକୁ ବିଜୟର ବାର୍ତ୍ତା ଦେବାକୁ ଚାହିଁଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନକୁ ମଧ୍ୟ ଧମକ ଓ ଚମକ ଦେବାକୁ ସେ ପଛେଇ ନାହାନ୍ତି। ଏହି ସୀମିତ ଯୁଦ୍ଧରେ କାହାର ଜିତ୍‌ ଓ ହାର ହେଲା, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଉଭୟ ଦେଶ ବିଜୟୋତ୍ସବ ପାଳନ କରୁଛନ୍ତି। ପାକିସ୍ତାନ ମଧ୍ୟ […]

ଭାରତ ଓ ପାକିସ୍ତାନ ମଧ୍ୟରେ ୭୮ ଘଣ୍ଟାର ଯୁଦ୍ଧ ଓ ବିରାମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗୁଜରାଟରେ ସଭା ଓ ସମାବେଶ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶର ଜନସମୁଦାୟକୁ ବିଜୟର ବାର୍ତ୍ତା ଦେବାକୁ ଚାହିଁଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନକୁ ମଧ୍ୟ ଧମକ ଓ ଚମକ ଦେବାକୁ ସେ ପଛେଇ ନାହାନ୍ତି। ଏହି ସୀମିତ ଯୁଦ୍ଧରେ କାହାର ଜିତ୍‌ ଓ ହାର ହେଲା, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଉଭୟ ଦେଶ ବିଜୟୋତ୍ସବ ପାଳନ କରୁଛନ୍ତି। ପାକିସ୍ତାନ ମଧ୍ୟ ତାର ସେନାଧ୍ୟକ୍ଷ ଜେନେରାଲ ମୁନୀରଙ୍କୁ ଫିଲ୍ଡମାର୍ଶାଲ ପଦବୀକୁ ପଦୋନ୍ନତି ଦେଇ ବିଜୟ ସନ୍ଦେଶ ଦେଇଛି କହିଲେ ଭୁଲ ହେବ ନାହିଁ। ଆମେ ବିଳମ୍ବରେ ହେଲେ ମଧ୍ୟ ଭାରତରେ ତ୍ରିରଙ୍ଗା ଯାତ୍ରା କରିଛୁ। ତାହାହେଲେ କ’ଣ କହିବା ଯୁଦ୍ଧ ଅମୀମାଂସିତ ରହିଛି? ଏପର୍ଯ୍ୟନ୍ତ ଭାରତ ସରକାରଙ୍କ ପକ୍ଷରୁ. ଯେଉଁ ତଥ୍ୟ ପ୍ରଦାନ କରାଯାଇଛି ସେଥିରୁ ସ୍ପଷ୍ଟ ଯେ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଧ୍ବଂସ ହୋଇଛି। ସେ ଦେଶର ବାୟୁସେନା ଭିତ୍ତିଭୂମିର ୨ ପ୍ରତିଶତ ଆମ କ୍ଷେପଣାସ୍ତ୍ର ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି। ଆମ କ୍ଷୟକ୍ଷତି ସମ୍ପର୍କରେ ଏତିକି କୁହାଯାଇପାରେ ଯେ ପୁଞ୍ଚ ଓ ରଜୌରି ନିକଟସ୍ଥ ନିୟନ୍ତ୍ରଣ ରେଖା ସଂଲଗ୍ନ ଗ୍ରାମ ଉପରେ ହେଇଥିବା ଗୁଳିଗୋଳା ବର୍ଷଣରେ ବେଶ କିଛି ଘରଦ୍ବାର ଭାଙ୍ଗିଛି ଏବଂ ୨୦ରୁ ଉର୍ଦ୍ଧ୍ବଙ୍କ ପ୍ରାଣହାନି ଘଟିଛି। ଯୁଦ୍ଧ ବିରତି ଏଥିମଧ୍ୟରେ ୧୫ ଦିନ ଅତିକ୍ରମ କରିଥିଲେ ମଧ୍ୟ ଏ ଯାବତ ସଂପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇନାହିଁ।

ଏକଥା ସତ ଯେ ବ୍ୟୟବହୁଳ ଯୁଦ୍ଧ ଦେଶର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ତଥାପି ଦେଶର ସମ୍ମାନ ଓ ମର୍ଯ୍ୟାଦା ରକ୍ଷା ପାଇଁ ଯୁଦ୍ଧର ବାଧ୍ୟବାଧକତା ରହିଛି। ଦୀର୍ଘ ୩୫ ବର୍ଷ ଧରି ପାକିସ୍ତାନ ଆତଙ୍କବାଦୀଙ୍କ ମାଧ୍ୟମରେ ଭାରତ ବିରୋଧରେ ଯେଉଁ ଛାୟା ଯୁଦ୍ଧ ଚଳାଇଆସିଛି ତାହାର ସଠିକ୍‌ ଜବାବ ଦେବାର ଅଛି। ଉରି ଓ ପୁଲୱାମା ଘଟଣାର ଯଥାର୍ଥ ଉତ୍ତର ଦିଆଯାଇଥିଲେ ମଧ୍ୟ ପହଲଗାମ୍‌ ଭଳି ନୃଶଂସ ଘଟଣାର ପୁନରାବୃତ୍ତି ଘଟିଲା। ତେଣୁ ‘ଅପରେସନ ସିନ୍ଦୂର’ ପରେ ପାକିସ୍ତାନ ଯେ ଆତଙ୍କବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ରହିବ ଏକଥା ନୁହେଁ। ଆମକୁ ଏଠାରେ କହିବାକୁ ପଡ଼ୁଛି ଯେ ଯେଉଁ ଆତଙ୍କୀକେନ୍ଦ୍ରକୁ ଧ୍ବଂସ କରାଯାଇଛି ବୋଲି ଆମେ ଦାବି କରୁଛୁ, ସେଠାରେ ପୁନଃନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବାୟୁ ସେନା କେନ୍ଦ୍ରର କ୍ଷତି ନେଇ ପାକିସ୍ତାନଯେ ବ୍ୟସ୍ତ ବିବ୍ରତ ନୁହେଁ ତାହା ସେମାନଙ୍କ ପରିବର୍ତ୍ତିତ ଆଭିମୁଖ୍ୟରୁ ସ୍ପଷ୍ଟ। ପାକିସ୍ତାନର ଭାରତ ବିରୋଧୀ ରଣନୀତିର ଆତଙ୍କବାଦୀ ଅଂଶବିଶେଷ ହୋଇଥିବାରୁ ତାହାର ପୁନରାବୃତ୍ତି ଘଟିବା ପ୍ରାୟ ନିଶ୍ଚିତ। ଏ କ୍ଷେତ୍ରରେ ଭାରତର ଉତ୍ତରକୁ ଠିକଣା ଜବାବ ଦେବା ସକାଶେ ମଧ୍ୟ ପାକିସ୍ତାନ ସାମରିକ ପ୍ରସ୍ତୁତି ଆରମ୍ଭ କରିଛି। ସମୟ କହିବ ଆଗକୁ କ’ଣ ଘଟିବ। କିନ୍ତୁ ପାକିସ୍ତାନର ଆର୍ଥକ ସ୍ଥିତି ଯାହା, ସେଥିରେ ଏଭଳି ଏକ ପ୍ରତିଯୋଗିତାପୂର୍ଣ୍ଣ ସାମରିକ ପ୍ରସ୍ତୁତି ପାଇଁ ସେ ଦେଶବାସୀଙ୍କୁ ବେଶ ମୂଲ୍ୟ ଦେବାକୁ ପଡ଼ିବ।

ବିଶ୍ବର କୂଟନୀତି ଓ ଯୁଦ୍ଧନୀତିର ପ୍ରମୁଖ ଅଂଶ ହେଲା ଅସ୍ତ୍ରଶସ୍ତ୍ର ବେପାର। ଭାରତ ଓ ପାକିସ୍ତାନର ସୀମିତ ଯୁଦ୍ଧରେ ଚୀନର ଅତ୍ୟାଧୁନିକ ଯୁଦ୍ଧ ବିମାନ ଓ ଅସ୍ତ୍ରଶସ୍ତ୍ର ପରୀକ୍ଷଣର ଯେଉଁ ସୁଯୋଗ ମିଳିଲା ତାହା କେବଳ ଦକ୍ଷିଣ-ଏସିଆ ନୁହେଁ, ପାଶ୍ଚାତ୍ୟ ରାଷ୍ଟ୍ରରେ ମଧ୍ୟ ଆଲୋଚନାର ବିଷୟବସ୍ତୁ ହୋଇପଡ଼ିଛି। ‘ଜେଏଫ-୧୭ ଥଣ୍ଡର’ ଯୁଦ୍ଧ ବିମାନର ବଜାର. ସୃଷ୍ଟି କରିପାରିଛି ଏହି ଯୁଦ୍ଧ। ନିଜସ୍ବ ଜ୍ଞାନକୌଶଳର ନିର୍ମିତ ଭାରତର ହାଲ୍‌କା ଯୁଦ୍ଧ ବିମାନ ‘ତେଜସ୍‌’ ଏହାର ପ୍ରତିଦ୍ବନ୍ଦ୍ବୀ। ସେହିଭଳି ‘ବ୍ରହ୍ମୋସ୍‌’ ଓ ‘ଆକାଶ’ କ୍ଷେପଣାସ୍ତ୍ର ପ୍ରୟୋଗର ସଫଳତା ମଧ୍ୟ ବାସ୍ତବରେ ବଜାର ଚାହିଦା ବଢ଼ାଇଛି। ପର୍ଯ୍ୟବେକ୍ଷକଙ୍କ ମତରେ ଭାରତ ଓ ପାକିସ୍ତାନ ଅପେକ୍ଷା ଯୁଦ୍ଧରେ ସବୁଠାରୁ ଅଧିକ ଲାଭବାନ ହୋଇଛି ଚୀନ। ‘ଅପରେସନ ସିନ୍ଦୂର’ର ପରିଣତି ଯାହା ହେଉନା କାହିଁକି ଆମକୁ ‘ତେଜସ୍‌ ଏମ୍‌କେ-୨’ ଓ ‘ପିନାକ୍‌’ କ୍ଷେପଣାସ୍ତ୍ର ପ୍ରସ୍ତୁତି ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଏଥିମଧ୍ୟରେ ପଞ୍ଚମ ପିଢ଼ି ଯୁଦ୍ଧ ବିମାନ ପ୍ରସ୍ତୁତି ସକାଶେ ଫ୍ରାନ୍ସ ଓ ରୁଷ. ସହ ଯୋଗାଯୋଗରେ ଅଛି ଭାରତ। ଏକଥା ଉଲ୍ଲେଖ କରିବାର କଥା ହେଲା ପ୍ରତିରକ୍ଷା ବାବଦରେ ଆମକୁ ଅଧିକରୁ ଅଧିକ ସାମରିକ ଖର୍ଚ୍ଚ କରିବାର ବାଧ୍ୟବାଧ୍ୟକତା ସୃଷ୍ଟି ହୋଇଛି। ତେଣୁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶ ଧାରାରେ ଶିଥିଳତା ପରିଲକ୍ଷିତ ହେବା ଏକପ୍ରକାର ନିଶ୍ଚିତ।

ଏ ପର୍ଯ୍ୟନ୍ତ ସରକାର ମୁହଁ ଖୋଲିନଥିଲେ ମଧ୍ୟ ଚଳିତ ଯୁଦ୍ଧରେ ରାଫାଲ୍‌ ଯୁଦ୍ଧ ବିମାନ ଯେ ଆଶାନୁରୂପ ସଫଳତା ଦେଇପାରିନାହିଁ ଏକଥା ସତ। ବଜାର ଦର ଠାରୁ ଅଧିକ ମୂଲ୍ୟ ଦେଇ ଅତିରିକ୍ତ ସରଞ୍ଜାମରେ ସୁସଜ୍ଜିତ ରାଫଲ୍‌ କ୍ରୟ ବେଳେ ତାହାର ସିକ୍ରେଟ୍‌ କୋଡ୍‌ ହାସଲ ନ କରି ଭାରତ ସରକାର ଫସିଯାଇଛନ୍ତି। ’ବ୍ରହ୍ମୋସ୍‌’ ସମେତ ଅନ୍ୟାନ୍ୟ କ୍ଷେପଣାସ୍ତ୍ର ଖଞ୍ଜି. ସେହି ଯୁଦ୍ଧ ବିମାନରୁ ଶତ୍ରୁପକ୍ଷ ଉପରେ ଆକ୍ରମଣ କରିବାର ସୁଯୋଗରୁ ବଞ୍ଚିତ ହୋଇଛି ଭାରତ। ଏହି ଯୁଦ୍ଧ ବିମାନ କ୍ରୟକୁ କେନ୍ଦ୍ର କରି ସରକାର ଯେଉଁ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ତାହା ଏବେ ବି ଦେଶବାସୀଙ୍କ ମନରୁ ଲିଭିନାହିଁ। ନୌବାହିନୀ ସକାଶେ ଡାସଲ୍ଟ ଆଭିଏସନ୍‌ କମ୍ପାନୀ ସହ କରିଥିବା ଦ୍ବିତୀୟ ଚୁକ୍ତିକୁ ଶେଷରେ ଭାରତ ସରକାର ରଦ୍ଦ କରିବା ଭଳି ପରିସ୍ଥିତି ଉପୁଜିଛି। ଏକଥା ସତ ଯେ ବିଫଳତାରୁ ହିଁ ଶିକ୍ଷା ଲାଭ କରିହୁଏ। ଏ ପର୍ଯ୍ୟନ୍ତ ଯୁଦ୍ଧବିମାନ କ୍ରୟ େନଇ ରୁଷ୍‌ ଉପରେ ନିର୍ଭର କରିଆସୁଥିବା ଭାରତ ସରକାର ମିଗ୍‌-୩୦ କ୍ରୟ ନ କରି ହଠାତ୍‌ ରାଫାଲ୍‌ ପ୍ରତି ଆକର୍ଷିତ ହେବା ପଛରେ ଅନିଲ୍‌ ଅମ୍ବାନୀଙ୍କ ଭୂମିକା ମଧ୍ୟ ସନ୍ଦେହରୁ ଊର୍ଦ୍ଧ୍ବରେ ନୁହେଁ। ତତ୍‌କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଆପତ୍ତିକୁ ସେତେବେଳେ ଗୁରୁତ୍ବ ଦିଆଯାଇନଥିଲା। ସେ ଯାହାହେଉ ଏବେ ଅବସ୍ଥାକୁ ଦେଖୀ ବ୍ୟବସ୍ଥା କରିବାକୁ ହେବ।

ଏହା ପାକିସ୍ତାନ ସହ ଯୁଦ୍ଧବିରାମ ନେଇ କ’ଣ ପ୍ରାକ୍‌ ସର୍ତ୍ତ ଥିଲା ତାହା ଏବେ ମଧ୍ୟ ଅସ୍ପଷ୍ଟ। କିନ୍ତୁ ଏହା ସତ ଯେ ଆତଙ୍କବାଦ କାର୍ଯ୍ୟକଳାପ ପୂର୍ବଭଳି ଅପରିବର୍ତ୍ତିତ ରହିବ। କାରଣ ସେମାନେ ହେଉଛନ୍ତି ପାକିସ୍ତାନ ଶାସନ ବ୍ୟବସ୍ଥାର ଅଂଶବିଶେଷ। ସୁଖର କଥା ଯେ ମୋଦୀ ସରକାର କ୍ରମାଗତ ତୃତୀୟ ଥର ସକାଶେ ଆତଙ୍କବାଦ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଗକୁ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଆହୁରି ଭୟାବହ ହେବ। ଉଭୟ ପକ୍ଷର ପ୍ରସ୍ତୁତିର ଏହା ସ୍ପଷ୍ଟ ହେଉଛି।

About The Author: The Sakala