ଓଡ଼ିଆ ସ୍ୱାଭିମାନର ମନ୍ତ୍ରଦାତା

ଊନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ଆଦ୍ୟ ପାଦ ତତ୍କାଳୀନ ଓଡ଼ିଶାରେ ଏକ ମହାନ ଜାଗରଣ ଦେଖିଥିଲା। ଏହି ପର୍ଯ୍ୟାୟରେ ନୂଆ ଓଡ଼ିଶା ଗଠନର ବୀଜ ବପନ ହୋଇଥିଲା। ସେହି କାଳଖଣ୍ଡରେ ଓଡ଼ିଆମାନେ ପରିଚୟ-ସଚେତନ ହେବାକୁ ଲାଗିଥିଲେ ଏବଂ ସେହି ପରିଚୟ ସାବ୍ୟସ୍ତ କରିବା ଥିଲା ସମୟର ଆବଶ୍ୟକତା ଏବଂ ଗୋଟେ ଜାତିର ଦୁର୍ବାର ଗରଜ। ଓଡ଼ିଆ ଗର୍ବ, ଗୌରବ ଓ ଅସ୍ମିତା ଉଦ୍ରେକର ଏହି କାଳରେ ଅନେକ ବ୍ୟକ୍ତି ଓ ଅନୁଷ୍ଠାନ ସେମାନଙ୍କର ଜାତୀୟ […]

ଊନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ଆଦ୍ୟ ପାଦ ତତ୍କାଳୀନ ଓଡ଼ିଶାରେ ଏକ ମହାନ ଜାଗରଣ ଦେଖିଥିଲା। ଏହି ପର୍ଯ୍ୟାୟରେ ନୂଆ ଓଡ଼ିଶା ଗଠନର ବୀଜ ବପନ ହୋଇଥିଲା। ସେହି କାଳଖଣ୍ଡରେ ଓଡ଼ିଆମାନେ ପରିଚୟ-ସଚେତନ ହେବାକୁ ଲାଗିଥିଲେ ଏବଂ ସେହି ପରିଚୟ ସାବ୍ୟସ୍ତ କରିବା ଥିଲା ସମୟର ଆବଶ୍ୟକତା ଏବଂ ଗୋଟେ ଜାତିର ଦୁର୍ବାର ଗରଜ। ଓଡ଼ିଆ ଗର୍ବ, ଗୌରବ ଓ ଅସ୍ମିତା ଉଦ୍ରେକର ଏହି କାଳରେ ଅନେକ ବ୍ୟକ୍ତି ଓ ଅନୁଷ୍ଠାନ ସେମାନଙ୍କର ଜାତୀୟ କର୍ତ୍ତବ୍ୟ ଓ ମାତୃଭୂମି ପ୍ରତି ଥିବା ଦାୟିତ୍ୱବୋଧକୁ ନିର୍ବାହ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଜଣେ ଅନନ୍ୟ କରିତ୍‌‌କର୍ମା ମଧୁସୂଦନ ଦାସ। ପରବର୍ତ୍ତୀ ସମୟରେ ଯାହାଙ୍କର ପରିଚୟ ଥିଲା ବିବିଧ। ମଧୁବାବୁ, ମଧୁବାରିଷ୍ଟର, ଉତ୍କଳଗୌରବ, କୁଳବୃଦ୍ଧ ଆଦି ବିଭିନ୍ନ ନାମରେ ଆମେ ତାଙ୍କୁ ଜାଣୁ।

୧୮୮୦ ଦଶକରୁ ମୃତ୍ୟୁ ପର୍ଯ୍ୟନ୍ତ ମଧୁବାବୁ ତାଙ୍କର ସମଗ୍ର ଜୀବନକୁ ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ଉତ୍ସର୍ଗ କରିଥିଲେ। ଯେତେବେଳେ ସମଗ୍ର ଓଡ଼ିଶା କେବଳ ଏକ ଭୌଗୋଳିକ ପରିପ୍ରକାଶ ଥିଲା ଏବଂ ଏହାର ଭୂଖଣ୍ଡ ବହୁଦା ବିଭକ୍ତ ହୋଇ ବିଭିନ୍ନ ବ୍ରିଟିଶ ଶାସିତ ପ୍ରଦେଶ ସହିତ ମିଶିଯାଇଥିଲା, ସେତିକିବେଳେ ସବୁ ଓଡ଼ିଆଙ୍କ ପ୍ରାଣରେ ଜାତିପ୍ରେମର ବହ୍ନି ପ୍ରଜ୍ୱଳିତ କରି ସେ ଏକ ସ୍ୱାଭିମାନୀ ଆନ୍ଦୋଳନ ଗଢ଼ି ତୋଳିଥିଲେ। ତାହାର କେନ୍ଦ୍ରରେ ଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ବ୍ରିଟିଶ ଇଣ୍ଡିଆରେ ପ୍ରଥମ ଭାଷାଭିତ୍ତିକ ପ୍ରଦେଶ। ସେଥିପାଇଁ ସେ ଉତ୍କଳ ସମ୍ମିଳନୀ ଗଠନ କଲେ, ଭାଷା ସ୍ୱାଭିମାନ ବଢ଼଼ାଇଲେ, ଓଡ଼ିଆ ଜାତୀୟତାକୁ ସଞ୍ଜୀବନୀ ପ୍ରଦାନ କରି ବ୍ରିଟିଶ ସରକାରଙ୍କ ଆଗରେ ଦେଶ ବିଦେଶର ବିଭିନ୍ନ ମଞ୍ଚରେ ଯୁକ୍ତି ଓ ଦାବି ଉପସ୍ଥାପନ କଲେ। ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପରିଚାଳନାକୁ ଫିରିଙ୍ଗି ଶାସନରୁ ମୁକ୍ତ କରିବାକୁ ମକଦ୍ଦମା ଲଢ଼ି ସଫଳ ହେଲେ। ମଧୁବାବୁ ନଥିଲେ ଓଡ଼ିଶାର ଇତିହାସ ଆଜି ଭିନ୍ନ ହୋଇଥା’ନ୍ତା।

ସେ କେବଳ ଓଡ଼ିଆ ଜାତୀୟତାର ମନ୍ତ୍ରଦାତା ନଥିଲେ, ସେ ଥିଲେ ଓଡ଼ିଆ ସ୍ୱାଭିମାନର କାଣ୍ଡାରୀ। କେବଳ ରାଜନୈତିକ ସ୍ୱତନ୍ତ୍ରତା ନୁହେଁ, ସାମାଜିକ, ଆର୍ଥିକ, ସାଂସ୍କୃତିକ, ଶୈକ୍ଷିକ ଓ ସାଭ୍ୟତିକ ଦୃଷ୍ଟିରୁ ସେ ଏକ ଉନ୍ନତ ଓଡ଼ିଶାର ସ୍ୱପ୍ନ ଦେଖି ସେଥିରେ ଉପକୂଳ, ମାଳଞ୍ଚଳ ଓ ଗଡ଼ଜାତ ସବୁ ଭାଗର ଆତ୍ମିକ ଏକୀକରଣ ପାଇଁ ଚେଷ୍ଟା କରିଥିଲେ। ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଭାରତରେ ସୃଷ୍ଟି ହୋଇଥିଲା ଅର୍ଥନୈତିକ ସ୍ୱଦେଶୀ ବିଚାର। ପାଶ୍ଚାତ୍ୟ ଉପନିବେଶବାଦୀ ଶୋଷଣ ବିରୋଧରେ ଶିକ୍ଷିତ ଓ ସଚେତନ ମଧ୍ୟବିତ୍ତ ଶ୍ରେଣୀର ସ୍ୱର ଉଠିଲା। ଅର୍ଥନୈତିକ ସ୍ୱଦେଶୀ ବିଚାର ରାଜନୈତିକ ସ୍ୱାଧୀନତା ହାସଲ ସହିତ ଏକ ପ୍ରମୁଖ ଦାବି ପାଲଟିଲା। ଅହିଂସା ଓ ନ୍ୟାସୀ (ଟ୍ରଷ୍ଟିସିପ୍‌‌) ବିଚାର ସହିତ ମହାତ୍ମା ଗାନ୍ଧୀଙ୍କ ଆବିର୍ଭାବ ଭାରତୀୟ ରାଜନୀତି ସହିତ ଦେଶର ବ୍ୟବସାୟୀ ଓ ଶିଳ୍ପୋଦ୍ୟୋଗୀ ମହଲରେ ଅନୁକୂଳ ପ୍ରଭାବ ପକାଇଲା। ଜାତୀୟତାବାଦ ବୃଦ୍ଧି ସହିତ ଖାଉଟି ସଂସ୍କୃତିରେ ମଧ୍ୟ ଏକ ପରିବର୍ତ୍ତନ ଘଟିଲା। ଲୋକେ ରାଜନୈତିକ ଆନ୍ଦୋଳନରେ ଭାଗ ନେବା ନ ନେବା ନିର୍ବିଶେଷରେ ଦେଶପ୍ରେମର ନିଦର୍ଶନ ସଦୃଶ ସେମାନେ ଭାରତ ତିଆରି ଓ ସ୍ଥାନୀୟ ଭାବେ ଉତ୍ପାଦିତ ସାମଗ୍ରୀ ବ୍ୟବହାର କରିବାକୁ ଚାହିଁଲେ। ଏଥିପାଇଁ ମଧୁବାବୁଙ୍କ ନେତୃତ୍ୱରେ ଆଗଧାଡ଼ିର ନେତାମାନେ ଓଡ଼ିଶାରେ ଲୋକଙ୍କ କାନରେ ମନ୍ତ୍ର ଫୁଙ୍କିଥିଲେ। ଏହାଦ୍ୱାରା ସ୍ୱଦେଶୀ ଖୁଚୁରା ବିକ୍ରୟ କେନ୍ଦ୍ରର ନେଟୱାର୍କ ସ୍ଥାପନ ହେଲା।

୧୯୦୫ର ବଙ୍ଗ ଭଙ୍ଗ ପରେ ଭାରତରେ ଯେଉଁ ସବୁ ସ୍ୱଦେଶୀ ଉଦ୍ୟୋଗର ଶ୍ରୀଗଣେଶ ହେଲା, ତା’ ପଛରେ ଥିଲା ସ୍ୱଦେଶୀ ଉଦ୍ୟମିତାର ଚେତନା। ମଧୁବାବୁ ସେଥିରେ ଅନୁପ୍ରାଣିତ ହୋଇ ଉତ୍କଳ ଟ୍ୟାନେରୀ ଓ ତାରକସୀ ଶିଳ୍ପର ବିକାଶରେ ମନୋନିବେଶ କଲେ। ଏଥିରେ ସେତେବେଳେ ସେ ‘ଭୋକାଲ ଫର ଲୋକାଲ’ର ଯଥାର୍ଥତା ଦେଖିଥିଲେ। ତାଙ୍କ ଉଦ୍ୟମରେ ସେ କେତେ ସଫଳ ହୋଇଥିଲେ, ତାହା ଭିନ୍ନ କଥା; କିନ୍ତୁ କାଳ କାଳକୁ ଗୋଟେ କଥା ରଖି ଦେଇଗଲେ, ‘ଏମିତି ଜଣେ ଓଡ଼ିଆ ଥିଲା ଯିଏ ଓଡ଼ିଆ ଜାତି ପାଇଁ କିଛି କରିବାକୁ ଚେଷ୍ଟା କରିଥିଲା…’। ସବୁ ଜାତି ତା’ର ପରିଚୟ ଖୋଜେ, ନିଜର ଜଣେ ଜଣେ ଜାତୀୟ ପୁରୁଷ ଓ ପ୍ରେରଣାବର୍ତ୍ତିକା ଲୋଡ଼େ। ସେମାନେ କାଳେ କାଳେ ଜାତିକୁ ତା’ର ସଙ୍କଟ ଓ ଆତ୍ମବିସ୍ମୃତ କାଳରେ ଦିଗଦର୍ଶନ ଦିଅନ୍ତି। ଏହି ଚେତନା ପୁରୁଷମାନେ ଇତିହାସର ମୋଡ଼ ବଦଳାନ୍ତି। ମଧୁବାବୁ ଥିଲେ ସେପରି ଜଣେ ଯୁଗଜନ୍ମା।

ମଧୁବାବୁଙ୍କ ଆବିର୍ଭାବ ସମୟରେ ଓଡ଼ିଶାର ସ୍ୱତନ୍ତ୍ର ସତ୍ତା ନଥିଲା। ପରାଧୀନତା, ପରିଚୟହୀନତା, ଦାରିଦ୍ର୍ୟ, ଅଶିକ୍ଷା, ଅନଟନ ଓ ବ୍ୟାଧି ଜର୍ଜରିତ ଓଡ଼ିଶାରେ ଏକ ଅଖ୍ୟାତପଲ୍ଲୀ ସତ୍ୟଭାମାପୁରରୁ କଟକ ଏବଂ ତା’ପରେ ବାଲେଶ୍ୱର ଦେଇ ଉଚ୍ଚ ଶିକ୍ଷା ପାଇଁ କଲିକତା ଯାତ୍ରା, ସେଠାରେ ପରିସ୍ଥିତିର ଚାପରେ ପଡ଼ି ଧର୍ମ ପରିବର୍ତ୍ତନ ଓ ପତ୍ନୀଙ୍କୁ ହରାଇବା ପରେ କଟକ ପ୍ରତ୍ୟାବର୍ତ୍ତନ ତାଙ୍କ ଦୀର୍ଘ କାହାଣୀର ସଂକ୍ଷିପ୍ତ ରୂପ। ପରବର୍ତ୍ତୀ କାଳରେ ସେ ନିଜକୁ ଆଇନ ପେସା, ରାଜନୀତି, ସମାଜ ସଂସ୍କାର, ସାମାଜିକ ଓ ଔଦ୍ୟୋଗିକ ବିକାଶରେ ନିୟୋଜିତ କରିଛନ୍ତି। ଓଡ଼ିଶାର ଏକୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ଗଠନ ପୂର୍ବରୁ ୧୯୩୪ରେ ତାଙ୍କର ଦେହାନ୍ତ ଘଟିଥିଲେ ମଧ୍ୟ ତାଙ୍କ ଉଦ୍ୟମ ପରିଶେଷରେ ଫଳବତୀ ହୋଇଛି।

ଏବେ ପ୍ରଶ୍ନ ଉଠୁଛି ନବ ଓଡ଼ିଶାର ନିର୍ମାତା ମଧୁବାବୁ ଓ ଅନ୍ୟାନ୍ୟ ବରପୁତ୍ରମାନଙ୍କୁ ଆମେ କିପରି ରଖିଛୁ ଓ ଏକ କୃତଜ୍ଞ ଜାତି କିପରି ସମ୍ମାନିତ କରୁଛି ତାହା ଦେଖିବା କଥା। ସତକଥା କହିଲେ ଏହି ମହାପୁରୁଷମାନଙ୍କ ଅବଦାନକୁ ଆମେ ବହୁ ବିଳମ୍ବରେ ଚିହ୍ନିଲୁ ଏବଂ ସେମାନଙ୍କ ସ୍ମୃତିରକ୍ଷା ଯେପରି ହେବା କଥା ସେପରି ବୋଧହୁଏ କରିପାରି ନାହୁଁ। ମଧୁସ୍ମୃତି ତିଆରି ହୋଇଛି। କିନ୍ତୁ ତାଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ଏବେ ମଧ୍ୟ ଅନେକ କାମ ବାକି ରହିଛି। କର୍ମସ୍ଥଳ କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରେ ଆହୁରି ଅନେକ କାମ ବାକି ରହିଯାଇଛି। ରାଜ୍ୟର ସବୁଠାରୁ ପୁରୁଣା ମହିଳା ମହାବିଦ୍ୟାଳୟ ଶୈଳବାଳା, ଯାହା ମଧୁବାବୁଙ୍କ ଅକ୍ଷୟ ସ୍ମୃତି ସହିତ ଜଡ଼ିତ, ତାହା ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବାର ସମୟ ଆସିଯାଇଛି। କଟକ ଗୋରାକବରସ୍ଥିତ ତାଙ୍କ ସମାଧିପୀଠ ଏବେ ମଧ୍ୟ ପରିତ୍ୟକ୍ତ ପରିବେଶରେ ରହିଛି। ଅନେକ ଦିନତଳେ ମଧୁ ଜୟନ୍ତୀକୁ ସରକାରୀ ଛୁଟି ଘୋଷଣା କରାଯାଇଥିଲା। ସେ ବ୍ୟବସ୍ଥା ଆଉ ନାହିଁ। ତାଙ୍କ ନାଁରେ ଥିବା ଆଇନ କଲେଜ ଏବେ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇ ଏ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ହୋଇପାରିନାହିଁ।

ବର୍ତ୍ତମାନର ସରକାର ବରପୁତ୍ରମାନଙ୍କ ସ୍ଥାୟୀ ସ୍ମୃତି ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଉତ୍କଳଗୌରବ ଓ ଉତ୍କଳମଣିଙ୍କ ସମେତ ଅନ୍ୟାନ୍ୟ ବରପୁତ୍ରମାନଙ୍କ ସ୍ମୃତିପୀଠର ଉନ୍ନତି ବିଧାନ ପାଇଁ କାମ ହେଉଛି। କିନ୍ତୁ ଯିଏ ଆମ ଓଡ଼ିଆ ସ୍ୱାଭିମାନର ମନ୍ତ୍ରଦାତା ଓ ପ୍ରଣମ୍ୟ ପୁରୁଷ, ତାଙ୍କ ପାଇଁ ଏ ଜାତି ଆହୁରି କିଛି ଅଧିକ କରିବା କଥା। ମଧୁବାବୁଙ୍କୁ ‘ଭାରତ ରତ୍ନ’ ଦିଆଯିବା ଦାବି ଅଯୌକ୍ତିକ ନୁହେଁ। ଏଭଳି ସମ୍ମାନ ତାଙ୍କୁ ମିଳିଲେ ସମଗ୍ର ଓଡ଼ିଆ ଜାତି, ଜାତୀୟତା ଓ ସ୍ୱାଭିମାନକୁ ବଡ଼ ସ୍ୱୀକୃତି ମିଳିବ। ଅବଶ୍ୟ ଏଭଳି ପୁରସ୍କାରକୁ ଅନେକ ମଧୁବାବୁଙ୍କ ପାଇଁ ଗୌଣ ମନେ କରିପାରନ୍ତି। ତଥାପି ନିଜର ଜଣେ ପ୍ରଣମ୍ୟ ପୁରୁଷଙ୍କୁ ଗୋଟିଏ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ମରଣୋତ୍ତର ଭାବେ ପ୍ରଦାନ କରାଗଲେ ସେ ଜାତି କୃତାର୍ଥ ହୋଇଥାଏ। ଗୋଟେ କୃତଜ୍ଞ ଜାତି ନିଜର ପୂଜ୍ୟ ପ୍ରଣମ୍ୟ ପୁରୁଷଙ୍କୁ କି ପ୍ରକାର ସମ୍ମାନ ଦେବ, ତାହା ସେ ଜାତିର ଆଚରଣ, ଉଚ୍ଚାରଣ ଓ ସଂସ୍କାରକୁ ଚିହ୍ନାଇବ ନିଶ୍ଚିତ।

About The Author: The Sakala