ରୁଷିଆରେ ଘରୋଇ ସେନା ବିଦ୍ରୋହ ଦମନ; ପୁତିନ୍‌‌ଙ୍କ କ୍ଷମତାତନ୍ତ୍ରକୁ ସାମୟିକ ଆଶ୍ୱସ୍ତି

ୟୁକ୍ରେନ୍‌‌ ଉପରେ ଏକତରଫା ଆକ୍ରମଣ କରି ବର୍ଷାଧିକ କାଳ ଯୁଦ୍ଧ ଚଳାଇଥିବା ରୁଷିଆର ଏକଛତ୍ରବାଦୀ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ଏହା ମଧ୍ୟରେ ନିଜ ଦେଶରେ ଏକ ବଡ଼ ସାମରିକ ବିଦ୍ରୋହରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଏକଦା ତାଙ୍କର ରୋଷେୟା ଥିବା ଏବଂ ପରବର୍ତ୍ତୀ କାଳରେ ଏକ ବିରାଟ ଘରୋଇ ସେନା ବା ପ୍ରାଇଭେଟ୍‌‌ ଆର୍ମି ଗଠନ କରିଥିବା ୟେଭଗେନି ପ୍ରିଗୋଜିନ ବେଲାରୁଷ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଓ ମଧ୍ୟସ୍ଥତା ଯୋଗୁଁ ଶେଷ ମୁହୂର୍ତ୍ତରେ ତାଙ୍କ ସୈନ୍ୟସାମନ୍ତଙ୍କୁ ନିଜସ୍ୱ ସେନା […]

ୟୁକ୍ରେନ୍‌‌ ଉପରେ ଏକତରଫା ଆକ୍ରମଣ କରି ବର୍ଷାଧିକ କାଳ ଯୁଦ୍ଧ ଚଳାଇଥିବା ରୁଷିଆର ଏକଛତ୍ରବାଦୀ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ଏହା ମଧ୍ୟରେ ନିଜ ଦେଶରେ ଏକ ବଡ଼ ସାମରିକ ବିଦ୍ରୋହରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଏକଦା ତାଙ୍କର ରୋଷେୟା ଥିବା ଏବଂ ପରବର୍ତ୍ତୀ କାଳରେ ଏକ ବିରାଟ ଘରୋଇ ସେନା ବା ପ୍ରାଇଭେଟ୍‌‌ ଆର୍ମି ଗଠନ କରିଥିବା ୟେଭଗେନି ପ୍ରିଗୋଜିନ ବେଲାରୁଷ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଓ ମଧ୍ୟସ୍ଥତା ଯୋଗୁଁ ଶେଷ ମୁହୂର୍ତ୍ତରେ ତାଙ୍କ ସୈନ୍ୟସାମନ୍ତଙ୍କୁ ନିଜସ୍ୱ ସେନା ଛାଉଣୀକୁ ଫେରାଇ ନେଇଛନ୍ତି। ୱାଗନ୍‌‌ର ମର୍ସିନାରୀ ନାମରେ ନାମିତ ଏହି ଘରୋଇ ସେନାର ଯବାନମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଟ୍ୟାଙ୍କରରେ ସଜ୍ଜିତ ହୋଇ ନିଜର ସଦର କାର୍ଯ୍ୟାଳୟରୁ ବାହାରି ମସ୍କୋ ଅଭିମୁଖେ ଅଭିଯାନ ଆରମ୍ଭ କରିଥିଲେ। ସେମାନେ ମଧ୍ୟ ରୁଷିଆ ସୈନ୍ୟବାହିନୀର ଦକ୍ଷିଣାଞ୍ଚଳ ସଦର କାର୍ଯ୍ୟାଳୟ ରୁଷ୍ଟୋଭ୍‌‌ ସହର ସମ୍ପୂର୍ଣ୍ଣ ରୂପେ ଦଖଲ କରିସାରିଥିଲେ ଏବଂ ମସ୍କୋଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ଆଉ ଗୋଟିଏ ସହରକୁ ନିଜ କବ୍‌‌ଜାକୁ ନେବା ଉପରେ ଥିଲେ। ୱାଗନ୍‌‌ର ଘରୋଇ ସେନାଙ୍କ ଏଭଳି କାର୍ଯ୍ୟ ପୁଟିନ୍‌‌ଙ୍କ ଶାସନ ବିରୋଧରେ ଥିଲା ପ୍ରଥମ ଖୋଲା ସାମରିକ ବିଦ୍ରୋହ। ତେଣୁ ଏକ ଗୃହଯୁଦ୍ଧ ସ୍ଥିତି ଆଶଙ୍କା କରି ୱାଗନ୍‌‌ର ମୁଖ୍ୟ ପ୍ରିଗୋଜିନଙ୍କ ସହ ସନ୍ଧି କରିବାକୁ ପୁତିନ ବାଧ୍ୟ ହୋଇଛନ୍ତି ବୋଲି କେତେକ ଅନ୍ତଃରାଷ୍ଟ୍ରୀୟ ସାମରିକ ବିଶେଷଜ୍ଞଙ୍କ ମତ। ବୁଝାମଣା ଅନୁସାରେ ଏହି ଘରୋଇ ସେନା ବିରୋଧରେ ରୁଷ ସରକାର ବା ରାଷ୍ଟ୍ରପତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ। ଏହାର ମୁଖ୍ୟଙ୍କ ବିରୋଧରେ ରାଜଦ୍ରୋହ ମାମଲା ଲାଗୁ ହେବ ନାହିଁ ଏବଂ ସେ ସସମ୍ମାନେ ପଡ଼ୋଶୀ ବେଲାରୁଷରେ ଆତ୍ମନିର୍ବାସନରେ ରହିବେ। ଅନ୍ୟକେତେକ ବିଶେଷଜ୍ଞଙ୍କ ମତରେ ରାଷ୍ଟ୍ରପତି ପୁତିନ୍‌‌ଙ୍କ ଚେତାବନୀ ଓ କଡ଼ା ପଦକ୍ଷେପକୁ ଡରି ତଥା ବେଲାରୁଷ ରାଷ୍ଟ୍ରପତି ଲୁକେସେଙ୍କୋଙ୍କ ପ୍ରରୋଚନାରେ ପ୍ରଗୋଜିନ୍‌‌ ଆତ୍ମନିର୍ବାସନ ସର୍ତ୍ତରେ ରାଜି ହୋଇଛନ୍ତି।

ନିଜକୁ ବିଶ୍ୱର ଅନ୍ୟତମ ଭାଗ୍ୟ ନିୟନ୍ତା ଓ ସର୍ବଶକ୍ତିମାନ ବୋଲାଉଥିବା ପୁତିନଙ୍କୁ ଏଭଳି ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ କାହିଁକି ପଡ଼ିଲା, ତାହାର କାରଣ ଆପାତତଃ ସ୍ପଷ୍ଟ। ୟୁକ୍ରେନ୍‌‌ ବିରୋଧରେ ଚାଲିଥିବା ଅଯୌକ୍ତିକ ଓ ଅନାବଶ୍ୟକ ଦୀର୍ଘକାଳୀନ ଯୁଦ୍ଧରେ ରୁଷର ବିପୁଳ ଧନଜନକ୍ଷୟ, ଦେଶର ଅର୍ଥନୀତି ରସାତଳଗାମୀ ହେବା, ଦେଶରେ ଆକାଶଛୁଆଁ ମୂଲ୍ୟବୃଦ୍ଧି ଓ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ତଥା ଏକଛତ୍ରବାଦୀ ଶାସନ ଯୋଗୁଁ ଯେଉଁ ଜନଅସନ୍ତୋଷ ସୃଷ୍ଟି ହୋଇଥିଲା, ଏହା ତାହାର ଏକ ଉଦ୍‌‌ଗୀରଣ। ବିଦ୍ରୋହୀଙ୍କ ସହିତ ସନ୍ଧିକରି ପୁତିନ ନିଜ ସ୍ଥିତିକୁ ସାମୟିକ ଭାବେ ସମ୍ଭାଳି ନେଇଛନ୍ତି ସତ, କିନ୍ତୁ ସେ ଯେ ଦୁର୍ବଳ ଓ ଅସହାୟ ହୋଇପଡ଼ିଛନ୍ତି, ଏହା ସ୍ପଷ୍ଟ ହୋଇଯାଇଛି। ତାଙ୍କର ସ୍ଥିତି ଦୁର୍ବଳ ହୋଇଛି ଓ ଏହି ଘଟଣା ଦେଶର ସରକାରୀ ସାମରିକ ବାହିନୀରେ ମଧ୍ୟ ଆଗକୁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି।

ୱାଗନର ଘରୋଇ ସେନାଙ୍କ ମସ୍କୋ ଅଭିଯାନକୁ ଦେଖି ରାଷ୍ଟ୍ରପତି ପୁତିନ ଜାତି ଉଦ୍ଦେଶ୍ୟରେ ଯେଉଁ ବାର୍ତ୍ତା ଦେଇଥିଲେ, ସେଥିରେ ନିଜ ଦେଶର ନାଗରିକ ଓ ଯବାନମାନଙ୍କୁ ନ ମାରିବା ପାଇଁ ଏହି ଘରୋଇ ସେନାର ମୁଖ୍ୟ ଓ ସଦସ୍ୟମାନଙ୍କୁ ନିବେଦନ କରିଥିଲେ। ତାଙ୍କ ଅନୁରୋଧ ଯୋଗୁଁ ନୁହେଁ, ବରଂ ବିଭିନ୍ନ ଜାତୀୟ ବାସ୍ତବତା ଯୋଗୁଁ ୱାଗନ୍‌‌ର ସେନାର ମୁଖ୍ୟ ନିଜର ନିଷ୍ପତ୍ତିକୁ ବଦଳାଇଥିବା କୁହାଯାଇଛି। ୱାଗନ୍‌‌ର ସେନାଙ୍କ ମସ୍କୋ ଅଭିଯାନ ସମୟରେ ରୁଷିଆ ଜନସାଧାରଣ ଘରୋଇ ସେନାଙ୍କୁ ସ୍ୱାଗତ ଓ ସମର୍ଥନ ଜଣାଇଥିବାର ଦେଖାଯାଇଥିଲା ଏବଂ କୌଣସି ପ୍ରକାର ରକ୍ତପାତ ଆଦୌ ହୋଇ ନଥିବା ବୋଲି ୱାଗନ୍‌‌ର ମୁଖ୍ୟ ଘୋଷଣା କରିଥିଲେ। ରୁଷରେ ଏବେ ସରକାରରେ ଥିବା ଦଳର ବିଭିନ୍ନ ଗୋଷ୍ଠୀ କ୍ଷମତା ହାତେଇବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କ ପଛରେ ଏକାଧିକ ଘରୋଇ ସେନାର ସମର୍ଥନ ଓ ସେମାନଙ୍କ ହାତରେ ପ୍ରଚୁର ଅସ୍ତ୍ରଶସ୍ତ୍ର ରହିଛି। ଏପରିକି ଦେଶର ଅପରାଧୀମାନେ ମଧ୍ୟ ପ୍ରଚୁର ଆଧୁନିକ ଅସ୍ତ୍ରଶସ୍ତ୍ର ମହଜୁଦ ରଖିଛନ୍ତି ଏବଂ ରୁଷର କେତେକ ଜେଲ୍‌‌ ଭିତରେ କଏଦୀମାନଙ୍କର ସରକାରୀ ବିରୋଧୀ ଆନ୍ଦୋଳନ ଓ ଭଙ୍ଗାରୁଜା ହେବାର ଖବର ମଧ୍ୟ ମିଳିଛି। ରୁଷିଆରେ ଘରୋଇ ସେନା ସୃଷ୍ଟି କରି ଆତଙ୍କରାଜ ସୃଷ୍ଟି କରିବା ଓ କ୍ଷମତା ପାଇଁ ମୁଲଚାଲ କରିବା ସଂସ୍କୃତିର ସଂସ୍ଥାପକ ସ୍ୱୟଂ ପୁତିନ ବୋଲି କୁହାଯାଏ। ତାଙ୍କ ଦେଶର ସେନା ଉପରେ ବିଶ୍ୱାସ ନଥିବାରୁ ସେ ଏହି ସମାନ୍ତରାଳ ପ୍ରତିରୋଧ ବ୍ୟବସ୍ଥା କରିଛନ୍ତି। ଏବେ ସେ ତାହାର ଅସଲ ସ୍ୱାଦ ଚାଖିଲେ।

ଗଣତନ୍ତ୍ର ନାମରେ ଯେଉଁ ଦେଶରେ ଏକଛତ୍ରବାଦ, ଚୌର୍ଯ୍ୟତନ୍ତ୍ର ଚାଲେ, ସେ ଦେଶରେ ଶାସନଗତ ଅସ୍ଥିରତା ସୃଷ୍ଟି ହୁଏ। ଘରୋଇ ସେନା ଗଠନ କରି ନିଜର ସୁରକ୍ଷା କରିବାବେଳେ ଏହା କ୍ଷମତା କନ୍ଦଳ ପାଇଁ ବାଟ ଫିଟାଏ। ଆମେ ଏକଥା ଆଫଗାନିସ୍ତାନ ଓ ପାକିସ୍ତାନରେ ଦେଖି ଆସିଛୁ। ସେଠି ଆତଙ୍କ ଓ ଗୃହଯୁଦ୍ଧର ଏକ ସ୍ଥାୟୀ ସଂସ୍କୃତି ସୃଷ୍ଟି ହୋଇଛି। ଆଧୁନିକ ରାଷ୍ଟ୍ର ବ୍ୟବସ୍ଥାରେ ହିଂସାକାଣ୍ଡର ଏକଚାଟିଆ କାରବାର ଦ୍ୱାରା ଅରାଜକତା ସୃଷ୍ଟି ହୋଇଥାଏ। ଏହାର ପ୍ରମାଣ ଅନେକ ରହିଛି। ତେଣୁ ରାଷ୍ଟ୍ର ଶାସନରେ ଅସାମ୍ବିଧାନିକ ତତ୍ତ୍ୱଙ୍କୁ ସାମରିକ କ୍ଷମତା ଦେବା ସର୍ବଦା ବିପଜ୍ଜନକ। ଏହି ନନ୍‌‌ଷ୍ଟେଟ୍‌‌ ଆକ୍ଟର (ବେସରକାରୀ ସେନା ସଂସ୍ଥା)ମାନଙ୍କ ପ୍ରତି ସତର୍କ ରହିବା ପ୍ରଥମ ଦାୟିତ୍ୱ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୱାଗନ୍‌‌ର ଘରୋଇ ସେନା ମୁଖ୍ୟ ପ୍ରିଗୋଜିନ୍‌‌ଙ୍କ ସହାୟତାରେ ରୁଷିଆ-ୟୁକ୍ରେନ୍‌‌ର ପୂର୍ବାଞ୍ଚଳରେ ଥିବା ଡୋନାବାସ ପ୍ରଦେଶରେ ୟୁକ୍ରେନ୍‌‌ ସେନାକୁ ଦମନ କରିବାରେ କୃତକାର୍ଯ୍ୟ ହୋଇଥିଲେ ଏବଂ ୱାଗନ୍‌‌ର ସେନା ଉପରେ ତାଙ୍କର ବିଶ୍ୱାସ ବଢ଼଼ିଯାଇଥିଲା। ଏହାଦ୍ୱାରା ରୁଷୀୟ ସେନା ବାହିନୀର ମୁଖ୍ୟ ତଥା ରକ୍ଷା ମନ୍ତ୍ରୀ ଆଦି କ୍ଷୁବ୍ଧ ହେବା ସ୍ୱାଭାବିକ। ପ୍ରିଗୋଜିନ୍‌‌ଙ୍କ ବିଦ୍ରୋହର ଏକ ମୁଖ୍ୟ କାରଣ ଥିଲା ରୁଷର ରକ୍ଷା ମନ୍ତ୍ରୀଙ୍କ ଦ୍ୱାରା ତାଙ୍କ ପ୍ରତି ଅପମାନସୂଚକ ବ୍ୟବହାର।

ଦୀର୍ଘକାଳ ଧରି କ୍ଷମତାରେ ରହିଥିବା ପୁତିନ କ୍ଷମତା ମୋହରେ ଏହି ଅଣରାଷ୍ଟ୍ର ତତ୍ତ୍ୱମାନଙ୍କୁ ପ୍ରୋତ୍ସାହିତ କରିବା ଏକ ପ୍ରଚଣ୍ଡ ବିଡ଼ମ୍ବନା। ସେ ସାମୟିକ ଭାବେ ଏହି ଭଡ଼ାଟିଆ ସେନାଙ୍କ ବିଦ୍ରୋହକୁ ଦମନ କରିବାକୁ ସଫଳ ହୋଇଥିଲେ ମଧ୍ୟ ତାଙ୍କ ୨୦ ବର୍ଷର ଏକଛତ୍ରବାଦୀ ଶାସନ ରୁଷିଆକୁ ଓ ତାଙ୍କୁ କିପରି ଭୟଙ୍କର ଭାବେ ଦୁର୍ବଳ ଓ ଅସ୍ଥିର କରିଦେଇଛି, ତାହା ଏହି ଘଟଣାରୁ ଅନୁମାନ କରିହୁଏ। ଏବେ ତାଙ୍କ ଆଗରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରହିଛି। ପ୍ରଥମେ ୟୁକ୍ରେନ୍‌‌ ସହିତ ଚାଲିଥିବା ଅନାବଶ୍ୟକ ଯୁଦ୍ଧକୁ ବନ୍ଦ କରିବାକୁ ହେବ ଓ ଦ୍ୱିତୀୟରେ ଦେଶର ଅସ୍ତ୍ରଧାରୀ ଭଡ଼ାଟିଆ ବାହିନୀ ସବୁକୁ ନିରସ୍ତ୍ର କରିବାକୁ ପଡ଼ିବ। ଏହା ସେ କେମିତି କରିବେ ତାହା ତାଙ୍କ ରାଜନୈତିକ କୌଶଳ ଓ ଦକ୍ଷତା ଉପରେ ନିର୍ଭର କରେ। ଏବେ ତାଙ୍କ ମୁଣ୍ଡ ଉପରେ ବିଦ୍ରୋହର ଖଣ୍ଡା ଝୁଲୁଥିବା ସେ ନିଶ୍ଚୟ ଅନୁଭବ କରିପାରୁଥିବେ। ରୁଷିଆରେ ଏହି ବିଦ୍ରୋହ ଘଟଣା ଦୁଇଦିନ ଧରି ସାରାବିଶ୍ୱରେ ଚହଳ ପକାଇ ସାରିଥିଲା। କାରଣ ରୁଷ ବିଶ୍ୱର ଅନ୍ୟତମ ବୃହତ୍‌‌ ସାମରିକ ଶକ୍ତି। ସେଠାରେ ସାମରିକ ବିଦ୍ରୋହ ଜନିତ ଶାସନଗତ ଅସ୍ଥିରତା ଦେଖାଗଲେ ସାରା ବିଶ୍ୱରେ ତାର ଅନୁକମ୍ପନ ଯେ ଅନୁଭୂତ ହେବ ଏଥିରେ ସନ୍ଦେହ ନାହିଁ। ବର୍ତ୍ତମାନ ପାଇଁ ଅନ୍ତତଃ ବିଶ୍ୱ ଏକ ବିରାଟ ଅସମତୁଲ କ୍ଷମତା ସଂଘର୍ଷରୁ ରକ୍ଷା ପାଇଲା।

About The Author: The Sakala