ଉଚ୍ଚତମ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ‘ସ୍ତ୍ରୀ-ଧନ ଉପରେ ମହିଳାଙ୍କର ନିରଙ୍କୁଶ ଅଧିକାର’

ସ୍ତ୍ରୀ-ଧନ ଉପରେ ମହିଳାଙ୍କ ସମ୍ପୂର୍ଣ୍ଣ ଅଧିକାରକୁ ସର୍ବୋଚ୍ଚ ନ୍ୟାୟଳୟ ସ୍ପଷ୍ଟ ସ୍ୱୀକୃତି ଦେଇଛନ୍ତି। ଏକ ବୈବାହିକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ସୁପ୍ରିମକୋର୍ଟର ବିଚାରପତି ସଞ୍ଜୀବ ଖନ୍ନା ଓ ଦୀପଙ୍କର ଦତ୍ତଙ୍କ ପୀଠ ବୁଧବାର ସ୍ପଷ୍ଟ କରି ଦେଇଛନ୍ତି ଯେ ସ୍ତ୍ରୀ-ଧନ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ମିଳିତ ସମ୍ପତ୍ତି ହୋଇପାରିବ ନାହିଁ। କାରଣ ପତ୍ନୀଙ୍କ ସମ୍ପତ୍ତି ଓ ଧନ ଉପରେ ପତିଙ୍କର କୌଣସି ଆଇନଗତ ଅଧିକାର ନାହିଁ। ଅଭାବ ଅସୁବିଧା ବା ଜରୁରୀ ଆବଶ୍ୟକତା ସମୟରେ […]

ସ୍ତ୍ରୀ-ଧନ ଉପରେ ମହିଳାଙ୍କ ସମ୍ପୂର୍ଣ୍ଣ ଅଧିକାରକୁ ସର୍ବୋଚ୍ଚ ନ୍ୟାୟଳୟ ସ୍ପଷ୍ଟ ସ୍ୱୀକୃତି ଦେଇଛନ୍ତି। ଏକ ବୈବାହିକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ସୁପ୍ରିମକୋର୍ଟର ବିଚାରପତି ସଞ୍ଜୀବ ଖନ୍ନା ଓ ଦୀପଙ୍କର ଦତ୍ତଙ୍କ ପୀଠ ବୁଧବାର ସ୍ପଷ୍ଟ କରି ଦେଇଛନ୍ତି ଯେ ସ୍ତ୍ରୀ-ଧନ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ମିଳିତ ସମ୍ପତ୍ତି ହୋଇପାରିବ ନାହିଁ। କାରଣ ପତ୍ନୀଙ୍କ ସମ୍ପତ୍ତି ଓ ଧନ ଉପରେ ପତିଙ୍କର କୌଣସି ଆଇନଗତ ଅଧିକାର ନାହିଁ। ଅଭାବ ଅସୁବିଧା ବା ଜରୁରୀ ଆବଶ୍ୟକତା ସମୟରେ ସ୍ୱାମୀ ଯଦି ସ୍ତ୍ରୀଙ୍କ ଧନ ବ୍ୟବହାର କରନ୍ତି, ତାହା ହେଲେ ତାଙ୍କୁ ସେହି ଅର୍ଥ ପରିଶୋଧ କରିବାକୁ ପଡ଼ିବ। ଅଦାଲତ ଆହୁରି କହିଛନ୍ତି ଯେ ସ୍ତ୍ରୀ-ଧନ ଉପରେ ମହିଳାଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି ଏବଂ ଏଥିରେ କେହି ଭାଗିଦାର ହୋଇପାରିବେ ନାହିଁ। ମହିଳାଙ୍କ ଅଧିକାର ସୁରକ୍ଷା ଦିଗରେ ଏହା ଯେ ଏକ ଐତିହାସିକ ରାୟ ଏଥିରେ ସନ୍ଦେହ ନାହିଁ।

ସ୍ତ୍ରୀ-ଧନ ସହିତ ଆମ ସଂସ୍କୃତି ଓ ପରମ୍ପରା ଜଡ଼ିତ। ସ୍ତ୍ରୀ-ଧନ ମଧ୍ୟ ଅଭିଧାନରେ ସ୍ଥାନ ପାଇଛି, ଯାହାର ଅର୍ଥ ପତ୍ନୀଙ୍କର ଧନ, ଯାହା ବିବାହ ସମୟରେ ଓ ଏହା ପରେ ତାଙ୍କୁ ବିଭିନ୍ନ ସୂତ୍ରରୁ ବ୍ୟକ୍ତିଗତ ଉପହାର ଆକାରରେ ମିଳିଥାଏ। ଏହାପଛରେ ଜଣେ ବିବାହିତ ନାରୀଙ୍କୁ ଆର୍ଥିକ ନିରାପତ୍ତା ଓ ଜରୁରିକାଳୀନ ସହାୟତା ଦେବାର ବିଚାର ଜଡ଼ିତ। ସେମିତି ଦେଖିଲେ ସ୍ତ୍ରୀ-ଧନ ସମ୍ପୃକ୍ତ ମହିଳାଙ୍କ ଦ୍ୱାରା ନିଜର କନ୍ୟା, ପୁତ୍ରବଧୂ ଆଦିଙ୍କୁ ଉତ୍ତରାଧିକାର ସୂତ୍ରରେ ପ୍ରଦାନ କରାଯାଇଥାଏ ଏବଂ ଏହା ଏକ ପରମ୍ପରା ଭାବେ ଚଳି ଆସିଛି। ଏପରିକି ପରିବାରର ଜରୁରୀ ଆବଶ୍ୟକତା କାଳରେ ମଧ୍ୟ ପତି, ପତ୍ନୀଙ୍କ ଅନୁମତିକ୍ରମେ ତାଙ୍କ ଦ୍ୱାରା ସଞ୍ଚିତ ଅର୍ଥ ଓ ଗହଣାଗାଣ୍ଠିକୁ ବିକ୍ରି କରିଥା’ନ୍ତି। ହେଲେ ଆମ ପରମ୍ପରାରେ ସ୍ତ୍ରୀ-ଧନ ସୁରକ୍ଷିତ ଏବଂ ଏହା ଉପରେ ସମ୍ପୃକ୍ତ ନାରୀଙ୍କ ବ୍ୟତୀତ ଆଉ କାହାର ଅଧିକାର ନ ଥାଏ। ଅବଶ୍ୟ ସୁପ୍ରିମକୋର୍ଟଙ୍କ ସଦ୍ୟତମ ରାୟରେ ପତିଙ୍କୁ ଉକ୍ତ ଅର୍ଥ ପରିଶୋଧ କରିବାକୁ ବାଧ୍ୟ ବୋଲି କୁହାଯାଇଛି।

ଆଗରୁ ଭାରତୀୟ ଆଇନ ମଧ୍ୟ ସ୍ତ୍ରୀ-ଧନର ବର୍ଗୀକରଣ ଓ ବ୍ୟାଖ୍ୟା କରିଛି। ଏଥିରେ କୁହାଯାଇଛି ଯେ ଜଣେ ମହିଳାଙ୍କୁ ବିବାହ ପୂର୍ବରୁ, ବିବାହ କାଳରେ ଓ ବିବାହ ପରେ ପିତାମାତା, ଭାଇବନ୍ଧୁ ପରିଜନ, ସମ୍ପର୍କୀୟମାନଙ୍କ ଦ୍ୱାରା ମିଳୁଥିବା ଗହଣାପତ୍ର, ଟଙ୍କା, ବାସନକୁସନ, ଭୂସମ୍ପତ୍ତି ଓ ଅନ୍ୟାନ୍ୟ ଉପକରଣ ସ୍ତ୍ରୀ-ଧନ ପର୍ଯ୍ୟାୟଭୁକ୍ତ। ସେ ସମ୍ପତ୍ତିର ବିନିଯୋଗ, ଖର୍ଚ୍ଚ ବା ରକ୍ଷଣାବେକ୍ଷଣ କିପରି ହେବ, ସେ ଦାୟିତ୍ୱ ସମ୍ପୃକ୍ତ ମହିଳାଙ୍କର। ବାଧ୍ୟବାଧକତା କରି ସ୍ତ୍ରୀ-ଧନ ଖର୍ଚ୍ଚ କଲେ ବା ନେଇଗଲେ ସମ୍ପୃକ୍ତ ସ୍ୱାମୀ ଓ ତାଙ୍କ ପରିବାରର ସଦସ୍ୟଙ୍କ ବିରୋଧରେ ଧାରା ୪୦୬ରେ ଫୌଜଦାରୀ ମାମଲା ଦାଏର କରିହେବ। ଏହି ଐତିହାସିକ ରାୟ ଫଳରେ ସ୍ତ୍ରୀ-ଧନ ଉପରେ ମହିଳାଙ୍କର ପୂର୍ଣ୍ଣ ଅଧିକାର ଅଧିକ ସ୍ପଷ୍ଟ ଭାବରେ ସାବ୍ୟସ୍ତ ହେଲା ଏବଂ ମହିଳା ସଶକ୍ତୀକରଣ ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ।

ଆମ ସାମ୍ପ୍ରତିକ ସାମାଜିକ ଓ ପାରିବାରିକ ଚଳଣିରେ ସ୍ତ୍ରୀ-ଧନ ଉପରେ ମହିଳାଙ୍କର ନିରଙ୍କୁଶ ଅଧିକାରକୁ ଖୋଲାଖୋଲି ସ୍ୱୀକୃତି ଦିଆଯାଇନାହିଁ। ଯୌଥ ପରିବାରର ଚାପ, ସ୍ୱାମୀ ଓ ପିଲାଙ୍କ ଆବଶ୍ୟକତା ଦୃଷ୍ଟିରୁ ସେ ଧନ ଖର୍ଚ୍ଚ ହୁଏ ଏବଂ ସମ୍ପୃକ୍ତ ମହିଳା ପରିସ୍ଥିତି ଦୃଷ୍ଟିରୁ ଚୁପ୍‌‌ ରହିବାକୁ ବାଧ୍ୟ ହୁଏ। ଅନେକ କ୍ଷେତ୍ରରେ ମହିଳାଙ୍କ ପାଖକୁ ଖର୍ଚ୍ଚ ହୋଇଥିବା ସ୍ତ୍ରୀ-ଧନ ମଧ୍ୟ ଫେରି ନଥାଏ, ଯାହା ସେମାନଙ୍କ ମନସ୍ତାପ ବଢ଼଼ାଇଥାଏ। ସ୍ତ୍ରୀ-ଧନ ମାମଲାର ବିଚାର ପାଇଁ ପରିବାର ଅଦାଲତ ବ୍ୟବସ୍ଥାରେ ସ୍ୱତନ୍ତ୍ର ଓ ସ୍ପଷ୍ଟ ନିୟମ ନାହିଁ। ଆଇନଗତ ଦୁର୍ବଳତା ଯୋଗୁଁ ନାରୀଟିଏ ଏ କ୍ଷେତ୍ରରେ ତାହାର ଅଧିକାର ହରାଇ ବସେ। ଏବେ ବିବାହ ବିଚ୍ଛେଦ ବଢ଼଼ୁଛି ଏବଂ ଅନେକ ଲୋକ ପତ୍ନୀକୁ ଠକି ତାଙ୍କ ଧନସମ୍ପତ୍ତି ଆତ୍ମସାତ୍‌‌ କରିବାକୁ ପଶ୍ଚାତପଦ ହେଉନାହାନ୍ତି। ତେଣୁ ସେଭଳି କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ସଦ୍ୟତମ ରାୟ ନିଶ୍ଚୟ ଯୁଗାନ୍ତକାରୀ ପ୍ରଭାବ ପକାଇବ। ଏହା ମହିଳାଙ୍କ ଆତ୍ମବିଶ୍ୱାସ ବଢ଼଼ାଇବା ସହିତ ସେମାନଙ୍କୁ ସଶକ୍ତ କରିବ। କେବଳ ସ୍ତ୍ରୀ-ଧନ ନୁହେଁ ଅନେକ ଯୁବକ ଚାକିରି ବାକିରି ଆୟପନ୍ଥା ଛାଡ଼ି ନିଜର ରୋଜଗାରିଆ ପତ୍ନୀଙ୍କ ଅର୍ଜିତ ଧନରେ ଅୟସ କରିଥା’ନ୍ତି। ସେମାନେ ପତ୍ନୀ ଅନ୍ନରେ ପ୍ରତିପାଳିତ ହେବା ସହିତ ଅର୍ଦ୍ଧାଙ୍ଗିନୀଙ୍କ କଷ୍ଟାର୍ଜିତ ଧନର ଦୁରୁପଯୋଗ ମଧ୍ୟ କରିଥା’ନ୍ତି। ଏବେ ସର୍ବୋଚ୍ଚ ଅଦାଲତଙ୍କ ରାୟ ପରେ ଏହାର ପ୍ରଭାବ ଏଭଳି ବିପଥଗାମୀ ପୁରୁଷଙ୍କ ଉପରେ ନିଶ୍ଚୟ ପଡ଼ିବ। ବାଧ୍ୟତାମୂଳକ ଯୌତୁକ ବ୍ୟବସ୍ଥା ଆମ ସମାଜର ଆଉ ଏକ କଳଙ୍କିତ ପରମ୍ପରା ଭାବେ ଗଢ଼ି ଉଠିଥିଲା। କିନ୍ତୁ ଦୀର୍ଘ ସମୟ ଧରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ, ସ୍ତ୍ରୀ ଶିକ୍ଷାରେ ପ୍ରଚାର, ଏଭଳି ଘୃଣ୍ୟ ପ୍ରଥା ବିରୋଧରେ ସାମାଜିକ ସଚେତନତା ବୃଦ୍ଧି ଆଦି ପ୍ରକରଣ ଫଳରେ ଏ ସମସ୍ୟା ଅନେକ ମାତ୍ରାରେ ହ୍ରାସ ପାଇଛି। ତେବେ ଯୌତୁକ ସମସ୍ୟାର ଉଗ୍ର ରୂପ ସମ୍ପୂର୍ଣ୍ଣ ଲୋପ ପାଇ ନାହିଁ। ସ୍ତ୍ରୀ-ଧନ ପରମ୍ପରାକୁ ଦୃଢ଼ ନ୍ୟାୟିକ ସୁରକ୍ଷା ଓ ଉଲ୍ଲଙ୍ଘନ ପାଇଁ କଠୋର ଦଣ୍ଡବିଧାନ ଆଦି ନିଷ୍ଠାପର ଭାବେ ଅନୁପାଳନ କଲେ ଆମ ସମାଜରେ ମହିଳାଙ୍କ ମର୍ଯ୍ୟାଦା ଓ ସମ୍ମାନ ବୃଦ୍ଧି ପାଇବ ଏବଂ ପତି-ପତ୍ନୀ ମଧ୍ୟରେ ଅସମାନତାର ଅବସାନ ଘଟିବ।

ଦମ୍ପତି ମିଳିତ ଭାବେ ନିଡ଼ରଚନା କରନ୍ତି ଓ ସଂସାର ଗଢ଼ନ୍ତି। ଏଥିରେ ଉଭୟଙ୍କର ସମାନ ଦାୟିତ୍ୱ ଓ ସହଯୋଗ ଥାଏ। ବୁଝାମଣା, ବିଶ୍ୱାସ ଓ ସ୍ନେହଶ୍ରଦ୍ଧା ଦ୍ୱାରା ସଂସାର ଗଢ଼ିଉଠେ। ଏଭଳି ସ୍ଥିତିରେ ପରିବାର ପାଇଁ ଉଭୟ ନାରୀ ଓ ପୁରୁଷ ଚରମ ତ୍ୟାଗ ସ୍ୱୀକାର କରିଥା’ନ୍ତି। ତେବେ ସେହି ତ୍ୟାଗ ସ୍ୱୀକାର କାଳରେ ସ୍ତ୍ରୀ-ଧନର ଯଦି ବାଧ୍ୟତାମୂଳକ ଉପଯୋଗ ହୁଏ, ତାହାର ପରିଶୋଧ କରାଯିବା ଆବଶ୍ୟକ। ଏହା ନ ହେଉଥିବାରୁ ଏକ ଅସୁସ୍ଥ ପରମ୍ପରା ସୃଷ୍ଟି ହୋଇଆସୁଥିଲା। ଏହି ଆପତ୍‌‌କାଳୀନ ସ୍ତ୍ରୀ-ଧନ ବିନିଯୋଗ ପ୍ରକ୍ରିୟା ଏବେଠାରୁ ଆଇନଗତ ଭାବରେ ହିଁ ହେବ ତଥା ଏହାର ଉଲ୍ଲଙ୍ଘନରେ ସ୍ତ୍ରୀ-ଧନ ଭଳି ଏକ ‘ଆର୍ଥିକ ଅନୁଷ୍ଠାନ’ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ପବିତ୍ରତା ନଷ୍ଟ ହେବ। ତେଣୁ ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟକୁ ଆମେ ସ୍ୱାଗତ କରୁଛୁ ଏବଂ ସ୍ତ୍ରୀ-ଧନ ପରମ୍ପରାର ସୁରକ୍ଷା କାମନା କରିବା ସହ ଆବଶ୍ୟକସ୍ଥଳେ ତାହାର ଉପଯୁକ୍ତ ବିନିଯୋଗ ଏବଂ ପରିଶୋଧ ବ୍ୟବସ୍ଥାକୁ ସ୍ୱାଗତ ଜଣାଉଛୁ।

About The Author: The Sakala