ପଡ଼ୋଶୀ ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ହିଂସ୍ର ଆନ୍ଦୋଳନ ଦେଶର ସର୍ବୋଚ୍ଚ ଅଦାଲତଙ୍କ ହସ୍ତକ୍ଷେପ ପରେ ଥଣ୍ଡା ପଡ଼ିଛି। ମାତ୍ର ଏହି ସଂରକ୍ଷଣ ବିରୋଧୀ ଗଣଆନ୍ଦୋଳନରେ ପ୍ରାୟ ୧୫୦ ଜଣ ନିହତ ହୋଇଥିବା ବେଳେ ସହସ୍ରାଧିକ ଆହତ ହୋଇଛନ୍ତି। ଆନ୍ଦୋଳନକାରୀଙ୍କ ଦ୍ୱାରା ବହୁ ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟ ହୋଇଛି। ବାଂଲାଦେଶ ଏକ ମୁସଲିମ୍ ଦେଶ। ସେଠାରେ ଭାରତ ଭଳି ଜାତି ବା ବର୍ଣ୍ଣ ବ୍ୟବସ୍ଥାରେ ପ୍ରାଧାନ୍ୟ ନାହିଁ। ତେଣୁ ସରକାରୀ ଚାକିରି ଓ ପାଠପଢ଼଼ା ଆଦିରେ କୋଟା ବ୍ୟବସ୍ଥା ବାଂଲାଦେଶ ଗଠନ କାଳରୁ ମୁଖ୍ୟତଃ ଆଦିମ ଅଧିବାସୀ, ସଂଖ୍ୟାଲଘୁ ଓ ଶାରୀରିକ ଅକ୍ଷମଙ୍କ ପାଇଁ ୭ ଶତାଂଶରେ ସୀମିତ ଥିଲା। ଗୋଟିଏ ସମାଜ ଓ ରାଷ୍ଟ୍ରରେ ୭ ଭାଗ ପର୍ଯ୍ୟନ୍ତ କୋଟା ବା ସଂରକ୍ଷଣ ବ୍ୟବସ୍ଥା ଗ୍ରହଣୀୟ ଏବଂ ଏହାକୁ ନେଇ ସଂଖ୍ୟା ଗରିଷ୍ଠଙ୍କ ଆପତ୍ତି ବିଶେଷ ନ ଥାଏ।
ଶେଖ ହସିନାଙ୍କ ‘ଅୱାମି ଲିଗ୍’ କ୍ଷମତାକୁ ଆସିବା ପରଠାରୁ ଦେଶର ସରକାରୀ ଚାକିରି, ପାଠପଢ଼଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ଧୀରେ ଧୀରେ ସ୍ଥାନ ସଂରକ୍ଷଣ ହାର ବଢ଼଼ିବାରେ ଲାଗିଥିଲା। ସେଥିରେ ବାଂଲାଦେଶ ମୁକ୍ତି ସଂଗ୍ରାମରେ ଭାଗ ନେଇଥିବା ବ୍ୟକ୍ତିଙ୍କ ଦାୟାଦମାନଙ୍କ ପାଇଁ ୩୦ ଶତାଂଶ, ମୁକ୍ତି ଯୁଦ୍ଧବେଳେ ନିର୍ଯାତନା ଓ କଷଣର ସମ୍ମୁଖୀନ ହୋଇଥିବା ମହିଳାଙ୍କ ପାଇଁ ୧୦ ଶତାଂଶ, ଅନଗ୍ରସର ଜିଲ୍ଲାର ପ୍ରାର୍ଥୀଙ୍କ ପାଇଁ ୪୦ ଶତାଂଶ ଏମିତି ମିଶାଇ ସଂରକ୍ଷିତ ତାଲିକା ୮୭ ଶତାଂଶରେ ପହଞ୍ଚିବା ସହିତ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୧୩ ଶତାଂଶ ସ୍ଥାନ ଉନ୍ମୁକ୍ତ ଥିଲା। ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି କ୍ଷମତାକୁ ଆସିବା ପରେ ମୁକ୍ତି ସଂଗ୍ରାମୀ ଓ ମୁକ୍ତି ସଂଗ୍ରାମୀ ମହିଳାଙ୍କ ଉତ୍ତରାଧିକାରୀଙ୍କ ନିମନ୍ତେ ସରକାରୀ ଚାକିରିରେ ଉଦ୍ଦିଷ୍ଟ ଥିବା କୋଟାକୁ ଉଚ୍ଛେଦ କରିଦେଇଥିଲେ।
ମୁକ୍ତି ସଂଗ୍ରାମର ତିନିଦଶନ୍ଧି ପରେ ଏଭଳି ସଂରକ୍ଷଣର ଆବଶ୍ୟକତା ନଥିବା ଖାଲିଦା ଜିଆଙ୍କ ଦଳ ବିଏନ୍ପି ଯେଉଁ ଯୁକ୍ତି ଉପସ୍ଥାପନ କରିଥିଲା ତାହା ପଛରେ ରହିଥିଲା ଅଧିକ ଜନସମର୍ଥନ। ଆର୍ଥିକ ଦୃଷ୍ଟିରୁ ଗରିବ ବାଂଲାଦେଶର ମେଧାବୀ ପିଲାଏ ପାଠପଢ଼଼ା ଓ ନିଯୁକ୍ତିରେ ବ୍ୟାପକ ସଂରକ୍ଷଣର ପ୍ରତିବନ୍ଧକକୁ ହଟାଇବାକୁ ଚାହୁଁଥିଲେ ଏବଂ ଏହା ବିଭିନ୍ନ ଦୃଷ୍ଟିରୁ ଉଚିତ ମନେ ହେଉଥିଲା। ତେବେ ହସିନା ସରକାର କ୍ଷମତାସୀନ ହେବା ପରେ ପୁନର୍ବାର ସ୍ୱାଧୀନତା ସଂଗ୍ରାମୀ କୋଟାକୁ ଲାଗୁ କରିବାକୁ ଚେଷ୍ଟା କରିଥିଲେ। ଚଳିତବର୍ଷ ଜୁନ୍ ୫ ତାରିଖରେ ଦେଶର ଏକ ହାଇକୋର୍ଟ ମୁକ୍ତି ସଂଗ୍ରାମୀଙ୍କ ବଂଶଧରଙ୍କ ପାଇଁ ୩୦ ଶତାଂଶ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଫଳରେ ଛାତ୍ର ଓ ଯୁବ ସମାଜ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ବିପୁଳ ଜନମତରେ ବଳୀୟାନ ହସିନା ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଚାହିଁବାରୁ ବିରୋଧୀ ବିଏନ୍ପି ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇଲା। କହିବା ବାହୁଲ୍ୟ ଯେ ଯେ କୌଣସି ଆନ୍ଦୋଳନ ବିରୋଧୀଦଳଙ୍କ ସମର୍ଥନ ବିନା ଆଗେଇ ପାରେନାହିଁ। ସରକାରୀ ସ୍ୱେଚ୍ଛାଚାର ଓ ଅହଙ୍କାର ସ୍ଥିତିକୁ ଅଧିକ ବିଗାଡ଼ିଦିଏ।
ଫଳସ୍ୱରୂପ ଏହାକୁ ନେଇ ସେଠାରେ ଯେଉଁ ରାଜନୈତିକ ବଳ କଷା କଷି ଓ ବିରୋଧ ହେଲା, ତାହା ହସିନା ସରକାରଙ୍କ ପାଇଁ ଏକ ବିପଦ ସୃଷ୍ଟି କରିଥିଲା। ଶେଷରେ ଦେଶର ସୁପ୍ରିମକୋର୍ଟ ମାମଲାରେ ହସ୍ତକ୍ଷେପ କରି ରାୟ ଦେଲେ ଯେ ସବୁ ପୁରୁଣା ଓ ପ୍ରଚଳିତ କୋଟା ବ୍ୟବସ୍ଥା ରଦ୍ଦ ହେବ ଏବଂ ମେଧାବୀଙ୍କ ପାଇଁ ୯୩ ଶତାଂଶ ପଦ ନିଯୁକ୍ତିରେ ଉନ୍ମୁକ୍ତ ରହିବ। ଅବଶିଷ୍ଟ ୭ ପ୍ରତିଶତ ମୁକ୍ତି ସଂଗ୍ରାମୀଙ୍କ ପରିବାର (୫%) ଓ ଅନ୍ୟମାନଙ୍କ ପାଇଁ (୨%)ସଂରକ୍ଷିତ ରହିବ। ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବାଂଲାଦେଶରେ ଦଙ୍ଗା, ହରତାଳ ଓ ଆନ୍ଦୋଳନ ଥଣ୍ଡା ପଡ଼ିଛି। ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ଦେଶବାସୀ ସ୍ୱାଗତ କରିଛନ୍ତି। ହସିନା ସରକାରର ଏହାକୁ ଏକ ନୈତିକ ଓ ଆଇନଗତ ପରାଜୟ ରୂପେ ଅଭିହିତ କରାଯାଇପାରେ। ସେ ଘଟଣାରୁ ଏତିକି ଶିକ୍ଷା ମିଳିଛି ଯେ ଅବିଚାରିତ ସରକାରୀ ବା ରାଜନୈତିକ ନିଷ୍ପତ୍ତିକୁ ନ୍ୟାୟପାଳିକା ରୋକିବା ସହିତ ସଂଖ୍ୟାଧିକ ନାଗରିକଙ୍କ ସ୍ୱାର୍ଥ ସୁରକ୍ଷିତ କରିପାରିବ। ସର୍ବୋପରି ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗରେ ନ୍ୟାୟପାଳିକା ସ୍ୱାଧୀନଭାବେ କାମ କରି ବିଧାନପାଳିକା ଓ କାର୍ଯ୍ୟପାଳିକାର କାର୍ଯ୍ୟକୁ ସମୀକ୍ଷା କରି ଉପଯୁକ୍ତ ପଦକ୍ଷେପ ନେଇପାରିବ।
ପଡ଼ୋଶୀ ବାଂଲାଦେଶଠାରୁ ଭାରତ ଏହି ଘଟଣାରୁ କ’ଣ ଶିଖିବା ଉଚିତ? ସେ ଦେଶର ଆର୍ଥିକ ଓ ସାମାଜିକ ଅବସ୍ଥାଠାରୁ ଭାରତର ସାମାଜିକ ଓ ଆର୍ଥିକ ସ୍ଥିତି ଭିନ୍ନ ନିଶ୍ଚୟ। ଆମେ ୧୯୪୭ରେ ଏବଂ ଆମ ସହାୟତାରେ ବାଂଲାଦେଶ ୧୯୭୫ରେ ସ୍ୱାଧୀନ ହେଲା। ଭାରତୀୟ ସମାଜରେ ଜାତିବାଦ ତୀବ୍ର ଓ କେତେକ ସ୍ଥାନରେ ଦାରିଦ୍ର୍ୟ ମଧ୍ୟ ଉତ୍କଟ। ଏହାଛଡ଼ା ଆମର ଆଦିମ ଅଧିବାସୀ ଓ ତଫସିଲଭୁକ୍ତ ଜାତି ସଂଖ୍ୟା ବହୁ ଅଧିକ। ଆମ ଦେଶରେ ମଧ୍ୟ ଜାତିଆଣ ରାଜନୀତି ତୀବ୍ର ଓ ନିଯୁକ୍ତି କୋଟା ବହୁ ଅଧିକ। ସଂରକ୍ଷଣ ପାଇଁ ଥିବା ସାମ୍ବିଧାନିକ ବ୍ୟବସ୍ଥାକୁ ଆମେ ବଢ଼଼ାଇ ୧୦ ବର୍ଷ ସ୍ଥାନରେ ଏ ଯାବତ ଚଳାଇ ଆସିଛୁ ଏବଂ ଏଥିରେ ସମୟକ୍ରମେ ନୂଆ ଜାତି, ବର୍ଗ ଓ ସମ୍ପ୍ରଦାୟ ସାମିଲ ହେଉଛନ୍ତି। ଆମର ମଧ୍ୟ କୋଟା ଭିତ୍ତିରେ କୋଟା ବ୍ୟବସ୍ଥା ପ୍ରଚଳିତ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଆମ ଦେଶର ବିଭିନ୍ନ ରାଜ୍ୟରେ ସଂରକ୍ଷଣ ସୀମା ସର୍ବୋଚ୍ଚ ୫୦ ଭାଗରୁ ଅଧିକ। ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଭାରତ ଦେଖିଛି ଓ ଏହାର ଭୟାବହତା ଅନୁଭବ କରିଛି। ତେବେ ଏହା ବାଂଲାଦେଶ ଭଳି ସ୍ଥିତି ସୃଷ୍ଟି କରିନାହିଁ। ଭାରତକୁ ତାହାର କୋଟା ବ୍ୟବସ୍ଥାକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ ଏବଂ ଏଥିପାଇଁ ସୁପ୍ରିମକୋର୍ଟକୁ ମଧ୍ୟ ସତର୍କ ରହିବାକୁ ହେବ। ସରକାର ସ୍ୱେଚ୍ଛାଚାରୀ ହେଲେ ଏବଂ କୋର୍ଟ ଏକ ରାଜନୈତିକ ଖେଳନା ପାଲଟିଲେ ତୃତୀୟପକ୍ଷ ଏହାର ସୁଯୋଗ ନେଇଥାନ୍ତି। ତା’ ପୂର୍ବରୁ ସରକାରମାନଙ୍କୁ ସତର୍କ ରହିବାକୁ ହେବ।