ଓଡ଼ିଶା ବିଧାନସଭାରେ ଗତକାଲି ୨୦୨୨-୨୩ ଆର୍ଥିକ ବର୍ଷର ଯେଉଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି, ସେଥିରେ ତଥ୍ୟାବଳୀ ବେଶ୍ ଉତ୍ସାହଜନକ ରହିଛି। ରାଜ୍ୟର ଅର୍ଥନୀତି ସୁସ୍ଥ, ଦୃଢ଼ ଓ ଗତିଶୀଳ ଥିବାର ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି। ସର୍ଭେରୁ ପ୍ରକାଶ ଯେ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଦ୍ରୁତତର। ଏହି ତଥ୍ୟ ଅନୁସାରେ ୨୦୨୨-୨୩ରେ ରାଜ୍ୟର ଅର୍ଥନୀତି ବାସ୍ତବ ଅର୍ଥରେ ୭.୮ % ହାରରେ ବୃଦ୍ଧି ପାଇବ, ଯାହା ଏହି ସମୟରେ ସର୍ବଭାରତୀୟ ଅଭିବୃଦ୍ଧି ହାର ୭% ଠାରୁ ଅଧିକ। ଅବଶ୍ୟ ଅଗ୍ରୀମ ଆକଳନ ଅନୁସାରେ ଏହି ତଥ୍ୟ ସର୍ଭେରେ ଉପସ୍ଥାପନ କରାଯାଇଛି।
ସର୍ଭେ ରିପୋର୍ଟ ଅନୁସାରେ ୨୦୨୨-୨୩ରେ ରାଜ୍ୟର ମୁଣ୍ଡପିଚ୍ଛା ବାର୍ଷିକ ହାରାହାରି ଆୟ ୧, ୫୦, ୬୭୬ ଟଙ୍କା ରହିଛି। ଏହି ସମୟରେ ବାର୍ଷିକ ହାରାହାରି ଜାତୀୟ ମୁଣ୍ଡପିଚ୍ଛା ଆୟ ହେଉଛି ୧, ୭୦, ୬୨୦ ଟଙ୍କା। ଆହୁରି ମଧ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ଦେଶର ଡିଜିପିରେ ଓଡ଼ିଶାର ଅଂଶ ବଢ଼଼ିଛି। ୨୦୧୧-୧୨ରେ ଏହା ୨.୬୪ ଶତାଂଶ ଥିବାବେଳେ ୨୦୨୨-୨୩ରେ ଅଗ୍ରୀମ ଏହା ୨.୮%ରେ ପହଞ୍ଚିଛି। ଏହି ଦୁଇଟି କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧି ଉତ୍ସାହଜନକ ହୋଇଛି। ରାଜ୍ୟର ବିରାଟ ଆଦିବାସୀ ଓ ତଫସିଲଭୁକ୍ତ ଜାତି ସଂଖ୍ୟା, ଗରିବଙ୍କ ସଂଖ୍ୟା ଅଧିକ ଆଦି କାରଣରୁ ସମସ୍ତଙ୍କୁ ଯଥାର୍ଥ ରୋଜଗାର ସୁଯୋଗ ମିଳିବା ସମ୍ଭବ ହୋଇନାହିଁ କିମ୍ବା ସମାବେଶୀ ଆର୍ଥିକ ବିକାଶର ଲାଭ ସବୁ ଲୋକଙ୍କୁ ମିଳିନାହିଁ। ତଥାପି ପୂର୍ବ ତୁଳନାରେ ଯେଉଁ ଉନ୍ନତି ଆସିଛି, ସେଥିରେ ଲୋକଙ୍କ ଆର୍ଥିକ ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଆସୁଥିବା ସ୍ପଷ୍ଟ ହୋଇଛି।
ରିପୋର୍ଟର ଆଉ ଏକ ଉଲ୍ଲେଖନୀୟ ତଥ୍ୟ ହେଲା ଓଡ଼ିଶା ଦେଶର ଉଚ୍ଚ ଆୟକାରୀ ରାଜ୍ୟମାନଙ୍କ ସହିତ ଥିବା ଦୂରତ୍ୱକୁ ହ୍ରାସ କରିବାରେ ଭଲ ସଫଳତା ହାସଲ କରିଛି ଏବଂ ଏ କ୍ଷେତ୍ରରେ ଓଡ଼ିଶାର ପ୍ରଗତିହାର ବେଶ୍ ଦ୍ରୁତତର। ୨୦୨୨-୨୩ରେ ପ୍ରତିକୂଳ ବିଶ୍ୱ ସ୍ଥିତି ସତ୍ତ୍ବେ ଓଡ଼ିଶାର ଅଭିବୃଦ୍ଧି ପ୍ରଦର୍ଶନ ଅନ୍ୟତମ ସର୍ବାଧିକ ବୋଲି ରିପୋର୍ଟରେ ଯାହା ଉଲ୍ଲେଖ କରାଯାଇଛି, ସେଥିରେ ଆମର ଖଣି / ଶିଳ୍ପ, ସେବା ଓ କୃଷି ଉଦ୍ୟୋଗର ଯଥେଷ୍ଟ ଅବଦାନ ରହିଛି। ରିପୋର୍ଟରୁ ମିଳୁଥିବା ତଥ୍ୟରୁ ଏକ ମୋଟାମୋଟି ଧାରଣା ହେଉଛି ଯେ ରାଜ୍ୟର ଅର୍ଥନୀତି ପୁନର୍ବାର ଅଭିବୃଦ୍ଧି ପଥକୁ ଫେରିବା ସହିତ ତାହାର ବେଗକୁ ତ୍ୱରାନ୍ୱିତ କରିଛି।
କରୋନା ମହାମାରୀର ପ୍ରଭାବ ରାଜ୍ୟର ଅର୍ଥନୀତିକୁ ଦୀର୍ଘ ଦୁଇବର୍ଷ ଧରି କରାୟତ୍ତ କରି ରଖିଥିଲା। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତିକାର ବ୍ୟବସ୍ଥା ସତ୍ତ୍ବେ ଅର୍ଥନୀତି ତାହାର ପ୍ରାକୃତିକ ବଳ ହରାଇଥିଲା। ତା’ ସତ୍ତ୍ବେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାର ବାର୍ଷିକ ଅଭିବୃଦ୍ଧି ହାର ଥିଲା ୧୧.୫%। ଏଥିପାଇଁ ରାଜ୍ୟ ସରକାରଙ୍କର ସେ ସମୟର ପଦକ୍ଷେପ ଏବଂ ଦୂରଦର୍ଶୀ ନୀତିର ଅବଦାନ ଥିଲା ଅଧିକ। ଏବେ ମହାମାରୀ ପରବର୍ତ୍ତୀ ଓଡ଼ିଶାର ଅର୍ଥନୀତି କ୍ରମଶଃ ଉନ୍ମୁକ୍ତ ହେଉଛି। ଜାତୀୟ ଅର୍ଥନୀତି ତୁଳନାତ୍ମକ ଭାବେ ଭଲ ସ୍ଥିତିରେ ଥିଲେ ମଧ୍ୟ ଆନ୍ତର୍ଜାତିକ ପ୍ରତିକୂଳ ପରିସ୍ଥିତି ଏଥିରେ ଅନ୍ତରାୟ ସୃଷ୍ଟି କରିଛି। ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳା ବ୍ୟାହତ ହେବା ସହିତ ଆନ୍ତର୍ଜାତିକ ବାଣିଜ୍ୟ କାରବାର ବାଧାପ୍ରାପ୍ତ ହୋଇଛି। ଏହା ସହିତ ପେଟ୍ରୋଲିୟମ୍ ଇନ୍ଧନ ମୂଲ୍ୟରେ ଅସ୍ଥିରତା ବିଶ୍ୱ ଅର୍ଥନୀତି ଉପରେ ପଡ଼ିଛି। ଏହାର କିଛି ପ୍ରଭାବ ଭାରତ ଓ ଓଡ଼ିଶା ଅର୍ଥନୀତି ଉପରେ ପଡ଼ିବା ସ୍ୱାଭାବିକ। ସେ ଦୃଷ୍ଟିରୁ ଦେଖିଲେ ଓଡ଼ିଶାର ସାମ୍ପ୍ରତିକ ଅଭିବୃଦ୍ଧି ହାର ମନ୍ଦ ନୁହେଁ। ବାସ୍ତବବାଦୀ ଦୃଷ୍ଟିକୋଣରୁ ବିଚାର କଲେ ୨୦୨୩-୨୪ରେ ରାଜ୍ୟର ଅଭିବୃଦ୍ଧି ହାର ୮ ରୁ ୮.୫% ମଧ୍ୟରେ ହୋଇପାରେ ଏବଂ ଏହା ନିଶ୍ଚିତ ଏକ ଉଲ୍ଲେଖନୀୟ ବିକାଶର ସୂଚକ।
ଓଡ଼ିଶାର ଆର୍ଥିକ ନୀତି ଓ ଅର୍ଥ ପ୍ରଶାସନ ବେଶ୍ ବାସ୍ତବବାଦୀ ଏବଂ ଦକ୍ଷ। କ୍ରମାଗତ ଉତ୍ତମ ଆର୍ଥିକ ପରିଚାଳନା ମାଧ୍ୟମରେ ଓଡ଼ିଶା ଇତିମଧ୍ୟରେ ରାଜସ୍ୱ ନିଅଣ୍ଟରୁ ରାଜସ୍ୱ ବଳକା ପ୍ରଦେଶରେ ପରିଣତ ହୋଇଛି। ଏହି ସମୟ ମଧ୍ୟରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା କୃଷିକ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଯୋଗୁଁ ଓଡ଼ିଶା ଏବେ ଖାଦ୍ୟ ବଳକା ପ୍ରଦେଶରେ ପରିଣତ ହୋଇଛି। କୃଷି କ୍ଷେତ୍ରରେ ଅଭିବୃଦ୍ଧି ଓ ଚାଷୀଙ୍କ ଆୟ ବଢ଼଼ିଛି। ବର୍ତ୍ତମାନ ଓଡ଼ିଶା କେନ୍ଦ୍ରୀୟ ଖାଦ୍ୟ ଶସ୍ୟ ଭଣ୍ଡାର ପାଇଁ ଆହରଣରେ ଚାଉଳ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହାସହିତ ଶିଳ୍ପ ଓ ସେବା କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ସରକାର ମଧ୍ୟ ସାମାଜିକ କ୍ଷେତ୍ର ପାଇଁ ଅଧିକରୁ ଅଧିକ ପୁଞ୍ଜି ନିବେଶ କରି ଲୋକଙ୍କୁ ସୁଖଶାନ୍ତିରେ ଚଳିବାକୁ ସୁବିଧା ଦେବା ସହିତ ରୋଜଗାରର ସୁଯୋଗ ଯୋଗାଉଛନ୍ତି। ଉତ୍ପାଦନର ବିଭିନ୍ନ କ୍ଷେତ୍ରରେ ନୂଆ ସକ୍ରିୟତା ଓ ଆଗ୍ରହ ବୃଦ୍ଧି ପାଇଛି। ତାହାର ସୁଫଳ ଅର୍ଥନୀତି ଉପରେ ପଡ଼ିବା ସ୍ୱାଭାବିକ। ଆଗାମୀ ଦିନରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ଉତ୍ପାଦନରେ ବିଭିନ୍ନ କ୍ଷେତ୍ର, ଉପଭୋକ୍ତାବାଦ ଏବଂ ରୋଜଗାର ସୁଯୋଗ ସୃଷ୍ଟି କରିବା ଉପରେ ଅଧିକ ଗୁରୁତ୍ୱ ଦେବେ ଏବଂ ବିକାଶ ପ୍ର୍ରକ୍ରିୟାକୁ ଅବ୍ୟାହତ ରଖିବେ ବୋଲି ଆଶା। n