କୋଭିଡ୍ (କରୋନା)ର ଯିବା ଆସିବା ୨୦୨୦ରୁ ଅବ୍ୟାହତ ରହିଛି। ଏହାର ଭୂତାଣୁ ତୁହାକୁ ତୁହା ନୂଆ ରୂପରେ ଆସୁଛନ୍ତି ଓ ଯାଉଛନ୍ତି। ଏଯାବତ କୋଭିଡ୍ର ପାଞ୍ଚଟି ପ୍ରଜାତି ସଂକ୍ରମିତ ହେଲାଣି। ତେବେ ଡେଲ୍ଟା ପ୍ରଜାତିର ଭୂତାଣୁ ଭାରତ ସମେତ ସମଗ୍ର ବିଶ୍ୱରେ ଯେଉଁ ମୃତ୍ୟୁର ତାଣ୍ଡବ ରଚିଥିଲା ଆଉ କୌଣସି ପ୍ରଜାତି ସେଭଳି କ୍ଷୟକ୍ଷତି ଘଟାଇ ନାହିଁ। ଏ ପର୍ଯ୍ୟନ୍ତ ଆମେ କୋଭିଡ୍ର ଚାରିଟି ପ୍ରଜାତି ଯଥା ଆଲ୍ଫା, ବିଟା, ଡେଲ୍ଟା ଓ ଓମିକ୍ରନ୍ ଦେଖିଥିଲୁ। ଏବେ ଭାରତରେ କରୋନାର ଆଉ ଏକ ନୂଆ ଜେଏନ୍.୧ ଉପପ୍ରଜାତିର ଭୂତାଣୁ ସଂକ୍ରମଣ ଘଟିଛି। ଏହାର ପ୍ରଭାବରେ କେରଳ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ଲୋକେ ଆକ୍ରାନ୍ତ ହେବା ସହ କେତେକଙ୍କର ମୃତ୍ୟୁ ଖବର ମଧ୍ୟ ମିଳିଛି। ଚୀନ୍ ଓ ସିଙ୍ଗାପୁର ଆଦି କେତେକ ଦେଶରେ ଏହି ଭୂତାଣୁ ଗୁରୁତର ପରିସ୍ଥିତି ସୃଷ୍ଟି କରିଛି। ଆମେରିକା ସମେତ କେତେକ ପାଶ୍ଚାତ୍ୟ ଦେଶରେ ମଧ୍ୟ ଏହା ବ୍ୟାପିଲାଣି। ତେଣୁ ଭାରତ ଭଳି ଜନବହୁଳ ଦେଶରେ ସରକାର ଏହି ପଞ୍ଚମ ଲହରକୁ ନେଇ ଚିନ୍ତିତ ହେବା ସ୍ୱାଭାବିକ।
କୋଭିଡ୍ର ଏସବୁ ପ୍ରଜାତି ଓ ଉପପ୍ରଜାତି ସାର୍ସ କୋଭ୍-୨ ବ୍ୟାଧି ଗୋଷ୍ଠୀର। ଭବିଷ୍ୟତରେ ଆହୁରି ଏହାର କିଛି ନୂଆ ପ୍ରଜାତିର ସଂକ୍ରମଣ ଘଟିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଭାରତରେ ଦେଖା ଦେଇଥିବା ଜେଏନ୍-୧ ଓମିକ୍ରନ୍ର ଉପପ୍ରଜାତି ଭୂତାଣୁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହି ଭୂତାଣୁକୁ ନେଇ ସତର୍କତା ଜାରି କରିଛି। ନୂଆବର୍ଷ ବେଳକୁ ଏହାର ସଂକ୍ରମଣ ବିଶ୍ୱବ୍ୟାପୀ ବଢ଼଼ିବା ଘେନି ମଧ୍ୟ ସତର୍କ କରାଇ ଦିଆଯାଇଛି। ସତକଥା ହେଲା ଟିକା ଓ ଔଷଧ ବାହାରିବା ସତ୍ତ୍ବେ ବିଶ୍ୱ କୋଭିଡ୍ ଉପରେ ନିର୍ଣ୍ଣାୟକ ବିଜୟ ଏ ଯାଏଁ ହାସଲ କରିପାରି ନାହିଁ। କରିବାର ସମ୍ଭାବନା ମଧ୍ୟ କମ୍। କାରଣ ଏହି ଭୂତାଣୁ ବାରମ୍ବାର ତାହାର ରୂପ ଓ ଗୁଣ ବଦଳାଇ ନୂଆ ନୂଆ ପ୍ରଜାତି ସୃଷ୍ଟି କରୁଛି। ତେଣୁ ଏହି ବ୍ୟାଧି ବିଭିନ୍ନ ପ୍ରକାର ଭୂତାଣୁ ମାଧ୍ୟମରେ ଆମ ପରିବେଶରେ ଏମିତି ରହିବ ଏବଂ ମଝିରେ ମଝିରେ ଏହାର ସଂକ୍ରମଣ ବଢ଼଼ିବ ଓ କମିବ। ଋତୁ ପରିବର୍ତ୍ତନ ସମୟରେ ଏହି ଭୂତାଣୁ ମଣିଷର ଶ୍ୱାସକ୍ରିୟା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିବ।
ତେଣୁ ଯେଉଁ ଲୋକମାନଙ୍କର ସ୍ୱାସ୍ଥ୍ୟଗତ ଜଟିଳତା ରହିଛି, ଯେଉଁମାନେ ବୟସ୍କ / ବୃଦ୍ଧ ବା ଦୁର୍ବଳ ସେମାନଙ୍କୁ ଏହା ଆକ୍ରାନ୍ତ କରିବାର ଆଶଙ୍କା ଅଧିକ। ଟିକା ନେବା ବ୍ୟତୀତ କୋଭିଡ୍ର ସଫଳ ମୁକାବିଲା କ୍ଷେତ୍ରରେ ସାମାଜିକ ଦୂରତ୍ୱ ରକ୍ଷା, ମାସ୍କ ବ୍ୟବହାର, ଜନଗହଳି ଓ ଭିଡ଼ଠାରୁ ଦୂରେଇ ରହିବା, ବାରମ୍ବାର ହାତ ଧୋଇବା ଏବଂ ଥଣ୍ଡା ଓ ଜ୍ୱର ଭଳି ରୋଗର ତୁରନ୍ତ ଚିକିତ୍ସା କରିବା ବିଶେଷ ସଫଳ ପ୍ରମାଣିତ ହୋଇଛି। ଆମେ ଆହୁରି ମଧ୍ୟ ଦେଖିଛୁ ଯେ ଓମିକ୍ରନ୍ର ସମସ୍ତ ଉପପ୍ରଜାତି ଭୂତାଣୁର ଭୟାବହତା କମ୍ ରହିଛି ଏବଂ ଏଥିରେ ଆକ୍ରାନ୍ତ ଲୋକଙ୍କ ମୃତ୍ୟୁସଂଖ୍ୟା ଆନୁପାତିକ ଭାବେ ଡେଲ୍ଟା ତୁଳନାରେ ଯଥେଷ୍ଟ କମ୍। ସେହି ନ୍ୟାୟରେ ଜେଏନ୍-୧ ଉପପ୍ରଜାତିର ଭୂତାଣୁ ସଂକ୍ରମଣ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହୋଇପାରେ ସତ; କିନ୍ତୁ ମୃତ୍ୟୁ ସଂଖ୍ୟା ସେତେ ଅଧିକ ହେବାର ଆଶଙ୍କା କ୍ଷୀଣ। ଏହା ଅଧିକ ଘାତକ ନୁହେଁ ଏବଂ ଏହି ପ୍ରଜାତିର ଭୂତାଣୁ ଏହି ଋତୁରେ ପ୍ରାୟ ସମସ୍ତଙ୍କଠାରେ ଦେଖିବାକୁ ମିଳିପାରେ ବୋଲି ଭୂତାଣୁ ବିଶେଷଜ୍ଞମାନେ କହୁଥିବା ବେଳେ ତା’ ସହିତ କୋଭିଡ୍ ଅନୁରୂପ ବ୍ୟବହାର ଓ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ତେଣୁ ଆମେ ସେ ସତର୍କତାକୁ ଉପେକ୍ଷା କରିବା ଅନୁଚିତ। ସେ ଦୃଷ୍ଟିରୁ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ରକ୍ଷା ତ ପ୍ରଥମ ଆବଶ୍ୟକତା।
ଏବେ ଯେଉଁ କୋଭିଡ୍ ଲହର ଆସୁଛି, ତାହା ଯେ ଆଗଭଳି ଲକ୍ଡାଉନ୍, ସଟ୍ଡାଉନ୍ ଭଳି ପରିସ୍ଥିତି ସୃଷ୍ଟି କରିବ ସେ ଆଶଙ୍କା ଓ ପରିସ୍ଥିତି ଆଉ ବିଶେଷ ନାହିଁ। ଦେଶ ଓ ବିଶ୍ୱର ଅର୍ଥନୀତି ଏହାକୁ ସମ୍ଭାଳି ପାରିବ ନାହିଁ। ତେଣୁ କୋଭିଡ୍ ସହିତ ଆମକୁ ତାଳ ମିଳାଇ ବଞ୍ଚିବାକୁ ପଡ଼ିବ। ଭାରତ ସରକାର ପରିସ୍ଥିତିକୁ ଦୃଷ୍ଟିରେ ରଖି ସବୁ ରାଜ୍ୟକୁ ମାର୍ଗଦର୍ଶିକା ଓ ସତର୍କତା ପରାମର୍ଶ ଜାରି କରିଛନ୍ତି। ଏହାଛଡ଼ା କୋଭିଡ୍ ଚିକିତ୍ସା ବ୍ୟବସ୍ଥାକୁ ପୁନର୍ବାର ସବୁ ହସ୍ପିଟାଲରେ ସକ୍ରିୟ କରି ଟେଷ୍ଟିଂ ସୁବିଧା ପୁନଃ ଚାଲୁ କରିବାକୁ କୁହାଯାଇଛି। କର୍ଣ୍ଣାଟକ ଓ କେରଳ ସରକାର ନିଜ ନିଜ ରାଜ୍ୟରେ ମାକ୍ସ ପରିଧାନ ବ୍ୟବସ୍ଥା ସର୍ବସାଧାରଣଙ୍କ ପାଇଁ ମଧ୍ୟ ଲାଗୁ କଲେଣି।
ଭାରତରେ ନୂଆ କୋଭିଡ୍ ଭୂତାଣୁର ପ୍ରବେଶ ଅର୍ଥ ଓଡ଼ିଶାରେ ଯେ କୌଣସି ମୁହୂର୍ତ୍ତରେ ଏହାର ସଂକ୍ରମଣ ଆରମ୍ଭ ହୋଇପାରେ। ତେଣୁ ରାଜ୍ୟ ସରକାରଙ୍କୁ ସତର୍କ ରହିବାକୁ ପଡ଼ିବ। ଆମ ରାଜ୍ୟର କୋଭିଡ୍ ପରିଚାଳନା ନୀତି ଓ ବ୍ୟବସ୍ଥା ଭଲ ଥିଲା। ତେଣୁ ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟା ଅଧିକ ନ ଥିଲା। ଆହୁରି ମଧ୍ୟ ଆମ ରାଜ୍ୟର ଜନତା କୋଭିଡ୍ ନିୟମ ପରିପାଳନ କରିବାରେ ଉତ୍ତମ ଶୃଙ୍ଖଳା ଓ ଦାୟିତ୍ୱ ପ୍ରଦର୍ଶନ କରିଥିଲେ। ଆମେ ଏବେ ଟିକେ ସତର୍କ ରହିଗଲେ ଆଉ ଏକ ସମ୍ଭାବ୍ୟ ବଡ଼ ବିପଦକୁ ସହଜରେ ମୁକାବିଲା କରିପାରିବା। କୋଭିଡ୍ ପୁଣି ଭାରତକୁ ଫେରିଥିଲେ ମଧ୍ୟ ଏଥିରେ ଛାନିଆ ବା ଆତଙ୍କିତ ହେବାର କିଛି ନାହିଁ। ଆମ ପାଖରେ ନୂଆ ଟିକା ପ୍ରସ୍ତୁତିର ଦକ୍ଷତା ମଧ୍ୟ ରହିଛି ଓ ଆମ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ମଧ୍ୟ ପୂର୍ବ ଅନୁଭୂତି ଭିତ୍ତିରେ ଅଧିକ ସୁଦୃଢ଼ ହୋଇଛି। ତେଣୁ ଜନସହଯୋଗ ଦ୍ୱାରା ସରକାର ଆଉ ଏକ ସମ୍ଭାବ୍ୟ ମହାମାରୀର ସଫଳ ମୁକାବିଲା କରିପାରିବେ ବୋଲି ଆମା ଆଶା ଓ ବିଶ୍ୱାସ। ବିଶେଷକରି ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ‘ଶୂନ୍ୟ ଜୀବନହାନି’ ଓ ‘ପ୍ରତ୍ୟେକଟି ଜୀବନ ମୂଲ୍ୟବାନ’ ମନ୍ତ୍ର ଯେକୌଣସି ସମ୍ଭାବ୍ୟ ବିପଦର ମୁକାବିଲା କରିବା ପାଇଁ ପ୍ରଶାସନକୁ ଶକ୍ତି ଓ ଉତ୍ସାହ ଯୋଗାଇ ଆସିଛି ଓ ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଆମ ରାଜ୍ୟ ସରକାର ଆମ ପଛରେ ଅଛନ୍ତି। ସେ ଦୃଷ୍ଟିରୁ ଆମେ ନିଶ୍ଚିନ୍ତ ରହିବା। ଆମକୁ ରାଜ୍ୟ ସରକାରଙ୍କ ଅଭୟ ମିଳିବାର ଅର୍ଥ ନୁହେଁ ଯେ ଆମେ ଅମାନିଆ ହେବା ଓ ବେପରୁଆ ଭାବ ପ୍ରଦର୍ଶନ କରିବା। ଆମେ ଭୁଲି ଯିବା ଉଚିତ ନୁହେଁ ଯେ ଯେକୌଣସି ଜନସ୍ୱାସ୍ଥ୍ୟ ସମ୍ପର୍କିତ ଯୁଦ୍ଧରେ ଆମେ ଏକାଧାରରରେ ସୈନିକ ଓ ସାରଥି ମଧ୍ୟ। ଯୁଦ୍ଧରେ ଜୟଲାଭ କରିବାକୁ ହେଲେ ସେନାପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତିଟି ପାଦ ପକାଇବାକୁ ହେବ। ଆମ ମିଳିତ ସହଯୋଗ ଓ ସମର୍ଥନରେ ଓଡ଼ିଶା ସରକାର କୋଭିଡ୍ ମୁକାବିଲାରେ ବିଶ୍ୱସ୍ତରୀୟ ଉଦାହରଣ ସୃଷ୍ଟି କରିପାରିଥିଲେ। ଏହି ମାନସିକତା ଓ ଦୃଢ଼ ମନୋବଳ ସହିତ ଆମେ ପ୍ରସ୍ତୁତ ରହିବାକୁ ପୁଣି ଥରେ ସଂକଳ୍ପ କରିବା।