ରୁଷର ଲୁନା ୨୫ ବିଫଳ, ଚନ୍ଦ୍ରଯାନ-୩ ଉପରେ ବିଶ୍ୱବାସୀଙ୍କ ଦୃଷ୍ଟି

କାହିଁ କେଉଁ ଆଦିମ କାଳରୁ ମାନବ ସମାଜର ବହୁ ନିକଟ ସମ୍ବନ୍ଧ ରହିଛି ପୃଥିବୀର ଏକମାତ୍ର ଉପଗ୍ରହ ଚନ୍ଦ୍ର ସହିତ। ମାନବ ସଭ୍ୟତାର ବିଭିନ୍ନ ଭୌଗୋଳିକ ଅବସ୍ଥାନରୁ ଚନ୍ଦ୍ରମା ସମ୍ପର୍କିତ ଜ୍ଞାନ-ବିଜ୍ଞାନ, କାହାଣୀ-ଲୋକକଥା ତଥା ବିଭିନ୍ନ ସୃଜନିକା କ୍ଷେତ୍ରରେ ଚନ୍ଦ୍ରମାର ଆଧିପତ୍ୟ। ଭାରତୀୟମାନଙ୍କର ଚନ୍ଦ୍ରମା ସହିତ ଆଦାନ-ପ୍ରଦାନ ଜ୍ୟୋତିର୍ବିଜ୍ଞାନ, ଜ୍ୟୋତିର୍ବିଦ୍ୟା ଠାରୁ ଆରମ୍ଭ କରି ଆଇମା’ କାହାଣୀ ପେଡ଼ିର ଅସୁମାରୀ ଗଳ୍ପ ଚନ୍ଦ୍ରକୁ ନେଇ ଆମେ ସମସ୍ତେ ପିଲାଟି ଦିନରୁ ଶୁଣି ଆସିଛୁ। ପ୍ରିୟାର ଚନ୍ଦ୍ରମୁଖଠାରୁ ଆରମ୍ଭ […]

କାହିଁ କେଉଁ ଆଦିମ କାଳରୁ ମାନବ ସମାଜର ବହୁ ନିକଟ ସମ୍ବନ୍ଧ ରହିଛି ପୃଥିବୀର ଏକମାତ୍ର ଉପଗ୍ରହ ଚନ୍ଦ୍ର ସହିତ। ମାନବ ସଭ୍ୟତାର ବିଭିନ୍ନ ଭୌଗୋଳିକ ଅବସ୍ଥାନରୁ ଚନ୍ଦ୍ରମା ସମ୍ପର୍କିତ ଜ୍ଞାନ-ବିଜ୍ଞାନ, କାହାଣୀ-ଲୋକକଥା ତଥା ବିଭିନ୍ନ ସୃଜନିକା କ୍ଷେତ୍ରରେ ଚନ୍ଦ୍ରମାର ଆଧିପତ୍ୟ। ଭାରତୀୟମାନଙ୍କର ଚନ୍ଦ୍ରମା ସହିତ ଆଦାନ-ପ୍ରଦାନ ଜ୍ୟୋତିର୍ବିଜ୍ଞାନ, ଜ୍ୟୋତିର୍ବିଦ୍ୟା ଠାରୁ ଆରମ୍ଭ କରି ଆଇମା’ କାହାଣୀ ପେଡ଼ିର ଅସୁମାରୀ ଗଳ୍ପ ଚନ୍ଦ୍ରକୁ ନେଇ ଆମେ ସମସ୍ତେ ପିଲାଟି ଦିନରୁ ଶୁଣି ଆସିଛୁ। ପ୍ରିୟାର ଚନ୍ଦ୍ରମୁଖଠାରୁ ଆରମ୍ଭ କରି ଚନ୍ଦ୍ରମାରେ ଶଶକ ଚିହ୍ନର ପରିକଳ୍ପନା ତଥା ଜହ୍ନମାମୁର ଆତ୍ମିକ ସମ୍ବୋଧନ ଆମ ମନସ୍ତତ୍ତ୍ୱରେ ଏକ ଧ୍ରୁବୀୟ ଅଧ୍ୟାୟ ହୋଇ ରହିଆସିଛି। ସେଇଥିପାଇଁ ତ ୧୯୬୯ ଜୁଲାଇ ୨୦ ତାରିଖରେ ଆପୋଲୋ ୧୧ ଯାନର ଚନ୍ଦ୍ରାବତରଣ ପୃଥିବୀର ଚନ୍ଦ୍ରାବିଳାସ ଅଧ୍ୟାୟର ଏକ ନୂତନ ଯୁଗ ସୃଷ୍ଟି କଲା। ଚନ୍ଦ୍ରରେ ମଣିଷ ଓହ୍ଲାଇବା ଏକ ନିର୍ଦ୍ଦିଷ୍ଟ ଐତିହାସିକ ଓ ବୈଜ୍ଞାନିକ ସଫଳତା ହେଲେ ସୁଦ୍ଧା ଚନ୍ଦ୍ର ସହିତ ଆମର ଆବେଗିକ ବନ୍ଧନ ଏତେ ଦୃଢ଼ ଥିଲା ଯେ ଅନେକେ ଭାବିଲେ ଆମେରିକାର ନାସା ମିଥ୍ୟା ବାର୍ତ୍ତା ପ୍ରଚାର କରୁଛି। ରୁଢ଼ିବାଦୀ ଭାରତୀୟମାନେ କହିଲେ ଚନ୍ଦ୍ର ମାରା ହୋଇଗଲା। ଜହ୍ନମାମୁ ଉପରେ ପୁଣି ମଣିଷ ଚାଲିପାରିଲା! ଏବେ ସୁଦ୍ଧା ଆମେରିକାରେ ଦଳେ ବୈଜ୍ଞାନିକ ଏବଂ ପୂର୍ବ ମହାକାଶଚାରୀଙ୍କ ଗୋଷ୍ଠୀ ଅଛି, ଯେଉଁମାନେ ବିଶ୍ୱସାରା ବୁଲି ବୁଲି ନିଲ୍‌‌ ଆର୍ମଷ୍ଟ୍ରଙ୍ଗଙ୍କ ଚନ୍ଦ୍ରାବତରଣ ସମ୍ବାଦକୁ ଭିତ୍ତିହୀନ ବୋଲି ପ୍ରମାଣ କରିବାକୁ ଉଦ୍ୟମ କରି ଚାଲିଛନ୍ତି!

ଆଜି କିନ୍ତୁ ଜହ୍ନମାମୁର ବୈଜ୍ଞାନିକ ସଂଜ୍ଞା ବଦଳିସାରିଛି। ଭାରତୀୟ ମହାକାଶ ଗବେଷଣାକେନ୍ଦ୍ରର ପୂର୍ବତନ ଅଧ୍ୟକ୍ଷ ଡ. କେ ଶିବନ୍‌‌ ଭାରତୀୟ ଚନ୍ଦ୍ରଯାନ -୨ର ଚନ୍ଦ୍ରପୃଷ୍ଠରେ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ କୁନି ପିଲା ପରି କାନ୍ଦିବା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ତାଙ୍କୁ ସାନ୍ତ୍ୱନା ଦେବା ଚିତ୍ର ସ୍ପଷ୍ଟ ମନେ ପଡ଼େ। ତାଙ୍କ ଲୁହର ପ୍ରତ୍ୟେକ ବୁନ୍ଦାରେ ଲେଖାଥିଲା ଚନ୍ଦ୍ରଯାନ-୩ର ଚନ୍ଦ୍ରପୃଷ୍ଠରେ ଅବତରଣ ଉଦ୍ୟମର ଭାବି ସଫଳତା। ଗତ ସନ୍ଧ୍ୟାରେ ଯେବେ ଜଣାଗଲା ଯେ ରୁଷ୍‌‌ର ମହାକାଶ ଯାନ ଲୁନା-୨୫ର ଚନ୍ଦ୍ର ପରିକ୍ରମା ଯାନ ବୈଜ୍ଞାନିକମାନଙ୍କର ଅଣଆୟତ୍ତରେ ଚନ୍ଦ୍ରପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇଛି, ସେତେବେଳେ ସମସ୍ତ ଭାରତୀୟଙ୍କ ମନରେ ଯୁଗପତ୍‌‌ ବିଫଳତାର ଦୁଃଖ ଓ ସଫଳତାର ସ୍ୱପ୍ନାନନ୍ଦ ଅନୁଭୂତ ହୋଇଥିଲା। ମହାକାଶ ବିଜ୍ଞାନରେ ସବୁଠାରୁ ଅଗ୍ରଣୀ ରୁଷ ୧୯୫୯ ମସିହାରେ ଲୁନାର ୨ ମହାକାଶଯାନ ଦ୍ୱାରା ଚନ୍ଦ୍ରପୃଷ୍ଠକୁ ସଫଳ ଅଭିଯାନ କରିପାରିଥିଲା। ମହାକାଶକୁ ପ୍ରଥମ ଯାନ ଉତ୍‌‌କ୍ଷେପଣ, ପ୍ରଥମ ପ୍ରାଣୀ ଉତ୍‌‌କ୍ଷେପଣ ଓ ପ୍ରଥମ ମହିଳାଙ୍କୁ ସଫଳ ଭାବେ ପଠାଇ ପାରିଥିବା ରୁଷର ମହାକାଶ ଗବେଷଣା କେନ୍ଦ୍ର ‘ରସ୍‌‌କସ୍‌‌ମସ୍‌‌’ ଯେତେବେଳେ ଲୁନା ୨୫ର ଯାତ୍ରା ଘୋଷଣା କଲା ସେତେବେଳକୁ ଭାରତୀୟ ଚନ୍ଦ୍ରଯାନ-୩ ଚନ୍ଦ୍ର ପରିକ୍ରମା କକ୍ଷରେ ଅବସ୍ଥାପିତ ହୋଇସାରିଥିଲା। ସେତେବେଳେ ଲାଗିଲା, ସତେଯେମିତି ଚନ୍ଦ୍ରଯାନ ୩ର ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଅବତରଣ ଭଳି ଏକ ବିରଳ ବିଶ୍ୱ ରେକର୍ଡ ଆମ ହାତରୁ ଖସିଗଲା। କାରଣ ଅଭିଜ୍ଞ, ଅନୁଭବୀ ଓ ସଫଳ ରୁଷ ମହାକାଶ ବୈଜ୍ଞାନିକମାନେ ପୁଣି ଥରେ ଚନ୍ଦ୍ରକୁ ମହାକାଶ ଯାନ ପଠାଇ ଚନ୍ଦ୍ରରେ ଦକ୍ଷିଣ ଧ୍ରୁବରେ ଅବତରଣ କରାଇବା ଅତି ସହଜ କଥା ହେବ। କେହି କେହି ଭାରତୀୟ ଏହି ଖବରରେ ଦୁଃଖୀ ହୋଇ ମନେ ମନେ ଚିନ୍ତା ଜାହିର କରୁଥିଲେ। ତେଣୁ ସତରେ ଯେତେବେଳେ ରୁଷର ଚନ୍ଦ୍ରାବତରଣ ଯାନଟି ଦୁର୍ଘଟଣାଗ୍ରସ୍ତ ହେଲା, ତାହା ମାନବ ଜାତିର ଗୋଟିଏ ବିଫଳତା ଭାବରେ ଆମକୁ ଦୁଃଖିତ କରୁଥିଲା ସତ, କିନ୍ତୁ ଅନ୍ୟପକ୍ଷରେ ଚନ୍ଦ୍ରଯାନ-୩ର ଆଉ ଦୁଇଦିନ ପରେ ଚନ୍ଦ୍ରାବତରଣ ବିଶ୍ୱରେ ଏକ ବିରଳ ରେକର୍ଡ ପ୍ରତିଷ୍ଠା କରିବ ବୋଲି ଆମେ ସବୁ ଭାରତୀୟ ପୁଣି ସ୍ୱପ୍ନ ବିଭୋର ହୋଇ ଉଠିଲୁ। ମନେ ପଡ଼ିଲା ଇସ୍ରୋର ପୂର୍ବତନ ଅଧ୍ୟକ୍ଷଙ୍କ ଆଖିରୁ ଝରିପଡ଼ିଥିବା ଲୁହ ଟୋପା। ସେପଟେ ବିଫଳତାର ନିରାଶା ଓ ଏପଟେ ସଫଳତାର ଆଶାର ଆନନ୍ଦ।

ଚନ୍ଦ୍ରଯାନ-୩ ଏବେ ନିର୍ଦ୍ଧାରିତ ଗତିପଥରେ ଚନ୍ଦ୍ର ପରିକ୍ରମା କରିଚାଲିଛି ଏବଂ ତା’ର ଚନ୍ଦ୍ରପୃଷ୍ଠରୁ ପରିକ୍ରମା କକ୍ଷର ଉଚ୍ଚତା ଧୀରେ ଧୀରେ ହ୍ରାସ କରାଯାଉଛି। ଚନ୍ଦ୍ରଯାନ-୩ ମିଶନ୍‌‌ ନିୟନ୍ତ୍ରଣ କକ୍ଷ ଗୋଟିଏ ପରେ ଗୋଟିଏ ସଫଳ ପଦକ୍ଷେପ ନେଇ ବିକ୍ରମ ପରିକ୍ରମା ଯାନକୁ ଧୀରେ ଧୀରେ ଚନ୍ଦ୍ରର ଦକ୍ଷିଣ ଧ୍ରୁବୀୟ ଅଞ୍ଚଳରେ ଅବତରଣ କରାଇବା ନିଶ୍ଚିତ ବୋଲି ମନେ ହେଉଛି। ପ୍ରାୟ ୬୧୫ କୋଟି ଟଙ୍କାରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ଅନ୍ଧାରି ମୁଲକରେ ସଫଳତାର ସହିତ ଅବତରଣ କରିବା ପରେ ସେଥିରୁ ରୋଭର ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ଗୋଟିଏ ଦିନ(ପୃଥିବୀର ୧୪ ଦିନ) ପର୍ଯ୍ୟନ୍ତ ପରିକ୍ରମା କରିବ। ସେତେବେଳେ ସମ୍ପୂର୍ଣ୍ଣ ସୌରଶକ୍ତିରେ ଏହି ଯାନ ପରିଚାଳିତ ହେବା ସହିତ ଚନ୍ଦ୍ରପୃଷ୍ଠରୁ ବହୁ ଉପାଦେୟ ତଥ୍ୟ ଲ୍ୟାଣ୍ଡର ବିକ୍ରମ ଜରିଆରେ ଭାରତର ନିୟନ୍ତ୍ରଣ କକ୍ଷକୁ ପଠାଇବ। ଏହା କେବଳ ବିଶ୍ୱରେ ଭାରତକୁ ଏକ ଗୌରବାନ୍ୱିତ ସ୍ଥାନ ଦେବ ନାହିଁ, ଭବିଷ୍ୟତର ନୂଆ ମହାକାଶ ବୈଷୟିକ ଜ୍ଞାନକୌଶଳ, ପାଣିପାଗ ଅଧ୍ୟୟନ, ଦୂରସଂବେଦୀ ନିରୀକ୍ଷଣ, ତାରକାଯୁଦ୍ଧ କାର୍ଯ୍ୟକ୍ରମ, ଟେଲି ଯୋଗାଯୋଗ, ଉପଗ୍ରହ ପରିଚାଳନା ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ସଫଳ ଏବଂ ଆତ୍ମନିର୍ଭରଶୀଳ ହୋଇପାରିବ। ପ୍ରଶ୍ନ ଉଠେ ଆମେରିକା ଓ ରୁଷିଆ ପରି ଦେଶର ମହାକାଶ ଯାନଗୁଡ଼ିକ ମାତ୍ର ୭ ଦିନରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିପାରୁଥିବା ବେଳେ ଚନ୍ଦ୍ରଯାନକୁ ଏତେ ସମୟ କାହିଁକି ଲାଗୁଛି? ଏଥିରେ ହିଁ ନିହିତ ଅଛି ଭାରତର ସଫଳ ମହାକାଶ ଗବେଷଣାର ମନ୍ତ୍ର। ଆମେରିକା ବା ରୁଷିଆର ଗୋଟିଏ ମହାକାଶ ଅଭିଯାନରେ ଯେତିକି ଅର୍ଥ ଖର୍ଚ୍ଚ ହୁଏ ସେଥିରେ ଭାରତ ପ୍ରାୟ ୫ ଟି ମହାକାଶ ଅଭିଯାନ କରିପାରିବ। ଭାରତୀୟ ମହାକାଶ ଗବେଷଣାର ସ୍ୱାତନ୍ତ୍ର୍ୟ ମହାକାଶ ଅଭିଯାନକୁ ଏତେ ସୁଲଭ କରିପାରିଛି ଯେ ବହୁ ରାଷ୍ଟ୍ର ସେମାନଙ୍କ ଉପଗ୍ରହ ପଠାଇବା ପାଇଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଉପରେ ଏବେ ଅଧିକରୁ ଅଧିକ ନିର୍ଭର କରୁଥିବା ଦେଖାଯାଉଛି।

ରୁଷର ଲୁନାର ୨୫ ବିଫଳ ହେବା ପରେ ଆମ ମନର ଗଭୀରତମ ପ୍ରଦେଶରେ କେଉଁଠି ନା କେଉଁଠି ଏକ ଆଶଙ୍କା ସୃଷ୍ଟି ହେଉଛି ଯେ ଯେଉଁଠାରେ ରୁଷ ବିଫଳ ହୋଇଛି ସେଠି ଆମେ ସଫଳ ହେବା ତ? କିନ୍ତୁ ଗତଥରର ବିଫଳତାରୁ ଆମେ ବହୁତ କିଛି ଶିକ୍ଷା ଲାଭ କରି ଏହି ପଦକ୍ଷେପରେ ଏ ପର୍ଯ୍ୟନ୍ତ ସଫଳ ହୋଇ ଆସିଛୁ। ଆସନ୍ତା ବୁଧବାର ସନ୍ଧ୍ୟା ୬ଟା ୪ମିନିଟରେ ପରିକ୍ରମା ଯାନ ବିକ୍ରମ ଜହ୍ନରାଇଜରେ ଓହ୍ଲାଇବ। ସେତେବେଳେ ଜହ୍ନମାମୁ ବୋଧେ ଗୀତ ଗୁଣୁଗୁଣୁ ହେଉଥିବେ ଆସ ବିକ୍ରମ ସରଗ ଶଶି, ମାମୁ ଘର ଅଗଣାରେ ପଡ଼ରେ ଖସି।

About The Author: The Sakala