ଆସନ୍ତା କାଲିଠାରୁ ରାଜ୍ୟବ୍ୟାପୀ ମାଟ୍ରିକ୍‌‌ ପରୀକ୍ଷା, ପରୀକ୍ଷାର୍ଥୀଙ୍କୁ ସଫଳତା ପାଇଁ ଶୁଭକାମନା!

ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦଶମ ଶ୍ରେଣୀ ବୋର୍ଡ ସାର୍ଟିଫିକେଟ୍‌‌ ପରୀକ୍ଷା। ଶିକ୍ଷା ଜୀବନର ମୂଳଦୁଆ ଭାବେ ବିବେଚିତ ଏହି ପରୀକ୍ଷା କେବଳ ଛାତ୍ରଛାତ୍ରୀଙ୍କ ମେଧାଶକ୍ତିର ପରିମାପକ ନୁହେଁ, ସମ୍ପୃକ୍ତ ସ୍କୁଲ୍‌‌ର ସୁନାମର ପରିଚାୟକ ମଧ୍ୟ। ଏଥିସହିତ ମିଶି ରହିଛି ବାପା, ମା’, ଅଭିଭାବକମାନଙ୍କ ଆଶା-ନିରାଶା, ଆନନ୍ଦ-ଦୁଃଖ ଜନିତ ଉନ୍ମାଦନା ଓ ଉତ୍କଣ୍ଠା। ସେହିଭଳି ପରୀକ୍ଷାର ସାମଗ୍ରିକ ଫଳ ନିର୍ଦ୍ଧାରଣ କରେ ଏକ ନିର୍ଦ୍ଦିଷ୍ଟ ଶିକ୍ଷାବର୍ଷରେ […]

ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦଶମ ଶ୍ରେଣୀ ବୋର୍ଡ ସାର୍ଟିଫିକେଟ୍‌‌ ପରୀକ୍ଷା। ଶିକ୍ଷା ଜୀବନର ମୂଳଦୁଆ ଭାବେ ବିବେଚିତ ଏହି ପରୀକ୍ଷା କେବଳ ଛାତ୍ରଛାତ୍ରୀଙ୍କ ମେଧାଶକ୍ତିର ପରିମାପକ ନୁହେଁ, ସମ୍ପୃକ୍ତ ସ୍କୁଲ୍‌‌ର ସୁନାମର ପରିଚାୟକ ମଧ୍ୟ। ଏଥିସହିତ ମିଶି ରହିଛି ବାପା, ମା’, ଅଭିଭାବକମାନଙ୍କ ଆଶା-ନିରାଶା, ଆନନ୍ଦ-ଦୁଃଖ ଜନିତ ଉନ୍ମାଦନା ଓ ଉତ୍କଣ୍ଠା। ସେହିଭଳି ପରୀକ୍ଷାର ସାମଗ୍ରିକ ଫଳ ନିର୍ଦ୍ଧାରଣ କରେ ଏକ ନିର୍ଦ୍ଦିଷ୍ଟ ଶିକ୍ଷାବର୍ଷରେ ରାଜ୍ୟର ଶୈକ୍ଷିକ ସ୍ଥିତି। ତେଣୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ସ୍ୱାଭାବିକ ଭାବେ ପରୀକ୍ଷାର୍ଥୀଙ୍କଠାରୁ ଆରମ୍ଭ କରି ଅଭିଭାବକ, ଶିକ୍ଷା ପରିଷଦର କର୍ମକର୍ତ୍ତା, ସମ୍ପୃକ୍ତ ସ୍କୁଲ୍‌‌ର ଶିକ୍ଷକ/ଶିକ୍ଷୟିତ୍ରୀ, ପରୀକ୍ଷା ପରିଚାଳନା ସହିତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ସର୍ବୋପରି ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଣିଦିଏ ଉତ୍କଣ୍ଠା।

ଚଳିତ ବର୍ଷ ୨୦ ଫେବୃଆରୀରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ୨, ୯୯୧ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ରକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସ୍ୱଚ୍ଛତା ରକ୍ଷା କରିବା ସହିତ ସୁପରିଚାଳନା ପାଇଁ ଯଥାସମ୍ଭବ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ମାର୍ଗଦର୍ଶିକା ଜାରି କରାଯାଇଛି। ଇତିମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ସରକାରୀ ବିଦ୍ୟାଳୟର ରୂପାନ୍ତରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ତେଣୁ ମାଟ୍ରିକ୍‌‌ ପରୀକ୍ଷା ପରିଚାଳନାରେ ଏହା ନିଶ୍ଚିତ ଭାବେ କର୍ତ୍ତୃପକ୍ଷ ଓ ପରୀକ୍ଷାର୍ଥୀଙ୍କ ପାଇଁ ଅଶେଷ ସହାୟକ ହେବ। ଏଥର ପ୍ରଥମ କରି ପରୀକ୍ଷା ପରିଚାଳନାକୁ ଶୃଙ୍ଖଳିତ କରିବା ପାଇଁ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ କରାଯାଇଛି। ମାର୍ଚ୍ଚ ୧୫ ତାରିଖରୁ ଖାତା ଦେଖା ଆରମ୍ଭ ହୋଇ ୧୨ ଦିନ ମଧ୍ୟରେ ଶେଷ ହେବ ଏବଂ ପରବର୍ତ୍ତୀ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ ହେବା ପରେ ଫଳାଫଳ ଆସନ୍ତା ମେ’ ମାସରେ ପ୍ରକାଶ ପାଇବ ବୋଲି ସ୍ଥିର କରାଯାଇଛି।

କେବଳ ଆମ ରାଜ୍ୟରେ ନୁହେଁ, ବିଭିନ୍ନ ରାଜ୍ୟସ୍ତରୀୟ ଏବଂ ଜାତୀୟ ସ୍ତରରେ ଦଶମ ଶ୍ରେଣୀ ପରୀକ୍ଷାକୁ ନେଇ ଅନେକ ଉତ୍କଣ୍ଠା ଭରି ରହିଥାଏ। ଏହି ପରୀକ୍ଷା ଫଳ ଉପରେ ପ୍ରାୟ ସମସ୍ତଙ୍କ ଦୃଷ୍ଟି ରହିଥିବାରୁ ଛାତ୍ରଛାତ୍ରୀମାନେ ଅତ୍ୟଧିକ ଚାପରେ ଥାଆନ୍ତି। ଏଥିସହିତ ଅଭିଭାବକମାନଙ୍କ ଉଚ୍ଚ ଆଶା ଓ ଆକାଂକ୍ଷା ପିଲାମାନଙ୍କୁ ଅଧିକ ଭାରାକ୍ରାନ୍ତ କରିଦିଏ, ଯାହା ସେମାନଙ୍କ ପରୀକ୍ଷା ଫଳକୁ ପ୍ରଭାବିତ କରିବାର ଆଶଙ୍କା ଥାଏ। ତେଣୁ ଏବେ ମନସ୍ତତ୍ତ୍ୱବିତ୍‌‌ ଓ ସମାଜ ବିଜ୍ଞାନୀମାନେ ଅଭିଭାବକଙ୍କ ଉଚ୍ଚ ଆକାଂକ୍ଷାକୁ ପରୀକ୍ଷାର୍ଥୀଙ୍କ ଉପରେ ଲଦି ନ ଦେବାକୁ ପରାମର୍ଶ ଦେଉଛନ୍ତି। ପରୀକ୍ଷାର ଏହି ମାନସିକ ଓ ଶାରୀରିକ ଚାପକୁ ଉପଲବ୍ଧି କରି ପରୀକ୍ଷାର୍ଥୀମାନଙ୍କୁ ଚାପମୁକ୍ତ କରିବା ପାଇଁ ଗତ କିଛିବର୍ଷ ହେଲା ଦେଶର ପ୍ରଧାନମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ପିଲାମାନଙ୍କ ସହିତ ଆଲୋଚନା କରିବାର ଏକ ସୁସ୍ଥ ପରମ୍ପରା ସୃଷ୍ଟି ହୋଇଛି।

ଛାତ୍ରଜୀବନରେ ଦଶମ ଶ୍ରେଣୀ ପରୀକ୍ଷା ଏବଂ ଏହାର ଫଳ ଘୋଷଣା ଏତେ ସମ୍ବେଦନଶୀଳ ଯେ ମେଧାବୀ ଛାତ୍ରଛାତ୍ରୀ ଏବଂ ଦୂରଦଷ୍ଟ୍ରା ଅଭିଭାବକମାନେ ପ୍ରାୟ ପାଞ୍ଚ/ଛଅ ବର୍ଷ ପୂର୍ବରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥା’ନ୍ତି। ତେଣୁ ପରୀକ୍ଷାର ଫଳ ପାଇଁ ସମସ୍ତଙ୍କ ଆତୁର-ଅପେକ୍ଷା ରହିବା ସ୍ୱାଭାବିକ। ଏଥିଯୋଗୁଁ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ବା ଆଶାଠାରୁ କମ୍‌‌ ନମ୍ବର ରଖିଥିବା ପିଲାମାନେ ମାନସିକ ଅବସାଦଗ୍ରସ୍ତ ହୁଅନ୍ତି। ଆଶାର ବିପରୀତ ଫଳ ଅନେକ ଛାତ୍ରଛାତ୍ରୀଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିଦେଉଥିବାରୁ ସେମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ପଛାନ୍ତି ନାହିଁ। ପରୀକ୍ଷା ଫଳ ସହିତ ତତ୍କାଳ ରୋଜଗାରର କୌଣସି ପ୍ରତ୍ୟକ୍ଷ ସମ୍ବନ୍ଧ ନାହିଁ ସତ, କିନ୍ତୁ ଏହାସହିତ ବ୍ୟକ୍ତିଗତ ଓ ପାରିବାରିକ ମାନ, ସମ୍ମାନ ଓ ସୁନାମ, ମର୍ଯ୍ୟାଦା ପରି କେତେକ ଶବ୍ଦ ଯୋଡ଼ି ହୋଇଯାଇଛି। ଏଥିସହିତ ଉଚ୍ଚଶିକ୍ଷା ପାଇଁ ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାର ଆଧାର ପାଲଟିଛି ଏହି ପରୀକ୍ଷା ଫଳ। ଏହିସବୁ କାରଣରୁ ଏବେ ମାଟ୍ରିକ ପରୀକ୍ଷା ଫଳ ଏକପ୍ରକାର ପ୍ରତିଯୋଗିତାରେ ପରିଣତ ହୋଇଯାଇଛି। ତେଣୁ ସ୍ୱାଭାବିକ ଭାବରେ ଏହି ସାର୍ବଜନୀନ ପ୍ରତିଯୋଗିତାରେ ପିଲାମାନଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଓ ସଫଳତା ଇଚ୍ଛା କରିବା ଅଭିଭାବକମାନଙ୍କର ଲକ୍ଷ୍ୟ ହୋଇସାରିଛି। ଏହି ଲକ୍ଷ୍ୟ କିନ୍ତୁ ପିଲାମାନଙ୍କୁ ସେମାନଙ୍କ ସ୍ୱାଭାବିକ ପ୍ରଦର୍ଶନରେ ବାଧକ ସାଜିଛି ବୋଲି ଶିକ୍ଷାବିତ୍‌‌ ଓ ମନସ୍ତତ୍ତ୍ୱବିତ୍‌‌ମାନେ ମତ ଦେଉଛନ୍ତି।

ଶିକ୍ଷା ଛାତ୍ରଛାତ୍ରୀଙ୍କ ଜୀବନର ମୂଳଦୁଆ। କିନ୍ତୁ ପରୀକ୍ଷାରେ ପ୍ରଦର୍ଶନକୁ ମେଧା ଓ ସ୍ମରଣଶକ୍ତି ସହିତ ଆହୁରି ଅନେକ କାରକ ପ୍ରଭାବିତ କରେ। ବିଶେଷକରି ପରୀକ୍ଷା ସମୟରେ ଏହି ବାହ୍ୟ କାରକମାନଙ୍କର ପ୍ରଭାବ ଅଧିକ ହୋଇଥାଏ। ତେଣୁ ପରୀକ୍ଷା ପୂର୍ବରୁ, ପରୀକ୍ଷା ସମୟରେ ଏବଂ ପ୍ରତି ବିଷୟର ପରୀକ୍ଷା ମଝିରେ ଥିବା ସମୟରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ରଖିବା ପାଇଁ ସମାଜବିଜ୍ଞାନୀ ଓ ମନସ୍ତତ୍ତ୍ୱବିତ୍‌‌ମାନେ କେତେକ ଉପଦେଶ ଦେଇଛନ୍ତି। ତାହା ହେଲା, ପରୀକ୍ଷାରେ ପ୍ରଶ୍ନର ସର୍ବୋତ୍ତମ ସଠିକ୍‌‌ ଉତ୍ତର ଲେଖିବା ପରୀକ୍ଷାର୍ଥୀର କର୍ତ୍ତବ୍ୟ। କିନ୍ତୁ ତାହାର ଫଳ କ’ଣ ହେବ କେତେ ନମ୍ବର ମିଳିବ ତାହା ଉପରେ ପରୀକ୍ଷାର୍ଥୀର ଅଧିକାର ନାହିଁ। କାରଣ ନମ୍ବର କେତେ ମିଳିବ, ତାହା ମୂଲ୍ୟାଙ୍କନ କରୁଥିବା ଶିକ୍ଷକଙ୍କ ଉପରେ ନିର୍ଭର କରେ। ତେଣୁ ନମ୍ବର ଆଶାରେ ବା ମୂଲ୍ୟାୟନକୁ ଲକ୍ଷ୍ୟ ରଖିଲେ ପରୀକ୍ଷାରେ ଆଶାନୁରୂପ ପ୍ରଦର୍ଶନ ବ୍ୟାହତ ହେବା ସ୍ୱାଭାବିକ। ସେହିପରି କିଏ କାହାଠାରୁ କେତେ ଅଧିକ ଭଲ ଲେଖିଛି, କେତେ ଅଧିକ ନମ୍ବର ଆଶା କରୁଛି ତାହାର ତୁଳନା ମଧ୍ୟ ନିଜେ ପରୀକ୍ଷାର୍ଥୀ କିମ୍ବା ସେମାନଙ୍କ ଅଭିଭାବକ କରିବା ଅନୁଚିତ। କାରଣ ଏହା ଆଗାମୀ ବିଷୟର ପରୀକ୍ଷାକୁ ପ୍ରଭାବିତ କରିବାର ଆଶଙ୍କା ଅଧିକ ରହିଛି। ତେଣୁ ଗତ ବିଷୟର ପରୀକ୍ଷାର ପ୍ରଦର୍ଶନକୁ ଭୁଲି ଆଗକୁ ଥିବା ବିଷୟ ପ୍ରତି ଅଧିକ ଯତ୍ନଶୀଳ ହେବା ନିହାତି ଜରୁରୀ। ସେହିପରି ବାର୍ଷିକ ବୋର୍ଡ ପରୀକ୍ଷା ପୂର୍ବରୁ ହେଉଥିବା ଅର୍ଦ୍ଧବାର୍ଷିକ ଓ ତ୍ରୟମାସିକ ପରୀକ୍ଷା ଫଳ ଆଧାରରେ ଅଭିଭାବକମାନେ ନିଜ ପିଲାଙ୍କୁ ଅନ୍ୟ ପିଲାଙ୍କ ସହିତ ତୁଳନା କରିବା ଉଚିତ ନୁହେଁ। ଏପରି ଅନେକ ଉଦାହରଣ ରହିଛି ଯେଉଁଥିରେ ଷାଣ୍ମାସିକ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନେ ବାର୍ଷିକ ପରୀକ୍ଷାରେ ତୁଳନାତ୍ମକ ଭାବେ କମ୍‌‌ ନମ୍ବର ରଖନ୍ତି ଏବଂ ମାଟ୍ରିକ ପରୀକ୍ଷାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପିଲାମାନେ ପରବର୍ତ୍ତୀ ଉଚ୍ଚଶିକ୍ଷା ପରୀକ୍ଷାରେ ସେହି ସମାନ ସଫଳତାର ଧାରା ବଜାୟ ରଖିପାରନ୍ତି ନାହିଁ।

ଏହି ପୃଷ୍ଠଭୂମିରେ ଆଉ ଦିନକ ପରେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାକୁ ସମ୍ମୁଖୀନ ହେବାକୁ ଯାଉଥିବା ପରୀକ୍ଷାର୍ଥୀମାନଙ୍କୁ ଆମର ଉପଦେଶ ହେଲା ଯେ ମାଟ୍ରିକ ପରୀକ୍ଷା ଶିକ୍ଷାଜୀବନରେ ସର୍ବାଧିକ ଗୁରୁତ୍ୱ ବହନ କରେ ସତ; କିନ୍ତୁ ଏହା ଜୀବନର ସର୍ବଶ୍ରେଷ୍ଠ ପରୀକ୍ଷା ନୁହେଁ। ଜୀବନରେ ଆହୁରି ଏଭଳି ସ୍ତର ଓ କ୍ଷେତ୍ର ରହିଛି, ଯେଉଁଠାରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନର ଅନେକ ସୁଯୋଗ ଆସିବ। ତେଣୁ କେବଳ ମାଟ୍ରିକ ପରୀକ୍ଷା ଓ ଏହାର ଫଳରେ ହୀନମନ୍ୟତା ଓ ହତୋତ୍ସାହିତ ହେବାର କାରଣ ନାହିଁ। ବାପାମା’ମାନେ ମଧ୍ୟ ସେମାନଙ୍କ ପିଲାମାନଙ୍କୁ ସୁନା ଅଣ୍ଡା ଦିଆ କୁକୁଡ଼ା ବୋଲି ବିବେଚନା କରନ୍ତୁ ନାହିଁ। କାରଣ ସବୁପିଲା କେତେକ ନିର୍ଦ୍ଦିଷ୍ଟ ଓ ସୀମିତ କ୍ଷମତା, ଦକ୍ଷତା, ପ୍ରତିଭା ଓ ଗୁଣାବଳୀ ଧରି ଜନ୍ମ ନେଇଥା’ନ୍ତି। ମଣିଷ ଜୀବନରେ ଅଧ୍ୟବସାୟ ଅପରିହାର୍ଯ୍ୟ ନିଶ୍ଚୟ। ଫଳ କିନ୍ତୁ କର୍ମାନୁଯାୟୀ ହେବା ଅବଧାର୍ଯ୍ୟ ନୁହେଁ। ଫଳରେ ଆଶା ରଖିଲେ କର୍ମ ପ୍ରଭାବିତ ହୁଏ। ନିରାଶା ଆସେ। ଅପରପକ୍ଷେ ଫଳରହିତ କର୍ମ ପ୍ରତି ନିଷ୍ଠା ରହିଲେ ବିଭୁଦତ୍ତ ସଫଳତା ଆପେ ଆପେ ଆସିଯିବ। ଆନନ୍ଦର ମାର୍ଗ ଖୋଲିଯିବ। ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ‘ସକାଳ’ ପରିବାର ତରଫରୁ ଅଶେଷ ଶୁଭକାମନା।

About The Author: The Sakala