ଚଳିତ ବର୍ଷ ନଭେମ୍ବର ୫ରେ ବିଶ୍ୱର ସବୁଠୁ ଉନ୍ନତ ଓ ପ୍ରତିପତ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ସ୍ପଷ୍ଟ ହୋଇସାରିଛି। ଦେଶର ଦୁଇ ପ୍ରମୁଖ ରାଜନୈତିକ ଦଳ ରିପବ୍ଲିକାନ୍ ଓ ଡେମୋକ୍ରାଟିକ୍ ପାର୍ଟିର ପରବର୍ତ୍ତୀ ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ ତାହା ସ୍ଥିର ହୋଇଛି। ୧୯୫୬ ପରେ ପ୍ରଥମ ଥର ପାଇଁ ଦୁଇଦଳ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପୁନର୍ବାର ବାଛିଛନ୍ତି। ଅଥାତ୍ ରିପବ୍ଲିକାନ୍ ପାର୍ଟି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତୃତୀୟ ଥର ପ୍ରାର୍ଥର୍ୀ କରିଥିବା ବେଳେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ତାଙ୍କ ଡେମୋକ୍ରାଟିକ୍ ଦଳ ପୁନର୍ବାର ପ୍ରାର୍ଥୀ ଭାବେ ମନୋନୀତ କରିଛି। ଅର୍ଥାତ୍ ଦୁଇ ପ୍ରତିଦ୍ୱନ୍ଦ୍ୱୀ ପରସ୍ପର ମଧ୍ୟରେ ଦ୍ୱିତୀୟ ଥର ଲଢ଼ିବେ, ଯାହା ଆମେରିକୀୟ ନିର୍ବାଚନରେ ‘ରିମ୍ୟାଚ୍’ ନାମରେ ପରିଚିତ। ସେଠାକାର ଲୋକପ୍ରତିନିଧି ଆଇନ ଓ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଯୋଗ୍ୟ ବିବେଚିତ ହେବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ସେ ଦେଶର ବିଭିନ୍ନ ରାଜ୍ୟର ପ୍ରାଥମିକ ନିର୍ବାଚନ ମଣ୍ଡଳୀ ପ୍ରାଇମେରୀ ମଧ୍ୟରୁ ନିଜ ଦଳରେ ସଂଖ୍ୟାଗରିଷ୍ଠ ସମର୍ଥନ ହାସଲ କରିବା ଦରକାର। ଉଭୟ ଟ୍ରମ୍ପ ଓ ବାଇଡେନ୍ ଆବଶ୍ୟକ ପ୍ରାଇମେରୀ ଜିତି ନିଜ ନିଜର ପ୍ରାର୍ଥିତ୍ୱ ଯୋଗ୍ୟତା ହାସଲ କରିଛନ୍ତି। ବାଇଡେନ୍ଙ୍କୁ ଆବଶ୍ୟକ ପଢ଼଼ୁଥିବା ୧୯୬୮ ପ୍ରାଇମେରୀ ସଦସ୍ୟଙ୍କ ସମର୍ଥନ ମିଳିଥିବା ବେଳେ ଟ୍ରମ୍ପ ମଧ୍ୟ ଆବଶ୍ୟକ ସଂଖ୍ୟକ ପ୍ରାଇମେରୀ ସମର୍ଥନ ହାସଲ କରିଛନ୍ତି। ତେବେ ଦେଶର ସୁପର ୩୦ ଷ୍ଟେଟ୍ ଭାବେ ପରିଚିତ ଜର୍ଜିଆରେ ବାଇଡେନ୍ ଜିତିଛନ୍ତି। ଏହି ରାଜ୍ୟରେ ଟ୍ରମ୍ପଙ୍କ ବିରୋଧରେ ଗତ ଥର ନିର୍ବାଚନରେ ଭୋଟ ଚୋରି ଘଟଣାକୁ ନେଇ ଏକ ମାମଲା ରହିଛି। ତେବେ ୱାଶିଂଟନ୍ରେ ଟ୍ରମ୍ପଙ୍କ ବିଜୟ ତାଙ୍କୁ ପ୍ରାର୍ଥୀ ହେବାକୁ ଦରକାର ପଡ଼ୁଥିବା ୧୨୧୫ ପ୍ରାଇମେରୀ ଡେଲିଗେଟ୍ସ ଭୋଟ ଯୋଗାଇ ଦେଇଛି।
ସୁତରାଂ ଯୁକ୍ତରାଷ୍ଟ୍ର ଆମେରିକାରେ ଲମ୍ବା ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସେଠାକାର ବ୍ୟବସ୍ଥାରେ ଦେଶର ସଂଘୀୟ ଅଂଶୀଦାର ରାଜ୍ୟମାନେ ଦୁଇଦଳର ପ୍ରତିନିଧିଙ୍କୁ ବାଛିବେ ଏବଂ ସେମାନଙ୍କ ସମର୍ଥନ ଆଧାରରେ ରାଷ୍ଟ୍ରପତି ପରୋକ୍ଷ ଭାବେ ନିର୍ବାଚିତ ହେବେ। ଦେଶର ୫୦ ରାଜ୍ୟ ମଧ୍ୟରୁ ଯେଉଁଠି ଜଣେ ପ୍ରାର୍ଥୀଙ୍କୁ ୫୦ ଶତାଂଶରୁ କମ୍ ଭୋଟ ମିଳିବ ସେ ରାଜ୍ୟର ସବୁ ଭୋଟ ବିପକ୍ଷ ଦଳ ସପକ୍ଷରେ ଯିବ। ତେଣୁ ପ୍ରତିଥର ମତାମତ ଓ ସମର୍ଥନ ବଦଳାଉଥିବା ଆମେରିକାର ସୁଇଙ୍ଗ ଷ୍ଟେଟ୍ଗୁଡି଼କର ଏହି ନିର୍ବାଚନରେ ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ। ତେବେ ବଡ଼ ବଡ଼ ରାଜ୍ୟରେ ଯିଏ ସଂଖ୍ୟାଗରିଷ୍ଠତା ପାଇବ, ତାହାର ବିଜୟ ପ୍ରାୟ ନିଶ୍ଚିତ। ଖୁବ୍ଶୀଘ୍ର ଜାତୀୟ କନ୍ଭେନ୍ସନ୍ ବସି ଉଭୟ ଦଳ ନିଜ ନିଜର ପ୍ରାର୍ଥୀଙ୍କୁ ଆନୁଷ୍ଠାନିକ ଭାବେ ଘୋଷଣା କରିବେ। ଏହାପରେ ରାଷ୍ଟ୍ରପତି ପ୍ରାର୍ଥୀ ନିଜ ନିଜର ଉପରାଷ୍ଟ୍ରପତି ପ୍ରାର୍ଥୀତ୍ୱକୁ ବାଛିବେ।
ଆମେରିକାରେ ନିର୍ବାଚକମାନେ ବୟସ ଦେଖନ୍ତି ନାହିଁ। ତେଣୁ ସେଠାରେ ପ୍ରାୟତଃ ଅତି ବୟସ୍କ ଓ ଅଭିଜ୍ଞ ବ୍ୟକ୍ତିମାନେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ହୋଇଛନ୍ତି। ଖୁବ୍ କମ୍ ନେତା ଅଳ୍ପ ବୟସରେ ମଧ୍ୟ ରାଷ୍ଟ୍ରପତି ହୋଇଛନ୍ତି। ବିଶ୍ୱର ଅନ୍ୟତମ ପୁରୁଣା ଏହି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏ ଯାବତ୍ କୌଣସି ମହିଳା ରାଷ୍ଟ୍ରପତି ହୋଇ ନଥିବା ବେଳେ ପ୍ରଥମ ଥର ପାଇଁ ବାରାକ୍ ଓବାମା ଯେ କି ଜଣେ କଳା ଆମେରିକୀୟ ପ୍ରଥମ ଥର ହ୍ୱାଇଟ୍ ହାଉସ୍କୁ ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଭାବେ ଯିବାର ସୌଭାଗ୍ୟ ପାଇଛନ୍ତି। ସମ୍ଭବତଃ ଡେମୋକ୍ରାଟିକ୍ ଦଳ ଉଦାରବାଦୀ, ଗଣତାନ୍ତ୍ରିକ ବିଚାରସମ୍ପନ୍ନ ଏବଂ ସମାବେଶୀ। ଏହା ଆମେରିକାର ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିଲେ ମଧ୍ୟ ପରରାଷ୍ଟ୍ର ଓ ବିଶ୍ୱ ବ୍ୟାପାରରେ ଉଦାରବାଦୀ ଏବଂ ମାନବବାଦୀ ଭୂମିକାକୁ ଅଗ୍ରାଧିକାର ଦିଏ। ଏହି ଦଳ ମଧ୍ୟ ଯୁଦ୍ଧବିଗ୍ରହ ଓ ଆଞ୍ଚଳିକ ଅସ୍ଥିରତାକୁ ବିଶେଷ ପ୍ରୋତ୍ସାହିତ କରେ ନାହିଁ। ଅପରପକ୍ଷରେ ରିପବ୍ଳିକାନ୍ ଦଳ ରକ୍ଷଣଶୀଳ, ଗୋରାମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ସହିତ ଅଧିକ ଆକ୍ରମଣାତ୍ମକ। ଏହି ଦଳ ଯୁଦ୍ଧଖୋର ଓ ଅସ୍ଥିରତାର ସପକ୍ଷବାଦୀ। ବାଇଡେନ୍ଙ୍କୁ ଏବେ ୮୧ ବର୍ଷ ବୟସ ଏବଂ ସେ ସ୍ମୃତିବିଭ୍ରମ ସହିତ ବିଭିନ୍ନ ବୟସାଧିକ୍ୟ ସମସ୍ୟାର ସମ୍ମୁଖୀନ। ଅପରପକ୍ଷରେ ଡୋନାଲ୍ଡ ଟ୍ରମ୍ପଙ୍କ ବୟସ ୭୭ ବର୍ଷ। ଏହାସତ୍ତ୍ବେ ଦୁଇ ଦଳ ନିଜ ନିଜର ବୟସ୍କ ପ୍ରାର୍ଥୀଙ୍କୁ ପୁନଃ ମନୋନୀତ କରିବା ପଛରେ ସେମାନଙ୍କର ନିର୍ଦ୍ଦିଷ୍ଟ କିଛି ଯୁକ୍ତି ଥିବ।
ଡେମୋକ୍ରାଟିକ୍ମାନେ ପାରମ୍ପରିକ ଭାବେ ଭାରତର ବନ୍ଧୁ। ଏମାନଙ୍କୁ ଆଜିର ପରିବର୍ତ୍ତିତ ଆମେରିକାର ସବୁବର୍ଗର ଲୋକେ ସମର୍ଥନ କରନ୍ତି। ଅପରପକ୍ଷରେ ରିପବ୍ଲିକାନ୍ମାନେ ଭାରତ ସହିତ ମାପିଚୁପି ସମ୍ପର୍କ ରକ୍ଷା କରନ୍ତି। ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହି ଟ୍ରମ୍ପଙ୍କର ସମ୍ପର୍କ ମଧୁର। ଉଭୟ ଦେଶ ‘ରାଷ୍ଟ୍ରପ୍ରଥମ’ ନୀତିର ଦୃଢ଼ ସମର୍ଥକ। ବିଶେଷଜ୍ଞମାନଙ୍କ କହିବା ଅନୁସାରେ ରୁଷିଆ-ୟୁକ୍ରେନ୍ ଲଢ଼େଇ ଓ ଇସ୍ରାଏଲ୍-ହମାସ୍ ଯୁଦ୍ଧରେ ରାଷ୍ଟ୍ରପତି ବାଇଡେନ୍ ସରକାରଙ୍କ ଭୂମିକା ଏବଂ ତାଙ୍କ ଆର୍ଥିକ ଓ ବିଦେଶ ନୀତିକୁ ଅଧିକାଂଶ ଆମେରିକୀୟ ସମର୍ଥନ କରୁ ନଥିବାରୁ ସେ ପରାଜିତ ହେବା ଆଶଙ୍କା ଏଥର ଅଧିକ। ଅନ୍ୟପଟରେ ରୁଷିଆ ଟ୍ରମ୍ପଙ୍କର ଜଣେ ବଡ଼ ସମର୍ଥକ ଏବଂ ଗତ ନିର୍ବାଚନରେ ମସ୍କୋ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଗୁପ୍ତ ହସ୍ତକ୍ଷେପ କରିଥିବା ଅଭିଯୋଗ ଆସିଥିଲା। ଅବଶ୍ୟ ରୁଷ ରାଷ୍ଟ୍ରପତି କହିଛନ୍ତି ଯେ ଏଥର ସେ ଆମେରକା ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ କରିବେ ନାହିଁ। ତେବେ ଟ୍ରମ୍ପ-ପୁଟିନଙ୍କ ମିତ୍ରତାର ପ୍ରଭାବ ଆମେରିକା ରାଷ୍ଟ୍ରପତି ନିର୍ବାନକୁ କିପରି ପ୍ରଭାବିତ କରିବ ତାହା ଏବେଠାରୁ ଆକଳନ କରି ହେବ ନାହିଁ। ଦେଶ ବାସ୍ତବରେ ଟ୍ରମ୍ପଙ୍କ ଭଳି ଜଣେ ଟାଣୁଆ ନେତା ଚାହୁଁଛି ନା ବାଇଡେନ୍ଙ୍କ ଭଳି ଉଦାରବାଦୀ ରାଷ୍ଟ୍ରପତି ଲୋଡ଼ୁଛି ତାହା ନଭେମ୍ବର ନିର୍ବାଚନରେ ସ୍ପଷ୍ଟ ହୋଇଯିବ।
ସଂଯୋଗବଶତଃ ଭାରତରେ ମଧ୍ୟ ଏଥର ଲୋକସଭା ନିର୍ବାଚନ ହେଉଛି ଏବଂ ଆଜି ତାହାର କାର୍ଯ୍ୟସୂଚୀ ଘୋଷଣା ହେବାର ସମ୍ଭାବନା ରହିଛି। ଭାରତର ଜାତୀୟ ରାଜନୈତିକ ସ୍ଥିତି ଯାହା, ସେଥିରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସୁବିଧାଜନକ ସ୍ଥିତିରେ ଅଛନ୍ତି ଏବଂ ସେ ପୁନଃନିର୍ବାଚିତ ହେବା ସମ୍ଭାବନା ଅଧିକ। ଭାରତ-ଆମେରିକା ସମ୍ପର୍କ ବହୁପୁରୁଣା ଓ ନିବିଡ଼। ରୁଷ ସହିତ ଉତ୍ତମ ସମ୍ପର୍କ ସତ୍ତ୍ବେ ଭାରତ-ଆମେରିକା ସମ୍ପର୍କ ବିଶେଷ ପ୍ରଭାବିତ ହୋଇନାହିଁ। ମୋଦୀ-ଟ୍ରମ୍ପ ସମ୍ପର୍କ ଭଲ ଏବଂ ଯଦି ଆମେରିକାରେ ସତ୍ତା ପରିବର୍ତ୍ତନ ହେବ, ସେଥିରେ ଭାରତର ଲାଭ ନିହିତ। ଚୀନ୍କୁ ନିରାପଦ ଦୂରତ୍ୱରେ ରଖି ରୁଷିଆ ସହିତ ବନ୍ଧୁତ୍ୱ ରକ୍ଷା କରି ଆମେରିକାର ବିଶ୍ୱାସଭାଜନ ହେବା ଭାରତର ପ୍ରଥମ ଆବଶ୍ୟକତା। ବାଣିଜ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଆମେରିକା ଭାରତର ସର୍ବବୃହତ୍ ଅଂଶୀଦାର। ପୁଞ୍ଜି ନିବେଶଠାରୁ ଆରମ୍ଭ କରି ପ୍ରତିରକ୍ଷା, ଟେକ୍ନୋଲଜି, ଭାରତୀୟଙ୍କ ନିଯୁକ୍ତି ଆଦି ସବୁକ୍ଷେତ୍ରରେ ଭାରତ ପାଇଁ ଆମେରିକା ପ୍ରଥମ ପସନ୍ଦ। ତେଣୁ ଟ୍ରମ୍ପ ଜିତିଲେ ଭାରତର ଲାଭ ଏବଂ ହାରିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ।