କାଶ୍ମୀରରେ ପୁଣି ଆତଙ୍କବାଦୀ କାର୍ଯ୍ୟକଳାପ: କେନ୍ଦ୍ର ଦ୍ୱାରା ଆଶୁ ଦୃଢ଼ ପଦକ୍ଷେପର ସମ୍ଭାବନା

ଜାମ୍ମୁ ଓ କାଶ୍ମୀରରେ ଚାରିଦିନ ମଧ୍ୟରେ ଚାରିଟି ଆତଙ୍କବାଦୀ ଘଟଣା ସେହି ଅଞ୍ଚଳର ସାମଗ୍ରିକ ନିରାପତ୍ତା ପାଇଁ ଅକସ୍ମାତ ଏକ ଆହ୍ୱାନ ଭାବେ ଛିଡ଼ା ହୋଇଛି। ଧାରା ୩୭୦ର ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ଦମନ ଓ ଶାନ୍ତି ପ୍ରତିଷ୍ଠାର ଯେଉଁ ନୂଆ ଧାରା ଆରମ୍ଭ ହୋଇଥିଲା ସେଥିରେ ହଠାତ୍‌‌ ଏକ ବ୍ୟତିକ୍ରମ ଘଟିଛି। ଦେଶରେ ନୂଆ ସରକାର ଶପଥ ନେଉଥିବା ସମୟରେ ଏହି ଘଟଣା ଘଟୁଛି ଏବଂ ଆହୁରି ମଧ୍ୟ କାଶ୍ମୀରୀ ଆତଙ୍କବାଦୀ ପ୍ରଥମ ଥର […]

ଜାମ୍ମୁ ଓ କାଶ୍ମୀରରେ ଚାରିଦିନ ମଧ୍ୟରେ ଚାରିଟି ଆତଙ୍କବାଦୀ ଘଟଣା ସେହି ଅଞ୍ଚଳର ସାମଗ୍ରିକ ନିରାପତ୍ତା ପାଇଁ ଅକସ୍ମାତ ଏକ ଆହ୍ୱାନ ଭାବେ ଛିଡ଼ା ହୋଇଛି। ଧାରା ୩୭୦ର ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ଦମନ ଓ ଶାନ୍ତି ପ୍ରତିଷ୍ଠାର ଯେଉଁ ନୂଆ ଧାରା ଆରମ୍ଭ ହୋଇଥିଲା ସେଥିରେ ହଠାତ୍‌‌ ଏକ ବ୍ୟତିକ୍ରମ ଘଟିଛି। ଦେଶରେ ନୂଆ ସରକାର ଶପଥ ନେଉଥିବା ସମୟରେ ଏହି ଘଟଣା ଘଟୁଛି ଏବଂ ଆହୁରି ମଧ୍ୟ କାଶ୍ମୀରୀ ଆତଙ୍କବାଦୀ ପ୍ରଥମ ଥର ପାଇଁ ଅପେକ୍ଷାକୃତ ଅଧିକ ଶାନ୍ତିପୂର୍ଣ୍ଣ ଜାମ୍ମୁୁ ଅଞ୍ଚଳକୁ ନିଶାଣ କରିଛନ୍ତି। ବିଶେଷକରି ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍‌‌ ଉପରେ ଆତଙ୍କବାଦୀ ଆକ୍ରମଣ କରିବା ଏବଂ ସେଥିରେ ୯ ଜଣ ନିହତ ହେବା ସହିତ ୪୧ ଆହତ ହେବା ନିଶ୍ଚିତ ଉଦବେଗଜନକ ଘଟଣା।

ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ ଓ କାଶ୍ମୀରର ନିରାପତ୍ତା ସ୍ଥିତିର ସମୀକ୍ଷା କରିବା ସହିତ ସବୁପ୍ରକାର ପ୍ରତିକାରମୂଳକ ପଦକ୍ଷେପ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷ ଓ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇଦିନିଆ ବିଦେଶଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ସେଠାକାର ପରିସ୍ଥିତି ସମ୍ପର୍କରେ ଅଧିକ ଆଲୋଚନା କରି ହୁଏତ ଆହୁରି କଠୋର ପଦକ୍ଷେପ ନେଇପାରନ୍ତି। ୨୦୨୨ରୁ ଆତଙ୍କବାଦୀମାନେ ଜାମ୍ମୁ ଓ କାଶ୍ମୀରରେ ନୂଆ ରଣକୌଶଳ ଅବଲମ୍ବନ କରି ବାଛି ବାଛି ଲୋକଙ୍କୁ ହତ୍ୟା କରିବା ସହିତ ଆତଙ୍କବାଦ ଭିଆଇଛନ୍ତି। ସେମାନଙ୍କର କାର୍ଯ୍ୟାନୁଷ୍ଠାନ ବିକ୍ଷିପ୍ତ ଏବଂ ଲକ୍ଷ୍ୟଭିତ୍ତିକ ହେଉଛି। ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବାରେ ନିରାପତ୍ତା ବାହିନୀ ବିଶେଷ ସଫଳ ହୋଇପାରୁନାହିଁ।

ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଏହି ପୁନଃସକ୍ରିୟତାର କାରଣ ସ୍ପଷ୍ଟ। ସେଠାରେ ସାଧାରଣ ନିର୍ବାଚନ ଶୃଙ୍ଖଳାର ସହିତ ଶେଷ ହୋଇଛି ଏବଂ ଅଧିକରୁ ଅଧିକ ଲୋକ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏଥିସହିତ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ କରାଇବାକୁ ନିର୍ବାଚନ ଆୟୋଗ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେଣୁ ନିର୍ବାଚନକୁ ଭଣ୍ଡୁର କରିବା ସହିତ ସେଠାରେ ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟାର ଯେଉଁ ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଛି ତାହାକୁ ବିଗାଡ଼ିବା ଆତଙ୍କବାଦୀଙ୍କ ପ୍ରଥମ ଲକ୍ଷ୍ୟ। ଏହା ଜଳ ଜଳ ଦେଖାଯାଉଛି। ନୂଆ କାଶ୍ମୀର ନିର୍ମାଣ ଓ ସେଠାରେ ପରିସ୍ଥିତି ସ୍ୱାଭାବିକ ହେବା ଆତଙ୍କବାଦୀ ଏବଂ ସେମାନଙ୍କ ଧର୍ମପିତା ପାକିସ୍ତାନ ଚାହୁଁନାହିଁ। ପାକିସ୍ତାନରେ ଥିବା କାଶ୍ମୀର ଆତଙ୍କବାଦୀ ସଂଗଠନର ମୁଖ୍ୟମାନେ ସ୍ଥାନୀୟ କାଶ୍ମୀରୀ ଯୁବକମାନଙ୍କୁ ଏଥର ବ୍ୟବହାର କରୁଥିବା ପ୍ରମାଣ ସ୍ପଷ୍ଟତର ହେଉଛି। ଏହି ଆତଙ୍କବାଦର ନିୟନ୍ତ୍ରଣ କେନ୍ଦ୍ର ରହିଛି ପାକ୍‌‌ ଅଧିକୃତ କାଶ୍ମୀରରେ।

ଭାରତ ପୁନର୍ବାର ସେହି ଇଲାକା ଉପରେ ସର୍ଜିକାଲ୍‌‌ ଷ୍ଟ୍ରାଇକ୍‌‌ କରିବ କି ଅନ୍ୟ ରଣକୌଶଳାତ୍ମକ ପଦକ୍ଷେପ ନେବ ତାହା ପ୍ରଧାନମନ୍ତ୍ରୀ ସ୍ୱଦେଶ ଫେରିବା ପରେ ସ୍ପଷ୍ଟ ହେବ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ୍‌‌ ସରିଫ୍‌‌ ଓ ତାଙ୍କ ବଡ଼ଭାଇ ନୱାଜ୍‌‌ ସରିଫ୍‌‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା ଉପଲକ୍ଷେ ଅଭିନନ୍ଦନ ଜଣାଇଥିବା ବେଳେ କାଶ୍ମୀରରେ ଏଭଳି କାଣ୍ଡ ଘଟିବା ନିଶ୍ଚୟ ଦୁର୍ଭାଗ୍ୟଜନକ। ତେବେ ସତକଥା ହେଉଛି ଭାରତ କୂଟନୈତିକ ସ୍ତରରେ ଆଫ୍‌‌ଗାନିସ୍ତାନର ତାଲିବାନ୍‌‌ ଆତଙ୍କବାଦୀଙ୍କ ସହିତ ଯୋଗାଯୋଗ ରକ୍ଷା କରିବା ପରେ ପାକିସ୍ତାନର ସାମରିକ ଗୁଇନ୍ଦା ସଂସ୍ଥା ଆଇଏସ୍‌‌ଆଇ ଓ ଆତଙ୍କବାଦୀ ନେତାମାନେ ବିବ୍ରତ ହୋଇପଡ଼ିଛନ୍ତି। ଆଫ୍‌‌ଗାନ୍‌‌ ତାଲିବାନ୍‌‌ ଗୋଷ୍ଠୀର ସମ୍ପର୍କ ଏବେ ପାକିସ୍ତାନ ସହିତ ଭଲ ନାହିଁ ଏବଂ ଦୁଇଦେଶର ସୀମାନ୍ତରେ ଉତ୍ତେଜନା ଲାଗି ରହିଛି। ତେଣୁ ହତୋତ୍ସାହିତ ଆଇଏସ୍‌‌ଆଇ ରିମୋଟ କଣ୍ଟ୍ରୋଲ୍‌‌ ବ୍ୟବସ୍ଥାରେ କାଶ୍ମୀର ଆତଙ୍କବାଦୀଙ୍କୁ ପୁନର୍ବାର ସକ୍ରିୟ କରିବାକୁ ଉଦ୍ୟମ କରୁଛି।

ଧାରା ୩୭୦ର ଉଚ୍ଛେଦ ପରେ ୨୦୧୯ରୁ ଜାମ୍ମୁ-କାଶ୍ମୀରରେ ଏକ ନୂଆ ଯୁଗ ଆରମ୍ଭ ହୋଇଥିଲା। ଏହାର ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ ସହିତ ଏହି ଭୂଖଣ୍ଡକୁ ଦୁଇଭାଗ କରି ଜାମ୍ମୁ କାଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ସୃଷ୍ଟି କରାଯାଇଛି। ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କାଏମ୍‌‌ ରଖିଛନ୍ତି। ଏହାଫଳରେ ୧୯୪୭ରୁ କାଶ୍ମୀର ଯେଉଁ ସ୍ୱତନ୍ତ୍ର ସୁବିଧା ସୁଯୋଗ ପାଇ ନିଜର ଏକ ବିଶେଷାଧିକାର ଉପଭୋଗ କରୁଥିଲା ତାହାର ଅବସାନ ଘଟିଛି। ଏହା ଭାରତର ମୂଳ ଭୂଖଣ୍ଡ ଭିତରେ ରହି ଦେଶର ଶାସନ, ଆଇନ ଓ ସାମ୍ବିଧାନିକ ବିଧିବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ଧାରା ୩୭୦ର ଉଚ୍ଛେଦ ପରେ ସେଠାରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କୁ ଅଖଣ୍ଡ କ୍ଷମତା ମିଳିବା ପରେ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରାୟ ନଥିଲା। ଲୋକେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଲାଭ ସିଧାସଳଖ ପାଇ ଉପକୃତ ହେବା ସହିତ ଶାନ୍ତି ଶୃଙ୍ଖଳା ଫେରିବାରୁ ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଥିଲା। ପର୍ଯ୍ୟଟନ କାଶ୍ମୀରର ସବୁଠୁ ବଡ଼ ରାଜସ୍ୱ ଉତ୍ସ ଏବଂ ଏଥିରେ ସ୍ଥାନୀୟ ଲୋକେ ବହୁମାତ୍ରାରେ ରୋଜଗାରର ସୁଯୋଗ ପାଇଥା’ନ୍ତି।

ସେଠି ପଞ୍ଚାୟତ ଓ ଲୋକସଭା ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ଶେଷ ହେବା ପରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ବିଧାନସଭା ନିର୍ବାଚନ ପରେ ପରିସ୍ଥିତି ସ୍ୱାଭାବିକ ହେଲେ ଜାମ୍ମୁ-କାଶ୍ମୀରକୁ ପୁନର୍ବାର ରାଜ୍ୟ ପାହ୍ୟା ପ୍ରଦାନ କରାଯିବାର ସମ୍ଭାବନା ଦୃଢ଼ୀଭୂତ ହୋଇଛି। ଅତଏବ ଏ ସବୁ ଘଟଣାବଳୀ ଉଭୟ ପାକିସ୍ତାନ ଓ ତାହାର ପୋଷା ଆତଙ୍କବାଦୀମାନଙ୍କ ପାଇଁ ହଜମ କରିବା କଷ୍ଟ। ତେଣୁ ସେମାନେ ପର୍ଯ୍ୟଟକଙ୍କୁ ହତ୍ୟା କରି ଦୁଇଟି ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି। ସେଥିରୁ ଗୋଟିଏ ହେଲା ପର୍ଯ୍ୟଟକମାନେ ଭୟଭୀତ ହୋଇ କାଶ୍ମୀର ନ ଆସିଲେ ସ୍ଥାନୀୟ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହେବ ଏବଂ ଲୋକେ ରୋଜଗାର ହରାଇ ଆତଙ୍କବାଦୀ ସଂଗଠନରେ ମିଶିବାକୁ ବାଧ୍ୟ ହେବେ। ଦ୍ୱିତୀୟଟି ହେଲା ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରଭାବିତ ହେବ ଏବଂ ଶାନ୍ତି ବିପନ୍ନ ହେବା ସହିତ ଅସ୍ଥିରତା ଲାଗି ରହିବ। ଏହି ଦୁଇଟି ଯାକ ଯୋଜନା, ଯାହା ପାକିସ୍ତାନ ଓ ପାକ୍‌‌ ଆତଙ୍କବାଦୀ ରଚିଛନ୍ତି ତାହା କାଶ୍ମୀର ପାଇଁ ନିଶ୍ଚୟ ବିପଜ୍ଜନକ। ଗତବର୍ଷ ଜାମ୍ମୁ ଓ କାଶ୍ମୀରକୁ ଦୁଇକୋଟି ୧୧ ଲକ୍ଷରୁ ଅଧିକ ପର୍ଯ୍ୟଟକ ଯାଇଥିଲେ। ଏଥର ମଧ୍ୟ ସେ ସଂଖ୍ୟା ଆହୁରି ବଢିପାରେ। ଏହା ହେଲେ କାଶ୍ମୀରବାସୀ ରୋଜଗାର ପାଇବା ସହିତ କାଶ୍ମୀର ରାଜସ୍ୱ ଆୟ ବଢିବ । ସ୍ଥିତି ଶାନ୍ତିପୂର୍ଣ୍ଣ ଓ ସ୍ୱାଭାବିକ ହେବାରୁ ଲୋକେ ବିଭିନ୍ନ କାମ କରି ପରିବାର ପ୍ରତିପୋଷଣର ସୁଯୋଗ ପାଉଛନ୍ତି। ତେଣୁ ଆତଙ୍କବାଦୀ ଓ ପାକିସ୍ତାନ ରଣନୀତି ହେଲା ଜାମ୍ମୁ ଓ କାଶ୍ମୀରର ଶାନ୍ତି ଓ ସ୍ଥିରତାକୁ ବିଗାଡ଼ି ତାହାର ଅର୍ଥନୀତିକୁ ବିପନ୍ନ କରିବା ଓ ଲୋକଙ୍କୁ ଦାରିଦ୍ରତା ମଧ୍ୟକୁ ଠେଲି ଦେବା। ଏହାପଛରେ ଏକ ସୁସଂହତ ରଣନୀତି ନିହିତ।

ଜାମ୍ମୁ ଓ କାଶ୍ମୀରବାସୀ ସତ କ’ଣ ବୁଝି ସାରିଲେଣି। ସେମାନେ ଆତଙ୍କବାଦକୁ ବିରୋଧ କରୁଛନ୍ତି। କିଛି ନ୍ୟସ୍ତ ସ୍ୱାର୍ଥ ରାଜନେତାଙ୍କ ବ୍ୟତୀତ କୌଣସି କାଶ୍ମୀରବାସୀ ଏବେ ସେଠାରେ ଅସ୍ଥିରତା ଚାହୁଁନାହାନ୍ତି। ସବୁଠୁ ବଡ଼ କଥା ହେଲା ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ଶାନ୍ତି, ସ୍ଥିରତା ଓ ନବନିର୍ମାଣର ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି ତାହା ଭାରତର ଏକ ବଡ଼ ଉପଲବ୍ଧି। କୌଣସି ପରିସ୍ଥିତିରେ ତାହାକୁ ହାତଛଡ଼ା କରିବାକୁ ଭାରତ ଉଭୟ ପାକିସ୍ତାନ ଓ ତାହାର ପୋଷା ଆତଙ୍କବାଦୀଙ୍କୁ ସୁଯୋଗ ଦେବ ନାହିଁ। ସୀମା ପାର ଆତଙ୍କବାଦୀଙ୍କ ପ୍ରଭାବ କମିଛି। ଏବେ କାଶ୍ମୀର ଭିତରେ ନୂଆ ଆତଙ୍କବାଦୀଙ୍କୁ ସୃଷ୍ଟି କରିବାକୁ ପାକିସ୍ତାନ ଓ ଆଇଏସ୍‌‌ଆଇ ଯେଉଁ ଉଦ୍ୟମ ଚଳାଇଛି ତାହାକୁ ପଣ୍ଡ କରିବାକୁ ଭାରତ ଖୁବ୍‌‌ ଶୀଘ୍ର ଉଦାହରଣୀୟ ପଦକ୍ଷେପ ନେବାକୁ ବାଧ୍ୟ ହୋଇପାରେ।

About The Author: The Sakala