‘ଆପ୍‌‌’କୁ ଜାତୀୟ ଦଳର ମାନ୍ୟତା, କେଜ୍ରିୱାଲଙ୍କ ପାଇଁ ଆଉ ଏକ ଜିତାପଟ

ମହତ୍ୱାକାଂକ୍ଷୀ କେଜ୍ରିୱାଲ୍‌‌ଙ୍କ ନେତୃତ୍ୱରେ ଆପ୍‌‌ ଦଳ ତାହାର ବହୁ ଈପ୍‌ସିତ୍‌ ଜାତୀୟଦଳ ମାନ୍ୟତା ହାସଲ କରିଛି। ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନ ପୃଷ୍ଠଭୂମିରେ ଦିଲ୍ଲୀର ପ୍ରାଦେଶିକ ରାଜନୀତିରୁ ନିର୍ବାଚନୀ ଜୟଯାତ୍ରା ଆରମ୍ଭ କରି ଏତେ କମ୍‌‌ ବର୍ଷ ମଧ୍ୟରେ ଜାତୀୟ ଦଳର ମାନ୍ୟତା ହାସଲ କରିବା ଆପ୍‌‌ ସୁପ୍ରିମୋ କେଜ୍ରିୱାଲ୍‌‌ଙ୍କ ପାଇଁ ଏକ ଗଣତାନ୍ତ୍ରିକ କୀର୍ତ୍ତିମାନ। କେଉଁ ଦଳ ଜାତୀୟ ଦଳର ମାନ୍ୟତା ପାଇବ ଓ କିଏ ପାଇବ ନାହିଁ, ତାହା ନିର୍ବାଚନ ଆୟୋଗ ନିର୍ଦ୍ଧାରଣ […]

ମହତ୍ୱାକାଂକ୍ଷୀ କେଜ୍ରିୱାଲ୍‌‌ଙ୍କ ନେତୃତ୍ୱରେ ଆପ୍‌‌ ଦଳ ତାହାର ବହୁ ଈପ୍‌ସିତ୍‌ ଜାତୀୟଦଳ ମାନ୍ୟତା ହାସଲ କରିଛି। ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନ ପୃଷ୍ଠଭୂମିରେ ଦିଲ୍ଲୀର ପ୍ରାଦେଶିକ ରାଜନୀତିରୁ ନିର୍ବାଚନୀ ଜୟଯାତ୍ରା ଆରମ୍ଭ କରି ଏତେ କମ୍‌‌ ବର୍ଷ ମଧ୍ୟରେ ଜାତୀୟ ଦଳର ମାନ୍ୟତା ହାସଲ କରିବା ଆପ୍‌‌ ସୁପ୍ରିମୋ କେଜ୍ରିୱାଲ୍‌‌ଙ୍କ ପାଇଁ ଏକ ଗଣତାନ୍ତ୍ରିକ କୀର୍ତ୍ତିମାନ। କେଉଁ ଦଳ ଜାତୀୟ ଦଳର ମାନ୍ୟତା ପାଇବ ଓ କିଏ ପାଇବ ନାହିଁ, ତାହା ନିର୍ବାଚନ ଆୟୋଗ ନିର୍ଦ୍ଧାରଣ କରିଥାନ୍ତି ଏବଂ ଏଥିପାଇଁ ଆଇନଗତ ସର୍ତ୍ତ ରହିଛି। ୧୯୬୮ର ନିର୍ବାଚନ ସଂକେତ (ସଂରକ୍ଷଣ ଓ ଆବଣ୍ଟନ) ନିର୍ଦ୍ଦେଶ ଅନୁସାରେ ଜାତୀୟ ଦଳର ମର୍ଯ୍ୟାଦା ପାଇବା ପାଇଁ ଗୋଟିଏ ରାଜନୈତିକ ଦଳକୁ ତିନିଟି ସର୍ତ୍ତ ରଖାଯାଇଛି। ଏହା ମଧ୍ୟରୁ ଯେ କୌଣସି ଗୋଟିଏ ପୂରଣ କଲେ କୌଣସି ରାଜନୀତିକ ଦଳକୁ ଜାତୀୟ ଦଳରୂପେ ନିର୍ବାଚନ କମିଶନ ଘୋଷଣା କରିଥାନ୍ତି। ଏହି ସର୍ତ୍ତଗୁଡ଼ିକ ହେଲା (୧) ଲୋକସଭା ଓ ବିଧାନସଭା ନିର୍ବାଚନରେ ଚାରି କିମ୍ବା ତଦୁଦ୍ଧ୍ୱର୍ ରାଜ୍ୟରେ ମୋଟ୍‌‌ କରାଯାଇଥିବା ମତଦାନର ଅତି କମ୍‌‌ରେ ଛ’ପ୍ରତିଶତ ଭୋଟ୍‌‌ ପାଇଥିବେ। ସେହି ଦଳର ଲୋକସଭାରେ ଅତିକମ୍‌‌ରେ ଚାରିଜଣ ସଦସ୍ୟ ଥିବେ। (୨) ସମ୍ପୃକ୍ତ ଦଳର ଅତିକମ୍‌‌ରେ ତିନିଟି ରାଜ୍ୟରେ ଲୋକସଭାର ମୋଟ ଆସନର ଦୁଇ ଶତାଂଶ ଆସନ ଥିବ। (୩) ସେହି ଦଳ ଅତିକମ୍‌‌ରେ ଚାରିଟି ରାଜ୍ୟରେ ରାଜ୍ୟସ୍ତରୀୟ ରାଜନୀତିକ ଦଳ ଭାବେ ମାନ୍ୟତା ପାଇସାରିଥିବ।

ବିଜେପି ଓ କଂଗ୍ରେସ ଭଳି ଅତିବଡ଼ ବଡ଼ ଦଳକୁ ଛାଡ଼ିଦେଲେ ଜାତୀୟ ଦଳର ମାନ୍ୟତା ବଜାୟ ରଖିବା ଅନ୍ୟାନ୍ୟ ଦଳଙ୍କ ପାଇଁ ଉପରୋକ୍ତ ନିୟମ ଅନୁସାରେ କଷ୍ଟସାଧ୍ୟ ଓ ପରିବର୍ତ୍ତନଶୀଳ। ନିର୍ବାଚନର ଫଳାଫଳ ଅନୁସାରେ ଏହା ନିର୍ଦ୍ଧାରିତ। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ସଂଶୋଧିତ ତାଲିକା ଅନୁସାରେ ଭାରତରେ ଏବେ ସାତଟି ଦଳ ଜାତୀୟ ଦଳର ମାନ୍ୟତା ପାଇଛନ୍ତି। ସେଗୁଡ଼ିକ ହେଲା ବିଜେପି, କଂଗ୍ରେସ, ବିଏସ୍‌‌ପି, ସିପିଆଇ, ଏନ୍‌‌ସିପି, ସିପିଏମ୍‌‌ ଓ ଆପ୍‌‌। ତାଲିକାରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଓ ଶରଦ୍‌‌ ପାୱାରଙ୍କ ଏନ୍‌‌ସିପି ବାଦ ପଡ଼ିଥିବାବେଳେ ଏଥିରେ ଅରବିନ୍ଦ କେଜ୍ରିୱାଲ୍‌‌ଙ୍କ ଆପ୍‌‌ ପ୍ରଥମ ଥର ପାଇଁ ସାମିଲ ହୋଇଛି। ଜାତୀୟ ଦଳ ତାଲିକାରୁ ବାଦ୍‌‌ ପଡ଼ିବା ଏକ ଭାବଗତ ପ୍ରସଙ୍ଗ ସିନା, ବାସ୍ତବରେ ଏଥିରେ ସେମିତି କିଛି ବଡ଼ ପରାଜୟ ନଥାଏ। ମଣିପୁର, ମେଘାଳୟ ଓ ଗୋଆ ଓ ଆଉ କେତେକ ପ୍ରାଦେଶିକ ନିର୍ବାଚନରେ ଟିଏମ୍‌‌ସି ଓ ଏନ୍‌‌ସିପି ବହୁତ ଖରାପ ପ୍ରଦର୍ଶନ କରିବାରୁ ସେମାନଙ୍କର ଜାତୀୟ ଦଳ ମାନ୍ୟତା କଟିଛି। ଅପରପକ୍ଷରେ ଆପ୍‌‌ ଦିଲ୍ଳୀ ଓ ପଞ୍ଜାବରେ କ୍ଷମତାରେ ରହିବା ସହିତ ଲୋକସଭାରେ ଏହାର ଏକାଧିକ ରାଜ୍ୟର ପ୍ରତିନିଧିତ୍ୱ ବଢ଼଼ିଥିବା କାରଣରୁ ଏହାର ମର୍ଯ୍ୟାଦାରେ ଉନ୍ନତି ଘଟିଛି।

ଏନ୍‌‌ସିପି ଓ ଟିଏମ୍‌‌ସି ଏବେ ପ୍ରାଦେଶିକ ଦଳଭାବେ ମାନ୍ୟତା ପାଇ କାମ କରିବେ ଏବଂ ଅନ୍ୟ ରାଜ୍ୟରେ ମଧ୍ୟ ସମାନ ପରିଚୟ ନେଇ ନିର୍ବାଚନ ରାଜନୀତିରେ ଭାଗ ନେଇପାରିବେ। ଯେଉଁ ଆଞ୍ଚଳିକ ବା ପ୍ରାଦେଶିକ ଦଳମାନଙ୍କର ଜାତୀୟ ଦଳ ହେବାର ଆକାଂକ୍ଷା ରହିଛି, ସେମାନେ ପ୍ରାଦେଶିକସ୍ତରରେ କାମ କରି ନିର୍ବାଚନରେ ଭଲ କଲେ ସେମାନଙ୍କ ସ୍ଥିତିରେ ଉନ୍ନତି ଆସିପାରିବ ଏବଂ ଏହା ଏକ ଅସାଧ୍ୟ କାର୍ଯ୍ୟ ନୁହେଁ। ହଁ, ଜାତୀୟ ରାଜନୀତିରେ ନିଜର ପ୍ରଭାବ ଓ ପ୍ରତିଷ୍ଠା ଜାହିର କରିବାକୁ ଚେଷ୍ଟା କରୁଥିବା ରାଜନୀତିକ ଦଳଙ୍କ ପାଇଁ ଜାତୀୟ ମାନ୍ୟତା ହରାଇବା ଏକ ପରାଭବ ନିଶ୍ଚିତ। ଏହା ଦ୍ୱାରା ସେମାନଙ୍କର ରାଜନୀତିକ ପତିଆରା ଜାତୀୟସ୍ତରରେ ମଳିନ ହୁଏ। ରାଜନୀତିକ ମହତ୍ବାକାଂକ୍ଷାଙ୍କୁ ସାମୟିକ ଧକ୍କା ଲାଗେ। ଉଭୟ ଶରଦ ପାୱାର ଓ ମମତା ବାନାର୍ଜୀ, ଯିଏ କି ଜାତୀୟ ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟିତ, ସେମାନଙ୍କ ପାଇଁ ଏହା ଏକ ଧକ୍କା। ସେ ଦୃଷ୍ଟିରୁ ଆମ ଆଦ୍‌‌ମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ସଫଳତା ଓ ମାନ୍ୟତା ମିଳିଛି ଏବଂ ଏହା ଏହି ଯୁବନେତାଙ୍କୁ ଜାତୀୟ ରାଜନୀତିରେ ନିଜର ପ୍ରଭାବ ଓ ପ୍ରତିଷ୍ଠା ଜାହିର କରିବାର ସୁଯୋଗ ଦେବ।

ଭାରତର ରାଜନୀତିକ ବାସ୍ତବତା କିନ୍ତୁ ଏବେ ଭିନ୍ନ। ବିଜେପି ଓ କଂଗ୍ରେସକୁ ଛାଡ଼ିଦେଲେ ଯଥାର୍ଥରେ ଆଉ କୌଣସି ଦଳଙ୍କର ବର୍ତ୍ତମାନ ଜାତୀୟ ଉପସ୍ଥିତି ନାହିଁ। ଅନ୍ୟ ଯେଉଁମାନେ ଏବେ ଜାତୀୟ ଦଳର ମାନ୍ୟତା ପାଇଛନ୍ତି, ତାହା କେବଳ ପ୍ରତୀକାତ୍ମକ ଓ ବୈଷୟିକ। ବେଶ୍‌‌ କିଛିକାଳ ଧରି ପୂର୍ବର ଶକ୍ତିଶାଳୀ ସିପିଆଇଏମ୍‌‌ ଓ ସିପିଆଇ ଆଦି ଅଳ୍ପ କେତେକ ରାଜ୍ୟ ଓ ଅଞ୍ଚଳରେ ରାଜନୀତିକ ଦୃଷ୍ଟିରୁ ସୀମିତ ହୋଇ ରହିଛନ୍ତି ଏବଂ ସେମାନଙ୍କର ପ୍ରକୃତ ଜାତୀୟ ଦଳ ଭାବେ ଗୁରୁତ୍ୱ ପ୍ରାୟ ନାହିଁ। ସାଧାରଣ ନିର୍ବାଚନରେ ମଧ୍ୟ ଲୋକସଭାକୁ ଏହି ଦଳ ପୂର୍ବଭଳି ଅଧିକ ସଂଖ୍ୟକ ପ୍ରତିନିଧି ପଠାଇ ପାରୁନି।

ଅପରପକ୍ଷରେ ବେଶ୍‌‌ କିଛି କାଳ ଧରି ଆଞ୍ଚଳିକ ଦଳମାନଙ୍କର ପ୍ରଭାବ ବିଭିନ୍ନ ରାଜ୍ୟରେ ବଢ଼଼ିବାରେ ଲାଗିଛି। ବିଜେଡି, ଟିଏମ୍‌‌ସି, ଡିଏମ୍‌‌କେ ଭଳି ଶକ୍ତିଶାଳୀ ଆଞ୍ଚଳିକ ଦଳଙ୍କର ରାଜନୀତିକ ପ୍ରଭାବ ନିଜ ନିଜ ରାଜ୍ୟରେ ଅତ୍ୟନ୍ତ ଦୃଢ଼ ରହିଛି। ନବୀନ ପଟ୍ଟନାୟକ ଏକାଦିକ୍ରମେ ୨୦୦୦ ମସିହାରୁ ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦ ଓ ଶାସନରେ ଅଛନ୍ତି ଏବଂ ତାଙ୍କ ଦଳର ପ୍ରତିନିଧିତ୍ୱ ଲୋକସଭାରେ ମଧ୍ୟ ଉତ୍ସାହଜନକ ରହିଛି। ଭାରତୀୟ ରାଜନୀତିରେ ଜାତୀୟସ୍ତରରେ ରାଜନୀତି ନ କରି ପ୍ରାଦେଶିକ ସ୍ତରରେ ଦୀର୍ଘକାଳ କ୍ଷମତାରେ ରହିବାର ଉଦାହରଣ ସିକିମ ଭଳି ଛୋଟ ରାଜ୍ୟରେ ପବନ କୁମାର ଚାମଲିଙ୍ଗଙ୍କ ଭଳି ନେତା ସୃଷ୍ଟି କରି ପାରିଛନ୍ତି।
ଏବେ ଦେଶର ଓଡ଼ିଶା ସମେତ ଅନେକ ରାଜ୍ୟରେ ଆଞ୍ଚଳିକ ଦଳ କ୍ଷମତାରେ ଅଛନ୍ତି ଏବଂ ସେଠାରେ ଉଭୟ ବୃହତ୍‌‌ ରାଜନୀତିକ ଦଳ ବିଜେପି ଓ କଂଗ୍ରେସ ପାଇଁ ରାଜନୀତିକ ସ୍ଥାନ ତଥା ସୁଯୋଗ ବିଶେଷ ନାହିଁ। ତେଣେ ଜାତୀୟସ୍ତରରେ କଂଗ୍ରେସର ବିଫଳତା ଓ ଦୁର୍ବଳ ପ୍ରଦର୍ଶନ ବିଜେପି ଭଳି ଜାତୀୟ ଦଳକୁ ରାଜନୀତିକ ସୁଯୋଗ ଦେଉଛି।

ଭାରତର ଆଉ ଏକ ବାସ୍ତବତା ହେଲା, ବିଜେପିର ଡବଲ ଇଂଜିନ୍‌‌ ସରକାର ସ୍ଲୋଗାନ। ଏହାର ଅର୍ଥ ହେଲା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପାଇଁ ଗୋଟିଏ ଦଳକୁ ଜିତାଇଲେ ତାହା ରାଜ୍ୟ ପାଇଁ ଦୁଇଗୁଣ ଶକ୍ତି ନେଇ କାର୍ଯ୍ୟ କରିବ। ରାଜ୍ୟସ୍ତରରେ ସେହି ଦଳ ତଥା କେନ୍ଦ୍ରରେ ମଧ୍ୟ ସେହି ଦଳ ଶାସନରେ ରହିବାରୁ ରାଜ୍ୟରେ ବିଭିନ୍ନ ବିକାଶ ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆଗେଇ ନେବାରେ ସହାୟକ ହୁଏ। ଏହାର ଏକ ବଡ଼ ଉଦାହରଣ ହେଲା ଉତ୍ତରପ୍ରଦେଶରେ ଯୋଗୀ ସରକାର ଓ କେନ୍ଦ୍ରରେ ମୋଦୀ ସରକାର। ତେବେ ବିଜେପି ଦଳର ଏଭଳି ସ୍ଲୋଗାନ ସତ୍ତ୍ବେ ଅନେକ ରାଜ୍ୟରେ ଜନତା ଲୋକସଭା ଓ ବିଧାନସଭା ନିର୍ବାଚନକୁ ସେହି ଦୃଷ୍ଟିରେ ଦେଖୁନାହାନ୍ତି। ସେମାନେ ଜାତୀୟ ଆବଶ୍ୟକତା ପୂରଣ ପାଇଁ ଗୋଟେ ଦଳକୁ ଭୋଟ ଦେବା ବେଳେ, ଅନ୍ୟପକ୍ଷରେ ପ୍ରାଦେଶିକ ବାସ୍ତବତା ପାଇଁ ଆଞ୍ଚଳିକ ଦଳଙ୍କୁ ଜିତାଉଛନ୍ତି। ତଥାପି ବିଜେପି ଅନେକ ରାଜ୍ୟରେ ତାହାର ଶାସନ ପ୍ରତିଷ୍ଠା କରି ନିଜ ସ୍ଥିତିକୁ ସୁଦୃଢ଼ କରିଛି। ଅତଏବ ୨୦୨୫ ସାଧାରଣ ନିର୍ବାଚନରେ ଶାସକ ବିଜେପିର କିଏ ଯଥାର୍ଥ ବିକଳ୍ପ ହେବ, ତାହା ସବୁଠୁ ବଡ଼ ପ୍ରଶ୍ନ। କଂଗ୍ରେସ ନେତୃତ୍ୱରେ ଅନ୍ୟଦଳ ଏକାଠି ହେବେ ନା ଆଞ୍ଚଳିକ ଦଳମାନେ ବିଜେପି-କଂଗ୍ରେସକୁ ସମାନ ଦୂରତ୍ୱରେ ରଖି ଅନ୍ୟମାନଙ୍କ ସହ ହାତମିଳାଇ ଲୋକସଭା ନିର୍ବାଚନ ଲଢ଼ିବେ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବା ପ୍ରାୟ ନିଶ୍ଚିତ। କହିବା ବାହୁଲ୍ୟ ଯେ ଲୋକେ ଯେତେବେଳେ ଶାସକ ବଦଳାଇବାକୁ ନିଷ୍ପତ୍ତି ନିଅନ୍ତି, ସେତେବେଳେ ଜାତୀୟଦଳ କିମ୍ବା ନୂଆ ପୁରୁଣା ଦେଖନ୍ତି ନାହିଁ। ଜନତା ପାର୍ଟି, ଜନତାଦଳ ଓ ବିଜେପି ଏହି ଭଳି ଦିନେ କ୍ଷମତାକୁ ଜାତୀୟ ସ୍ତରରେ ଆସିଥିଲେ। ଏହା ହିଁ ଭାରତୀୟ ଗଣତନ୍ତ୍ରର ଏକ ବଡ଼ ଶକ୍ତି।

About The Author: The Sakala