ସାମ୍ପ୍ରତିକ ପ୍ରଦର୍ଶନ-ଉପସ୍ଥାପନ ଭିତ୍ତିକ ତୀବ୍ର ପ୍ରତିଯୋଗିତାମୂଳକ ସମୟରେ ପରିଚାଳନା ବିଶାରଦଙ୍କ ତର୍କ ହେଉଛି ଟଣା ହୋଇସାରିଥିବା କୌଣସି ଗାର ବା ରେଖାକୁ ପୁନଃଅଙ୍କନ ନ କରି ତାକୁ ଯଦି ଛୋଟ କରିବାକୁ ଚାହୁଁଛ ତେବେ ତା’ ପାଖରେ ବଡ଼ ଗାରଟିଏ ଟାଣିଦିଅ, ଦେଖଣାହାରୀଙ୍କ ଦୃଷ୍ଟିରେ ପୂର୍ବାଙ୍କିତ ରେଖାଟି ଆପେ ଆପେ ଛୋଟ ହୋଇଯିବ। ଠିକ୍ ବିପରୀତ ଭାବେ ପୂର୍ବାଙ୍କିତ ରେଖାକୁ ବଡ଼ କରିବାକୁ ହେଲେ, ତା’ପାଖରେ ଛୋଟ ରେଖାଟିଏ ଆଙ୍କିଦେଲେ ଲକ୍ଷ୍ୟ ହାସଲ ହୋଇଯିବ। ବିଶ୍ୱବ୍ୟାଙ୍କର ସଦ୍ୟତମ ପ୍ରକାଶିତ ଦାରିଦ୍ର୍ୟ ସୀମାରେଖା ମାନଦଣ୍ଡ ସେହିଭଳି କେତେକ ଜଟିଳ ପରିସଂଖ୍ୟାନ ଆଧାରିତ, ଯାହାର ତାର୍କିକ ସଠିକତା ନିଷ୍ଠୁର ବାସ୍ତବତା ଠାରୁ ଅନେକ ଭିନ୍ନ।
ବିଶ୍ୱବ୍ୟାଙ୍କର ସଦ୍ୟତମ ଦାରିଦ୍ର୍ୟ ନିର୍ଦ୍ଧାରଣ ମାପଦଣ୍ଡ ପାଇଁ ଧାର୍ଯ୍ୟ ସୀମାରେଖାକୁ ବଢ଼଼ାଇ ଦେଇ ୩ ଡଲାର କରିଛି। ଅର୍ଥାତ୍ ଦୈନିକ ୩ ଡଲାର(ଦୈନିକ ପାଖାପାଖି ୨୫୦ ଟଙ୍କା)ରୁ କମ୍ ରୋଜଗାର କରୁଥିବା ବ୍ୟକ୍ତିକୁ ଅତିଦରିଦ୍ର ବୋଲି ଧରାଯିବ ବା ତାଲିକାଭୁକ୍ତ କରାଯିବ। ପୂର୍ବରୁ ଏହି ସୀମାରେଖାର ମାନଦଣ୍ଡ ଥିଲା ଦୈନିକ ୨.୧୫ଡଲାର(ପାଖାପାଖି ୧୭୫ ଟଙ୍କା)। ଅର୍ଥାତ୍ ଦୈନିକ ୧୭୬ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଅତିଦାରିଦ୍ର୍ୟ ତାଲିକାଭୁକ୍ତ କରାଯାଇପାରିବ ନାହିଁ। ଦାରିଦ୍ର୍ୟ ସୀମାରେଖାରେ ଏହି ସଦ୍ୟତମ ସଂଶୋଧନ ବା ସମ୍ପ୍ରସାରଣ ଫଳରେ ଭାରତରେ ଅତିଦାରିଦ୍ର୍ୟଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ଦଶବର୍ଷ ଭିତରେ ୨୭.୧% ରୁ ୫.୩%କୁ ହ୍ରାସ ପାଇଛି। ଅର୍ଥାତ୍ ୨୦୧୧-୧୨ ରେ ବିଶ୍ୱବ୍ୟାଙ୍କର ଏହି ମାନଦଣ୍ଡ ଆଧାରରେ ଭାରତରେ ଅତିଶୟ ଦରିଦ୍ର ସଂଖ୍ୟା ୩୪ କୋଟି ୪୪ ଲକ୍ଷ ୭୦ ହଜାର ଥିବା ବେଳେ ୨୦୨୨-୨୩ରେ ସେହି ସଂଖ୍ୟା ୭କୋଟି ୫୨ ଲକ୍ଷ ୨୪ ହଜାରକୁ ହ୍ରାସ ପାଇଛି। ଅର୍ଥାତ୍ ପ୍ରାୟ ୧୦ ବର୍ଷ ଭିତରେ ପାଖାପାଖି ୨୭ କୋଟି ଲୋକ ଅତିଦାରିଦ୍ର୍ୟ ଅପବାଦରୁ ମୁକ୍ତ ହୋଇଛନ୍ତି। ଭାରତୀୟ ସାମାଜିକ-ଅର୍ଥନୀତି ପାଇଁ ଏହା ନିଶ୍ଚିତ ଏକ ଶୁଭସୂଚନା। କିନ୍ତୁ ଏହାକୁ କେବଳ ଆଳଙ୍କାରିକ ଉପଲବ୍ଧି ବୋଲି କୁହାଯାଇପାରେ। କାରଣ ବିଶ୍ୱବ୍ୟାଙ୍କର ଏହି ନୂତନ ସଂଜ୍ଞା ଭାରତୀୟଙ୍କ ପାଇଁ ଆତ୍ମସନ୍ତୋଷର ଯଥେଷ୍ଟ ଆଧାର ହୋଇ ନ ପାରିବା ପଛରେ ଅନେକ କାରଣ ରହିଛି।
ବିଶ୍ୱବ୍ୟାଙ୍କର ଏହି ସଦ୍ୟତମ ଦାରିଦ୍ର୍ୟ ମାନଦଣ୍ଡ ନିର୍ଦ୍ଧାରଣ ସଂଜ୍ଞାରେ ଦେଶଗୁଡ଼ିକୁ ନିମ୍ନ ଆୟକାରୀ, ନିମ୍ନ-ମଧ୍ୟମ ଆୟକାରୀ ଓ ଉଚ୍ଚ-ମଧ୍ୟମ ଆୟକାରୀ ଏହିଭଳି ତିନିଭାଗରେ ବିଭକ୍ତ କରାଯାଇଛି। ଭାରତର ବର୍ଗୀକରଣ ନିମ୍ନ ଆୟକାରୀ ଦେଶରେ ରହିଛି। ବିଡ଼ମ୍ବନା ଏହା ଯେ ଭାରତ ଏବେ ଜାପାନ୍କୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୀତି ହେବାର ଦାବି ଉପସ୍ଥାପନ କରୁଥିବା ବେଳେ ବିଶ୍ୱବ୍ୟାଙ୍କ ଦୃଷ୍ଟିରେ ଏ ପର୍ଯ୍ୟନ୍ତ ନିମ୍ନ ଆୟକାରୀ ବର୍ଗରେ ରହିଛି। ପାଖାପାଖି ୧୪୫ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶର ବିଶାଳ ଜିଡିପି ଆଧାରରେ ଜାପାନ୍ ପରି ସ୍ୱଳ୍ପ ଦେଶର ଅର୍ଥନୀତିକୁ ଟପିଯିବାରେ ଯେତେ ବାହାଦୂରୀ ରହିଛି, ଅର୍ଥନୈତିକ ବୈଷମ୍ୟର ବାସ୍ତବ ଚିତ୍ରକୁ ସ୍ୱୀକାର କରିବା ସେତିକି ଆହ୍ୱାନପୂର୍ଣ୍ଣ ହୋଇଛି। ସଦ୍ୟତମ ଦାରିଦ୍ର୍ୟ ସୀମାରେଖାର ମାନଦଣ୍ଡ ନିମ୍ନ-ମଧ୍ୟମ ଆୟକାରୀ ଦେଶ ପାଇଁ ଦୈନିକ ଆୟ ୩.୬୫ ଡଲାରରୁ ବଢ଼଼ି ୪.୨୦ ଡଲାର ଏବଂ ଉଚ୍ଚ-ମଧ୍ୟମ ଆୟକାରୀ ଦେଶ ପାଇଁ ଦୈନିକ ୬.୮୫ ଡଲାରରୁ ବଢ଼଼ି ୮.୪୦ ଡଲାର କରାଯାଇଛି।
ବିଶ୍ୱବ୍ୟାଙ୍କର ଦାରିଦ୍ର୍ୟ ସୀମାରେଖା ମାପଦଣ୍ଡ ବା ସଞ୍ଜ୍ଞା ନିର୍ଦ୍ଧାରଣର ଆଉ ଏକ ବିଡ଼ମ୍ବନା ଏଠାରେ ଦୃଷ୍ଟିଗୋଚର ହୁଏ। ସଦ୍ୟତମ ସଂଜ୍ଞା ସାମ୍ପ୍ରତିକ ମୁଦ୍ରାସ୍ଫୀତି ଆଧାରରେ ନିର୍ଣ୍ଣୟ ହୋଇଥିବା ବିଶ୍ୱବ୍ୟାଙ୍କ କହିଛି। ଅଥଚ ତୁଳନାତ୍ମକ ଚିତ୍ର ୨୦୧୧-୧୨ ଆଧାରରେ ପ୍ରଦର୍ଶିତ ହୋଇଛି। ୨୦୧୧-୨୨ ମଧ୍ୟରେ କ୍ରମବର୍ଦ୍ଧିଷ୍ଣୁ ଦରଦାମ ବିଷୟରେ ଜନସାଧାରଣଙ୍କ ସମେତ ନୀତି ନିର୍ଦ୍ଧାରକମାନେ ମଧ୍ୟ ଜ୍ଞାତ। ତେଣୁ ମାନଦଣ୍ଡ ନିର୍ଦ୍ଧାରଣ ନ୍ୟାୟୋଚିତ ହୋଇନାହିଁ ବୋଲି ଆମର ମତ। ଇତିମଧ୍ୟରେ ବିଶ୍ୱବାସୀଙ୍କ ଦୈନିକ ଆୟ ଦଶବର୍ଷ ତୁଳନାରେ ବଢ଼଼ିଛି ସତ; କିନ୍ତୁ ତା’ ତୁଳନାରେ ଦରଦାମ ମଧ୍ୟ ଯେ ହୁହୁ ହୋଇ ବଢ଼଼ିଚାଲିଛି ତାହାକୁ ମଧ୍ୟ ଅସ୍ୱୀକାର କରଯାଇପାରିବ ନାହିଁ। ତେଣୁ କ୍ରମବର୍ଦ୍ଧଷ୍ଣୁ ଦରଦାମ ତୁଳନାରେ ୧୦ ବର୍ଷ ପରେ ଦୈନିକ ମାତ୍ର ୭୫ ଟଙ୍କା ବଢ଼଼ିଗଲେ ପରିସଂଖ୍ୟାନରେ ଦାରିଦ୍ର୍ୟ ସଂଖ୍ୟା କମିଯାଇପାରେ, କିନ୍ତୁ ସେମାନଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟା ବା ଗୁଜୁରାଣ ମେଣ୍ଟାଇବାରେ ତାହା ସହାୟକ ହୋଇ ନ ପାରେ। ଏହାଛଡ଼ା ଇତିମଧ୍ୟରେ ବିଶ୍ୱବ୍ୟାଙ୍କ ସମେତ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂଗଠନ ନେତୃତ୍ୱରେ ୨୦୧୧-୧୨ ମାନଦଣ୍ଡ ଆଧାରରେ ଯେଉଁସବୁ ଦାରିଦ୍ର୍ୟ ନିରାକରଣ ଯୋଜନା କାର୍ଯ୍ୟକାରୀ ହୋଇଛି ତାହା ବାଟବଣା ହୋଇଥିବାର ଏବଂ ଆଗକୁ ମଧ୍ୟ ହେବାର ଆଶଙ୍କା ଅଧିକ ବୋଲି ଜଣାପଡ଼ୁଛିି।
ଯୁଦ୍ଧଲିପ୍ତ ବିଶ୍ୱରେ ବିଶ୍ୱବ୍ୟାଙ୍କର ଏହି ସଂଶୋଧିତ ମାନଦଣ୍ଡ ଅତିଶୟ ଦାରିଦ୍ର୍ୟର ସଞ୍ଜ୍ଞା ପରିବର୍ତ୍ତନ କରିପାରେ, କିନ୍ତୁ ଜୀବନଧାରଣ ମାନ ଓ ସମ୍ମାନରେ ଉନ୍ନତି ଆଣିପାରିବ ସେହି ବିଶ୍ୱାସ ହେଉନାହିଁ। ଏବେ ଭାରତୀୟ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରେ ବିଶ୍ୱବ୍ୟାଙ୍କ ମାନଦଣ୍ଡ ଆଧାରିତ ଆଉ ଏକ ବିଡ଼ମ୍ବନା ବିଷୟରେ ଦୃଷ୍ଟି ଦିଆଯାଉ। ବିଶ୍ୱବ୍ୟାଙ୍କ ସଂଜ୍ଞା ଅନୁଯାୟୀ ଭାରତରୁ ୨୭କୋଟି ଅତିଦାରିଦ୍ର୍ୟ ସଂଖ୍ୟା ହଟିଛି। ଅଥଚ ସିଏମ୍ଆଇଇ ତଥ୍ୟ କହୁଛି ଯେ ଏ ପର୍ଯ୍ୟନ୍ତ ଭାରତରେ ୬୨ କୋଟି ୧୦ ଲକ୍ଷ ଲୋକ ଅର୍ଥାତ୍ ମୋଟ ଜନସଂଖ୍ୟାର ପାଖାପାଖି ୪୪% ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ବିଶ୍ୱ ବୁଭୁକ୍ଷୁ ତାଲିକାରେ ଭାରତର ସ୍ଥାନ ୧୦୫ ଥିବା ବେଳେ ଭାରତର ଅପପୁଷ୍ଟି ଓ ସ୍ୱାସ୍ଥ୍ୟଗତ ବୈଷମ୍ୟ ଶିକାର ଶିଶୁ ସଂଖ୍ୟା ଯଥାକ୍ରମେ ୧୮.୭% ଓ ୩୫.୫%। ବିଶ୍ୱ ଖୁସି ସୂଚକାଙ୍କରେ ଭାରତର ସ୍ଥାନ ୧୧୮। ତେଣୁ ଭାରତରୁ ୨୭ କୋଟି ଦାରିଦ୍ର୍ୟମୁକ୍ତ ସୂଚନା ବାସ୍ତବ ଆଧାରିତ ନୁହେଁ, କେବଳ ପରିସଂଖ୍ୟାନ ଚାତୁରୀ ବୋଲି କହିଲେ ବୋଧହୁଏ ଭୁଲ୍ ହେବ ନାହିଁ।
ବିଶ୍ୱବ୍ୟାଙ୍କ ଦାରିଦ୍ର୍ୟ ସୀମାରେଖା ବା ଗାର ଟାଣିବାର ବ୍ୟବଧାନ ଦେଖାଯାଉ। ପ୍ରଥମେ ୨୦୦୧ରୁ ଆରମ୍ଭ ହୋଇଥିବା ଏହି ମାନଦଣ୍ଡ ନିର୍ଦ୍ଧାରଣ କସରତ ୨୦୦୮, ୨୦୧୫ ଏବଂ ସଦ୍ୟତମ ଉପଲବ୍ଧ ତଥ୍ୟ ୨୦୨୨ ପାଇଁ ହୋଇଛି। ଇତିମଧ୍ୟରେ ପ୍ରାୟ ୩ ବର୍ଷ ବିତିଗଲାଣି। ଜୀବନଧାରଣ ମାନ, ଆୟ ଓ ମୁଦ୍ରାସ୍ଫୀତି ଆଧାରିତ ସାମାଜିକ-ଅର୍ଥନୀତିରେ ଅନେକ ପରିବର୍ତ୍ତନ ଘଟିଛି। ଅଥଚ ସଂଜ୍ଞା ନିର୍ଦ୍ଧାରଣ ଅଧୁନାତନ(ଅପ୍ଡେଟ୍) ହୋଇପାରିନାହିଁ। ଜାତିସଂଘର ସହସ୍ରାବ୍ଦ ବିକାଶ ଲକ୍ଷ୍ୟର ଅନ୍ୟତମ ପାହାଚ ‘ଦାରିଦ୍ର୍ୟ ଦୂରୀକରଣ ଯୋଜନା’ର ସଫଳତା କେବଳ ରେଖାଙ୍କନ ଚାତୁର୍ଯ୍ୟ ବଳରେ ହାସଲ ହୋଇପାରିବ ନାହିଁ। ଏଥିପାଇଁ ବାସ୍ତବତାକୁ ଗ୍ରହଣ କରିବାକୁ ହେବ। ପ୍ରଥମେ ମାନଦଣ୍ଡ ନିର୍ଦ୍ଧାରଣ ବିରତି ବା ଅନ୍ତରକୁ ଯଥେଷ୍ଟ ହ୍ରାସ କରି ବାର୍ଷିକ କରିବାକୁ ହେବ। ଏଇଆଇ ଯୁଗରେ ଏହା ବେଶି କଷ୍ଟକର ହେବ ନାହିଁ।