ବନ ସୁରକ୍ଷା ପାଇଁ ବଳିଷ୍ଠ ପଦକ୍ଷେପ

ଓଡ଼ିଶାରେ କ୍ରମବର୍ଦ୍ଧିଷ୍ଣୁ ଜଙ୍ଗଲ ଲୁଟ୍‌‌ ଓ ବେଆଇନ ପଶୁ ଶିକାରକୁ ରୋକିବା ପାଇଁ ଜଙ୍ଗଲ ବିଭାଗର କର୍ମଚାରୀଙ୍କୁ ଆଗ୍ନେୟାସ୍ତ୍ର ଏବଂ ଆଇନଗତ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସମୟୋଚିତ। ମାତ୍ରାଧିକ ଲୁଟ୍‌‌ ଓ ବେଆଇନ ପଶୁ ଶିକାର ପ୍ରବଣ ଜଙ୍ଗଲକୁ ବନକର୍ମଚାରୀମାନେ ଠେଙ୍ଗା, ପୁରୁଣାକାଳିଆ ଛର୍‌‌ରା ବନ୍ଧୁକ ଓ ଆଗ୍ନେୟାସ୍ତ୍ର ଧରି ସୁରକ୍ଷିତ କରିପାରିବେ ନାହିଁ। କଠୋର ସୁରକ୍ଷା ଆଇନ ସହିତ ବନ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ମଧ୍ୟ ଉପଯୁକ୍ତ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରି […]

ଓଡ଼ିଶାରେ କ୍ରମବର୍ଦ୍ଧିଷ୍ଣୁ ଜଙ୍ଗଲ ଲୁଟ୍‌‌ ଓ ବେଆଇନ ପଶୁ ଶିକାରକୁ ରୋକିବା ପାଇଁ ଜଙ୍ଗଲ ବିଭାଗର କର୍ମଚାରୀଙ୍କୁ ଆଗ୍ନେୟାସ୍ତ୍ର ଏବଂ ଆଇନଗତ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସମୟୋଚିତ। ମାତ୍ରାଧିକ ଲୁଟ୍‌‌ ଓ ବେଆଇନ ପଶୁ ଶିକାର ପ୍ରବଣ ଜଙ୍ଗଲକୁ ବନକର୍ମଚାରୀମାନେ ଠେଙ୍ଗା, ପୁରୁଣାକାଳିଆ ଛର୍‌‌ରା ବନ୍ଧୁକ ଓ ଆଗ୍ନେୟାସ୍ତ୍ର ଧରି ସୁରକ୍ଷିତ କରିପାରିବେ ନାହିଁ। କଠୋର ସୁରକ୍ଷା ଆଇନ ସହିତ ବନ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ମଧ୍ୟ ଉପଯୁକ୍ତ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରି ତାହାର ବ୍ୟବହାର ନିମନ୍ତେ ସେମାନଙ୍କୁ ଅନୁମତି ଦେବାକୁ ପଡ଼ିବ। ନିକଟରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଦୁଇଜଣ ବନକର୍ମଚାରୀଙ୍କୁ ଜଙ୍ଗଲ ମାଫିଆମାନେ ଗୁଳିକରି ହତ୍ୟା କରିବା ପରେ ସମ୍ପୃକ୍ତ କ୍ୟାଡରରେ ଅସନ୍ତୋଷ ଓ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଥିଲା। ସେ ଦୃଷ୍ଟିରୁ ୯୪୦୦ ବନ ସୁରକ୍ଷା କର୍ମଚାରୀଙ୍କୁ ଆଧୁନିକ ବନ୍ଧୁକ ଯୋଗାଇ ତାହାର ବ୍ୟବହାର ନିମନ୍ତେ ସେମାନଙ୍କୁ ବୈଧାନିକ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ।

କେତେକ ମହଲାରେ ଆଶଙ୍କା ସୃଷ୍ଟି ହୋଇପାରେ ଯେ ଏଭଳି କର୍ମଚାରୀଙ୍କୁ ଅବାଧ ବନ୍ଧୁକ ବ୍ୟବହାର ଅନୁମତି ଦିଆଗଲେ ସେମାନେ ଏହାର ଅପବ୍ୟବହାର କରିପାରନ୍ତି ଏବଂ ଏହା ଫଳରେ ଜଙ୍ଗଲାଞ୍ଚଳରେ ଅଶାନ୍ତି ସୃଷ୍ଟି ହୋଇପାରେ। କଥାଟି ଠିକ୍‌‌ ସେୟା ନୁହେଁ। ତେଣୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନକାରାତ୍ମକ ଦୃଷ୍ଟିରେ କେବଳ ଦେଖିଲେ ଚଳିବ ନାହିଁ। ଜଙ୍ଗଲ ମାଫିଆ ଅତ୍ୟାଧୁନିକ ଆଗ୍ନେୟାସ୍ତ୍ର ସମେତ ଉନ୍ନତ ଯୋଗାଯୋଗ ଉପକରଣ ବ୍ୟବହାର କରୁଛନ୍ତି। ସେମାନେ ସଂଘବଦ୍ଧ ଭାବେ ଅତ୍ୟନ୍ତ ସୁଚାରୁ ରୂପେ ହାତୀ ଓ ବାଘମାନଙ୍କୁ ଶିକାର କରିବା ସହ ଜଙ୍ଗଲକୁ ମଧ୍ୟ ଲୁଟୁଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କର ଉଚିତ ମୁକାବିଲା ପାଇଁ ବନକର୍ମଚାରୀଙ୍କୁ ଅତ୍ୟାଧୁନିକ ଅସ୍ତ୍ର ଓ କିଛି ଆଇନଗତ ସୁରକ୍ଷା ତଥା ନିରାପତ୍ତା ଯୋଗାଇବା ଯଥାର୍ଥ। କେବଳ ସେତିକି ନୁହେଁ ସମ୍ପୃକ୍ତ କର୍ମଚାରୀମାନଙ୍କୁ ଅତ୍ୟାଧୁନିକ ଆଗ୍ନେୟାସ୍ତ୍ର ଚଳାଇବାର ତାଲିମ ମଧ୍ୟ ଦେବାର ବ୍ୟବସ୍ଥା କରାଯିବା ଉଚିତ। ଜଙ୍ଗଲ କର୍ମଚାରୀଙ୍କୁ ବନ୍ଧୁକ ଦିଆଯାଇଥିଲେ ମଧ୍ୟ ପୁଲିସର ପ୍ରାକ୍‌‌ ଅନୁମତି ବିନା ତାହା ଚଳାଇବାକୁ ସେମାନେ ଅଧିକୃତ ନଥିଲେ। ତେଣୁ ଏଥିରେ ପରିବର୍ତ୍ତନ ଜରୁରୀ ଥିଲା।

ଆମ ଜଙ୍ଗଲାଞ୍ଚଳ, ବିଶେଷକରି ଶିମିଳିପାଳ, ଆଠଗଡ଼, ସାତକୋଶିଆ ଆଦି ଜଙ୍ଗଲ ଡିଭିଜନ ଅତ୍ୟଧିକ ଲୁଟ୍‌‌ ଓ ବେଆଇନ ଶିକାର ପ୍ରବଣ। ଏହିସବୁ ବନାଞ୍ଚଳର ସୁରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସମ୍ପୃକ୍ତି ଓ ସହଯୋଗ ତ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ। ତା’ ସହିତ ଉପଯୁକ୍ତ ପ୍ରଶିକ୍ଷିତ, ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ବନକର୍ମଚାରୀଙ୍କର ଆବଶ୍ୟକତା ରହିଛି। ଜଙ୍ଗଲ ତୁଳନାରେ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ। କେତେକ ଅତି ଶିକାରପ୍ରବଣ ଓ ଗୁରୁତ୍ୱପୂର୍ଣ୍ଣ ବନଖଣ୍ଡରେ କିଛି କିଛି ସଶସ୍ତ୍ର ବନକର୍ମଚାରୀ ଅଛନ୍ତି। ଏହାସତ୍ତ୍ବେ ବନ୍ଧୁକ ବ୍ୟବହାର କରିବା ଉପରେ ସେମାନଙ୍କ ଉପରେ ଅତ୍ୟଧିକ କଟକଣା ରହିଛି। ଆବଶ୍ୟକ ସ୍ପଷ୍ଟ ଆଇନଗତ ସୁରକ୍ଷା (ଇମ୍ୟୁନିଟି) ଅଭାବରୁ ଅନେକ ମଧ୍ୟ ସେହି ବନ୍ଧୁକ ବ୍ୟବହାର କରିବାର ସୁଯୋଗ ପାଉନାହାନ୍ତି। ତା’ଛଡ଼ା ସେସବୁ ଆଗ୍ନେୟାସ୍ତ୍ର ଅତ୍ୟନ୍ତ ପୁରୁଣାକାଳିଆ ଏବଂ ଲୁଟିଆ ଓ ଶିକାରୀଙ୍କ ମୁକାବିଲା ପାଇଁ ଯଥେଷ୍ଟ ନୁହେଁ।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ବନ କର୍ମଚାରୀଙ୍କୁ ବନ୍ଧୁକ ପ୍ରଦାନ ସହିତ ନିୟନ୍ତ୍ରଣ କରିବା (ଚେକ୍‌‌ ଆଣ୍ଡ ବାଲାନ୍ସ) ନୀତିରେ ଏହାର ଅପବ୍ୟବହାରକୁ ରୋକିବାର ବ୍ୟବସ୍ଥା ହୋଇଛି। ଯଦି କୌଣସି କର୍ମଚାରୀ ବନ୍ଧୁକ ଚଳାଏ ତେବେ ତାହାର ଯଥାର୍ଥତାକୁ ତାଙ୍କୁ ପ୍ରମାଣିତ କରିବାକୁ ହେବ; ତାହା ହେଲେ ଯାଇ ସେମାନେ ଆଇନଗତ ସୁରକ୍ଷା ପାଇବେ। ତାଙ୍କ ନାମରେ ତତ୍କାଳ ମାମଲା ହେବ ନାହିଁ ଓ ସେମାନଙ୍କୁ ଗିରଫ କରାଯିବ ନାହିଁ। ସେଥିପାଇଁ ଭାରତୀୟ ପିଙ୍ଗଳ ଆଇନର ଧାରା ୧୯୭ର ପ୍ରୟୋଗ କରାଯିବ। ଦ୍ୱିତୀୟ କଥାଟି ହେଲା ଆଇନଗତ ମାମଲାରେ ଛନ୍ଦି ହେବାର ଭୟଥିବାରୁ ବନକର୍ମଚାରୀ ବନ୍ଧୁକ ପାଖରେ ରଖି ମଧ୍ୟ ତାହାକୁ ବ୍ୟବହାର କରିବାକୁ ଡରୁଥିଲେ। କାରଣ ପୁଲିସ୍‌‌ ଗୁଳି ଚଳାଇଥିବା ବନକର୍ମଚାରୀଙ୍କ ବିରୋଧରେ ତୁରନ୍ତ ମାମଲା ରୁଜୁ କରି ତାଙ୍କୁ ଗରିଫ କରୁଥିଲା। ଅନେକ ସମୟରେ କିଛି ଅସାଧୁ ବ୍ୟକ୍ତି ମଧ୍ୟ ସେମାନଙ୍କୁ ମିଥ୍ୟା ମାମଲାରେ ପକାଇ ହରକତ କରୁଥିଲେ। ତେଣୁ ସରକାରଙ୍କ ଏହି ନୂଆ ନିଷ୍ପତ୍ତି ବନକର୍ମଚାରୀଙ୍କୁ ଅଧିକ ସୁରକ୍ଷିତ, ସଶକ୍ତ କରିବା ସହ ସେମାନଙ୍କର ନୈତିକ ବଳ ବଢ଼଼ାଇବ। ବଡ଼ କଥା ହେଲା ଯେ ବନ ସୁରକ୍ଷା କର୍ମଚାରୀଙ୍କୁ ଆଇନଗତ ସୁରକ୍ଷା ଓ ବନ୍ଧୁକ ଆଦିର ସୁବିଧା ଯୋଗାଇ ଦେବା ଫଳରେ ବନାଞ୍ଚଳର ଜୀବଜନ୍ତୁ ତଥା ଜଙ୍ଗଲ ସମ୍ପଦର ସୁରକ୍ଷା ମଧ୍ୟ ହୋଇପାରିବ। ଆଜିକାଲି ଜଙ୍ଗଲ ସମ୍ପଦ ଲୁଟିବା ଓ ଅବାଧ ବନ୍ୟପ୍ରାଣୀ ଶିକାର ଯେଉଁମାତ୍ରାରେ ବୃଦ୍ଧି ପାଉଥିଲା, ତାହାକୁ ରୋକିବାରେ ସରକାରଙ୍କ ନୂଆ ନିଷ୍ପତ୍ତି ବେଶ୍‌‌ ପ୍ରଭାବଶାଳୀ ହେବ। ସମ୍ପ୍ରତି ବନ୍ୟପ୍ରାଣୀ ଓ ମାନବ ସଂଘର୍ଷ ମଧ୍ୟ ବୃଦ୍ଧି ପାଇଛି। କାରଣ ବଣ ଜଙ୍ଗଲରେ ହାତୀ ଓ ବାଘ ଭଳି ଜନ୍ତୁଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଶୃଙ୍ଖଳ ମିଳିପାରୁନାହିଁ ଏବଂ ସେମାନେ ନିକଟସ୍ଥ ଜନବସତିରେ ବାରମ୍ବାର ଅନୁପ୍ରବେଶ କରିବାକୁ ବାଧ୍ୟ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ବନ ସୁରକ୍ଷା କର୍ମଚାରୀଙ୍କ ନିରାପତ୍ତା ମଧ୍ୟ ବିପନ୍ନ ହେଉଛି। ସେମାନଙ୍କୁ ବନ୍ଧୁକ ଯୋଗାଣ ଓ ଚାଳନାରେ ଆଇନଗତ ଅଧିକାର ଦିଆଯିବା ଫଳରେ ସେମାନଙ୍କ ଆତ୍ମରକ୍ଷାର ସୁବିଧା ମଧ୍ୟ ବୃଦ୍ଧି ପାଇବ। ମୋଟ ଉପରେ ଦେଖିବାକୁ ଗଲେ ବନ୍ୟପ୍ରାଣୀ ସୁରକ୍ଷା ଓ ଜଙ୍ଗଲ ମାଫିଆ ପ୍ରତିରୋଧ ପାଇଁ ବନ ସୁରକ୍ଷା କର୍ମଚାରୀମାନେ ଅଧିକ ପ୍ରସ୍ତୁତ ଓ ସଜାଗ ହୋଇ ରହିବେ। ଏହାଫଳରେ ବହୁଦିନର ଏକ ସମସ୍ୟାର ସମାଧାନ ହେଲା।

About The Author: The Sakala