ଚଳଚଞ୍ଚଳ ବିଶ୍ୱ ସୁନାବଜାର

ବିଶ୍ୱବଜାରରେ ଯୁଗପତ୍‌‌ ସୁନାର ମୂଲ୍ୟ ଓ ଚାହିଦା ବଢ଼଼ିବା ଭାରତ ଭଳି ଅନେକ ବିକାଶଶୀଳ ରାଷ୍ଟ୍ରଙ୍କ ପାଇଁ ଚିନ୍ତାଜନକ ଖବର। ଏହି ଦାମୀ ହଳଦିଆ ଧାତୁ ବିଶ୍ୱ ଅର୍ଥନୀତିର ସ୍ଥିରତା ରକ୍ଷାକାରୀ। ଅନେକଙ୍କ ପାଇଁ ଏହା ସମସ୍ତଙ୍କ ଦ୍ୱାରା ଗ୍ରହଣଯୋଗ୍ୟ ନଗଦ ଅର୍ଥ କିମ୍ବା ବାସ୍ତବ ବୀମା ପଲିସି। କେବଳ ସେତିକି ନୁହେଁ ଆଜିକାଲିର ନୂଆ ଆଇଟି ଟେକ୍‌‌ନୋଲୋଜି ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ସଫ୍ଟଓୟାର ପ୍ରସ୍ତୁତିରେ ସୁନା ଏବଂ ଅନ୍ୟାନ୍ୟ ବିରଳ ମୂଲ୍ୟବାନ ଧାତୁର ବ୍ୟବହାର ଅଧିକ […]

ବିଶ୍ୱବଜାରରେ ଯୁଗପତ୍‌‌ ସୁନାର ମୂଲ୍ୟ ଓ ଚାହିଦା ବଢ଼଼ିବା ଭାରତ ଭଳି ଅନେକ ବିକାଶଶୀଳ ରାଷ୍ଟ୍ରଙ୍କ ପାଇଁ ଚିନ୍ତାଜନକ ଖବର। ଏହି ଦାମୀ ହଳଦିଆ ଧାତୁ ବିଶ୍ୱ ଅର୍ଥନୀତିର ସ୍ଥିରତା ରକ୍ଷାକାରୀ। ଅନେକଙ୍କ ପାଇଁ ଏହା ସମସ୍ତଙ୍କ ଦ୍ୱାରା ଗ୍ରହଣଯୋଗ୍ୟ ନଗଦ ଅର୍ଥ କିମ୍ବା ବାସ୍ତବ ବୀମା ପଲିସି। କେବଳ ସେତିକି ନୁହେଁ ଆଜିକାଲିର ନୂଆ ଆଇଟି ଟେକ୍‌‌ନୋଲୋଜି ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ସଫ୍ଟଓୟାର ପ୍ରସ୍ତୁତିରେ ସୁନା ଏବଂ ଅନ୍ୟାନ୍ୟ ବିରଳ ମୂଲ୍ୟବାନ ଧାତୁର ବ୍ୟବହାର ଅଧିକ ହେଉଛି। ଏପରିକି ଆମ ସ୍ମାର୍ଟଫୋନ୍‌‌, ସେମିକଣ୍ଡକ୍ଟର ଆଦିରେ ଅଳ୍ପ ପରିମାଣରେ ସୁନା ବ୍ୟବହାର କରାଯାଉଛି, ଏହାର ବିଶେଷ ନମନୀୟତା ଗୁଣ ପାଇଁ।

ସୁନାର ଚାହିଦା ଅନୁସାରେ ଏହାର ଉତ୍ପାଦନ କମ୍‌‌। କୋଭିଡ୍‌‌ ମହାମାରୀ ପରଠାରୁ ସୁନାର ଦାମ ବଢ଼଼ିବାକୁ ଲାଗିଛି। ଯୁଦ୍ଧ, ଆନ୍ତର୍ଜାତିକ ଅର୍ଥ ବ୍ୟବସ୍ଥା ଓ ତୈଳ ମୂଲ୍ୟ ସହ ସୁନା ମୂଲ୍ୟର ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ନିବେଶକ ତୈଳବଜାର ଓ ଅର୍ଥ ବ୍ୟବସ୍ଥାରେ ଅସ୍ଥିରତା ଦେଖିଲେ ସୁନା ଅଧିକ କିଣି ନିଜର ଅର୍ଥକୁ ସୁରକ୍ଷିତ ରଖିଥା’ନ୍ତି। ତେଣୁ ସୁନାର ମୂଲ୍ୟ ସର୍ବଦା ବଢ଼େ, ଏହାର ଲାଭ କ୍ୱଚିତ କମେ। ଯାହା କମେ ତାହା କିଛି ନୁହେଁ। ତେଣୁ ଏହା ନିବେଶକଙ୍କ ପାଇଁ ସବୁଠୁ ନିରାପଦ ନିବେଶ।

ରୁଷ-ୟୁକ୍ରେନ୍‌‌ ଯୁଦ୍ଧ ପରେ ଆନ୍ତର୍ଜାତିକ ବଜାରରେ ସୁନାର ମୂଲ୍ୟ ହଠାତ୍‌‌ ଆକାଶଛୁଆଁ ହେବା ଆରମ୍ଭ କଲା। ତତ୍‌‌ପରବର୍ତ୍ତୀ ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥା, ଇସ୍ରାଏଲ୍‌‌-ହମାସ ଲଢ଼େଇ ଓ ଆନ୍ତର୍ଜାତିକ ତୈଳବଜାରର ଅସ୍ଥିରତା ଫଳରେ ନିବେଶକ, ଧନାଢ଼୍ୟ ବ୍ୟକ୍ତି ସୁନାରେ ଅଧିକରୁ ଅଧିକ ନିବେଶ କରିବାକୁ ଲାଗିଲେ। ତେଣୁ ବଜାରରେ ସୁନା ଭାଉ ହୁ ହୁ ହୋଇ ବଢ଼଼ିଲା। ଆହୁରି ମଧ୍ୟ ଚୀନ୍‌‌, ଭାରତ ସମେତ ବିଶ୍ୱର ବଡ଼ ବଡ଼ ଦେଶ ନିଜର ଅର୍ଥନୀତିକୁ ସୁଦୃଢ଼ କରିବାକୁ ନିଜ ନିଜ କେନ୍ଦ୍ରୀୟ ବ୍ୟାଙ୍କ ଜରିଆରେ ଅଧିକରୁ ଅଧିକ ସୁନା କିଣି ଚାଲିଛନ୍ତି। ତେଣୁ ସୁନାର ମୂଲ୍ୟ ବଢ଼଼ିବା ସ୍ୱାଭାବିକ।

ଏବେ ଚୀନ୍‌‌ ସରକାର ଯେଉଁ ପରିମାଣର ସୁନା କିଣୁଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଦେବାଭଳି। କୁହାଯାଉଛି ଯେ ଚୀନ୍‌‌ରେ ଯେଉଁ ମାତ୍ରାରେ ସୁନା କିଣାଯାଉଛି, ସେଥିରୁ ମନେ ହେଉଛି ଯେ ସତେଯେପରି ଆଗକୁ ସୁନା ଆଉ ମୋଟେ ମିଳିବ ନାହିଁ। ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌‌ ଅର୍ଥନୀତି ଚୀନ୍‌‌ ଏହି ପ୍ରଚୁର ସୁନା କିଣିବା ପଛରେ ରହିଛି ତାହାର ଆର୍ଥିକ ମାନ୍ଦାବସ୍ଥା ଏବଂ ବିଶ୍ୱରେ ଚାଲିଥିବା ଯୁଦ୍ଧ ବିଗ୍ରହ ଜନିତ ସ୍ଥିତି। ଚୀନ୍‌‌ ଅର୍ଥନୀତି ଏବେ ମାନ୍ଦା ଥିବାରୁ ନିବେଶକ ସେଠାରେ କମ୍‌‌ ପୁଞ୍ଜି ଲଗାଉଛନ୍ତି। ତେଣୁ ନିଜ ଅର୍ଥନୀତିକୁ ସମ୍ଭାଳି ରଖିବାକୁ ଚୀନ୍‌‌ ନିଜପାଖରେ ଥିବା ପ୍ରଚୁର ଅର୍ଥକୁ ସୁନାରେ ନିବେଶ କରି ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଚାହୁଁଛି। ଏବେ କୋଠାବାଡ଼ି ନିର୍ମାଣ ବ୍ୟବସାୟ ଓ ଷ୍ଟକ୍‌‌ମାର୍କେଟରେ ନିବେଶ ବିଶେଷ ଲାଭଜନକ ହେଉନାହିଁ। ତେଣୁ ପଇସାବାଲା ଲୋକେ ସୁନା ଅଧିକ ପରିମାଣରେ କିଣିବାରୁ ବିଶ୍ୱ ବଜାରରେ ଏହି ହଳଦିଆ ଧାତୁର ମୂଲ୍ୟ ଆଉନ୍ସ (୨୮.୩୫ଗ୍ରାମ) ମୂଲ୍ୟ ପ୍ରାୟ ୨୩୨୮ ଆମେରିକୀୟ ଡଲାର। ଭାରତୀୟ ମୁଦ୍ରାରେ ପ୍ରାୟ ଦୁଇଲକ୍ଷ ଟଙ୍କା। ଚୀନ୍‌‌ ସରକାର ଆମେରିକୀୟ ଋଣ ପରିଶୋଧ କରିବାକୁ ଏବେ ସୁନାର ଆଶ୍ରୟ ନେଇଛି।

ଆମେରିକୀୟ ଡଲାର ବିଶ୍ୱର ସବୁଠୁ ପ୍ରଭାବଶାଳୀ ମୁଦ୍ରା ଓ ଏହାର ଚାହିଦା ସର୍ବାଧିକ। ସମଗ୍ର ବିଶ୍ୱର ସର୍ବାଧିକ ବାଣିଜ୍ୟ କାରବାର ଆମେରିକୀୟ ଡଲାରରେ ହୋଇଥାଏ। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ତାହାର ସୁଧହାର ଉଚ୍ଚା ରଖିଛି ଓ ଏହା ଅଧିକ କାଳ ରହିବ ବୋଲି ଘୋଷଣା କରିଛି। ଏହାଫଳରେ ଟଙ୍କା (ରୁପି) ସମେତ ବିଶ୍ୱର ସବୁ ପ୍ରମୁଖ ଦେଶର ମୁଦ୍ରାର ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ହ୍ରାସ ପାଉଛି। ତେଣୁ ନିବେଶକ ଓ ବିଭିନ୍ନ ଦେଶ ସୁନା କିଣି ନିଜର ମୁଦ୍ରାର ମୂଲ୍ୟକୁ ସ୍ଥିର ରଖିବାକୁ ଚେଷ୍ଟା କରୁଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ପରିସ୍ଥିତିର ମୁକାବିଲା ପାଇଁ ସୁନା କିଣିବାକୁ ବାଧ୍ୟ ହେଉଛି।

ଭାରତ ପାରମ୍ପରିକ ଭାବେ ଏକ ସୁନାପ୍ରେମୀ ଦେଶ। ପ୍ରତ୍ୟେକ ସ୍ୱଚ୍ଛଳ ପରିବାର ଗହଣା ଗାଣ୍ଠି ରୂପେ ସୁନା କିଣିବାକୁ ପସନ୍ଦ କରନ୍ତି ଏବଂ ଏହାକୁ ଜୀବନ ତଥା ପରିବାରର ଏକ ସ୍ଥାୟୀ ଜମା ଭାବେ ବିଚାର କରିଥା’ନ୍ତି। ବିବାହବ୍ରତ ଆଦି ସାଂସ୍କୃତିକ ଉତ୍ସବାନୁଷ୍ଠାନରେ ମଧ୍ୟ ସୁନାର ଚାହିଦା ଭାରତରେ ବୃଦ୍ଧି ପାଇଥାଏ। ଭାରତରେ କନ୍ୟାପିତା ଯେତେ ଗରିବ ହେଲେ ମଧ୍ୟ ବର ଓ କନ୍ୟା ପାଇଁ ସୁନା ଅଳଙ୍କାର କିଣିବା ଏକ ଅଲିଖିତ ନିୟମ ଓ ପରମ୍ପରା ହୋଇଆସିଛି। ଅକ୍ଷୟ ତୃତୀୟା, ଧନ୍‌‌ ତେରାଶ, ଦୀପାବଳି ଭଳି ଉତ୍ସବାନୁଷ୍ଠାନରେ ଲୋକେ ସୁନା କିଣିବାକୁ ଶୁଭ ବୋଲି ବିଚାର କରନ୍ତି। ତେବେ ପରିତାପର ବିଷୟ ହେଲା ସୁନା ଉତ୍ପାଦନରେ ଭାରତର ସ୍ଥିତି ନଗଣ୍ୟ ଏବଂ ଏହା ସମ୍ପୂର୍ଣ୍ଣ ଭାବେ ଆମଦାନି ଉପରେ ନିର୍ଭର କରେ। ମାତ୍ର ଦେଢ଼ବର୍ଷ ମଧ୍ୟରେ କିନ୍ତୁ ସୁନାର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ୫୦ ଶତାଂଶରୁ ଅଧିକ ବଢ଼଼ିଥିବା ବେଳେ ଭାରତରେ ଏହା ପ୍ରାୟ ଦୁଇଗୁଣ ହୋଇଛି।

ଘରୋଇ ଗ୍ରାହକ ସମେତ ନିବେଶକ, ସରକାର, କେନ୍ଦ୍ରୀୟ ବ୍ୟାଙ୍କ, ଦେଶର ଅର୍ଥନୀତି, ଆନ୍ତର୍ଜାତିକ ବାଣିଜ୍ୟ ଓ ଋଣ ପରିଶୋଧ ପାଇଁ ସୁନାର ଆବଶ୍ୟକତା ବହୁ ଅଧିକ। ଆମ ଅର୍ଥନୀତି ବିଶ୍ୱର ତୃତୀୟ ସର୍ବବୃହତ୍‌‌ ହେବାକୁ ଯାଉଛି। ଏବେ ଭାରତର ଅର୍ଥନୀତିର ଆକାର ୩.୭ ଟ୍ରିଲିୟନ ଡଲାର। ୨୦୩୦ ସୁଦ୍ଧା ଏହା ଛ’ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ଏତେବଡ଼ ଅର୍ଥନୀତିକୁ ଗ୍ୟାରେଣ୍ଟି ଦେବା ପାଇଁ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ପାଖରେ ଆବଶ୍ୟକ ପରିମାଣର ସୁନା ରହିବା ଦରକାର। ସରକାର ସେ ଦିଗରେ ସଚେତନ ଥିବେ, ସେ ବିଶ୍ୱାସ ଆମର ରହିଛି। ବଡ଼ କଥା ହେଲା ସ୍ୱର୍ଣ୍ଣପ୍ରିୟ ଭାରତୀୟଙ୍କ ପାଖରେ ବ୍ୟକ୍ତିଗତ ଯେତେ ପରିମାଣର ସୁନା ଓ ଅଳଙ୍କାର ରହିଛି, ତାହା ସମସ୍ତଙ୍କୁ ଚକିତ କରିପାରେ। ଗଣମାଧ୍ୟମ ତଥ୍ୟ ଅନୁସାରେ ଭାରତରେ ବିଭିନ୍ନ ପରିବାରରେ ଥିବା ସୁନାର ପରିମାଣ ପ୍ରାୟ ୨୧ ହଜାର ଟନ୍‌‌। ଏହା ବିଶ୍ୱବ୍ୟାଙ୍କର ସ୍ୱର୍ଣ୍ଣ ମହଜୁଦ (ଗୋଲ୍ଡ ରିଜର୍ଭ) ଠାରୁ ମଧ୍ୟ ଅଧିକ। ତେବେ ଏଥିରେ ସରକାର ହାତ ମାରିବା ସହଜ ନୁହେଁ।

ଏସବୁ ପାରମ୍ପରିକ ପୁଞ୍ଜି ଓ ଧନାଢ଼୍ୟ ବ୍ୟକ୍ତିଙ୍କ ପାଖରେ ଅଧିକ ରହିଛି। ସୁତରାଂ ଏହା ଉପରେ ରାଜନୈତିକ ନଜର ପଡ଼ିଲେ ଅସନ୍ତୋଷ ବଢ଼଼ିବା ସ୍ୱାଭାବିକ। ନିକଟରେ କଂଗ୍ରେସର ନିର୍ବାଚନ ଇସ୍ତାହାରରେ ଘରୋଇ ସଞ୍ଚିତ ଧନକୁ ଥିବାବାଲାଙ୍କଠାରୁ ଆଣି ଗରିବଙ୍କୁ ବାଣ୍ଟିବା କଥା ଉଲ୍ଲେଖଥିବାରୁ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଏଭଳି ଉଗ୍ର ବାମପନ୍ଥୀ ବିଚାର ଭାରତୀୟ ଗଣତନ୍ତ୍ର ପାଇଁ କ୍ଷତିକାରକ ନିଶ୍ଚୟ। ଯେଉଁ ଦେଶ ସମ୍ପଦ ସୃଷ୍ଟି କରିବାକୁ ନାଗରିକଙ୍କୁ ସୁଯୋଗ ଦିଏ ସେ ଦେଶ ଉନ୍ନତି କରେ ଓ ଲୋକଙ୍କ ଆର୍ଥିକ ସ୍ଥିତି ବଦଳେ। ଆର୍ଥିକ ସ୍ଥିତି ବଦଳିଲେ ସାମାଜିକ ସ୍ଥିତିରେ ପରିବର୍ତ୍ତନ ଆସେ। ନିଜର ଆବଶ୍ୟକତା ପୂରଣ ପାଇଁ ଭାରତ ତ ଅଧିକ ସୁନା କିଣିବାକୁ ଚାହିଁବ। ତେବେ ବର୍ଦ୍ଧିତ ମୂଲ୍ୟ ଏ କ୍ଷେତ୍ରରେ ଏକ ପ୍ରତିବନ୍ଧକ। ଆମ ଲୋକକଥାରେ ଉକ୍ତିଟିଏ ଅଛି ‘ସୁନା ଓ ଭୂମି ଯେତେବେଳେ କିଣାଯାଏ, ତାହା ସେତେବେଳେ ଶସ୍ତା’। ଏହାର ସରଳ ଅର୍ଥ ହେଲା ପ୍ରତି ମୁହୂର୍ତ୍ତରେ ସୁନାର ମୂଲ୍ୟ ବଢ଼଼ିଥାଏ। କିନ୍ତୁ ସୁନା ବଜାରର ଏକ ବିଡ଼ମ୍ବନା ହେଲା ଏହା ବ୍ୟକ୍ତିଗତ ସମ୍ପଦ ବା ଅର୍ଥନୀତି(ମାଇକ୍ରୋ ଇକୋନମି) ସୁରକ୍ଷା ଦେଉଥିବା ବେଳେ ଦେଶର ସାମଗ୍ରିକ ଅର୍ଥନୀତି(ମାକ୍ରୋ ଇକୋନମି)କୁ କ୍ଷତିଗ୍ରସ୍ତ କରେ। କାରଣ ସୁନାରେ ନିବେଶ ହୋଇଥିବା ବିପୁଳ ଅର୍ଥ ସ୍ଥାଣୁ ଭାବରେ ରହି ଅର୍ଥନୀତିକୁ ମଧ୍ୟ ସ୍ଥାଣୁ କରିଦିଏ। ଏହି କାରଣରୁ ସୁନା କିଣି ଘରେ ଗଚ୍ଛିତ କରି ରଖିବା ମାନସିକତାକୁ ନିରୁତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଗୋଲ୍ଡ ବଣ୍ଡ ଯୋଜନା ଆରମ୍ଭ କରିଥିଲେ। କିନ୍ତୁ ଭାରତୀୟମାନଙ୍କର ସୁନା ମନସ୍କତା କାରଣରୁ ଏହା ବିଶେଷ ଫଳପ୍ରଦ ହୋଇପାରିନାହିଁ। ସେହିପରି ସୁନା ଆମଦାନୀ ଉପରେ ସରକାର ଅଧିକ ଶୁଳ୍କ ଲାଗୁ କରିବା ଉଦ୍ୟମ ମଧ୍ୟ ବ୍ୟର୍ଥ ହୋଇଛି। ଲୋକଙ୍କ ସୁନା ପ୍ରତି ମୋହ ଯେ ପର୍ଯ୍ୟନ୍ତ ନ କମିଛି ସୁନା ମୂଲ୍ୟ ମଧ୍ୟ କମିବ ନାହିଁ। ଅର୍ଥର ମୂଳ ସୁନାର କ୍ରମବର୍ଦ୍ଧିଷ୍ଣୁ ଚାହିଦା ଅନର୍ଥର କାରଣ ନ ହେଉ। କିନ୍ତୁ ବ୍ୟକ୍ତି, ଅନୁଷ୍ଠାନ, ଦେଶ ସମସ୍ତେ ସୁନା ପଛରେ ଦୌଡ଼ୁଛନ୍ତି। ଏହି ଦୌଡ଼ରୁ ସେମାନଙ୍କୁ ନିବୃତ କରିବ କିଏ?

About The Author: The Sakala