ଯୁଦ୍ଧକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଜାରି ରହିଛି। ଦେଶରେ ଯୁଦ୍ଧ ସପକ୍ଷରେ ପରିବେଶ ବି ସେମିତି ତେଜିକି ଅଛି। ପହଲଗାମ ନରସଂହାରର ଏଥିମଧ୍ୟରେ ୧୪ ଦିନ ଅତିକ୍ରମ କଲାଣି, ଅଥଚ ଅନିଶ୍ଚିତ ବାତାବରଣ ଅପରିବର୍ତ୍ତିତ ରହିଛି। ଜାତିଭିତ୍ତିକ ଜନଗଣନା ଘୋଷଣା ସତ୍ତ୍ବେ ରାଜନୈତିକ ବିଚାର ଓ ଆଚାର ପୂର୍ବଭଳି ଅତୁଟ ରହିଛି। ବରଂ ଦେଶବାସୀଙ୍କ ସହ ବିରୋଧୀ ଦଳମାନେ ମଧ୍ୟ ସରକାରଙ୍କ ଉପରେ ଯୁଦ୍ଧ ପାଇଁ ଚାପ ପ୍ରୟୋଗ କରୁଛନ୍ତି। ସରକାର ପାକିସ୍ତାନ ବିରୋଧରେ ଅର୍ଥନୈତିକ ଚାପ ପ୍ରୟୋଗ କରି ଯୁଦ୍ଧବିଗ୍ରହ ଭାର ବହନ ସାମର୍ଥ୍ୟକୁ ପଙ୍ଗୁ କରିଚାଲିଛନ୍ତି। କିନ୍ତୁ ଏହା ଶେଷ କଥା ନୁହେଁ। କୂଟନୈତିକ ସ୍ତରରେ ଚୀନ ସହ ଯୋଗାଯୋଗରେ ଅଛି ଭାରତ। କାରଣ ପରିସ୍ଥିତି ଏପରି ନହେଉ ଯେଉଁଥିପାଇଁ ପାକିସ୍ତାନ ଓ ଚୀନ ସହ ଭାରତକୁ ଏକସମୟରେ ଯୁଦ୍ଧ କରିବାକୁ ପଡ଼ିବ। ସରକାର ସମୟ ଗଡ଼଼ାଇବାର ଏହା ହିଁ ମୁଖ୍ୟ କାରଣ। ଅନ୍ୟ ଏକ ଦୃଷ୍ଟିକୋଣରୁ ବିଚାର କଲେ ଯୁଦ୍ଧ ଘୋଷଣା ନକରିବାକୁ ଭାରତ ଉପରେ ଚାପ ପକାଉଛି ଚୀନ୍। ନିଜର ବୃହତ୍ତର ସ୍ୱାର୍ଥରକ୍ଷା ପାଇଁ କୌଣସି ପ୍ରକାର ଯୁଦ୍ଧ ଟାଳିଦେବା ସକାଶେ ଚୀନ କୂଟନୈତିକ ରଣନୀତି ଆପଣାଇଛି। ଭାରତ ଭଳି ଚୀନ୍ ମଧ୍ୟ ପାକ୍ ଆତଙ୍କବାଦୀ କାର୍ଯ୍ୟକଳାପର ଦୃଢ଼ ବିରୋଧୀ। ଚୀନର ଅର୍ଥନୈତିକ କାର୍ଯ୍ୟକ୍ରମରେ ପରିଲକ୍ଷିତ ଶିଥିଳତା ପାଇଁ ସେମାନେ ହିଁ ମୁଖ୍ୟତଃ ଦାୟୀ। ବିଶ୍ୱ ବାଣିଜ୍ୟ ରାଜନୀତି ଯେଉଁ ପ୍ରତିକୂଳ ପରିସ୍ଥିତି ଦେଇ ଗତିକରୁଛି, ସେଥିରେ ଭାରତକୁ ମଧ୍ୟ ଅସନ୍ତୁଷ୍ଟ କରିବାକୁ ଚାହେଁନି ଚୀନ୍।
ସ୍ଥଳ, ଆକାଶ ଓ ଜଳପଥରେ କଟକଣା ପ୍ରୟୋଗ କରି ପାକିସ୍ତାନ ସହ ସମସ୍ତ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ବନ୍ଦ କରିଛି ଭାରତ। ଡାକ ଓ ପାର୍ସଲ ସେବା ବନ୍ଦ ସହ ଭାରତ ତା’ର ସମସ୍ତ ବନ୍ଦରକୁ ପାକ୍ ଜାହାଜ ଚଳାଚଳ ଉପରେ କଟକଣା ପ୍ରୟୋଗ କରିଛି। ପାକିସ୍ତାନର କୌଣସି ସାମଗ୍ରୀ ସିଧାସଳଖ କିମ୍ବା ତୃତୀୟପକ୍ଷ ସହାୟତାରେ ଭାରତ ଆସିପାରିବ ନାହିଁ। ତେବେ ବିଶେଷ କ୍ଷେତ୍ରରେ ସରକାରଙ୍କ ସ୍ୱତନ୍ତ୍ର ଅନୁମତିକ୍ରମେ ଏହି କଟକଣାକୁ କୋହଳ କରାଯାଇପାରେ। ପାକିସ୍ତାନ ଆର୍ଥିକ ଦୃଷ୍ଟିରୁ ଘୋର ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଭାରତ ସରକାରଙ୍କ ଏହି କଟକଣା ପ୍ରୟୋଗ ସେ ଦେଶର ସ୍ଥିତିକୁ ଅଧିକ ଦୁର୍ବଳ କରିଦେବ। ଆଜିକାଲିର ବ୍ୟୟବହୁଳ ଯୁଦ୍ଧ ପରିଚାଳନା କେବଳ ଜିଦ୍ରେ ନୁହେଁ, ରାଷ୍ଟ୍ରର ଆର୍ଥକ ଶକ୍ତି ଓ ସାମର୍ଥ୍ୟ ଉପରେ ନିର୍ଭର କରେ। ତେଣୁ ଭାରତ ସାମରିକ କାର୍ଯାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ପାକିସ୍ତାନର ଅର୍ଥନୀତିକୁ ପଙ୍ଗୁ କରିଦେବାକୁ ଚାହେଁ। ଏହାକୁ ଆଧୁନିକ ରଣକୌଶଳର ଏକ ଅଙ୍ଗ ରୂପେ ଗ୍ରହଣ କରାଯାଇପାରେ। ଏକଥା ସତ ଯେ ପ୍ରକୃତ ନିୟନ୍ତ୍ରଣ ରେଖାର ଉଭୟ ପାର୍ଶ୍ବରେ ସମରସଜ୍ଜା ଚାଲିଛି। ପାକ୍ ଅଧିକୃତ କାଶ୍ମୀର (ପିଓକେ) ରେ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରି ସେଠାରେ ସେନାବାହିନୀ ମୁତୟନ ଓ ସାଜ ସରଞ୍ଜାମ ଗଚ୍ଛିତ ରଖିବା କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏହା ଆକ୍ରମଣ ସକାଶେ ନୁହେଁ, ବରଂ ଆତ୍ମରକ୍ଷା ପ୍ରସ୍ତୁତି କୁହାଯାଇପାରେ।
ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟବସ୍ଥାର ଅଂଶବିଶେଷ ଚୀନ୍ ହୋଇଥିବାରୁ ତାହାର ସୁରକ୍ଷା ଓ ସହମତି ପ୍ରତି ପ୍ରତିଶ୍ରୁତିବଦ୍ଧ। ତେଣୁ ଭାରତ-ପାକିସ୍ତାନ ଯୁଦ୍ଧରେ ତାହାର ଭୂମିକା କ’ଣ ହେବ, ସେନେଇ ଆଶଙ୍କା ସୃଷ୍ଟି ହେବା ସ୍ୱାଭାବିକ। ଯୁଦ୍ଧ କ୍ଷେତ୍ରକୁ ଚୀନ୍ ପ୍ରତ୍ୟକ୍ଷଭାବେ ନ ଓହ୍ଲାଇଲେ ମଧ୍ୟ ପରୋକ୍ଷରେ ଯେଉଁ ସହାୟତା ଦେବ, ତାହା ମଧ୍ୟ ଭାରତ ସକାଶେ ଚିନ୍ତା ଓ ଉଦ୍ବେଗର ବିଷୟ। ତେଣୁ ଭାରତ ଯୁଦ୍ଧ ଘୋଷଣା କରିବା ପୂର୍ବରୁ କୂଟନୈତିକ ସ୍ତରରେ ଚୀନ୍ ସହ ଯୋଗାଯୋଗ ରକ୍ଷା କରିଛି। ଆମକୁ ଏଠାରେ ସ୍ପଷ୍ଟ କରିଦେବାକୁ ପଡ଼ିବ ଯେ ଭାରତ-ଚୀନ ବାଣିଜ୍ୟିକ ସମ୍ପର୍କରେ ଯେପରି କୌଣସି ଆଞ୍ଚ ନଆସେ, ସେଥିପ୍ରତି ବେଜିଂ ବର୍ତ୍ତମାନର ପ୍ରତିକୂଳ ପରିସ୍ଥିତିରେ ଆବଶ୍ୟକତାଠାରୁ ଅଧିକ ଗୁରୁତ୍ୱ ଦେଉଛି। ଟ୍ରମ୍ପଙ୍କ ବାଣିଜ୍ୟ ଯୁଦ୍ଧକୁ ଚୀନ୍ ଖୋଲା ଆହ୍ୱାନ ଦେଉଥିବା ବେଳେ ଭାରତ ସହ ସମ୍ପର୍କ ତିକ୍ତ କରିବାକୁ ଚାହେଁନାହିଁ। ପହଲଗାମ୍ ଘଟଣାକ୍ରମ ଭାରତ ପାଇଁ ଏକ ମର୍ଯ୍ୟାଦା ପ୍ରସଙ୍ଗ ହୋଇଥିବାରୁ ଦୁଇ ପରସ୍ପର ବିରୋଧୀ ରାଷ୍ଟ୍ରଙ୍କୁ ଯୁଦ୍ଧରୁ ନିବର୍ତ୍ତାଇବା ସକାଶେ ଚାପ ପ୍ରୟୋଗ କରିବା ସ୍ୱାଭାବିକ।
ବେଲୁଚିସ୍ତାନ ଓ ଆଫଗାନିସ୍ତାନ ପକ୍ଷରୁ ବିଦ୍ରୋହୀଙ୍କ ଆକ୍ରମଣରେ ପାକ୍ ସେନା କେବଳ ଲହୁଲୁହାଣ ନୁହେଁ, ନିଜର ଅସାମର୍ଥ୍ୟ ଓ ବିଫଳତା ପାଇଁ ଦେଶବାସୀଙ୍କ ନିକଟରେ ନିନ୍ଦିତ। ଜେନେରାଲ୍ ମୁନୀର ନିଜର ବିଫଳତା ଘୋଡ଼ାଇବା ସକାଶେ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସକ୍ରିୟ କରିଛନ୍ତି, ଯାହାର ପରିଣତି ପହଲଗାମରେ ଅନୁଭୂତ ହୋଇଛି। ଏହା ଏବେ ଯୁଦ୍ଧର ରୂପ ନେଉଥିବାରୁ ପାକିସ୍ତାନ ପଶ୍ଚିମାଞ୍ଚଳରେ ମୁତୟନ ସୈନ୍ୟଙ୍କୁ ଯଦି ଭାରତ ବିରୋଧରେ ଲଢ଼ିବାର ବାଧ୍ୟବାଧକତା ସୃଷ୍ଟି ହୁଏ, ତେବେ ଚୀନ୍ର ବୃହତ୍ତର ସ୍ୱାର୍ଥ ଅସୁରକ୍ଷିତ ହୋଇପଡ଼ିବ। କାରଣ ମହତ୍ତ୍ୱାକାଂକ୍ଷୀ ‘ଚୀନ୍-ପାକିସ୍ତାନ ଇକୋନୋମିକ କରିଡର’ ଓ ‘ଗଦ୍ଦର’ ବନ୍ଦର ବେଲୁଚିସ୍ତାନରେ ହିଁ ମୁଖ୍ୟତଃ ତୀବ୍ର ବିରୋଧ ଓ ପ୍ରତିରୋଧର ସମ୍ମୁଖୀନ ହେଉଛି। ଭାରତ ବିରୋଧୀ ଯୁଦ୍ଧର ସୁଯୋଗ ନେଇ ଯଦି ବେଲୁଚି ବିଦ୍ରୋହୀ ଯଦି ବଡ଼ ଧରଣର ଓଲଟଫେର କରିଦିଅନ୍ତି, ତେବେ ତ କଥା ସରିଲା। ଏଠାରେ ସୂଚାଇ ଦିଆଯାଇପାରେ କି ଜେନେରାଲ ମୁନୀର ଚୀନର ସାହାଯ୍ୟ ଓ ସମର୍ଥନ ପାଇ ପାକିସ୍ତାନର ରାଜନୈତିକ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ଏଭଳି ଏକ ପ୍ରତିକୂଳ ପରିସ୍ଥିତିରେ ମୁନୀର ଏବେ କାହାର ହେବେ? ଏହି ପ୍ରେକ୍ଷାପଟରେ ଚୀନ ସହ ନୂଆ ସମ୍ପର୍କ ଯୋଡ଼ିଥିବା ବାଂଲାଦେଶ ମଧ୍ୟ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ପ୍ରତି ଲୋଲୁପ ଦୃଷ୍ଟି ରଖିଥିବାର ସୂଚନା ମିଳିଛି।
ଦୁଇଦୁଇଟି ଯୁଦ୍ଧ ସମଗ୍ର ବିଶ୍ୱରେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଆତଙ୍କବାଦକୁ ନେଇ ଯେଉଁ ଉତ୍ତେଜନା ବଳବତ୍ତର ରହିଛି, ତାହା ଅନ୍ତତଃ ଯୁଦ୍ଧର ରୂପ ନନେଉ। ଅନ୍ତଃରାଷ୍ଟ୍ରୀୟ ସ୍ତରରୁ ବିଶେଷକରି ଚୀନ୍ ପକ୍ଷରୁ ଏନେଇ ଭାରତ ଉପରେ ଚାପ ପଡୁଥିବାରୁ କିଛି ଠୋସ୍ ନିଷ୍ପତ୍ତି ନେବାରେ ବିଳମ୍ବ ଘଟୁଥିବାର ଅନୁମାନ କରାଯାଉଛି। ଏସବୁ ସତ୍ତ୍ବେ ରାଷ୍ଟ୍ରର ମର୍ଯ୍ୟାଦା ଦୃଷ୍ଟିରୁ ସରକାରଙ୍କୁ କିଛି ପଦକ୍ଷେପ ନେବାକୁ ହିଁ ହେବ। ପୂର୍ବ ଓ ପଶ୍ଚିମରେ ଭାରତ ବିରୋଧୀ ତତ୍ତ୍ୱଙ୍କୁ ଚୀନ୍ ବଳ ଦେଉଥିବାରୁ ଆମକୁ ସତର୍କ ରହି ଗୋଟି ଚାଳନା କରିବାକୁ ପଡ଼ିବ।