‘କୃତ୍ରିମ ବୁଦ୍ଧିମତ୍ତା’ର ବିଷବଳୟକୁ ସାବଧାନ, ସୂଚନା ବିଜ୍ଞାନ ଭସ୍ମାସୁର ନ ହେଉ

ବିଜ୍ଞାନ ଓ ବାସ୍ତବ ଜୀବନରେ ଏହାର ପ୍ରୟୋଗ, ଯାହାକୁ ଆମେ ପ୍ରଯୁକ୍ତି ବିଦ୍ୟା କହୁ, ତାହାର ପ୍ରଭାବରେ ଗତ ପ୍ରାୟ ଶହେବର୍ଷରେ ପୃଥିବୀରେ ଓ ମାନବ ସମାଜରେ ଯେଉଁ ବିକାଶ ଘଟିଛି, ତାହା ଯେ କଳ୍ପନାତୀତ ଥିଲା, ଏଥିରେ ଦ୍ୱିମତ ନାହିଁ। ବିଶେଷକରି, ବିଂଶଶତାବ୍ଦୀର ଶେଷ ଦଶକରୁ ଆଜି ପର୍ଯ୍ୟନ୍ତ ପୃଥିବୀରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ଦେଖାଦେଉଛି, ତାହା ଆହୁରି ରୋମାଞ୍ଚକାରୀ। ଭୂ-ରାଜନୀତି ସିନା ବିଶ୍ୱ ମାନବର ମାନସ ରାଜ୍ୟକୁ ଖଣ୍ଡ ବଖଣ୍ଡିତ କରୁଛି, କିନ୍ତୁ ସେପଟେ […]

ବିଜ୍ଞାନ ଓ ବାସ୍ତବ ଜୀବନରେ ଏହାର ପ୍ରୟୋଗ, ଯାହାକୁ ଆମେ ପ୍ରଯୁକ୍ତି ବିଦ୍ୟା କହୁ, ତାହାର ପ୍ରଭାବରେ ଗତ ପ୍ରାୟ ଶହେବର୍ଷରେ ପୃଥିବୀରେ ଓ ମାନବ ସମାଜରେ ଯେଉଁ ବିକାଶ ଘଟିଛି, ତାହା ଯେ କଳ୍ପନାତୀତ ଥିଲା, ଏଥିରେ ଦ୍ୱିମତ ନାହିଁ। ବିଶେଷକରି, ବିଂଶଶତାବ୍ଦୀର ଶେଷ ଦଶକରୁ ଆଜି ପର୍ଯ୍ୟନ୍ତ ପୃଥିବୀରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ଦେଖାଦେଉଛି, ତାହା ଆହୁରି ରୋମାଞ୍ଚକାରୀ। ଭୂ-ରାଜନୀତି ସିନା ବିଶ୍ୱ ମାନବର ମାନସ ରାଜ୍ୟକୁ ଖଣ୍ଡ ବଖଣ୍ଡିତ କରୁଛି, କିନ୍ତୁ ସେପଟେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଭୌଗୋଳିକ ସଂରଚନାକୁ ପୂରାତନ କାହାଣୀ ଭାବେ ସିଦ୍ଧ କରିସାରିଲାଣି।

ବିଂଶ ଶତାବ୍ଦୀର ଚାଳିଶ ଦଶକରେ ଶ୍ରୀଲଙ୍କାର ଲୋକପ୍ରିୟ ବିଜ୍ଞାନ ଲେଖକ ସାର ଆର୍ଥର ସି କ୍ଲାର୍କ ଯେଉଁ କୃତ୍ରିମ ଉପଗ୍ରହର ସ୍ୱପ୍ନ ଦେଖିଥିଲେ, ଯାହାର ଆଧାରରେ ‘ସ୍ପେସ୍‌ ଓଡିସି’ ନାମରେ ନିର୍ମିତ ହଲିଉଡ୍‌‌ ଚଳଚ୍ଚିତ୍ର ପୃଥିବୀ ସାରା ଲୋକପ୍ରିୟ ହୋଇଥିଲା, ତାହା ଅଳ୍ପକେତେ ଦଶନ୍ଧି ଭିତରେ ସତ୍ୟରେ ପରିଣତ ହେଲା। ସତୁରୀ ଦଶକ ବେଳକୁ କୃତ୍ରିମ ଉପଗ୍ରହ, କମ୍ପ୍ୟୁଟର ଜ୍ଞାନକୌଶଳ, ଦୂର ସଞ୍ଚାର ପ୍ରଯୁକ୍ତି ବିଦ୍ୟା ଏବଂ ସୂଚନା ତଥା ମନୋରଞ୍ଜନର ଆଦାନପ୍ରଦାନର ଏକ ମହାସଂଗମ ସୃଷ୍ଟି ହେଲା ପୃଥିବୀର ବିତ୍ତଶାଳୀ ଦେଶମାନଙ୍କରେ। ଟେଲିଫୋନ୍‌‌ ଓ ବେତାର ଯୁଗର ସଞ୍ଚାର ପ୍ରଣାଳୀରୁ ଆରମ୍ଭ କରି ଆଜି ଆମେ ପହଞ୍ଚିଛେ ବିଶ୍ୱବ୍ୟାପୀ ଇଣ୍ଟରନେଟ୍‌‌ ସଂଯୋଗ ଓ ଉପଗ୍ରହ ମାଧ୍ୟମରେ ତତ୍କାଳ କଥାବାର୍ତ୍ତା, ଧ୍ୱନି ଓ ଦୃଶ୍ୟ ଆଦାନପ୍ରଦାନର ସ୍ମାର୍ଟଫୋନ୍‌‌ ଯୁଗରେ। ଏକବିଂଶ ଶତାବ୍ଦୀ ପ୍ରାରମ୍ଭ ବେଳକୁ ପୃଥିବୀ ସାରା ଆଇ.ଟି.ର ପ୍ରବର୍ତ୍ତନ ମାନବ ଜୀବନର ସର୍ବଶ୍ରେଷ୍ଠ ଉପଲବ୍ଧି ଭାବେ ଗଣା ହେଲା। ସମୟ ଓ ଦୂରତ୍ୱକୁ ଜିଣିବାର ଅଦମ୍ୟ ମାନବିକ ଆକାଂକ୍ଷା କଳ୍ପନାତୀତ ସଫଳତା ଆହରଣ କଲା। କମ୍ପ୍ୟୁଟର ସଫ୍ଟୱେର ନିର୍ମାଣ ଓ ଉଦ୍‌‌ଭାବନରେ ଭାରତର ପ୍ରଶିକ୍ଷିତ ଇଞ୍ଜିନିୟର ଯୁବଗୋଷ୍ଠୀ ବିଶ୍ୱରେ ସର୍ବୋତ୍ତମ ବୋଲି ପରିଚୟ ପାଇଲେ। ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ଭାରତୀୟ ସୂଚନା ବିଜ୍ଞାନୀ ସୁନାମ ଅର୍ଜନରେ ଶୀର୍ଷସ୍ଥାନରେ ପହଞ୍ଚିଲେ।

କଥାରେ ଅଛି, ଚନ୍ଦ୍ରର ଗୋଟିଏ ପଟ ଆଲୋକ ଓ ଅନ୍ୟପଟ ଅନ୍ଧକାର। ସେହିଭଳି ଆଧୁନିକ ବିଜ୍ଞାନର ଜୟଯାତ୍ରାରେ ସମୁଦ୍ରମନ୍ଥନରୁ ଅମୃତ ମିଳିଲା ପରି ସଫଳତା ମିଳିଥÒଲେ ହେଁ ଅନେକଟା ହଳାହଳ ମଧ୍ୟ ଦେଖିବାକୁ ମିଳୁଛି। ଅଧୁନା ରୁଷ-ୟୁକ୍ରେନ୍‌‌ ଓ ଇସ୍ରାଏଲ୍‌‌-ଗାଜା ଯୁଦ୍ଧରେ ବିଜ୍ଞାନର ବିଧ୍ୱଂସକାରୀ ପ୍ରଭାବ କେତେକାଂଶରେ ଦେଖିବାକୁ ମିଳୁଛି। ହିରୋସୀମା, ନାଗାସାକି କଥା ତ ଆମେ ସମସ୍ତେ ଜାଣିଛେ। ଦୂରସଞ୍ଚାର ବିଜ୍ଞାନରେ ମଧ୍ୟ ମୋବାଇଲ୍‌‌ ଓ ସ୍ମାର୍ଟଫୋନ୍‌‌ ତଥା ବ୍ୟାପକ ଇଣ୍ଟରନେଟ୍‌‌ ସଂଯୋଗର ଅପବ୍ୟବହାର ବିଶ୍ୱର ଚାରିଆଡ଼େ ମୁଣ୍ଡବଥାର କାରଣ ପାଲଟିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କିପରି ଧୀରେ ଧୀରେ ଭସ୍ମାସୁରର ରୂପ ନେବାକୁ ଆରମ୍ଭ କରିଛି, ତାହା ଆମେ ସମସ୍ତେ ଅଙ୍ଗେ ନିଭାଉଛେ। ସାଇବର ଅପରାଧ ଆଉ କାହାଣୀ ହୋଇ ରହିନାହିଁ। ଆମ ଦେଶରେ ବିହାରର ଜାମ୍‌‌ତାରା ଅଞ୍ଚଳ ଏ ବିଷୟରେ ବହୁ କୁଖ୍ୟାତି ଅର୍ଜନ କରିସାରିଛି। ବିଶ୍ୱର କୋଣେ ଅନୁକୋଣେ ଲକ୍ଷ ଲକ୍ଷ କୋଟି ଟଙ୍କା ବ୍ୟାଙ୍କ ଖାତାରୁ ଚୋରି ହୋଇଚାଲିଛି, ବିଭିନ୍ନ ଦେଶର ପ୍ରତିରକ୍ଷା ତଥା ବିଶାଳ ପ୍ରଶାସନିକ ପ୍ରକ୍ରିୟା ବିଦେଶୀ ହ୍ୟାକରମାନଙ୍କ ଦ୍ୱାରା ଅନାୟାସରେ କବଳିତ ହୋଇଯାଉଛି, ସେ ସମ୍ବାଦ ଦେହସୁହା ହୋଇଗଲାଣି। ମୋବାଇଲ୍‌‌ ଫୋନ୍‌‌ରେ ଅଜଣା ନମ୍ବର ଆସିବା ମାତ୍ରେ ଆମେ ଭୟଭୀତ ହେଉଛେ। ପ୍ରାୟ ସମସ୍ତେ ହ୍ୱାଟ୍‌‌ସଆପ୍‌‌ ଓ ଟ୍ୱିଟର (ଏବେ ଏକ୍ସ) ଭଳି ମଞ୍ଚରେ ଭଳିକି ଭଳି ପ୍ରଲୋଭନର ବାର୍ତ୍ତା ପ୍ରତିଦିନ ପାଉଛେ। କେତେବେଳେ ଆମ ବନ୍ଧୁ ଓ ଆତ୍ମୀୟଙ୍କ ନାଁରେ ଆପତ୍‌‌କାଳୀନ ବାର୍ତ୍ତା ଆସୁଛି ଯେ ବିଦେଶରେ ଥାଇ ତାଙ୍କର ସବୁ ଟଙ୍କା ପଇସା ଓ ପାସପୋର୍ଟ ଆଦି ଚୋରି ହୋଇଯାଇଛି। ତାଙ୍କୁ ତତ୍କାଳ କେତେହଜାର ଡଲାର ଗୋଟିଏ ନିର୍ଦ୍ଦିଷ୍ଟ ଟେଲିଫୋନ୍‌‌ ଓ ଆକାଉଣ୍ଟ ଜରିଆରେ ପଠାଯାଉ। ଆଉ କେତେବେଳେ ବାର୍ତ୍ତା ଆସୁଛି ଯେ ତୁମର ପାଞ୍ଚ ଲକ୍ଷ ଟଙ୍କା ଋଣ ପାଇଁ ଆବେଦନ ମଞ୍ଜୁର ହୋଇସାରିଛି ଏବଂ ନିମ୍ନପ୍ରଦତ୍ତ ଇମେଲ୍‌‌ ଲିଙ୍କ୍‌‌ରେ ଯୋଗାଯୋଗ କରି ବିନା ବନ୍ଧକରେ ଋଣ ନେଇ ଯାଆନ୍ତୁ। ନିରୀହ ଜନସାଧାରଣ ଓ ବିଶେଷକରି ଅନଭିଜ୍ଞ ଯୁବଗୋଷ୍ଠୀ ଏଭଳି ପ୍ରଲୋଭନର ଶିକାର ହେଉଛନ୍ତି ଏବଂ ଏଥିରେ ଅର୍ଥହାନି ଓ ବେଳେ ବେଳେ ଜୀବନହାନି ମଧ୍ୟ ଘଟୁଛି। ଏହା ବିଜ୍ଞାନର ଆଶୀର୍ବାଦ ନା ଅଭିଶାପ?

ଗତବର୍ଷଠାରୁ ଦୂରସଞ୍ଚାର ଓ ଇଣ୍ଟରନେଟ୍‌‌ ସେବା ଜଗତରେ ବିଜ୍ଞାନର ଆଉ ଏକ ଚମତ୍କାର ଧୂମକେତୁ ଭଳି ଆବିର୍ଭାବ ହୋଇଛି। ତାହା ହେଲା, କୃତ୍ରିମ ବୁଦ୍ଧିମତ୍ତା(ଏଆଇ)। ‘ଓପନ୍‌‌ ଏଆଇ’ ନାମକ ସଂସ୍ଥା ଦ୍ୱାରା ଏହି ମ୍ୟାଜିକ୍‌‌ ବୁଦ୍ଧିମତ୍ତା କୌଶଳ ଏକ ପ୍ରଚଣ୍ଡ ବୁଦ୍ଧିମାନ ବ୍ୟକ୍ତିଭଳି ତଥ୍ୟ, ସୂଚନା ଓ ଭାଷାର ସଂକଳନ ଓ ପ୍ରୟୋଗ କ୍ଷମତା ଧାରଣ କରି ଆମର ପ୍ରାୟ ସବୁ ପ୍ରଶ୍ନର ଉତ୍ତର ଦେଇପାରୁଛି। ଏହାର ଦେଖାଦେଖି ଗୁଗୁଲ୍‌‌, ମାଇକ୍ରୋସଫ୍ଟ ଆଦି ପୃଥିବୀର ପ୍ରାୟ ସବୁ ବଡ଼ ବଡ଼ କମ୍ପ୍ୟୁଟର ଓ ଇଣ୍ଟରନେଟ୍‌‌ ଭିତ୍ତିକ କମ୍ପାନୀମାନେ ନିଜ ନିଜର କୃତ୍ରିମ ବୁଦ୍ଧିମତ୍ତା ଶକ୍ତି ପ୍ରଦର୍ଶନ ଆରମ୍ଭ କଲେଣି। ସହଜରେ ତ ଇଣ୍ଟରନେଟ୍‌‌ କୌଣସି ଏକ ନିର୍ଦ୍ଦିଷ୍ଟ ଦେଶର ଆଇନକାନୁନର ଊର୍ଦ୍ଧ୍ବରେ କାର୍ଯ୍ୟ କରେ। କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ପରେ ସୂଚନା ବିଜ୍ଞାନର ମହାରାକ୍ଷସ ପ୍ରକୃତି ଆହୁରି ସ୍ପଷ୍ଟ ହେବାରେ ଲାଗିଛି। କୌଣସି ଦେଶର ଅର୍ଥନୀତି, ରାଜନୀତି, ସଂସ୍କୃତି ଓ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଆଦିରେ ଏଭଳି ବିଷବଳୟ ବିସ୍ତାର କଲାଣି ଯେ ମଣିଷର ମସ୍ତିଷ୍କ ଓ ଜ୍ଞାନ ପ୍ରକରଣକୁ ସମ୍ପ୍ରତି ଏହି କୃତ୍ରିମ ବୁଦ୍ଧିମତ୍ତାର ବନ୍ୟା ପ୍ଲାବିତ କରୁଛି। ଏହି ଜ୍ଞାନକୌଶଳରେ ନିର୍ମିତ ଭିଡିଓ ଚିତ୍ର ଐତିହାସିକ ତଥ୍ୟକୁ ବିକୃତ କରି ପ୍ରସାର କରିପାରୁଛି ଏବଂ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଭଳି ବିଭିନ୍ନ ଦେଶର ନେତାମାନଙ୍କର ମିଛିମିଛିକା ଭିଡିଓ ଚିତ୍ର ସୃଷ୍ଟି କରି ବ୍ୟାପକ ଅରାଜକତା ସୃଷ୍ଟି କରିପାରୁଛି। ଆମ ଦେଶରେ ଆଗକୁ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏ ସମୟରେ ଇଣ୍ଟରନେଟ୍‌‌ରେ କାର୍ଯ୍ୟ କରୁଥିବା ବିଭିନ୍ନ ସାମାଜିକ ମଞ୍ଚ ଯଦି ମିଥ୍ୟା ସୂଚନା ଓ ଭ୍ରମାତ୍ମକ ଦୃଶ୍ୟଚିତ୍ର ଆଦି ବ୍ୟବହାର କରିବେ ତେବେ ଆମ ଗଣତନ୍ତ୍ର ଓ ନିର୍ବାଚନ ପ୍ରକ୍ରିୟା କେତେ ଅସୁରକ୍ଷିତ ତାହା ଆମେ କଳନା କରିପାରିବା। ଅବଶ୍ୟ ସୁଖର କଥା ଯେ ଭାରତ ସରକାର ଏହି ବିପଦ ପ୍ରତି ସଜାଗ ଅଛନ୍ତି ଏବଂ ସମସ୍ତ ଡିଜିଟାଲ୍‌‌ ମଞ୍ଚଗୁଡ଼ିକୁ ଭ୍ରମାତ୍ମକ ଅପପ୍ରଚାର ନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏ କ୍ଷେତ୍ରରେ ବଡ଼ ବଡ଼ ଅନ୍ତଃରାଷ୍ଟ୍ରୀୟ କମ୍ପାନୀଙ୍କ ସହ ଗମ୍ଭୀର ଆଲୋଚନା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ତେବେ କେବଳ ସରକାର ନୁହେଁ, ଆମ ଦେଶର ପ୍ରତ୍ୟେକ ନାଗରିକ ଓ ଇଣ୍ଟରନେଟ୍‌‌ ଉପଭୋକ୍ତା ଏହାର କ୍ଷତିକାରକ ଦିଗ ସମ୍ବନ୍ଧରେ ସଚେତନ ହେଲେ ବ୍ୟକ୍ତିସ୍ତରରେ ଓ ସାମୂହିକ ସ୍ତରରେ ଆମେ ସୁରକ୍ଷିତ ରହିପାରିବା।

About The Author: The Sakala