ଅପ୍ରତ୍ୟାଶିତ ଭାବେ ପାର୍ଲାମେଣ୍ଟ ଅଧିବେଶନ ଡାକରା: ଆଗୁଆ ଲୋକସଭା ନିର୍ବାଚନର କଳ୍ପନାଜଳ୍ପନା!

କେନ୍ଦ୍ର ସରକାର ଅପ୍ରତ୍ୟାଶିତ ଭାବେ ସେପ୍ଟେମ୍ବର ୧୮ ରୁ ୨୨ ପର୍ଯ୍ୟନ୍ତ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇବା ପରେ ଏହାକୁ ନେଇ ସମଗ୍ର ଦେଶରେ ନାନାଦି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତିନି ସପ୍ତାହ ତଳେ ସଂସଦର ବର୍ଷାକାଳୀନ ଅଧିବେଶନ ଶେଷ ହେବା ପରେ ହଠାତ୍‌‌ କ’ଣ ଏମିତି ଜରୁରୀ ଆବଶ୍ୟକତା ପଡ଼ିଲା ଯେ ପାର୍ଲାମେଣ୍ଟର ଏକ ସ୍ୱତନ୍ତ୍ର ଅଧିବେଶନ ତରବରିଆ ଭାବେ ଡାକିବାକୁ ସରକାର ନିଷ୍ପତ୍ତି ନେଲେ? ସରକାରୀ ଅଧିକାରୀମାନେ ମଧ୍ୟ ଏହି ଅଧିବେଶନ ଆୟୋଜନ […]

କେନ୍ଦ୍ର ସରକାର ଅପ୍ରତ୍ୟାଶିତ ଭାବେ ସେପ୍ଟେମ୍ବର ୧୮ ରୁ ୨୨ ପର୍ଯ୍ୟନ୍ତ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇବା ପରେ ଏହାକୁ ନେଇ ସମଗ୍ର ଦେଶରେ ନାନାଦି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତିନି ସପ୍ତାହ ତଳେ ସଂସଦର ବର୍ଷାକାଳୀନ ଅଧିବେଶନ ଶେଷ ହେବା ପରେ ହଠାତ୍‌‌ କ’ଣ ଏମିତି ଜରୁରୀ ଆବଶ୍ୟକତା ପଡ଼ିଲା ଯେ ପାର୍ଲାମେଣ୍ଟର ଏକ ସ୍ୱତନ୍ତ୍ର ଅଧିବେଶନ ତରବରିଆ ଭାବେ ଡାକିବାକୁ ସରକାର ନିଷ୍ପତ୍ତି ନେଲେ? ସରକାରୀ ଅଧିକାରୀମାନେ ମଧ୍ୟ ଏହି ଅଧିବେଶନ ଆୟୋଜନ ନେଇ ଚୁପ୍‌‌ ଅଛନ୍ତି। ବିଦେଶ ଗସ୍ତରେ ଥିବା ବରିଷ୍ଠ ଅଧିକାରୀଙ୍କୁ ଯଥାସମୟରେ ଫେରିଆସି ଦିଲ୍ଲୀରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପଦକ୍ଷେପ ପଛର ପ୍ରକୃତ ଉଦ୍ଦେଶ୍ୟ ବୋଧହୁଏ କେବଳ ସରକାର ଏବଂ ନିର୍ଦ୍ଦିଷ୍ଟ ଭାବେ ପ୍ରଧାନମନ୍ତ୍ରୀ ହିଁ କହିପାରିବେ। ତେବେ ଅଧିବେଶନ ବସିବା ଯାଏଁ ତାହାର ଉତ୍ତର ମିଳିବା ସମ୍ଭବ ନୁହେଁ। ଯାହା ଜଣାପଡ଼ୁଛି, ଏହି ଅଧିବେଶନରେ ପାଞ୍ଚଦିନିଆ କାର୍ଯ୍ୟକ୍ରମ ହିଁ ସତ କ’ଣ ତାହା ପଦାକୁ ଆଣିବ।

ତେବେ ଏଭଳି ପ୍ରୟାସ ପଛରେ ଆଗୁଆ ସାଧାରଣ ନିର୍ବାଚନର କସରତ ଅଧିକ ଦେଖୁଛନ୍ତି ରାଜନୈତିକ ଦଳ ଏବଂ ପର୍ଯ୍ୟବେକ୍ଷକମାନେ। କୁହାଯାଉଛି ଯେ ନଭେମ୍ବର କିମ୍ବା ଡିସେମ୍ବର ବେଳକୁ ଆଗୁଆ ଲୋକସଭା ନିର୍ବାଚନ କରାଇ ପ୍ରଧାନମନ୍ତ୍ରୀ ମୋଦୀ ଅପ୍ରସ୍ତୁତ ଥିବା ବିରୋଧୀ ପକ୍ଷଙ୍କୁ ଧରାଶାୟୀ କରି ରାଜନୈତିକ ଫାଇଦା ନେବାକୁ ଏଭଳି ଉଦ୍ୟମ କରୁଛନ୍ତି। ଏହା ଏକ ଅନୁମାନ ହୋଇପାରେ ଏବଂ ଏହି ସମ୍ଭାବନାକୁ ଏଡ଼ାଇ ଦେବା ମଧ୍ୟ ସହଜ ନୁହେଁ। ମୋଦୀ ଦେଖୁଛନ୍ତି ଯେ ବର୍ତ୍ତମାନ ତାଙ୍କ ସରକାର ନିର୍ବାଚନ ବୈତରଣୀ ସୁରୁଖୁରୁରେ ପାର ହେବା ପାଇଁ ଅପେକ୍ଷାକୃତ ସୁବିଧାଜନକ ସ୍ଥିତିରେ ଅଛି। ଅପରପକ୍ଷରେ ବିରୋଧୀ ପକ୍ଷଙ୍କ ‘ଇଣ୍ଡିଆ’ ମେଣ୍ଟ ଏଯାଏଁ ସୁନିର୍ଦ୍ଦିଷ୍ଟ ଆକାର ନେଇ ନାହିଁ ଏବଂ ଆସନ ବୁଝାମଣା ଓ ନେତୃତ୍ୱ ପ୍ରସଙ୍ଗ ସ୍ପଷ୍ଟ ହେବାକୁ ବାକିଅଛି। ତା’ସହିତ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରାମ ଆଦି ରାଜ୍ୟର ବିଧାନସଭା ନିର୍ବାଚନ ଆସନ୍ତା ନଭେମ୍ବର/ଡିସେମ୍ବର ବେଳକୁ ହେବ। ତେଣୁ ଏକ ସମୟରେ ତା’ସହିତ ଲୋକସଭା ନିର୍ବାଚନ କଲେ ‘ଏନଡିଏ’କୁ ଫାଇଦା ମିଳିପାରେ।

ଏମିତି ଦେଖିଲେ ଯଦି ଆଗୁଆ ଲୋକସଭା ନିର୍ବାଚନ ଘୋଷଣା କରିବାକୁ ସରକାରଙ୍କର ଉଦ୍ଦେଶ୍ୟ ଥାଏ, ତା’ହେଲେ ନଭେମ୍ବରରେ ଆରମ୍ଭ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇ ପାରିଥା’ନ୍ତା। ତାହା ନ କରି ଏଭଳି ସ୍ୱତନ୍ତ୍ର ଅଧିବେଶନ ଡାକିବା ପଛରେ ଆଉ କିଛି ଉଦ୍ଦେଶ୍ୟ ବା ସଂସଦୀୟ ରଣନୀତି ଥାଇପାରେ, ଯାହା ସରକାରଙ୍କୁ ଆଗାମୀ ନିର୍ବାଚନ ପାଇଁ ଫାଇଦା ଦେଇପାରେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ କହିବା ଅନୁସାରେ ତ୍ରୟୋଦଶ ଲୋକସଭାର ସପ୍ତଦଶ ଅଧିବେଶନ ଓ ରାଜ୍ୟସଭାର ୨୬୧ତମ ଅଧିବେଶନ ପାଞ୍ଚଦିନ ପାଇଁ ସେପ୍ଟେମ୍ବର ୧୮ ରୁ ୨୨ ଯାଏଁ ବସିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନର ଗୋଟିଏ ଦିନ ପରେ ଓ ଗଣେଶ ପୂଜାର ଦିନକ ପୂର୍ବରୁ ଏହି ଅଧିବେଶନ ଆହୂତ ହୋଇଥିବା ବେଳେ ନୂଆ ସଂସଦ ଭବନରେ ଏହା ଆୟୋଜିତ ହେବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କହୁଛନ୍ତି ଯେ ଅମୃତକାଳରେ ସଂସଦରେ ସଫଳ ଆଲୋଚନା କରିବାକୁ ଏହି ଅଧିବେଶନ ଆହୂତ ହୋଇଛି। ତେବେ ତାଙ୍କ କଥାରୁ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମିଳୁନାହିଁ। ଶ୍ରୀଗଣେଶ ପୂଜାରେ ନୂଆ ସଂସଦଭବନକୁ ଯିବାର ଏହା ଆୟୋଜନ କଦାପି ନୁହେଁ।

ସରକାର ଏବେ ଗ୍ୟାସ୍‌‌ ଦର କମାଇଛନ୍ତି। ଆଉ କିଛିଦିନ ମଧ୍ୟରେ ଆଉ କିଛି ରିହାତି(ରେବଡ଼ି) ଭୋଟରଙ୍କ ପାଇଁ ଘୋଷଣା କରାଯାଇପାରେ। ତା’ଛଡ଼ା ସଂସଦର ଏହି ଅଧିବେଶନରେ କେତେକ ନୂଆ ବିଲ୍‌‌ ସରକାର ଉପସ୍ଥାପନ କରିବା ସହିତ ‘ଏକ ଦେଶ ଏକ ନିର୍ବାଚନ’ ବିଷୟରେ ଚର୍ଚ୍ଚା କରିପାରନ୍ତି। କେତେକ ସମୀକ୍ଷକଙ୍କ ମତରେ ସମାନ ନାଗରିକ ସଂହିତା ପାଇଁ ଆଇନ ପ୍ରଣୟନ ପ୍ରସ୍ତାବ ମଧ୍ୟ ଆସିପାରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏବେ ଏବେ ଚନ୍ଦ୍ର ଅଭିଯାନରେ ଭାରତ ସଫଳତାର ସ୍ୱର୍ଣ୍ଣିମ ଇତିହାସ ରଚନା କରିଛି। ଭାରତ ପ୍ରଥମ ଥର ପାଇଁ ଜି-୨୦ର ଅଧ୍ୟକ୍ଷତା କରି ବିଶ୍ୱ କୂଟନୀତିରେ ନିଜର ପ୍ରାଧାନ୍ୟ ପ୍ରମାଣିତ କରିଛି। ଏହି ସଫଳତାକୁ କେନ୍ଦ୍ରର ମୋଦୀ ସରକାର ନିଜ ସପକ୍ଷରେ ନେବା ସୁଯୋଗକୁ ହାତଛଡ଼ା କରିବେ ନାହିଁ ନିଶ୍ଚୟ। ତେବେ ଏ ସବୁ କେବଳ କଳ୍ପନା ଜଳ୍ପନା। ଏହାର ବାସ୍ତବତା ଆଉ ପ୍ରାୟ ଦୁଇ ସପ୍ତାହ ପରେ ଜଣାପଡ଼ିଯିବ।

କଂଗ୍ରେସ ଏହାକୁ ମୋଦୀଙ୍କ ଛାନିଆ ପଦକ୍ଷେପ କହୁଥିବାବେଳେ ପ୍ରମୁଖ ବିରୋଧୀଦଳ କହୁଛନ୍ତି ଯେ ସେମାନେ ମଧ୍ୟ ସମ୍ଭାବ୍ୟ ଆଗୁଆ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ। ତେଣୁ ୨୦୨୪ ଏପ୍ରିଲ୍‌‌-ମେ’ ପରିବର୍ତ୍ତେ ଯଦି ଏ ବର୍ଷ ନଭେମ୍ବର-ଡିସେମ୍ବରରେ ସାଧାରଣ ନିର୍ବାଚନ ହୁଏ, ତା’ହେଲେ ସରକାରଙ୍କୁ ପୂର୍ଣ୍ଣାଙ୍ଗ ବଜେଟ୍‌‌ ବଦଳରେ ଆଗୁଆ ଖର୍ଚ୍ଚଦାବି ପାରିତ କରିବାକୁ ପଡ଼ିବ। ନୂଆ ସରକାର ନିୟମିତ ବଜେଟ୍‌‌ ଆଣିବା ପର୍ଯ୍ୟନ୍ତ ଯେଉଁ ସରକାରୀ ଖର୍ଚ୍ଚର ଆବଶ୍ୟକତା ରହିଛି, ତାହାକୁ ଏହି ସ୍ୱତନ୍ତ୍ର ଅଧିବେଶନ କାଳରେ ଉପସ୍ଥାପିତ କରାଯାଇପାରେ।

ଶିଳ୍ପପତି ଗୌତମ ଆଦାନୀ ଓ କେନ୍ଦ୍ର ସରକାରଙ୍କ ସମ୍ପର୍କ ଏବଂ ଏହି ଶିଳ୍ପଗୋଷ୍ଠୀର ସନ୍ଦିଗ୍ଧ କାରବାର ସମ୍ପର୍କରେ ହିଣ୍ଡେନବର୍ଗ ରିପୋର୍ଟ ପରେ ଏବେ ଓସିସିଆରପିଟି… ଆଉ ଏକ ରିପୋର୍ଟ ଦେବା ପରେ ଏନ୍‌‌ଡିଏ ସରକାର ଏବେ ପ୍ରତିରକ୍ଷାତ୍ମକ ସ୍ଥିତିରେ ଅଛନ୍ତି। ତେଣୁ ବିରୋଧୀ ଏଭଳି ଘଟଣାରୁ ଫାଇଦା ଉଠାଇ ସରକାରଙ୍କ ଭାବମୂର୍ତ୍ତି ସଧାରଣରେ ଅଧିକ ଖରାପ କରିବା ପୂର୍ବରୁ ଆଗୁଆ ନିର୍ବାଚନ କରିବାକୁ ସରକାରଙ୍କର ଏହା ଏକ ରଣନୀତି ହୋଇପାରେ।

ଏ ସମ୍ପର୍କରେ ଅଧିକ କଳ୍ପନା ଜଳ୍ପନା ଅନାବଶ୍ୟକ। ଅଧିବେଶନ ଆରମ୍ଭ ହେଲେ ସବୁ କଥା ସ୍ପଷ୍ଟ ହୋଇଯିବ ଏବଂ ଯଦି ଆଗୁଆ ନିର୍ବାଚନ କରିବାକୁ ସରକାର ଚାହୁଛନ୍ତି, ତାହା ହେଲେ ଆଗାମୀ ୧୫ ଦିନର ସରକାରୀ ନିଷ୍ପତ୍ତି ଓ କାର୍ଯ୍ୟକ୍ରମରୁ ଏହା ଜଣାପଡ଼ିଯିବ। ଆମ ସମ୍ବିଧାନରେ ଗଣତାନ୍ତ୍ରିକ ସରକାର ଯେକୌଣସି ସମୟରେ ଲୋକସଭା ଭଙ୍ଗ କରି ସାଧାରଣ ନିର୍ବାଚନ କରାଇବାର ଆଇନଗତ ଅଧିକାର ଅଛି। ଶାସକ ଦଳ ସବୁବେଳେ ଅପ୍ରତ୍ୟାଶିତ ଭାବେ ସାଧାରଣ ନିର୍ବାଚନ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ବିରୋଧୀ ଦଳମାନଙ୍କୁ ଅପ୍ରସ୍ତୁତ ଅବସ୍ଥାରେ ପକାଇବାକୁ ଚାହିଁଥା’ନ୍ତି। ଯଦି ଆଗୁଆ ଲୋକସଭା ନିର୍ବାଚନ ହୁଏ, ତେବେ ଓଡ଼ିଶା ସମେତ ଆହୁରି କେତେକ ରାଜ୍ୟରେ ମଧ୍ୟ ଆଗୁଆ ବିଧାନସଭା ନିର୍ବାଚନ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ’ପାରେ।

About The Author: The Sakala