ରାଜା ଓ ପ୍ରଜାର ସମ୍ପର୍କକୁ ନେଇ ଏକ ଲୋକକଥା ଅଛି। ତାହା ହେଲା – ‘ଯଥା ରାଜା ତଥା ପ୍ରଜା।’ ଅର୍ଥାତ ପ୍ରଜା ରାଜାଙ୍କ ଅନୁଗାମୀ ହୋଇଥାଏ। ଗଣତନ୍ତ୍ରରେ ରାଜାର ସଂଜ୍ଞା ପରିବର୍ତ୍ତନ ହୋଇଗଲାଣି। ଏବେ ରାଜା ମାନେ ହେଉଛି ଶାସକ ଓ ଜନପ୍ରତିନିଧି, ଯେଉଁମାନେ ନେତୃତ୍ୱ ନେଉଛନ୍ତି ଏବଂ ଯେଉଁମାନଙ୍କର ଅନେକ ଅନୁଗାମୀ ଅଛନ୍ତି। ପ୍ରଜା ହେଉଛନ୍ତି ସାଧାରଣ ନାଗରିକ, ଯେଉଁମାନେ ନେତାଙ୍କୁ ମନୋନୀତ କରନ୍ତି। ତେଣୁ ଉପରୋକ୍ତ ଆପ୍ତବାକ୍ୟର ପ୍ରାସଙ୍ଗିକତା ହେଉଛି ଯେ ନାଗରିକଙ୍କ ସାମାଜିକ ଆଚରଣ ଏବଂ ମୂଲ୍ୟବୋଧକୁ ଗଢ଼ିବାରେ ନେତୃତ୍ୱର ପ୍ରଭାବଶାଳୀ ଭୂମିକା ରହିଛି। ସାମ୍ପ୍ରତିକ ନିର୍ବାଚନ ପ୍ରଚାରରେ ଶାଳୀନତା ଓ ଭାଷଣରେ ସଂଯମ ରକ୍ଷା ପରିପ୍ରେକ୍ଷୀରେ ଏହା ଆହୁରି ଗୁରୁତ୍ୱପୂର୍ଣ୍ଣ।
ବିଡ଼ମ୍ୱନା ଯେ ସାଧାରଣ ଜନତାର ଆଦର୍ଶ ସାଜିଥିବା କେତେଜଣ ରାଜନେତା ଚଳିତ ନିର୍ବାଚନ ପ୍ରଚାର ଅଭିଯାନରେ ସେମାନଙ୍କର ଭାଷା ପ୍ରୟୋଗ ଓ ବ୍ୟବହାରରେ ସଂଯମ ଓ ଶାଳୀନତା ରକ୍ଷା କରିବାରେ ଅପରିଣାମଦର୍ଶୀ ଭଳି ହୃଦ୍ବୋଧ ହେଉଛନ୍ତି। ଅଜାଣତରେ ସେମାନଙ୍କର ବ୍ୟବହାର ଏବଂ ଅନୁପଯୁକ୍ତ ଭାଷା ଜନସାଧାରଣଙ୍କ ଆଚରଣକୁ ଯଥେଷ୍ଟ ପ୍ରଭାବିତ କରୁଛି। ଜଣେ ରାଜନେତାଙ୍କ ଆଶାନୁରୂପ ଆଚରଣ ହେଉଛି ନିଜକୁ ସମ୍ମାନଜନକ, ଚିନ୍ତାଶୀଳ ଏବଂ ସାମଗ୍ରିକ ଯୋଗାଯୋଗରେ ନିୟୋଜିତ କରିବା, ଯାହା ନାଗରିକଙ୍କ ଆଚରଣରେ ସିଧାସଳଖ ପ୍ରତିଫଳିତ ହୁଏ। ଏହାସହ ଶାଳୀନତା ଓ ପାରସ୍ପରିକ ସମ୍ମାନର ସଂସ୍କୃତିକୁ ମଧ୍ୟ ସୃଷ୍ଟି କରିଥାଏ। ଅପରପକ୍ଷେ, ଯେତେବେଳେ ରାଜନୈତିକ ବ୍ୟକ୍ତିମାନେ ଉତ୍ତେଜନାମୂଳକ, ବିଭାଜନକାରୀ କିମ୍ୱା ବ୍ୟକ୍ତିଗତ ଅପମାନଜନକ ଭାଷାର ଆଶ୍ରୟ ନିଅନ୍ତି, ସେତେବେଳେ ଏକ ବିଷାକ୍ତ ସାମାଜିକ-ରାଜନୈତିକ ପରିବେଶ ସୃଷ୍ଟି ହୋଇଥାଏ। ଉଦାହରଣ ସ୍ୱରୂପ, ପାଖାପାଖି ଚାଳିଶ କୋଟି ଭାରତୀୟ ଫେସବୁକ ଭଳି ଏକ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ବ୍ୟବହାର କରନ୍ତି। ଫେସବୁକରେ ଘୃଣ୍ୟ ଭାଷଣର ମାତ୍ରାକୁ ନେଇ ଇକ୍ୱାଲିଟି ଲ୍ୟାବ୍ (ଇକ୍ୱାଲିଟି ଲାବ୍ ଅନ୍ କ୍ୱାଣ୍ଟମ୍ ଅଫ୍ ହେଟ୍ ସ୍ପିଚ୍ ଇନ୍ ଫେସ୍ବୁକ୍) ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏହି ରିପୋର୍ଟ ଅନୁଯାୟୀ ବିଭାଜନକାରୀ ଭାବନା ମୋଟ ଘୃଣ୍ୟ ଭାଷଣର ୩୭% ସହିତ ଶୀର୍ଷରେ ଥିଲା। ଘୃଣ୍ୟ ଭାଷଣରେ ମିଥ୍ୟା ଖବରର ସ୍ଥାନ ୧୭% ଓ ଲିଙ୍ଗ ସମ୍ୱନ୍ଧୀୟ କିମ୍ୱା ମହିଳା ବିରୋଧୀ ଘୃଣା ଭାଷଣ ଏବଂ ଦଳିତ କିମ୍ୱା ଜାତି ସମ୍ୱନ୍ଧୀୟ ଘୃଣ୍ୟ ଭାଷଣର ଅଂଶ ୧୩% ଥିଲା। ଫେସ୍ବୁକ୍ରେ ହିଂସା ଘୃଣ୍ୟ ଭାଷଣର ୧୧% ଏବଂ ସମ୍ପ୍ରଦାୟିକ ଭାଷଣର ୯% ଥିଲା।
ପ୍ରତି ନିର୍ବାଚନରେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କୁ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିବା ପାଇଁ ଏକ ମଞ୍ଚ ମିଳିଥାଏ। ସେ ମଞ୍ଚ ହେଉଛି ଦୃଢ଼ ବିତର୍କ, ଚିନ୍ତାଧାରା ପ୍ରଦର୍ଶନ ଏବଂ ଆଲୋଚନାର ମଞ୍ଚ। ଏହିସବୁ ଉପାଦାନ ସହିତ କିଛି ଦାୟିତ୍ୱ ମଧ୍ୟ ଆସିଥାଏ। ସେଗୁଡ଼ିକ ହେଉଛି ଶାଳୀନତା, ସମ୍ମାନ ଏବଂ ସଚ୍ଚୋଟତାର ନୀତିକୁ ବଜାୟ ରଖିବାର ଦାୟିତ୍ୱ। କିନ୍ତୁ ଚଳିତ ନିର୍ବାଚନ ସମୟରେ ରାଜନୈତିକ ଶାଳୀନତା ଏବଂ ବ୍ୟକ୍ତିଗତ ମନ୍ତବ୍ୟ ସବୁ ସୀମା ଅତିକ୍ରମ କରିସାରିଛି ବୋଲି ଅଭିଯୋଗ ହେଉଛି। ରାଜନେତାଙ୍କୁ ମନେ ରଖିବାକୁ ହେବ ଯେ ସେମାନେ ବ୍ୟବହାର କରୁଥିବା ପ୍ରତ୍ୟେକଟି ଶବ୍ଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାଷା ଏକ ଧାରଣାକୁ ଆକାର ଦିଏ, ସାମଗ୍ରିକ ଆଚରଣକୁ ପ୍ରଭାବିତ କରେ ଏବଂ ସମାଜର ମୂଲ୍ୟବୋଧକୁ ପ୍ରତିଫଳିତ କରେ। ଯେତେବେଳେ ରାଜନେତାମାନେ ଅପମାନଜନକ ଭାଷା ଏବଂ ବ୍ୟକ୍ତିଗତ ମନ୍ତବ୍ୟ ବ୍ୟବହାର କରନ୍ତି, ସେମାନେ କେବଳ ବିରୋଧୀଙ୍କୁ ଅପମାନିତ କରନ୍ତି ନାହିଁ, ବରଂ ଗଣତାନ୍ତ୍ରିକ ପ୍ରକ୍ରିୟାର ମର୍ଯ୍ୟାଦାକୁ ମଧ୍ୟ କ୍ଷୁଣ୍ଣ କରନ୍ତି। ଏହିପ୍ରକାର ଆଲୋଚନା ବିଭାଜନ ସୃଷ୍ଟି କରେ, ଶତ୍ରୁତାକୁ ପ୍ରୋତ୍ସାହିତ କରେ ଏବଂ ପ୍ରକୃତ ନିର୍ବାଚନୀ ପ୍ରସଙ୍ଗକୁ ବିଭ୍ରାନ୍ତ କରେ। ଏହାସହ ରାଜନୈତିକ ଅନୁଷ୍ଠାନଗୁଡ଼ିକ ଉପରେ ନାଗରିକଙ୍କ ବିଶ୍ୱାସ ହ୍ରାସ ପାଏ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟା ଦୁର୍ବଳ ହୋଇଯାଏ। ଭାଷା ସଭ୍ୟତାର ଅବକ୍ଷୟ ଏବଂ ରାଜନୈତିକ ଅଭିଯାନରେ ବ୍ୟକ୍ତିଗତ କଟାକ୍ଷର ଅତ୍ୟଧିକ ବ୍ୟବହାର ସୁସ୍ଥ ରାଜନୈତିକ ବାତାବରଣ ପାଇଁ ଏକ ବିପଦ।
ଅନେକ ଗବେଷଣା ଓ ରିପୋର୍ଟରୁ ଜଣାପଡ଼ିଛି ଯେ ନିର୍ବାଚନ ସମୟରେ ନେତାଙ୍କ ବ୍ୟକ୍ତିଗତ ମନ୍ତବ୍ୟ ଏବଂ ସାମର୍ଥ୍ୟହୀନ ଭାଷଣ ଭୋଟରଙ୍କୁ ବିଶ୍ୱବ୍ୟାପୀ ପ୍ରଭାବିତ କରିଛି। ଏଠାରେ ଦୁଇଟି ରିପୋର୍ଟ କଥା ଚୁମ୍ୱକରେ ଆଲୋଚନା କରିବା। ପ୍ରଥମଟି ହେଉଛି ଇପ୍ସୋସ୍ ଦ୍ୱାରା ପ୍ରକାଶିତ ‘ଗ୍ଲୋବାଲ ପରସ୍ପେକ୍ଟିଭ୍ସ ଅନ ଆଣ୍ଟି-କ୍ୟାମ୍ପେନିଂ ଆଣ୍ଡ ପରସ୍ନାଲ ଆଟାକ।’ ଏହି ରିପୋର୍ଟରେ ବିଭିନ୍ନ ଦେଶରେ ବ୍ୟକ୍ତିଗତ ଆକ୍ରମଣ ଏବଂ ନକାରାତ୍ମକ ପ୍ରଚାର ଭୋଟରଙ୍କ ମନୋଭାବ ଏବଂ ନିର୍ବାଚନ ଫଳାଫଳକୁ କିପରି ପ୍ରଭାବିତ କରେ ତାହାର ଏକ ଗଭୀର ବିଶ୍ଳେଷଣ କରାଯାଇଛି। ଇପ୍ସୋସ୍ ରିପୋର୍ଟରୁ ଜଣାପଡ଼ିଛି ଯେ କିଛି ଭୋଟର ବ୍ୟକ୍ତିଗତ ଆକ୍ରମଣରେ ପ୍ରଭାବିତ ହେଉଥିବା ବେଳେ ଅନ୍ୟମାନେ ଏହାକୁ ମୂଳ ନୀତିଗତ ପ୍ରସଙ୍ଗରୁ ବିଭ୍ରାନ୍ତ ବୋଲି ବିବେଚନା କରନ୍ତି। ଦ୍ୱିତୀୟଟି ହେଉଛି ୨୦୧୯ ସାଧାରଣ ନିର୍ବାଚନରେ ‘ଆସୋସିଏସନ ଅଫ୍ ଡେମୋକ୍ରେଟିକ ରିଫର୍ମ’(ଏଡିଆର)ଦ୍ୱାରା ହୋଇଥିବା ଏକ ଅଧ୍ୟୟନ। ଭାରତରେ ରାଜନୈତିକ ଅଭିଯାନରେ ବ୍ୟକ୍ତିଗତ ମନ୍ତବ୍ୟ କିପରି ଉଭୟ ଭୋଟରମାନଙ୍କୁ ଉତ୍ସାହିତ ଏବଂ ବିଚ୍ଛିନ୍ନ କରିପାରେ ତାହା ଉପରେ ଉକ୍ତ ରିପୋର୍ଟ ଆଲୋକପାତ କରିଛି। ଏହି ରିପୋର୍ଟର ମୁଖ୍ୟ ତଥ୍ୟ ହେଉଛି ପ୍ରତ୍ୟେକ ନେତା ନିର୍ବାଚନ ପ୍ରଚାରରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ଏବଂ ବ୍ୟକ୍ତିଗତ ମର୍ଯ୍ୟାଦାକୁ ସମ୍ମାନ ଦେବା ଉଚିତ। ଏହି ଅଧ୍ୟୟନରେ ଏକ ଛୋଟ ବର୍ଗ ନିଜ ପସନ୍ଦର ନେତାଙ୍କ ନକାରାତ୍ମକ ସ୍ୱରକୁ ଓ ଦୃଢ଼ ଆଭିମୁଖ୍ୟକୁ ପ୍ରଶଂସା କରିଥିବା ବେଳେ ଏକ ବିଶାଳ ଓ ଗୁରୁତ୍ୱପୂର୍ଣ୍ଣ ଅଂଶ ଏଭଳି ପ୍ରଚାରରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ଆକ୍ରମଣ ଅପେକ୍ଷା ପ୍ରସଙ୍ଗଭିତ୍ତିକ ଆଲୋଚନାକୁ ପ୍ରାଧାନ୍ୟ ଦେଉଥିବା ଯୁବ ଓ ପ୍ରଥମ ଥର ମତଦାତାଙ୍କ ମଧ୍ୟରେ ଏହି ଅସନ୍ତୋଷ ଅଧିକ ଦେଖିବାକୁ ମିଳିଛି।
ସମଗ୍ର ଇତିହାସରେ ଆମେ ଅନେକ ଉଦାହରଣ ଦେଖିଛୁ, ଯେଉଁଠାରେ ନେତାମାନଙ୍କ ଚରିତ୍ର, ବ୍ୟବହାର ଏବଂ ନୀତି ସେମାନଙ୍କ ଦେଶ ଉପରେ ଗଭୀର ପ୍ରଭାବ ପକାଇଥିଲା। ଉଦାହରଣ ସ୍ୱରୂପ, ମହାତ୍ମା ଗାନ୍ଧୀ, ନେଲସନ ମଣ୍ଡେଲାଙ୍କ ଭଳି ନେତାମାନେ ସମାନତା ଓ ଅହିଂସା ନୀତି ମାଧ୍ୟମରେ ସମାଜ ଉପରେ ପରିବର୍ତ୍ତନମୂଳକ ପ୍ରଭାବ ପକାଇଥିଲେ। ୱିନଷ୍ଟନ ଚର୍ଚ୍ଚିଲଙ୍କ ନିର୍ବାଚନ ଭାଷଣ ଏକ ମାଷ୍ଟରପିସ୍ ଭାବେ ନୋବେଲ ପୁରସ୍କାର ପାଇଥିଲା। ନେହେରୁଙ୍କ ନିର୍ବାଚନ ଭାଷଣ ହେଉଛି ଭାଷା ଦକ୍ଷତା, ଶାଳୀନତା ଏବଂ ଜ୍ଞାନରେ ପରିପୂର୍ଣ୍ଣ। ଏହି ଭାଷଣଗୁଡ଼ିକ କେବଳ ସେମାନଙ୍କର ତତ୍କାଳ ରାଜନୈତିକ ପ୍ରଭାବ ପାଇଁ ନୁହେଁ, ବରଂ ସେମାନଙ୍କର ସ୍ଥାୟୀ ସାହିତ୍ୟିକ ମୂଲ୍ୟ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା। ବିଡ଼ମ୍ୱନା ଯେ ସାମ୍ପ୍ରତିକ ରାଜନୈତିକ ଭାଷଣରୁ ଅନେକାଂଶ ଆତ୍ମଗର୍ବ, ଅହଂକାର, ଭ୍ରାନ୍ତିଜନକ ତଥ୍ୟରେ ପରିପୂର୍ଣ୍ଣ, ଯେଉଁଠି ସମ୍ପୃକ୍ତ ରାଜନେତାମାନେ ନିଜକୁ ଭଗବାନ ବା ଯୁଗଜନ୍ମା କହିବାକୁ କୁଣ୍ଠାବୋଧ କରୁନାହାନ୍ତି। ତେଣୁ ସମ୍ପୃକ୍ତ ନେତାମାନଙ୍କର ଭାଷା, ବ୍ୟବହାର, କାର୍ଯ୍ୟ, ନିଷ୍ପତ୍ତି ଏବଂ ମୂଲ୍ୟବୋଧ ସେମାନେ ନେତୃତ୍ୱ ନେଉଥିବା ସମାଜ ଉପରେ ପ୍ରତିଫଳିତ ହୁଏ। ସାମ୍ପ୍ରତିକ କଳୁଷିତ ରାଜନୈତିକ ବାତାବରଣରେ ଅନେକ ନେତା ନିଜ ଭାଷଣରେ ଏତେ ତଳକୁ ଖସି ଯାଇଛନ୍ତି ଯେ ଏହା ଅନେକଙ୍କ ପାଇଁ ଉପହାସ ପାଲଟିଛି।
ଭାରତର କିଛି ଲୋକପ୍ରିୟ ରାଜନୈତିକ ନେତାଙ୍କ ମଧ୍ୟରୁ ନବୀନ ପଟ୍ଟନାୟକ ଅନ୍ୟତମ। ତାଙ୍କର ରାଜନୈତିକ ଶାଳୀନତା ଏବଂ ଉଚ୍ଚ ନାଗରିକ ଜ୍ଞାନ ପାଇଁ ସେ ଖୁବ ଜଣାଶୁଣା। କିନ୍ତୁ ଚଳିତ ନିର୍ବାଚନ ପ୍ରଚାରରେ ନବୀନ ବାବୁଙ୍କୁ ବ୍ୟକ୍ତିଗତ ଆକ୍ଷେପ ଦେଖିବାକୁ ମିଳିଛି। ଦେଶରେ ବେରୋଜଗାରୀ, ମୁଦ୍ରାସ୍ଫୀତି ଓ ଗ୍ରାମୀଣ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ବିରୋଧୀ ଦଳର ଏହା ଏକ ହୀନ ଉଦ୍ୟମ ବୋଲି ବୁଦ୍ଧିଜୀବୀ ମହଲ ମତ ଦେଇଛନ୍ତି। ତେଣୁ ରାଜନୈତିକ ଆଲୋଚନାରେ ବ୍ୟକ୍ତିଗତ ଆକ୍ରମଣ ଓ କଟାକ୍ଷ ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳଦୁଆକୁ ଦୁର୍ବଳ କରିବାର ଏକ ପ୍ରୟାସ ବୋଲି ଧରିବାକୁ ହେବ।
ରାଜନୈତିକ ଅଭିଯାନରେ ଶାଳୀନତାର ଅର୍ଥ ହେଉଛି ନୀତି ସହିତ ଅସହମତ ଥିଲେ ମଧ୍ୟ ବିରୋଧୀଙ୍କୁ ସମ୍ମାନର ସହ ବ୍ୟବହାର କରିବା। ଏହାର ମୂଳମନ୍ତ୍ର ହେଉଛି ପ୍ରସଙ୍ଗ ଉପରେ ଧ୍ୟାନ ଦେବା, ପ୍ରମାଣଭିତ୍ତିକ ଯୁକ୍ତି ଉପସ୍ଥାପନ କରିବା ଏବଂ ବ୍ୟକ୍ତିଗତ ଅପମାନ କିମ୍ୱା ଚରିତ୍ର ସଂହାରରୁ ଦୂରେଇ ରହିବା। ଏହି ଆଭିମୁଖ୍ୟ କେବଳ ବିତର୍କର ଗୁଣବତ୍ତାକୁ ଉନ୍ନତ କରେ ନାହିଁ, ବରଂ ଭବିଷ୍ୟତ ପିଢ଼ି ପାଇଁ ଏକ ସକାରାତ୍ମକ ଉଦାହରଣ ମଧ୍ୟ ସୃଷ୍ଟି କରେ। ରାଜନୈତିକ ଆଲୋଚନା ଯେତେ ଗଠନମୂଳକ ରହିବ ତାହା ଏକ ଉଜ୍ଜ୍ୱଳ ଏବଂ ଅଧିକ ସମାବେଶୀ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରିବ। ଭୋଟର ହିସାବରେ ସାଧାରଣ ଜନତାଙ୍କର ମଧ୍ୟ କିଛି ଭୂମିକା ରହିଛି। ଆମେ ଆମର ପ୍ରାର୍ଥୀଙ୍କଠାରୁ ଉଚ୍ଚ ମାନଦଣ୍ଡ ଦାବି କରିବା ଉଚିତ। ନେତୃତ୍ୱରେ ଥିବା ବ୍ୟକ୍ତି ମଧ୍ୟ ଆଦର୍ଶର ଏକ ଉଦାହରଣ ସୃଷ୍ଟି କରିବା ଜରୁରୀ। ମୁଖ୍ୟକଥା ହେଲା ସମ୍ମାନଜନକ ଓ ପ୍ରସଙ୍ଗଭିତ୍ତିକ ଅଭିଯାନରେ ନିୟୋଜିତ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଏବଂ ଏକ ସୁସ୍ଥ ଗଣତନ୍ତ୍ରକୁ ବଜାୟ ରଖିବା ହିଁ ଭୋଟରର ଲକ୍ଷ୍ୟ ହେବା ଦରକାର। ଆସନ୍ତୁ ଏଭଳି ଏକ ରାଜନୈତିକ ପରିବେଶ ଗଢ଼ିବା ଯେଉଁଠି ବିଭାଜନ ଉପରେ ଶାଳୀନତା, ଲୋଭ ଉପରେ ନିଃସ୍ୱାର୍ଥପରତା ଏବଂ ବିଶୃଙ୍ଖଳା ଉପରେ ସମ୍ମାନର ବିଜୟ ହେବ।
ଡକ୍ଟର ଅବଶ ପରିଡ଼ା
ଭୁବନେଶ୍ୱର, ମୋ: ୮୪୫୬୮୭୯୫୨୨