ଆଗକାଳରେ ପରିବାରରେ ଓ ସମାଜରେ ବୟୋବୃଦ୍ଧମାନଙ୍କର ଯଥେଷ୍ଟ ସମ୍ମାନବୋଧ ଥିଲା। ବୟୋବୃଦ୍ଧମାନେ ଅନୁଭବରେ ପରିପକ୍ୱ, ଚଳନ୍ତା ପୁସ୍ତକାଳୟ ହୋଇଥା’ନ୍ତି। ସେମାନଙ୍କ ସାରା ଜୀବନର ଅନୁଭବଗୁଡ଼ିକ ଦ୍ୱାରା ପରିପକ୍ୱ କାହାଣୀ, ରୋଚକ ସଂସ୍କରଣ, ଜ୍ଞାନବର୍ଦ୍ଧକ କଥା ଅତ୍ୟନ୍ତ ଅମୂଲ୍ୟ। ଏହାର ପ୍ରଭାବରେ ଏକ ସୁନ୍ଦର ଓ ସ୍ମରଣୀୟ ପିଲାଦିନ ବିକଶିତ ହୋଇପାରେ। ଯାହାକୁ ବୟୋବୃଦ୍ଧଙ୍କ ସମର୍ଥ ସମ୍ବଳ ମିଳିଥାଏ ସେମାନଙ୍କ ପିଲାଦିନ ସୌଭାଗ୍ୟଶାଳୀ ହୋଇଥାଏ। କୌଣସି ଗୁରୁତର ସମସ୍ୟା ଓ ଦ୍ୱନ୍ଦ୍ୱ ଉପୁଜିଲେ ଆଗକାଳରେ ଲୋକେ ବୟୋବୃଦ୍ଧଙ୍କ ସହାୟତା ଲୋଡ଼ୁଥିଲେ। ବୟୋବୃଦ୍ଧମାନେ ମଧ୍ୟ ଅତି ସରଳ ଭାବରେ ଯେକୌଣସି ଜଟିଳ ସମସ୍ୟାର ସମାଧାନ କରିପାରୁଥିଲେ। ସବୁ କ୍ଷେତ୍ରରେ ସେମାନଙ୍କର ଅଗାଧ ଶାସ୍ତ୍ରୀୟ, ବ୍ୟବହାରିକ ଓ ପ୍ରୟୋଗାତ୍ମକ ଜ୍ଞାନ ଥିଲା। ଏପରିକି କୌଣସି ଘଟଣା ଘଟିଲେ ଓ ରାଜସାକ୍ଷୀର ଆବଶ୍ୟକତା ପଡ଼ିଲେ ଶତାୟୁ ବ୍ୟକ୍ତିମାନଙ୍କୁ ହିଁ ଖୋଜା ପଡ଼ୁଥିଲା। ଏହା ଆମକୁ ବିଚିତ୍ରବୋଧ ହେଉଥିଲେ ହେଁ ଏହା ହିଁ ସତ୍ୟ।
ଏପରି ଏକ ଉଦାହରଣ ହେଉଛି ଆନୁମାନିକ ୧୮୬୦ ରୁ ୧୮୭୦ ମଧ୍ୟରେ ରଣପୁର ଥାନା ଗଡ଼ବାଣୀକିଲ ଅଞ୍ଚଳରେ ଘଟିଥିବା ଘଟଣା। ସେତେବେଳେ ରଣପୁରର ରାଜା ଥିଲେ ବେଣୁଧର ସିଂହଦେବ ଓ ବଜ୍ରଧର ନରେନ୍ଦ୍ର ମହାପାତ୍ର। ସେତେବେଳେ ଗ୍ରାମର ଲୋକମାନେ ଅନ୍ୟଗ୍ରାମ ବା ଅଞ୍ଚଳକୁ ଯିବାକୁ ହେଲେ ଚାଷଜମିର ହିଡ଼ ଏବଂ ଜଙ୍ଗଲ ରାସ୍ତା ଧରୁଥିଲେ। ଜଙ୍ଗଲଗୁଡ଼ିକ ଅତି ଘଞ୍ଚ ଓ ହିଂସ୍ରଜନ୍ତୁ ପ୍ରବଣ ଥିଲା ଓ ଚଳାଚଳ ପାଇଁ ଯେଉଁ ରାସ୍ତା ଥିଲା ତାକୁ ଗୋଦା ରାସ୍ତା କୁହାଯାଉଥିଲା। ଗଡ଼ବାଣୀକଲରେ ପଞ୍ଚୁ ଭାରିମଲ୍ଲ ନାମକ ଜଣେ ବ୍ୟକ୍ତି ସିକୋରୁ ଆସି ବସତି ସ୍ଥାପନ କରିଥିଲେ। ପଞ୍ଚୁଙ୍କର ଦୁଇ ପୁଅ। ବଡ଼ର ନାମ ବାଙ୍କାକାମନା ବୈରୀଗଂଜନସିଂହ। ସାନ ପୁଅର ନାମ ଦାମ ବଳିଆରସିଂହ। ରଣପୁର ରାଜା ଦାମଙ୍କୁ ପନ୍ଦର ଏକର ଜାଗିର ଜମି ସହ ଦଳେଇ ପଦ ଦେଇଥିଲେ। ସେ ରାଜାଙ୍କର ବାର୍ଷିକ ପେସକସ୍ ବା ବାର୍ଷିକ କର ଇଂରେଜ ସରକାରଙ୍କର କଟକ ଜମିଦାରଙ୍କ କାର୍ଯ୍ୟାଳୟରେ ଦାଖଲ କରିବା ଦାୟିତ୍ୱ ପାଇଥିଲେ। ଦାମ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ବୃହତ ଆମ୍ବଗଛର ଆମ୍ବ ଭୋଗ କରି ଆସୁଥିଲେ। କିନ୍ତୁ କିଛି ବର୍ଷପରେ ସେହି ଆମ୍ବ ଗଛ ଯାହା ଖଣି ଆମ୍ବଗଛ ନାମରେ ପରିଚିତ, ସେ ଗଛ ସହିତ ସଂଲଗ୍ନ ଜଙ୍ଗଲ ଜମି ଗୋଡ଼ିକିଲ ମୌଜାକୁ ଚାଲି ଯାଇଥିଲା। ଏଥିରେ ବ୍ୟସ୍ତ ହୋଇ ଦାମ ବଳିଆରସିଂହ ସିକୋରେ ରହୁଥିବା ତଥା ଜଙ୍ଗଲ ଅଞ୍ଚଳ ଦାୟିତ୍ୱରେ ଥିବା ଆଙ୍ଗେ୍ଲା ଇଣ୍ଡିଆନ ଫରେଷ୍ଟରଙ୍କୁ ସାକ୍ଷାତ କଲେ। ଆମ୍ବଗଛରୁ ଦାମ କେତେ ବର୍ଷ ଧରି ଫଳ ଭୋଗ କରୁଛନ୍ତି ଏହାର ସତ୍ୟାସତ୍ୟ ନେଇ ଦୁଇ ଜଣ ଶତାୟୁ ସାକ୍ଷୀଙ୍କୁ ଫରେଷ୍ଟର ଲୋଡ଼ିଲେ। ସେତେବେଳେ ଅନେକ ଲୋକ ଶତାୟୁ ଥିଲେ। ସାକ୍ଷୀ ପାଇଁ ଦାମ ଯେଉଁ ଦୁଇଜଣ ସାକ୍ଷୀ ବାଛିଥିଲେ ସେମାନେ ହେଲେ ଗଡ଼ବାଣୀକଲ ଗ୍ରାମର କେଶବ ରଣସିଂହ ଓ ଗିରିଧରପୁରର ହରେକୃଷ୍ଣ ରାଉତରାୟ। ଉଭୟଙ୍କ ବୟସ ଶହେ ବର୍ଷରୁ ଊର୍ଦ୍ଧ୍ବ ଥିଲା ଓ ସେମାନେ ପ୍ରତ୍ୟହ ଜଙ୍ଗଲରୁ ଶିକାର କରୁଥିଲେ। ଫରେଷ୍ଟର ସାହେବ ଦାମଙ୍କ ଅଭିଯୋଗ ନେଇ ଦୁଇ ଶତାୟୁ ସାକ୍ଷୀଙ୍କଠାରୁ ସବୁ ଶୁଣିବାପରେ ଊକ୍ତ ଖଣି ଆମ୍ବ ଗଛ ସହିତ ଦୁଇ କିମି ଦୀର୍ଘ ଅଞ୍ଚଳକୁ ଗଡ଼ବାଣୀକିଲ ସଂରକ୍ଷିତ ଜଂଗଲ ବା ରିଜର୍ଭ ଫରେଷ୍ଟ ଅଞ୍ଚଳ ଭାବେ ସାମିଲ କରିଦେଲେ। ଇଂରେଜ ରାଜତ୍ୱରେ ଶତାୟୁ ସାକ୍ଷୀଙ୍କୁ ଯେଉଁ ଗୁରୁତ୍ୱ, ପରିବାରର ବୟସ୍କ ବ୍ୟକ୍ତିମାନଙ୍କୁ ଯେଉଁ ସ୍ନେହ ସଦିଛା, ସେବା ଓ ସମ୍ମାନ ମିଳୁଥିଲା ସେଥରେ କ୍ରମଶଃ ଅଧୋଗତି ଘଟିଛି। ମାନବୀୟ ମୂଲ୍ୟବୋଧର ଅଧୋଗତି ପରିବାର ଓ ସମାଜ କ୍ଷେତ୍ରରେ ପ୍ରତିଫଳିତ ହୋଇଛି। ମନୁଷ୍ୟ ଅର୍ଥସର୍ବସ୍ୱ ହୋଇ ସ୍ୱକର୍ମକୁ ଭୁଲି ଯାଇଛି।
ପୂର୍ବକାଳରେ ଲୋକମାନେ କର୍ମଠ ଥିଲେ। ସୁସ୍ଥ ପରିବେଶ ମଧ୍ୟରେ ରହୁଥିଲେ ଏବଂ ସେମାନଙ୍କର ଖାଦ୍ୟ ପଦାର୍ଥ ବିଷାକ୍ତ ନଥିଲା। ସେମାନେ ବଳିଷ୍ଠ ଓ ଦୀର୍ଘଜୀବୀ ଥିଲେ। ସେ ସମୟରେ ଶହେ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିମାନଙ୍କୁ ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଥିଲା। କୌଣସି ଲୋକ ପ୍ରଣାମ କଲେ ବ୍ରାହ୍ମଣ ଓ ଗୁରୁଜନ ତାଙ୍କୁ ଏକଶତ ଓ ବିଂଶ ବର୍ଷ ପରମାୟୁ ଲାଭ କରିବା ପାଇଁ ଆଶୀର୍ବାଦ କରୁଥିଲେ। ନଅଟି ଗ୍ରହର ଅଧିପତିକାଳ ଯଥାକ୍ରମେ ରବି-୬ ବର୍ଷ, ଚନ୍ଦ୍ର-୧୦ବର୍ଷ, ମଙ୍ଗଳ-୭ବର୍ଷ, ରାହୁ-୧୮ବର୍ଷ, ବୃହସ୍ପତି-୧୬ବର୍ଷ, ଶନି-୧୯ବର୍ଷ, ବୁଧ-୧୭ବର୍ଷ, କେତୁ-୭ବର୍ଷ ଓ ଶୁକ୍ର-୨୦ବର୍ଷ – ଏହିପରି ୧୨୦ ବର୍ଷ ହୋଇଥିବାରୁ ଏକଶତ ଓ ବିଂଶ ବର୍ଷ ଆୟୁକାଳ ଭୋଗ କରିବା ପାଇଁ ଆଶୀର୍ବାଦ ମିଳିଥାଏ।
ଏବେ ଜଳବାୟୁ ପରିବର୍ତ୍ତନ ସହିତ ଖାଦ୍ୟ ରୁଚି ଓ ଜୀବନ ଶୈଳୀରେ ପରିବର୍ତ୍ତନ ଘଟୁଥିବାରୁ ଶତାୟୁଙ୍କ ସଂଖ୍ୟା କମି କମି ଯାଉଛି। ପରିବାର ଓ ସମାଜରେ ସେମାନଙ୍କର ଉପେକ୍ଷା ଓ ତିରସ୍କାର ଘଟଣା ବଢ଼଼ିଚାଲିଛି। ବୃଦ୍ଧାଶ୍ରମଗୁଡ଼ିକର ସଂଖ୍ୟା ବୃଦ୍ଧି ଏହି କଟୁ ସତ୍ୟ ଆଡ଼କୁ ସଙ୍କେତ କରିଥାଏ। ବିଶ୍ୱସ୍ତରରେ ବୟୋଜ୍ୟେଷ୍ଠମାନଙ୍କ ସ୍ଥିତିର ଆକଳନ କରୁଥିବା ତଥ୍ୟଗୁଡ଼ିକ ଆଧାରରେ ଭାରତରେ ମଧ୍ୟ ଏହିବର୍ଗର ବ୍ୟକ୍ତିଙ୍କ ସ୍ଥିତି ସନ୍ତୋଷଜନକ ନୁହେଁ। ବୃଦ୍ଧାବସ୍ଥାରେ ଇନ୍ଦ୍ରିୟଗୁଡ଼ିକ ଶିଥିଳ ହୋଇଥାଏ, ଶରୀର ପୂର୍ଣ୍ଣ କ୍ଷମତାର ସହିତ କାମ କରିବାରେ ସମର୍ଥ ହୁଏ ନାହିଁ। ଦିନେ ସମସ୍ତଙ୍କୁ ଏହି ବୃଦ୍ଧାବସ୍ଥା ଅତିକ୍ରମ କରିବାକୁ ପଡ଼େ। ଏହି ସମୟରେ ଜେଜେ ବାପା, ଜେଜେ ମା’ ଏବଂ ଅଜା ଆଈର ଭୂମିକା ନେବାକୁ ହୁଏ। ବୟସ୍କ ଲୋକମାନଙ୍କର ବିଭିନ୍ନ ସମସ୍ୟା ରହିଛି। ସମସ୍ୟା ସମାଧାନ ପାଇଁ ମିଳିତ ପ୍ରଚେଷ୍ଟା ଲୋଡ଼ା। ଆମ ସମାଜରେ ବରିଷ୍ଠ ଲୋକମାନେ ସୁସ୍ଥ ସବଳ ଓ ନିରୋଗ ରୁହନ୍ତୁ ଏବଂ ଶତାୟୁ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉ, ଏହାହିଁ କାମନା।
ସତ୍ୟବାଦୀ ବଳିଆରସିଂହ
ଖୋର୍ଦ୍ଧା, ମୋ: ୯୨୩୭୦୮୯୫୦୯