ମାନବ ସଭ୍ୟତାର ଜୀବନ ରେଖା ରୂପେ ପରିଚିତ ନଦୀମାନଙ୍କ ସ୍ଥିତି ଏବେ ବିପଦାପନ୍ନ। ବିଶ୍ୱର ସବୁଠାରୁ ବଡ଼ ବିଡ଼ମ୍ବନା ହେଉଛି ନଦୀ ଯେଉଁ ଆଦିମ ମାନବ ସଭ୍ୟତାକୁ ଜନ୍ମ ଦେଇଥିଲା ଆଜି ସେହି ସଭ୍ୟତା ହିଁ ଅଧିକ ଉନ୍ନତ ଓ ବିକଶିତ ହୋଇ ନଦୀକୁ ବିପର୍ଯ୍ୟୟ ମୁଖକୁ ଠେଲି ଦେଇଛି। ଏବେ ବିଶ୍ୱର ଏଭଳି କୌଣସି ଦେଶ କିମ୍ବା ଅଞ୍ଚଳ ନାହିଁ ଯେଉଁଠାରେ ନଦୀ ପ୍ରଦୂଷିତ, ବିପର୍ଯ୍ୟସ୍ତ ଓ ଲୁପ୍ତ ହୋଇନାହିଁ। ଆମ ଦେଶରେ ୩୫୧ ନଦୀର ଜଳ ପ୍ରଦୂଷିତ ହୋଇଥିବା ସରକାରୀ ଭାବେ କୁହାଯାଉଥିବା ବେଳେ ସେଥିମଧ୍ୟରେ ଓଡ଼ିଶାର ମଧ୍ୟ ୧୮ଟି ନଦୀ ରହିଛି। ବିଶେଷକରି ସହରାଞ୍ଚଳରୁ ପ୍ରତିଦିନ ନିର୍ଗତ ହେଉଥିବା ବର୍ଜ୍ୟଜଳ ଯୋଗୁଁ ନଦୀଜଳ ପ୍ରଦୂଷିତ ହୋଇ ବିଷାକ୍ତ ପାଲଟୁଛି।
ସରକାରୀ ତଥ୍ୟ ଅନୁସାରେ, ଆମ ରାଜ୍ୟର ସହରାଞ୍ଚଳଗୁଡ଼ିକରୁ ସାମଗ୍ରିକ ଭାବେ ପ୍ରତିଦିନ ୮୮୦ ନିୟୁତ ଲିଟରରୁ ଊର୍ଦ୍ଧ୍ବ ବର୍ଜ୍ୟଜଳ ନିର୍ଗମନ ହେଉଛି। ନଗର ଉନ୍ନୟନ ବିଭାଗ ପକ୍ଷରୁ ୩, ୭୭, ୫୫୭ ଏମ୍ଏଲ୍ଡି କ୍ଷମତା ସମ୍ପନ୍ନ ବର୍ଜ୍ୟ ବିଶୋଧନ ପ୍ଲାଣ୍ଟର ବ୍ୟବସ୍ଥା କରାଯାଇଛି। କଟକର କାଠଯୋଡ଼ି ନଦୀ ଅଞ୍ଚଳରେ ବର୍ଜ୍ୟ ନିଷ୍କାସନ ଓ ବିଶୋଧନ ପାଇଁ ପ୍ରକଳ୍ପ ଅଞ୍ଚଳ ଚିହ୍ନଟ ହୋଇଛି। ସେହିପରି ରାଜ୍ୟର ବିଭିନ୍ନ ଶିଳ୍ପାଞ୍ଚଳ ନିକଟରେ ୧୨୯୦ଟି ବର୍ଜ୍ୟ ବିଶୋଧନ ପ୍ଲାଣ୍ଟ ରହିଛି। ତଥାପି ଯେଉଁ ହାରରେ ପ୍ରଦୂଷଣ ବଢ଼଼ୁଛି ଏହି ପ୍ଲାଣ୍ଟଗୁଡ଼ିକ ଆଶାନୁରୂପ ବିଶୋଧନ କରିବାରେ ସଫଳ ହୋଇପାରୁନାହାନ୍ତି। ତେଣୁ ବର୍ଜ୍ୟଜଳ ସିଧାସଳଖ ନଦୀପାଣିରେ ମିଶି ତାହାକୁ ପ୍ରଦୂଷିତ କରୁଛି। ଏହାଛଡ଼ା ବ୍ୟାପକ ଭାବେ ନିୟମ ବହିର୍ଭୂତ ବାଲି ଓ ପଥର ଖନନ, ଦୃକ୍ଷ ଛେଦନ ଆଦି ଯୋଗୁଁ ନଦୀର ଜଳସ୍ତର ହ୍ରାସ ପାଇ ଶୁଷ୍କଗର୍ଭା ହେବାରେ ଲାଗିଛନ୍ତି।
୨୦୧୭, ଜୁଲାଇ ୧୬ ତାରିଖରେ ନାଗାବଳୀ ନଦୀରେ ଉଭୟଙ୍କର ବନ୍ୟା ଆସି ବ୍ୟାପକ କ୍ଷତି ଘଟାଇଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କଲ୍ୟାଣସିଂହପୁର ବ୍ଲକର ଉପର ମୁଣ୍ଡଠାରୁ ଆରମ୍ଭ କରି ରାୟଗଡ଼ା ବ୍ଲକର ତଳମୁଣ୍ଡ ପର୍ଯ୍ୟନ୍ତ ସବୁଠି ବେଆଇନ ଭାବେ ବ୍ୟାପକ ପରିମାଣରେ ବାଲି ଓ ପଥର ନଦୀ ଗର୍ଭରୁ ଖନନ ହେଉଛି। ଫଳରେ ନଦୀର ଗତିପଥରେ ପରିବର୍ତ୍ତନ ଘଟି ଜନବସତିକୁ ବନ୍ୟାପ୍ଲାବିତ କରୁଛି। ଏହାଦ୍ୱାରା ନଦୀର ଜଳଧାରଣ କ୍ଷମତା ମଧ୍ୟ କମିବାରେ ଲାଗିଛି। ରାଜ୍ୟର ଅନ୍ୟତମ ପୁଣ୍ୟତୋୟା ବୈତରଣୀ ନଦୀ ମଧ୍ୟ ଏବେ ବିପଦରେ। ଏହି ଚିରସ୍ରୋତା ନଦୀ ଦିନକୁ ଦିନ ପୋତିହେବାରେ ଲାଗିଛି। ନଦୀ ପାର୍ଶ୍ବରେ ଖଣି ଖନନ, କମ୍ପାନୀର ବର୍ଜ୍ୟବସ୍ତୁ ନଦୀକୁ ଛାଡ଼ିବା ଓ ମୃତ୍ତିକା କ୍ଷୟ ଏହାର ମୁଖ୍ୟ କାରଣ ବୋଲି ଶାହା କମିଶନ ରିପୋର୍ଟରେ ଦର୍ଶାଇଥିଲେ। କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ଅଧୀନ ଗୋନାସିକା ପାହାଡ଼ରୁ ବୈତରଣୀ ବାହାରି ପ୍ରାୟ ୩୫୦ କି.ମି. ଅତିକ୍ରମ କରି ଭଦ୍ରକ ଜିଲ୍ଲା ଦେଇ ବଙ୍ଗୋପସାଗରରେ ମିଶିଛି। ବୈତରଣୀର ବାମ ପାର୍ଶ୍ବରୁ ୩୫ ଓ ଡାହାଣ ପାର୍ଶ୍ବରେ ୩୦ ନାଳ, ଝରଣା ଆଦି ମିଶୁଥିବା ବେଳେ ସେ ସବୁ ମଧ୍ୟ ପ୍ରଦୂଷିତ ହେଉଛି। ବହୁ ଖଣିସଂସ୍ଥା ଓ କମ୍ପାନୀ ଆଇନକୁ ଫାଙ୍କି ଅବିଚାରିତ ଭାବେ ଖଣି ଖନନ ଓ ଶିଳ୍ପ ପ୍ରତିଷ୍ଠା କରିଛନ୍ତି। ସେ ସବୁରୁ ନିର୍ଗତ ବର୍ଜ୍ୟବସ୍ତୁର ପରିଚାଳନା ଠିକ୍ ଭାବେ ହୋଇପାରୁନଥିବାରୁ ବୈତରଣୀ ନଦୀ ଜଳ ପ୍ରଦୂଷିତ ହେଉଛି।
ଦିନ ଥିଲା ଶ୍ରୀକ୍ଷେତ୍ର ପୁରୀର ପ୍ରମୁଖ ଜଳଉତ୍ସ ତଥା ଜୀବନରେଖା ଭାବେ ପରିଚିତ ଥିଲା ଐତିହ୍ୟସମ୍ପନ୍ନ ମୂଷାନଈ। ହୁଳୁହୁଳିଆ ପୋଲ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ ଜବରଦଖଲ ହେବା ଫଳରେ ମୂଷାନଈ ସଙ୍କୁଚିତ ହୋଇଗଲାଣି। ମୂଷାନଈର ପ୍ରଥମ ନାମ ଥିଲା ଅଠରନଳା ନଦୀ। ଭାର୍ଗବୀ ନଦୀର ଶାଖା ମୂଷାନଈ ହୁଳୁହୁଲିଆ ପୋଲ ଦେଇ ଅଠରନଳା ତଳେ ଯାଇ ମଙ୍ଗଳା ନଦୀରେ ମିଶିଥିଲା। ଗତ ଦୁଇ ଦଶନ୍ଧି ଭିତରେ ମୂଷାନଈ ସଙ୍କୁଚିତ ହୋଇପଡ଼ିଛି। ସରକାରୀ ସ୍ତରରେ ମୂଷାନଈର ପୁନରୁଦ୍ଧାର ପାଇଁ ୨୦୦୫ ଜୁନ୍ ୧୨ରେ ପ୍ରଥମେ ଉଦ୍ୟମ ଆରମ୍ଭ ହୋଇଥିଲା। ମାତ୍ରା ତାହା ଫଳପ୍ରଦ ହୋଇ ପାରିନାହିଁ। ଅନୁଗୋଳ ଜିଲ୍ଲା ତାଳଚେର ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀ ପ୍ରଦୂଷିତ ହେବାରେ ଲାଗିଛି। ତାଳଚେର କୋଇଲା ଖଣିର କୋଇଲା ଗୁଣ୍ଡ ମିଶା କଳାପାଣି ବଙ୍ଗାରୁ ଜୋର ଦେଇ ବ୍ରାହ୍ମଣୀରେ ମିଶିଛି। ନଦୀର ଉପର ମୁଣ୍ଡରେ ଥିବା କାରଖାନାରୁ ରାସାୟନିକ ପଦାର୍ଥ ମିଶ୍ରିତ ପାଣି ନଦୀରେ ଆସୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡର ଜୀବନରେଖା ସାଜିଥିବା ବଂଶଧାରା ନଦୀ ଏବେ ବାଲୁକା ଶଯ୍ୟାରେ ପରିଣତ ହେବାକୁ ଯାଉଥିବା ଅଭିଯୋଗ ହେଉଛି। ୨୧୭ କି.ମି. ଦୈର୍ଘ୍ୟ ବିଶିଷ୍ଟ ବଂଶଧାରାର ୧୨୫ କି.ମି. ଓଡ଼ିଶାରେ ପ୍ରବାହିତ। କେନ୍ଦ୍ରପଡ଼ାର ଗୁପ୍ତ ଗଙ୍ଗା ଭାବେ ପରିଚିତ ଗୋବରୀ ନଦୀ ନିଜ ଅସ୍ତିତ୍ୱକୁ ନେଇ ଏବେ ସଂଗ୍ରାମ କରୁଛି। ୧୧୩ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏହି ନଦୀ ମାହାଙ୍ଗା ନିର୍ବାଚନ ମୁଣ୍ଡଳୀର ଖଇରା ନିକଟରୁ ବାହାରି ଓଳାଶୁଣି ଦେଇ କଟକ ଓ କେନ୍ଦ୍ରପଡ଼ା ଜିଲ୍ଲାର ୫ଟି ବ୍ଲକରେ ପ୍ରବାହିତ ହେଉଛି। ଏହାର ପ୍ରସ୍ଥ କେଉଁଠି ୧୦ ମିଟର ଅଛି ତ କେଉଁଠି ୫୦୦ ମିଟର। ୨୦୦ରୁ ଊର୍ଦ୍ଧ୍ବ ଗ୍ରାମର ୫ଲକ୍ଷ ଲୋକଙ୍କ ଜୀବିକା ସହ ଗୋବରୀ ଜଡ଼ିତ। ନଦୀ ପଠାର ଏକାଧିକ ସ୍ଥାନରେ ମାଟି ତାଡ଼ି ହୋଇଯିବାରୁ ନଦୀବନ୍ଧ କେଉଁ ଆଡ଼େ ଲୁଚି ଗଲାଣି। ନଦୀର ଜଳସ୍ତର ଆସି ଭୂପତ୍ତନ ସହ ମିଶିଗଲାଣି। ଏଣେ ଲଗାଣ ବର୍ଷାହେଉ ବା ଅନ୍ୟଦିନରେ ବର୍ଷା ହେବା ଯୋଗୁଁ କେନ୍ଦ୍ରପଡ଼ା ସହରରେ ପାଣି ନିଷ୍କାସିତ ହୋଇ ନପାରିବାରୁ ପୌରବାସୀ ଜଳବନ୍ଦୀ ହୋଇ ରହୁଛନ୍ତି।
ପୌରାଣିକ ଓ ଐତିହାସିକ ମାନ୍ୟତା ବହନ କରୁଥିବା ଜୀରାନଦୀର ସ୍ଥିତି ମଧ୍ୟ ସମାନ। ନଦୀ ପଠା ଜବରଦଖଲ, ନଦୀ ଭିତରେ ବେଆଇନ ନିର୍ମାଣ, ମନ୍ଦିର ଓ ଶ୍ମଶାନ ନାଁରେ ଜମି ଜବରଦଖଲ ଯୋଗୁଁ ନଦୀ ତାର ପ୍ରାକୃତିକ ଜଳ ଉତ୍ସ ହରାଇଛି। ବରଗଡ଼ ସହର ଆଜି ପାନୀୟ ଜଳକ୍ଲିଷ୍ଟ ଅଞ୍ଚଳ ଭାବେ ପରିଣତ ହେବାକୁ ଯାଉଛି। ସେହିପରି ଇତିହାସ ଓ ପୁରାଣ ବର୍ଣ୍ଣନାରେ ପ୍ରାଚୀ ନଦୀର ସ୍ଥାନ ସ୍ୱତନ୍ତ୍ର। କଟକ ନରାଜଠାରୁ ମହାନଦୀରୁ ସୃଷ୍ଟି ପ୍ରାଚୀ ନଦୀକୁ ପୂର୍ବ ଭାରତର ସରସ୍ୱତୀ ଭାବେ ସମ୍ବୋଧନ କରାଯାଇଥାଏ। ପୂର୍ବରୁ ପ୍ରାଚୀ ନଦୀର ଦୈଘ୍ୟ ୫ ମାଇଲ ରହିଥିବାବେଳେ ଗଭୀରତା ଥିଲା ୧୦ହଜାର ଫୁଟ। ଦିନେ ଏହି ନଦୀରେ ଘଣ୍ଟା ପ୍ରତି ୮ ହଜାର ୫ ଶହ ଘନଫୁଟ ଜଳ ପ୍ରବାହିତ ହେଉଥିଲା। ତେବେ ଅବରୋଧ ଓ ଜବରଦଖଲ ଯୋଗୁଁ ଏହି ଐତିହ୍ୟସମ୍ପନ୍ନ ପ୍ରାଚୀ ନଦୀ ପ୍ରାୟ ଅସ୍ଥିତ୍ୱ ହରାଇ ବିଲୁପ୍ତ ହେବାକୁ ଯାଉଛି।
କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ଉପଖଣ୍ଡବାସୀଙ୍କ ପାଇଁ ରେତ ନଦୀ ଜୀବନରେଖା ସଦୃଶ। ରେତନଦୀ ନର୍ଲାବ୍ଲକ ବଡ଼ଧାର ପାଞ୍ଚାୟତ ଅର୍ନ୍ତଗତ ତଥା ନର୍ଲା-ଲାଞ୍ଜିଗଡ଼ ସୀମାନ୍ତ ତୁସଗୁଡ଼ା ପାର୍ବତ୍ୟ ଅଞ୍ଚଳରୁ ବାହାରି କେସିଙ୍ଗା ବ୍ଲକର ବାହାଦୂର ପଦର ନିକଟରେ ତେଲ ନଦୀରେ ମିଶିଛି। ଏହା ହେଉଛି ତେଲନଦୀର ଏକ ଶାଖା ନଦୀ। ଶତାଧିକ ବର୍ଷ ପୁରାତନ ଏହି ନଦୀ ଉପରୋକ୍ତ ଅଞ୍ଚଳବାସୀଙ୍କ ଜୀବନ ଧାରଣର ମାନବୃଦ୍ଧିରେ ସହାୟକ ହୋଇ ଆସିଛି। କିନ୍ତୁ ନଦୀରୁ ଅବାଧ ବାଲିଚାଲଣ ଓ ନଦୀ ଶଯ୍ୟାରେ ମାଟି ପକାଇ ଅସ୍ଥାୟୀ ରାସ୍ତା ନିର୍ମାଣ ଆଦି ଯୋଗୁଁ ନଦୀଗର୍ଭ କ୍ରମେ ପୋତି ହେବା ସହ ଜଳଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଛି।
ପଞ୍ଚାନନ ଅଗ୍ରୱାଲ
ଭୁବନେଶ୍ୱର, ମୋ: ୯୭୭୭୭୪୪୦୭୧