କଳଙ୍କିତ ଖାକି, ବଦନାମ୍‌‌ ଭରତପୁର

କଲମ ଦାମୀ ହେଲେ ପାଠ ଭଲ ହେବାର ଗ୍ୟାରେଣ୍ଟି ଯେମିତି ନଥାଏ ଠିକ୍‌‌ ସେମିତି ଥାନା ଆଧୁନିକ ହେଲେ ପୁଲିସ୍‌‌ ଆଧୁନିକ ହେବାର ଗ୍ୟାରେଣ୍ଟି କମ୍‌‌। ସାମ୍ପ୍ରତିକ ପ୍ରସଙ୍ଗରେ ଯାହା ଯାହା ଘଟୁଛି ଏବଂ ଘଟିଛି ଏସବୁ ପ୍ରସଙ୍ଗ ସହିତ ଓଡ଼ିଶାବାସୀ ଊଣାଅଧିକେ ଅବଗତ। କିନ୍ତୁ କିଛି ପ୍ରସଙ୍ଗ, ଯାହା ସବୁବେଳେ ଆଲୋଚିତ ହେବ, ତାହା ପୁଲିସ୍‌‌ର ଭୂମିକା, ଚରିତ୍ର ଓ କାର୍ଯ୍ୟକଳାପକୁ ନେଇ। ଏଇଠି ମିଛୁଆ ରାଧୁଆର ଗପ ମଧ୍ୟ ମନେପଡ଼ିଯାଉଛି। ଜଙ୍ଗଲକୁ ଗାଈ ଚରାଇବାକୁ […]

କଲମ ଦାମୀ ହେଲେ ପାଠ ଭଲ ହେବାର ଗ୍ୟାରେଣ୍ଟି ଯେମିତି ନଥାଏ ଠିକ୍‌‌ ସେମିତି ଥାନା ଆଧୁନିକ ହେଲେ ପୁଲିସ୍‌‌ ଆଧୁନିକ ହେବାର ଗ୍ୟାରେଣ୍ଟି କମ୍‌‌। ସାମ୍ପ୍ରତିକ ପ୍ରସଙ୍ଗରେ ଯାହା ଯାହା ଘଟୁଛି ଏବଂ ଘଟିଛି ଏସବୁ ପ୍ରସଙ୍ଗ ସହିତ ଓଡ଼ିଶାବାସୀ ଊଣାଅଧିକେ ଅବଗତ। କିନ୍ତୁ କିଛି ପ୍ରସଙ୍ଗ, ଯାହା ସବୁବେଳେ ଆଲୋଚିତ ହେବ, ତାହା ପୁଲିସ୍‌‌ର ଭୂମିକା, ଚରିତ୍ର ଓ କାର୍ଯ୍ୟକଳାପକୁ ନେଇ।

ଏଇଠି ମିଛୁଆ ରାଧୁଆର ଗପ ମଧ୍ୟ ମନେପଡ଼ିଯାଉଛି। ଜଙ୍ଗଲକୁ ଗାଈ ଚରାଇବାକୁ ଯାଉଥିବା ବେଳେ ସବୁଦିନ ରାଧୁଆ ଜୋର ଜୋରରେ ପାଟି କରେ – ‘ମୋତେ ବାଘ ଖାଇଗଲା, ବାଘ ଖାଇଗଲା… ଉଦ୍ଧାର କର… ଉଦ୍ଧାର କର…।’ ରାଧୁଆ ଡାକ ଶୁଣି ପାଖଆଖ ଗାଁ ଲୋକ ଦୌଡ଼ି ଆସନ୍ତି। କିଛିଦିନ ଏଇମିତି ଚାଲିଲା। କିନ୍ତୁ ସବୁବେଳେ ଲୋକଙ୍କୁ ନିରାଶ ହେବାକୁ ପଡ଼ିଲା। କାରଣ ରାଧୁଆକୁ କେହି ଆକ୍ରମଣ କରୁ ନ ଥିଲେ, ବରଂ ରାଧୁଆ ମଉଜରେ ଏପରି କରୁଥିଲା। ଏଭଳି ଦେଖିବା ପରେ ଲୋକେ ନିଷ୍ପତ୍ତି ନେଲେ ଆଉ ରାଧୁଆ ଡାକ ଶୁଣିବେ ନାହିଁ, ବରଂ ଓଲଟା ତା’ ନାଁ ଦେଲେ ‘ମିଛୁଆ ରାଧୁଆ।’ ଆଉ ସତରେ ଦିନେ ବାଘ ଆସିଲା। ରାଧୁଆ ପୂର୍ବଭଳି ଜୋରରେ ଚିତ୍କାର କଲା। କିନ୍ତୁ କେହି ଆସିଲେନି। ଲୋକଙ୍କୁ ସେଦିନ ରାଧୁଆ ଡାକ ଶୁଭିଥିଲା। କିନ୍ତୁ ଲୋକେ ଭାବିଲେ ମିଛଟାରେ ଡାକୁଛି ରାଧୁଆ। ସତସତିକା ବାଘ ସେଦିନ ରାଧୁଆକୁ ଆକ୍ରମଣ କଲା।

ଏ କଥା କହିବାର ଉଦ୍ଦେଶ୍ୟ ହେଲା, ମୋଟ୍‌‌ ଉପରେ ଲୋକଙ୍କ ସାମ୍ନାରେ ପୁଲିସ୍‌‌ର ଛବି ଖରାପ। ଏହା ଆଜିର ନୁହେଁ, ବରଂ ପୁଲିସ୍‌‌ ବ୍ୟବସ୍ଥା ହେବା ଦିନରୁ ଏଭଳି ମନୋଭାବ କହିଲେ ଭୁଲ୍‌‌ ହେବନି। ଏଭଳି ସ୍ଥିତିରେ ପୁଲିସ୍‌‌ ଯେତେବେଳେ କହେ କି ଆମେ କିଛି କରିନୁ, ବରଂ ଆମ ଉପରେ ଆକ୍ରମଣ ହୋଇଛି, ଏହାକୁ ଲୋକେ ବିଶ୍ୱାସ କରନ୍ତି ନାହିଁ। କାରଣ ପୂର୍ବରୁ ସେମାନେ ଶୁଣିଛନ୍ତି ମିଛୁଆ ରାଧୁଆ ଗପକୁ। ତେଣୁ ଆଜି ପୁଲିସ୍‌‌ ଯେତେବେଳେ ନିରପେକ୍ଷ ହେଉଛି ବୋଲି ଦାବି କରେ, ତା’କୁ ବିଶ୍ୱାସ କରିବା ଲୋକଙ୍କ ସଂଖ୍ୟା କମ୍‌‌। କେହି କେହି ଥଟ୍ଟାତାମସାରେ ସେମାନଙ୍କୁ କରିବାକୁ ପଛାନ୍ତି ନାହିଁ। ଅର୍ଥାତ୍‌‌ ପୁଲିସ୍‌‌ ଉପରେ, ସତରେ କିଛି ଘଟିଥିଲେ ବି ଏହା ବିଶ୍ୱାସଯୋଗ୍ୟ ହୁଏ ନାହିଁ।

ଏବେ ଆସିବା ଭରତପୁର ଥାନା ପ୍ରସଙ୍ଗକୁ। କ’ଣ ହୋଇଥିଲା କ’ଣ ହୋଇ ନ ଥିଲା, କିଏ ଠିକ୍‌‌ କିଏ ଭୁଲ୍‌‌, କିଏ ଦୋଷୀ କିଏ ନିର୍ଦ୍ଦୋଷ, ଏସବୁ ଆଇନ୍‌‌ ଓ ଅଦାଲତର କାମ। ତଦନ୍ତ ହେବ, ବିଚାର ଚାଲିବ ଏବଂ ସତ କ’ଣ ତାହା ସମସ୍ତେ ଜାଣିବେ। କିନ୍ତୁ ବଦନାମ୍‌‌ ହେବାକୁ ଜଣଙ୍କୁ ଦୋଷୀ ହେବା କିମ୍ୱା ବିଚାରର ସାମ୍ନା କରିବା ଦରକାର ନାହିଁ। ଆଜିର ସାମାଜିକ ଗଣମାଧ୍ୟମ ଯୁଗରେ ଦୁଇଧାଡ଼ି ଲେଖା କିମ୍ୱା ଗୋଟିଏ ଫଟୋ ଅଥବା କେଇ ସେକେଣ୍ଡର ଭିଡିଓ ଜଣଙ୍କୁ ବଦନାମ୍‌‌ କରିବାକୁ ଯଥେଷ୍ଟ। ସେହିକ୍ରମରେ ଦେଖିଲେ ଭରତପୁର ଥାନା ସହ ଓଡ଼ିଶା ପୁଲିସ୍‌‌ର ଖାକି ପୋଷାକ ସାରା ଦେଶରେ ବଦନାମ୍‌‌ ହେଲା। ଏହା ହିଁ ଏକମାତ୍ର ସତ୍ୟ। ପ୍ରତିଦିନ କଳଙ୍କିତ ଚେହେରାକୁ ଟାଣି ଓଟାରି କେତେ କ’ଣ ଟାହି ଟାପରା କଲେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ।

କଥା ହେଲା, ଏ ଘଟଣାକୁ ପ୍ରଥମରୁ ରୋକାଯାଇ ପାରିଥାଆନ୍ତା କି ? କିଛି ଲୋକଙ୍କ ମତ ‘ହଁ’, ଆଉ କିଛି ଲୋକଙ୍କ ମତ ‘ନା’। କିନ୍ତୁ ‘ନା’ ଅପେକ୍ଷା ଅଧିକ ଲୋକଙ୍କ ମତ ‘ହଁ’। ସେହି ‘ହଁ’କୁ ନେଇ ଗଲେ ଦେଖିବା, ପୁଲିସ୍‌‌ ଏଭଳି ଘଟଣାକୁ ଭଲ ଭାବେ ବୁଝିବା ଓ ପରିଚାଳନା କରିବାରେ ସିଦ୍ଧହସ୍ତ। ଏଭଳି ଲୋକ ଥାନାକୁ ଆସିବା, ଖାସ୍‌‌ କରି ରାତିଅଧରେ ଆସିବା ଏବଂ ଏଭଳି ଅବସ୍ଥାରେ ଆସିବା ମଧ୍ୟ କିଛି ଅସ୍ୱାଭାବିକ ନୁହେଁ। ବର୍ତ୍ତମାନର ସହରୀ ଚାଲିଚଳଣିରେ ରାତିଦିନ ମଧ୍ୟରେ ଫରକ୍‌‌ ଯେ ଖୁବ୍‌‌ ଅଧିକ ତାହା କହିବା ଭୁଲ୍‌‌। ତେଣୁ ଏ ଆଶଙ୍କା ମଧ୍ୟ ସ୍ୱାଭାବିକ। ପୂର୍ବରୁ ଯେ ଏଭଳି ଘଟଣା ହୋଇ ନ ଥିବ ଏ କଥାକୁ ମଧ୍ୟ ଅସ୍ୱୀକାର କରାଯାଇ ନପାରେ। ଅର୍ଥାତ୍‌‌ ପୁଲିସ୍‌‌ ଏମିତି ଘଟଣା ସହ ପୂର୍ବରୁ ପରିଚିତ ଥାଇପାରେ। ଏବେ ଆସିବା ମୂଳ ପ୍ରସଙ୍ଗକୁ। ଯଦି ପୁଲିସ୍‌‌ ଏଭଳି ଘଟଣାକୁ ସଠିକ ଢଙ୍ଗରେ ପରିଚାଳନା କରିବାର କ୍ଷମତା ରଖିଛି ତେବେ ଏ କ୍ଷେତ୍ରରେ ବ୍ୟତିକ୍ରମ ହେଲା କାହିଁକି? ତା’ର ଅର୍ଥ ପୁଲିସ୍‌‌ ଅନ୍ୟକାମରେ ବ୍ୟସ୍ତ ରହି ଏ ଘଟଣାକୁ ହାଲୁକା ଭାବେ ନେଇଥାଇପାରେ। ଯଦି ନୁହେଁ, ତେବେ ଏତେ ବଡ଼ ତ୍ରୁଟି ଦକ୍ଷ ଓ ଅନୁଭବୀ ଅଧିକାରୀଙ୍କ କ୍ଷେତ୍ରରେ ଗ୍ରହଣୀୟ କି ? ବ୍ୟକ୍ତିକୁ ଅପମାନ ଓ ଦୁର୍ବ୍ୟବହାର ପ୍ରତିଫଳନ ଯେ କେତେ ଭୟଙ୍କର ହୋଇପାରେ ତା’ର କଳନା ମଧ୍ୟ ହାଲୁକା ଭାବେ କରିଥିଲା କି ପୁଲିସ୍‌‌? ଯଦି ନୁହେଁ ତେବେ ଆଜି ଯାହା କରାଯାଉଛି ତା’ର ଯଦି ଦୁଇ ପ୍ରତିଶତ ସେଦିନ କରାଯାଇଥା’ନ୍ତା, ତେବେ କଥା ଏତେବାଟ ଯାଇଥା’ନ୍ତା କି? ଯଦି ଯୁବତୀ ଜଣଙ୍କ ଗଣ୍ଡଗୋଳ କଲେ, ପୁଲିସ୍‌‌କୁ ଆକ୍ରମଣ କଲେ, ତେବେ ତାଙ୍କୁ ପ୍ରତିଆକ୍ରମଣ କରିବା କେଉଁ ଅଧିକାର ବା କ୍ଷମତାର ପରିସରରେ ଆସୁଛି? ତାଙ୍କ ପରିବାରକୁ ଖବର ଦିଆଯାଇ ପାରିଥା’ନ୍ତା କି? ପୁରୁଷ ବନ୍ଧୁ ତଥା ସେନା ଅଧିକାରୀଙ୍କୁ ତାଙ୍କ ବାନ୍ଧବୀଙ୍କୁ ନିୟନ୍ତ୍ରଣରେ ରଖିବାକୁ ପୁଲିସ୍‌‌ ଉପଯୁକ୍ତ ଉପାୟ ଅବଲମ୍ୱନ କରିଥିଲା କି? ଯଦି ଘଟଣା ବିଗୁଡୁଥିଲା, ତେବେ ବରିଷ୍ଠ ଅଧିକାରୀଙ୍କୁ ଏଥିରେ ସାମିଲ କରିବାରେ ଅସୁବିଧା କେଉଁଠି ଥିଲା? ନା ଏଠି ଅହଙ୍କାରର ଲଢ଼େଇ ଚାଲିଲା? ମୁଁ ଓ ମୋ ପଦବୀ ବଡ଼ ନ୍ୟାୟରେ ଟଣାଓଟରା ଭିତରେ ଅନୁଭବ ଓ ପରିଚାଳନା ଦକ୍ଷତା କବର ନେଇଗଲା?

ଯୁଗେ ଯୁଗେ ପ୍ରମାଣିତ ହୋଇଛି ଅହଂକାରର ଲଢ଼େଇରେ ଇଜ୍ଜତ ନିଲାମ ହୁଏ, ଚରିତ୍ର ସଂହାର ହୁଏ ଏବଂ ବ୍ୟକ୍ତି ଓ ସଂଗଠନ ବଦନାମ୍‌‌ ହୁଅନ୍ତି। ତେଣୁ ଏ ଘଟଣା ଏତେ ବଡ଼ ହେବାରୁ ରୋକାଯାଇ ପାରିଥା’ନ୍ତା କି? ଏହାକୁ ନେଇ ‘ହଁ’ରେ ମତ ଦେଉଥିବା ଲୋକ ଏବେ ପୁଲିସ୍‌‌ ଉପରେ ସନ୍ଦେହ କରୁଛନ୍ତି। ସେମାନେ ଏଭଳି ବି କହୁଛନ୍ତି ସେଦିନ ରାଧୁଆ ପାଇଁ ମିଛୁଆର ବିଶେଷଣ ବା ଅସମ୍ମାନ ଆଜିର ପୁଲିସ୍‌‌ ପାଇଁ ‘ୱି ଡେୟାର ୱି କେୟାର’ ନୁହେଁ ତ?

ଅବିନାଶ ମହାପାତ୍ର
ଭୁବନେଶ୍ୱର, ମୋ: ୯୪୩୭୭୭୭୮୩୨

About The Author: The Sakala