ମଣିଷର କ୍ରିୟାକଳାପ, ଆଚାର-ବ୍ୟବହାର, ରୀତି-ନୀତି, କଳା-ସଂସ୍କୃତି, ପୂଜା-ଆରାଧନା, ଗୀତ-କଥା, ମନ୍ତ୍ର, ବଚନ, ଭକ୍ତି, ବାଣୀ, ଉପଦେଶ, ରାଗ-ରୁଷା, ସୁଖ-ଦୁଃଖ ଇତ୍ୟାଦି ସମସ୍ତ ଅବବୋଧର ପରିପ୍ରକାଶ ଭାଷା ମାଧ୍ୟମରେ ହିଁ ବ୍ୟକ୍ତ ହୋଇଥାଏ। ଭାଷା ବସ୍ତୁତଃ ମଣିଷର ଆତ୍ମା, ଅସ୍ମିତା ଓ ପରିଚୟ। ସଂସ୍କୃତି ଓ ପରମ୍ପରାର ମଧ୍ୟ ବାହକ ହେଉଛି ଭାଷା। ଭାଷା ବିନା ପରିବାର ଓ ସମାଜର ପରିକଳ୍ପନା କରିବା ସମ୍ଭବ ନୁହେଁ।
ଓଡ଼ିଶାର ଅଧିକାଂଶ ଜନଜାତିଙ୍କ ଭାଷାର ନାମ ‘ମଣିଷ’ ଅର୍ଥକୁ ହିଁ ବୁଝାଇଥାଏ। ଯଥା ହୋ, ରେମ, ଗ୍ତା, ଗୋରୁମ୍, ବିରହଳ ଇତ୍ୟାଦି। ଏହି ଆଦିବାସୀ ବା ଜନଜାତିଙ୍କ ମଧ୍ୟରେ ବହୁଚର୍ଚ୍ଚିତ ଜନଜାତି ହେଉଛି ସଉରା। ସଉରା, ଶବର, ସଓରା, ସହରା ଇତ୍ୟାଦି ନାମଭେଦରେ ଏମାନେ ପରିଚିତ। ବହୁ ପୁରାତନ କାଳରୁ ଏମାନଙ୍କ ବର୍ଣ୍ଣନା ପୁରାଣ ଶାସ୍ତ୍ରରୁ ଦେଖିବାକୁ ମିଳେ। ରାମାୟଣ, ମହାଭାରତରେ ଏହି ଜନଜାତି ବିଷୟରେ ଅନେକ ଚର୍ଚ୍ଚା ହୋଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ସହ ସଉରା ଅସ୍ମିତା ବିଦ୍ୟମାନ। ବସ୍ତୁତଃ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଚଳିତ ସାଂସ୍କୃତିକ ଶଦ୍ଦାବଳୀ ମଧ୍ୟରୁ ଅନେକ ସଉରା ଶଦ୍ଦର ପ୍ରଚଳନ ରହିଛି। ଏହି ବହୁ ପ୍ରାଚୀନ ଜନଜାତିଙ୍କ ନିଜସ୍ୱ ଭାଷା ହେଉଛି ‘ସଉରା’। ଜନସୁମାରୀରେ ଏମାନଙ୍କ ଭାଷାକୁ ’ଶବର’ ନାମ ଦିଆଯାଇଥିଲେ ମଧ୍ୟ ସଉରା ମାନେ ନିଜ ଭାଷାକୁ ’ସରା’ କହନ୍ତି। ଏହା ‘ସୌରା’ରୁ ସରଳ ହୋଇ ‘ସୋରା’ ଏବଂ ପରେ ‘ସରା’ କୁ ବ୍ୟୁପାଦିତ ହୋଇଥିବାର ଜଣାଯାଏ।
ଭାଷା ମାତ୍ରକେ ପରିବର୍ତ୍ତନଶୀଳ। ଯୋଗାଯୋଗ ଯେତେ ବ୍ୟାପକ ହୁଏ, ଭାଷାରେ ଆହରଣ ଶବ୍ଦର ସେତେ ସମାଗମ ହୋଇଥାଏ। ସଉରା ଭାଷା ମଧ୍ୟ ସେହିପରି। ସୀମାନ୍ତ ଆନ୍ଧ୍ର ତଟବର୍ତ୍ତୀ ପଡ଼ୋଶୀ ଜାତପୁ, କଣ୍ଡାଦୋରା ସମ୍ପ୍ରଦାୟ ସଂସ୍ପର୍ଶରେ ଆସି ସଉରା ଭାଷାରେ ତେଲଗୁ ପ୍ରଭାବ ଯେପରି ପଡ଼ିଛି ସେହିପରି ରେଲି ଓ ଓଡ଼ିଆ ପ୍ରଭାବରେ ଆସି ଅନେକ ଓଡ଼ିଆ ଶବ୍ଦକୁ ନିଜର କରିବାରେ ଲାଗିଛି। ଏଥିରେ ନିଜସ୍ୱ ଉଚ୍ଚାରଣ ଜନିତ ଆଗତ ଶବ୍ଦଗୁଡ଼ିକ ବିକୃତ ରୂପରେ ଉଚ୍ଚାରିତ ହେଉଛି। ଯୋଗାଯୋଗ ବ୍ୟବସ୍ଥାର ସୁଲଭତା ଯୋଗୁଁ ଅନେକ ବୈଦେଶିକ ଶବ୍ଦ ମଧ୍ୟ ସଉରା ଶବ୍ଦ ଭଣ୍ଡାରକୁ ପ୍ରବେଶ କରି ମୂଳ ସଉରା ଭାଷା କ୍ରମଶଃ ତା’ର ମୌଳିକତା ହରାଇବାରେ ଲାଗିଛି ବା ଅପ୍ରଚଳିତ ହେବା ଯୋଗୁଁ କ୍ରମଶଃ ବିଲୁପ୍ତି ଆଡ଼କୁ ମୁହାଁଇଛି।
ଭାଷା ଯେହେତୁ ମଣିଷର ସଂସ୍କୃତିକୁ ପ୍ରକାଶ କରିବାର ମୂଳ ହେତୁ ଏବଂ ସମସ୍ତ ରୀତିନୀତି, ଦେବପୂଜନ, ପର୍ବପର୍ବାଣିର ବ୍ୟାଖ୍ୟାନ ସେହି ଭାଷାରେ ହୋଇଥାଏ, ତେଣୁ ସେହି ଜାତିର ପରିଚିତି ଭାଷା ମାଧ୍ୟମରେ ସଂସାଧିତ ହୋଇଥାଏ। ସଉରା ଜନଜାତି ଏହି ଭାବ ସହ ବେଶ୍ ପରିଚିତ ଏବଂ ନିଜ ଅସ୍ମିତା ଯେ ଭାଷା ମାଧ୍ୟମରେ ହୋଇପାରିବ, ପରିଚିତି ବ୍ୟାପକ ହେବ ଏହାକୁ ଆଖିଆଗରେ ରଖି ସଉରାମାନେ ଯେଉଁ ଭାଷା ଆନ୍ଦୋଳନ କରିଥିଲେ ତାହାର ଗୁରୁତ୍ୱ ବହୁ ଅଧିକ। ଇଂରେଜ ଅମଳରେ
ଧର୍ମାନ୍ତରଣର ପ୍ରଭାବ ଯୋଗୁଁ ସଉରା ସଂସ୍କୃତି ବ୍ୟାପକ ଅବକ୍ଷୟ ହେବାରୁ କେତେକ ସଉରା ସଂସ୍କୃତି ପ୍ରେମୀ ଏହି ଅବକ୍ଷୟ ଧାରାକୁ ରୋକିବାକୁ ପଦକ୍ଷେପ ନେଇଥିଲେ। ସଉରା ସମାଜକୁ ବାଟକୁ ଆଣିବାକୁ ଧର୍ମୀୟ ଚେତନା ମାଧ୍ୟମରେ ଲିପି ପରିକଳ୍ପନା ୧୯୩୦ ମସିହାରେ ମଳିଆ ଗମାଙ୍ଗ ଆରମ୍ଭ କରିଥିଲେ। ଏହାକୁ ପୁଷ୍ଟ ଓ ପ୍ରସାରଣ କରିବାରେ ଗୁରୁମାଙ୍ଗାଇ ଗମାଙ୍ଗ ୧୯୭୮ ବେଳକୁ ମଙ୍ଗୁଆଳ ସାଜିଲେ ଏବଂ ତାଙ୍କରି ପ୍ରଚେଷ୍ଟାରେ ‘ମାତ୍ତର ବ୍ନମ୍ ବିଜ୍ଞାନ ପ୍ରଚାର ଆଶ୍ରମ’ ଆରମ୍ଭ ହୋଇଥିଲ। ସଉରା ପ୍ରେସ ବସାଇ ଲିପିରେ ସଉରା ଭାଷାର ପ୍ରସାର ସେ ଆରମ୍ଭ କଲେ। ଭାଷାକୁ ବଞ୍ଚାଇବାକୁ ଯାଇ ଲିପି ପରିକଳ୍ପନା ମାଧ୍ୟମରେ ସଉରା ସାଂସ୍କୃତିକ ମହତ୍ତ୍ୱକୁ ଜନମାନସରେ ପହଁଚାଇବାର ଯେଉଁ ପ୍ରଚେଷ୍ଟା ସେ କରିଥିଲେ, ତାହା ଅଭୂତପୂର୍ବ, ଅବର୍ଣ୍ଣନୀୟ। ମିଶନାରୀମାନଙ୍କ ଅନୁପ୍ରବେଶ ଜନିତ ସଉରା ସଂସ୍କୃତି ଦୁର୍ଦ୍ଦିନ ଦେଇ ଗତି କରୁଥିବା ବେଳେ ମାଙ୍ଗାଇ ଗମାଙ୍ଗଙ୍କ ପ୍ରସାରିତ ଲିପି ମାଧ୍ୟମରେ ସଉରା ଭାଷା ସଂସ୍କୃତି ସୁରକ୍ଷା ଆନ୍ଦୋଳନ ସଉରାମାନଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର କରିଥିଲା।
ବିନା କୌଣସି ସରକାରୀ ପୃଷ୍ଠପୋଷକତାରେ ମାଙ୍ଗାଇ ଗମାଙ୍ଗଙ୍କ ‘ସଉରା ଭାଷା ଓ ସଂସ୍କୃତି ବଞ୍ଚାଅ’ ଆନ୍ଦୋଳନ ସେ ସମୟରେ ହୁଏତ ସମସ୍ତ ସଉରା ଜନମାନସକୁ ଛୁଇଁ ପାରିନଥିଲା; ମାତ୍ର ପରବର୍ତ୍ତୀ ସମୟରେ ସଉରା ଜନଜାତିଙ୍କ ମଧ୍ୟରେ ନୂତନ ପ୍ରାଣସଞ୍ଚାର କରିଥିଲା। ମାଙ୍ଗାଇ ଗମାଙ୍ଗଙ୍କ ଦ୍ୱାରା ପ୍ରବର୍ତ୍ତିତ ଲିପି ଯେଉଁ ମରିଚିଗୁଡ଼ାଠାରେ ରୂପ ନେଇଥିଲା, ତାହା ଏକ ପବିତ୍ର ପୀଠ ରୂପେ ସଉରାମାନଙ୍କ ଦ୍ୱାରା ପ୍ରାଣପ୍ରତିଷ୍ଠା ଲାଭ କଲା। ଆଜି ହଜାର ହଜାର ସଉରା ଭାଷାଭାଷୀ ଲୋକ ସୁଦୂର ଆନ୍ଧ୍ରପ୍ରଦେଶ, ଆସାମ ଆଦି ଅଞ୍ଚଳରୁ ମରିଚିଗୁଡ଼ା ‘ଅକ୍ଷର ବ୍ରହ୍ମ’ ମନ୍ଦିରକୁ ଆସି ପରିକ୍ରମା କରୁଛନ୍ତି। ସଉରାମାନଙ୍କ ଦ୍ୱାରା ପୂଜିତ ନୀଳମାଧବ, ପୁରୀରେ ଜଗନ୍ନାଥ ରୂପରେ ଉଭା ହେଲେ। ସେଇ ଜଗନ୍ନାଥ, ପୁନଶ୍ଚ ବିଶ୍ୱାସକ୍ରମେ ‘ଅକ୍ଷର ବ୍ରହ୍ମ’ ରୂପରେ ଆବିର୍ଭାବ ହେବା ସଉରା ଭକ୍ତିକୁ ଦୃଢ଼ୀଭୂତ କରେ।
ସଉରା ଶବ୍ଦକୋଷରେ ଅଜସ୍ର ସାଂସ୍କୃତିକ ସମ୍ପନ୍ନ ଶବ୍ଦାବଳୀ ରହିଛି, ଯାହା ପରିବେଶ ସନ୍ତୁଳନ, ମୃତ୍ତିକା ସଂରକ୍ଷଣ, ଜଳ ପରିଚାଳନା, ଉଦ୍ୟାନ କୃଷି, ବନୌଷଧି, ଜଙ୍ଗଲ ବିକାଶ, ଗୃହ ନିର୍ମାଣ, ବାସ୍ତୁକଳା, ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି ଏହିପରି ଅନେକ ବିଷୟର ମୌଳିକ ତତ୍ତ୍ୱକୁ ବ୍ୟାଖାନ କରେ। ଏଯାବତ ଏହିସବୁ ସାଂସ୍କୃତିକ ଗୁରୁତ୍ୱ ବହନ କରୁଥିବା ଶବ୍ଦ ଉତ୍ସକୁ ଲୋକାଭିମୁଖୀ କରାଇ ବିଜ୍ଞାନ ସମ୍ମତ କରିବା ପାଇଁ ଭାଷାର ସଂରକ୍ଷଣ ଓ ପ୍ରସାର ତଥା ଗବେଷଣା ଓ ପ୍ରୟୋଗର ଆବଶ୍ୟକତା ରହିଛି।
ପରିବେଶ ଅନୁକୂଳ ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କିତ ଶଦ୍ଦାବଳୀ ସଉରା ସାଂସ୍କୃତିକ ଭାଷା ଭଣ୍ଡାରରେ ବ୍ୟାପକ ପ୍ରଚଳନ ରହିଛି। ଶସ୍ୟ, ଖାଦ୍ୟ ଉପଯୋଗୀ କନ୍ଦମୂଳ ଜାତୀୟ ଦ୍ରବ୍ୟାଦି ଯଥା ସାରୁ, ଅଦା, କନ୍ଦ, ହଳଦୀ, ମାଟିଆଳୁ ଆଦି ଖାଦ୍ୟ ସାମଗ୍ରୀର ଯେଉଁ ସଂରକ୍ଷଣ ଓ ଭଣ୍ଡାରଣ ବିଦ୍ୟା ସଉରା ସଂସ୍କୃତି କୋଷରେ ବିଦ୍ୟମାନ ରହିଛି ତାହାର ଯଥାଯଥ ଗବେଷଣା କରାଗଲେ ଲୋକାଭିମୁଖୀ ହୋଇପାରିବ। ସଉରା ଲୋକବିଦ୍ୟା ସେହି ସମ୍ପ୍ରଦାୟର ସାଂସ୍କୃତିକ ଜଗତର ଆହୁରି ଏକ ଅନାଲୋଚିତ ଦିଗ।
ଗବେଷଣା ତଥା ଗବେଷକଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଆଧୁନିକ ଜ୍ଞାନକୌଶଳ ନାମରେ ପାରମ୍ପରିକ ଜ୍ଞାନକୌଶଳକୁ ଅଣଦେଖା କରିବା ଏବଂ ବିଜ୍ଞାନ ସମ୍ମତ ଦୃଷ୍ଟିକୋଣରୁ ଯଥାର୍ଥ ଅଧ୍ୟୟନ ନ ହେବା କାରଣରୁ ସଉରାମାନଙ୍କ ବୌଦ୍ଧିକ ସମ୍ପତ୍ତି କାଳକ୍ରମେ ଲୋପ ପାଇବାରେ ଲାଗିଛି। ଭାଷାକୁ ପ୍ରୋତ୍ସାହନ ଦେଲେ ଏହାର ଗବେଷଣା ଗବାକ୍ଷ ଖୋଲିବ ଏବଂ ନୂତନ ଜଗତ ସହିତ ସମ୍ପର୍କ ଯୋଡ଼ିହେବ। ସଉରାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି ହେଲେ ସେମାନେ ବୌଦ୍ଧିକ ଜ୍ଞାନର ସୁବିନିଯୋଗ ପଇଁ ଆହୁରି ଉତ୍ସାହିତ ହେବେ। ଏହି ସବୁ ଜ୍ଞାନକୁ ବ୍ୟବସ୍ଥିତ ଢଙ୍ଗରେ ପଠ୍ୟ ଖସଡ଼ାରେ ସ୍ଥାନିତ କରିବାର ସମୟ ଆସିଛି। ଉପଯୁକ୍ତ ଗବେଷଣା ମାଧ୍ୟମରେ ପାଠ ଉପଯୋଗୀ ବିଷୟ ଚୟନ, ପ୍ରଥମିକଠାରୁ ମାଧ୍ୟମିକ ସ୍ତର ସ୍କୁଲ୍ ଶିକ୍ଷା ଯାଏଁ ଭାଷା, ପରିବେଶ, ବିଜ୍ଞାନ ସମ୍ପର୍କିତ ପାଠ୍ୟ ପୁସ୍ତକ ସଉରା ଭାଷାରେ ପ୍ରଣୟନ ସହ ସଉରା ଜନଜାତିଙ୍କ ଅସ୍ମିତା ପ୍ରତି ସମ୍ମାନ ଜଣାଇବା ଆଜିର ଆହ୍ୱାନ। ସଉରା ଭାଷା ଅନ୍ୟାନ୍ୟ ଭାଷାରେ ମଧ୍ୟ ବ୍ୟାପକତର ଗବେଷଣା କରାଯାଇ ସେସମସ୍ତ ଭାଷାର ବୌଦ୍ଧିକ ସମ୍ପତ୍ତିକୁ ଜନାଭିମୁଖୀ କରାଯିବା ଆବଶ୍ୟକ।
ଭାଷାର ବିକାଶ ସାଧନକୁ ତ୍ୱରାନ୍ୱିତ କରିବା ପାଇଁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସଉରା ଭାଷାକୁ ସ୍ଥାନିତ କରିବା ପାଇଁ ଓଡ଼ିଶା ସରକାରଙ୍କ ସୁପାରିସ ସମୟ ଉପଯୋଗୀ। ଏକ ପ୍ରାଚୀନ ମହାନ ସଂସ୍କୃତିର ଗରିମାକୁ ପୁନଃ ପ୍ରତିଷ୍ଠା କରିବାରେ ଓଡ଼ିଶା ସରକାରଙ୍କ ଆନ୍ତରିକତା ସ୍ପଷ୍ଟ ଓ ଅଭିନନ୍ଦନୀୟ। ଡ. ପରମାନନ୍ଦ ପଟେଲ ଭୁବନେଶ୍ୱର, ମୋ: ୯୪୩୭୧୭୬୨୮୭