ଅପରେସନ୍ ସିନ୍ଦୂରର ପ୍ରତିକ୍ରିୟାରେ ପାକିସ୍ତାନ ଭାରତୀୟ ସହର ଓ ସାମରିକ ଘାଟି ଉପରେ କ୍ଷେପଣାସ୍ତ୍ର, ରକେଟ ଓ ଡ୍ରୋନ୍ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ମାତ୍ର ଭାରତର ରୁଷିଆ ନିର୍ମିତ ଏସ୍୪୦୦ ଅମୋଘ ପ୍ରତିରକ୍ଷା ପ୍ରଣାଳୀ ସେସବୁକୁ ଆକାଶମାର୍ଗରେ ହିଁ ନଷ୍ଟ କରି ଭାରତର ଧନଜୀବନକୁ ସୁରକ୍ଷିତ ରଖିଥିଲା। ଏହାପରେ ଏସ୍୪୦୦କୁ ନେଇ ଭାରତ ଓ ଭାରତ ବାହାରେ ଅନେକ ଚର୍ଚ୍ଚା ହେଉଛି।
ଏସ୍୪୦୦ ମୁଖ୍ୟତଃ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଯାହା ଆକାଶମାର୍ଗରେ ଶତ୍ରୁ ପକ୍ଷରୁ ହେଉଥିବା ବାଲଷ୍ଟିକ କିମ୍ୱା କ୍ରୁଜ୍ କ୍ଷେପଣାସ୍ତ୍ର, ଡ୍ରୋନ୍, ରକେଟ ଓ ଲଢୁଆ ବିମାନ ଆଦି ଜରିଆରେ ହେଉଥିବା ଆକ୍ରମଣକୁ ସଫଳତାର ସହ ପ୍ରତିହତ କରିଥାଏ। ଏହାର ମୂଳ ନାମ ଟ୍ରାୟାମ୍ଫ। ଏହାର ବିକାଶ ନିମନ୍ତେ ୧୯୯୧ରେ ତକ୍ରାଳୀନ ସୋଭିଏତ ରୁଷ୍ ସରକାର ସବୁଜ ସଙ୍କେତ ଦେଇଥିଲେ। କିନ୍ତୁ ସୋଭିଏତ୍ ସଂଘ ଭାଙ୍ଗିଯିବା ପରେ ଏହି କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିଲା। ୧୯୯୩ ମସିହାରେ ରୁଷୀୟ ବାୟୁସେନା ଏହି ପ୍ରକଳ୍ପକୁ ପୁନଃକାର୍ଯ୍ୟକ୍ଷମ କରି ୧୯୯୯ ମସିହାରେ ସଫଳତାର ସହିତ ପରୀକ୍ଷଣ କରିଥିଲା ଏବଂ ୨୦୦୭ ମସିହାରେ ବାୟୁସେନାରେ ସାମିଲ୍ କରାଯାଇ ଯୁଦ୍ଧକ୍ଷେତ୍ରରେ ସଫଳତାର ସହ ପ୍ରୟୋଗ କରାଯାଇଥିଲା। ରୁଷିଆର ଏଲମାଜ୍ ସେଣ୍ଟ୍ରାଲ ଡିଜାଇନ୍ ବ୍ୟୁରୋ ଦ୍ୱାରା ବିକଶିତ ଏହି ପ୍ରତିରକ୍ଷା ପ୍ରଣାଳୀ ଭାରତ ବ୍ୟତୀତ ଚୀନ୍, ତୁର୍କୀ, ଆଲଜେରିଆ, ବେଲାରୁଷ ଓ ସିରିୟା ପାଖରେ ରହିଛି। ଏଭଳି ୫ଟି ପ୍ରଣାଳୀ ଯୋଗାଣ କରିବା ପାଇଁ ଭାରତ ଓ ରୁଷିଆ ମଧ୍ୟରେ ୨୦୧୮ ମସିହାରେ ୪୦,୦୦୦ କୋଟି ଟଙ୍କା ବିନିମୟରେ ଚୁକ୍ତି ହୋଇଥିଲା। ସେଥି ମଧ୍ୟରୁ ୩ଟି ପ୍ରଣାଳୀ ଯୋଗାଣ ହୋଇ ସାରିଥିଲା ବେଳେ ଆଉ ୨ଟି ର ଯୋଗାଣ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ପାଇଁ ବିଳମ୍ୱ ଘଟିଛି।
ଏସ୍. ୪୦୦ ପ୍ରତିରକ୍ଷା ପ୍ରଣାଳୀର ସବୁଠାରୁ ବଡ଼ ବିଶେଷତ୍ୱ ହେଲା ଏହାର ଗତିଶୀଳତା। ସମଗ୍ର ପ୍ରଣାଳୀ ଏକ ଗତିଶୀଳ ଯାନ ଉପରେ ଅବସ୍ଥାପିତ ହୋଇ ଥିବାରୁ ଏହାକୁ ସହଜରେ ଲକ୍ଷ୍ୟସ୍ଥଳୀ ଅଭିମୁଖେ ପଠାଯାଇପାରିବ। ଏଥିରେ ଖଞ୍ଜା ଥିବା ରାଡାର ଏକସମୟରେ ୬୦୦ କି.ମି. ଦୂରରେ ଥିବା ଏବଂ ୧୭,୦୦୦ କି.ମି. ପ୍ରତି ଘଣ୍ଟା ବେଗରେ ଗତି କରୁଥିବା ଶତ୍ରୁପକ୍ଷର ଏକାଧିକ ବସ୍ତୁକୁ ଠାବ କରିପାରିବ ଏବଂ ନିର୍ଦ୍ଦେଶ ମିଳିବାର ମାତ୍ର ୫ ରୁ ୧୦ ମିନିଟ ମଧ୍ୟରେ କାର୍ଯ୍ୟକ୍ଷମ ହୋଇ ଏକସମୟରେ ଶତ୍ରୁପକ୍ଷର ୧୬୦ ଟି ବାୟୁବାହିତ ବସ୍ତୁକୁ ଠାବ କରିପାରେ। ଏକାସଙ୍ଗରେ ୩୬ଟି ବସ୍ତୁକୁ ଧ୍ୱଂସ କରିବା ପାଇଁ ୭୨ଟି ଅସ୍ତ୍ର ପ୍ରୟୋଗ କରିପାରେ। ଏସ୍୪୦୦ ପ୍ରତିରକ୍ଷା ପ୍ରଣାଳୀର ପ୍ରତିଟି ସ୍କ୍ୱାର୍ଡନରେ ୬ଟି ଲଞ୍ଚର, ଗୋଟିଏ ରାଡାର, ଗୋଟିଏ କମାଣ୍ଡ କେନ୍ଦ୍ର ଓ ୧୨୮ଟି ଅସ୍ତ୍ର ଥାଏ। ଏହାର ରାଡାର ବ୍ୟବସ୍ଥା ବହୁସ୍ତର ବିଶିଷ୍ଟ ଏବଂ ପ୍ରତ୍ୟେକ ସ୍ତର କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବା ପାଇଁ ଅଭିପ୍ରେତ। ପ୍ରଣାଳୀର ନିର୍ଦ୍ଦେଶ ବା କମାଣ୍ଡ କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ସ୍ୱୟଂଚାଳିତ, ଡିଜିଟାଲ ଭିତ୍ତିକ ଏବଂ ଯୋଗାଯୋଗ ବ୍ୟବସ୍ଥା କ୍ଷେତ୍ରରେ ଜାମ୍ ନିରୋଧୀ। ଏହା ପ୍ରଣାଳିର ମସ୍ତିଷ୍କ ସଦୃଶ। ଏହା ପକୃତ ସମୟରେ ରାଡାରରୁ ତଥ୍ୟ ସଂଗ୍ରହ ଓ ତଥ୍ୟ ପରିଚାଳନା, ଅସ୍ତ୍ର ପ୍ରୟୋଗ ନିମନ୍ତେ ନିର୍ଦ୍ଦେଶ ଜାରି ତଥା ଏକାଧିକ ଲଞ୍ଚର ମଧ୍ୟରେ ସମନ୍ୱୟତା ରକ୍ଷା କରିଥାଏ। ଏହି ବ୍ୟବସ୍ଥା ଏପରି ଭାବେ ପ୍ରସ୍ତୁତ କରାଯାଇଛି ଯେ, ଏହାର କୌଣସି ଗୋଟିଏ ବିଭାଗ କିଛି କାରଣରୁ କାର୍ଯ୍ୟ ନକଲେ ସୁଦ୍ଧା ସମୁଦାୟ କେନ୍ଦ୍ରର କାର୍ଯ୍ୟଦକ୍ଷତା ଅପରିବର୍ତ୍ତିତ ରହିଥାଏ।
ଏସ୍୪୦୦ ପ୍ରତିରକ୍ଷା ପ୍ରଣାଳୀରେ ଅଲଗା ଅଲଗା ମାର୍ଗଦୂରତାର ସମୁଦାୟ ୪ଟି କ୍ଷେପଣାସ୍ତ୍ର ସାମିଲ ଥାଏ। ଏହି କ୍ଷେପଣାସ୍ତ୍ରସବୁ ଆବଶ୍ୟକତା ଅନୁସାରେ ଅର୍ଥାତ ଆକ୍ରମଣକାରୀ ବସ୍ତୁର ଦୂରତା ଓ ଉଚ୍ଚତା ଅନୁସାରେ କାର୍ଯ୍ୟକାରୀ ହୋଇଥା’ନ୍ତି ଏବଂ ସେଗୁଡ଼ିକ ଅତ୍ୟଧିକ ଉଚ୍ଚତାରେ ଦ୍ରୁତ ଧାବମାନ ବାଲଷ୍ଟିକ କ୍ଷେପଣାସ୍ତ୍ରଠାରୁ ଆରମ୍ଭକରି ନିମ୍ନ ଉଚ୍ଚତାରେ ଉଡୁଥିବା କ୍ରୁଜ କ୍ଷେପଣସ୍ତ୍ର କିମ୍ୱା ଲୁଚି ଲୁଚି ଆସୁଥିବା ସ୍ଟିଲଥ ବୋମାବର୍ଷୀ ବିମାନ ସହିତ ନିୟୋଜିତ ହୋଇପାରନ୍ତି। ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର, ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର, ଅଧିକ ଦୂରଗାମୀ କ୍ଷେପଣାସ୍ତ୍ର ଏବଂ ଅତି-ଅଧିକ ଦୂରଗାମୀ କ୍ଷେପଣାସ୍ତ୍ର। ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ମାରକସୀମା ୪୦ କି.ମି. ପର୍ଯ୍ୟନ୍ତ, ମଧ୍ୟମ ଦୂରଗାମୀ ଅସ୍ତ୍ର ର ମାରକସୀମା ୧୨୦ କି.ମି. ପର୍ଯ୍ୟନ୍ତ, ଦୂରଗାମୀ କ୍ଷେପଣାସ୍ତ୍ର ର ମାରକସୀମା ୨୫୦ କି.ମି. ପର୍ଯ୍ୟନ୍ତ ଏବଂ ଅତିଦୂରଗାମୀ କ୍ଷେପଣାସ୍ତ୍ରର ମାରକସୀମା ୪୦୦ କି.ମି. ପର୍ଯ୍ୟନ୍ତ ହୋଇଥାଏ। ଏସ୍୪୦୦ ପ୍ରତିରକ୍ଷା ପ୍ରଣାଳୀରେ ଏକ ସର୍ବେଲାନ୍ସ ରାଡାର ସ୍ଥାନିତ ଥାଏ, ଯାହା ନିଜର କାର୍ଯ୍ୟକାରୀ କ୍ଷେତ୍ରର ଚତୁଃପାଶ୍ୱର୍ରେ ଏକ ସୁରକ୍ଷା ବଳୟ ନିର୍ଦ୍ଧାରଣ କରିଥାଏ। ଏହି ବଳୟ ମଧ୍ୟରେ ଶତ୍ରୁପକ୍ଷର କୌଣସି ବସ୍ତୁ ପ୍ରବେଶ କରିବା ସଙ୍ଗେ ସଙ୍ଗେ ତାହାକୁ ଠାବ କରିଥାଏ ଏବଂ ତାହା ଏହି ସଙ୍କେତକୁ କମାଣ୍ଡ ଗାଡ଼ିକୁ ପ୍ରେରଣ କରିଥାଏ। ସଙ୍କେତ ମିଳିବା ମାତ୍ରେ ଗାଇଡେନ-ରାଡାର ବସ୍ତୁର ଅବସ୍ଥିତି ନିର୍ଭୁଲ ରୂପେ ନିରୂପଣ କରି ନିକଟତମ ଗାଡ଼ିରୁ ପ୍ରତିକ୍ଷେପଣାସ୍ତ୍ର ପ୍ରୟୋଗ ପୂର୍ବକ ଆକ୍ରମଣକାରୀ ବସ୍ତୁକୁ ଆକାଶମାର୍ଗରେ ହିଁ ନଷ୍ଟ କରି ଦିଆଯାଏ। ଏଥିରେ ସ୍ଥାନିତ ଏଲ୍-ବ୍ୟାଣ୍ଡରେ କାର୍ଯ୍ୟ କରୁଥିବା ବିଗ୍ ବାର୍ଡ ରାଡାର ୬୦୦ କି.ମି. ଦୂରତା ପର୍ଯ୍ୟନ୍ତ ଶତ୍ରୁପକ୍ଷର ଟାର୍ଗେଟକୁ ଚିହ୍ନଟ କରିପାରେ। ଏସ୍-ବ୍ୟାଣ୍ଡରେ କାମ କରୁଥିବା ଅନ୍ୟ ଏକ ରାଡାରକୁ ଆକ୍ରମଣକାରୀ ବସ୍ତୁର ଉଚ୍ଚତା ନିର୍ଣ୍ଣୟ ତଥା କମ୍ ଉଚ୍ଚତାରେ ଉଡୁଥିବା ବସ୍ତୁକୁ ଟ୍ରାକିଂ କରିବା ପାଇଁ ସକ୍ଷମ। ଏହା ବ୍ୟତୀତ, ପ୍ରଣାଳୀର ଏକ ବିକଳ୍ପ ଭିଏଚ୍ଏଫ୍ ବ୍ୟାଣ୍ଡ ରାଡାର ମଧ୍ୟ ସ୍ଥାନିତ ଥାଏ, ଯାହା ଶତ୍ରୁପକ୍ଷର ଲୁଚି ଲୁଚି ଆସୁଥିବା ଗୁପ୍ତ ବିମାନକୁ ସହଜରେ ଚିହ୍ନଟ କରିପାରେ।
ଏହି ଦୁର୍ଦ୍ଧର୍ଷ ଓ ଅପରାଜେୟ ଏସ୪୦୦ ବ୍ୟବସ୍ଥାକୁ “ସୁଦର୍ଶନ ଚକ୍ର’ ବୋଲି ଆଖ୍ୟା ଦିଆଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ସୁଦର୍ଶନଚକ୍ର ଯେପରି ନ୍ୟାୟର ପ୍ରତୀକ, ଏହି ପ୍ରତିରକ୍ଷା ପ୍ରଣାଳୀ ସେହିପରି ଶତ୍ରୁର ଅନ୍ୟାୟ ଆକ୍ରମଣରୁ ଦେଶ ଓ ନାଗରିକଙ୍କୁ ରକ୍ଷା କରି ଧର୍ମ ଓ ସୁଶାସନ ପ୍ରତିଷ୍ଠା ନିମନ୍ତେ ସଦାଚେଷ୍ଟିତ। ସୁତରାଂ ଏହି ପ୍ରତିରକ୍ଷା ପ୍ରଣାଳୀ ଆମ ବାୟୁସେନାର ଏକ ଅଭେଦ୍ୟ ଓ ଅମୋଘ ପ୍ରତିରକ୍ଷା କବଚ।
ନିକୁଞ୍ଜ ବିହାରୀ ସାହୁ
ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୋପାଳ, ମୋ: ୮୦୧୮୭୦୮୮୫୮