ଆଧୁନିକ ଚିକିତ୍ସା ସେବାରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଟେକନିସିଆନ ଏବଂ ଅନ୍ୟାନ୍ୟ ପ୍ରଶିକ୍ଷିତ, ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀମାନେ ମେରୁଦଣ୍ଡ ସଦୃଶ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (ଡବ୍ଲ୍ୟୁଏଚଓ ) ସୁପାରିସ ଅନୁସାରେ ପ୍ରତି ୧ ହଜାର ଜନସଂଖ୍ୟା ପାଇଁ ଆଦର୍ଶଗତ ରୂପେ ଜଣେ ଡାକ୍ତରଙ୍କ ଆବଶ୍ୟକତା ରହିଛି। ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷରୁ ଅଧିକ ସମୟ ପରେ ମଧ୍ୟ ଆମେ ଏହି ଲକ୍ଷ୍ୟଠାରୁ ବହୁତ ପଛରେ ରହିଛେ। ଅଧିକନ୍ତୁ ଏହି ଅନୁପାତ ଦେଶର ବିଭିନ୍ନ ଭୌଗୋଳିକ କ୍ଷେତ୍ର, ସହର ମଫସଲ ତଥା ଦୁର୍ଗମ ଅଞ୍ଚଳରେ ଭିନ୍ନ ଭିନ୍ନ। ଗ୍ରାମୀଣ କ୍ଷେତ୍ରରେ ହାରାହାରି ପ୍ରାୟ ପ୍ରତି ୧୮୦୦ ଲୋକଙ୍କ ପାଇଁ ଜଣେ ଡାକ୍ତର ଥିବାବେଳେ କେତେକ ଦୁର୍ଗମ ଅଞ୍ଚଳରେ ୩୦୦୦ ଲୋକଙ୍କ ପାଇଁ ଜଣେ ଡାକ୍ତର ଥିବାର ଅନୁମାନ କରାଯାଏ। ଦେଶରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଓ ଅତି-ବିଶେଷଜ୍ଞ ଡାକ୍ତରଙ୍କ ସଂଖ୍ୟା ଆବଶ୍ୟକତାଠାରୁ ଯଥେଷ୍ଟ କମ। ଅଧିକନ୍ତୁ ସେମାନେ କେବଳ ସହରାଞ୍ଚଳର ବଡ଼ ହସ୍ପିଟାଲରେ ଅବସ୍ଥାପିତ। ଗ୍ରାମାଞ୍ଚଳରେ ବିଶେଷଜ୍ଞ ଡାକ୍ତରଙ୍କ ସ୍ଥିତି ନାହିଁ କହିଲେ ଚଳେ। ସେହିପରି ଜନସଂଖ୍ୟା ଅନୁପାତରେ ନର୍ସଙ୍କ ସଂଖ୍ୟା ଡବ୍ଲୁଏଚ୍ଓର ନିର୍ଦ୍ଧାରିତ ୧୦୦୦:୩(ହଜାରେ ଲୋକଙ୍କ ପାଇଁ ତିନି) ହେବା ସ୍ଥଳେ ଆମ ଦେଶରେ ୬୭୫:୧ ରହିଛି। ଏତଦବ୍ୟତୀତ ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟ ସହାୟକ, ଲାବୋରଟାରି ଟେକନିସିଆନ, ଏକ୍ସରେ ଓ ସ୍କାନିଂ ଟେକନିସିଆନ ଆଦି ଭିଭିନ୍ନ ବର୍ଗର ଉପଯୁକ୍ତ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କର ମଧ୍ୟ ଘୋର ଅଭାବ ରହିଛି। ଏକ ସରଳ ଅନୁମାନ ଅନୁସାରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ପରିପ୍ରେକ୍ଷୀରେ ନିକଟ ଭବିଷ୍ୟତରେ ବର୍ତ୍ତମାନ ସଂଖ୍ୟାର ପ୍ରାୟ ଦୁଇଗୁଣ ଡାକ୍ତର, ତିନିଗୁଣ ନର୍ସ ଓ ଚାରିଗୁଣ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଆବଶ୍ୟକତା ରହିଛି। ଦେଶରେ ଅଧିକରୁ ଅଧିକ ଡାକ୍ତର ଓ ନର୍ସଙ୍କ ଆବଶ୍ୟକତା ଥିବା ସମୟରେ ମୋଟ ଭାରତୀୟ ଡାକ୍ତରଙ୍କ ପ୍ରାୟ ୧୦% ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ପରି ଦେଶରେ କାର୍ଯ୍ୟ କରୁଛନ୍ତି ଏବଂ ପ୍ରାୟ ସାଢ଼େ ଛ ଲକ୍ଷ ଭାରତୀୟ ନର୍ସ ବିଦେଶରେ କାର୍ଯ୍ୟରତ। ଏ ସବୁକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟସେବା ପାଇଁ ମାନବ ସମ୍ବଳର ଭରଣା ପାଇଁ ସୁଚିନ୍ତିତ ଯୋଜନାର ଜରୁରୀ ଆବଶ୍ୟକତା ରହିଛି।
ଏଯାବତ ସ୍ୱାସ୍ଥ୍ୟସେବା ପାଇଁ ଜନଶକ୍ତି ସୃଷ୍ଟି ନିମନ୍ତେ ଆମ ପ୍ରୟାସ ମୁଖ୍ୟତଃ ମେଡିକାଲ କଲେଜ ପ୍ରତିଷ୍ଠାରେ ସୀମାବଦ୍ଧ ହୋଇଆସିଛି। ସେଥିରେ ମଧ୍ୟ ରାଜ୍ୟର ଆର୍ଥିକ ସ୍ଥିତି, ରାଜନୈତିକ ସୁବିଧା ଓ କ୍ଷତ୍ରିୟବାଦର ପ୍ରଭାବ ଯୋଗୁଁ ଦେଶର କେତେକ ପ୍ରଦେଶରେ ଅପେକ୍ଷାକୃତ ଅଧିକ ସଂଖ୍ୟକ ମେଡିକାଲ କଲେଜ ଓ ଡାକ୍ତର ଥିବାବେଳେ ଅନ୍ୟ କ୍ଷେତ୍ରରେ ଏହା ଯଥେଷ୍ଟ କମ ରହିଛି। ବର୍ତ୍ତମାନ ପ୍ରତି ତିନୋଟି ଲୋକସଭା କ୍ଷେତ୍ର ପାଇଁ ଗୋଟିଏ ମେଡିକାଲ କଲେଜ ପ୍ରତିଷ୍ଠା କରିବା ନିମନ୍ତେ ଚର୍ଚ୍ଚା ହେଉଛି। ବିଶେଷଜ୍ଞ ଓ ଅତି-ବିଶେଷଜ୍ଞ ଡାକ୍ତରଙ୍କ ଘୋର ଅଭାବ ଦୃଷ୍ଟିରୁ ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷାର ବ୍ୟାପକ ସମ୍ପ୍ରସାରଣ ମଧ୍ୟ ଅପରିହାର୍ଯ୍ୟ। କିନ୍ତୁ କେବଳ ଭିତ୍ତିଭୂମି ନିର୍ମାଣ ଓ ସମ୍ବଳ ଯୋଗାଡ଼ ନୁହେଁ, ଡାକ୍ତରୀ ଶିକ୍ଷାର ଗୁଣାତ୍ମକ ମାନ ବଜାୟ ରଖିବା ପାଇଁ ଯଥେଷ୍ଟ ସଂଖ୍ୟକ ଯୋଗ୍ୟ ଶିକ୍ଷକଙ୍କ ଆବଶ୍ୟକତା ରହିଛି. ଯାହା ତତ୍କାଳ ପୂର୍ତ୍ତି ହେବା ସମ୍ଭବ ନୁହେଁ। ସେଥିପାଇଁ ଆନ୍ତଃରାଜ୍ୟ, କେନ୍ଦ୍ର-ରାଜ୍ୟ ତଥା ସରକାରୀ-ଘରୋଇ କ୍ଷେତ୍ରରେ ସହଯୋଗ ଓ ସମନ୍ୱୟରେ ଭର୍ଚୁଆଲ-କ୍ଲାସରୁମ ଓ ଅନ୍ୟାନ୍ୟ ଡିଜିଟାଲ ମାଧ୍ୟମ ଜରିଆରେ ସୀମିତ ସଂଖ୍ୟକ ସୁଯୋଗ୍ୟ ଅନୁଭବୀ ଶିକ୍ଷକଙ୍କ ଦ୍ୱାରା ଶିକ୍ଷାଦାନର ବିଚାର କରାଯାଇପାରେ। ପାଇଲଟଙ୍କୁ ଉଡ଼ାଣ ଶିକ୍ଷା ଦେବା ପାଇଁ ସିମୁଲେଟରର ଉପଯୋଗ ହେଉଥିବା ଭଳି ଅଧିକ ସଂଖ୍ୟକ ଡାକ୍ତରୀ, ନର୍ସିଙ୍ଗ ତଥା ଅନ୍ୟ ଟେକନିସିଆନଙ୍କ ବିଭିନ୍ନ ପ୍ରାକ୍ଟିକାଲ ପ୍ରଶିକ୍ଷଣ ପାଇଁ ସେହିପରି ଟେକ୍ନୋଲୋଜି ଦେଶୀୟ ଜ୍ଞାନକୌଶଳରେ ନିର୍ମାଣ କରିବା ହୁଏତ ଜରୁରୀ। ବସ୍ତୁତଃ କମ ସମୟରେ ସ୍ୱାସ୍ଥ୍ୟ ସେବା ସମ୍ବନ୍ଧିତ ମାନବ ସମ୍ବଳର ଆବଶ୍ୟକତା ପୂରଣ ପାଇଁ ଜାତୀୟସ୍ତରରେ ଏକ ବିଶେଷଜ୍ଞଙ୍କ ଟାସ୍କ ଫୋର୍ସ ଗଠନ କରି ଡାକ୍ତର, ବିଶେଷଜ୍ଞ, ବିଭିନ୍ନ ସ୍ୱାସ୍ଥ୍ୟ କର୍ମୀଙ୍କ ବର୍ତ୍ତମାନ, ନିକଟ ଭବିଷ୍ୟତ, ଦୀର୍ଘକାଳୀନ ତଥା ଜରୁରିକାଳୀନ ସ୍ଥିତି ପାଇଁ ଆବଶ୍ୟକ ସଂଖ୍ୟାର ବୈଜ୍ଞାନିକ ଭିତ୍ତିରେ ହିସାବ କରାଯିବା ଦରକାର। ସେମାନଙ୍କ ସୁପାରିସ ଅନୁସାରେ ଯୋଜନା କରି ସମୟବଦ୍ଧ ଭାବେ ଏ ଲକ୍ଷ୍ୟ ହାସଲ କରିବା ଅତ୍ୟନ୍ତ ଜରୁରୀ।
ଡାକ୍ତର, ନର୍ସ ଓ ଟେକନିସିଆନମାନଙ୍କ ବହୁସଂଖ୍ୟାରେ ବିଦେଶକୁ ସ୍ଥାନାନ୍ତରଣକୁ ରୋକିବା ଏବଂ ବିଦେଶରେ ଖ୍ୟାତନାମା ଭାରତୀୟ ଡାକ୍ତରଙ୍କୁ ଦେଶକୁ ଆକୃଷ୍ଟ କରିବା ପାଇଁ ସରକାରୀସ୍ତରରେ ବାସ୍ତବିକ ପ୍ରୟାସ ହେବା ଦରକାର। କେବଳ ଟଙ୍କା ପାଇଁ ନୁହେଁ, ବରଂ ଉତ୍କୃଷ୍ଟ ବୈଷୟିକ ସୁବିଧାସୁଯୋଗ, ଜ୍ଞାନକୌଶଳ, ଗବେଷଣା ତଥା ସାମାଜିକ ସ୍ୱୀକୃତି ଓ ସୁରକ୍ଷା ଆଦି କାରଣମାନ ସେମାନଙ୍କୁ ବିଦେଶରେ କାର୍ଯ୍ୟ କରିବାକୁ ପ୍ରଭାବିତ କରିଥା’ନ୍ତି। ବିଗତ ଦିନମାନଙ୍କରେ ଦେଶର ଅନେକ ସ୍ଥାନରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ଦୁର୍ବ୍ୟବହାର, ଶାରୀରିକ ଆକ୍ରମଣ ଓ ମାନସିକ ଉତ୍ପୀଡ଼ନ ଘଟଣାମାନ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏ ସବୁକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟସେବାରେ କାର୍ଯ୍ୟରତ ସବୁ କର୍ମଚାରୀଙ୍କ ପାଇଁ ଉପଯୁକ୍ତ କାର୍ଯ୍ୟପରିବେଶ, ପର୍ଯ୍ୟାପ୍ତ ବୃତ୍ତିଗତ ବିକାଶର ସୁଯୋଗ ଓ ସୁରକ୍ଷା ବାତାବରଣର ସୁବନ୍ଦୋବସ୍ତ କରିବା ସରକାରଙ୍କ କର୍ତ୍ତବ୍ୟ।
ଭାରତରେ ଲୋକସଂଖ୍ୟା ଦୃଷ୍ଟିରୁ ବିଶେଷଜ୍ଞ ଓ ଅତିବିଶେଷଜ୍ଞ ଡାକ୍ତରଙ୍କ ସଂଖ୍ୟା ନଗଣ୍ୟ ମାତ୍ର ଥିବାବେଳେ ସେମାନଙ୍କ ଜ୍ଞାନ ଓ ଅନୁଭୂତିର ସମୁଚିତ ସଦୁପଯୋଗ ହେବା ନିହାତି ଜରୁରୀ। କିନ୍ତୁ ବର୍ତ୍ତମାନର ସ୍ୱାସ୍ଥ୍ୟସେବା ପ୍ରକ୍ରିୟାରେ ଏହା ସମ୍ଭବ ନୁହେଁ। ଆର୍ଥିକ ସ୍ୱଚ୍ଛଳତା, ସାମାଜିକ / ରାଜନୈତିକ ପ୍ରତିପତ୍ତି ଥିବା ବ୍ୟକ୍ତି ମାମୁଲି ରୋଗରେ ପୀଡ଼ିତ ହେଲେ ମଧ୍ୟ ଇଚ୍ଛା ମୁତାବକ ସିଧାସଳଖ ଯେକୌଣସି ବିଶେଷଜ୍ଞ ଡାକ୍ତରଙ୍କୁ ପରାମର୍ଶ କରିପାରେ। ଅନେକ ସମୟରେ ରୋଗର ଲକ୍ଷଣ ଅନୁଯାୟୀ ରୋଗୀ ନିଜେ ବା ତା’ ପରିବାର ଲୋକ କେଉଁ ବିଭାଗର ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ା, ତାହା ସ୍ଥିର କରିଥା’ନ୍ତି ଏବଂ ଅନେକ ସମୟରେ ଅନ୍ୟ ବିଭାଗୀୟ ବିଶେଷଜ୍ଞଙ୍କ ପାଖରେ ମଧ୍ୟ ପହଁଚନ୍ତି। ସାଧାରଣ ଚିକିତ୍ସକଙ୍କ ଦ୍ୱାରା ଫଳପ୍ରଦ ଚିକିତ୍ସା କରାଯାଇ ପାରୁଥିବା ମାମୁଲି ରୋଗରେ ପୀଡ଼ିତ ଅଥବା ରୋଗୀଙ୍କ ଅଜ୍ଞତା କାରଣରୁ ବିଶେଷଜ୍ଞ ଡାକ୍ତରମାନଙ୍କ ବହୁମୂଲ୍ୟ ସମୟର ଅପଚୟ ହୋଇଥାଏ। ତେଣୁ ସେମାନଙ୍କ ପରାମର୍ଶ ନିହାତି ଆବଶ୍ୟକ କରୁଥିବା ଜରୁରୀ ଓ ଜଟିଳ ରୋଗାକ୍ରାନ୍ତଙ୍କୁ ଦେଖିବାକୁ କିମ୍ବା ଅଧ୍ୟାପନା, ଗବେଷଣା ଆଦି କରିବାକୁ ତାଙ୍କର ସମୟ ନଥାଏ। ସମାଜର ସ୍ୱଚ୍ଛଳ ବର୍ଗଙ୍କ ମଧ୍ୟରେ ସବୁକଥାରେ ସର୍ବୋତ୍ତମ ସୁବିଧା ହାସଲ କରିବାର ପ୍ରତିଯୋଗିତା ମଧ୍ୟ କେତେକାଂଶରେ ଏଥିପାଇଁ ଦାୟୀ। ଅନ୍ୟପକ୍ଷରେ ପରିବାର-ଚିକିତ୍ସକ (ଫାମିଲି-ଡକ୍ଟର )ର ଅବଧାରଣା କ୍ରମଶଃ ଲୋପ ପାଉଥିବାରୁ ଏମ ବି ବି ଏସ ଡିଗ୍ରୀଧାରୀ ସାଧାରଣ ଚିକିତ୍ସକଙ୍କୁ ପ୍ରଥମେ ପରାମର୍ଶ କରିବାକୁ ଅଧିକାଂଶ ଶିକ୍ଷିତ, ସମ୍ପନ୍ନ ବ୍ୟକ୍ତି ପସନ୍ଦ କରୁନାହାନ୍ତି। ଭିନ୍ନ ଭିନ୍ନ ବିଶେଷଜ୍ଞଙ୍କୁ ଅଲଗା ଅଲଗା ପରାମର୍ଶ କରିବା ଯୋଗୁଁ ଅଧିକାଂଶ ସମୟରେ ରୋଗୀର ସାମଗ୍ରିକ ଚିକତ୍ସା ଏବଂ ଆନ୍ତର୍ବ୍ୟକ୍ତିକ-ସମ୍ପର୍କ ମଧ୍ୟ ବ୍ୟାହତ ହୋଇଥାଏ। ସେଥିପାଇଁ ଦ୍ବିସ୍ତରୀୟ ବ୍ୟବସ୍ଥାର ପ୍ରବର୍ତ୍ତନ ସମୟୋପଯୋଗୀ ଓ ଲାଭପ୍ରଦ ହେବ। ପ୍ରାଥମିକ ସ୍ତରରେ ଫାମିଲି-ଡାକ୍ତର ବା ସାଧାରଣ-ଚିକିତ୍ସକ (ଜେନେରାଲ ଫିଜିସିଆନ) ରୋଗୀର ପୁରୁଣା ରୋଗ ବିଷୟରେ ଅବଗତି ଓ ଦୀର୍ଘକାଳୀନ ଉତ୍ତମ ଆନ୍ତର୍ବ୍ୟକ୍ତିକ-ସମ୍ପର୍କ ଯୋଗୁଁ ସହଜରେ ଓ ସୁଚାରୁ ରୂପେ ଦୈନନ୍ଦିନ ସାଧାରଣ ରୋଗର ଚିକିତ୍ସା କରିବା ସହ ନିଜ ଯୋଗ୍ୟତା ଓ ଅଭିଜ୍ଞତା ଭିତ୍ତିରେ ଆବଶ୍ୟକ ସ୍ଥଳେ ଉପଯୁକ୍ତ ବିଶେଷଜ୍ଞଙ୍କ ପରାମର୍ଶ ପାଇଁ ସୁପାରିସ (ରେଫର) କରିପାରିବେ। ବିଶେଷଜ୍ଞଙ୍କ ପରାମର୍ଶ ପାଇଁ ସାଧାରଣ-ଚିକିତ୍ସକଙ୍କ ସୁପାରିସକୁ ଅନିବାର୍ଯ୍ୟ କରିବା ସମୟର ଆବଶ୍ୟକତା। ଆମଦେଶରେ ଡାକ୍ତରୀ ସ୍ନାତକମାନେ ପାସ କଲା ପରେପରେ ଚିକିତ୍ସା ଆରମ୍ଭ କରିଥା’ନ୍ତି ଏବଂ ସେମାନଙ୍କୁ ଜେନେରାଲ ଫିଜିସିଆନ କୁହାଯାଏ। କିନ୍ତୁ କାନାଡ଼ା, ୟୁ କେ ଆଦି ଅନେକ ପାଶ୍ଚାତ୍ୟ ଦେଶରେ ସ୍ନାତକ ଡିଗ୍ରୀ ପରେ ପ୍ରାୟ ୩ ବର୍ଷ ଫାମିଲି ଫିଜିସିଆନର ସ୍ନାତକୋତ୍ତର ଶିକ୍ଷା / ଟ୍ରେନିଂ ପରେ ଜଣେ ଜେନେରାଲ ପ୍ରାକ୍ଟିସ କରିବାକୁ ଯୋଗ୍ୟ ହୁଏ। ଏହାଦ୍ୱାରା ଚିକିତ୍ସକଙ୍କ ଯୋଗ୍ୟତା ଓ ଅଭିଜ୍ଞତା ବଢ଼ିବା ସହ ସାଧାରଣ-ଚିକିତ୍ସକଙ୍କ ଉପରେ ରୋଗୀ ଅଧିକ ଭରସା କରିଥାଏ। ଆମଦେଶରେ ଏହି ବ୍ୟବସ୍ଥାର ପ୍ରଚଳନ ପାଇଁ ଚିନ୍ତା କରାଯାଇ ପାରେ।
ଡ.ବିମଳ ଚନ୍ଦ୍ର ମହାପାତ୍ର
ଭୁବନେଶ୍ୱର, ମୋ: ୯୯୭୧୪୫୫୦୦୮