୧୯୯୨ ମସିହା ସେପ୍ଟେମ୍ବର ମାସ ୨୨ ତାରିଖରେ ରାଜସ୍ଥାନର ଆଜମେର ଜିଲ୍ଲାରେ ‘ସାଥିନ’ ଭାବେ କାମ କରୁଥିବା ଭମରୀ ଦେବୀ ବାଲ୍ୟବିବାହ ବିରୁଦ୍ଧରେ ନିଜର ସରକାରୀ ଦାୟିତ୍ୱ ତୁଲାଉଥିବା ବେଳେ ତାଙ୍କ କାର୍ଯ୍ୟକୁ ବିରୋଧ କରୁଥିବା ରୁଢ଼ିବାଦୀ ସମ୍ପ୍ରଦାୟର କେତେକ କୁତ୍ସିତ ମାନସିକତାଧାରୀଙ୍କ ଦ୍ୱାରା ଗଣବଳାତ୍କାରର ଶିକାର ହେଲେ। ୨୦୨୪ ଅଗଷ୍ଟ,୯ତାରିଖରେ କୋଲକାତାରେ କାର୍ଯ୍ୟରତ ଡାକ୍ତରୀ ଛାତ୍ରୀଙ୍କୁ କଲେଜ୍ ଭିତରେ ବଳାତ୍କାର ଓ ହତ୍ୟା କରାଗଲା, ଯାହାକୁ ନେଇ ଏବେ ସମଗ୍ର ଦେଶରେ ପ୍ରତିବାଦର ସ୍ୱର ଉଠୁଛି। ଏତେ ବର୍ଷର ବ୍ୟବଧାନରେ ଘଟିଥିବା ଏ ଦୁଇଟି ଘଟଣା ଭିତରେ କ’ଣ ସାମଞ୍ଜସ୍ୟ ବା ପାର୍ଥକ୍ୟ ରହିଛି?
ଭମରୀ ଦେବୀ ସାମାଜିକ କୁସଂସ୍କାର ବିରୋଧରେ ଏବଂ ମହିଳାମାନଙ୍କ ସାମୂହିକ କଲ୍ୟାଣ ଲାଗି ସମର୍ପିତ ଭାବେ କାର୍ଯ୍ୟ କରୁଥିବା ଯୋଗୁଁ ରୁଢ଼ିବାଦୀ ପ୍ରତିରୋଧକୁ ସାମ୍ନା କଲେ। ଏହି ଘଟଣାକୁ ନ୍ୟାୟାଳୟ ‘କାର୍ଯ୍ୟସ୍ଥଳରେ ଯୌନ ନିର୍ଯାତନା’ ବୋଲି ଆଖ୍ୟା ଦେଲେ। ସେହିପରି କୋଲକାତାର ଡାକ୍ତରୀ ଛାତ୍ରୀ ମଧ୍ୟ କାର୍ଯ୍ୟସ୍ଥଳରେ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ଫରକ ଏତିକି ଯେ ଭମରୀ ଦେବୀଙ୍କ ବେଳେ ଏହି ଧରଣର ଅପରାଧ ନିରାକରଣ ପାଇଁ ସ୍ୱତନ୍ତ୍ର ଆଇନ ନଥିଲା। ବରଂ ତାଙ୍କ ଲଢ଼େଇର ଫଳ ସ୍ୱରୂପ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ‘ବିଶାଖା ଦିଶା ନିର୍ଦ୍ଦେଶ’ ପ୍ରବର୍ତ୍ତିତ ହେଲା। ଅଥଚ କାର୍ଯ୍ୟାଳୟରେ ମହିଳାଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ପାଇଁ ୨୦୧୩ ମସିହାରୁ ଆଇନ ପ୍ରଣୀତ ହୋଇଥିବା ସତ୍ତ୍ବେ କୋଲକାତାର ଡାକ୍ତରୀ ଛାତ୍ରୀ ସୁରକ୍ଷିତ ହୋଇ ପାରିଲେ ନାହିଁ। ଏହି ଦ୍ୱିତୀୟ ଘଟଣାଟି ଆଇନର କାର୍ଯ୍ୟାନ୍ୱୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କାର୍ଯ୍ୟାଳୟରେ ମହିଳାଙ୍କୁ ଯୌନ ଶୋଷଣରୁ ସୁରକ୍ଷା ପାଇଁ ୨୦୧୩ ମସିହାରେ ପ୍ରଣୀତ ଆଇନ ଉଭୟ ସଂଗଠିତ ଓ ଅଣସଂଗଠିତ ସଂସ୍ଥା ବା କ୍ଷେତ୍ର ପାଇଁ ପ୍ରଯୁଜ୍ୟ। ସରକାରୀ ହେଉ ବା ବେସରକାରୀ ସଂସ୍ଥା, ଯେଉଁଠି ଦଶ ଜଣରୁ ଅଧିକ ମହିଳା କର୍ମଚାରୀ ଅଛନ୍ତି, ସେଠି ଏହି ଆଇନ ଅନୁସାରେ ଗୋଟିଏ ‘ଆଭ୍ୟନ୍ତରୀଣ କମିଟି’ ଗଠିତ ହେବା ବାଧ୍ୟତାମୂଳକ। ଏଥିରେ କାର୍ଯ୍ୟାଳୟର ଜଣେ ବରିଷ୍ଠ କର୍ମଚାରୀ ‘ପ୍ରିଜାଇଡିଂ ଅଫିସର’ ଦାୟିତ୍ୱରେ ରହିବେ ଓ ଅନ୍ୟ ଦୁଇଜଣ ସଦସ୍ୟ ରହିବେ। ଏହାସହିତ ଜଣେ ବାହ୍ୟ ସଦସ୍ୟ ମଧ୍ୟ ରହିବେ। ମୋଟ ସଦସ୍ୟଙ୍କ ଭିତରୁ ଅତିକମରେ ଅଧା ମହିଳା ହୋଇଥିବେ। ଆଭ୍ୟନ୍ତରୀଣ କମିଟି ଗଠନ ନିଯୁକ୍ତିଦାତାଙ୍କ ଦ୍ୱାରା ବିଜ୍ଞାପିତ ହେବ ଓ ଏହାର ସମସ୍ତ ସଦସ୍ୟଙ୍କ ନାମ, ଯୋଗାଯୋଗ ଠିକଣା ସମସ୍ତେ ଦେଖିପାରୁଥିବା ଭଳି ସ୍ଥାନରେ ପ୍ରଦର୍ଶିତ ହେବ। କମିଟି ନିୟମିତ ଭାବରେ ବୈଠକ କରି କାର୍ଯ୍ୟସ୍ଥଳରେ ମହିଳାଙ୍କ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ପାଇଁ ନିଯୁକ୍ତିଦାତାଙ୍କୁ ସୁପାରିସ କରିପାରିବେ। କର୍ମସ୍ଥଳରେ ଯୌନ ଶୋଷଣ, ହିଂସା ବା ନିର୍ଯାତନାର ଅଭିଯୋଗ ଆସିଲେ ଉକ୍ତ କମିଟି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବେ। ଅଭିଯୋଗ ଆସୁ ବା ନଆସୁ ଏକ ବାର୍ଷିକ ବିବରଣୀ ପ୍ରସ୍ତୁତ କରି ଜିଲ୍ଲା ଅଧିକାରୀଙ୍କୁ ଦେବେ। ଯଦି କୌଣସି ସରକାରୀ ବା ବେସରକାରୀ କାର୍ଯ୍ୟାଳୟ ବା ପ୍ରତିଷ୍ଠାନ ଏଥିରେ ଖିଲାପ କରନ୍ତି ସେମାନଙ୍କୁ ୫୦ ହଜାର ଟଙ୍କାର ଜରିମାନା କରାଯାଇ ପାରିବ।
ସେହିପରି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଆଭ୍ୟନ୍ତରୀଣ କମିଟିର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହେଲେ ବ୍ୟକ୍ତି ବା ନିଯୁକ୍ତିଦାତାଙ୍କ ବିରୁଦ୍ଧରେ ଅଭିଯୋଗ ପାଇଁ ଜିଲ୍ଲାସ୍ତରୀୟ ‘ସ୍ଥାନୀୟ ଅଭିଯୋଗ କମିଟି’ରେ ଆବେଦନ କରିପାରିବେ। ଏହି କମିଟିରେ ଅଞ୍ଚଳର ଜଣେ ଅଭିଜ୍ଞତାସମ୍ପନ୍ନ ମହିଳା ଅଧ୍ୟକ୍ଷା ଦାୟିତ୍ୱରେ ରହିବାର ନିୟମ ରହିଛି। ଅନ୍ୟ ଦୁଇଜଣ ବାହ୍ୟ ସଦସ୍ୟ/ସଦସ୍ୟା ଓ ଜଣେ ବ୍ଲକସ୍ତରୀୟ ମହିଳା ସରକାରୀ କର୍ମଚାରୀ ସଦସ୍ୟା ଭାବେ ନିଯୁକ୍ତ ହେବେ। ସ୍ଥାନୀୟ ଅଭିଯୋଗ କମିଟିର ସଦସ୍ୟା ଭାବରେ ପ୍ରତି ବ୍ଲକରେ ସିଡିପିଓମାନଙ୍କୁ ନୋଡାଲ ଅଫିସର ଭାବରେ ଆମ ରାଜ୍ୟରେ ଦାୟିତ୍ୱ ଦିଆଯାଇଛି।
ଉଭୟ ଆଭ୍ୟନ୍ତରୀଣ କମିଟି ଓ ସ୍ଥାନୀୟ ଅଭିଯୋଗ କମିଟିକୁ ସିଭିଲ କୋର୍ଟର କ୍ଷମତା ଏହି ଆଇନ ପ୍ରଦାନ କରିଛି। ଏହାସତ୍ତ୍ବେ ଆଇନ ସମ୍ପର୍କିତ ଅଜ୍ଞତା, ନିଯୁକ୍ତିଦାତାଙ୍କର ଅବହେଳା, କମିଟିର ଦାୟିତ୍ୱବୋଧରେ ଅବହେଳା, କ୍ଷମତା ଓ କାର୍ଯ୍ୟପରିସରକୁ ଅସମ୍ମାନ କାରଣରୁ ଏହି ଆଇନର ସଦୁପଯୋଗ ହୋଇପାରୁ ନାହିଁ।
ଚଳିତ ମାସରେ କଟକ ବଡ଼ ମେଡିକାଲରେ ଡାକ୍ତରଙ୍କ ଦ୍ୱାରା ରୋଗୀଙ୍କ ପ୍ରତି ହୋଇଥିବା ଯୌନ ଅସଦାଚରଣ ମଧ୍ୟ ଆଲୋଡ଼ନ ସୃଷ୍ଟି କରିଛି। ସେହିପରି ପଶ୍ଚିମ ଓଡ଼ିଶାର ଏକ ଜିଲ୍ଲାରେ ଚଳିତ ମାସରେ ଏକ ବିଦ୍ୟାଳୟରେ ଛାତ୍ରୀମାନେ କରିଥିବା ଅଭିଯୋଗ କାରଣରୁ ପ୍ରଧାନ ଶିକ୍ଷକ ନିଲମ୍ବିତ ହେବା ଘଟଣା ମଧ୍ୟ ଖବରକାଗଜରେ ପ୍ରକାଶିତ ହୋଇଛି। ଏପରି ଅନେକ ଘଟଣା ଘଟୁଛି। କିନ୍ତୁ ଅପବାଦ ଭୟରେ ଭିତିରିଆ ବୁଝାମଣା ବା ପରୋକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଘଟଣାକୁ ଚପେଇ ଦିଆଯାଉଛି। ଉପରୋକ୍ତ ଉଭୟ ଘଟଣାରେ ପ୍ରଶାସନିକ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ ହେଁ କର୍ମସ୍ଥଳରେ ଯୌନ ନିର୍ଯାତନା ନିଷେଧ ଆଇନକୁ ଅବହେଳା କରାଯାଇଛି।
ପ୍ରଶାସନିକ ତଦନ୍ତରେ ନିର୍ଦ୍ଦିଷ୍ଟ ଘଟଣା ପାଇଁ ସାମୟିକ ଉପଶମ ମିଳିଯାଇ ପାରେ, କିନ୍ତୁ ଉଦ୍ଦିଷ୍ଟ ଆଇନର ସଠିକ କାର୍ଯ୍ୟାନ୍ୱୟନ ବିନା ଦୀର୍ଘକାଳୀନ ଭିତ୍ତିରେ ସ୍ଥାୟୀ ଭାବେ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଆଭ୍ୟନ୍ତରୀଣ କମିଟି ସକ୍ରିୟ ରହିଲେ ଛୋଟ ଛୋଟ ଘଟଣା ମଧ୍ୟ ଅଭିଯୋଗ, ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପରିସରଭୁକ୍ତ ହୋଇପାରିବ। ନିର୍ଯାତନା ଘଟଣାଟି ବଡ଼ ଆକାର ଧାରଣ କରିବ ନାହିଁ। ଏହା ମଧ୍ୟ ଦେଖାଯାଉଛି ଯେ ଅନେକ ଘଟଣାରେ ଆଭ୍ୟନ୍ତରୀଣ କମିଟି ଥିଲେ ବି ପ୍ରଶାସନିକ ହସ୍ତକ୍ଷେପ ହେଉଛି। ଏହି ପ୍ରଶାସନିକ ହସ୍ତକ୍ଷେପ ହିଁ ଆଇନରେ ଥିବା ଗୋପନୀୟତାର ପ୍ରାବଧାନ ଓ କମିଟିକୁ ଦିଆଯାଇଥିବା ଆଇନଗତ ସ୍ୱତନ୍ତ୍ର କ୍ଷମତାର ବିରୁଦ୍ଧାଚରଣ କରୁଛି।
ଅଜ୍ଞତା ଓ ତଦାରଖ ଅଭାବରୁ ଉଭୟ ସରକାରୀ ଓ ବେସରକାରୀ ଅନେକ ଅନୁଷ୍ଠାନରେ ୧୦ରୁ ଅଧିକ କର୍ମଚାରୀ ଥିବା ସତ୍ତ୍ବେ ଆଭ୍ୟନ୍ତରୀଣ କମିଟି ଗଠିତ ହୋଇନାହିଁ ବା ସର୍ବସାଧାରଣଙ୍କ ଗୋଚରାର୍ଥେ ପ୍ରଦର୍ଶିତ ହୋଇନାହିଁ। ସରକାରୀ କାର୍ଯ୍ୟାଳୟମାନଙ୍କରେ ମଧ୍ୟ ଆଇନ ଉଲ୍ଲଙ୍ଘନ ହେଉଥିବାରୁ ଅନ୍ୟ ଖିଲାପକାରୀଙ୍କ ବିରୋଧରେ ବୋଧହୁଏ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଯଦି ଆମେ ପ୍ରକୃତରେ କୋଲକତାର କାଳିମା ପାଇଁ ଲଜ୍ଜିତ ଓ ଭମରୀ ଦେବୀଙ୍କ ତ୍ୟାଗକୁ ସମ୍ମାନ ଦେବା ପାଇଁ ଚାହୁଁ, ତା’ ହେଲେ ରାଜ୍ୟ ଓ ଜିଲ୍ଲାସ୍ତରରେ ଏହି ଆଇନ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇ କର୍ମସ୍ଥଳମାନଙ୍କ ସ୍ଥିତି ଯାଞ୍ଚ କରାଯାଉ ଏବଂ ଆବଶ୍ୟକସ୍ଥଳେ ପରାମର୍ଶ ଦିଆଯାଉ। ନୋଡାଲ ଅଫିସରମାନଙ୍କୁ ତାଲିମ ଦିଆଯାଇ ଦକ୍ଷ କରାଯାଉ। ଏହି ଆଇନ ପାଇଁ ଜିଲ୍ଲପାଳମାନଙ୍କୁ ଜିଲ୍ଲା ଅଧିକାରୀ ଭାବରେ ଦାୟିତ୍ୱ ଦିଆଯାଇଛି। ଆଇନର ସକ୍ରିୟ କାର୍ଯ୍ୟାନ୍ୱୟନର ଉତ୍ତରଦାୟିତ୍ୱ ମଧ୍ୟ ତାଙ୍କ ଉପରେ ନ୍ୟସ୍ତ କରାଗଲେ ପରିସ୍ଥିତିରେ ଅନେକାଂଶରେ ସୁଧାର ଆସିପାରିବ।
ଘାସିରାମ ପଣ୍ଡା
ସୁବର୍ଣ୍ଣପୁର, ମୋ: ୯୪୩୮୩୪୧୭୯୪