ଧର୍ମ ରକ୍ଷା ଏବଂ ସମାଜରେ ଶାନ୍ତି ଓ ସଦ୍ଭାବନା ପ୍ରତିଷ୍ଠା ପାଇଁ ସମାଜରେ ବହୁ ମହାପୁରୁଷ ପ୍ରଚେଷ୍ଟା କରିଛନ୍ତି। ସେମାନଙ୍କ ମଧ୍ୟରେ ସନ୍ଥ ନାନକ, ରବିଦାସ, ରୋହି ଦାସ, ଘାସି ଦାସ, ସନ୍ଥ କବିର, ଗୁରୁ ଚାନ୍ଦ ଠାକୁର, ମହାତ୍ମା ଜ୍ୟୋତିବା ଫୁଲେ, ପେରିୟାର ରାମସ୍ୱାମୀ, ସନ୍ଥ ଭୀମଭୋଇ, ମହାମାନବ ଆମ୍ୱେଦକରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏ ସମସ୍ତେ ଅଣବ୍ରାହ୍ମଣଙ୍କ ପକ୍ଷଧର। କେହି କେହି ମହାତ୍ମା ଗାନ୍ଧୀଙ୍କୁ ଦଳିତମାନଙ୍କ ଉଦ୍ଧାରକାରୀ ଭାବରେ ଗ୍ରହଣ କରନ୍ତି।
କୁହାଯାଏ ମହର୍ଷି ମନୁ ସଂହିତା ମାଧ୍ୟମରେ ଜାତିବାଦକୁ ପ୍ରତିଷ୍ଠିତ କରିଥିଲେ। ମନୁସ୍ମୃତି ଖ୍ରୀପୂ ପ୍ରଥମ ଶତାବ୍ଦୀ ବେଳକୁ ରଚନା କରାଯାଇଛି। ବେଦର ପୁରୁଷସୂକ୍ତ ଏବଂ ଗୀତାର ବର୍ଣ୍ଣ ବ୍ୟବସ୍ଥାକୁ ଆଧାର କରି ମନୁସ୍ମୃତି ରଚନା କରାଯାଇଛି। ଏହାର ପରିଣାମ ହିନ୍ଦୁ ଧର୍ମ ଉପରେ ଅଧିକ ପଡ଼ିଛି। ମନୁସ୍ମୃତିରେ ଶୂଦ୍ରମାନଙ୍କୁ ସମାଜ ସଂରଚନାରେ ସର୍ବନିମ୍ନ ସ୍ଥାନ ଦିଆଯାଇଛି। ସେମାନଙ୍କୁ ଅନ୍ୟ ତିନି ବର୍ଣ୍ଣ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟର ସେବାକାରୀ ଭାବେ ନିଯୁକ୍ତ କରାଯାଇଛି।
ସମାଜବିଜ୍ଞାନୀଙ୍କ ମତରେ ମନୁସ୍ମୃତି ପ୍ରଚଳନ ଫଳରେ ଭାରତର ହିନ୍ଦୁମାନଙ୍କ ମଧ୍ୟରେ ପ୍ରାୟ ୫ ହଜାର ଜାତି ଓ ଉପଜାତି ସୃଷ୍ଟି ହୋଇଥିଲା। ଏଥିରୁ ଜାତି-ଜାତି ମଧ୍ୟରେ ବିଭେଦ, ସଂଘର୍ଷ, ଉଚ୍ଚନୀଚ୍ଚ ଭେଦଭାବ ସୃଷ୍ଟି ହେଲା ଏବଂ ଅସ୍ପୃଶ୍ୟତାର ବୀଜବପନ ହେଲା। ଏହାର ପରିଣାମ ଏବେ ସୁଦ୍ଧା ଭାରତୀୟ ସମାଜ ସନ୍ତୁଳିତ ହେଉଛି।
ବାବା ସାହେବ ଆମ୍ୱେଦକର ମନୁସ୍ମୃତିର ବର୍ଣ୍ଣ ବ୍ୟବସ୍ଥାକୁ ଗଭୀର ଭାବେ ଅଧ୍ୟୟନ କର ଦଳିତମାନଙ୍କୁ ମାନବିକ ଅଧିକାର ପ୍ରଦାନ କରିବା ଦିଗରେ ଉଦ୍ୟମ କରିଥିଲେ। ମହାତ୍ମା ଗାନ୍ଧୀ ହିନ୍ଦୁ ଧର୍ମର ଚାତୁବର୍ଣ୍ଣ ବ୍ୟବସ୍ଥାକୁ ଗ୍ରହଣ କରିନେଇଥିଲେ ଏବଂ ନିଜକୁ ସନାତନୀ ହିନ୍ଦୁ ବୋଲି ପ୍ରକାଶ କରିଥିଲେ। ବାବା ସାହେବଙ୍କ ସାମାଜିକ କ୍ରାନ୍ତି ଆନ୍ଦୋଳନକୁ ପ୍ରତିରୋଧ କରିବାକୁ ଗାନ୍ଧୀ ‘ହରିଜନ ସେବକ ସଂଘ’ ଏବଂ ‘ହରିଜନ ପତ୍ରିକା’ ପ୍ରକାଶନ ଓ ‘ହରିଜନ ପଦଯାତ୍ରା’ ଆରମ୍ଭ କରିଥିବା କେତେକ ଐତିହାସିକ ମତ ଦିଅନ୍ତି। ନାରସୁ ମେହେଟାଙ୍କ ଉପନ୍ୟାସରୁ ଆନିତ ‘ହରିଜନ’ ଶବ୍ଦକୁ ସେ ଅସ୍ପୃଶ୍ୟଙ୍କ ଉଦ୍ଧାର ପାଇଁ ବ୍ୟବହାର କରିଥିଲେ ବୋଲି ମଧ୍ୟ କୁହାଯାଏ। ଏହାକୁ ବିରୋଧ କରି ବାବା ସାହେବ ଅଖିଳ ଭାରତୀୟ ଅନୁସୂଚିତ ଜାତି ସଂଘ ଗଠନ କରିଥିଲେ। ବର୍ତ୍ତମାନ ଜାତୀୟ ମାନବାଧିକାର ଆୟୋଗ ‘ହରିଜନ’ ଶବ୍ଦକୁ ଅସିଦ୍ଧ କରିଛନ୍ତି।
ଅତୀତର ସେହି ଶୂଦ୍ର ସମାଜ ହିଁ ସଂପ୍ରତି ଶ୍ରମିକ ସମାଜ। ଭାରତୀୟ ସମାଜ ସଂରଚନାରେ ଜାତିର ଏକ ବହୁତ ବଡ଼ ନିର୍ଣ୍ଣାୟକ ଭୂମିକା ଅଛି। ବିଶେଷ ରୂପରେ ହିନ୍ଦୁ ସାମାଜିକ ବ୍ୟବସ୍ଥାରେ ଜାତି ଗୋଟିଏ ବଡ଼ ଆଧାର ଓ ପ୍ରାଣ। ଜାତି ବିନା ହିନ୍ଦୁ
ସମାଜ କଳ୍ପନା କରିବା ଅସମ୍ଭବ। ଜାତିର ପ୍ରଭାବ ଏତେ ଗଭୀର ଓ ବ୍ୟାପକ ଯେ ସମାଜରେ ବ୍ୟକ୍ତିର ପରିଚୟ ତାଙ୍କ ଗୁଣ, କର୍ମ, ଯୋଗ୍ୟତା, ବିବେଚନା ନହୋଇ ତାଙ୍କର ଜାତି ଉପରେ ନିଧାର୍ଯ୍ୟ ହୋଇଥାଏ। ଏକ ବ୍ୟକ୍ତି ଯେଉଁ ଜାତିରେ ଜନ୍ମ ହୋଇଥାଏ, ସେହି ଅନୁସାରେ ସାରା ଜୀବନ ସେହି ଜାତିରେ ରହି ସୁଖ କିମ୍ୱା ଦୁଃଖ ଭୋଗ କରିଥାଏ।
ଜାତିପ୍ରଥା ଏକ ଭୟଙ୍କର ରୋଗ। ଏହାର ଉପଚାର ନିହାତି ଆବଶ୍ୟକ। ଦେଶରେ ସମାନତା ଓ ଭ୍ରାତୃତ୍ୱର ବାତାବରଣ ଜାତିପ୍ରଥାର ବିନାଶ ବିନା ସମ୍ଭବ ନୁହେଁ। ଏହା ସୁଖର କଥା ଯେ, ସଂପ୍ରତି ଆମ ଦେଶରେ ପ୍ରସିଦ୍ଧ ସମାଜଶାସ୍ତ୍ରୀ ତଥା ବିଚାରକଗଣ ଏହି ସମସ୍ୟା ଉପରେ ଚିନ୍ତନ ଆରମ୍ଭ କରିଛନ୍ତି। ବାସ୍ତବରେ ବର୍ତ୍ତମାନ ଏକ ଉପଯୁକ୍ତ ସମୟ ଆସିଯାଇଛି ଏହି ଭୟଙ୍କର ରୋଗକୁ ସମ୍ପୂର୍ଣ୍ଣ ସମାପ୍ତ କରି ଉଚିତ ପ୍ରଯତ୍ନ କରିବାର। ଜାତିପ୍ରଥାର ବିଲୋପ ସାଧନ ପାଇଁ ଦୁଇଟି ଅସ୍ତ୍ର ରହିଛି। ପ୍ରଥମଟି ଧାର୍ମିକ ଚିନ୍ତାଧାରାର ପରିବର୍ତ୍ତନ, ଦ୍ୱିତୀୟଟି ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ। ଏହି ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନାର ଆବଶ୍ୟକତା ରହିଛି।
ହିନ୍ଦୁ ସମାଜରେ ପୌରୋହିତ୍ୱବାଦକୁ ପ୍ରାଧାନ୍ୟ ଦେବା ଯୋଗୁଁ ଜାତିବ୍ୟବସ୍ଥା ପୂତିଗନ୍ଧମୟ ହୋଇପଡ଼ୁଥିବା ଅଭିଯୋଗ ହେଉଛି। ଏହାର ଉପଚାର ଧାର୍ମୀୟ ଭାବନାରୁ ମଣିଷକୁ ମୁକ୍ତ କରିବା ସହିତ ସମାନ। ଏହା ହୋଇପାରିଲେ ଜାତିବାଦରୁ ସମାଜ ମୁକ୍ତ ହେବ ଏବଂ ଏକ ସ୍ୱୟଂଚାଳିତ ମଣିଷ ସମାଜ ଗଠନ ହୋଇପାରିବ। କୁସଂସ୍କାର ଓ ଅନ୍ଧବିଶ୍ୱାସ ମୁକ୍ତି ମିଳିବ। ସମାଜରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ, ମାନବବାଦ, ଅନୁସନ୍ଧାନ ଓ ସଂସ୍କାର ଭାବନାର ଅଗ୍ରଗତି ହୋଇ ପାରିବ। ଜାତିବାଦର ମୂଳପୋଛ କରିବା ପାଇଁ ସୁଧାରବାଦୀ ସଂସ୍ଥାମାନଙ୍କର ମଧ୍ୟ ପ୍ରମୁଖ ଭୂମିକା ରହିଛି। ମଧ୍ୟଯୁଗରେ ଶିଖ୍ ଧର୍ମଗୁରୁ ନାନକ, ସନ୍ଥ କବିର, ରାଜା ରାମମୋହନ ରାୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯେଉଁସବୁ ସାମାଜିକ ସଂସ୍ଥାମାନେ ଏ ଦିଗରେ କାମ କରିଛନ୍ତି ସେମାନଙ୍କ ମଧ୍ୟରେ ବ୍ରାହ୍ମ ସମାଜ, ଆର୍ଯ୍ୟ ସମାଜ, ଜାତି ପାତ ତୋତକ ମଣ୍ଡଳ(ଯାହାକି ପରବର୍ତ୍ତି ସମୟରେ ଚାତୁବର୍ଣ୍ଣ ବିନାଶ ସଂସ୍ଥା ରଖାଯାଇଥିଲା) ଆଦି ପ୍ରମୁଖ। ବର୍ତ୍ତମାନ ଭାରତରେ ହେତୁବାଦୀ, ମାନବବାଦୀ ବିଜ୍ଞାନବାଦୀ, ସମ୍ୱିଧାନବାଦୀ ନାମରେ ଅନେକ ସଂସ୍ଥା କାର୍ୟ୍ୟରତ। କେବଳ ଆଇନ ଦ୍ୱାରା ଜାତିପ୍ରଥା ଉଚ୍ଛେଦ ହୋଇପାରିବ ନାହିଁ। ଉପରୋକ୍ତ ସାମାଜିକ ସୁଧାରବାଦୀ ସଂସ୍ଥାମାନେ ସହୃଦୟତା ସହ ଯଦି କାର୍ଯ୍ୟ କରନ୍ତି, ତା’ହେଲେ ଯାଇ ଭାରତରେ ଜାତିପ୍ରଥା ପରି କଳଙ୍କିତ ବ୍ୟବସ୍ଥାର ସଂପୂର୍ଣ୍ଣ ଉଚ୍ଛେଦ ସମ୍ଭବ ହୋଇପାରିବ।
ଦୀନବନ୍ଧୁ ଅଧିକାରୀ
ଭୁବନେଶ୍ୱର, ମୋ: ୮୦୯୩୧୮୪୨୮୮