ବୟସ ବଢ଼଼ିଲେ ମନ ଆଉ ଜୀବନ-ଅଭିମୁଖୀ ହୁଏ ନାହିଁ। ଅଜାଣତରେ ଆସି କାବୁ କରି ବସେ ଅବସନ୍ନତା। ଏପରିକି ବୃଦ୍ଧ ବ୍ୟକ୍ତିଟି ପରିବାରର ତା’ ଆତ୍ମୀୟଙ୍କ ଆନ୍ତରିକ ସ୍ନେହପୂର୍ଣ୍ଣ ଆଚରଣକୁ ସନ୍ଦେହ ଦୃଷ୍ଟିରେ ଦେଖେ। ତା’ର ଅତି ପ୍ରିୟବ୍ୟକ୍ତି ମଧ୍ୟ ତା’ର ଅସନ୍ତୋଷରୁ ସୁରକ୍ଷିତ ରହିପାରେନି। ତା’ର ଶାରୀରିକ ସାମର୍ଥ୍ୟ ଯେତେ କମି କମିଯାଏ, ମାନସିକ ସ୍ତରରେ ସେ ସେତେ ବେଶୀ ବେଶୀ ଦୁର୍ବଳ ହୋଇଚାଲେ। ଏହା ସହ ତାଳ ଦେଇ ବଢ଼଼ି ବଢ଼଼ି ଚାଲେ ଅବସାଦ। ଗବେଷଣା ତଥ୍ୟାନୁଯାୟୀ ବୃଦ୍ଧବୃଦ୍ଧାମାନଙ୍କ ମଧ୍ୟରୁ ୧୦ ରୁ ୧୫ ଶତାଂଶ ମାନସିକ ଅବସାଦ ଭୋଗିଥା’ନ୍ତି। ସେମାନଙ୍କ ମଧ୍ୟରୁ ୨.୫ ପ୍ରତିଶତଙ୍କ କ୍ଷେତ୍ରରେ ପ୍ରକାଶ ପାଏ ସ୍ମୃତିହାନି ଭଳି ସମସ୍ୟା।
ବାସ୍ତବରେ ସେମାନଙ୍କ ପ୍ରତି ଆମର ମନୋଭାବ ବଡ଼ ନୈରାଶ୍ୟଜନକ ଓ ଯନ୍ତ୍ରଣାଦାୟକ। ଯୁବାବସ୍ଥାରେ ଯେଉଁ ଉଲ୍ଲାସଭାବ ଓ ସ୍ଫୂର୍ତ୍ତିଶୀଳତା ସ୍ୱାଭାବିକ ଭାବରେ ପରିଲକ୍ଷିତ, ସେଥିରୁ ବୃଦ୍ଧବୃଦ୍ଧାମାନେ ବଞ୍ଚିତ ବୋଲି ଆମର ଯେଉଁ ଧାରଣା ରହିଛି, ତାହା ଭ୍ରମାତ୍ମକ। ସେଇଥିପାଇଁ ହିଁ ଅଧିକାଂଶ ପରିବାରରେ ସେମାନେ ସାଧାରଣତଃ ଏକପ୍ରକାର ବନ୍ଦୀ ଜୀବନ ବିତେଇବା ପାଇଁ ବାଧ୍ୟ ହୋଇଥା’ନ୍ତି। ସେମାନେ ନିଜକୁ ବଡ଼ ଅଲୋଡ଼ା ବୋଲି ଅନୁଭବ କରିଥା’ନ୍ତି। ଫଳରେ ସେମାନେ ହୋଇପଡ଼ନ୍ତି ମାନସିକ ବିକାରଗ୍ରସ୍ତ। ପରିବାରର ସଦସ୍ୟମାନେ ଭାବି ପାରନ୍ତିନି ଯେ ୯୫ ବର୍ଷ ବୟସ୍କ ଜଣେ ବ୍ୟକ୍ତି ମଧ୍ୟ ମାନସିକ ଅବସାଦର ଶିକାର ହୋଇ ଚିକିତ୍ସା ଦରକାର କରିଥାଏ।
ଅଧିକାଂଶ କ୍ଷେତ୍ରରେ ଏହା ପରିଲକ୍ଷିତ ହୁଏ ଯେ ସକ୍ରିୟ ଜୀବନରୁ ଅବସର ନେବା ପରେ ଅନେକ ବୃଦ୍ଧବ୍ୟକ୍ତି ଧାର୍ମିକ କ୍ରିୟାକଳାପରେ ନିଜକୁ ଜଡ଼ିତ କରି ରଖନ୍ତି। ନିଜକୁ ଅଲୋଡ଼ା ବୋଲି ଭାବିନେବାର ଯନ୍ତ୍ରଣା ବିରୋଧରେ ଧାର୍ମିକ କ୍ରିୟାକଳାପ ଏକ ପ୍ରତିରକ୍ଷା ବ୍ୟବସ୍ଥା ବୋଲି ଧରିନିଅନ୍ତି ସେମାନେ। ଫଳରେ ଜୀବନପ୍ରତି ସେମାନଙ୍କର ଦୃଷ୍ଟିକୋଣ ବଦଳିଯାଏ ଏବଂ ଜୀବନକୁ ନୂତନ ପ୍ରକାରେ ଆରମ୍ଭ କରିବା ପାଇଁ ସେମାନେ ଚିନ୍ତା କରନ୍ତି। କିନ୍ତୁ ନିଜକୁ ଏକାକୀ ଅନୁଭବ କରିବା ଯୋଗୁଁଁ ସେମାନଙ୍କଠାରେ ଦେଖାଦିଏ ବିଚ୍ଛିନ୍ନତାଭାବ। ଏହାର ଉପଚାର କୌଣସି ଧର୍ମଗ୍ରନ୍ଥ କିମ୍ବା ପୁରାଣରେ ନାହିଁ। ତେଣୁ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟର ପରୀକ୍ଷା କରି ଯଥାର୍ଥ ବ୍ୟବସ୍ଥା ଗ୍ରହଣ କରିବା ନିମିତ୍ତ ବିଶେଷଜ୍ଞ ଡାକ୍ତରଙ୍କର ଆବଶ୍ୟକତା ରହିଛି।
ଉଦାହରଣ ସ୍ୱରୂପ ଥରେ ଜଣେ ଆଇଏଏସ୍ ଅଫିସର ନିଜର ଅବସର ଗ୍ରହଣ ପରେ ପ୍ରାୟତଃ ମନୋବେଦନା ପ୍ରକାଶ କରି କହିଥିଲେ, ‘ମୁଁ ଏବେ ନିଜକୁ କ’ଣ ବୋଲି ପରିଚୟ ଦେବି? ମୁଁ ତ ଏବେ କେଉଁକୁଳର ନୁହେଁ’। ଏପରି ଭାବନା ଦ୍ୱାରା ମନ ଭାଙ୍ଗି ଯାଇ ରୋଗ ସୃଷ୍ଟିକୁ ପ୍ରୋତ୍ସାହନ ଦେଇଥାଏ। ଏହା ସାଙ୍ଗକୁ ଖୁବ୍ ଅବସାଦଗ୍ରସ୍ତ କରିପକାଏ କୌଣସି ନିକଟତମ ଆତ୍ମୀୟ, ପତି କିମ୍ବା ପତ୍ନୀଙ୍କର ମୃତ୍ୟୁ। ପୁଅଝିଅମାନେ ବିଦେଶରେ ରହୁଥିଲେ, ନିଜର ସ୍ୱାସ୍ଥ୍ୟ ଭଲ ରହୁ ନ ଥିଲେ, ଆର୍ଥିକ ଦୃଷ୍ଟିରୁ ଅସ୍ୱଚ୍ଛଳ ହୋଇଥିଲେ, ପରିବାରର କେହି ପାଖରେ ରହୁ ନଥିଲେ, ତାହା ଧୀରେ ଧୀରେ ମାନସିକସ୍ତରରେ ବ୍ୟକ୍ତିକୁ ଦୁର୍ବଳ କରିପକାଏ। ସମ୍ପ୍ରତି ଭାରତର ପ୍ରତି ସାତଜଣରେ ଜଣେ ବୃଦ୍ଧବ୍ୟକ୍ତି। ସମ୍ପ୍ରତି ଭାରତରେ ମାନସିକ ଅବସାଦ ୭ କୋଟି ବୁଢ଼ାବୁଢ଼ୀଙ୍କ ପାଇଁ ଏକ ଗୁରୁତର ସମସ୍ୟା। ଅନୁଶୋଚନାର ବିଷୟ ଯେ ଏଥିପ୍ରତି କାହାରି ବିଶେଷ ଧ୍ୟାନ ନାହିଁ। କାରଣ ଲୋକମାନେ ଧରି ନେଉଛନ୍ତି ଯେ ମାନସିକ ଅବସାଦ ଏକ ରୋଗ ନୁହେଁ; ଏହା ବୟସ ବୃଦ୍ଧି ଜନିତ ମାମୁଲି ଲକ୍ଷଣ। ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଅଧିକାଂଶ ଶାରୀରିକ ସମସ୍ୟା ମାନସିକ ଅବସାଦ ସହ ମିଶି ରହିଥାଏ। ଏହା ଏପରି ଏକ ଅବସ୍ଥା, ଯେଉଁଥିରେ ଲୋକେ ଅନୁଭବ କରୁଛନ୍ତି ଯେ ବୃଦ୍ଧାବସ୍ଥାରେ ମାନସିକ ଅବସାଦ ଅପରିହାର୍ଯ୍ୟ ଭାବରେ ସମ୍ପୃକ୍ତ; ସତେଯେମିତି ବୃଦ୍ଧାବସ୍ଥା ଓ ଅବସାଦ ଅବିଚ୍ଛିନ୍ନ!
ଅଧିକାଂଶ ସମୟରେ ବୟସ୍କବ୍ୟକ୍ତିମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା କାରଣରୁ ଦୀର୍ଘଦିନଧରି ନାନା ପ୍ରକାରର ଔଷଧ ସେବନ କରିଥା’ନ୍ତି। ସେହି ସବୁ ଔଷଧର ଅପକ୍ରିୟା ରୂପେ ପ୍ରକାଶ ପାଇପାରେ ମାନସିକ ଅବସାଦ। ଏହିସବୁ କ୍ଷେତ୍ରରେ ଅନ୍ୟାନ୍ୟ ଅସୁସ୍ଥତାର ଚିକିତ୍ସା ସହିତ ଅବସାଦର ଚିକିତ୍ସା କରିବା ମଧ୍ୟ ବାଞ୍ଛନୀୟ। ଅନ୍ୟ ରୋଗଗୁଡ଼ିକ ଭଳି ଜରାଗ୍ରସ୍ତ ବ୍ୟକ୍ତିମାନଙ୍କଠାରେ ଅବସାଦର ଉପଶମ ପରେ ମଧ୍ୟ ଏହା ବାରମ୍ବାର ପ୍ରକାଶ ପାଇପାରେ। କେହି କେହି ଦୀର୍ଘଦିନ ଧରି ଅବସାଦଗ୍ରସ୍ତ ରହିପାରନ୍ତି। ଅନେକେ ନିଜ ଶରୀରକୁ ନେଇ ରହିଥା’ନ୍ତି ଉତ୍କଣ୍ଠିତ ଓ ଉଦ୍ବିଗ୍ନ। ଏହି କାରଣରୁ ସ୍ୱାସ୍ଥ୍ୟଚିନ୍ତା ବା ଅତିଶୟ ଉଦ୍ବେଗକୁ ଡାକ୍ତରୀ ଭାଷାରେ ‘ହାଇପୋକୋଣ୍ଡ୍ରିଆସିସ୍’ ବୋଲି କହନ୍ତି। ସରଳ ଭାବରେ କହିଲେ ଏହା ହେଉଛି ଉତ୍କଣ୍ଠା ସହ ସମ୍ପୃକ୍ତ ରୋଗ। ବ୍ୟକ୍ତିର ଶାରୀରିକ ସାମର୍ଥ୍ୟ ହ୍ରାସ ପାଇ ଚାଲିଲେ ତା’ଠାରେ ଉତ୍କଣ୍ଠା ଓ ଉଦ୍ବିଗ୍ନତା ବୃଦ୍ଧି ହୁଏ। ମୂଳ ଲକ୍ଷଣଟି ହୁଏତ ଗୁରୁତର ତଥା ଜଟିଳ ହୋଇ ନ ପାରେ। କିନ୍ତୁ ଉତ୍କଣ୍ଠା ମନୋଭାବ ଏହାକୁ ବେଶୀ ବଢ଼େଇ ଦେଇପାରେ। ପେଟରେ ଅମ୍ଳ ଓ ଗ୍ୟାସ ବଢ଼଼ିଯାଇ ପେଟ ଫାମ୍ପିବା ଭଳି ଲକ୍ଷଣ ପ୍ରକାଶ ପାଏ। ବେଶୀ ବଡ଼ କରି ପ୍ରକାଶ ପାଏ ପେଟର ଲକ୍ଷଣମାନ। ଦେଖାଦିଏ ଅସ୍ଥିରତା। ହାତ, ପାଦ ଓ ଅନ୍ୟାନ୍ୟ ସ୍ଥାନ ସହ ଜଡ଼ିତ ଲକ୍ଷଣ ବ୍ୟକ୍ତିକୁ ବ୍ୟତିବ୍ୟସ୍ତ କରିପକାଏ। ବହୁ ସମୟରେ ଭୋଗିଥା’ନ୍ତି କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଥÒବାରୁ ସେମାନଙ୍କଠାରେ ପରିଲକ୍ଷିତ ହୁଏ କ୍ରୋଧ ପ୍ରବଣତା ଓ ବିରକ୍ତି। ସାମାନ୍ୟ ସାମାନ୍ୟ କଥାରେ ସେମାନେ ଉତ୍ତେଜିତ ହୋଇପଡ଼ନ୍ତି। ହଠାତ ରାଗିଯାଇ ଅନ୍ୟକୁ ଆଘାତ କରିପାରନ୍ତି ମଧ୍ୟ। ସେଥିପାଇଁ ପରିଣତ ବୟସର ମାନସିକ ଅବସାଦକୁ କୁହାଯାଏ ଉତ୍ତେଜିତ ଅବସାଦ ବା ଏଜିଟେଟେଡ୍ ଡିପ୍ରେସନ୍।
ବୁଢ଼ାବୁଢ଼ୀମାନେ ସେମାନଙ୍କ ପରିବାରର ସଦସ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖନ୍ତି। ସଦସ୍ୟମାନେ ସେମାନଙ୍କ ପ୍ରତି ଅଶାଳୀନ ଆଚରଣ ପ୍ରଦର୍ଶନ କରୁଛନ୍ତି ବୋଲି ଭାବିନିଅନ୍ତି। କେହି କେହି ବି ଧାରଣା କରିନିଅନ୍ତି ଯେ ପରିବାରର ସଦସ୍ୟମାନେ ତାଙ୍କ ଖାଦ୍ୟରେ ମିଶେଇ ପାରନ୍ତି ବିଷ କି ଅନ୍ୟାନ୍ୟ କ୍ଷତିକାରୀ ଉପାଦାନ। କୌତୂହଳର ବିଷୟ ହେଉଛି, ମାନସିକ ଅବସାଦଗ୍ରସ୍ତ ବୁଢ଼ାବୁଢ଼ୀମାନେ ସେମାନଙ୍କ ବିଷଣ୍ଣ ମିଜାଜ ବିଷୟରେ ପଦଟିଏ ତ କହି ନ ଥା’ନ୍ତି, ବରଂ ଶରୀରର ଅନ୍ୟାନ୍ୟ ମାମୁଲି ସମସ୍ୟା ବିଷୟରେ ଅଧିକ କହିଥା’ନ୍ତି।
ତେବେ ବୁଢ଼ାବୁଢ଼ୀମାନଙ୍କଠାରେ ଦେଖାଯାଉଥÒବା ବିସ୍ମୃତି ଲକ୍ଷଣକୁ ‘ଡିମେନ୍ସିଆ ବା ସ୍ମୃତିଭ୍ରଂଶଠାରୁ ପୃଥକ ଭାବରେ ବିଚାର କରିବା ଉଚିତ। ଏହା ନକଲି ବା କୃତ୍ରିମ ସ୍ମୃତିଭ୍ରଂଶ ବା ସ୍ୟୁଡୋ-ଡିମେନ୍ସିଆ’। ତେଣୁ ଔଷଧ ଦ୍ୱାରା ଚିକିତ୍ସା କଲେ ମାନସିକ ଅବସାଦ ଏବଂ ବିସ୍ମରଣ- ଏହି ଉଭୟ ଲକ୍ଷଣ ହ୍ରାସ ପାଇଯାଏ। ବୃଦ୍ଧାବସ୍ଥାଜନିତ ଅବସାଦକୁ ବେଳହୁଁ ନିର୍ଣ୍ଣୟ କରି ବିଶେଷଜ୍ଞଙ୍କ ସହ ପରାମର୍ଶ କରିପାରିଲେ ତା’ର ସୁଫଳ ସୁଦୂରପ୍ରସାରୀ। ବିଡ଼ମ୍ବନା ହେଲା, ଜରାଗ୍ରସ୍ତ ବ୍ୟକ୍ତିମାନଙ୍କଠାରେ ମାନସିକ ଅବସାଦ ପ୍ରତି କେହି ବିଶେଷ ଧ୍ୟାନ ଦେଇ ନଥା’ନ୍ତି। ବ୍ୟକ୍ତିଟିର ପରିବାର ସଦସ୍ୟ ଏବଂ ଏପରିକି ଚିକିତ୍ସକ ମଧ୍ୟ ଏହାକୁ ବୃଦ୍ଧାବସ୍ଥାର ସ୍ୱାଭାବିକ ଲକ୍ଷଣ ବୋଲି ଧରିନିଅନ୍ତି। ମାନସିକ ଅବସାଦର ଶିକାର ଜରାଗ୍ରସ୍ତ ବ୍ୟକ୍ତିମାନଙ୍କ ପରିବାରର ୯୦ ପ୍ରତିଶତ ସଦସ୍ୟ ତାହାକୁ ଆଦୌ ଗ୍ରହଣ କରିପାରନ୍ତିନି କି ସେମାନଙ୍କ ଚିକିତ୍ସାପ୍ରତି କୌଣସି ଆଗ୍ରହ ପ୍ରକାଶ କରନ୍ତିନି। ଏପରି ବି ଦୃଷ୍ଟାନ୍ତ ଅଛି, ଯେଉଁଠି ପରିବାରର ସଦସ୍ୟମାନେ ଅବସାଦଗ୍ରସ୍ତ ବ୍ୟକ୍ତିଙ୍କୁ ଡାକ୍ତର ଦେଖେଇ ଔଷଧ କିଣି ଆଣିଲେ ମଧ୍ୟ ଔଷଧର ମାତ୍ରାକୁ କମେଇ ଔଷଧ ଦେଇଥା’ନ୍ତି କିମ୍ବା ଆଦୌ କୌଣସି ଔଷଧ ଦେଇ ନଥା’ନ୍ତି। ଏପରି କରିବା ଦ୍ୱାରା ରୋଗୀର ଅକଳ୍ପନୀୟ କ୍ଷତି ହୋଇଥାଏ। କିନ୍ତୁ ପରିବାରର ଆତ୍ମୀୟ ଓ ପରିବାରର ଡାକ୍ତର ଏଥିପ୍ରତି ସଚେତନ ରହିବା ଜରୁରୀ।
ମନେ ରଖିବାକୁ ହେବ ଯେ ଯୁବଗୋଷ୍ଠୀଙ୍କ ତୁଳନାରେ ବୟୋବୃଦ୍ଧ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଆତ୍ମହତ୍ୟାର ହାର ଦୁଇଗୁଣ। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମାନସିକ ରୋଗୀ। ଆତ୍ମହତ୍ୟା କରିବାର ପ୍ରଧାନ କାରଣ ହେଲା ନିଜ ପ୍ରିୟଜନମାନଙ୍କର ଉଦାସୀନତା ଏବଂ ନିଜର ଶାରୀରିକ ଅକ୍ଷମତା। ତେଣୁ ପରିବାରର ସଦସ୍ୟ ଏବଂ ପରିବାରର ଚିକିତ୍ସକ ବୟୋବୃଦ୍ଧ ବ୍ୟକ୍ତିମାନଙ୍କ ପ୍ରତି ସର୍ବାଧିକ ଅନୁକମ୍ପାଶୀଳ ଏବଂ ସମାନୁଭୂତିଶୀଳ ହେବା ସ୍ପୃହଣୀୟ। ଏହାଦ୍ବାରା ରୋଗର ଜଟିଳତା ହ୍ରାସ ପାଇ ସେମାନଙ୍କର ଅଶେଷ ହିତ ସାଧନ କରିପାରିବ।
ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ
କଟକ, ମୋ: ୯୪୩୭୭୬୬୧୧୭