ସମ୍ପର୍କରେ ସଙ୍କଟ

ସତରେ ଭାରି ସାଂଘାତିକ ସମୟ ଚାଲିଛି। ଫ୍ରିଜ୍‌‌ ଦେଖିଲେ ସ୍ତ୍ରୀ ମନରେ ଅଜବ ଚିନ୍ତା ଆସୁଛି। ନୀଳ ରଙ୍ଗର ବଡ଼ ଡ୍ରମ୍‌‌ ଦେଖିଲେ ସ୍ୱାମୀ ମନରେ ଛନକା ପଶୁଛି। ବକ୍ସ ଖଟ ଦେଖିଲେ ସ୍ୱାମୀ ଚମକୁଛି ତ କାର୍‌‌ ଡିକି ଦେଖିଲେ ଭୟରେ ଶିହରି ଉଠୁଛି ସ୍ତ୍ରୀ। ନିକଟ ଅତୀତରେ ଏହିପରି ଅଭାବିତ ଘଟଣାକ୍ରମ ଦେଖିବା ପରେ ଏମିତି ଏକ ଉପସଂହାର ଟାଣିବାକୁ ଅନେକ ବାଧ୍ୟ ହେଉଛନ୍ତି। ଦିଲ୍ଲୀର ଶ୍ରଦ୍ଧା ୱାକର, ନିକି ଯାଦବ ଏବଂ ମିରଟର […]

ସତରେ ଭାରି ସାଂଘାତିକ ସମୟ ଚାଲିଛି। ଫ୍ରିଜ୍‌‌ ଦେଖିଲେ ସ୍ତ୍ରୀ ମନରେ ଅଜବ ଚିନ୍ତା ଆସୁଛି। ନୀଳ ରଙ୍ଗର ବଡ଼ ଡ୍ରମ୍‌‌ ଦେଖିଲେ ସ୍ୱାମୀ ମନରେ ଛନକା ପଶୁଛି। ବକ୍ସ ଖଟ ଦେଖିଲେ ସ୍ୱାମୀ ଚମକୁଛି ତ କାର୍‌‌ ଡିକି ଦେଖିଲେ ଭୟରେ ଶିହରି ଉଠୁଛି ସ୍ତ୍ରୀ। ନିକଟ ଅତୀତରେ ଏହିପରି ଅଭାବିତ ଘଟଣାକ୍ରମ ଦେଖିବା ପରେ ଏମିତି ଏକ ଉପସଂହାର ଟାଣିବାକୁ ଅନେକ ବାଧ୍ୟ ହେଉଛନ୍ତି। ଦିଲ୍ଲୀର ଶ୍ରଦ୍ଧା ୱାକର, ନିକି ଯାଦବ ଏବଂ ମିରଟର ବହୁଚର୍ଚ୍ଚିତ ସୌରଭ ରାଜପୁତ-ମୁସ୍କାନ ରସ୍ତୋଗୀ ମାମଲା ପରଠାରୁ ଉପରୋକ୍ତ ଜାଗାସବୁ ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡ଼ିଛି। ମାତ୍ର ଇତିମଧ୍ୟରେ ଆଉକିଛି ସ୍ପର୍ଶକାତର ଘଟଣା ଘଟିଛି, ଯାହାଫଳରେ ଏହି ଫ୍ରିଜ୍‌‌-ଡ୍ରମ୍‌‌ ତାଲିକାରେ ଆଉ କିଛି ସ୍ଥାନ ଯୋଡ଼ି ହୋଇଯାଇଛି।

କର୍ପୋରେଟ ଜଗତରେ ସମ୍ପର୍କ ତଡ଼ିତ ବେଗରେ ବିଗିଡ଼ିବାରେ ଲାଗିଛି। ସମ୍ପର୍କରେ ସଙ୍କଟ ସୃଷ୍ଟି ହେବା କିଛି ନୂଆ କଥା ନୁହେଁ। କିନ୍ତୁ ଏବେ ଯେଉଁ ସ୍ଥିତି ଉପୁଜିଛି, ତାହା ଦାମ୍ପତ୍ୟ ସମ୍ପର୍କକୁ ଅତ୍ୟନ୍ତ ବିପଦଜନକ ମୋଡ଼ରେ ପହଞ୍ଚାଇଦେଇଛି। ବିବାହ ପରେ ନବଦମ୍ପତି ହନିମୁନ ଯିବା ଆମ ସାମ୍ପ୍ରତିକ ଚଳଣିର ଅଂଶବିଶେଷ ହୋଇଯାଇଛି। ଏଠାରେ କହିବା ଅପ୍ରାସଙ୍ଗିକ ହେବ ନାହିଁ ଯେ ସମୟ ଏତେ ସାଂଘାତିକ ହୋଇଯାଇଛି ଯେ ହନିମୁନ ଯିବା ବି ନିରାପଦ ନୁହେଁ। ଯଦି ହନିମୁନ ଉଦ୍ଦେଶ୍ୟରେ ନବଦମ୍ପତି କୌଣସି ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଉଛନ୍ତି ତ ଆପାତତଃ ବିପଦ ନାହିଁ। କିନ୍ତୁ ସ୍ଥାନଟି ଯଦି ନିରୋଳା, ନିଛାଟିଆ ରିସର୍ଟ, ହୋଟେଲ ଅଥବା ବଙ୍ଗଳା, ତା’ହେଲେ ସୁଖଦ ସମୟ ବିତାଇବାକୁ ନିରାପଦ ମଣୁନାହାନ୍ତି। ଇନ୍ଦୋରର ନବଦମ୍ପତି ହନିମୁନରେ ମେଘାଳୟରେ ନିଖୋଜ ହେବା ଘଟଣା ପଛର ସତ୍ୟ ପଦାକୁ ଆସିବା ପରେ ଷଡ଼ଯନ୍ତ୍ର, ସନ୍ଦେହ ଓ ସଂଶୟର ଏ ନୂଆ ଧାରା ଆରମ୍ଭ ହୋଇଛି। ବିବାହର ମାତ୍ର ତେର ଦିନ ପରେ ‘ସୁପାରୀ କିଲର’ନିୟୋଜିତ କରି ସ୍ୱାମୀ ରାଜ ରଘୁବଂଶୀଙ୍କୁୁ ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି ସୋନମ। ଏହି ଘଟଣା ପରେ ଘର ଛାଡ଼ି ରିସର୍ଟ, ହୋଟେଲ ଅଥବା ବଙ୍ଗଳାରେ ରହିବା ମଧ୍ୟ ବିପଦ ସାବ୍ୟସ୍ତ ହୋଇଛି।

ଏତେସବୁ ଅକଳ୍ପନୀୟ ଅବିଶ୍ୱସନୀୟ ଜଘନ୍ୟ ଘଟଣା ଘଟିବା ପରେ ଦାମ୍ପତ୍ୟ ଓ ପାରିବାରିକ ସମ୍ପର୍କକୁ ନେଇ ବହୁ ପ୍ରଶ୍ନ ମୁଣ୍ଡ ଟେକିଛି। ବଞ୍ଚିବେ ତ କେମିତି ବଞ୍ଚିବେ? ବିଶ୍ୱାସ କରିବେ ତ କାହାକୁ ବିଶ୍ୱାସ କରିବେ? ସମ୍ପର୍କ ବଜାୟ ରଖିବେ ତ କାହାକୁ ଆଧାର କରି? ଦଶମେଳକ ସୂତ୍ର ଅନୁଯାୟୀ କୋଷ୍ଠିମେଳକ ପୂର୍ବକ ଦିଅଁମଙ୍ଗୁଳା ହୋଇ ଅଗ୍ନୀଙ୍କୁ ସାକ୍ଷୀ ରଖି ପାଣିଗ୍ରହଣ ଉତ୍ସବ ପରେ ବନ୍ଧନ ସ୍ୱୀକୃତି ପାଇଥାଏ। ସାମାଜିକ ସ୍ୱୀକୃତି ପରେ ପାରିବାରିକ ଜୀବନର ଅୟମାରମ୍ଭ ହୋଇଥାଏ। ଘର ସଂସାର କରିବା ଭିତରେ କଳହ, ମନୋମାଳିନ୍ୟ ଆଦି ହୋଇଥାଏ ଏବଂ ହେବା ବି ସ୍ୱାଭାବିକ। ବେଶ୍‌‌ କିଛିବର୍ଷ ହେବ ଏଥିରେ ବିଚ୍ୟୁତି ଘଟି ଏ ପବିତ୍ର ସମ୍ପର୍କ ଆହୁରି କଳୁଷିତ ହୋଇଛି। ବିବାହ ପରେ ଅନୈତିକ ସମ୍ପର୍କ, ପରକୀୟା ପ୍ରୀତି ଆଦି କାରଣରୁ ବିବାହ ବିଛେଦର ଧାରା ବ୍ୟାପକ ହୋଇଛି। ତଥାପି ଏସବୁ ଏକ ସରହଦ ଭିତରେ ସୀମିତ ଥିଲା। କିନ୍ତୁ ଏବେଏବେ ଏପରି ଘଟଣାମାନ ଘଟୁଛି ଯେ ଉଭୟଙ୍କ ଉପରୁ ଉଭୟଙ୍କ କେବଳ ଆସ୍ଥା ତୁଟିଯାଉନି, ସମ୍ପର୍କର ଶିଳାନ୍ୟାସରୁ ସନ୍ଦେହର ନିଆଁରେ ଦୁଇଜଣ କୁହୁଳିବାକୁ ଲାଗୁଛନ୍ତି। ପ୍ରେମ ପ୍ରଣୟରେ ଛନ୍ଦି ହୋଇ ପରସ୍ପରର ଛାଇ ପାଲଟିବା ପରିବର୍ତ୍ତେ ଉଭୟ ଉଭୟଙ୍କ ଛାଇ ଦେଖିଲେ ଭୂତ ଦେଖିବା ସଦୃଶ ଡରିବାକୁ ବାଧ୍ୟ ହେଉଛନ୍ତି।

ବିବାହର ଅର୍ଥ କେବଳ ଶାରୀରିକ ମିଳନ ନୁହେଁ, ସ୍ୱର୍ଗୀୟ ଅନୁବନ୍ଧନର ଏକ ସ୍ମାରକୀ। ଏହା ଦୈହିକ ସମ୍ପର୍କଠାରୁ ଉଚ୍ଚତର ଏକ ଅଦ୍ଭୁତ ଅଭିନିବେଶ। ଉଭୟ ଉଭୟଙ୍କ ପାଖରେ ନିଃସର୍ତ୍ତ ସମର୍ପଣ କରିଦେବାର ଏକ ମହନୀୟ ଉପଲବ୍ଧି। ବୈବାହିକ ସମ୍ପର୍କ ଅତୁଟ ରଖିବାରେ ଉଭୟ ପତି ଓ ପତ୍ନୀଙ୍କ ଭୂମିକା ସମାନ। ଏହି ଗୁରୁଦାୟିତ୍ୱ ଉଭୟଙ୍କ ଉପରେ ସମାନ ଭାବେ ନ୍ୟସ୍ତ ଆଉ ବିଗିଡ଼ିବାରେ ଉଭୟ ସମ ପରିମାଣରେ ଦାୟୀ।

ପୂର୍ବରୁ ଆର୍ଥିକ ଦୁରବସ୍ଥା ଯୋଗୁଁଁ ବୈବାହିକ ସମ୍ପର୍କ ଭାରସାମ୍ୟ ହରାଉଥିଲା। ସନ୍ତାନସନ୍ତତି ଜନିତ ନିଃସଙ୍ଗତା କାରଣରୁ ସମ୍ପର୍କରେ ସଙ୍କଟ ସୃଷ୍ଟି ହେଉଥିଲା। ଏବେ କିନ୍ତୁ ଆଉ ଏ ସ୍ଥିତି ନାହିଁ। ଉଦାରୀକରଣ ଅର୍ଥନୀତି ପରେ ଆର୍ଥିକ ସ୍ଥିତିରେ ଅନେକ ପରିମାଣରେ ସୁଧାର ଆସିଛି। ଚିିକିତ୍ସା ବିଜ୍ଞାନର ଚମତ୍କାରିତା ଫଳରେ ଦ୍ୱିତୀୟ ସମସ୍ୟା ମଧ୍ୟ ବହୁଳ ଭାବେ ସମାଧାନ ହୋଇଛି। କିନ୍ତୁ ଏବେ ଦେଖାଯାଉଛି ଯେ ବିବାହ ପୂର୍ବରୁ ସମ୍ପର୍କ ବିବାହ ପରର ସମ୍ପର୍କ ଭାଙ୍ଗିବାରେ ମୁଖ୍ୟ କାରକ ଭାବେ ଉଭାହୋଇଛି। ହାତଗଣ୍ଠି ପଡ଼ିବା ବେଳଠୁ ତଦଜନିତ ଆଶଙ୍କା ଓ ଭୟ ଏତେ ଡରାଇଦେଉଛି ଯେ ମଣିଷଟି ଖୁବ୍‌‌ ଆତଙ୍କିତ ହୋଇପଡୁଛି। ପାରିବାରିକ ବାଧ୍ୟବାଧକତା ଯୋଗୁଁଁ ହୋଇଥିବା ବିବାହଠୁ ମୁକ୍ତି ପାଇବାକୁ ଯୋଜନା କରୁଛି। ଏଥିରେ ଉତପ୍ରେରକ ସାଜୁଛି ପୂର୍ବତନ ପ୍ରେମିକ ଅଥବା ପ୍ରେମିକା। ଫଳସ୍ୱରୂପ ସୋନମ-ରଘୁବଂଶୀ ଏବଂ ସୌରଭ ରାଜପୁତ-ମୁସ୍କାନ ରସ୍ତୋଗୀ ପରି ଘଟଣା ଘଟୁଛି। ପୂର୍ବ ସମ୍ପର୍କ କାରଣରୁ ଯେଉଁ କ୍ଷେତ୍ରରେ ବିବାହ ହେଉନି ତ ଖବ୍‌‌ ଭଲ। ଯେଉଁ କ୍ଷେତ୍ରରେ ହେଉଛି, ସେଠାରେ ସ୍ୱାମୀ ଓ ସ୍ତ୍ରୀକୁ ପ୍ରଥମେ ଏଥିରୁ ବାହାରିବାକୁ ପଡ଼ିବ। ସମ୍ପର୍କ ଗଢ଼ିବା ବେଳେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଜୀବନକୁ ନେଇ ବିଶ୍ଳେଷଣ କିମ୍ବା ବ୍ୟବଛେଦ କରିବା ଅନୁଚିତ। ବରଂ ଜୀବନ ବଞ୍ଚିବା ଶିଖିବା ଆବଶ୍ୟକ। ଏକଥା ବି ସତ ଯେ ଜୀବନ ବଞ୍ଚିବା ଏତେ ସହଜ ନୁହେଁ। ବୈବାହିକ ଜୀବନ ବି ଯାବତୀୟ ଝିଟରେ ଛନ୍ଦା। କିନ୍ତୁ ତା’ ଭିତରେ ଅତୀତର ଅସ୍ଥାୟୀ ସମ୍ପର୍କକୁ ଭୁଲି ବର୍ତ୍ତମାନ ବିତୁଥିବା ଜୀବନର ସୁନ୍ଦରପଣକୁ ଖୋଜି ବାହାର କରିବାକୁ ପଡ଼ିବ।

ପାର୍ଥସାରଥୀ ରାଉତ
ଭୁବନେଶ୍ୱର, ମୋ: ୯୪୩୮୨୯୦୪୯୧

About The Author: The Sakala