ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହେରୁ ପ୍ରଥମ ପଞ୍ଚବାର୍ଷିକ ଯୋଜନା ଆରମ୍ଭ କଲା ବେଳେ କୃଷି ସମ୍ବନ୍ଧରେ ଯାହା କହିଥିଲେ, ତାହାର ଓଡ଼ିଆ ମର୍ମାନୁବାଦ ହେବ – ଅନ୍ୟସବୁକିଛି ପାଇଁ ଅପେକ୍ଷା କରାଯାଇପାରେ, କିନ୍ତୁ କୃଷି ପାଇଁ ନୁହେଁ। ଆମ ଓଡ଼ିଆରେ ମଧ୍ୟ ଏକ ପ୍ରବାଦ ଅଛି – ‘ଚାଷ ତରତର ବଣିଜ ମଠ’। କୃଷି ଭାରତର ଏକ ମୁଖ୍ୟ ଆଧାର, ଯେହେତୁ ଭାରତ ଏକ ଗ୍ରାମବହୁଳ ରାଷ୍ଟ୍ର ଓ ଅଧିକାଂଶ ଗ୍ରାମାଞ୍ଚଳର ଲୋକମାନେ କୃଷି ଉପରେ ନିର୍ଭର କରି ଚଳନ୍ତି। ଜାତୀୟ ଆୟ ତଥା ଖାଦ୍ୟ ସ୍ୱାବଲମ୍ବୀ ହେବାକୁ ହେଲେ କୃଷିର ଉନ୍ନତି ଏକାନ୍ତ ଆବଶ୍ୟକ। ପ୍ରତି ପଞ୍ଚବାର୍ଷିକ ଯୋଜନାରେ କୃଷିର ବିକାଶ ନିମନ୍ତେ କିଛି ନା କିଛି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଚାଷ ଉପଯୋଗୀ ଜମି ପ୍ରସ୍ତୁତ କରିବାକୁ ଜଳସେଚନ, ଉନ୍ନତ ବିହନ ତଥା ଉନ୍ନତ ଚାଷ ପ୍ରଣାଳୀ, ସାର, ପୋକମରା ଔଷଧ, କୃଷି ଯନ୍ତ୍ରପାତି, ହଳବଳଦ, କୃଷି ଶିକ୍ଷା ଓ ତାଲିମ, ସମବାୟ ବ୍ୟାଙ୍କରୁ ସମିତି ମାଧ୍ୟମରେ ଋଣ ଓ ଫସଲ ବିକ୍ରିବଟା ଇତ୍ୟାଦି ବ୍ୟବସ୍ଥା କରାଯାଇ ଖାଦ୍ୟ ଉତ୍ପାଦନ ଏବଂ ଫସଲ ରପ୍ତାନୀ ହୋଇ ଆସୁଥିଲେ ମଧ୍ୟ ଜନସଂଖ୍ୟା ବୃଦ୍ଧି, କୃଷି କର୍ମରେ ବୀତସ୍ପୃହତା, ବେକାରୀ, ପ୍ରାକୃତିକ କ୍ଷୟକ୍ଷତି, କଳକାରଖାନା ଦ୍ୱାରା ପରିବେଶ ନଷ୍ଟ, ଅପରିମଳ ଏବଂ ସର୍ବୋପରି ସରକାରୀ କିମ୍ବା ବେସରକାରୀ ପ୍ରୋତ୍ସାହନ ଆଶାନୁରୂପ ନହେବା ଯୋଗୁଁଁ ଆଜି ଭାରତୀୟ କୃଷି ବିଶ୍ୱ ସମକକ୍ଷ ହୋଇପାରି ନାହିଁ କି ସାମଗ୍ରିକ ତଥା ସାମୂହିକ ବିକାଶର ସିଂହ ଅଂଶ ଲାଭ କରିପାରି ନାହିଁ। ସ୍ୱାଧୀନତା ସମୟରେ କୃଷିରୁ ଆୟ ୫୦% ଥିଲା ବେଳେ ଏବେ ଏହା ମାତ୍ର ୨୦%ରୁ କମ୍।
ସେଥିପାଇଁ ଦେଶରେ ୧୯୯୦ ମସିହାରେ ଯେଉଁ ଅର୍ଥନୈତିକ ସଂସ୍କାର ଆରମ୍ଭ କରାଗଲା ସେଥିରେ ଚିନ୍ତା ପ୍ରକଟ କରାଯାଇ ଦେଶବିଦେଶରୁ ଘରୋଇ ପୁଞ୍ଜି ନିବେଶ ବୃଦ୍ଧି କରି ଶିଳ୍ପ ସମୃଦ୍ଧି ସହିତ କୃଷି ଓ ଆନୁସଙ୍ଗିକ କୃଷିର ଉନ୍ନତି ନିମନ୍ତେ ଉପାୟ ବାହାର କରାଗଲା। ବିବିଧଫସଲ, ଆନ୍ତଃକୃଷି, ଗୋପାଳନ, ମତ୍ସ୍ୟଚାଷ, କୁକୁଡ଼ା ଚାଷ, ଫୁଲଚାଷ, ଫଳଚାଷ, ପନିପରିବା ଚାଷ, ଉଦ୍ୟାନ ବିକାଶ, କପାଚାଷ, କ୍ଷୁଦ୍ର ଜଳସେଚନ, ସେଚକୂପ, ଉଠା ଜଳସେଚନ, ଜମିଜମା ସଂସ୍କାର, ପାଣି ପଞ୍ଚାୟତ, ଜଳଛାୟା ଓ ଜଳ ସଂରକ୍ଷଣ, କୃଷି ପ୍ରକ୍ରିୟାକରଣ ଇତ୍ୟାଦି ସହିତ ସମବାୟ ଓ ଗ୍ରାମ ପଞ୍ଚାୟତ ବ୍ୟବସ୍ଥାରେ ସଂସ୍କାର ଅଣାଯାଇ ସେମାନଙ୍କୁ କୃଷି କାର୍ଯ୍ୟକ୍ରମରେ ସହାୟକ ହେବାକୁ ସମ୍ବିଧାନ ସଂଶୋଧନ କରାଗଲା। ଦଶମ ଓ ଏକାଦଶ ପଞ୍ଚବାର୍ଷିକ ଯୋଜନାରେ କୃଷି ପ୍ରତି ଅଧିକ ଧ୍ୟାନ ଦିଆଗଲା। କୃଷି ଅର୍ଥନୀତିଜ୍ଞ ଡକ୍ଟର ସ୍ୱାମୀନାଥନ ଏହି ଯୋଜନା ପାଇଁ ପରାମର୍ଶ ଦେଇ କହିଥିଲେ ଯେ ଆନ୍ତର୍ଜାତିକ ମାନଦଣ୍ଡ ସହିତ ତାଳ ଦେଇ ଆମ କୃଷିର ଉତ୍ପାଦକତା ଓ ଗୁଣବତ୍ତାକୁ ବୃଦ୍ଧି କରିବାକୁ ପଡ଼ିବ। ତଦନୁସାରେ ୨୦୦୨ ମସିହାରେ ଜାତୀୟ କୃଷି ନୀତି ପ୍ରଣୟନ କରାଯାଇ ‘ଦ୍ୱିତୀୟ ସବୁଜ ବିପ୍ଳବ’ କାର୍ଯ୍ୟକାରୀ କରାଗଲା। ଶୁଷ୍କ ଅଞ୍ଚଳ କୃଷି ବିକାଶକୁ ଆଗେଇନେବା କାର୍ଯ୍ୟ ଆରମ୍ଭ ହେଲା।
ନୂତନ ପିଢ଼ିର କୃଷି ବିପ୍ଳବ ହିସାବରେ ୨୫୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ‘ଆମ୍ ଆଦମୀ କୃଷି ଯୋଜନା’ ରାଷ୍ଟ୍ରୀୟ ସ୍ତରରେ ପ୍ରଚଳିତ ଅଛି। ଏହି କୃଷି ବିପ୍ଳବକୁ ‘ରେନ୍ବୋ ରିଭୋଲ୍ୟୁସନ୍’ ବା ‘ଇନ୍ଦ୍ରଧନୁ ବିପ୍ଲବ’ କୁହାଯାଉଛି। ୨୦୨୫ ମସିହା ଶେଷ ସୁଦ୍ଧା ଦେଶର ଖାଦ୍ୟ ଚାହିଦା ୩୦୬ ନିୟୁତ ଟନ ହେବା ପରିପ୍ରେକ୍ଷୀରେ ପ୍ରତିବର୍ଷ ୩.୫ ନିୟୁତ ଟନ ଅଧିକ ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ଆବଶ୍ୟକ ହୋଇପଡ଼ିଛି। ଏଥିରେ ଅଧିକ ଚାଉଳ ୧୨ ନିୟୁତ ଟନ, ଡାଲି ୨.୫ ନିୟୁତ ଟନ ଓ ଗହମ ୧୧ନିୟୁତ ଟନ ଉତ୍ପନ୍ନ ହେବାର ଲକ୍ଷ୍ୟ ରଖାଯାଇଛି। ଏହି ରାଷ୍ଟ୍ରୀୟ କୃଷି ଯୋଜନାରେ ଶତ ପ୍ରତିଶତ ସହାୟତା କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟମାନଙ୍କୁ ଯୋଗାଇଦେବାକୁ ସ୍ଥିର କରାଯାଇଛି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ଖାଦ୍ୟ ନିରାପତ୍ତା ମିଶନ ଗଠନ, ସାର ରିହାତି, ଜୈବ କୃଷି ସୂଚନା, କୃଷି ଆତ୍ମନିଯୁକ୍ତି ଓ କୃଷି ଶ୍ରମିକ ମଜୁରି ଧାର୍ଯ୍ୟ, କୃଷି ଗବେଷଣା, କର୍ଣ୍ଣାଟକ ଭଳି କେତେକ କୃଷକ ଆତ୍ମହତ୍ୟାପ୍ରବଣ ଅଞ୍ଚଳକୁ ସ୍ୱତନ୍ତ୍ର ପ୍ୟାକେଜ୍, ମିଳିତ ଜାତିସଂଘ ଓ ବିଶ୍ୱବ୍ୟାଙ୍କର ସହାୟତାରେ ‘ବିଶ୍ୱ ଖାଦ୍ୟ ଯୋଜନା’ (୦୩.୦୮) ଓ ସମବାୟ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଜାତୀୟକରଣ ବ୍ୟାଙ୍କରୁ କୃଷିଋଣ ବ୍ୟବସ୍ଥା, ବୈଦ୍ୟନାଥନ କମିଟି ସୁପାରିସରେ ସମବାୟ ସମିତି ଓ ବ୍ୟାଙ୍କ ପୁନରୁଦ୍ଧାର ସହାୟତା ୪୬%, ଗ୍ରାମ୍ୟ ଭିତ୍ତିଭୂମି ବିକାଶ ଯୋଜନାରେ ୧୭୬୦୦୦ କୋଟି ଟଙ୍କା ଅର୍ଥ ବ୍ୟବସ୍ଥା (ଜଳସେଚନ, ଗ୍ରାମ୍ୟରାସ୍ତା, ପାନୀୟଜଳ, ବିଦ୍ୟୁତ ଇତ୍ୟାଦି ପାଇଁ) ବ୍ୟାଙ୍କ ସଂସ୍କାର କରି ଚାଷୀଙ୍କୁ ବ୍ୟାଙ୍କ ସହାୟତା ପ୍ରଦାନ ଇତ୍ୟାଦି ଏହି ଯୋଜନାରେ ସାମିଲ୍ କରାଯାଇଛି। ଏହି ଯୋଜନାରେ ରାଜ୍ୟଗୁଡ଼ିକ ଅଂଶୀଦାର ହୋଇଥିବାରୁ ନିଜ ନିଜର କୃଷିନୀତି ପ୍ରଣୟନ କରି ବକେୟା କେନ୍ଦ୍ର ପ୍ରକଳ୍ପ ଶେଷ ମ୍ୟାଚିଂ ଗ୍ରାଣ୍ଟ ଦେଇ ଜଳସେଚନ ଓ ସଂରକ୍ଷଣ ବ୍ୟବସ୍ଥା, ଗ୍ରାମ୍ୟସ୍ତରରୁ ରାଜ୍ୟ କୃଷି ଯୋଜନା ପ୍ରଣୟନ କରିବେ। କୃଷି ସମ୍ପ୍ରସାରଣ, ଠିକାଚାଷ ପ୍ରବର୍ତ୍ତନ, କୃଷି ଉପକରଣ ଯୋଗାଣ, କୃଷି ତଥା ଆନୁସଙ୍ଗିକ କୃଷି ମେଗା ପ୍ରକଳ୍ପ କରାଇ କେନ୍ଦ୍ର ସହାୟତା ଆହାରଣ, କୃଷି ଉତ୍ପାଦନ ବିକ୍ରିବଟା ନିମନ୍ତେ ନିୟନ୍ତ୍ରିତ ବଜାର କମିଟି ଏବଂ କୃଷି ବାଣିଜ୍ୟ ନୀତି ସଂଶୋଧନ କରି କୃଷି ବାଣିଜ୍ୟକୁ କାର୍ଯ୍ୟକ୍ଷମ କରାଇବେ। ଏହାଛଡ଼ା ମାଟି ପରୀକ୍ଷା କେନ୍ଦ୍ର, ବିହନ ଇତ୍ୟାଦି ବିକ୍ରୟ କେନ୍ଦ୍ର, କୃଷି ସୂଚନା ବିଜ୍ଞାନ କେନ୍ଦ୍ର, ଖାଦ୍ୟ ପ୍ରକ୍ରିୟାକରଣ, କୃଷିସୂଚନା କମ୍ପ୍ୟୁଟରୀକରଣ, ଖାଉଟି ଭଣ୍ଡାର ସ୍ଥାପନ, ଶୀତଳ ଭଣ୍ଡାର, କୃଷିବୀମା, ଜମି ପାସ୍ବୁକ୍, କିଶାନ କ୍ରେଡିଟ୍ କାର୍ଡ଼, ସମବାୟ ସମିତି ଓ ବ୍ୟାଙ୍କ ଆଇନ ସଂଶୋଧନ କରି ଅନୁଷ୍ଠାନଗୁଡ଼ିକର ପୁନରୁଦ୍ଧାର ପ୍ୟାକେଜ୍, ସ୍ୱୟଂ ସହାୟକ ଗୋଷ୍ଠୀ ଓ ସମବାୟରେ ସଞ୍ଚୟର କ୍ଷୁଦ୍ର ଋଣ ଲଗାଣ (ମାଇକ୍ରୋ ଫାଇନାନ୍ସ), ପାଣି ପଞ୍ଚାୟତ, ଗ୍ରାମପଞ୍ଚାୟତଗୁଡ଼ିକୁ ଅଧିକ କ୍ଷମତା ସହିତ ଦାୟିତ୍ୱ ଏବଂ ଆର୍ଥିକ ସହାୟତା ଦେଇ ଗ୍ରାମ୍ୟ ବିକାଶ ତ୍ୱରାନ୍ୱିତ କରିବା, ପ୍ରଦୂଷଣ ରୋକିବା, କୃଷିଶିକ୍ଷା, ତାଲିମ ଓ ପରିଭ୍ରମଣ ଇତ୍ୟାଦି ବିସ୍ତୃତ କାର୍ଯ୍ୟକ୍ରମ କରିବା ଆରମ୍ଭ ହୋଇଛି। କୃଷି ଅଭିବୃଦ୍ଧି ୨.୭%ରୁ ୪%କୁ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି।
୨୦୨୧-୨୨ ଆର୍ଥିକ ବର୍ଷ ବଜେଟ୍ରେ କୃଷି ଓ ସମବାୟ କ୍ଷେତ୍ରରେ ୨୦% ଖର୍ଚ୍ଚ ରଖାଯାଇଥିବାରୁ କିପରି ଏସବୁ ବ୍ୟାପକ ଯୋଜନା ନିର୍ଦ୍ଧାରିତ ସମୟ ଭିତରେ କାର୍ଯ୍ୟକାରୀ କରାଯିବ ସେ ନେଇ ପ୍ରଶ୍ନବାଚୀ ଉଠିଥିଲା। ଏ ପର୍ଯ୍ୟନ୍ତ ବି.ପି.ଏଲ୍ ତାଲିକା ସଂଶୋଧନ, କର୍ମ ତଥା ଆତ୍ମନିଯୁକ୍ତି (ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପ୍ରକାରେ) ଭାଗଚାଷୀମାନଙ୍କ ପାଇଁ ବିହିତ ପଦକ୍ଷେପ ନିଆଯାଇଛି ସମବାୟ ବ୍ୟାଙ୍କମାନଙ୍କରୁ ପ୍ରାଥମିକ ସମିତି ମାଧ୍ୟମରେ କୃଷିଋଣ ଯୋଗାଇବା ପାଇଁ। ଅପରପକ୍ଷରେ ବ୍ୟାଙ୍କମାନଙ୍କରୁ ଋଣ ପାଇବା ପାଇଁ ଦଲାଲି ବା ମଧ୍ୟସ୍ଥି ବ୍ୟବସ୍ଥା ଏବେ ମଧ୍ୟ ଚାଲୁ ରହିଛି। ସମବାୟ ବ୍ୟାଙ୍କ ଓ ସମବାୟ ସମିତିମାନଙ୍କରେ ବୈଦନାଥନ୍ କମିଟି ସୁପାରିସ ପ୍ରକାରେ ଋଣ ଆଦାୟ ଓ ଅଂଶ ଏବଂ ଜମାବୃଦ୍ଧି ନ ଘଟୁଥିବାରୁ ପୁନରୁଦ୍ଧାର ପ୍ରକ୍ରିୟା ଧିମେଇ ଯାଇଛି। ବନ୍ୟା ନିୟନ୍ତ୍ରଣ କରାଯାଇ ଥଇଥାନ କଥା ଚିନ୍ତା କରାଯାଇ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବ୍ୟାପକ କୃଷି କାର୍ଯ୍ୟକ୍ରମରେ ଉଦାରୀକରଣ ପର୍ଯ୍ୟାୟରେ କୃଷି ଘରୋଇକରଣ ଆରମ୍ଭ କରାଯାଇଛି। ଭିତ୍ତିଭୂମି, ଜଳସେଚନ ଓ ରାସ୍ତା ନିର୍ମାଣ ଇତ୍ୟାଦି କୃଷିଫାର୍ମ ଓ ଠିକାଚାଷ, କୃଷି ଉପକରଣ ଯୋଗାଣ, ବିବିଧ କୃଷି ଫସଲ ବିକ୍ରିବଟା, ପ୍ରକ୍ରିୟାକରଣ ଇତ୍ୟାଦି କେତେକ କ୍ଷେତ୍ରରେ ଘରୋଇ ଉଦ୍ଯୋଗୀ ପୁଞ୍ଜି ଖଟାଇ ଅନେକ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଆଗେଇ ଆସିଲେଣି। ଏହା ସମବାୟ ପ୍ରତି ଏକ ଆହ୍ୱାନ ହୋଇଛି।
ଚାଷୀ ସହଯୋଗୀ ହିସାବରେ ଘରୋଇ ଅପେକ୍ଷା ସମବାୟକୁ ଚାହେଁ। ଘରୋଇ ଉଦ୍ଯୋଗ ବିକାଶ କେତେଦୂର କୃଷକାଭିମୁଖୀ ହୋଇପାରିବ ତାହା ପରୀକ୍ଷା ପ୍ରାର୍ଥନୀୟ। ଏଣୁ ସମବାୟ ଅନୁଷ୍ଠାନ ପୁନରୁଦ୍ଧାର ସହାୟତା ଏବଂ ସଭ୍ୟପାଣ୍ଠି ସଂଗ୍ରହ କରି କୃଷିର ବିବିଧ କାର୍ଯ୍ୟକ୍ରମରେ ଅଣ୍ଟା ଭିଡ଼ି ଆଜିର ଦିନରେ ସମବାୟ ଆଗେଇ ଆସୁ – ଏହାହିଁ କାମନା। ଭାରତର ପୂର୍ବତନ କୃଷିମନ୍ତ୍ରୀ ପ୍ରଫେସର ଭି କେ ଆଲାଗ୍ ଯଥାର୍ଥରେ କହିଛନ୍ତି ଯେ ବଜାର ଅର୍ଥନୀତିରେ ପ୍ରତିଯୋଗିତା କରିବା ପାଇଁ ଆମ ପାଖରେ ଯଥେଷ୍ଟ ଅଭିଜ୍ଞତା ଓ ସାମର୍ଥ୍ୟ ରହିଛି, କେବଳ ଯୋଜନାବଦ୍ଧ ଭାବେ ସେଥିରେ ଆଗେଇବା ଦରକାର। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ରୂପାୟନ ସଫଳ ହୋଇପାରିଲେ ଭାରତ ଅର୍ଥନୈତିକ ଅଭିବୃଦ୍ଧିରେ ସଫଳ ହୋଇପାରିବ ଏବଂ ବିଶ୍ୱ ପ୍ରତିଯୋଗିତାରେ ତିଷ୍ଠି ପାରିବ।
ପ୍ରତାପ ଚନ୍ଦ୍ର ସାମଲ
(ବରିଷ୍ଠ ସମବାୟବିତ୍)
କଟକ, ମୋ.: ୯୦୯୦୩୨୫୮୦୨