କଥାରେ ଅଛି ‘ବୁଣା ଯେମିତି, ଅମଳ ସେମିତି।’ କୃଷିକର୍ମରେ ପ୍ରଥମ ଆବଶ୍ୟକତା ହେଉଛି ଉନ୍ନତ ମାନର ବୀଜ। କେବଳ ଉନ୍ନତ ମାନର ବିହନ ଦ୍ୱାରା ୧୫-୨୦% ଅଧିକ ଅମଳ ମିଳିଥାଏ। ତେବେ ଏହା ନିରୋଗ, ଅଧିକ ଅଙ୍କୁରୋଦଗମ ଓ ଅଧିକ ଉତ୍ପାଦନ କ୍ଷମତାବିଶିଷ୍ଟ ହେବା ଆବଶ୍ୟକ। ‘ଜେନେଟିକ୍ ଇଞ୍ଜିନିୟରିଂ ଓ ଆଧୁନିକ ଫସଲ ପ୍ରଜନନକରଣ ଜ୍ଞାନପ୍ରୟୋଗ ଫଳରେ ସ୍ୱଳ୍ପ ନିବେଶରେ ମଧ୍ୟ ଅଧିକ ଅମଳ ମିଳିପାରିବ।
ଆମ ଦେଶରେ ୫୧ କୃଷି ବିଶ୍ୱବିଦ୍ୟାଳୟ, ୬୫ ଭାରତୀୟ କୃଷି ଗବେଷଣା ପରିଷଦ ଅନୁଷ୍ଠାନ, ୬୩ କେନ୍ଦ୍ରୀୟ ଗବେଷଣା ଅନୁଷ୍ଠାନ, ୭୨୧ କୃଷି ବିଜ୍ଞାନ କେନ୍ଦ୍ର, ଜାତୀୟ ବିହନ ନିଗମ ଓ ୧୭ ରାଜ୍ୟ ବିହନ ନିଗମ ସହିତ ପ୍ରାୟ ୫୦୦ ଘରୋଇ କମ୍ପାନୀ ବିହନ ଉତ୍ପାଦନ ଓ ଯୋଗାଣ କରୁଛନ୍ତି। ଏହିସବୁ ବିହନର ଗୁଣାତ୍ମକ ମାନ ଓ ଉଚିତ ମୂଲ୍ୟ ନିୟନ୍ତ୍ରଣ ପାଇଁ ସରକାର ବହୁ ଆଇନ୍ ଓ ନିୟମ ପ୍ରଣୟନ କରିଛନ୍ତି। ଏଗୁଡ଼ିକ ମଧ୍ୟରେ ୧୯୫୫ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍, ୧୯୬୬ ବିହନ ଆଇନ୍, ୧୯୬୮ ବିହନ ନିୟମ, ୧୯୮୩ ବିହନ ନିୟନ୍ତ୍ରଣ ଆଦେଶ, ୧୯୮୮ ବିହନ ଉନ୍ନତି ପାଇଁ ନୂତନ ନୀତି, ୧୯୮୯ ଭାରତକୁ ଆମଦାନୀ ହେଉଥିବା ଚାରା, ଫଳ ଓ ବିହନ ଉପରେ ନିୟନ୍ତ୍ରଣ, ୨୦୦୧ ପି. ପି. ଭି ଓ କୃଷକ ଅଧିକାର ଆଇନ୍, ୨୦୦୨ ରାଷ୍ଟ୍ରୀୟ ବିହନ ନୀତି, ୨୦୦୪ ଓ ୨୦୧୦ ବିହନ ବିଲ୍ ଅନ୍ତର୍ଭୁକ୍ତ। ୨୦୧୯ ରେ ଆଉ ଏକ ବିହନ ବିଲ୍ ଆରମ୍ଭ ହୋଇ ୨୦୨୦ ରେ ଚିଠା ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହା ଉପରେ ଅଧିକ ବିଚାରବିମର୍ଶ ଜାରି ରହିଛି। ଏହି ବିଲ୍ ମୁଖ୍ୟତଃ ବିହନର ଗୁଣାତ୍ମକ ମାନ ନିୟନ୍ତ୍ରଣ ସହିତ ବିହନ ଉତ୍ପାଦନ ତଥା ବଣ୍ଟନ କ୍ଷେତ୍ରରେ ଉନ୍ନତିକରଣ ଲକ୍ଷ୍ୟ ରଖିଛି।
୧୯୬୬ ବିହନ ଆଇନ୍ ଭାରତ ବିହନ କ୍ଷେତ୍ରରେ ମୂଳଆଇନ୍, ଯାହାକି ବିହନ ଯୋଗାଣ ଓ ବଣ୍ଟନ ନିୟନ୍ତ୍ରଣ କରେ। ଗୁଣାତ୍ମକ ବିହନ ଉତ୍ପାଦନ, ବଣ୍ଟନ ଓ ପ୍ରମାଣୀକରଣ ପାଇଁ ଏଥିରେ ବୈଧାନିକ ବ୍ୟବସ୍ଥା କରାଯାଇଛି। ୧୯୬୮ ବିହନ ନିୟମ ଓ ୧୯୮୩ ବିହନ ନିୟନ୍ତ୍ରଣ ଆଦେଶ ଅନୁସାରେ ବିହନକୁ ଏକ ଅତ୍ୟାବଶ୍ୟକ ସମାଗ୍ରୀ ହିସାବରେ ଗ୍ରହଣ କରାଯାଇଛି। ୧୯୬୬ ଡିସେମ୍ୱର ୨୯ ତାରିଖରେ ବିହନ ଆଇନ୍ ପାରିତ ହୋଇ ୧୯୬୭ ମସିହାରୁ କାର୍ଯ୍ୟକାରୀ ହେଲା। ଏହି ଆଇନ୍ ସମସ୍ତ ପ୍ରକାରର ବିଜ୍ଞପିତ ବିହନ ଓ ଅଙ୍ଗଜବିସ୍ତାର ପ୍ରଣାଳୀରେ ବ୍ୟବହୃତ ରୋପଣ ସମାଗ୍ରୀ ପାଇଁ ପ୍ରଯୁଜ୍ୟ। ଏହି ଆଇନ୍ ଅନୁସାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିହନ ପରୀକ୍ଷାଗାର ପ୍ରତିଷ୍ଠା କରାଯାଇଛି। ଏହି ପ୍ରୟୋଗଶାଳାରେ ବିହନ ପରୀକ୍ଷା କରାଯାଇ ଏହାର ଶୁଦ୍ଧତା, ଗଜାଶକ୍ତି ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ। ବିହନ ପ୍ରମାଣୀକରଣ ସଂସ୍ଥା ପ୍ରତିରାଜ୍ୟରେ ଉତ୍ପାଦିତ ପିଣ୍ଡବିହନ ଓ ପ୍ରାମାଣିକବିହନ କ୍ଷେତ୍ରରେ ଓ ପ୍ରୟୋଗଶାଳାରେ ପରୀକ୍ଷା କରାଇ ସ୍ଥିର କରାଯାଇଥିବା ମାନକ ଅନୁସାରେ ପ୍ରାମାଣିକ କରିଥାଏ। ଏପରି ପ୍ରାମାଣୀକୃତ ବିହନ ରାଜ୍ୟରେ ବିକ୍ରୟଯୋଗ୍ୟ ହୁଏ।
ସାଧାରଣ ଭାବରେ ବୈଜ୍ଞାନିକମାନେ ପ୍ରଥମେ କିଛି ନ୍ୟୁକ୍ଳିଅସ ବିହନ ସୃଷ୍ଟି କରନ୍ତି। ଏଥିରୁ ପିଣ୍ଡବିହନ ଓ ପରେ ପ୍ରାମାଣିକବିହନ ଉତ୍ପାଦିତ ହୁଏ। ରାଜ୍ୟ ପାଇଁ ବିଜ୍ଞପ୍ତି ପାଇ ନ ଥିବା ବିହନ ପ୍ରାମାଣିକ ହୋଇପାରିବ ନାହିଁ। କେବଳ ନିଯୁକ୍ତପ୍ରାପ୍ତ ବିହନ ପ୍ରମାଣୀକରଣ ଅଧିକାରୀ ବିହନ ପ୍ରମାଣୀକରଣ ପରେ ବିହନ ବସ୍ତାରେ ଟ୍ୟାଗ୍ ଦିଅନ୍ତି ଯାହାକି ବିକ୍ରୟଯୋଗ୍ୟ ହୁଏ। ଏହି ଟ୍ୟାଗ୍ରେ ବିହନର ଶୁଦ୍ଧତା, ଗଜା ଶକ୍ତି ଇତ୍ୟାଦି ତଥ୍ୟ ଉଲ୍ଳେଖ ଥାଏ। ବିହନ ନମୁନା ସଂଗ୍ରହ, ପ୍ରୟୋଗଶାଳାକୁ ପରୀକ୍ଷା ପାଇଁ ପ୍ରେରଣ ଓ ନିମ୍ନମାନର ବିହନ ବିକ୍ରୟ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତି ରାଜ୍ୟରେ କୃଷି ବିଭାଗ ବିହନ ପରିଦର୍ଶକ ନିଯୁକ୍ତ କରନ୍ତି।
୧୯୭୩ ବିହନ ନିୟମରେ ସଂଶୋଧନ କରାଯାଇ ଫସଲ କ୍ଷତିଗ୍ରସ୍ତ ହେବା ବେଳେ ବିହନ ପରିଦର୍ଶକମାନଙ୍କ ପାଇଁ ଅଧିକ କ୍ଷମତା ଦିଆଗଲା। ୧୯୮୧ ବିହନ ନିୟମ ସଂଶୋଧନ କରାଯାଇ କେନ୍ଦ୍ରୀୟ ବିହନ କମିଟି ଦ୍ୱାରା ସର୍ବନିମ୍ନ ବିହନ ପ୍ରମାଣୀକରଣ ମାନକ ପ୍ରକାଶିତ ହେଲା। ୧୯୭୧ରେ ଜାତୀୟ କୃଷକ ଆୟୋଗ ସରକାରୀ ଓ ବେସରକାରୀ ସ୍ତରରେ ବିହନ ଉତ୍ପାଦନ ଏବଂ ବିକ୍ରୟ କରିବାକୁ ପରାମର୍ଶ ଦେବା ଫଳରେ ଏକ ବିହନନୀତି ୧୯୮୮ ପ୍ରଣୀତ ହେଲା, ଯାହାକି ଘରୋଇ ବିହନ ଶିଳ୍ପକୁ ପ୍ରୋତ୍ସାହନ ଦେଲା। ୧୯୮୯ ମସିହାରେ ଅନ୍ୟ ଏକ ଆଦେଶନାମା ବଳରେ ବିହନ ବିଦେଶରୁ ଆମଦାନୀ ପାଇଁ ନିୟମ ପ୍ରଣୟନ କରାଗଲା। ଏହାଦ୍ୱାରା କେତେକ ସ୍ୱୀକୃତିପ୍ରାପ୍ତ କେନ୍ଦ୍ରରେ କ୍ୱାରେନ୍ଟାଇନ ପରୀକ୍ଷା ସହ ବିଦେଶରୁ ବିହନ ଚାରା ଓ ଫଳ ଇତ୍ୟାଦି ଆମଦାନୀ ପାଇଁ ଅନୁମତି ଦିଆଗଲା।
ବିହନ ବିଲ ୨୦୧୦ ବିହନର ମାନ ନିୟନ୍ତ୍ରଣ, ବିକ୍ରୟ, ଆମଦାନୀ ଓ ରପ୍ତାନୀ ସହିତ ଉତ୍ତମ ମାନର ବିହନ ଯୋଗାଣ ପାଇଁ ଉଦ୍ଦିଷ୍ଟ ଥିଲା। ପରବର୍ତ୍ତୀ କାଳରେ ବିହନ ବିଲ୍ ୨୦୨୦ ପ୍ରଣୀତ ହୋଇଥିଲେ ମଧ୍ୟ ଏହା ଏବେ ବି ଅନୁଧ୍ୟାନ କରାଯାଉଛି। କାରଣ ଏହା ବହୁ ବିରୋଧର ସମ୍ମୁଖୀନ। ଏହି ପ୍ରସ୍ତାବିତ ନିୟମ ଅନୁଯାୟୀ, ସମସ୍ତ ବିହନ ପଞ୍ଜିକୃତ ହେବା ବାଧ୍ୟତାମୂଳକ ଏବଂ ସର୍ବନିମ୍ନ ମାନର ହୋଇଥିବା ଆବଶ୍ୟକ। ବିହନ କ୍ଷେତ୍ରରେ ମନଇଚ୍ଛା ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କ୍ଷମତା ସରକାରଙ୍କ ପାଖରେ ରହିବ। ବିହନ ଯଦି କେତେକ ପରିସ୍ଥିତିରେ ଭଲ ଅମଳ ନଦିଏ, ତା’ ହେଲେ ଚାଷୀ କ୍ଷତିପୂରଣ ପାଇଁ ଉପଭୋକ୍ତା ସୁରକ୍ଷା ଅଦାଲତର ଦ୍ୱାରସ୍ଥ ହୋଇ ପାରିବେ। ତେଣୁ ଏହି ବିଲ୍ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛି। ଏହି ବିଲ୍ ଅନୁଯାୟୀ ସମସ୍ତ ପ୍ରକାରର ବିହନ ସରକାରଙ୍କ ଦ୍ୱାରା ବିଜ୍ଞପିତ ହେବା ବାଧ୍ୟତାମୂଳକ। ଏହାଦ୍ୱାରା ଚାଷୀ ଓ କମ୍ପାନୀ ମାନେ ଅଧିକ ଖର୍ଚ୍ଚାନ୍ତ ହେବା ସହିତ ସମୟ ଅପଚୟ ହେବ ବୋଲି ଅଭିଯୋଗ ଆସୁଛି। ଆହୁରି ମଧ୍ୟ ଏହି ପ୍ରସ୍ତାବିତ ଆଇନରେ ଚାଷୀ ନିଜର ଦେଶୀ କିସମକୁ ବିନା ପଞ୍ଜିକରଣରେ ବିହନ ଆକାରରେ ବ୍ୟବହାର କରି ପାରିବାର ବ୍ୟବସ୍ଥା ନ ଥିବାରୁ ଏହା ଚାଷୀଙ୍କ ପି.ପି.ଭି.ଏଫ୍.ଆର୍କୁ ଦୁର୍ବଳ କରିବା ନିଶ୍ଚିତ। ଏହି ବିଲ୍ରେ ମଧ୍ୟ ଜେନେଟିକାଲି ରୂପାନ୍ତରିତ ବିହନ ସମ୍ୱନ୍ଧରେ ସ୍ପଷ୍ଟ ଭାବରେ ବିଶେଷ ଉଲ୍ଲେଖ ନାହିଁ।
ଅତୀତରେ ବିକେନ୍ଦ୍ରୀକୃତ ବିହନ ଉତ୍ପାଦନ ପାଇଁ ସଫଳ ପ୍ରୟାସ କରାଯାଇଛି। ଚାଷୀଙ୍କ ସହଯୋଗରେ କେତେକ କ୍ଷେତ୍ରରେ ବୈଜ୍ଞାନିକମାନେ ବିହନ ଉଦ୍ଭାବନ କରନ୍ତି। ଏହାକୁ ପରେ ପରୀକ୍ଷା କରାଇ ଏବଂ ଚାଷୀଙ୍କ ବିହନ ସହିତ ତୁଳନା କରି ନୂତନ କିସମ ଚୟନ କରାଯାଏ। କୋରାପୁଟ୍ ଜିଲ୍ଲାର ଜୟପୁରଠାରେ ସ୍ୱାମୀନାଥନ ଫାଉଣ୍ଡେସନ ପକ୍ଷରୁ କଳାଜିରା ଓ ବରପଙ୍କ ପରି ଧାନ କିସମ ଉଦ୍ଭାବନ କରାଯାଇଛି। ଆଗରୁ ସରକାର ବିହନ ଗ୍ରାମଯୋଜନା ପାଇଁ ରିହାତି ମୂଲ୍ୟରେ ପିଣ୍ଡ ବିହନ ଯୋଗାଇ ଦେଇଥିଲେ। ଏକଚକିଆ ୨୫ ଏକର ଜମିରେ ଚାଷୀମାନେ ବିହନ ଉତ୍ପାଦନ କରିବା ପରେ ସରକାର ଏହାକୁ ପ୍ରାମାଣିକରଣ କରୁଥିଲେ। ବେସରକାରୀ ସହାୟତାରେ ମଧ୍ୟ ଗ୍ରାମ୍ୟ ବିହନ ବ୍ୟାଙ୍କ ଯୋଜନା ବହୁ ଜାଗାରେ ସଫଳ ହୋଇଛି। ଚାଷୀମାନେ ଗୋଷ୍ଠୀଭିତ୍ତିକ ବିହନ ଉତ୍ପାଦନ କରି ଗ୍ରାମର ଏକ ଜାଗାରେ ସାଇତି ରଖନ୍ତି। ଆଗାମୀ ଋତୁରେ ଏହି ବିହନ ଚାଷୀମାନେ ନିଜ ଜମିରେ ବ୍ୟବହାର କରନ୍ତି। ଓଡ଼ିଶା ଆଦିବାସୀ ସଶକ୍ତୀକରଣ ଓ ଜୀବିକା ନିର୍ବାହ ଯୋଜନାରେ ଏପରି ପଦକ୍ଷେପ ସଫଳ ହୋଇଥିଲା।
ସଠିକ ତଥା ଉତ୍କୃଷ୍ଟମାନର ବିହନ ନ ପାଇ ଚାଷୀ ବହୁକ୍ଷତିର ସମ୍ମୁଖୀନ ହୁଏ। ଏଣୁ ବିହନ ସମ୍ୱନ୍ଧୀୟ ସମସ୍ତ ନୀତିନିୟମ ବିଷୟରେ ଚାଷୀଙ୍କୁ ଶିକ୍ଷା ଦେବାର ଆବଶ୍ୟକତା ଅଛି। ଲାଇସେନ୍ସପ୍ରାପ୍ତ ବିହନ କମ୍ପାନୀ କ୍ଷେତ୍ର ପରୀକ୍ଷା କରି ବିହନ ବିକ୍ରୟ କରିବା ବାଧ୍ୟତାମୂଳକ ହେବା ଜରୁରୀ। ଚାଷୀ ଓ ସ୍ୱୀକୃତିପ୍ରାପ୍ତ ବିହନ ବ୍ୟବସାୟୀଙ୍କ ସହ ପରାମର୍ଶ କରି ସରକାର ଏକ ସଠିକ ବିହନନୀତି ଓ ବିଲ୍ ପାରିତ ନକଲେ ନକଲି ବିହନ ବ୍ୟବହାର କରି ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହେବେ। ସାଧାରଣ ଭାବରେ ପ୍ରତିବର୍ଷ ସଙ୍କର ବିହନ ଓ ୨-୩ ବର୍ଷରେ ପ୍ରାମାଣିକ ବିହନ ପରିବର୍ତ୍ତନ ହେବା ଜରୁରୀ। ଶସ୍ୟ ଜାତୀୟ ବିହନ କ୍ଷେତ୍ରରେ ବିହନ ପରିବର୍ତ୍ତନ ହାର ପ୍ରତିବର୍ଷ ଅନ୍ୟୂନ ୨୦% ଏବଂ ଡାଲି ଓ ତୈଳବୀଜ ବିହନ କ୍ଷେତ୍ରରେ ୧୫% ହେବା ଆବଶ୍ୟକ। ହାରାହାରି ଭାବରେ ଚାଷ ଖର୍ଚ୍ଚର ୩-୬% ବିହନ ବାବଦରେ ଯାଉଥିବାରୁ ଏବଂ ଆଳୁ, ଚିନାବାଦାମ କ୍ଷେତ୍ରରେ ଏହା ୨୦-୩୦ % ହେଉଥିବାରୁ ସରକାର ଏଥିପାଇଁ ସର୍ବାଧିକ ଗୁରୁତ୍ୱ ଦେବା ଆବଶ୍ୟକ। ଏହାହିଁ କୃଷି ଉତ୍ପାଦନରେ ବୀଜ-ମନ୍ତ୍ର।
ବିଦ୍ୟାଧର ମହାରଣା
ଭୁବନେଶ୍ୱର, ମୋ: ୯୪୩୭୦୭୧୧୯୦