କିଛି ବର୍ଷ ହେଲା ଶ୍ରୀମତୀ ରାୟ ତାଙ୍କ ସ୍ୱାମୀଙ୍କ ପାଇଁ ରୋଷେଇୟାଠାରୁ ଗାଡ଼ିଚାଳକ ପର୍ଯ୍ୟନ୍ତ ଖଞ୍ଜି ଦେଇ ତାଙ୍କୁ ଛାଡ଼ି ଏଇ ସହରରେ ରହୁଥିବା ନିଜ ପୁଅ ପାଖରେ ରହୁଛନ୍ତି। ତାଙ୍କୁ ନେଇ ସାଇ-ପଡ଼ିଶାରେ ପ୍ରାୟ ଚର୍ଚ୍ଚା ଚାଲେ। ସେଦିନ ମୁଁ ପହଁଚିଗଲା ବେଳକୁ ଏଇ ବିଷୟରେ ତିନି ଜଣ ପଡ଼ୋଶୀ କଥା ହେଉଥିଲେ। ‘ବୁଢ଼ାଙ୍କୁ ଅଶୀ ଉପରେ, ୟା’ଙ୍କୁ ପଞ୍ଚସ୍ତରୀ ହେଲାଣି, ଏଇ ବୟସରେ କିଏ କ’ଣ କାହାର ହାତ ଛାଡେ…?’ ପ୍ରଥମ ଜଣକ କହିଲେ। ଦ୍ୱିତୀୟ ଜଣକ କହିଲେ, ‘ଆଉ…! ହାତ ଧରିଥିଲେ କ’ଣ ଏଇ ଅସହାୟ ବୟସରେ ଛାଡ଼ିଦେବେ ବୋଲି…?’ ତୃତୀୟ ଜଣକ ନିଜ ମନ୍ତବ୍ୟ ଦେଲେ, ‘ନୁହେଁ ତ ଆଉ କ’ଣ! ହଁ ଜାଣିଛୁ, ତୁମ ସ୍ୱାମୀ ମଦ ପିଅନ୍ତି, କିନ୍ତୁ କ’ଣ ଏଇଟା ଆଜି ନୂଆ? ଆଗରୁ ତ ପିଉଥିବେ! ଏତେ ଦିନ ତ ଚଳିଲ! ଆଉ କିଛି ଦିନ ଚଳାଇ ନେଇଥିଲେ କ’ଣ ହେଇ ନଥା’ନ୍ତା? ବୁଢ଼ା ଆଉ କେତେଦିନ ବଞ୍ଚିବେ ଯେ …!’।
ମୁଁ ଆଶ୍ଚର୍ଯ୍ୟ ହେଲି। କହିଲି, ‘ଆପଣମାନେ ନାରୀ ହୋଇ ନାରୀ ପ୍ରତି ଏପରି ବିଦ୍ୱେଷ ଭାବ ରଖିଛନ୍ତି କିପରି? ପଚାଶ ବର୍ଷ ଧରି ଜଣେ ନିଜ ଇଚ୍ଛା ବିରୁଦ୍ଧରେ ଯାଇ ଆଉ ଜଣଙ୍କର ବଦଭ୍ୟାସକୁ ସହି ଆସିଲା, ବଦଳେଇବାକୁ ଚେଷ୍ଟା କଲା। ତା’ର ବି ତ ନିଜର ଗୋଟିଏ ଜୀବନ ଅଛି। ତା’ର ବି ତ ସହିବାର ଗୋଟିଏ ସୀମା ଅଛି। ସେ ବି ଜୀବନର ଶେଷ ପର୍ଯ୍ୟାୟରେ ପହଁଚି ଗଲାଣି। ଜୀବନର ଏଇ କେତୋଟି ଦିନ ଶାନ୍ତିରେ ବଞ୍ଚିବାକୁ ତା’ର କ’ଣ ଅଧିକାର ନାହିଁ? ମୋ ଉତ୍ତର ସେମାନଙ୍କୁ ବୋଧେ ପସନ୍ଦ ହେଲା ନାହିଁ। ବୟସ୍କା ଜଣକ କହିଲେ, ‘ଶୁଣ ଆମ ଶାସ୍ତ୍ର କହୁଚି, ଯେଉଁ ଘରେ ପିଲାମାନେ ପିତାମାତାଙ୍କ ଅନୁଗତ, ସ୍ତ୍ରୀ ସ୍ୱାମୀର ଅନୁଗତ, ସେ ଘର ହେଉଛି ସ୍ୱର୍ଗ। ପ୍ରତିଉତ୍ତରରେ କହିଲି, ‘ଆଛା ଆନୁଗତ୍ୟ କ’ଣ କେବଳ ସ୍ତ୍ରୀ ପ୍ରତି ପ୍ରଯୁଜ୍ୟ? ସ୍ୱାମୀ ପ୍ରତି ନୁହେଁ? ତାଳି ଦୁଇହାତରେ ବାଜେ। ଯଦି ଗୋଟିଏ ହାତରେ ବାଜୁଛି ଓ ତାଳି ପରି ଶୁଭୁଛି ତେବେ ତାହା ଆଦୌ ତାଳି ନୁହେଁ, ବରଂ ଚାପୁଡ଼ା। ସ୍ତ୍ରୀଟି ଯଦି ଏତେ ବର୍ଷ ଧରି ତାଙ୍କ ଉପଦ୍ରବ ସହିଲେ, ସ୍ୱାମୀଙ୍କ କର୍ତ୍ତବ୍ୟ ନୁହେଁ କି ସ୍ତ୍ରୀଙ୍କୁ ଖୁସି କରିବା ପାଇଁ ନିଜର ସ୍ୱଭାବକୁ ବଦଳେଇ ଦେବା?’ ଏ କଥା ଶୁଣି ସେ ମୁଣ୍ଡ ଟୁଙ୍ଗାରିଲେ। ‘ହଁ ତା’ ସତ ଯେ, କିନ୍ତୁ ଆଉ କେଇଟା ଦିନ ଟିକେ ଆଡଜଷ୍ଟ କରି ଯାଇଥିଲେ…’ ଆଉ ଅଧିକ କିଛି କହିବା ପାଇଁ ଉଚିତ୍ ମଣିଲି ନାହିଁ। ତାଙ୍କୁ ତାଙ୍କ ଚିନ୍ତାଧାରା ସହିତ ଛାଡ଼ି ଚାଲିଆସିଲି।
ଏହା କେବଳ ତାଙ୍କର ଚିନ୍ତାଧାରା ନୁହେଁ। ଏହା ଆମ ଅନେକଙ୍କ ଚିନ୍ତାଧାରା ଯେ ଝିଅଟିଏ ହିଁ ଆଡଜଷ୍ଟ କରିବ। ଆମ ହିସାବରେ ପୁଅଠାରୁ ବୟସରେ ଢେର୍ ସାନ ହୋଇଥିବା ଝିଅଟି ପୁଅର ସମସ୍ତ ହାକିମାତି ସହିବାକୁ ବାଧ୍ୟ। ପୁଅର ସମସ୍ତ ବଦ୍ଗୁଣ ସହିତ ସେ ପୁଅକୁ ଆପଣେଇବାକୁ ହୋଇଥିବ ପ୍ରସ୍ତୁତ। ଆମମାନଙ୍କର ଉପଦ୍ରବକୁ ବି ମୁଣ୍ଡ ନୁଆଁଇ ସହିଗଲେ ସେ ଭଲ ବୋହୂ। ଆମ ଭୁଲକୁ ଯଦି ସେ ଭୁଲ୍ କହିଦେବ ତେବେ ତାକୁ ‘ଉଦ୍ଧତ’ ଓ ‘ସଂସ୍କାରହୀନା’ ର ଆଖ୍ୟା ମିଳିବ। ନୂଆ ବାହା ହୋଇଥିବା ଝିଅଟିଠାରୁ ଆମେ ଗୋଟିଏ ପକ୍କା ଗୃହିଣୀର ଚାଲିଚଳଣର ଆଶା ରଖୁ। ଆମେ ଭୁଲି ଯାଉ ଯେ ଝିଅଟି ନିଜ ପ୍ରିୟ ତଥା ପରିଚିତ ପରିବେଶକୁ ଛାଡ଼ି ଏକ ଅପରିଚିତ ସ୍ଥାନ ଓ ଲୋକଙ୍କ ମଧ୍ୟରେ ନୂଆ ପରିବେଶକୁ ଆପଣେଇବାକୁ ଟିକେ ସମୟ ଆବଶ୍ୟକ କରିବ ଓ ଏଥିପାଇଁ ଆମ ସମସ୍ତଙ୍କର ସହଯୋଗ ତା’କୁ ଏକାନ୍ତ ଆବଶ୍ୟକ। ତେବେ ଏଠାରେ ଆମେ କେବଳ ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କ ବିଷୟ ରେ କଥା ହେବା।
ସ୍ୱାମୀ ସ୍ତ୍ରୀର ଆଉ ସ୍ତ୍ରୀ ସ୍ୱାମୀଙ୍କର ଜୀବନ ସାଥୀ। ଜୀବନ ସାଥୀ କହିଲେ ସିଏ, ଯାହା ସହିତ ଜୀବନ ଜିଇଁବାକୁ ସହଜ, ସରଳ ଓ ସନ୍ତୋଷଜନକ ମନେ ହୁଏ। ଏହା ଉଭୟଙ୍କ ପ୍ରତି ପ୍ରଯୁଜ୍ୟ। ଜୀବନ ସାଥୀ କହିଲେ ଠିକ୍ ପାଦ ତଳର ଜୋତା ଓ ମୁଣ୍ଡ ଉପରର ଛତା ପରି ହେବା ଦରକାର। ଆପଣ ଯେତେ ଜାମା ଜୋଡ଼ ହୋଇଥା’ନ୍ତୁ, ଜୋତାରେ ସାମାନ୍ୟ ଗୋଡ଼ିଟିଏ ରହିଗଲେ ଆପଣ ଚାଲିବାକୁ ଯେପରି ଭୀଷଣ କଷ୍ଟ ଅନୁଭବ କରିବେ, ଠିକ୍ ସେମିତି ଛତାରେ କଣା ଥିଲେ ବର୍ଷା ଜଳ ଓ ସୂର୍ଯ୍ୟଙ୍କ କିରଣ ଆପଣଙ୍କୁ କିଲିବିଲି କରିବ ହିଁ କରିବ। ଜୀବନ ସାଥୀ ତ ସିଏ, ଯିଏ ଜୀବନର ସୁବିଧା ଅସୁବିଧା ବେଳେ ମାନସିକ ଓ ଶାରୀରିକ ଭାବେ ଆମକୁ ଆଶ୍ୱସନା ଦେଇ ଆମ ହାତ ଧରି କୁହେ – ‘ଜମା ବ୍ୟସ୍ତ ହୁଅ ନାହିଁ, ମୁଁ ତମ ସହିତ ଅଛି।’ ଗାଡ଼ିର ଦୁଇଟିଚକ ପରି ସ୍ୱାମୀ ସ୍ତ୍ରୀଙ୍କ ସ୍ଥିତି। କିଏ ବଡ଼ କିଏ ସାନ, କିଏ ଉଚିତ୍ କିଏ ଅନୁଚିତ୍ର ଊର୍ଦ୍ଧ୍ବକୁ ଯାଇ ସମ୍ପର୍କରେ ସମନ୍ୱୟ ରକ୍ଷା କରିବା ପାଇଁ ଉଭୟ ତତ୍ପର ହେବା ଏକାନ୍ତ ଆବଶ୍ୟକ। ନହେଲେ ସଂସାର ରୂପକ ଗାଡ଼ିଟିକୁ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
ମଦ ପରି ବଦଭ୍ୟାସ ହେଉ ବା ପରକୀୟା ପ୍ରୀତି ପାଇଁ ଆଜି ଅନେକ ଘର ଭାଙ୍ଗି ଯାଉଚି। ଏସବୁ ତ ଖୁବ୍ ବଡ଼ କଥା। ତେବେ ସାମାନ୍ୟ ମନେ ହେଉଥିବା ‘ନିଦ୍ରା’ ପାଇଁ ଏବେ ସ୍ୱାମୀ ସ୍ତ୍ରୀ ‘ସ୍ଲିପିଂ ଡିଭୋର୍ସ’ କୁ ଆପଣେଇ ନେଲେଣି। ସ୍ୱାସ୍ଥ୍ୟ ପାଇଁ ସାତ ଘଣ୍ଟାର ସୁନିଦ୍ରା ନିହାତି ଆବଶ୍ୟକ। ଜଣକର ଘୁଙ୍ଗୁଡ଼ି, ମୋବାଇଲ ବ୍ୟବହାର, ବାରମ୍ବାର ଆଲୁଅ ଜଳାଇବା ଓ ଲିଭାଇବା ଅବା ଅନ୍ୟ କୌଣସି କାରଣ ଯୋଗୁଁ ଅପର ଜଣେ ବିନିଦ୍ର ରଜନୀ କାଟି ଚିଡ଼ଚିଡ଼ା ହେବା ସହ ଅନେକଗୁଡ଼ିଏ ରୋଗକୁ ଆମନ୍ତ୍ରଣ କରେ। ତେଣୁ ସମ୍ପର୍କରେ ତିକ୍ତତା ନ ବଢ଼଼ାଇ ଅନେକ ଲୋକ ଏବେ ଶୋଇବା ସମୟରେ ଅଲଗା ଶୋଇବାକୁ ପସନ୍ଦ କରୁଛନ୍ତି ଏବଂ ସେଥିରେ କୌଣସି ତ୍ରୁଟି ମଧ୍ୟ ନାହିଁ। ନିଜର ସାମାନ୍ୟ ସୁଖସୁବିଧାକୁ ପ୍ରାଧାନ୍ୟ ଦେବା ନିହାତି ଜରୁରୀ। ଆମ ଦ୍ୱାରା ଅନ୍ୟ ସାଥୀଟିକୁ ଯେପରି ହଇରାଣ ହରକତର ସାମ୍ନା କରିବାକୁ ନ ପଡ଼େ ତା’ ଦେଖିବା ମଧ୍ୟ ଆମର ପରମ କର୍ତ୍ତବ୍ୟ। ଜଣେ ଅନ୍ୟ ଜଣଙ୍କ ଲୁହର କାରଣ ନୁହେଁ, ବରଂ ହର୍ଷର ଉଦ୍ଦେଶ୍ୟ ହେବା ଜରୁରୀ। ଜଣେ ଆଉ ଜଣଙ୍କ ପାଇଁ ଗର୍ବିତ ନ ହେଲେ ବି ଲଜ୍ଜିତ ହେବା ଅନୁଚିତ୍। ବହୁତ୍ ସମୟରେ ଜଣେ ଚୁପ୍ ଚାପ୍ ସବୁ ସହିଯାଉଛି, ଏହାର ଅର୍ଥ ନୁହେଁ ଯେ ତା’କୁ କଷ୍ଟ ହେଉନି। ସେ ଯେ ସମ୍ପର୍କର ଗୁରୁତ୍ୱ ବୁଝି ଅଶାନ୍ତିକୁ ଆଡ଼େଇ ଦେଇ ଆମ ଖୁସିକୁ ପ୍ରାଧାନ୍ୟ ଦେଉଛି, ସେ କଥାଟିକୁ ଯଦି ଆମେ ବୁଝି ନ ପାରିଲେ ତେବେ ଆମେ କି ଜୀବନ ସାଥୀ ଯେ!
ମନେ ପଡୁଛି, କିଛିଦିନ ତଳେ ଯାଇଥିବା ଜଣେ ଦୂରସମ୍ପର୍କୀୟ ଜେଜେଙ୍କ ଘରକୁ। ଜେଜେମା’ଟି ଶଯ୍ୟାଶାୟୀ। ଅଣ୍ଟାରୁ ତଳକୁ ସବୁ ଅକାମୀ। ଦାନ୍ତ ଘଷିବାଠାରୁ ନେଇ ଝାଡ଼ା ପରିସ୍ରା ପର୍ଯ୍ୟନ୍ତ ସବୁକିଛି ଜେଜେ କରାଉଥା’ନ୍ତି। ବେଳେ ବେଳେ ଜେଜେମା’ କାନ୍ଦନ୍ତି, ‘ତମକୁ ମୋ ପାଇଁ କେତେ କଷ୍ଟ କରିବାକୁ ପଡୁଚି’ କହି। ଜେଜେ ହସି ହସି କହନ୍ତି, ‘ଏମିତି କାଇଁ କହୁଛୁ, ମୁଁ ପଡ଼ିଥିଲେ ତୁ କ’ଣ ମୋର କରନ୍ତୁ ନାହିଁ! ଆଉ ତୋର ମୁଁ କରିବିନି ତ କରିବ କିଏ?’ ସେଦିନର ଏହି ଦୃଶ୍ୟ ଦେଖି ମନ ଭରି ଯାଇଥିଲା। ଆଜି ବି ଈଶ୍ୱରଙ୍କ ନିକଟରେ ଗୋଟିଏ ଅଳି – ଏପରି ସ୍ୱର୍ଗୀୟ ସମ୍ପର୍କଗୁଡ଼ିକର ମଧୁରତା ବଜାୟ ରଖ ପ୍ରଭୁ…।
ଛନ୍ଦା ମିଶ୍ର
ଭୁବନେଶ୍ୱର, ମୋ: ୯୪୩୭୪ ୫୩୬୧୦