ଦୁବାଇ ଜଳବାୟୁ ଶୀର୍ଷ ସମ୍ମିଳନୀ କୋପ୍‌‌-୨୮: ଆଶା-ନିରାଶାର ଆଉ ଏକ ଫର୍ଦ୍ଦ

ଦୁବାଇରେ ବିଶ୍ୱ ଜଳବାୟୁ କ୍ରିୟାନୁଷ୍ଠାନ ଶିଖର ସମ୍ମିଳନୀର ୨୮ତମ ସଂସ୍କରଣ ବା କୋପ୍‌‌-୨୮ ଉଦଯାପିତ ହୋଇଯାଇଛି। ଦୀର୍ଘ ଦଶ ଦିନ ଧରି ସମ୍ମିଳନୀ ଶୀତତାପ ନିୟନ୍ତ୍ରିତ ଆରାମଦାୟକ ସମ୍ମିଳନୀ ପ୍ରକୋଷ୍ଠ ମଧ୍ୟରେ ଚାଲିଲା। ବିଶ୍ୱର ପ୍ରାୟ୨୦୦ଟି ଦେଶର ୭୦ ହଜାର ସରକାରୀ ପ୍ରତିନିଧି ଯୋଗ ଦେଇଥିଲେ। ଏହି ସମ୍ମିଳନୀର ଆୟୋଜନ ପୂର୍ବରୁ ପରିବେଶବିତ୍‌‌ମାନେ ବହୁ ଉତ୍କଣ୍ଠାର ସହିତ ଏହାର ଫଳାଫଳକୁ ଅପେକ୍ଷା କରିଥିଲେ। ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ଯେପରି ଉଗ୍ରରୂପ ଧାରଣ କରୁଛି, ଜଳବାୟୁର ସୁରକ୍ଷା […]

ଦୁବାଇରେ ବିଶ୍ୱ ଜଳବାୟୁ କ୍ରିୟାନୁଷ୍ଠାନ ଶିଖର ସମ୍ମିଳନୀର ୨୮ତମ ସଂସ୍କରଣ ବା କୋପ୍‌‌-୨୮ ଉଦଯାପିତ ହୋଇଯାଇଛି। ଦୀର୍ଘ ଦଶ ଦିନ ଧରି ସମ୍ମିଳନୀ ଶୀତତାପ ନିୟନ୍ତ୍ରିତ ଆରାମଦାୟକ ସମ୍ମିଳନୀ ପ୍ରକୋଷ୍ଠ ମଧ୍ୟରେ ଚାଲିଲା। ବିଶ୍ୱର ପ୍ରାୟ୨୦୦ଟି ଦେଶର ୭୦ ହଜାର ସରକାରୀ ପ୍ରତିନିଧି ଯୋଗ ଦେଇଥିଲେ। ଏହି ସମ୍ମିଳନୀର ଆୟୋଜନ ପୂର୍ବରୁ ପରିବେଶବିତ୍‌‌ମାନେ ବହୁ ଉତ୍କଣ୍ଠାର ସହିତ ଏହାର ଫଳାଫଳକୁ ଅପେକ୍ଷା କରିଥିଲେ। ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ଯେପରି ଉଗ୍ରରୂପ ଧାରଣ କରୁଛି, ଜଳବାୟୁର ସୁରକ୍ଷା ଦିଗରେ ଏକ ବୈଶ୍ୱିକ ସହମତି ଓ ସହଯୋଗିତା ଆଶା କରିବା ସ୍ୱାଭାବିକ।

ଚଳିତ ବର୍ଷ ୨୦୨୩ ମାନବ ସଭ୍ୟତାର ସର୍ବାଧିକ ଉଷ୍ମ ବର୍ଷ ଥିଲା। ଚଳିତ ବର୍ଷର ୮୦ ଦିନରୁ ଅଧିକ ଦିବସର ହାରାହାରି ତାପମାତ୍ରା ଶିଳ୍ପ ବିପ୍ଲବ ପୂର୍ବ ଜଳବାୟୁ ତାପମାତ୍ରା ତୁଳନାରେ ୧.୫ ଡିଗ୍ରୀ ସେଲସିୟସରୁ ଅଧିକ ଥିଲା। ତେଣୁ ବାୟୁମଣ୍ଡଳର ତାପମାତ୍ରା କିପରି ବୃଦ୍ଧି ନ ପାଇବ ସେଥିପାଇଁ କୋପ୍‌‌-୨୮ରେ ଗମ୍ଭୀରତା ସହିତ କିଛି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇପାରେ ବୋଲି ସମସ୍ତେ ଆଶାବାଦୀ ଥିଲେ। କୋପ୍‌‌-୨୮ ରେ ବିଶ୍ୱକୁ କ’ଣ ହାସଲ ହେଲା ତାହା ଉପରେ ଆଲୋକପାତ କରିଲେ ଆମେ ଜାଣି ପାରିବା ଯେ ଆମର ଭବିଷ୍ୟତ କିପରି ରହିବ।

କୋପ୍‌‌-୨୮ ରେ ଯେତେଗୁଡ଼ିଏ ପ୍ରସଙ୍ଗକୁ ଆଲୋଚନା ପାଇଁ ସୂଚୀବଦ୍ଧ କରାଯାଇଥିଲା ସେଥିରେ ସର୍ବପ୍ରଥମେ ଥିଲା ଜୀବାଶ୍ମ ଇନ୍ଧନର ବ୍ୟବହାର ଉପରେ ପ୍ରତିବନ୍ଧକ। କାରଣ ଜୀବାଶ୍ମ ଇନ୍ଧନର ପ୍ରଚୁର ମାତ୍ରାରେ ବ୍ୟବହାର ଦ୍ୱାରା ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଇଛି ବୋଲି ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଛି। କିନ୍ତୁ ସମ୍ମିଳନୀରେ ଯେତେବେଳେ ସମସ୍ତ ପ୍ରକାରର ଜୀବାଶ୍ମ ଇନ୍ଧନର ବ୍ୟବହାର ଉପରେ ଅଙ୍କୁଶ ଲଗାଇବା ପାଇଁ ଆଲୋଚନା ଆରମ୍ଭ ହେଲା ସେତେବେଳେ ବିଶ୍ୱର ମତ ଭାଗ ଭାଗ ହୋଇଗଲା। ପ୍ରାକୃତିକ ବାଷ୍ପ ଉତ୍ତୋଳନ କରୁଥିବା ଦେଶମାନେ ଗୋଟିଏ ଗୋଷ୍ଠୀ ହେଲା ବେଳେ ଜୀବାଶ୍ମ ତୈଳ ଉତ୍ପାଦନ କରୁଥିବା ଦେଶ ଆଉ ଗୋଟିଏ ଗୋଷ୍ଠୀ ହେଲେ। ଏହି ଦୁଇ ଗୋଷ୍ଠୀ ମିଶି ଭାରତ ପରି ଅଧିକ କୋଇଲା ଉତ୍ପାଦନ କରୁଥିବା ଦେଶ ଉପରେ କେବଳ କୋଇଲା ଉତ୍ପାଦନକୁ ହ୍ରାସ କରିବା ପାଇଁ ଅଯଥା ଚାପ ସୃଷ୍ଟି କରିବାକୁ ସମସ୍ତ ପ୍ରକାରର ଜୀବାଶ୍ମ ଇନ୍ଧନ ପରିବେଶ ପାଇଁ କ୍ଷତିକାରକ। କିନ୍ତୁ ଦେଶମାନେ ନିଜର ସ୍ୱାର୍ଥ ହାସଲ ପାଇଁ କେବଳ କୋଇଲାର ବ୍ୟବହାରକୁ ଦାୟୀ କରିବା ଦ୍ୱାରା ସମ୍ମିଳନୀରେ ପରିବେଶ ପ୍ରତି ସମସ୍ତେ ଯତ୍ନବାନ ନୁହନ୍ତି ବୋଲି ପ୍ରମାଣିତ ହୋଇଗଲା।

ଏହାସହିତ ଅନ୍ୟ ଏକପ୍ରକାର ଶବ୍ଦର ଗୋଲକଧନ୍ଦା ମଧ୍ୟ ଦେଖିବାକୁ ମିଳିଲା। ସମ୍ମିଳନୀ ଆୟୋଜିତ ହେବା ପୂର୍ବରୁ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ କେବେଠାରୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ବା ଫେଜ୍‌‌ ଆଉଟ୍‌‌ କରାଯିବ ତାହା ନିର୍ଦ୍ଧାରଣ କରାଯିବ ବୋଲି ସ୍ଥିର ହୋଇଥିଲା। ଏହାଦ୍ୱାରା ୨୦୫୦ ବେଳକୁ ଶୂନ୍ୟ ଉତ୍ସର୍ଜନ ବା ନେଟ୍‌‌ ଜିରୋ ଲକ୍ଷ୍ୟ ହାସଲ କରିବା ସମ୍ଭବ ହେବ। କିନ୍ତୁ ଏହା ସମ୍ଭବ ହୋଇ ପାରିଲା ନାହିଁ। କିନ୍ତୁ ୟୁରୋପ ସଂଘ ପକ୍ଷରୁ ଓ କିଛି ପରିବେଶ ସ୍ୱେଛାସେବୀ ସଂଗଠନ ପକ୍ଷରୁ ବ୍ୟାପକ ପ୍ରଚେଷ୍ଟା ବଳରେ ଫେଜ ଡାଉନ୍‌‌ ବା ଜୀବାଶ୍ମ ଇନ୍ଧନର ଉତ୍ପାଦନ ହ୍ରାସ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଉ ବୋଲି ଚାପ ସୃଷ୍ଟି ହୋଇଥିଲା। କିନ୍ତୁ ଏହା ମଧ୍ୟ ସମ୍ଭବ ହେଲା ନାହିଁ। ସର୍ବଶେଷରେ ଜୀବାଶ୍ମ ଇନ୍ଧନର ପରିବର୍ତ୍ତନ ବା ଟ୍ରାଞ୍ଜିସନ୍‌‌ ଫ୍ରମ୍‌‌ ଫସିଲ ଫୁଏଲ ଶବ୍ଦକୁ ଅନ୍ତିମ ଘୋଷଣାନାମାରେ ସ୍ଥାନିତ କରାଗଲା। ଏହା ମଧ୍ୟ ଏକ ଦୁର୍ବଳ ନୀତି। କାରଣ ଏହାକୁ କିପରି ଭାବରେ ଲାଗୁ କରାଯାଇପାରିବ, କେବେ ଠାରୁ ଲାଗୁ ହେବ ଓ କେଉଁ କେଉଁ ଦେଶର ଭୂମିକା କିପରି ରହିବ ତାହା ସ୍ପଷ୍ଟ ଭାବରେ ଚିତ୍ରିତ ହୋଇ ନାହିଁ। ତେଣୁ ମୋଟାମୋଟି ଭାବରେ କହିବାକୁ ଗଲେ ଆପାତତଃ ଜୀବାଶ୍ମ ଇନ୍ଧନର ବ୍ୟାପକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କୌଣସି ପ୍ରକାରର ଅନ୍ତର୍ଜାତୀୟ ସହମତି ପ୍ରକାଶ ପାଇ ପାରିଲା ନାହିଁ। ଏହା କୋପ୍‌‌-୨୮ ର ଏକ ସର୍ବବୃହତ ବିଫଳତା ରୂପେ ପରିଗଣିତ ହୋଇଛି।

ଦୁବାଇ ଘୋଷଣାନାମାରେ କିନ୍ତୁ ଏହାକୁ ଏକ ଐତିହାସିକ ସଫଳତା ରୂପେ ଅଭିଷିକ୍ତ କରାଯାଇଛି। ଏହାର କାରଣ ହେଉଛି ବିଗତ ୨୭ ଟି ସଭାରେ ଜୀବାଶ୍ମ ଇନ୍ଧନର କୁପ୍ରଭାବ ଉପରେ ଆଲୋଚନା ମଧ୍ୟ ସମ୍ଭବ ହୋଇ ପାରୁ ନ ଥିଲା। ସେହି ଦୃଷ୍ଟିକୋଣରୁ ଦେଖିଲେ କୋପ୍‌‌-୨୮ ରେ ଜୀବାଶ୍ମ ଇନ୍ଧନ ବ୍ୟବହାର ଉପରେ ଗୋଟିଏ ଅତ୍ୟନ୍ତ କ୍ଷୁଦ୍ର ହେଲେ ମଧ୍ୟ ପଦକ୍ଷେପ ଗ୍ରହଣ କରିବା ସମ୍ଭବପର ହୋଇ ପାରିଛି। ଏହା ମଧ୍ୟ କେବଳ ଭାରତର ଉଦ୍ୟମ ଫଳରେ ସମ୍ଭବ ହୋଇପାରିଛି। କାରଣ କୋପ୍‌‌ ୨୭ ରେ ସମସ୍ତ ପ୍ରକାରର ଜୀବାଶ୍ମ ଇନ୍ଧନ ବ୍ୟବହାରକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା।

କୋପ୍‌‌-୨୮ ରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେଲା। ତାହା ହେଉଛି ବିଶ୍ୱ ଭଣ୍ଡାର ଯାଞ୍ଚ ବା ଗ୍ଲୋବାଲ ଷ୍ଟକ୍‌‌ ଟେକ୍‌‌ (ଜିଏସ୍‌‌ଟି)। ଏହା ମାଧ୍ୟମରେ ଆମେ ପରିବେଶର ସୁରକ୍ଷା ପାଇଁ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛୁ ସେଥିରୁ ଆମକୁ କେତେ ସୁଫଳ ମିଳୁଛି ତାହାର ବିଶ୍ଲେଷଣ କରାଯାଏ। କୋପ୍‌‌ ୨୧ ବା ପ୍ୟାରିସ ଘୋଷଣାନାମାରେ ଏହା ସ୍ଥିର ହୋଇଥିଲା ଯେ ୨୦୨୩ ରୁ ଜିଏସଟିକୁ ଲାଗୁ କରାଯିବ। ଏହାଫଳରେ ଜଳବାୟୁ ପରିବର୍ତ୍ତନର ଅସ୍ୱାଭାବିକତାକୁ ନିୟନ୍ତ୍ରଣ କରିବା ଓ ବିଶ୍ୱ ତାପମାନକୁ ହ୍ରାସ କରିବା ଦିଗରେ ପ୍ରତି ପାଞ୍ଚ ବର୍ଷରେ ଥରେ କେଉଁ ଦେଶର ସରକାର କିପରି ପ୍ରଚେଷ୍ଟା କରୁଛନ୍ତି, ସେଥିପାଇଁ କେତେ ଅର୍ଥ ବ୍ୟୟ ଅଟକଳ କରାଯାଇଛି ଓ ସେଥିରୁ କିପରି ଭାବରେ ସୁଫଳ ମିଳୁଛି ତାହାର ଏକ ହିସାବ ପ୍ରଦାନ କରିବେ। ଏହା ଉପରେ ସମସ୍ତେ ସହମତି ପ୍ରକାଶ କରିଥିଲେ।

କୋପ୍‌‌-୨୮ ରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଓ ବହୁଚର୍ଚ୍ଚିତ ପ୍ରସଙ୍ଗରେ ଆଲୋଚନା ହେଲା। ଜଳବାୟୁ ପରିବର୍ତ୍ତନ ଦ୍ୱାରା ଯେଉଁ ଅନୁନ୍ନତ ଓ ଦରିଦ୍ର ଦେଶମାନେ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଲସ୍‌‌ ଆଣ୍ଡ ଡ୍ୟାମେଜ୍‌‌ ଫଣ୍ଡ ବା କ୍ଷୟକ୍ଷତି ପାଣ୍ଠିକୁ ସକ୍ରିୟ କରାଗଲା। ସାଧାରଣତଃ ଧନୀ ଦେଶର ନାଗରିକମାନଙ୍କର ଆରାମଦାୟକ ଓ ଅତ୍ୟାଧୁନିକ ଜୀବନ ଶୈଳୀ ହେତୁ ପ୍ରଚୁର ପରିମାଣରେ ଅଙ୍ଗାର ନିର୍ଗମନ ହୁଏ। କିନ୍ତୁ ଏହା ଫଳରେ ସୃଷ୍ଟି ହେଉଥିବା ଘନ ଘନ ପ୍ରାକୃତିକ ବିପର୍ଯ୍ୟୟ ଫଳରେ ଦରିଦ୍ର ଦେଶର ନାଗରିକମାନେ ଅଯଥା କ୍ଷତିଗ୍ରସ୍ତ ହୁଅନ୍ତି। ତେଣୁ ସେମାନେ ଉଚିତ କ୍ଷତିପୂରଣ ପ୍ରାପ୍ତ କରିବା ଦ୍ୱାରା ପରିବେଶ ନ୍ୟାୟ ପ୍ରଦାନ କରିବା ସମ୍ଭବ ହେବ ବୋଲି ଯୁକ୍ତି ରଖାଯାଏ। ଏହି କ୍ଷତିପୂରଣ ପ୍ରଦାନ କରିବା ପାଇଁ ୮୦ କୋଟି ଡଲାରର ପାଣ୍ଠି ଗଠନ କରାଯାଇଛି। କିନ୍ତୁ ଏହି ପରିମାଣ ସମୁଦ୍ରକୁ ଶଙ୍ଖେ ସଦୃଶ। କାରଣ କୋପ୍‌‌ ୨୧ ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଯେ ପ୍ରତିବର୍ଷ ୧୦ ହଜାର କୋଟି ଡଲାର ସଂଗ୍ରହ କରାଯିବ। ୧୦ ହଜାର କୋଟି ଡଲାର ଦୂରର କଥା ମାତ୍ର ୧୦୦ କୋଟି ଡଲାର ପାଣ୍ଠି ମଧ୍ୟ ସଂଗ୍ରହ ହୋଇ ପାରୁ ନାହିଁ। କେବଳ ଏତିକି କୁହାଯାଇପାରେ ଯେ ଯାହା ହେଉ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଅନ୍ତତଃ ପାଣ୍ଠିକୁ ସଚଳ କରାଯାଇ ପାରିଛି।

ଗତ ସେପ୍ଟେମ୍ୱର ମାସରେ ଭାରତର ସଭାପତିତ୍ୱ ଅଧୀନରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଭାରତ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ଏକ ବିଶେଷ ପ୍ରସ୍ତାବ ଆଗତ କରିଥିଲା। ୨୦୩୦ ସୁଦ୍ଧା ନିଜ ନିଜ ଦେଶରେ ଉତ୍ପାଦନ ହେଉଥିବା ଅକ୍ଷୟ ଶକ୍ତିର ପରିମାଣକୁ ତିନିଗୁଣା ବୃଦ୍ଧି କରିବାକୁ ସମସ୍ତ ସଦସ୍ୟମାନଙ୍କୁ ଅନୁରୋଧ କରାଯାଇଥିଲା। କୋପ୍‌‌-୨୮ରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଏହାଫଳରେ ୨୦୩୦ ବେଳକୁ ବିଶ୍ୱର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତାକୁ ତିନି ଗୁଣା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାଦ୍ୱାରା ୭ ଶହ କୋଟି ଟନ ଅଙ୍ଗାରକାମ୍ଳର ନିର୍ଗମନ ହ୍ରାସ ପାଇବ ବୋଲି ଆଶା କରାଯାଇଛି। ଯଦି କୌଣସି ଦେଶ କୌଣସି କାରଣରୁ ଏହି ଲକ୍ଷ୍ୟ ହାସଲ ନ କରିପାରେ ତେବେ ସେପରି ପରିସ୍ଥିତିରେ କ’ଣ ପଦକ୍ଷେପ ଗ୍ରହଣ କରାଯିବ ତାହା କିନ୍ତୁ ସ୍ପଷ୍ଟ ହୋଇ ନାହିଁ।

କୋପ୍‌‌-୨୮ ରେ ଉଭୟ ଚୀନ ଓ ଆମେରିକା ନିଜ ପକ୍ଷ ଓ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ କରିଥିଲେ। ବିଶ୍ୱରେ ମୋଟ ସବୁଜ ଗୃହ ବାଷ୍ପ ନିର୍ଗମନର ୨୫ ଶତାଂଶ କେବଳ ଚୀନ ଦ୍ୱାରା ହୋଇଥାଏ। ବିଶ୍ୱରେ ଯେତିକି ଅଶୋଧିତ ତୈଳ ବ୍ୟବହୃତ ହୁଏ ତାହାର ୧୫ ପ୍ରତିଶତ କେବଳ ଆମେରିକାରେ ବ୍ୟବହାର କରାଯାଏ। ବିଶ୍ୱର ୨୫ ଶତାଂଶ ପ୍ରାକୃତିକ ବାଷ୍ପ ଆମେରିକାରେ ଉତ୍ପାଦନ କରାଯାଏ। କିନ୍ତୁ ବିଶ୍ୱ ତାପମାନ ବୃଦ୍ଧି ପାଇଁ ସେମାନେ ନିଜ ନିଜର ଉତ୍ତରଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ ନୁହନ୍ତି। ଭାରତ ସର୍ବଦା ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ନିଜର ଦୈନନ୍ଦିନ ଜୀବନ ଯାପନ ଶୈଳୀରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ପ୍ରଦାନ କରିଆସିଛି। କୋପ୍‌‌-୨୮ ରେ ଏହାକୁ ସ୍ୱୀକାର କରାଯାଇଛି ଓ ଗ୍ରହଣ ମଧ୍ୟ କରାଯାଇଛି।

ତେବେ ଏହା ସ୍ପଷ୍ଟ ଯେ କୋପ୍‌‌-୨୮ ରୁ ବିଶ୍ୱ ଯାହା ଆଶା ବାନ୍ଧିଥିଲା ତାହା ଅନେକାଂଶରେ ପୂରଣ ହେଲା ନାହିଁ। ତେଣୁ ପରିବେଶର ସୁରକ୍ଷା କାର୍ଯ୍ୟ ଭବିଷ୍ୟତରେ କିପରି ତ୍ୱରାନ୍ୱିତ ହେବ ତାହା ଉପରେ ଏକ ପ୍ରଶ୍ନ ସୃଷ୍ଟି ହୋଇଛି। କୋପ୍‌‌-୨୮ର ଉଦ୍‌‌ଘାଟନ ଦିନ ସବୁଦେଶର ରାଷ୍ଟ୍ରମୁଖ୍ୟ ଓ ଶାସନମୁଖ୍ୟ ମିଳିତ ଫଟୋ ଉଠାଇଲେ, ଭୋଜନ କଲେ, କିନ୍ତୁ ଆଲୋଚନା ବେଳକୁ ସମସ୍ତେ ପୃଥକ ହୋଇଗଲେ। ସର୍ବଶେଷରେ କୋପ୍‌‌-୨୮ର ସଭାପତି କହିଲେ ମଧ୍ୟପ୍ରାଚ୍ୟରେ ତୈଳ ଖଣିଗୁଡ଼ିକରେ ପୁଞ୍ଜି ବିନିଯୋଗ ବଳବତ୍ତର ରହିବ। ଦୀର୍ଘ ୧୩ ଦିନ ଧରି ସମ୍ମିଳନୀର ନିର୍ଯାସକୁ ଦେଖିବା ପରେ ଏହା ହୃଦୟଙ୍ଗମ ହୁଏ ଯେ ଯେତେଦିନ ପର୍ଯ୍ୟନ୍ତ ବିକଶିତ ରାଷ୍ଟ୍ରମାନେ ନିଜର ସ୍ୱାର୍ଥକୁ ପରିତ୍ୟାଗ ନ କରନ୍ତି, ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା କାମ ଏତେ ସହଜ ହେବ ନାହିଁ।

ସନ୍ତୋଷ କୁମାର ମିଶ୍ର
କଟକ, ମୋ: ୯୪୩୭୧୨୮୪୬୪

About The Author: The Sakala