ଗୋଟିଏ ଜାତି / ସମାଜ କେତେ ପରିମାଣରେ ସମୃଦ୍ଧ, କୁଶଳୀ, ଜ୍ଞାନୀ ଓ ଚତୁର, ତାହା ସେ ଜାତିର ଇତିହାସ ପୃଷ୍ଠାରୁ ସମ୍ପୂର୍ଣ୍ଣ ଜାଣିହୁଏନା। ଐତିହ୍ୟ, ସଂସ୍କୃତି, ପରମ୍ପରାର ଛାପ ସେ ଜାତିର ଉତ୍ତରାଧିକାର ସୂତ୍ରରେ ଚଳି ଆସୁଥିବା ପ୍ରଥା, ପ୍ରଥା ସହିତ ଗଢ଼ି ଉଠିଥିବା ମନ୍ଦିର, ସୌଧ, ଅଟ୍ଟାଳିକା, କୀର୍ତ୍ତିରାଜି ଇତ୍ୟାଦିରୁ ବାରି ହୋଇପଡ଼େ। ତନ୍ମଧ୍ୟରୁ ଐତିହ୍ୟ ଅନ୍ୟତମ ମାନଦଣ୍ଡ। ପ୍ରତ୍ନତାତ୍ତ୍ୱିକ ଖନନ, ସଂରକ୍ଷଣ ଓ ପ୍ରଦର୍ଶନ ସଂଗ୍ରହାଳୟ ଆଦି ଐତିହାସିକ ଭାବେ ଅଙ୍ଗାଙ୍ଗୀ ଜଡ଼ିତ।
ଐତିହ୍ୟକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଏ। ଯଥା – ସ୍ପର୍ଶନୀୟ ଐତିହ୍ୟ ଓ ଅସ୍ପର୍ଶନୀୟ ଐତିହ୍ୟ। ଯାହାକୁ ସ୍ପର୍ଶ କରାଯାଇପାରେ ବା ଯାହାର ଆକାର ଅଛି ତାହା ହେଉଛି ସ୍ପର୍ଶନୀୟ ଐତିହ୍ୟ। ପ୍ରତ୍ନତତ୍ତ୍ୱ(ମନ୍ଦିର, ଅଟ୍ଟାଳିକା, ସ୍ତମ୍ବ ଇତ୍ୟାଦି) ଓ ସଂଗ୍ରହାଳୟରେ ସ୍ଥାନିତ କଳାକୃତି ସବୁ ସ୍ପର୍ଶନୀୟ ଐତିହ୍ୟରେ ଗଣାଯାଏ। ସେହିପରି ସଙ୍ଗୀତ, ନୃତ୍ୟ, ପର୍ବପର୍ବାଣି, ଯାନିଯାତ୍ରା, ପ୍ରଥା ଆଦି ଅସ୍ପର୍ଶନୀୟ ଐତିହ୍ୟରେ ଗଣାଯାଏ। ଅସ୍ପର୍ଶନୀୟ ଐତିହ୍ୟ ଆକାରହୀନ। ପୁନଶ୍ଚ ଐତିହ୍ୟକୁ ସାଂସ୍କୃତିକ ଓ ପ୍ରାକୃତିକ ଭାବରେ ବିଭକ୍ତ କରାଯାଇପାରେ। ଐତିହ୍ୟ ଏକ ଜାତିର ସାମୂହିକ ସ୍ମୃତିକୁ ବହନ କରିବା ସଙ୍ଗେ ସଙ୍ଗେ ତା’ର ଅସ୍ମିତା ଓ ଗୌରବକୁ ପ୍ରତିପାଦିତ କରିଥାଏ। ଐତିହ୍ୟ ଗୋଟିଏ ଜାତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଗୋଟିଏ ଡୋରିରେ ବାନ୍ଧି ରଖିଥାଏ। ଏହା ସ୍ୱୀକାର୍ଯ୍ୟ ଯେ ଅତୀତକୁ (ଐତିହ୍ୟକୁ) ଭବିଷ୍ୟତ ପାଇଁ ବଞ୍ଚାଇ ରଖିବାକୁ ପଡ଼ିବ। ଐତିହ୍ୟର ଗୁରୁତ୍ୱ ଓ ଏହାର ସଂରକ୍ଷଣ ବିଶ୍ୱବାସୀଙ୍କ ମନରେ ସଚେତନତା ଉପଲବ୍ଧ କରାଇବା ଲାଗି ପ୍ରତିବର୍ଷ ଏପ୍ରିଲ ୧୮ ତାରିଖରେ ବିଶ୍ୱ ଐତିହ୍ୟ ଦିବସ ପାଳନ କରାଯାଏ।
ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିରୁ ଓଡ଼ିଶାର କୋଣାର୍କ ମନ୍ଦିର, ମନ୍ଦିର ମାଳିନୀ ଭୁବନେଶ୍ୱର, ପୁରୀ ଜଗନ୍ନାଥ ମନ୍ଦିର, ଯାଜପୁର ବିରଜା କ୍ଷେତ୍ରକୁ ବ୍ରିଟିଶ୍ ଐତିହାସିକ ଆଣ୍ଡ୍ରୁ ଷ୍ଟର୍ଲିଙ୍ଗ ଖୁବ୍ ପ୍ରଶଂସା କରିଛନ୍ତି। ମୁକ୍ତେଶ୍ୱର ମନ୍ଦିର (ଭୁବନେଶ୍ୱର) ‘ଓଡ଼ିଶା ସ୍ଥାପତ୍ୟର ମଣି’ ବୋଲି ଜେମ୍ସ ଫରଗୁସନ (ବ୍ରିଟିଶ୍ ଐତିହାସିକ) ତାଙ୍କ ଓଡ଼ିଶା ମନ୍ଦିର ସ୍ଥାପତ୍ୟ ଅଧ୍ୟୟନରେ ଉଲ୍ଲେଖିତ କରିଛନ୍ତି। ଅନେକେ କଳିଙ୍ଗ ମନ୍ଦିର ସ୍ଥାପତ୍ୟ ଭାରତର ଅନ୍ୟତମ ଭିନ୍ନ ଶୈଳୀର କଳାନୈପୁଣ୍ୟ ବୋଲି ମତ ରଖନ୍ତି। ଅଦ୍ୟାବଧି ଭାରତର ପ୍ରାୟ ୩୭୦୦ଟି କୀର୍ତ୍ତିରାଜି / ସୌଧ ଥିଲା ବେଳେ ତନ୍ମଧ୍ୟରୁ ୪୦ଟି ୟୁନେସ୍କୋ ଐତିହ୍ୟ ସ୍ଥଳୀର ମାନ୍ୟତା ପାଇଛି। ଓଡ଼ିଶାର କୋଣାର୍କ ୧୯୮୪ ମସିହାରୁ ୟୁନେସ୍କୋ ଐତିହ୍ୟ ସ୍ଥାପତ୍ୟ ରୂପେ ମାନ୍ୟତା ପାଇଛି। ମନ୍ଦିରମାଳିନୀ ଭୁବନେଶ୍ୱରକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସହର ମାନ୍ୟତା ଦେବା ପାଇଁ ଓଡ଼ିଶା ସରକାର ପ୍ରସ୍ତାବ ଦେଇଛନ୍ତି, ଯାହା ଏ ପର୍ଯ୍ୟନ୍ତ ଆଗେଇ ପାରିନାହିଁ। ଭାରତର ଏକମାତ୍ର ସହର ଅହମ୍ମଦାବାଦକୁ ‘ହିଷ୍ଟୋରିକ୍ ୱାର୍ଲଡ ସିଟି’ ରୂପେ ଗଣାଯାଇ ୟୁନେସ୍କୋ ବିଶ୍ୱ ଐତିହ୍ୟ ସହରର ମାନ୍ୟତା ଦେଇସାରିଛି। ମନ୍ଦିରମାଳିନୀ ଭୁବନେଶ୍ୱର ଅସୁମାରୀ ବହୁ କାରୁକାର୍ଯ୍ୟରେ ମନ୍ଦିର, ପୁଷ୍କରିଣୀ, ଖିଲଣ, କୁଣ୍ଡ, ଗୁମ୍ଫା ଇତ୍ୟାଦିରେ ଭରପୂର, ଯେଉଁଥିରେ ଉତ୍କଳୀୟ ସ୍ଥାପତ୍ୟର ପରିସ୍ଫୁଟନ ଘଟିଛି। ଆଶା କରାଯାଏ ଆଗାମୀ ବର୍ଷରେ ଆମ ଭୁବନେଶ୍ୱର ବିଶ୍ୱ ଐତିହ୍ୟ ସହର ମଣ୍ଡିତ ହେବ।
ଅଦ୍ୟାବଧି ଭାରତର ୪୦ଟି ୟୁନେସ୍କୋ ଐତିହ୍ୟସ୍ଥଳୀ ମଧ୍ୟରେ ୩୨ଟି କଲଚରାଲ ସାଇଟ୍, ୭ଟି ନାଚ୍ୟୁରାଲ ସାଇଟ୍ ଏବଂ ଗୋଟିଏ ମିକ୍ସଡ ସାଇଟ୍ ରହିଛି। ଏତଦ୍ବ୍ୟତୀତ ଭାରତର ୧୪ଟି ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟ ୟୁନେସ୍କୋ ସୂଚୀରେ ସ୍ଥାନ ପାଇଛି। ସେଗୁଡ଼ିକ ହେଲା- (୧) ରାମଲୀଳା (ଉତ୍ତରଭାରତ), (୨) କେରଳ କୁଟିଆଟମ ନୃତ୍ୟ (ଚକ୍ଷୁ ଅଭିନୟ), (୩) ରମନ ଉତ୍ତରଖଣ୍ଡର ଭୂମିଆଲ ଦେବତାଙ୍କ ପୂଜା ଅର୍ଚ୍ଚନା, (୪) ଛଉନୃତ୍ୟ (ଷଢ଼େଇକଳା, ପୁରୁଳିଆ ଓ ମୟୂରଭଞ୍ଜ), (୫) କାଲବେଲିଆ ସଙ୍ଗୀତ ଓ ନୃତ୍ୟ (ରାଜସ୍ଥାନ), (୬) କଲିକତାର ଦୁର୍ଗାପୂଜା, (୭) ମୁଦିଏଟୁ (ମନ୍ଦିର ପ୍ରାଙ୍ଗଣରେ କାଳୀ ଓ ରାକ୍ଷସ ଦାରିକା ନୃତ୍ୟ ଅଭିନୟ, କେରଳ, (୮) ଲଦାଖର ବୌଦ୍ଧ ଧର୍ମାବଲମ୍ବୀଙ୍କର ଜପତପର ଘଣ୍ଟବାଦନ, (୯) ମଣିପୁର ରାଧାକୃଷ୍ଣ, ପ୍ରେମଲୀଳା ସଂକୀର୍ତ୍ତନ, (୧୦) ପଞ୍ଜାବର ଦାଣ୍ଡିଆଳୁ ଥଟେରା (କଂସାରୀ)ଙ୍କ ପାରମ୍ପରିକ ପ୍ରାଚୀନ ଶୈଳୀରେ କଂସା ପିତଳ ବର୍ତ୍ତନ ତୟାର, (୧୧) ଭାରତୀୟ ଯୋଗ (ଯାହା ବିଶ୍ୱ ବିଦିତ), (୧୨) କୁମ୍ଭମେଳା ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୟିନୀ, (୧୩) ନୋଭୁରଜା (ପାର୍ସି ନବବର୍ଷ) ଯାହା ୨ ସପ୍ତାହ ବ୍ୟାପୀ ଧାର୍ମିକ ସଂସ୍କାର ଉତ୍ସବରେ ପରିପୂର୍ଣ୍ଣ, (୧୪) ସଂସ୍କୃତରେ ବେଦ ଉଚ୍ଚାରଣ।
ତେବେ ଓଡ଼ିଶା କଥା ଦେଖିଲେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ୟୁନେସ୍କୋ ‘ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟ ମାନ୍ୟତା ସୂଚୀରେ ସ୍ଥାନ ଦେବା ଲାଗି ସରକାରଙ୍କ ତରଫରୁ ପ୍ରୟାସ ଆରମ୍ଭ ହୋଇଛି। ଏଥିସହିତ ଅକ୍ଷୟ ତୃତୀୟାରୁ ଆରମ୍ଭ ଚନ୍ଦନଯାତ୍ରା (ଚାପଖେଳ), ତିନି ଠାକୁରଙ୍କର ଅଣବସର, ନୀଳାଦ୍ରି ବିଜେ, ଲକ୍ଷ୍ମୀଙ୍କୁ ରସଗୋଲା ଦେଇ କାଳିଆ ସାଆନ୍ତଙ୍କର ମାନ ଭଞ୍ଜନ ଇତ୍ୟାଦି ଉପକ୍ରମକୁ ସ୍ଥାନିତ କରାଯାଇଛି। ଆଶା ଜଗତରନାଥ ପ୍ରଭୁ ଜଗନ୍ନାଥଙ୍କର ଘୋଷଯାତ୍ରା (ଅନ୍ୟାନ୍ୟ ସଂଲଗ୍ନ ଯାତ୍ରା ସହିତ) ଏ ସୂଚୀରେ ଖୁବ୍ ଶୀଘ୍ର ସ୍ଥାନ ପାଇବ।
ଐତିହ୍ୟ ବିଶ୍ୱବାସୀଙ୍କୁ ଯେତିକି ଆନନ୍ଦ ପ୍ରଦାନ କରେ, ତାହାର ଧ୍ୱଂସଲୀଳା ସେତିକି ଦୁଃଖ ଦିଏ। ଉଦାହରଣସ୍ୱରୂପ ଆଫଗାନିସ୍ତାନର ବାମିଆନ ଉପତ୍ୟକାରେ ଥିବା ୨ଟି ବିଶାଳ ଅତିପ୍ରାଚୀନ ବୁଦ୍ଧ ମୂର୍ତ୍ତି ସେଠାରେ ତାଲିବାନ ଶାସକ ମୁଲ୍ଲା ଓମାରଙ୍କ ନିର୍ଦ୍ଦେଶରେ ଡିନାମାଇଟ୍ ଦ୍ୱାରା ମାର୍ଚ୍ଚ ୨୦୦୧ରେ ଧ୍ୱଂସ ପ୍ରାୟ ହୋଇଥିଲା, ଯାହା ବିଶ୍ୱବାସୀଙ୍କୁ ଚକିତ କରିଥିଲା। ପରେ ପରେ ସିରିଆ, ଇରାକ, ଲିବିଆ ଆଦି ଦେଶରେ ଐତିହ୍ୟ କୀର୍ତ୍ତିରାଜ ନଷ୍ଟ କରାଯାଇଥିବାର ଉଦାହରଣ ରହିଛି। ଆମ କୋଣାର୍କର ଲୁହ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ୧୯୦୦ ରୁ ୧୯୦୩ ମଧ୍ୟରେ ଏହାର ଜଗମୋହନକୁ ମୁଦ କରି ଦେଇ ବାଲି ଭରି ଦେବା ଗୋଟେ ଭୁଲ୍ ସିଦ୍ଧାନ୍ତ ଥିଲା ବୋଲି ଅନେକ ବିଶେଷଜ୍ଞଙ୍କ ମତ। ଏବେ ଲେଜର ସ୍କାନିଂରୁ ଭିତରେ ମାଳ ମାଳ ପଥର ବାଲି ଉପରେ ପଡ଼ିଥିବାର ଦେଖାଗଲାଣି। ବାଲି କାଢ଼ିବା ସିଦ୍ଧାନ୍ତ ଅତି ବିଳମ୍ବରେ ନିଆଗଲା ବୋଲି ଅନେକେ କଟୁକ୍ତି କଲେଣି। ତେବେ କୋଣାର୍କର ସଂରକ୍ଷଣ ସନ୍ଦୀହାନ ଅବସ୍ଥାରେ ରହିଛି। ଏଥିରେ ଭାରତ ସରକାର ୟୁନେସ୍କୋ ସହିତ ପରାମର୍ଶ କରିବାର ସମୟ ଆସିଛି। ୟୁନେସ୍କୋ ପାଇଁ କୋଣାର୍କର ଜଗମୋହନ ସଂରକ୍ଷଣ ଆଦୌ ବଡ଼ ସମସ୍ୟା ନୁହେଁ ବୋଲି ଅନେକ ବିଶେଷଜ୍ଞଙ୍କ ମତ। ମାଲେସିଆର ଇଂ ବୋରୋ ବେଦୁର ସଂରକ୍ଷଣ ଜଟିଳ ଥିବା ସତ୍ତ୍ବେ ୟୁନେସ୍କୋ ସେହି ସାତମହଲା ଯୁକ୍ତ ଉଚ୍ଚ ବିଶାଳ ମଠକୁ ଖଣ୍ଡ କରି (ଆଠଲକ୍ଷ ପଥର ଖଣ୍ଡ) ଅରଣ୍ୟ ମୁହଁରୁ ଉଦ୍ଧାର କରି ସେ ସବୁରେ ଉପଚାର ପରେ ମୂଳ ଭଳି ନିର୍ମାଣ କରିଦେଲେ। ସେଭଳି ଇଜିପ୍ଟର ଆବୁ ସିମ୍ବେଲ ମନ୍ଦିରକୁ ଖଣ୍ଡ ଖଣ୍ଡ କରି ଦୂରରେ ପୁନଃ ନିର୍ମାଣ ୟୁନେସ୍କୋ ହିଁ କରିଥିଲା। ତେଣୁ କୋଣାର୍କକୁ ବି ସେଇ ଢାଞ୍ଚାରେ ପୁନରୁଦ୍ଧାର କରାଯିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଉଛି। ଶ୍ରାବଣ ମାସରେ କୋଣାର୍କ ପରିସର ଜଳାର୍ଣ୍ଣବ ରହିବା ଦ୍ୱାରା ମୂଳଦୁଆ ପ୍ରତି ବିପଦ ସୃ୍ଷ୍ଟି କରୁଛି। ଏକବିଂଶ ଶତାବ୍ଦୀରେ ଏଭଳି ଅବସ୍ଥା ଦେଖିଲେ ଖୁବ୍ ଦୁଃଖ ଲାଗେ। ସେହିପରି ମେଘେଶ୍ୱର ମନ୍ଦିର (ଭୁବନେଶ୍ୱର)ରେ ଶ୍ରାବଣ ମାସରେ ଗର୍ଭଗୃହରେ ଆଣ୍ଠୁଏ ପାଣି ଜମେ। ଏଥିପ୍ରତି ଦୃଷ୍ଟି ଦେବା ଦରକାର।
ୟା ଛଡ଼ା ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଜୈନ, ବୁଦ୍ଧଙ୍କର ଭଗ୍ନ ଅବହେଳିତ କୀର୍ତ୍ତିରାଜି ଖୋଲା ଆକାଶ ତଳେ ଜଙ୍ଗଲ ବୁଦା ଭିତରେ ପୋତି ହୋଇରହିଛି। ଅନେକ ମଠ, ମନ୍ଦିର, ଖିଲଣ ଧ୍ୱଂସମୁଖରେ। ଏ ସବୁର ସଂରକ୍ଷଣ ଜରୁରୀ। ଏଥିପାଇଁ ଜନ ସଚେତନତା ଦରକାର। ଇନ୍ଟାକ୍ର ଓଡ଼ିଶା ଚାପ୍ଟର ବର୍ତ୍ତମାନ ଏ ସବୁ ଅବହେଳିତ ଭଗ୍ନ ଦେଉଳ, କୀର୍ତ୍ତିରାଜିର ସୁରକ୍ଷା ଲାଗି ଆଗୁସାର ହୋଇ ପ୍ରତିଦିନ ବିଭିନ୍ନ ଐତିହ୍ୟସ୍ଥଳୀ ଗସ୍ତ କରୁଛନ୍ତି ଓ ସେଗୁଡ଼ିକର ସମୀକ୍ଷା କରାଯାଇଛି। ଏ ସବୁ କୀର୍ତ୍ତିରାଜି, ଭଗ୍ନାବଶେଷକୁ ନେଇ ଗୋଟିଏ ଐତିହ୍ୟ ସଂଗ୍ରହାଳୟ ଗଢ଼ି ତୋଳିବାର ଆବଶ୍ୟକତା ଅଛି ବୋଲି ମଧ୍ୟ ମତ ପ୍ରକାଶ ପାଉଛି।
ସୁଦର୍ଶନ ସାହୁ
ଭୁବନେଶ୍ୱର, ମୋ: ୮୮୯୫୨୯୫୧୬୫