ଆଖି ଦେଖା ମିଛ

ଥରେ ସମ୍ରାଟ ଆକବର ରାଜସଭାରେ କୌଣସି ପ୍ରସଙ୍ଗକୁ ନେଇ ନିଜ ପାରିଷଦମାନଙ୍କୁ ପଚାରିଲେ-‘ଆଖି ଦେଖା କଥା କ’ଣ ମିଛ ହୋଇପାରେ?’ ସମ୍ରାଟଙ୍କ ପ୍ରଶ୍ନ ଶୁଣି ସମସ୍ତେ ସ୍ତବ୍ଧ। ଆଖିରେ ଦେଖିଥିବା କଥା କ’ଣ ସତ ନୁହେଁ? କେହି କିଛି ଉତ୍ତର ଦେବା ପୂର୍ବରୁ ‘ଆକବରନାମା’ର ଲେଖକ ପଣ୍ଡିତ ଅବୁଲ ଫଜଲ କହିଲେ- ‘ଜାହାଁପନା, ଆଖି ଦେଖିଥିବା କଥା କେବେ ଅସତ୍ୟ ହୋଇ ପାରିବ ନାହିଁ।’ ଅନ୍ୟ ମନ୍ତ୍ରୀ ଓ ପାରିଷଦମାନେ ମଧ୍ୟ ଅବୁଲ ଫଜଲଙ୍କ କଥା ସହ […]

ଥରେ ସମ୍ରାଟ ଆକବର ରାଜସଭାରେ କୌଣସି ପ୍ରସଙ୍ଗକୁ ନେଇ ନିଜ ପାରିଷଦମାନଙ୍କୁ ପଚାରିଲେ-‘ଆଖି ଦେଖା କଥା କ’ଣ ମିଛ ହୋଇପାରେ?’ ସମ୍ରାଟଙ୍କ ପ୍ରଶ୍ନ ଶୁଣି ସମସ୍ତେ ସ୍ତବ୍ଧ। ଆଖିରେ ଦେଖିଥିବା କଥା କ’ଣ ସତ ନୁହେଁ? କେହି କିଛି ଉତ୍ତର ଦେବା ପୂର୍ବରୁ ‘ଆକବରନାମା’ର ଲେଖକ ପଣ୍ଡିତ ଅବୁଲ ଫଜଲ କହିଲେ- ‘ଜାହାଁପନା, ଆଖି ଦେଖିଥିବା କଥା କେବେ ଅସତ୍ୟ ହୋଇ ପାରିବ ନାହିଁ।’ ଅନ୍ୟ ମନ୍ତ୍ରୀ ଓ ପାରିଷଦମାନେ ମଧ୍ୟ ଅବୁଲ ଫଜଲଙ୍କ କଥା ସହ ସହମତି ପ୍ରକାଶ କଲେ। ସେଠାରେ ଉପସ୍ଥିତ ଥିଲେ ବୀରବଲ। ନିଜର ଉପସ୍ଥିତ ବୁଦ୍ଧି ଓ ପାଣ୍ଡିତ୍ୟ ପାଇଁ ପ୍ରସିଦ୍ଧ ବୀରବଲ କହିଲେ- ‘ଆଖି ଦେଖା କଥା ସବୁବେଳେ ସତ୍ୟ ନୁହେଁ। ସ୍ୱଚକ୍ଷୁରେ ଦେଖିଥିବା ଅନେକ କଥା ଅନେକ ସମୟରେ ଅସତ୍ୟ ହୋଇପାରେ।’ ବୀରବଲଙ୍କ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା। ସେମାନେ ଏହାର ପ୍ରମାଣ ଦେବା ନିମନ୍ତେ ବୀରବଲଙ୍କୁ ଆହ୍ୱାନ ଦେଲେ। ଆକବର ମଧ୍ୟ ବୀରବଲଙ୍କୁ ଏହା ପ୍ରମାଣ କରିବାକୁ ନିର୍ଦ୍ଦେଶ ଦେଲେ। ୨୪ ଘଣ୍ଟା ମଧ୍ୟରେ ଏହା ପ୍ରମାଣ କରିଦେବେ ବୋଲି କହି ବୀରବଲ ରାଜସଭାରୁ ବିଦାୟ ନେଲେ।

ଦରବାର ତ୍ୟାଗ କରି ବୀରବଲ ନିଜ ଘର ପରିବର୍ତ୍ତେ ସମ୍ରାଟ ଆକବରଙ୍କ ବାସଭବନକୁ ଗଲେ। ସେଠାରେ କାର୍ଯ୍ୟ କରୁଥିବା ଜଣେ ପରିଚାରିକାକୁ ପାଖକୁ ଡାକି ରାତିରେ ଆକବରଙ୍କ ଶଯ୍ୟାରେ ଶୟନ କରିବାକୁ ନିର୍ଦ୍ଦେଶ ଦେଲେ। ଏଥିପାଇଁ ତାକୁ ୧୦ ସ୍ୱର୍ଣ୍ଣମୁଦ୍ରା ଦେବାକୁ ପ୍ରଲୋଭନ ବି ଦେଖାଇଲେ। ଏପରି ଧୃଷ୍ଟତା ନିମନ୍ତେ ତା’ର ଜୀବନ ଯିବାର ଭୟ ଥିବାରୁ ପରିଚାରିକା ପ୍ରଥମେ ବୀରବଲଙ୍କ ପ୍ରସ୍ତାବରେ ସମ୍ମତ ହେଲା ନାହିଁ। ମାତ୍ର ବୀରବଲ ତାକୁ ଅଭୟ ଆଶ୍ୱାସନା ଦେବା ପରେ ସେ ସମ୍ରାଟଙ୍କ ଶୟନକକ୍ଷରେ ତାଙ୍କ ବିଛଣାରେ ଶୋଇବା ନିମନ୍ତେ ରାଜି ହେଲା। ଆକବର ଶୟନକକ୍ଷକୁ ଆସିବା ବେଳକୁ ପରିଚାରିକା ଜଣକ ଘୋଡ଼ି ହୋଇ ତାଙ୍କ ଶେଯ ଉପରେ ଶୋଇଥିଲା; ମାତ୍ର ଏ କଥା ଆକବର ଜାଣିବେ କିପରି? ସେ ଭାବିଲେ ବେଗମ୍‌‌ ହୁଏତ କ୍ଲାନ୍ତ ହୋଇ ନିଦ୍ରା ଯାଇଛନ୍ତି। ତେଣୁ ସେ ନିଦ୍ରିତା ରମଣୀଙ୍କ ସହ କୌଣସି ବାକ୍ୟବ୍ୟୟ ନ କରି ନିଜ ବିଛଣାରେ ବିଶ୍ରାମ ନେଲେ। କିଛିସମୟ ପରେ କାହାର ଚିତ୍କାରରେ ଆକବରଙ୍କ ନିଦ ଭାଙ୍ଗିଗଲା। ସେ ଦେଖିବା ବେଳକୁ କକ୍ଷ ମଧ୍ୟରେ ବେଗମ୍ ଠିଆ ହୋଇ କ୍ରୋଧରେ ଚିତ୍କାର କରୁଛନ୍ତି ଏବଂ ତାଙ୍କ ଶଯ୍ୟାରେ ପରିଚାରିକା ଶୋଇଛନ୍ତି। ସମ୍ରାଟ ଆକବର ହଠାତ୍‌‌ କିଛି ବୁଝି ପାରିଲେ ନାହିଁ।

ଜଣେ ପରିଚାରିକାକୁ ଶଯ୍ୟାସଙ୍ଗିନୀ କରିଥିବା ଯୋଗୁଁଁ ବେଗମ୍‌‌ କ୍ରୋଧାନ୍ୱିତ ହୋଇ ସମ୍ରାଟ ଆକବରଙ୍କୁ ଭର୍ତ୍ସନା କରି ଚାଲିଥା’ନ୍ତି। ଆକବର ଯେତେ ବୁଝାଇବାକୁ ଚେଷ୍ଟା କଲେ ବି ବେଗମ୍‌‌ କିଛି ବୁଝୁ ନ ଥା’ନ୍ତି। ସେ ଆଖିରେ ଦେଖିଥିବା କଥା କେବେ ମିଛ ହୋଇ ନ ପାରେ ବୋଲି କହୁଥା’ନ୍ତି। ଏହି ସମୟରେ ବୀରବଲଙ୍କର ଆବିର୍ଭାବ ଘଟେ। ଉଭୟ ବେଗମ୍‌‌ ଓ ଆକବରଙ୍କୁ ସେ ସବୁ ଘଟଣା ବୁଝାଇ ଦିଅନ୍ତି। ସମ୍ରାଟଙ୍କ ସହ ପରିଚାରିକାର କୌଣସି ସମ୍ପର୍କ ନାହିଁ। ଆକବର ଯେପରି ପରିଚାରିକାକୁ ବେଗମ୍‌‌ ମନେକରି ତାଙ୍କ ସହ ବିଶ୍ରାମ ନେଇଥିଲେ, ସେହିପରି ସମ୍ପୂର୍ଣ୍ଣ ଘଟଣା ନ ଜାଣି କେବଳ ଆଖିରେ ଦେଖିଥିବା କଥାକୁ ବେଗମ ସତ୍ୟ ମନେ କରିବା ଅସତ୍ୟ ବୋଲି ବୀରବଲ ପ୍ରମାଣ କରିଦିଅନ୍ତି। ଅର୍ଥାତ୍‌‌ ଅନେକ ସମୟରେ ପ୍ରାୟୋଜିତ ମିଛ ବି ସତ୍ୟ ପରି ମନେ ହୁଏ। ଆକବର-ବୀରବଲଙ୍କ କଥା କେବଳ ଗୋଟିଏ ଉଦାହରଣ। ମାତ୍ର ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଆମ ସାମ୍ନାରେ ଏମିତି ଅନେକ ଘଟଣା ଘଟେ, ଯାହା ମିଛ ହୋଇଥିଲେ ବି ସତ ପରି ଲାଗେ। ସିଧା ଭାଷାରେ କହିଲେ -‘ଆଖି ଦେଖା ମିଛ’। ମହାଭାରତର ‘ନରେ ବା ଗୁଞ୍ଜରେ ଅଶ୍ୱସ୍ଥାମା ହତଃ’ଠାରୁ ବଡ଼ ଉଦାହରଣ ବୋଧହୁଏ ଆଉ କିଛି ନାହିଁ। ବିଡ଼ମ୍ୱନା ହେଉଛି ସତ୍ୟ ସାବ୍ୟସ୍ତ କରିବାକୁ ପ୍ରମାଣ ଲୋଡ଼ାପଡ଼େ, ମାତ୍ର ମିଥ୍ୟା ପାଇଁ କେବେ ପ୍ରମାଣର ଆବଶ୍ୟକତା ପଡ଼େ ନାହିଁ।

ସାମ୍ୱାଦିକତା କେବେ ଯେ ସମ୍ପୂର୍ଣ୍ଣ ନିରପେକ୍ଷ ଥିଲା, ଏ ଉଲ୍ଲେଖ କରିବା ଧୃଷ୍ଟତା ହେବ। ପକ୍ଷପାତ ଓ ନିରପେକ୍ଷତା ମଧ୍ୟରେ ସୂକ୍ଷ୍ମ ପାର୍ଥକ୍ୟ ସାମ୍ୱାଦିକତାକୁ ସବୁବେଳେ ବିବଦମାନ ଓ ସାମ୍ୱାଦିକ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ଆସିଛି। ଯେଉଁ ଖବରରେ ଯାହାର ସ୍ୱାର୍ଥହାନି ହୁଏ, ସେ ସର୍ବଦା ସାମ୍ୱାଦିକ ଓ ଗଣମାଧ୍ୟମ ପ୍ରତି ସ୍ୱାଭାବିକ ଅଙ୍ଗୁଳି ଉଠାଇଥାଏ। ମାତ୍ର ନିଜକୁ ଚର୍ଚ୍ଚିତ ଓ ପ୍ରସିଦ୍ଧ କରିବା ପାଇଁ ସାମ୍ୱାଦିକଟି କେବେ ନିଜ ବୃତ୍ତିର ଅସମ୍ମାନ କରିବା ପୂର୍ବରୁ ଦେଖିବାକୁ ମିଳୁ ନ ଥିଲା। ଅନେକ ନୀତିନିଷ୍ଠ ଗଣମାଧ୍ୟମ କର୍ତ୍ତୃପକ୍ଷ ଏପରି ଆଚରଣକୁ ସହ୍ୟ କରୁ ନ ଥିଲେ। ରାଜନୀତିରେ ପ୍ରବେଶ ପୂର୍ବରୁ ପାଖାପାଖÒ ଦୁଇ ଦଶନ୍ଧି ଧରି ସାମ୍ୱାଦିକତା କରିଛି। ବୃତ୍ତି ଦାୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଛି। ମୋର ସମସାମୟିକ ଅନେକ ସାମ୍ୱାଦିକ ବନ୍ଧୁ ଏବେ ବି ଅନେକ ଗଣମାଧ୍ୟମରେ ସକ୍ରିୟ। ଅନେକ ବନ୍ଧୁ ତ ବିଭିନ୍ନ ଗଣମାଧ୍ୟମରେ ବେଶ୍‌‌ ଉଚ୍ଚପଦରେ ଅବସ୍ଥାପିତ। ପରବର୍ତ୍ତୀ ସମୟରେ ତତ୍କାଳୀନ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବରେ ଗଣମାଧ୍ୟମ ସହ ଜଡ଼ିତ ଅନେକ ବନ୍ଧୁମାନଙ୍କ ସହ ମୋର ସମ୍ପର୍କ ରହିଛି। ତିନି ଦଶନ୍ଧି ତଳର ସାମ୍ୱାଦିକତା ସହ ବର୍ତ୍ତମାନ ସମୟର ସାମ୍ୱାଦିକତାକୁ ତୁଳନା କଲେ ଅନେକ ସମୟରେ କଷ୍ଟ ଲାଗେ, ନିରାଶ ହେବାକୁ ପଡ଼େ; ମାତ୍ର ଏଥିରେ ସମ୍ପୃକ୍ତ ସାମ୍ୱାଦିକଟିକୁ ବି କିପରି ଦୋଷ ଦିଆଯିବ? ନିଜ ପରିବାର ପ୍ରତିପୋଷଣ ପାଇଁ ତା’କୁ ମାଲିକର ନିର୍ଦ୍ଦେଶକୁ ଅନୁପାଳନ କରିବାକୁ ତ ପଡ଼ିବ। ଚାବି ଦିଆ କଣ୍ଢେଇ ପରି ସେ ନିଜ ମାଲିକର ନିର୍ଦ୍ଦେଶ ଅନୁସାରେ ନାଚିବାକୁ ବାଧ୍ୟ। ମାଲିକ ଚାହୁଁଥିବା ଅନୁସାରେ ଖବର ପ୍ରସ୍ତୁତ କରିବାକୁ ପଡ଼ିବ, ସେଠାରେ ବିବେକର ସ୍ଥାନ କାହିଁ? ସେହିପରି କିଛି ସାମ୍ୱାଦିକ ନିଜ ବର୍ହିଃ ପ୍ରାୟୋଜକଙ୍କ ତୁଷ୍ଟୀକରଣ ଓ ସ୍ୱାର୍ଥ ସାଧନ ନିମନ୍ତେ ନିଜ ସଂସ୍ଥା ଓ କର୍ତ୍ତୃପକ୍ଷଙ୍କୁ ବ୍ୟବହାର କରିବାକୁ ସକ୍ଷମ ହୋଇଥା’ନ୍ତି, ମାତ୍ର ଏପରି ଉଦାହରଣ ଅତ୍ୟନ୍ତ ନଗଣ୍ୟ।

ମନ ସତ୍ୟ ବା ମିଥ୍ୟା ସୃଷ୍ଟି କରେ ନାହିଁ। ସେଥିପାଇଁ ନିଜ ସ୍ୱାର୍ଥ ପାଇଁ ଚତୁର ବ୍ୟକ୍ତି ମିଛକୁ ସତ ଓ ସତକୁ ମିଛ ରୂପେ ପ୍ରମାଣିତ କରିବାକୁ ସମର୍ଥ ହୁଅନ୍ତି। ଦୁର୍ବଳମନା ମଣିଷର ମସ୍ତିଷ୍କରେ ଏହାକୁ ଭର୍ତ୍ତିି କରିବାକୁ ଏହି ଚତୁର ବ୍ୟକ୍ତିମାନଙ୍କୁ ଆଦୌ କଷ୍ଟ କରିବାକୁ ପଡ଼େ ନାହିଁ। ମନ କେବଳ ବିଶ୍ୱାସ ସୃଷ୍ଟି କରେ ଓ ଚତୁର ଲୋକମାନେ ତାହାର ସୁଯୋଗ ନେଇ ସତ୍ୟକୁ ମିଥ୍ୟା ଓ ମିଥ୍ୟାକୁ ସତ୍ୟ ବୋଲି ପ୍ରମାଣ କରିବାକୁ ସକ୍ଷମ ହୋଇଥା’ନ୍ତି। ଯେମିତି ମ୍ୟାଜିସିଆନ ଓ ମାଇଣ୍ଡରିଡରମାନେ ଆଜିକାଲି ଲୋକର ମନ ଓ ମସ୍ତିଷ୍କକୁ ପ୍ରଭାବିତ କରିପାରୁଛନ୍ତି, ସେମିତି ମିଛକୁ ସତ୍ୟରେ ପରିଣତ କରିବାକୁ ଚତୁର ଲୋକମାନେ ଅନୁରୂପ ଢାଞ୍ଚା ପ୍ରୟୋଗ କରିଥା’ନ୍ତି। ଏହି ବ୍ୟକ୍ତି ବା ବ୍ୟକ୍ତିସମୂହ ଦୁଷ୍ପ୍ରଚାର ବା ପ୍ରୋପାଗଣ୍ଡାକୁ ଏବେ ନିଜର ନୀତିରେ ପରିଣତ କରିଛନ୍ତି। ଏପରିକି ବ୍ୟକ୍ତିଗତ ସ୍ୱାର୍ଥସାଧନ ପାଇଁ ଏପ୍ରକାର ଦୁଷ୍ପ୍ରଚାରକୁ ପ୍ରୋତ୍ସାହିତ କରାଯାଉଛି। ଭୁଲ ସୂଚନା, ଭୁଲ ତଥ୍ୟ, ମିଛ ଖବର ଜରିଆରେ ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରାଯାଉଛି। ଦୁଷ୍ପ୍ରଚାର ବା ପ୍ରୋପାଗଣ୍ଡା ପାଇଁ ସ୍ୱତନ୍ତ୍ର ଟିମ୍‌‌ ଗଠନ କରାଯାଉଛି। ଭୁଲ ନ୍ୟାରେଟିଭ ପ୍ରସ୍ତୁତ ହେଉଛି। ଘଟୁଥିବା ଘଟଣାର ଭୁଲ ତର୍ଜମା କରିବା ଓ ବାସ୍ତବତାକୁ ଗୋପନ ରଖି ମିଛ ପ୍ରଚାର କରିବାକୁ କୁହାଯାଉଛି। ସେଠାରେ ନୀତି ନୈତିକତା ନାହିଁ, ତଥ୍ୟ ଓ ତର୍କର ସ୍ଥାନ ନାହିଁ। ଗତ ନିର୍ବାଚନ ସମୟରେ ଏପରି କିଛି ଘଟଣାରେ ମିଛର ରଙ୍ଗ ମାଖି ଏଥିରୁ ଫାଇଦା ଉଠାଇବାକୁ ନିର୍ଦ୍ଦିଷ୍ଟ କିଛିି ଗଣମାଧ୍ୟମ ମାଲିକ ଦୁଷ୍ପ୍ରଚାର ଜରିଆରେ ନିଜ ଫାଇଦା ବି ଉଠାଇଛନ୍ତି। ପରିଣତିସ୍ୱରୂପ ବୌଦ୍ଧିକତା ଉପହସିତ ହେଉଛି, ଖବର ଗୁରୁତ୍ୱ ହରାଉଛି ଓ ଗଣମାଧ୍ୟମ ନିଜର ସମ୍ମାନ। ଗଣମାଧ୍ୟମ ପ୍ରତିନିଧି ବା ସାମ୍ୱାଦିକଙ୍କୁ ଏବେ ଲୋକମାନେ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ମିଛ ଏଜେଣ୍ଡା, ପ୍ରୋପାଗଣ୍ଡା ଖବର ପରିବେଷଣ ଯୋଗୁଁଁ ପାରମ୍ପରିକ ଗଣମାଧ୍ୟମ ସାମାଜିକ ଗଣମାଧ୍ୟମଠାରୁ ପଛରେ ପଡ଼ି ଯାଇଛି। ଦୃଶ୍ୟ ଗଣମାଧ୍ୟମଗୁଡ଼ିକ କ୍ରମାଗତ ଭାବରେ ଦର୍ଶକଙ୍କ ଦ୍ୱାରା ଅଗ୍ରହଣୀୟ ହେବାରେ ଲାଗିଛି। ମୁଦ୍ରିତ ଗଣମାଧ୍ୟମ ବି ପାଠକଙ୍କ ଆଦର ହରାଉଛି। ପରିଣାମ ସ୍ୱରୂପ ଖବର ଶିଳ୍ପ ଏବେ ନିମ୍ନଗାମୀ ହେବାରେ ଲାଗିଛି। ତଥାକଥିତ ଟିଆରପିରେ ଓଡ଼ିଶାରେ ଏକଦା ଶୀର୍ଷ ସ୍ଥାନ ଅଧିକାର କରିଥିବା ବୈଦ୍ୟୁତିକ ଗଣମାଧ୍ୟମର ସ୍ଥିତି ଆଜି କେଉଁ ସ୍ଥାନରେ ଅଛି, ତାହା କାହାକୁ ଅଜଣା ନାହିଁ। ଏହି କଥିତ ବଡ଼ ବୈଦ୍ୟୁତିକ ଗଣମାଧ୍ୟମର ଟିଆରପି କେଇମାସ ମଧ୍ୟରେ ଦୁଇ-ତୃତୀୟାଂଶ ଖସି ୩୦ରୁ ୪୦ ମଧ୍ୟରେ ଅଟକି ଯାଇଛି। ସେହିପରି ନିଜକୁ ବଡ଼ ତଥା ଅଗ୍ରଣୀ ଗଣମାଧ୍ୟମ ଦାବି କରୁଥିବା ଖବରକାଗଜର ବାସ୍ତବ ପ୍ରସାର ସଂଖ୍ୟା ନିଜ ଦାବିର କେଉଁଠି ଅଧେ ତ କେଉଁଠି ଚଉଠେ। କେଉଁଠି କେଉଁଠି ଏହି ସଂଖ୍ୟା ଏକ-ଦଶମାଂଶ, କେଉଁଠି ପୁଣି ୨୫ ଭାଗରୁ ଭାଗେ।

ବାସ୍ତବତା, ବାସ୍ତବଧର୍ମୀ ଖବର ପରିବର୍ତ୍ତେ ନିଜ ସ୍ୱାର୍ଥ ସାଧନ ପାଇଁ ଖବରକୁ ମୋଡ଼ି ମକଚି ପରଷିବାର ପରିଣାମ ଏବେ ଉଭୟ ସମ୍ୱାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମକୁ ଭୟଙ୍କର ପ୍ରଭାବିତ କରିଛି। ଅଧିକାଂଶ ସାଧାରଣ ଲୋକଙ୍କ ଘରେ ଏବେ ଟିଭିରେ ଖବର ଚ୍ୟାନେଲ ଦେଖାଯାଉ ନାହିଁ। ଏପରିକି ଅନେକ ବ୍ୟକ୍ତିଙ୍କ ଘରେ ଟେଲିଭିଜନ କେବଳ ସୋ ପିସ୍‌‌ ଭାବରେ ରଖାଯାଇଥିବା ଦେଖାଯାଉଛି। ଅନେକ ସଚେତନ ପାଠକ ଖବରକାଗଜରୁ ମୁହଁ ମୋଡ଼ିଛନ୍ତି, ଆର୍ଥିକ ସାମର୍ଥ୍ୟ ସତ୍ତ୍ବେ ଖବରକାଗଜ କିଣିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ବିଡ଼ମ୍ୱନା ହେଉଛି ଏଥିରୁ ଖବରକାଗଜ ଓ ଟିଭିର ମାଲିକମାନେ କିଛି ଶିକ୍ଷାଲାଭ କରୁନାହାନ୍ତି। ଏହା କେବଳ ଓଡ଼ିଶାର କଥା ନୁହେଁ, ସାରା ଦେଶରେ ସ୍ଥିତି ଏକା ପରି। ଯେଉଁଥିପାଇଁ ଏବେ ଖବର ଶିଳ୍ପ ଡିଜିଟାଲମୁହାଁ ହୋଇଛି। ଅନେକ ବୈଦ୍ୟୁତିକ ଗଣମାଧ୍ୟମ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଛି। ଆଉ ଏ ଦଶନ୍ଧି ଶେଷ ବେଳକୁ ସମ୍ୱାଦପତ୍ର ଶିଳ୍ପ କେଉଁଠି ପହଞ୍ଚି ଥିବ, ତାହା ଚିନ୍ତା କରିବା ବେଳକୁ ଭୟ ଲାଗୁଛି।

କ୍ଷତିକାରକ ଗଣମାଧ୍ୟମ ବିଷୟବସ୍ତୁଗୁଡ଼ିକ ଏକ ଷଡ଼ଯନ୍ତ୍ରକାରୀ ମାନସିକତାକୁ ଇନ୍ଧନ ଯୋଗାଏ, ଯାହା ସମାଜର ବିପୁଳ କ୍ଷତିସାଧନ କରିଥାଏ। ସାମଗ୍ରିକ ଓ ସାମାଜିକ ସ୍ୱାର୍ଥ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥକୁ ପୃଷ୍ଠପୋଷକତା ଯୋଗାଇଥାଏ। ମାତ୍ର ଅଧୋପତନ ବ୍ୟତୀତ ଏଥିରୁ କାହାକୁ ଅଧିକ କିଛି ମିଳେ ନାହିଁ। ପ୍ରସିଦ୍ଧ ମାର୍କିନ ଚିନ୍ତାନାୟକ ଓ ଦାର୍ଶନିକ ଫ୍ରେଡ଼ରିକ୍‌‌ ଜେମସନ ଯଥାର୍ଥରେ କହିଥିଲେ- ଦୁଷ୍ପ୍ରଚାର ବା ଷଡ଼ଯନ୍ତ୍ର ତତ୍ତ୍ୱ ହେଉଛି ଉତ୍ତର ଆଧୁନିକ ଯୁଗରେ ବୌଦ୍ଧିକ ଦରିଦ୍ର ବ୍ୟକ୍ତିଙ୍କ ଜ୍ଞାନାତ୍ମକ ମାନଚିତ୍ର। ଏହା ସେମାନଙ୍କର ଶେଷ ପୁଞ୍ଜି ଓ ସାମଗ୍ରିକ ଯୁକ୍ତିର ଅବନତ ଚିତ୍ର। ପରବର୍ତ୍ତୀ ବ୍ୟବସ୍ଥା ଓ ସମୟକୁ ପ୍ରତିନିଧିତ୍ୱ କରିବାର ଏକ ହତାଶାଜନକ ପ୍ରୟାସ। ଗଣମାଧ୍ୟମର ମାଲିକ ବା କର୍ତ୍ତୃପକ୍ଷମାନେ ଏହାକୁ ବୁଝିବା ଓ ଆତ୍ମସମୀକ୍ଷା କରିବା ଦରକାର। (କ୍ରମଶଃ…)

(ସାଂସଦ, ରାଜ୍ୟସଭା)

About The Author: The Sakala