ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାରରେ ଓଡ଼ିଶାର ଭୂମିକା ଅନନ୍ୟ ଓ ଅନୁପମ। ଓଡ଼ିଶାର ଦୁଇଜଣ ବଣିକ ତପସୁ ଓ ଭଲ୍ଲିକ ବୋଧଗୟାଠାରେ ସଦ୍ୟ ସମ୍ଭୋଧିପ୍ରାପ୍ତ ବୁଦ୍ଧଦେବଙ୍କୁ ପ୍ରଥମେ ଦର୍ଶନ କରିଥିଲେ ଏବଂ ତାଙ୍କର କେଶ ଓ ନଖ ଆଣି ସ୍ୱବାସସ୍ଥାନ ଆସିୟା ନଗରୀସ୍ଥ ତାରାପୁର(ଜାରକା ନିକଟସ୍ଥ) ଅନୁଚ୍ଚ ପାହାଡ଼ରେ କେଶସ୍ତୂପ ପ୍ରତିଷ୍ଠା କରିଥିଲେ। ସେହି କେଶସ୍ତୂପ ହେଉଛି ବିଶ୍ୱର ପ୍ରଥମ ବୌଦ୍ଧସ୍ତୂପ। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରୁ ଆସିୟାନଗରୀ ବା ଅସିତାଞ୍ଜନ ନଗରୀର ବିଭିନ୍ନ ସ୍ଥାନରେ ବୌଦ୍ଧସ୍ତୂପ, ଚୈତ୍ୟ ଓ ବିହାର ପ୍ରତିଷ୍ଠିତ ହୋଇ ବୌଦ୍ଧ ଧର୍ମର ବ୍ୟାପକ ପ୍ରସାର ଘଟିଥିଲା। ମହତ୍ତ୍ୱପୂର୍ଣ୍ଣ ହେଉଛି ଓଡ଼ିଶାର ଏହି ଅଞ୍ଚଳରେ ସ୍ଥାପିତ ବହୁ ବୌଦ୍ଧପୀଠ ମଧ୍ୟରୁ ରତ୍ନଗିରି, ଉଦୟଗିରି, ଲଳିତଗିରି ଓ ପୁଷ୍ପଗିରି ବୌଦ୍ଧତନ୍ତ୍ରର ଚତୁଷ୍ପୀଠ ସ୍ୱରୂପରେ ଭାରତରେ ମାନ୍ୟତା ଲାଭ କରିଥିଲା। ଏହି ଚତୁଷ୍ପୀଠ ମଧ୍ୟରୁ ପୁଷ୍ପଗିରି ବୌଦ୍ଧ ପ୍ରଜ୍ଞାପୀଠ ଭାବରେ ବିଶ୍ୱବିଦିତ।
ପ୍ରାଚୀନ ଯୁଗରୁ ପୁଷ୍ପଗିରି ମହାବିହାର ପ୍ରତିଷ୍ଠା ହୋଇଥିଲେ ହେଁ ଚତୁର୍ଥ ଶତାବ୍ଦୀରୁ ଏହା ଭାରତର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦାରେ ଭୂଷିତ ହୋଇଥିଲା। ଏହି ବିଶ୍ୱବିଦ୍ୟାଳୟରେ ଯୋଗାଚାର, ବଜ୍ରଯାନ, ସହଜଯାନ, କାଳଚକ୍ରଯାନ ଓ ବୌଦ୍ଧତନ୍ତ୍ରର ବିଜ୍ଞାନବାଦ ଶିକ୍ଷା ଦିଆଯାଉଥିଲା। ଭାରତର ବିଭିନ୍ନ ଅଞ୍ଚଳ, ତିଦ୍ଦତ, ଚୀନ୍, ସିଂହଳ ଓ ଜାପାନ ପ୍ରଭୃତି ଦେଶରୁ ଛାତ୍ରମାନେ ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ସପ୍ତମ ଶତାବ୍ଦୀରେ ପ୍ରସିଦ୍ଧ ଚୀନ୍ ପରିବ୍ରାଜକ ହୁଏନ୍ସାଂ ଏହି ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ବିସ୍ମୟାଭିଭୂତ ହୋଇଯାଇଥିଲେ। ସେହି ସମୟରେ ଏହି ବିଶ୍ୱବିଦ୍ୟାଳୟ ଅନ୍ତର୍ଜାତୀୟ ପ୍ରସିଦ୍ଧି ଲାଭ କରିସାରିଥିଲା। ହୁଏନ୍ସାଂ ଏହାର ବିହାର, ସ୍ତୂପ, ଚୈତ୍ୟ ପ୍ରଭୃତି ମନୁଷ୍ୟ ନିର୍ମାଣ କରିଥିବା ବିଶ୍ୱାସ କରିପାରି ନ ଥିଲେ। ତାଙ୍କ ମତରେ ଯକ୍ଷମାନେ ଏହି ବିଶାଳ ବିହାର, ସ୍ତୂପ ଓ ଚୈତ୍ୟ ପ୍ରଭୃତି ନିର୍ମାଣ କରିଥିଲେ। ଅଧିକନ୍ତୁ ପୁଷ୍ପଗିରିରେ ଥିବା ଧାତୁସ୍ତୂପର ଅଲୌକିକତାରେ ହୁଏନ୍ସାଂ ମୋହିତ ହୋଇଯାଇଥିଲେ। ପୂର୍ବରୁ ସେ ପୁଷ୍ପଗିରିର ପ୍ରଶସ୍ତି ଶୁଣିଥିଲେ ମଧ୍ୟ ପରିଦର୍ଶନ କରିବା ପରେ ବିସ୍ମୟ ଓ ମୋହାଚ୍ଛନ୍ନ ହୋଇ ତଥାଗତଙ୍କୁ ଆଭୂମ ପ୍ରଣତି ଜଣାଇଥିଲେ। ହୁଏନ୍ସାଂ ଚୀନ୍ ଭାଷାରେ ପୁଷ୍ପଗିରିକୁ ‘ପୁଷି-ପୋ-କି-ଲି’ ବୋଲି ଲେଖିଛନ୍ତି। ବିଶ୍ୱବିଖ୍ୟାତ ନାଳନ୍ଦା ବିଶ୍ୱିଦ୍ୟାଳୟରେ ଅଧ୍ୟୟନ କରିସାରିବା ପରେ ମଧ୍ୟ ଛାତ୍ରଗଣ ଉଚ୍ଚତର ଅଧ୍ୟୟନ ନିମିତ୍ତ ପୁଷ୍ପଗିରି ଆସୁଥିଲେ। ରାହୁଳଭଦ୍ର, ଶାନ୍ତରକ୍ଷିତ, ପଦ୍ମସମ୍ଭବ, ଇନ୍ଦ୍ରଭୂତି, ଅନଙ୍ଗବଜ୍ର, ଲକ୍ଷ୍ମୀକରା, ପୀତୋପାଦ, ସରହପାଦ, କୃଷ୍ଣାଚାର୍ଯ୍ୟ, ବୋଧିଶ୍ରୀ, ନାରେପା ପ୍ରଭୃତି ଲବ୍ଧପ୍ରତିଷ୍ଠ ବିଦ୍ୱାନ ଓ ସିଦ୍ଧବୃନ୍ଦ ଏଠାରେ ଅଧ୍ୟାପକ ଥିଲେ। ପ୍ରସିଦ୍ଧ ଚାରଣସନ୍ଥ ଧର୍ମରକ୍ଷିତ ପୁଷ୍ପଗିରିରେ କିଛିକାଳ ନିବାସ କରିଥିଲେ ଏବଂ ନିକଟସ୍ଥ ଭୋଜକଗିରିରେ ସନ୍ନ୍ୟାସ ଜୀବନଯାପନ କରୁଥିବା ଅଶୋକଙ୍କ ଭାଇ ତିସ୍ସଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ। ବୌଦ୍ଧଶାସ୍ତ୍ର ‘ଗଣ୍ଡବ୍ୟୂହ’ରୁ ଜଣାଯାଏ, ଭ୍ରାମ୍ୟମାଣ ପରିବ୍ରାଜକ ସର୍ବଗାମୀ, ପୁଷ୍ପଗିରିରେ କିଛିକାଳ ଅଧ୍ୟାପନା କରିବା ସହିତ ସୁଗନ୍ଧ ପୁଷ୍ପଭରା ସୁରଭଗିରିରେ ନିବାସ କରୁଥିଲେ ଏବଂ ସାଧିକା ଅଚଳାସ୍ଥିରାଙ୍କ ଶିଷ୍ୟ ସୁଧର କୁମାର ବହୁ କଷ୍ଟରେ ଶ୍ରାବସ୍ତୀରୁ ସୁରଭଗିରି ଆସି ସର୍ବଗାମୀଙ୍କର ଦର୍ଶନ କରିଥିଲେ।
ଗବେଷକବୃନ୍ଦ ପ୍ରଥମେ ରତ୍ନଗିରିକୁ ହୁଏନ୍ସାଂଙ୍କ ବର୍ଣ୍ଣିତ ପୁଷ୍ପଗିରି ଭାବରେ ବିବେଚନା କରୁଥିଲେ। କିନ୍ତୁ ରତ୍ନଗିରିର ଭୂଖନନରୁ ‘ରତ୍ନଗିରି ଆର୍ଯ୍ୟ ଭିକ୍ଷୁସଂଘ’ ସିଲ୍ ମିଳିବା ପରେ ତାହା ପୁଷ୍ପଗିରି ନୁହେଁ ବୋଲି ଜଣାପଡ଼ିଲା। ତଦନୁରୂପ ଉଦୟଗିରି ଭୂଖନନରୁ ‘ସିଂହପ୍ରସ୍ଥ ମହାବିହାର’ ଓ ‘ମାଧବପୁର ମହାବିହାର’ ସିଲ୍ ମିଳିବା ପରେ ଏହା ମଧ୍ୟ ପୁଷ୍ପଗିରି ନୁହେଁ ବୋଲି ଜଣାପଡ଼ିଲା। ଲତିତଗିରିରେ ଥିବା ଦୁଇଟିଯାକ ବୌଦ୍ଧବିହାରରୁ ଗୋଟିଏ ‘ଲଳିତଗିରି ବିହାର’ ଓ ଅନ୍ୟଟି ‘ଚନ୍ଦ୍ରାଦିତ୍ୟ ବିହାର’ ହୋଇଥିବାରୁ ଗବେଷକବୃନ୍ଦ ପୁଷ୍ପଗିରି ଅବସ୍ଥିତିକୁ ନେଇ ଚିନ୍ତାପ୍ରକଟ କଲେ। ଆସିଆ ପର୍ବତମାଳାର ପ୍ରତ୍ୟେକଟି ଗିରିରେ ବୌଦ୍ଧପୀଠ ରହିଥିଲା। ତନ୍ମଧ୍ୟରୁ କେଉଁଟି ପୁଷ୍ପଗିରି ବିହାର ତାହା ନିର୍ଣ୍ଣୟ ହୋଇପାରୁନଥିଲା। ନିକଟ ଅତୀତରେ ଲାଙ୍ଗୁଡ଼ି ପାହାଡ଼ରୁ ପ୍ରାପ୍ତ ଅବଶେଷରୁ ବିହାର, ସ୍ତୂପ ଓ ଚୈତ୍ୟ ସହିତ ‘ଶ୍ରୀ ପୁଷ୍ପସରା ଗିରୟ’ ଅଭିଲେଖ ପ୍ରାପ୍ତ ହୋଇଥିବାରୁ ଗବେଷକମାନେ ନିଶ୍ଚିତ ହେଲେ ଯେ ଲାଙ୍ଗୁଡ଼ି ପାହାଡ଼ ହିଁ ହୁଏନ୍ସାଂଙ୍କ ବର୍ଣ୍ଣିତ ପୁଷ୍ପଗିରି ଥିଲା। ଏ ସଂପର୍କରେ ଅଧିକ ଅନୁସନ୍ଧାନ ଜାରି ରହିଛି।
ଅଦ୍ୟାବଧି ଲାଙ୍ଗୁଡ଼ି ପାହାଡ଼ର ତିନିଗୋଟି ସ୍ଥାନରେ ଖନନ କରାଯାଇଛି। ଏହି ପାହାଡ଼ର ଉତ୍ତର-ପୂର୍ବ କୋଣରୁ ବିଧ୍ୱସ୍ତପ୍ରାୟ ସ୍ତୂପ ଓ ଭଗ୍ନ ସ୍ତମ୍ଭ ମିଳିଅଛି, ଯେଉଁଗୁଡ଼ିକ ସୁଙ୍ଗ ରାଜବଂଶକାଳୀନ ଅର୍ଥାତ ଖ୍ରୀଷ୍ଟପୂର୍ବକାଳୀନ କୀର୍ତ୍ତି। ଏଠାରୁ ଅନୁମାନ କରାଯାଉଛି, ଅଶୋକଙ୍କ ରାଜତ୍ୱରେ ପୁଷ୍ପଗିରି ବିହାର ପ୍ରତିଷ୍ଠା କରାଯାଇଥିଲା। ସେହି ସ୍ଥାନରୁ ପ୍ରସ୍ତର ପାବଚ୍ଛ ଓ ଇଟାରେ ନିର୍ମିତ ଚଟାଣ ମିଳିଛି। ପାହାଡ଼ର ପୂର୍ବ-ଦକ୍ଷିଣ କୋଣରୁ ମଧ୍ୟ କେତୋଟି ପଥର ସ୍ତୂପର ସନ୍ଧାନ ମିଳିଛି। ଏଠାରୁ ଧ୍ୟାନମୁଦ୍ରା ଓ ଭୂମିସ୍ପର୍ଶମୁଦ୍ରାର ଦୁଇଗୋଟି ବୁଦ୍ଧମୂର୍ତ୍ତି ମିଳିଛି। ପୂର୍ବଦିଗରେ ଦୁଇଟି ଉତ୍ତରାଭିମୁଖୀ ସ୍ତୂପ ମିଳିଛି, ଯେଉଁଠାରେ ଛତ୍ର ବିଦ୍ୟମାନ। ଏହି ଦୁଇ ସ୍ତୂପ ମଧ୍ୟରେ ଗୋଟିଏ ଧ୍ୟାନୀବୁଦ୍ଧ ମୂର୍ତ୍ତ ବିରାଜିତ। ଏଠାରେ ଥିବା କାନ୍ଥରେ ବହୁ ପଦ୍ମଫୁଲ ଅଙ୍କିତ ତଥା ପଥରରେ ‘ଶ୍ରୀ ପୁଷ୍ପସଭା ଗିରୟ’ ଉତ୍କୀର୍ଣ୍ଣ ହୋଇଛି। ଏହି ଲିପି ଡକ୍ଟର ବିଏନ୍ ମୁଖାର୍ଜୀଙ୍କ ଦ୍ୱାରା ପଠିତ। ତାଙ୍କ ଦ୍ୱାରା ଆବିଷ୍କୃତ ଶିଳାଲେଖରୁ ଆପାତତଃ ପ୍ରମାଣ ମିଳିଛି ଯେ ଏହା ହିଁ ହୁଏନ୍ସାଂ ଓ ନାଗାର୍ଜୁନ କୋଣ୍ଡା ବର୍ଣ୍ଣିତ ପୁଷ୍ପଗିରି। ଲାଙ୍ଗୁଡ଼ି ପାହାଡ଼ରୁ ମୌର୍ଯ୍ୟଯୁଗୀୟ, ଗୁପ୍ତଯୁଗୀୟ ଓ ଭୌମକର ଯୁଗୀୟ ଅନେକ ପ୍ରତ୍ନବିଭବ ମିଳିଛି। ପ୍ରମାଣିତ ହୁଏ ମୌର୍ଯ୍ୟଯୁଗରେ ଅର୍ଥାତ୍ ମହାଯାନ ଚେତନାର ଉନ୍ମେଷ ପୂର୍ବରୁ ଲାଙ୍ଗୁଡ଼ି ପାହାଡ଼ରେ ପୁଷ୍ପଗିରି ବୌଦ୍ଧବିହାର ପ୍ରତିଷ୍ଠିତ ହୋଇଥିଲା। ପରବର୍ତ୍ତୀ କାଳରେ ଏହି ବିହାରରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହୋଇ ଅନ୍ତର୍ଜାତୀୟ ପ୍ରସିଦ୍ଧି ଅର୍ଜନ କରିଥିଲା। ସମ୍ଭବତଃ, ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ତକ୍ଷଶୀଳା ବିଶ୍ୱବିଦ୍ୟାଳୟର ସମକାଳୀନ ଏବଂ ନାଳନ୍ଦା ବିଶ୍ୱବିଦ୍ୟାଳୟ ପୂର୍ବରୁ ପ୍ରତିଷ୍ଠିତ। ବୌଦ୍ଧଧର୍ମରେ ମହାଯାନ ଚେତନାର ଉନ୍ମେଷ ଘଟିବା ପରେ ପୁଷ୍ପଗିରି ବିଖ୍ୟାତ ବୌଦ୍ଧତନ୍ତ୍ରପୀଠ ରୂପେ ଖ୍ୟାତି ଲାଭ କରିଥିଲା ତଥା ବୌଦ୍ଧତନ୍ତ୍ରର ପ୍ରତ୍ୟେକ ବିଭାଗ ଉପରେ ଛାତ୍ରମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଥିଲା। ଭାରତର ବିଭିନ୍ନ ପ୍ରାନ୍ତରରୁ ତଥା ବିଦେଶରୁ ଛାତ୍ରମାନେ ଆସି ଏଠାରେ ଅଧ୍ୟୟନ କରୁଥିଲେ।
ଲାଙ୍ଗୁଡ଼ି ପାହାଡ଼ ନିକଟରେ ଥିବା କାଏମା ପାହାଡ଼ ମଧ୍ୟ ବୌଦ୍ଧପୀଠ ଥିଲା। ସେଠାରୁ ମିଳିଥିବା ପ୍ରତ୍ନବିଭବରୁ ପ୍ରମାଣିତ ହୁଏ ଯେ ଏହି ବିହାର ଅଶୋକଙ୍କ ଦ୍ୱାରା ତାଙ୍କ ସାନଭାଇ ବୌଦ୍ଧସନ୍ନ୍ୟାସୀ ତିସସ୍ଙ୍କ ନିମିତ୍ତ ନିର୍ମିତ। ଏହାକୁ ଭୋଜକଗିରି ବିହାର କୁହାଯାଉଥିଲା। କାଏମା ପାହାଡ଼ରୁ ହସ୍ତୀମୂର୍ତ୍ତି, ପାଞ୍ଚଗୋଟି ଗୁମ୍ଫା, ଦୁଇଟି ବୌଦ୍ଧବିହାର, ଦୁଇଟି ସ୍ତୂପ, ଶିଳାଲିପି, ଶଙ୍ଖଲିପି ଓ ଅନ୍ୟାନ୍ୟ ବହୁ ଭଗ୍ନ ପ୍ରତ୍ନବିଭବ ପ୍ରାପ୍ତ ହୋଇଅଛି। ହସ୍ତୀ ପ୍ରତିମାର ସମ୍ମୁଖ ନିମ୍ନଭାଗରେ ‘ଗଜରାଜ’ ଓ ପଥର ବେଞ୍ଚରେ ‘ତୀସ’ ଉଲ୍ଲିଖିତ। ଏହି ଭୋଜକଗିରି ହିଁ ପ୍ରାଚୀନ ବୌଦ୍ଧଶାସ୍ତ୍ର ‘ଗଣ୍ଡବ୍ୟୂହ’ ବର୍ଣ୍ଣିତ ‘ସୁରଭଗିରି’, ଯହିଁରେ ପ୍ରସିଦ୍ଧ ବୌଦ୍ଧ ସନ୍ନ୍ୟାସୀ ସର୍ବଖମିନୀ ନିବାସ କରୁଥିଲେ ମଞ୍ଜୁଶ୍ରୀ ଓ ଅଚଳସ୍ଥିରାଙ୍କ ଶିଷ୍ୟ ସୁଧନ କୁମାର ଶ୍ରାବସ୍ତୀରୁ ଆସି ତାଙ୍କୁ ଦର୍ଶନ କରିଥିଲେ। ରାଜ୍ୟ ସଂସ୍କୃତି ବିଭାଗ ଅଧୀନରେ ଦକ୍ଷିଣ-ପୂର୍ବ ଏସୀୟ ନୌବାଣିଜ୍ୟ ଗବେଷଣାକେନ୍ଦ୍ର ଏହାର ଖନନ ଦାୟିତ୍ୱ ନେଇଛନ୍ତି। ଏହା ସଂପୂର୍ଣ୍ଣ ହେଲେ ଭୋଜକଗିରି ବା ସୁରଭଗିରି ସଂପର୍କରେ ଅଧିକ ତଥ୍ୟ ଲୋକଲୋଚନକୁ ଆସିବାର ସମ୍ଭାବନା ରହିଛି। ଏତଦ୍ଭିନ୍ନ ଆସିଆ ପର୍ବତମାଳାର ବଜ୍ରଗିରିରେ ମଧ୍ୟ ଏକ ବୌଦ୍ଧପୀଠ ରହିଥିଲା।
ବୌଦ୍ଧତନ୍ତ୍ର ପ୍ରଭାବରେ ଆସିଆ ପର୍ବତମାଳା ଅଞ୍ଚଳ ଅର୍ଥାତ୍ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ଅବବାହିକାରେ ଅଗଣିତ ବୌଦ୍ଧତନ୍ତ୍ର ପୀଠ ଗଢ଼ି ଉଠିଥିଲା। ତନ୍ମଧ୍ୟରେ ତାରାପୁର, ମହାକାଳପଡ଼ା, ଆସିଆ, ଗଣ୍ଡିଆ, କପିଳା, ଏରଡ଼ା, ତରଙ୍ଗ, ହାଟପାଟଣା, ଆଲୀବାଗ, ବିରଜାହାଟ, ସନ୍ଥମାଧବ, ଯାଉଁଳିବନ୍ଧ, ଡିହକୁଳା, ପ୍ରୀତିପୁର, ଜରି, ଟିଣା, ସସିରଣା, କୁଆଁସ, ନାଳନ୍ଦା, ମଙ୍ଗଳପୁର, ବାଲିଆପାଳ, ଡୁବୁରୀ, ମହାଗିରି, ଗୋକର୍ଣ୍ଣେସ୍ୱର, ଦେଉଳୀ, ନଠୁଆବର, ପଞ୍ଚୁଲି, ରାଧାନଗର, କଣ୍ଟିଗଡ଼଼ିଆ, ବଜ୍ରଗିରି, ଅଳତିଗିରି ପ୍ରଭୃତି ବୌଦ୍ଧପୀଠ ପ୍ରସିଦ୍ଧ ଥିଲା। ରତ୍ନଗିରିଠାରୁ ଦଶ କିଲୋମିଟର ଦୂରରେ ଅବସ୍ଥିତ ମହାକାଳପଡ଼ା କାଳଚକ୍ର ଯାନର ଅନ୍ୟତମ ପୀଠ ଥିଲା। ଏଠାରେ ଏକଶହ ଆଠ ଯୋନି ପୀଠରେ ଶିବଲିଙ୍ଗ ସ୍ଥାପନା ହୋଇ ମହାକାଳଙ୍କର ସ୍ୱତନ୍ତ୍ର ଉପାସନା ହେଉଥିଲା। ମୁସଲମାନ ଆକ୍ରମଣକାରୀଙ୍କ ଦ୍ୱାରା ପୀଠଟି ଧ୍ୱଂସ ପାଇଯାଇଛି। ପୁଷ୍ପଗିରିରେ ତନ୍ତ୍ରସିଦ୍ଧ ଓ ଗବେଷକଙ୍କ ଦ୍ୱାରା ବୌଦ୍ଧ ତନ୍ତ୍ରର ବୁଦ୍ଧକପାଳ ତନ୍ତ୍ର, ଯୋଗିନୀ ତନ୍ତ୍ର, ବଜ୍ର ତନ୍ତ୍ର, ସଂପୂଟକ ତନ୍ତ୍ର, ସହଜ ତନ୍ତ୍ର, କୃଷ୍ଣଯମାରି ତନ୍ତ୍ର, ବଜ୍ରାମୃତ ତନ୍ତ୍ର, ମହାମାୟା ତନ୍ତ୍ର, କାଳଚକ୍ର ତନ୍ତ୍ର ଓ ଚକ୍ରସମ୍ଭାର ତନ୍ତ୍ର ପ୍ରଭୃତି ବିଭାଗରେ ପ୍ରଶିକ୍ଷଣ ଦିଆଯାଉଥିଲା। ପ୍ରଶିକ୍ଷିତ ତନ୍ତ୍ରସାଧକବୃନ୍ଦ ଉପରୋକ୍ତ ପୀଠମାନଙ୍କରେ ନିବାସ କରି ଅନ୍ୟମାନଙ୍କୁ ତନ୍ତ୍ର ଶିକ୍ଷା ପ୍ରଦାନ କରୁଥିଲେ। ଫଳରେ ଓଡ଼ିଶା ମାଟିରେ ବୌଦ୍ଧ ତନ୍ତ୍ର ପଲ୍ଲବିତ, ପୁଷ୍ପିତ ଓ ସୁରଭିତ ହୋଇ ଭାରତ ବାହାରକୁ ବ୍ୟାପିଥିଲା। ଏହି ନୂତନ ତତ୍ତ୍ୱ ଓ ସଂବୋଧି ବୌଦ୍ଧଧର୍ମକୁ ବୈଭାଷିକ, ସୌତାନ୍ତ୍ରିକ, ଯୋଗାଚାର ଓ ମାଧ୍ୟମିକ ଚାରିଗୋଟି ସଂପ୍ରଦାୟରେ ବିଭାଜନ କରିଥିଲା। ପ୍ରଜ୍ଞାପୀଠ ପୁଷ୍ପଗିରିର ତନ୍ତ୍ରାଚାର୍ଯ୍ୟବୃନ୍ଦ ବୌଦ୍ଧଧର୍ମକୁ ଏକ ଗଣଧର୍ମରେ ପରିଣତ କରିଥିଲେ।
ଗବେଷକଙ୍କ ମତରେ ପୁଷ୍ପଗିରି ସନ୍ନିକଟ ରାଧାନଗର ହିଁ ତୋଷାଳୀର ରାଜଧାନୀ କଳିଙ୍ଗନଗର ଥିଲା। ଏଠାରୁ ବହୁ ପ୍ରତ୍ନବିଭବ ମିଳିଅଛି। ଖ୍ରୀଷ୍ଟପୂର୍ବ କାଳରୁ ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ପ୍ରସିଦ୍ଧ ଥିଲା ଏବଂ ପରବର୍ତ୍ତୀକାଳରେ ରାଜନଗର ଅପଭ୍ରଂଶ ହୋଇ ରାଧାନଗର ହୋଇଅଛି। କେତେକ ଗବେଷକଙ୍କର ମତ ଏହିଠାରେ ବିଶ୍ୱପ୍ରସିଦ୍ଧ କଳିଙ୍ଗଯୁଦ୍ଧ ହୋଇଥିଲା। ସେହି ସ୍ଥାନରୁ ମିଳିଥିବା ମୌର୍ଯ୍ୟଯୁଗୀୟ ଅସ୍ତ୍ରଶସ୍ତ୍ରରୁ ଏହା ପ୍ରମାଣିତ ହୋଇଥାଏ। ଏ ସଂପର୍କରେ ଅଦ୍ୟାବଧି ଗବେଷଣା ଅବ୍ୟାହତ ରହିଛି। ଏତଦ୍ଭିନ୍ନ ସମଗ୍ର ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳର ନଦୀପଠା, ବିଲମାଳମାନଙ୍କରୁ ବହୁ ବୌଦ୍ଧମୂର୍ତ୍ତି ମିଳିଛି। ବୁଦ୍ଧ ଯାଜପୁରରେ ପଦ୍ମପ୍ରଭ ନାମରେ ଜନ୍ମ ନେବେ ବୋଲି ବୌଦ୍ଧଶାସ୍ତ୍ରରେ ଉଲ୍ଲିଖିତ ରହିଛି। ଓଡ଼ିଶାରେ ଜନ୍ମିତ ପଦ୍ମସମ୍ଭବ ‘ଦ୍ୱିତୀୟବୁଦ୍ଧ’ ନାମରେ ବିଶ୍ୱପ୍ରସିଦ୍ଧ। ସେ ନିଜର ପତ୍ନୀ ମନ୍ଦରବାଙ୍କୁ ଧରି ଯାଜପୁରରେ ସାଧନାରତ ଥିଲେ। ଅଗଣିତ ବୌଦ୍ଧସାଧକ, ସନ୍ନ୍ୟାସୀ, ଭିକ୍ଷୁ, ଆଚାର୍ଯ୍ୟ, ରାଜା ଓ ଜମିଦାର ଯାଜପୁର ଅଞ୍ଚଳରେ ବହୁ ବୌଦ୍ଧପୀଠ ନିର୍ମାଣ କରିଥିଲେ। ଏହିସବୁ ପୀଠରେ ହିନ୍ଦୁ ଓ ବୌଦ୍ଧ ଏକତ୍ର ଉପାସନା କରୁଥିଲେ ବୋଲି ହୁଏନ୍ସାଂ ଉଲ୍ଲେଖ କରିଛନ୍ତି।
ଓଡ଼ିଶାର ପୁଷ୍ପଗିରି, ରତ୍ନଗିରି, ଉଦୟଗିରି ଓ ଲଳିତଗିରିରୁ ବୌଦ୍ଧତନ୍ତ୍ରର ଉନ୍ମେଷ ଘଟି ଆବିଶ୍ୱ ପ୍ରସାରିତ ହୋଇଥିଲା। ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଛାତ୍ର ପ୍ରଜ୍ଞା ଶୁଭାବର ଦେବଙ୍କ ସ୍ୱହସ୍ତ ଲିଖିତ ପତ୍ର ଓ ଗଣ୍ଡବ୍ୟୂହ ଗ୍ରନ୍ଥ ନେଇ ଅଷ୍ଟମ ଶତାବ୍ଦୀରେ ଚୀନ୍ ଯାତ୍ରା କରିଥିଲେ। ସେ ଚୀନ୍ ସମ୍ରାଟ ତେସସ୍ଙ୍କୁ ଏସବୁ ପ୍ରଦାନ ପରେ ସମ୍ରାଟଙ୍କ ଅନୁରୋଧକ୍ରମେ ଚୀନ୍ ଦେଶରେ ଆଜୀବନ ନିବାସ କରି ଅଗଣିତ ବୌଦ୍ଧଶାସ୍ତ୍ରର ଚୀନ୍ ଭାଷାରେ ଅନୁବାଦ କରିଥିଲେ। ଯାଜପୁର ଅଞ୍ଚଳର ବୌଦ୍ଧପୀଠ ସମୂହରେ ସାଧନାରତ ଥିବା ସିଦ୍ଧାଚାର୍ଯ୍ୟବୃନ୍ଦ ବୌଦ୍ଧତନ୍ତ୍ରର ଗୂଢ଼ତତ୍ତ୍ୱକୁ ଲୌକିକ ଭାଷାରେ ଦୋହା ବା ଆଚରଣ ଗୀତିକା ଭାବରେ ରଚନା କରିଥିଲେ। ଏଗୁଡ଼ିକୁ ଚର୍ଯ୍ୟାଗୀତ ବା ଚର୍ଯ୍ୟାପଦ କୁହାଯାଏ। ସେହି ତନ୍ତ୍ରାଚାର୍ଯ୍ୟବୃନ୍ଦ ସମଗ୍ର ଭାରତବର୍ଷରେ ବୁଲି ଏହିସବୁ ଚର୍ଯ୍ୟାଗୀତିର ପ୍ରଚାର କରିଥିଲେ। ଲୋକପ୍ରିୟତା ଦୃଷ୍ଟିରେ ମୁନିଦତ୍ତ ସେଗୁଡ଼ିକୁ ସଂସ୍କୃତରେ ଅନୁବାଦ କରିଥିଲେ। ସେମାନେ ଅଗଣିତ ବୌଦ୍ଧଶାସ୍ତ୍ର ରଚନା କରିଥିଲେ, ଯାହା ଏକ ସ୍ୱତନ୍ତ୍ର ଆଲୋଚନା ପ୍ରତୀକ୍ଷା କରିଥାଏ। ବୌଦ୍ଧଧର୍ମ, ସଂସ୍କୃତି, ଦର୍ଶନକୁ ପୁଷ୍ପଗିରି ବିହାର ଓ ବିଶ୍ୱବିଦ୍ୟାଳୟର ଦାନ ଅତୁଳନୀୟ।
ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର
ଢେଙ୍କାନାଳ, ମୋ: ୮୮୯୫୨୩୦୭୨୨