ଆଇନ୍ର ଶାସନ ବ୍ୟବସ୍ଥାକୁ ଶୃଙ୍ଖଳିତ ରଖିବା ସହିତ ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା ଓ ସମ୍ବିଧାନ ପ୍ରଦତ୍ତ ଅଧିକାରକୁ ସୁନିଶ୍ଚିତ କରିଥାଏ ନ୍ୟାୟପାଳିକା। ଆମ ସାମ୍ବିଧାନିକ ବ୍ୟବସ୍ଥାରେ ତ୍ରିସ୍ତରୀୟ ନ୍ୟାୟପାଳିକା ରହିଛି। ସାରା ଦେଶ ପାଇଁ ଥିବା ସର୍ବୋଚ୍ଚ ନ୍ୟାୟାଳୟ ଗଠନ, ପରିଚାଳନା, କ୍ଷମତା ଆଦି ସମ୍ବିଧାନର ୧୨୪ରୁ ୧୪୭ ଧାରାରେ ଲିପିବଦ୍ଧ ଥିବା ବେଳେ ବିଭିନ୍ନ ରାଜ୍ୟ ପାଇଁ ଥିବା ଉଚ୍ଚ ନ୍ୟାୟାଳୟ କିଭଳି ଚାଲିବ ସେକଥା ସମ୍ବିଧାନର ୨୧୪ରୁ ୨୩୨ ପର୍ଯ୍ୟନ୍ତ ବିଭିନ୍ନ ଧାରାରେ ରହିଛି। କ୍ଷେତ୍ରସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଆଇନ୍ ଅଦାଲତଗୁଡ଼ିକ କିଭଳି କାମ କରିବେ ସେ ସଂକ୍ରାନ୍ତରେ ଆମ ସମ୍ବିଧାନର ୨୩୩ରୁ ୨୩୭ ପର୍ଯ୍ୟନ୍ତ ଧାରାରେ ଉଲ୍ଲେଖ ରହିଛି। ୧୯୫୦ ଜାନୁଆରୀ ୨୬ରେ ଆମ ସମ୍ବିଧାନ ଲାଗୁ ହେବା ପୂର୍ବରୁ ଭାରତରେ ବିଚାର ବ୍ୟବସ୍ଥା ରହିଥିଲା। ତେବେ ସେତେବେଳ ଓ ବର୍ତ୍ତମାନର ଆଇନ ଅଦାଲତ ମଧ୍ୟରେ ରହିଛି ଢେର ପ୍ରଭେଦ।
୧୮୫୭ର ସିପାହୀ ବିଦ୍ରୋହ ପରେ ବ୍ରିଟିଶ ସରକାର ଅନେକ ଆଇନ୍ ପ୍ରଣୟନ କରିଥିଲେ। ଏଗୁଡ଼ିକ ମଧ୍ୟରେ ‘ଦି ଇଣ୍ଡିଆନ୍ ହାଇକୋର୍ଟର୍ସ ଆକ୍ଟ’ ୧୮୬୧ ଅଗଷ୍ଟ ୬ ତାରିଖରୁ ଲାଗୁ ହୋଇଥିଲା। ସେହି ସମୟରେ ଭାରତୀୟ ପିଙ୍ଗଳ କୋଡ୍, ପୁଲିସ ଆଇନ୍ ଆଦି ବିଭିନ୍ନ ପ୍ରକାରର ବିଧି ମଧ୍ୟ ପ୍ରଚଳିତ ହେଲା। ୧୮୬୧ ବେଳକୁ ଓଡ଼ିଶା ଖଣ୍ଡବିଖଣ୍ଡିତ ହୋଇ ସାରିଥାଏ। ଏ ପରିପ୍ରେକ୍ଷୀରେ ୧୮୬୨ରେ କଲିକତା, ବମ୍ବେ ଓ ମାଡ୍ରାସ ଉଚ୍ଚ ନ୍ୟାୟାଳୟ ଜନ୍ମଲାଭ କଲା। ସେତେବେଳେ ଆମ ରାଜ୍ୟର ଦକ୍ଷିଣାଞ୍ଚଳ ମାଡ୍ରାସ୍ ପ୍ରେସିଡେନ୍ସି ଅଧୀନରେ ଥିବାରୁ ତାହା ମାଡ୍ରାସ୍ ଉଚ୍ଚ ନ୍ୟାୟାଳୟଙ୍କ କ୍ଷମତା ପରିସର ମଧ୍ୟରେ ରହିଥିବା ବେଳେ ଅନ୍ୟ ଅଞ୍ଚଳ ସବୁ ରହିଥିଲା କଲିକତା ଉଚ୍ଚ ନ୍ୟାୟାଳୟଙ୍କ ଅଧୀନରେ। ପୁରୀ ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜମାତା ସୂର୍ଯ୍ୟମଣି ପାଟ୍ଟମହାଦେଈଙ୍କ ଅନୁରୋଧକ୍ରମେ ଉତ୍କଳଗୌରବ ମଧୁସୂଦନ ଦାସ କଲିକତା ଉଚ୍ଚ ନ୍ୟାୟାଳୟରେ ମାମଲା ଲଢ଼ି ଶ୍ରୀମନ୍ଦିରରେ ଗଜପତି ପରମ୍ପରାକୁ ସୁରକ୍ଷିତ ରଖିବାର ଇତିହାସ ରଚିଥିଲେ। ୧୯୧୨ ମାର୍ଚ୍ଚ ୨୨ରେ ଆମ ଅଞ୍ଚଳକୁ ରଖାଯାଇଥିଲା କଲିକତା ଉଚ୍ଚ ନ୍ୟାୟାଳୟ ନିୟନ୍ତ୍ରଣରେ। ୧୯୧୬ ଫେବୃଆରୀ ୯ ତାରିଖରେ ଏହା ପାଟନା ଉଚ୍ଚ ନ୍ୟାୟାଳୟ ପରିସରଭୁକ୍ତ ହୋଇଥିଲା। ୧୯୨୨ରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମାମଲାରେ ଖୋରଧାର ଅଦାଲତ ଦେଇଥିବା ରାୟ ବିରୋଧରେ ବ୍ରିଟିଶ ସରକାର ଯାଇଥିଲେ ପାଟନା ଉଚ୍ଚ ନ୍ୟାୟାଳୟକୁ। ରଘୁ-ଦିବାକରଙ୍କ ଫାଶୀ ଦଣ୍ଡାଦେଶଠାରୁ ଲକ୍ଷ୍ମଣ ନାୟକଙ୍କ ଫାଶୀ ପର୍ଯ୍ୟନ୍ତ ମାମଲାଗୁଡ଼ିକର ଅପିଲ ହୋଇଥିଲା ପାଟନା ଉଚ୍ଚ ନ୍ୟାୟାଳୟରେ। ଏହି ପାଟନା ଉଚ୍ଚ ନ୍ୟାୟାଳୟରେ ମଧୁବାବୁ ତାଙ୍କ ପାଳିତା କନ୍ୟା ଶୈଳବାଳାଙ୍କ ସାନଭଉଣୀ ସୁଧାଂଶୁବାଳାଙ୍କୁ ଓକିଲାତି କରିବାର ସୁଯୋଗ ଦେବା ପାଇଁ ମାମଲା ରୁଜୁ କରାଇଥିଲେ। ଏହି ମାମଲାରେ ମହିଳାମାନଙ୍କୁ ଓକିଲାତି ଲାଇସେନ୍ସ ଦିଆଯିବା ଥିଲା ପ୍ରଶ୍ନ। ମଧୁବାବୁଙ୍କ ଏକନିଷ୍ଠ ଉଦ୍ୟମ ଯୋଗୁଁଁ ପ୍ରାୟ ୧୦୦ ବର୍ଷ ତଳେ ଭାରତରେ ମହିଳାମାନଙ୍କୁ ଓକିଲାତି କରିବା ପାଇଁ ଆଇନ୍ଗତ ବ୍ୟବସ୍ଥା ହୋଇଥିଲା, ଯାହାର ଫଳସ୍ୱରୂପ ଏବେ ଆମ ଦେଶରେ ବହୁସଂଖ୍ୟକ ମହିଳା ଓକିଲାତି କରୁଥିବା ବେଳେ ବିଭିନ୍ନ ଅଦାଲତରେ ମହିଳା ବିଚାରପତିମାନଙ୍କୁ ଦେଖିବାକୁ ମିଳୁଛି।
ଓଡ଼ିଶା ଇତିହାସରେ ୧୯୧୬ ମଇ ୧୮ ତାରିଖ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। ସେଦିନ କଟକରେ ପାଟନା ଉଚ୍ଚ ନ୍ୟାୟାଳୟର ସର୍କିଟ୍ ବେଞ୍ଚ୍ ବସିଥିଲା। ସେତେବେଳେ ମଧୁବାବୁ ଥିଲେ କଟକ ବାର୍ ଆସୋସିଏସନ୍ର ସଭାପତି। ଏହି ଅବସରରେ ଆୟୋଜିତ ଉତ୍ସବରେ ସ୍ୱାଗତ ଭାଷଣ ଦେଇ ମଧୁବାବୁ କଟକରେ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପାଇଁ ଦାବି ଉଠାଇଥିଲେ। ବିଭିନ୍ନ ସମୟରେ ସମ୍ବଲପୁର ଓ ପାଟନା ଗଡ଼଼଼ଜାତରେ ବି ପାଟନା ଉଚ୍ଚ ନ୍ୟାୟାଳୟର ସର୍କିଟ୍ ବେଞ୍ଚ ବସୁଥିଲା। ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ଯେଉଁ କେତେଜଣ ଓଡ଼ିଆ ସଂକଳ୍ପବଦ୍ଧ ଉଦ୍ୟମ କରୁଥିଲେ ସେମାନଙ୍କ ମଧ୍ୟରେ କେନ୍ଦ୍ରବିନ୍ଦୁ ଥିଲେ ମଧୁବାବୁ। ଦୀର୍ଘବର୍ଷର ଉଦ୍ୟମକ୍ରମେ ୧୯୩୬ ଏପ୍ରିଲ ପହିଲାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସୃଷ୍ଟି ହେଲା। କିନ୍ତୁ ଏହାର ୧୨ବର୍ଷ ପରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା ହେଲା ସେତେବେଳର ରାଜ୍ୟ ରାଜଧାନୀ କଟକରେ।
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ଓଡ଼ିଶା ପାଇଁ ଉଚ୍ଚ ନ୍ୟାୟାଳୟ ଦାବି ଜୋର ଧରିଥିଲା। ଉଚ୍ଚ ନ୍ୟାୟାଳୟ ଗଠନ ପ୍ରସଙ୍ଗରେ ୧୯୪୨ ଅଗଷ୍ଟ ୧୫ରେ ସେତେବେଳର ଆଡଭୋକେଟ୍ ଜେନେରାଲ ବୀରକିଶୋର ରାୟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଏଥିରେ ଚିନ୍ତାମଣି ଆଚାର୍ଯ୍ୟ, ବିଚିତ୍ରାନନ୍ଦ ଦାସ, ନରସିଂହମ୍ ପ୍ରମୁଖ ସଦସ୍ୟ ଥିଲେ। ଏହି କମିଟି ୧୯୪୩ ଡିସେମ୍ବର ୨୩ ତାରିଖରେ ଓଡ଼ିଶା ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହା ଆଧାରରେ ଓଡ଼ିଶା ବିଧାନସଭାରେ ୧୯୪୮ ମାର୍ଚ୍ଚ ୩ ତାରିଖରେ ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା ଘେନି ବିଧିବଦ୍ଧ ପ୍ରସ୍ତାବ ଗ୍ରହଣ କରାଯିବା ପରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ସମସ୍ତ ଦିଗକୁ ବିଚାର କରି ସେତେବେଳର ଗଭର୍ଣ୍ଣର ଜେନେରାଲ ଲର୍ଡ ମାଉଣ୍ଟବ୍ୟାଟେନ୍ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ-୧୯୩୫ ଆଧାରରେ ସେହି ବର୍ଷ ଏପ୍ରିଲ ୩୦ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା ସଂପର୍କିତ ବିଜ୍ଞପ୍ତି ଜାରି କରିଥିଲେ। ତଦନୁଯାୟୀ ୧୯୪୮ଜୁଲାଇ ୨୬ ତାରିଖ ସକାଳ ୯ଟା ବେଳେ କଟକରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଧିବଦ୍ଧ ଭାବେ ଉଦ୍ଘାଟିତ ହୋଇଥିଲା। ଏହି ଉତ୍ସବରେ ସେତେବେଳର ଫେଡେରାଲ କୋର୍ଟ ଅଫ୍ ଇଣ୍ଡିଆର ମୁଖ୍ୟ ବିଚାରପତି ସାର୍ ହୀରାଲାଲ ଜୟକିଶନ ଦାସ କେନିୟା, ଓଡ଼ିଶାର ରାଜ୍ୟପାଳ ଆସଫ୍ ଅଲ୍ଲୀ, ବଙ୍ଗଳାର ରାଜ୍ୟପାଳ କୈଳାସ ନାଥ କାଟ୍ଜୁ, ପାଟନା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ସି.ଏମ୍. ଅଗ୍ରୱାଲ୍, ଓଡ଼ିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ପ୍ରମୁଖ ଯୋଗ ଦେଇଥିଲେ। ସେବେଠାରୁ କଟକରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ କାର୍ଯ୍ୟ କରୁଛି। ଇତିମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉଚ୍ଚ ନ୍ୟାୟାଳୟ ବେଞ୍ଚ୍ ପ୍ରତିଷ୍ଠା ଲାଗି ସ୍ୱର ଉଠିଆସୁଛି। ଏ ପ୍ରସଂଗରେ ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାର ଜଷ୍ଟିସ୍ ସି.ଆର୍. ପାଲ୍ ଆୟୋଗ ଗଠନ କରିଥିଲେ ମଧ୍ୟ ଏହି ଆୟୋଗଙ୍କ ରିପୋର୍ଟ ଏଯାବତ୍ ସୂର୍ଯ୍ୟାଲୋକ ଦେଖିନାହିଁ।
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି ଭାବେ ବୀରକିଶୋର ରାୟ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ସମୟରେ ଲିଙ୍ଗରାଜ ପାଣିଗ୍ରାହୀ, ଆର.ଏଲ୍. ନରସିଂହମ୍ ଓ ବି. ଜଗନ୍ନାଥ ଦାସ ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ କାମ କରୁଥିଲେ। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପାଇଁ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ସଂଖ୍ୟା ୪ରୁ ବଢ଼଼ିବଢ଼଼ି ୩୩ରେ ପହଞ୍ଚିଛି। ଅବଶ୍ୟ ଏଥିରୁ ଏବେ ପ୍ରାୟ ଅଧା ଖାଲି ପଡ଼ିଛି। ଇତିମଧ୍ୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୩୫ଜଣ ମୁଖ୍ୟ ବିଚାରପତି କାର୍ଯ୍ୟ କଲେଣି। ସେମାନଙ୍କ ମଧ୍ୟରୁ ଅନ୍ୟୂନ ୧୨ଜଣ ବିଭିନ୍ନ ସମୟରେ ସୁପ୍ରିମକୋର୍ଟର ବିଚାରପତି ହୋଇଛନ୍ତି। ରଙ୍ଗନାଥ ମିଶ୍ର, ଗୋପାଳ ବଲ୍ଲଭ ପଟ୍ଟନାୟକ, ଦୀପକ ମିଶ୍ରଙ୍କ ଭଳି ବିଚାରପତିମାନେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଆସନ ଅଳଙ୍କୃତ କରିଛନ୍ତି। ଅନେକ ବିଚାରପତି ବିଭିନ୍ନ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ବିଚାରପତି ଭାବେ ଦକ୍ଷତାର ସହ କାର୍ଯ୍ୟ କରିଆସିଛନ୍ତି। କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟରେ କୌଣସି ଓଡ଼ିଆ ବିଚାରପତି ନାହାନ୍ତି। ଦୀର୍ଘ ୭୭ବର୍ଷ ମଧ୍ୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମାତ୍ର ୩ଜଣ ମହିଳା ବିଚାରପତି ପଦବୀ ଅଳଙ୍କୃତ କରିଛନ୍ତି। ଏମାନେ ହେଲେ ଅମୀୟ କୁମାରୀ ପାଢ଼ୀ, କୁମାରୀ ସଞ୍ଜୁ ପଣ୍ଡା ଓ ବର୍ତ୍ତମାନର କାର୍ଯ୍ୟରତ ବିଚାରପତି ସାବିତ୍ରୀ ରଥ। ଆଶା କରାଯାଏ ଆଗାମୀ ଦିନରେ ଅଧିକରୁ ଅଧିକ ଓଡ଼ିଆ ଝିଅ ଓଡ଼ିଶା ଉଚ୍ଚ ୍ୟାୟାଳୟ ସମେତ ଦେଶର ବିଭିନ୍ନ ଉଚ୍ଚ ନ୍ୟାୟାଳୟ ଓ ସୁପ୍ରିମକୋର୍ଟର ବିଚାରପତି ହେବେ।
ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ମାମଲା ସଂଖ୍ୟା ୩୦.୦୪.୨୦୨୫ ସୁଦ୍ଧା ୧, ୫୦, ୪୦୪ ରହିଥିବା ଜଣାପଡ଼ିଛି। ଏଥିମଧ୍ୟରୁ ରିଟ୍ ପିଟିସନ୍ ସଂଖ୍ୟା ୬୮ ହଜାରରୁ ଅଧିକ ଥିବାବେଳେ ଅଦାଲତ ଅବମାନନା ମାମଲା ସଂଖ୍ୟା ୧୦, ୩୭୯। ଆମ ଉଚ୍ଚ ନ୍ୟାୟାଳୟରେ ୩୦ ହଜାରରୁ ଅଧିକ ଆପରାଧିକ ମାମଲା ଏବେ ବିଚାର ପ୍ରତୀକ୍ଷାରେ ରହିଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନିଜସ୍ୱ ଏକ ସଂଗ୍ରହାଳୟ ରହିଛି। ଏଥିରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବହୁ ପୁରୁଣା ବିରଳ ତଥ୍ୟ ଦେଖିବାକୁ ମିଳେ। ୨୦୧୧ ମସିହାରେ ସଂସଦରେ ପାରିତ ବିଲ୍ ମୁତାବକ ସମ୍ବିଧାନ ସଂଶୋଧନ କରାଯାଇ ସ୍ୱତନ୍ତ୍ର ଆଇନ୍ ବଳରେ ଆମ ରାଜ୍ୟର ନାମ ‘ଓରିଶା’ରୁ ‘ଓଡ଼ିଶା’ ଏବଂ ମାତୃଭାଷାର ନାମ ‘ଓରିଆ’ରୁ ‘ଓଡ଼ିଆ’ ହେଲା। ଏହାପରେ ସବୁ ଦପ୍ତର ଓ ଅନୁଷ୍ଠାନରେ ନାମ ସଂଶୋଧିତ ହୋଇଥିଲେ ମଧ୍ୟ ଏଯାବତ୍ ଆମ ଉଚ୍ଚ ନ୍ୟାୟାଳୟଙ୍କ ନାମରେ ପୂର୍ବବତ୍ ‘ଓରିଶା’ ଲେଖାଯାଉଛି। ୧୪ବର୍ଷ ଧରି ଏହା ‘ଓଡ଼ିଶା’କୁ ସଂଶୋଧିତ ହୋଇପାରି ନାହିଁ।
ପ୍ରହଲାଦ କୁମାର ସିଂହ
ଭୁବନେଶ୍ୱର, ମୋ: ୯୪୩୭୦୧୭୩୯୫