ବହି ସନ୍ଧାନେ

ଆମେମାନେ ଏବେ ଏମିତି ଏକ ସମୟ ଖଣ୍ଡ ରେ ଗତି କରୁଥାଇଁ, ଯେବେ ସୁସ୍ଥ ମନୋରଞ୍ଜନର ସଜ୍ଞା ବଦଳି ଗଲାଣି। ଆମ ସାନବେଳେ ପାଠ ଓ ଖେଳ ବ୍ୟତିରେକେ ଗପ ବହି ପଢ଼଼ା ମନୋରଞ୍ଜନର ବଡ ମାଧ୍ୟମ ଥିଲା। ପ୍ରାରମ୍ଭରୁ ବହି ପଢ଼଼ା ବ୍ୟକ୍ତିର ଏକ ସଉକ ହିଁ ଥାଏ। କିଏ କେତେ ପ୍ରକାର ବହି ପଢିବାକୁ ଭଲ ପାଏ। ସାହିତ୍ୟ ବହି ସେଥିରୁ ଗୋଟିଏ ପ୍ରକାର। ମୁଁ ଚିହ୍ନା ପରିଚିତଙ୍କ ଘରକୁ ଗଲେ ତାଙ୍କ ବହି […]

ଆମେମାନେ ଏବେ ଏମିତି ଏକ ସମୟ ଖଣ୍ଡ ରେ ଗତି କରୁଥାଇଁ, ଯେବେ ସୁସ୍ଥ ମନୋରଞ୍ଜନର ସଜ୍ଞା ବଦଳି ଗଲାଣି। ଆମ ସାନବେଳେ ପାଠ ଓ ଖେଳ ବ୍ୟତିରେକେ ଗପ ବହି ପଢ଼଼ା ମନୋରଞ୍ଜନର ବଡ ମାଧ୍ୟମ ଥିଲା। ପ୍ରାରମ୍ଭରୁ ବହି ପଢ଼଼ା ବ୍ୟକ୍ତିର ଏକ ସଉକ ହିଁ ଥାଏ। କିଏ କେତେ ପ୍ରକାର ବହି ପଢିବାକୁ ଭଲ ପାଏ। ସାହିତ୍ୟ ବହି ସେଥିରୁ ଗୋଟିଏ ପ୍ରକାର। ମୁଁ ଚିହ୍ନା ପରିଚିତଙ୍କ ଘରକୁ ଗଲେ ତାଙ୍କ ବହି ଆଲମିରା ଦେଖି ଆନନ୍ଦିତ ହୁଏ। କିନ୍ତୁ ସେଥିରେ ସାହିତ୍ୟ ବହି ନଦେଖିଲେ ନିରାଶ ହୁଏ। ଓକିଲଙ୍କ ଘରେ ଆଇନ୍ ବହି, ଡାକ୍ତରଙ୍କ ଘରେ ଡାକ୍ତରୀ ବହି, ଇତିହାସକାରଙ୍କ ଘରେ ଇତିହାସ ବହି ତ ରହିବା ସ୍ୱଭାବିକ। ଜଣେ ଅନୁଜକୁ ଥରେ ପଚାରିଲି, ‘ହବି କ’ଣ ତୁମର?’ ସେ କହିଲା, ‘ବହି ପଢ଼଼ିବା।’ ‘କି ପ୍ରକାର ବହି’ ବୋଲି ମୁଁ ଉତ୍ସାହିତ ହୋଇ ପଚାରିବାରୁ ଉତ୍ତର ଆସିଲା, ‘ମ୍ୟାନେଜ୍ମେଣ୍ଟ ବହି।’ ମୁଁ ପଚାରିଲି, ‘ଗପ, ଉପନ୍ୟାସ, ଓଡ଼ିଆ ବହି?’ ସେ ହସି କହିଲା, ‘ସେଥିରୁ କ’ଣ ମିଳିବ?’

କିଛି ବ୍ୟକ୍ତି ଓଡ଼ିଆ ସାହିତ୍ୟ ବହିଗୁଡ଼ିକୁ ବେକାର ବୋଲି କାହିଁକି ଭାବନ୍ତି କେଜାଣି। ଗବେଷକମାନେ ମଧ୍ୟ ଅନେକ ବହି କିଣନ୍ତି ବିଭିନ୍ନ ବିଷୟରେ। ସେମାନେ ଇଂରାଜୀ ଲେଖକଙ୍କ ବହି ପଢ଼଼ିବାକୁ ଅଧିକ ପସନ୍ଦ କରନ୍ତି ଓ ପିଲାଙ୍କୁ ମଧ୍ୟ କୁହନ୍ତି ଓଡ଼ିଆ ଲେଖକଙ୍କ ବହି ନ ପଢ଼଼ିବାକୁ। ଓଡ଼ିଆ ସାହିତ୍ୟରେ ଗବେଷଣା କରୁଥିବା ଛାତ୍ର ମଧ୍ୟ ପାଠ୍ୟକ୍ରମ ବହିର୍ଭୂତ ପୁସ୍ତକ ପଢ଼଼ନ୍ତି ନାହିଁ। ଆଜିକାଲି କ’ଣ ନୂଆ ବହି ଆସୁଚି ସେକଥା ଧ୍ୟାନ ଦିଅନ୍ତି ନାହିଁ। ମୁଁ ଆଶ୍ଚର୍ଯ୍ୟ ହୁଏ ଯେ କେତେକ ସାହିତ୍ୟ ଅଧ୍ୟାପକମାନେ ମଧ୍ୟ କେବଳ କ୍ଲାସରେ ପଢ଼଼ା ଯାଇଥିବା ଲେଖକଙ୍କୁ ହିଁ ଜାଣନ୍ତି। ଅନ୍ୟ ବିଭାଗ କଥା ନ କହିବା ଭଲ। ଅନେକ ସମୟରେ କଲେଜ୍ କମନ୍ ରୁମ୍ରେ ମୁଁ ଓଡ଼ିଆ ବହି ଲୁଚେଇ ପଢ଼େ। ନ ହେଲେ କଟାକ୍ଷ ଶୁଣିବାକୁ ପଡ଼େ ଯେ ‘ଭଲ ବହି ପଢ଼଼, ବେଷ୍ଟ ସେଲର ପଢ଼଼। ଏଇ ଶସ୍ତା ବହି ପଢ଼଼ି ଲାଭ କ’ଣ?’ ଗୋଟେ ଗୋଟେ ଇଂରାଜୀ ଗବେଷଣା ପୁସ୍ତକର ଦାମ୍‌ରେ ଦଶପନ୍ଦର ଖଣ୍ଡ ଓଡ଼ିଆ ଗପ, କବିତା, ଉପନ୍ୟାସ ବହି କିଣାଯାଇପାରନ୍ତା।

ମୋର ପ୍ରଥମ ଉପନ୍ୟାସ ପ୍ରକାଶିତ ହେଲା ୨୦୦୪ ରେ। ୨୦୧୨ ଯାଏଁ ମୁଁ କଟକର ଏକ ଅଗ୍ରଣୀ ପ୍ରକାଶନ ସଂସ୍ଥାରେ ମୋର ବହି ପ୍ରକାଶିତ କରୁଥିଲି। ଅନେକଙ୍କଠାରୁ ପୋଷ୍ଟକାର୍ଡରେ ଶୁଭେଚ୍ଛା ଓ ଆଶୀର୍ବାଦ ମଧ୍ୟ ପାଇଛି। ମୋଟାମୋଟି ଗୋଟେ ପରିଚୟ ପାଇ ସାରିଥିଲି। ମୋ ବହି ପ୍ରାପ୍ତିର ଠିକଣା ଥିଲା ସେଇ ବହି ଦୋକାନ ଓ ପୁସ୍ତକ ମେଳା। କେହି ବହି ଖଣ୍ଡେ ମାଗୁଥିଲେ ତା’କୁ ବହି ଦୋକାନକୁ ପଠେଇ ହଉଥିଲା। କିନ୍ତୁ ଫେସ୍‌ବୁକ୍‌ ପ୍ରଚଳନ ପରେ ସବୁ ବଦଳିଗଲା। ପ୍ରଚାରସର୍ବସ୍ୱ ଯୁଗରେ ଲେଖକମାନେ ବିଜ୍ଞାପନମୁଖୀ ହେଲେ ଓ ବିଭିନ୍ନ ପ୍ରକାଶନ ସଂସ୍ଥାରେ ପୁଞ୍ଜି ବିନିଯୋଗ ମଧ୍ୟ କଲେ। ପୁସ୍ତକ ପ୍ରକାଶନ ଏକ ଲାଭକାରୀ ବେପାର ପାଲଟି ଗଲା। ଲେଖକର ଝାଳ ବୁହା (ଆମେ ବିଦେଶୀ ଲେଖକଙ୍କ ପରି ଧନୀ ନୁହଁ) ଧନରେ ସାହିତ୍ୟ ଉତ୍ସବ, ଉନ୍ମୋଚନ, ସାହିତ୍ୟ ସଭା କରାଗଲା। ସେଥିରେ ନିମନ୍ତ୍ରଣ ନ’ ପାଇବା ଭୟରେ ଲେଖକ ଚୁପ୍ ରହିଲେ। ଏଥିରେ ଲାଭ କ’ଣ ହେଲା? ୧. ଫେସବୁକ୍ରେ ବଡ଼ ସାହିତ୍ୟିକର ଟ୍ୟାଗ ମିଳିଲା, ୨. ଆମ ବହି ଆମାଜନ, ଫ୍ଲିପ୍‌କାର୍ଟରେ ମିଳୁଚି ବୋଲି ନିଜକୁ ଗ୍ଲୋବାଲ ଲେଖକ ଭାବିବାର ଭ୍ରମ ସୃଷ୍ଟି ହେଲା, ୩. ଅନ୍ୟମାନଙ୍କ ଈର୍ଷା ମିଳିଲା, ୪. ସୁଦୃଶ୍ୟ ସଭାମଞ୍ଚରେ ବହି ଉନ୍ମୋଚନର ସୁଯୋଗ ମିଳିଲା, ୫. ସମସ୍ତଙ୍କ ନଜରରେ ଆସିବାରୁ ବେଳେ ବେଳେ ଅତିଥି ହେବାକୁ ଡାକରା ମିଳିଲା, ୬. ମାନପତ୍ର, ଗାମୁଛା, ଶାଲ ମିଳିଲା, ୭. ମିଛ ପ୍ରଶଂସାରେ ପ୍ରଲୁବ୍ଧ ହୋଇ ଖୁସି ରହିବାରୁ ହୀନମନ୍ୟତାରୁ ମୁକ୍ତି ଓ ଆୟୁଷ ବୃଦ୍ଧି ହେଲା। ଏଥିରେ କ୍ଷତି ହେଉଛି – ୧. ଅର୍ଥ (ମାଗଣାରେ ବହି ଛପା ହେବା ଏକ ସୁଖଦ ଭ୍ରମ), ୨. ମନସ୍ତାପ, ୩. କାଳେ କିଏ ଆମଠାରୁ ଆଗେଇ ଯିବ ଭାବି ତରତର ହୋଇ ଗୁଡ଼ାଏ ଆଳୁସାରୁ ଗାରେଇ ଛାପି ପକେଇବା, ୪. ପ୍ରକୃତ ପାଠକ ନପାଇବା, ୫. ପାଠକ ଖୋଜିଲା ବେଳେ ତାଙ୍କୁ ବହି ଖଣ୍ଡିଏ ଦେଇ ନ ପାରିବା, ୬. ନିଜ ପାଖରେ ମଧ୍ୟ ବହି ନ ଥିବାରୁ ମନକଷ୍ଟ ହେବା।

ଆମେ ଯେବେ ଫେସ୍‌ବୁକ୍‌ରେ ନିଜ ବହି ରିଲିଜ୍ ହେବା କଥା ଲେଖୁ ତାହା ନିଜ ଖୁସି ପାଇଁ, ଆତ୍ମପ୍ରଶଂସା ପାଇଁ ! ନହେଲେ ଆଜିକାଲିର ସାହିତ୍ୟ ବହି ଯେ ଦୁଷ୍ପ୍ରାପ୍ୟ ଶ୍ରେଣୀର ଜିନିଷ, ଏହା ସମସ୍ତଙ୍କୁ ଜ୍ଞାତ। ଆପଣ ଅନୁଭବ କରିଥିବେ, ଯଦି କୌଣସି ଏକ ପ୍ରକାଶନ ସଂସ୍ଥାରେ ଆପଣଙ୍କ ପ୍ରଥମ ବହି ଅଧିକ ବିକ୍ରି ହବ, ଆପଣ ଖୁସିରେ ଦ୍ୱିତୀୟଟି ଲେଖିବେ। ସେ ବହି ଉନ୍ମୋଚନ ବେଳେ ଆପଣଙ୍କୁ ମିଳିବ ଦୁଇ ଖଣ୍ଡ (ନିଜ ଖର୍ଚ୍ଚରେ ଛାପି ନଥିଲେ)। ନିଜ ପଇସା ଲଗେଇ ଥିଲେ ପରେ ଆଉ କିଛି ଖଣ୍ଡ ପାଇ ପାରନ୍ତି(ବାଧ୍ୟ ନୁହେଁ)। ଯଦି ଅନ୍ଲାଇନ ବିକ୍ରିକୁ ଗଲା, କିଛିଦିନ ପରେ ‘ଅନ୍ ଆଭେଲେବଲ’(ଉପଲବ୍ଧ ନୁହେଁ) ବାର୍ତ୍ତା ଦେଖିବାକୁ ମିଳିବ। ପ୍ରକାଶକ କହିବେ, ‘କେହି କିଣିଲେ ନାହିଁ, ତେଣୁ ଅନ୍‌ଲାଇନ୍‌ରେ ଉପଲବ୍ଧ ହେଉନାହିଁ। ଲେଖକ ଖୁସିରେ ଭାବିବେ, ‘ବହି ସବୁତ ବିକ୍ରି ହୋଇଗଲା, ଦ୍ୱିତୀୟ ସଂସ୍କରଣ ଆସିବ।’ ତେବେ ପ୍ରଥମ ସଂସ୍କରଣର ପାଠକ କ’ଣ ମତାମତ ଦେଲେ ସେକଥା କେହି କହି ପାରିବେନି। ଯୋଉ ଦି ତିନିଟି ମତାମତ ମିଳିଥିବ, ସେଇତକ ଜାଣ ଲେଖକ ଜୀବନର ପୁଞ୍ଜି!

ସାମାଜିକ ଗଣମାଧ୍ୟମରେ ତୁମେ ଯଦି କାହା ଲେଖାକୁ ପଢ଼଼ି ଭଲ ବୋଲି ଦି ପଦ ଲେଖି ଦେଇଛ, ଆଉ ନିସ୍ତାର ନାହିଁ। ବାର୍ତ୍ତା ମାଡ଼ି ଆସିବ, ‘ଅମୁକର ବହି କ’ଣ ଏତେ ଭଲ ହେଇଚି?’ ‘ସେଥିରେ ସେମିତି କିଛି ଖାସ୍ ତ ନାଇଁ’ ଇତ୍ୟାଦି। ଏଡ଼େ ଈର୍ଷା, ଅସହିଷ୍ଣୁତା କ’ଣ ପାଇଁ କେଜାଣି ? ଏଥିରେ କିଏ କାହିଁକି କିଣିବ ନା ପଢ଼଼ିବ?

ଆଜିର ଯୁବପିଢ଼ି ଫେସ୍‌ବୁକ୍‌କୁ ସାହିତ୍ୟର ପରୀକ୍ଷାଗାର ବୋଲି ଭାବନ୍ତି। ସେ ବି ଭଲ! ପ୍ରକାଶନ ଝାମେଲାରୁ ମୁକ୍ତ। ଯାହା କିଛି ପରିଚୟ ମିଳିଲା ଯଥେଷ୍ଟ। ଅନ୍ତତଃ, ଯେତେଦିନ ଯାଏଁ ଭାରତରେ ଫେସ୍‌ବୁକ୍‌ ଚାଲିଚି, ସେତେଯାଏଁ ଫେସବୁକୀୟ ସମର୍ଥନ ତ ଜାରି ରହିବ। କିନ୍ତୁ ଏଠି ଧୂଆମୂଳା ଅଧୂଆମୂଳା ସମାନ। ଫେସବୁକ୍ ସାହିତ୍ୟ ବିଶେଷ ଭାବରେ କବିତାମୟ। ଓଡ଼ିଆରେ ଦୀର୍ଘ କଥାବସ୍ତୁ ଟାଇପ ନ କରି ପାରିବା ସାହିତ୍ୟିକ ଏଥିରେ ବହୁଳ। ସେ ଯାହହେଉ ନା କାହିଁକି, ଆମ ପରି ପାଠକ, ଯିଏ ବହି ଖଣ୍ଡିଏ ଧରି ଚା’ କପ୍‌ର ମଜା ନିଅନ୍ତି କିମ୍ୱା ଉପନ୍ୟାସର ସୁଅରେ ଭସାଇ ଦିଅନ୍ତି ନିଜର ଅଳସ ଅପରାହ୍ନ, ତାଙ୍କ ପାଇଁ ଫେସ୍‌ବୁକ୍‌ ଏକ ଆଶ୍ୱାସନା ନୁହେଁ। ଖାଲି ଅଧାଖଣ୍ଡିଆ ଗପ, ଫାଳେ କବିତା, ବୋଝେ ଫଟୋ, ଅନାବନା ରିଲ୍‌ସ୍‌ରେ ଭର୍ତ୍ତି ଫେସ୍‌ବୁକ୍‌। ସାହିତ୍ୟ ଚର୍ଚ୍ଚା ନାଁରେ ଗୋଡ଼ ଟଣାଟଣି। ଭାରି ଦୁଃଖର ଅଧ୍ୟାୟ ଏଇଟା ଓଡ଼ିଆ ସାହିତ୍ୟର।

ଆଜିର ଅର୍ଖ ନୂଆପିଢ଼ି ଇନ୍‌ଷ୍ଟାଗ୍ରାମର ପ୍ରବଳ ମୋହରେ। ମୋ ପୁଅ କିଛିଦିନ ତଳେ ଜଣେ ତରୁଣୀଙ୍କ କବିତା ଆବୃତ୍ତି ଶୁଣାଇଲା। ସ୍ୱରଟି ମିଠା କିନ୍ତୁ ଅକାରଣ ହସର ଫୁଆରା ମଝିରେ ମାତ୍ର କବିତା କେଇଧାଡ଼ି। ପଛରେ ସୁମଧୁର ବଂଶୀସ୍ୱନ। ମୁଁ କହିଲି, ‘ଏହା କେଉଁ ପ୍ରକାର କବିତା ପଢ଼଼ା? ଏ ଝିଅ କିଏ ମୁଁ ତ ଚିହ୍ନିନି।’ ପୁଅ କହିଲା, ‘ସେ ବି ତୁମକୁ ଚିହ୍ନିନି।’ ହେଲା, ହିସାବ ବରାବର! ଆମେ ଟ୍ରେଣ୍ଡରେ ନାହୁଁ। ଟ୍ରେଣ୍ଡ ଦିନକୁ ଦିନ ବଦଳୁଛି। ଆଜି ଯାହା ଅଛି, କାଲିକୁ ଅତୀତ। ବୋଧହୁଏ କାଳଜୟୀ ସାହିତ୍ୟ ସୃଷ୍ଟି ଆଉ ସମ୍ଭବପର ନୁହେଁ !

ଡ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ
ବ୍ୟାସନଗର, ମୋ: ୯୪୩୮୦୬୪୪୬୫

About The Author: The Sakala