ବିଶ୍ୱ ଚିକିତ୍ସା ଜଗତକୁ ପ୍ଲାଷ୍ଟିକ୍ ଶଲ୍ୟ ଚିକିତ୍ସାର ଅବଦାନ ଅତୁଳନୀୟ ଓ ଅବିସ୍ମରଣୀୟ। ଆଜିର ଦିନରେ ପ୍ଲାଷ୍ଟିକ୍ ସର୍ଜରୀ ଏକ ବହୁମୂଲ୍ୟ ଓ ବହୁ ଉପାଦେୟ ଚିକିତ୍ସା ସେବା ଭାବେ ଆଦୃତ ହେବାରେ ଲାଗିଛି। କୌଣସି ଦୁର୍ଘଟଣାଜନିତ ଶରୀରର ଅସ୍ୱାଭାବିକତାର ଉପଚାର ହେଉ କିମ୍ବା ମୁଖ, ଚର୍ମ ଓ ଶରୀର କୃତ୍ରିମ ସୌନ୍ଦର୍ଯ୍ୟକରଣରେ ପ୍ଲାଷ୍ଟିକ୍ ସର୍ଜରୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମ ଭିତରୁ ଅନେକେ ହୁଏତ ଜାଣି ନଥିବେ ଯେ ପାଶ୍ଚାତ୍ୟ ଭେଷଜ ବିଜ୍ଞାନର ଚମତ୍କାରିତା ବୋଲି କୁହାଯାଉଥିବା ପ୍ଲାଷ୍ଟିକ୍ ସର୍ଜରୀର ଆଦ୍ୟ ପ୍ରବର୍ତ୍ତକ ଓ ଚିକିତ୍ସକ ହେଉଛନ୍ତି ଭାରତର ମହାନ ଋଷି ଚିକିତ୍ସା ଶାସ୍ତ୍ର ବିଜ୍ଞାନୀ ସୁଶ୍ରୁତ।
ଖ୍ରୀଷ୍ଟପୂର୍ବ ପ୍ରାୟତଃ ତିନିହଜାର ପୂର୍ବରୁ ସୁଶ୍ରୁତ ସମ୍ପୂର୍ଣ୍ଣ ଶଲ୍ୟ ଚିକିତ୍ସା ଏବଂ ତନ୍ମଧ୍ୟରେ ପ୍ଲାଷ୍ଟିକ୍ ଶଲ୍ୟ ଚିକିତ୍ସାକୁ ସନ୍ଧାନ ଚିକିତ୍ସା ଓ ସଂଯୋଜନ ପଦ୍ଧତି ସ୍ୱତନ୍ତ୍ର ଅଧ୍ୟାୟରେ ଲେଖି ଆଧୁନିକ ଚିକିତ୍ସାକୁ ସମୃଦ୍ଧ କରିଛନ୍ତି। ପ୍ଲାଷ୍ଟିକ୍ ଶଲ୍ୟ ଚିକିତ୍ସାର ସ୍ରଷ୍ଟା ‘ସୁଶ୍ରୁତ’ ‘ଶଲ୍ୟ ଚିକିତ୍ସା ଜନକ’ ଭାବେ ସୁବିଦିତ। ତେଣୁ ତାଙ୍କର ଅବଦାନକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୧୫ ତାରିଖରେ ‘ବିଶ୍ୱ ପ୍ଲାଷ୍ଟିକ୍ ଶଲ୍ୟ ଚିକିତ୍ସା’ ଦିବସକୁ ‘ସୁଶ୍ରୁତ ଜୟନ୍ତୀ’ ଭାବେ ପାଳନ କରାଯାଇ ଆସୁଛି। ଭାରତୀୟ ପ୍ଲାଷ୍ଟିକ୍ ସର୍ଜରୀ ସଂଘ ସଭାପତି ଡ. ରାଜ ସବପଥି ଏହି ମହାନ ପରମ୍ପରା ଆରମ୍ଭ କରିଥିଲେ। ସୁଶ୍ରୁତ ଜୟନ୍ତୀ ଦିବସଟି ଐତିହାସିକ ତଥ୍ୟ ଅନୁସାରେ ନିର୍ଦ୍ଧାରିତ।
ପୌରାଣିକ କଥା ଅନୁଯାୟୀ ସୁଶ୍ରୁତ ରାଜା ବିଶ୍ୱାମିତ୍ରଙ୍କ ପୁତ୍ର ଏବଂ ଧନ୍ୱନ୍ତରୀଙ୍କ ଶିଷ୍ୟ। ବିଶ୍ୱାମିତ୍ର ତପସ୍ୟା ପାଇଁ ଚାଲିଯିବା ପରେ କାଶୀରାଜା ଦିବୋଦାସ ସୁଶ୍ରୁତଙ୍କୁ ଧନ୍ୱନ୍ତରୀଙ୍କ ଆଶ୍ରମକୁ ନେଇ ଯାଇଥିଲେ। ସୁଶ୍ରୁତଙ୍କ ସହପାଠୀମାନେ ଥିଲେ ଔପଧେନବ, ଗୋପୁରକ୍ଷିତ, କରିବୀର୍ଯ ନିମି, ଗାଲବ, ଭୋଜ, ପୌଷ୍କଳାବର୍ତ୍ତ, କାଙ୍କାୟନ, ଗାର୍ଗୀ ପ୍ରମୁଖ। ସୁଶ୍ରୁତ ଦିବ୍ୟଦୃଷ୍ଟି ବଳରେ ଚିକିତ୍ସା ବିଜ୍ଞାନର ପୂର୍ଣ୍ଣ ଜ୍ଞାନ ପାଇ ନିଜର ଅନୁଭୂତିକୁ ନେଇ ‘ସୁଶ୍ରୁତ ସଂହିତା’ ବା ‘ସୁଶ୍ରୁତ ଏନ୍ସାଇକ୍ଲୋପିଡିଆ’ ରଚନା କରିଥିଲେ। ଏହା ଏକମାତ୍ର ପୂର୍ଣ୍ଣାଙ୍ଗ ଚିକିତ୍ସା ଗ୍ରନ୍ଥ ରୂପେ ସର୍ବବିଜ୍ଞାନ ସମ୍ମତି। ପୂର୍ଣ୍ଣାଙ୍ଗ ଚିକିତ୍ସା ବିଜ୍ଞାନ କହିଲେ, ଏଥିରେ ଭେଷଜ ଚିକିତ୍ସା, ଶଲ୍ୟ, ଶାଲାକ୍ୟ, ସ୍ତ୍ରୀ ଓ ପ୍ରସୂତି, ଶିଶୁ ଶରୀର ବିଜ୍ଞାନ, ନିଦାନ, ବିଷ, ଦ୍ରବ୍ୟ ବିଜ୍ଞାନ, ଔଷଧ ବିଜ୍ଞାନ, ରସାୟନ ବିଜ୍ଞାନ, ବାଜୀକରଣ ବିଜ୍ଞାନ ଏବଂ ଅନ୍ୟାନ୍ୟ ବିଜ୍ଞାନର ବର୍ଣ୍ଣନା ରହିଛି। କିନ୍ତୁ ବିଶେଷ ଜ୍ଞାନ, ଯାହାକି ଆଶୁକାରୀ ଚିକିତ୍ସା, ତାହା ଶଲ୍ୟ ଚିକିତ୍ସାରେ ରହିଛି। ତେଣୁ ସେ ଶଲ୍ୟ ଚିକିତ୍ସାର ଜନକ ଭାବେ ସର୍ବସମ୍ମତ। ଏହା ଆଦିଭାଷା ସଂସ୍କୃତରେ ଲିଖିତ, କିନ୍ତୁ ବିଶ୍ୱବିଦ୍ୟାଳୟମାନଙ୍କରେ ଏକାଧିକ ଭାଷାରେ ଅନୂଦିତ।
ପ୍ରତ୍ୟକ୍ଷ ଶରୀର ରଚନା, କ୍ରିୟା ବିଜ୍ଞାନ, ଶବ ବ୍ୟବଚ୍ଛେଦାଦି, ନିଦାନାଦି ସହିତ ଶଲ୍ୟ ଚିକିତ୍ସାର ଉପାପାଦ୍ୟ ଏବଂ ପ୍ରତ୍ୟକ୍ଷ ଜ୍ଞାନ ପ୍ରଶିକ୍ଷଣ ପରେ ସ୍ୱୟଂ ପ୍ରତ୍ୟକ୍ଷ ଜ୍ଞାନ ପ୍ରାପ୍ତି, ଯୋଗ୍ୟତା ପରୀକ୍ଷା, କର୍ମ କ୍ଷେତ୍ରରେ ପ୍ରବେଶ ପୂର୍ବ, ଶାସନରେ ପଞ୍ଜୀକରଣ ପ୍ରତିଜ୍ଞା ଇତ୍ୟାଦି ଶଲ୍ୟ ଚିକିତ୍ସାର ଶୃଙ୍ଖଳା ଏବଂ ଅନୁଶାସନକୁ ବୁଝାଏ। ଚିକିତ୍ସାରେ ତ୍ରିବିଧ ଚିକିତ୍ସାଜୀବୀ ଯଥା ପୂର୍ବକର୍ମ, ପ୍ରଧାନ କର୍ମ ଏବଂ ପଶ୍ଚାତ୍କର୍ମ ଶଲ୍ୟ ଚିକିତ୍ସାର ତିନୋଟି ସ୍ତମ୍ଭ। ଏହା ସଠିକ୍ ପାଳନ କରିପାରିଲେ ଚିକିତ୍ସା ସଫଳ ହୁଏ। ଶସ୍ତ୍ର କର୍ମ ଚିକିତ୍ସା ସୂତ୍ର ଆକାରରେ ଆଠଟି ବିଧି ମଧ୍ୟରେ ଏ ସମସ୍ତ ବିଧି ଅନ୍ତର୍ଭୁକ୍ତ। ସୁଶ୍ରୁତଙ୍କ ଶଲ୍ୟ ଚିକିତ୍ସାରେ ନିଃସଂକ୍ରମଣ ଚିକିତ୍ସା ସର୍ବୋତ୍ତମ। ସଂକ୍ରମଣର ଚିକିତ୍ସା ପ୍ରତିଷେଧ ଉପାୟାଦି ରହିଛି। ‘ଘା’ ବା ବ୍ରଣର ଚିକିତ୍ସା ୬୦ ପ୍ରକାର ଅଛି। ଏପରିକି କ୍ଷତ ସ୍ଥାନ ଶୁଖି, ରୋମ ଉତ୍ପନ୍ନ ଓ ଦାଗ ଲିଭି ପ୍ରକୃତ ଚର୍ମ ଆସିବା ସୁଶ୍ରୁତ ସଂହିତାର ବର୍ଣ୍ଣନା ଆଧୁନିକ ବିଜ୍ଞାନକୁ ଗବେଷଣା ମାର୍ଗ ଦେଖାଏ।
ଶଲ୍ୟ ଚିକିତ୍ସା ଅନ୍ତର୍ଗତ ପ୍ଲାଷ୍ଟିକ୍ ଚିକିତ୍ସା ଆବଶ୍ୟକତା ଯୁଦ୍ଧ କ୍ଷେତ୍ରରୁ ସୁଶ୍ରୁତ ଆରମ୍ଭ କରିଥିଲେ। ସେଠାରେ ସେନାମାନଙ୍କର କାନ, ନାକ କଟିବା, ହାତ, ଗୋଡ଼ ଭାଙ୍ଗିବା, ସିରା, ଧମନୀ, ଅନ୍ୟାନ୍ୟ ଅଙ୍ଗ ଅବୟବ କଟିବା, ଖଣ୍ଡିଆ, ‘ଘା’ ଆଦିର ଆଶୁ ଚିକିତ୍ସା କେବଳ ପ୍ଲାଷ୍ଟିକ୍ ସର୍ଜରୀରେ ହିଁ ହୋଇପାରେ। ଦୁର୍ଘଟଣାର ଏକ ଘଣ୍ଟା ମଧ୍ୟରେ ରୋଗୀର ଆଶୁ ଚିକିତ୍ସା କଲେ ଆରୋଗ୍ୟପୂର୍ଣ୍ଣ ସମ୍ଭାବନା ଥାଏ। ଶସ୍ତ୍ର ଚିକିତ୍ସା ବ୍ୟତୀତ ଉପଶଲ୍ୟ ଚିକିତ୍ସା ପଦ୍ଧତିରେ କ୍ଷାର ଚିକିତ୍ସା, ଅଗ୍ନି ଚିକିତ୍ସା ଆଦିରେ ଲେଜର ପଦ୍ଧତି ଇତ୍ୟାଦି ଓ ରକ୍ତମୋକ୍ଷଣ ପଦ୍ଧତି ଆଦି ନିର୍ଦ୍ଦେଶ ସୁଶ୍ରୁତ ସଂହିତାରେ ରହିଛି। ସ୍ୱତନ୍ତ୍ର ସନ୍ଧାନ ଚିକିତ୍ସାରେ କାନ, ନାକ, ଓଠ ଖଣ୍ଡିଆର ଚିକିତ୍ସା ଉଦାହରଣୀୟ। ଗ୍ରହଣ ଖଣ୍ଡିଆ, ନାକ କାନାଦି ପୁନର୍ନିର୍ମାଣ କରିବା; ଏ ସବୁର ଆକାରର ଗାଲରୁ ଜୀବନ୍ତ ଚମଡ଼ା ନେଇ, ତନ୍ତୁକୁ ସଂଯୋଜିତ କରି, ସିଲାଇ କରି ସୁନ୍ଦର କରିପାରିବାର କୌଶଳ ସୁଶ୍ରୁତ ହିଁ ପ୍ରଥମେ ଉଦ୍ଭାବନ କରିଥିଲେ, ଯାହା ସୁଶ୍ରୁତ ସଂହିତାରେ ଉଲ୍ଲେଖ ରହିଛି।
ପ୍ଲାଷ୍ଟିକ୍ ସର୍ଜରୀ ଦକ୍ଷ, ସାହସୀ, ଉତ୍ସର୍ଗୀକୃତ, ନିଃସ୍ୱାର୍ଥପର ଶଲ୍ୟ ଚିକିତ୍ସକ ହିଁ କରିପାରନ୍ତି। ଉତ୍ତମ ପ୍ଲାଷ୍ଟିକ୍ ଶଲ୍ୟ ଚିକିତ୍ସକଙ୍କୁ ରୟାଲ ସର୍ଜନ କୁହାଯାଏ। ଆଜିର ପ୍ଲାଷ୍ଟିକ୍ ଶଲ୍ୟ ଚିକିତ୍ସାରେ ଅସମ୍ଭବ ରୋଗ ସମାଧାନ କରିବାରେ ସଫଳ। ଶରୀର ବାହାର ଓ ଭିତର ଅଙ୍ଗାବୟବର ରୋପଣ (ବୃକକ୍ ହୃଦାୟାଦି)ରେ ବର୍ତ୍ତମାନ ପ୍ଲାଷ୍ଟିକ୍ ସର୍ଜରୀ ବହୁ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି। ଶରୀରରେ ବିବିଧ ଅଙ୍ଗ, ଏପରିକି ମସ୍ତିଷ୍କ ଅସ୍ଥି, ସିରା, ଧମନୀ ଇତ୍ୟାଦି ଏବଂ ଶରୀର ପୋଡ଼ା ଘା’, ମୁଖବ୍ରଣ ମଧ୍ୟ ପ୍ଲାଷ୍ଟିକ୍ ଶଲ୍ୟ ଚିକିତ୍ସା ଦ୍ୱାରା ଆରୋଗ୍ୟ ହୋଇପାରୁଛି। କେବଳ ଦୁର୍ଘଟଣାର ଏକ ଘଣ୍ଟା ମଧ୍ୟରେ ପୀଡ଼ିତଙ୍କୁ ପ୍ଲାଷ୍ଟିକ୍ ଶଲ୍ୟ ବିଶେଷଜ୍ଞଙ୍କ ଓ ସଠିକ୍ ଚିକିତ୍ସାଳୟରେ ପହଞ୍ଚାଇବା ଓ ଚିକିତ୍ସା ଆରମ୍ଭ କରିବା ଜରୁରୀ।
ଶଲ୍ୟ ବିଭାଗ, ଡି.ପି ବିଶ୍ୱବିଦ୍ୟାଳୟ, ପୁନେ
ପ୍ରଫେସର ଡ. ଚତୁର୍ଭୁଜ ଭୂୟାଁ
ମହାରାଷ୍ଟ୍ର, ମୋ: ୯୫୫୬୭୫୨୨୧୨