୧୮୬୬ ମସିହାରେ ଭୟଙ୍କର ଖାଦ୍ୟାଭାବ ଜନିତ ଦୁର୍ଭିକ୍ଷ ଓଡ଼ିଶାରେ କରାଳ ବିଭୀଷିକା ସୃଷ୍ଟି କରିଥିଲା, ଯାହା ‘ନ’ ଅଙ୍କ ଦୁର୍ଭିକ୍ଷ’ନାମରେ କୁଖ୍ୟାତି ଅର୍ଜିଥିଲା। ଆମ ପିଲାବେଳେ ବୟସ୍କଙ୍କଠାରୁ ଦୁର୍ଭିକ୍ଷର କରୁଣ କଥା ଶୁଣି ଭୟରେ ଜଡ଼ସଡ଼ ହୋଇଯାଉଥିଲୁ। ପ୍ରାଥମିକ ବିଦ୍ୟାଳୟରେ ପଢ଼଼ିବା ସମୟରେ ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ୧୯୩୬ରେ ରଚିତ ନ’ଅଙ୍କ ଦୁର୍ଭିକ୍ଷର ଏକ ଝଲକ କବିତା ଆକାରରେ ଯେତେବେଳେ ପଢ଼଼ିଲୁ, ସେତେବେଳେ ଲାଗିଲା ସତେଯେପରି ଆମେ ଏହାକୁ ଅଙ୍ଗେ ନିଭାଇଛୁ –
ସତୁରି ବରଷ ତଳେ ଓଡ଼ିଶାରେ ପଡ଼ିଥିଲା ଘୋରକାଳ, ନ’ଅଙ୍କ ଦୁର୍ଭିକ୍ଷ ପଡ଼ିଲା ଦେଶରେ ଲୋକେ ମଲେ ମାଳ ମାଳ / ପେଟ ବିକଳରେ ସିଝାଇ ଖାଇଲେ ତେନ୍ତୁଳି ପତର ଆଣି, ସେ ମରମଫଟା କାହାଣୀ ଶୁଣିଲେ ପଥର ହୁଅଇ ପାଣି।
ଏହି କବିତାର ନାୟକ ସନାତନ ସାତଦିନ କାଳ ଅନାହାରରେ ରହି ଶେଷରେ ଭିକ୍ଷାଥାଳ ଧରି ଭିକ୍ଷାଯାଚନା କଲା। ସେତେବେଳେ ଭିକ୍ଷାପ୍ରାପ୍ତି ଥିଲା ଏକ ସ୍ୱପ୍ନ। ତଥାପି ଜଣେ ଗୃହିଣୀ ସନାତନର ଦୁଃଖରେ ମ୍ରିୟମାଣ ହୋଇ ନିଜ ଖାଦ୍ୟରୁ ଗଣ୍ଡେ ଭାତ ତା’ଥାଳିରେ ଦେଲେ ସିନା ବିଚରା ସନାତନ ଭାତ ଗଣ୍ଡାକ ଧରି ଘରେ ଭୋକିଲା ଥିବା ମା’ ଓ ଭାଇ ପାଇଁ ନେଇ ଆସୁଥିବା ବେଳେ ଅଧାବାଟରେ ମୃତ୍ୟୁର ଶୀତଳ ସ୍ପର୍ଶକୁ ଆଦରି ନେଲା।
ଏ କେବଳ ଏକ ବ୍ୟକ୍ତି ବା ପରିବାରର ଚିତ୍ର ନୁହେଁ। ସେତେବେଳର କ୍ଷୁଦ୍ର କଳେବର ବିଶିଷ୍ଟ ଓଡ଼ିଶାର ପ୍ରତି ଗାଁଗଣ୍ଡାରେ ନିଷ୍କରୁଣ ନିୟତି ତା’ର ଦାଉ ସାଧିଲା। ୧୮୬୫ର ବର୍ଷାଋତୁରେ ବର୍ଷା ନ ହୋଇ ଓଡ଼ିଶା ରାଜ୍ୟ ମରୁଡ଼ି କବଳିତ ହେଲା। ତତ୍କାଳୀନ ଓଡ଼ିଶାର ଉପକୂଳବର୍ତ୍ତୀ ତିନିଟି ଜିଲ୍ଲା ଯଥା ପୁରୀ, କଟକ ଓ ବାଲେଶ୍ୱରରେ ସମୁଦାୟ ଲୋକସଂଖ୍ୟା ଥିଲା ମାତ୍ର ତିନିଲକ୍ଷ ସତୁରି ହଜାର, ଯାହାର ଦୁଇ/ତୃତୀୟାଂଶ ଅର୍ଥାତ ପାଖାପାଖି ଅଢ଼େଇ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ିଲେ। ସେତେବେଳର ଧନପତି ଜମିଦାରମାନେ ତାଙ୍କ ଗଛିତ ଧାନକୁ ସାଧାରଣ ଲୋକଙ୍କୁ ନ ଦେଇ ରାଜ୍ୟ ବାହାର ବ୍ୟବସାୟୀଙ୍କୁ ବିକ୍ରିକରି ବେଶ୍ ଲାଭବାନ ହେଲେ। କଟକ, ପୁରୀ ଓ ବାଲେଶ୍ୱର ଜିଲ୍ଲା ମାଜିଷ୍ଟ୍ରେଟମାନେ କଟକସ୍ଥିତ ଡିଭିଜନାଲ କମିଶନର ଟି.ଇ. ରେଭେନସାଙ୍କ ଦୃଷ୍ଟି ଆକର୍ଷଣ କଲେ। କମିଶନର ସାହେବ ତ୍ୱରିତ ପଦକ୍ଷେପ ନେବା ପରିବର୍ତ୍ତେ ଜମିଦାରମାନଙ୍କ ମତାମତ ଲୋଡ଼ିଲେ। ଜମିଦାରମାନେ ଚତୁରତାର ସହ କମିଶନରଙ୍କୁ ଭ୍ରମିତ କଲେ। ପରିସ୍ଥିତି ଏପରି ହେଲା ଯେ କମିଶନର ସତ ଜାଣିଲା ବେଳକୁ ନେନିଗୁଡ଼ କହୁଣିକୁ ବୋହି ସାରିଥିଲା। କମିଶନର ସାହେବ ତିନି ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ବିଶ୍ୱାସକୁ ନ ନେବା ଥିଲା ସାଂଘାତିକ ଭୁଲ। ପରେ ବାଲେଶ୍ୱର ଜିଲ୍ଲା ମାଜିଷ୍ଟ୍ରେଟଙ୍କଠାରୁ ଖବର ପାଇ ବଙ୍ଗର ଗଭର୍ଣ୍ଣର ସାର୍ ସେସିଲି ବିଡନ ସେହି ବର୍ଷ ଫେବୃୟାରୀରେ କଟକ ଆସିଲେ। ସେ ମଧ୍ୟ ପ୍ରତାରଣାର ଶିକାର ହୋଇ କଲିକତା ଫେରିଗଲେ।
କ୍ରମେ ଏ ଘଟଣା ଜଟିଳ ହେବାରେ ଲାଗିଲା। କମିଶନର ସାହେବ ଓ ବ୍ରିଟିଶ୍ ସରକାରଙ୍କ ନିଦ ଭାଙ୍ଗିଲା। କମିଶନର ସାହେବ ନିଜ ଭୁଲ ବୁଝିପାରି ଗଭୀର ଅନୁତାପ କଲେ। ବ୍ରିଟିଶ୍ ପାର୍ଲାମେଣ୍ଟ ଅତି କଡ଼ା ଭାଷାରେ କମିଶନର ରେଭେନ୍ସା ସାହେବଙ୍କୁ ଭର୍ତ୍ସନା କଲେ। ରେଙ୍ଗୁନ୍ ଓ ବଙ୍ଗଳାରୁ ଖାଦ୍ୟ ମଗାଗଲା। କିନ୍ତୁ ସେତେବେଳକୁ ବର୍ଷାଋତୁ ଆରମ୍ଭ ହୋଇ ସାରିଥିଲା। ଫଳରେ ମାଟି କାଦୁଅ ଭରା ସଡ଼କପଥ ଦେଇ ସ୍ଥଳଭାଗରେ ପରିବହନ ଅସମ୍ଭବ ହୋଇପଡ଼ିଲା। ଜଳପଥରେ ଖାଦ୍ୟଶସ୍ୟ ଓଡ଼ିଶାରେ ପହଞ୍ଚିଲା ବେଳକୁ ଅଗଷ୍ଟ ଶେଷ ହୋଇ ସାରିଥିଲା। ରେଭେନସା ସାହେବ ନିଜକୁ କଳଙ୍କମୁକ୍ତ କରିବା ପାଇଁ ଓଡ଼ିଶାର ବନ୍ଧୁ ଭାବେ ପରିଚିତି ହାସଲ କରିବା ଲାଗି କୃଷି, ଜଳସେଚନ ଓ ଶିକ୍ଷା ପ୍ରସାର ଦିଗରେ ତ୍ୱରିତ ପଦକ୍ଷେପ ନେଲେ। ଦୁର୍ଭିକ୍ଷର ସତର ବର୍ଷ ପରେ ୧୮୮୩ରେ ପ୍ରଥମକରି ଉତ୍ତର ଓଡ଼ିଶା କେନାଲ ପ୍ରକଳ୍ପ କାର୍ଯ୍ୟକାରୀ ହେଲା। ପରେ ପରେ ଅନ୍ୟ ଜଳସେଚନ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲା। ଫଳରେ କୃଷିକ୍ଷେତ୍ର ପାଇଁ ଜଳସେଚନର ପ୍ରଭୂତ ବିକାଶ ସାଧିତ ହେଲା।
ନ’ଅଙ୍କ ଦୁର୍ଭିକ୍ଷ ମୋଟାମୋଟି ଜଳାଭାବ ଜନିତ ମରୁଡ଼ି ସ୍ଥିତିରୁ ସୃଷ୍ଟ। କେନାଲ ନଥିବାରୁ କୃଷିକୁ ବୃଷ୍ଟି ଜଳ ହିଁ ଭରସା ଥିଲା। ଏବେ ଆମେ ଆଉ ଏକ ଭୟଙ୍କର ଦୁର୍ଭିକ୍ଷର ସମ୍ମୁଖୀନ ହେବାକୁ ଯାଉଛେ, ଯାହା ବସ୍ତୁତଃ ଜଳାଭାବ ଓ ଅସହ୍ୟ ଉତ୍ତାପ ବୃଦ୍ଧି ଜନିତ ଖାଦ୍ୟାଭାବର ସଙ୍କଟ ଯୋଗୁଁ ସୃଷ୍ଟି ହେବାକୁ ଯାଉଛି। ସମଗ୍ର ପୃଥିବୀ ଉକ୍ତ ଦୁର୍ଭିକ୍ଷରେ ପୀଡ଼ିତ ହେବାକୁ ଯାଉଛି। ନ’ଅଙ୍କ ଥିଲା ଏକ କ୍ଷୁଦ୍ର ଭୂଭାଗର ଆଞ୍ଚଳିକ ସମସ୍ୟା, ଯାହାକୁ ବିଳମ୍ବରେ ହେଉ ପଛେ ସମାଧାନ କରାଯାଇ ପାରିଲା। ଏବେ କିନ୍ତୁ ସମସ୍ୟା ଅତ୍ୟନ୍ତ ଗମ୍ଭୀର। ପ୍ରତିବର୍ଷ କ୍ରମାଗତ ଭାବେ ଉତ୍ତାପ ବୃଦ୍ଧି ପାଇଚାଲିଛି। ଭାରତ ଭଳି ଏକ ଗ୍ରୀଷ୍ମପ୍ରଧାନ ଦେଶରେ ଅତ୍ୟଧିକ ଉତ୍ତାପ କୃଷି କ୍ଷେତ୍ର, ବିଶେଷକରି ଖାଦ୍ୟଯୋଗାଣକୁ ପ୍ରଭାବିତ କରିବାର ସମସ୍ତ ଲକ୍ଷଣ ପରିଦୃଷ୍ଟ ହେଲାଣି। ମାର୍ଚ୍ଚମାସ ପ୍ରାରମ୍ଭରୁ ଅତ୍ୟଧିକ ଗରମ ପାଗ କୃଷି ଉତ୍ପାଦନକୁ ପ୍ରଭାବିତ କରୁଛି। ନିକଟରେ ଭାରତରେ ଉତ୍ତାପ ବୃଦ୍ଧି ଓ କୃଷି ଉତ୍ପାଦନ ହ୍ରାସକୁ ପରୀକ୍ଷା କରିଛି ‘ଅର୍ଗାନାଇଜେସନ୍ ଅନ୍ ଚାଟାର୍ଡ ୱାଟର୍ସ୍’ ନାମକ ଏକ ସଂସ୍ଥା। ବିଗତ ତିରିଶ ବର୍ଷର ତଥ୍ୟ ଅନୁଶୀଳନ କରି ଯେଉଁ ନିଷ୍କର୍ଷ ମିଳିଛି ସେଥିରେ ଦର୍ଶାଯାଇଛି ଯେ, ଉତ୍ତାପ ବୃଦ୍ଧି ଯୋଗୁଁ ବର୍ତ୍ତମାନ ସୁଦ୍ଧା ଗହମ ଉତ୍ପାଦନ ୨୦ପ୍ରତିଶତ ହ୍ରାସ ପାଇଛି। କଫି ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ କଫି ଉତ୍ପାଦନ ୩୦ପ୍ରତିଶତ ହ୍ରାସ ଘଟିବ। ବିଶେଷଜ୍ଞଙ୍କ ମତ ହେଲା ଭାରତରେ ଜଳବାୟୁ ପରିବର୍ତ୍ତନ ଓ ଉତ୍ତାପ ବୃଦ୍ଧି ସମସ୍ତ ପ୍ରକାର ଖାଦ୍ୟ, ପନିପରିବା, ତୈଳବୀଜ ଓ ସାମୁଦ୍ରିକ ମତ୍ସ୍ୟ ସମ୍ପଦକୁ ପ୍ରଭାବିତ କରିବ। ଅର୍ଥନୀତିର ନିୟମ ଅନୁସାରେ ଉତ୍ପାଦନ ହ୍ରାସ ପାଇଲେ ଖାଉଟି ପଦାର୍ଥର ମୂଲ୍ୟ ବୃଦ୍ଧି ଘଟିବ। ସାଧାରଣତଃ କୌଣସି ପନିପରିବାର ଦର କି.ଗ୍ରା.ପିଛା ଶହେଟଙ୍କାରୁ କମ୍ ହେବ ନାହିଁ। ସାଧାରଣ ପରିବାରର କ୍ରୟଶକ୍ତି ହ୍ରାସ ପାଇବ। ଧାନ ଉତ୍ପାଦନ ଯଥେଷ୍ଟ ପ୍ରଭାବିତ ହେବ। ଚାଉଳ, ଗହମ, ଡାଲିଜାତୀୟ ଶସ୍ୟ ଓ ଖାଇବା ତେଲର ଉତ୍ପାଦନ କ୍ରମେ ହ୍ରାସ ପାଇ ୨୦୫୦ ମସିହା ସୁଦ୍ଧା ଏକ ଭୟଙ୍କର ନିଅଣ୍ଟିଆ ସ୍ଥିତି ଉପୁଜିବାର ପୂର୍ବାନୁମାନ କରାଗଲାଣି।
କୃଷି ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ଆଗତ ଏକ ରିପୋର୍ଟ ଅନୁଯାୟୀ ୨୦୧୪ ଠାରୁ ୨୦୨୩ ମଧ୍ୟରେ ୪୫୪ଟି ଗ୍ରାମର ୧୫୮୫୭ କୃଷକଙ୍କ କୃଷି କ୍ଷେତ୍ରରେ ଜଳବାୟୁ ପ୍ରତିରୋଧକ ଫସଲର ପରୀକ୍ଷାମୂଳକ ଚାଷ କରାଯାଇଥିଲା। କୃଷି ବିଜ୍ଞାନୀମାନେ ଉତ୍ତାପ ସହନଶୀଳ ଫସଲ ଚାଷ ଉପରେ ଗୁରୁତ୍ୱ ଆରୋପ କରୁଛନ୍ତି। ଭାରତ ଅଧ୍ୟକ୍ଷତାରେ ଜି-୨୦ ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ର କୃଷି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପୃଥିବୀରେ ବିଶେଷକରି ଭାରତର ଖାଦ୍ୟଦ୍ରବ୍ୟ ନଷ୍ଟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶସ୍ୟାଗାର, ଶୀତଳଭଣ୍ଡାର ନିର୍ମାଣ ଉପରେ ମଧ୍ୟ ଗୁରତ୍ୱ ଦିଆଯାଇଥିଲା। ଏସବୁ ସତ୍ତ୍ବେ ବ୍ୟାପକ ସହରୀକରଣ, ବୃକ୍ଷଛେଦନ ଓ ବନଧ୍ୱଂସୀକରଣ, ବନାଗ୍ନିର କରାଳ ବିଭୀଷିକା, ଘରେ ଓ ବ୍ୟବସାୟ ପ୍ରତିଷ୍ଠାନରେ ବ୍ୟାପକ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏ.ସି) ବ୍ୟବହାର ଉଷ୍ମତା ବୃଦ୍ଧିର ପ୍ରମୁଖ କାରଣ। ଅତ୍ୟଧିକ ଉତ୍ତାପ ବୃଦ୍ଧି ମଣିଷର ମାନସିକତାକୁ ପ୍ରଭାବିତ କରିବ। ଫଳରେ କେବଳ ଶରୀର ନୁହେଁ, ମସ୍ତିଷ୍କ ମଧ୍ୟ ସାଂଘାତିକ ଭାବେ ପ୍ରଭାବିତ ହେବ। ହିଂସ୍ରତା ବୃଦ୍ଧି ଯୋଗୁଁ ଦଙ୍ଗା କଳହ ମାତ୍ରାଧିକ ଭାବେ ବୃଦ୍ଧିପାଇବ। ମାନବିକ ମୂଲ୍ୟବୋଧର ଅପଚୟ ଘଟି କେହି କାହା ପ୍ରତି ସମ୍ବେଦନଶୀଳ ହେବେ ନାହିଁ। ଦୟା, କ୍ଷମା, ସହନଶୀଳତା ପରି ସୁଗୁଣଗୁଡ଼ିକ ଲୋପ ପାଇ ହିଂସା, ଦ୍ୱେଷ, ପରଶ୍ରୀକାତରତାର ବୃଦ୍ଧି ଘଟିବ।
ନ’ଅଙ୍କ ଦୁର୍ଭିକ୍ଷ କେବଳ ଜଳାଭାବ ଯୋଗୁଁ ଘଟିଥିବା ବେଳେ ଆଗାମୀ ଅଦୃଶ୍ୟ ଓ ସମ୍ଭାବ୍ୟ ଦୁର୍ଭିକ୍ଷ ମାନବର ଆଚରଣ ଯୋଗୁଁ ସଂଘଟିତ ହେବ। ଉତ୍ତାପ ବୃଦ୍ଧି ଯୋଗୁଁ ଖାଦ୍ୟଶସ୍ୟ ଉତ୍ପାଦନ ତ ପ୍ରଭାବିତ ହେବ, ଶରୀରରେ ଅନେକ ରୋଗ ଆକ୍ରମଣର ଆଶଙ୍କା ବୃଦ୍ଧି ପାଇବ। ଏ ସବୁକୁ ପ୍ରୋତ୍ସାହିତ କରୁଛି ଖାଦ୍ୟ ଅପମିଶ୍ରଣ। ଅପମିଶ୍ରିତ ଖାଇବା ତେଲ, ବଜାରରେ ବିକ୍ରି ହେଉଥିବା ଫାଷ୍ଟଫୁଡ୍କୁ ବର୍ଜନ କରିବା ଦରକାର। କୃତ୍ରିମତା ଉପରେ ନିର୍ଭର ନ କରି ପ୍ରାକୃତିକତାକୁ ଆଦରି ପାରିଲେ ଆଗାମୀ ସମ୍ଭାବ୍ୟ ଉତ୍ତାପ ବୃଦ୍ଧି ଜନିତ ଦୁର୍ଭିକ୍ଷରୁ ତ୍ରାହି ମିଳିବାର କ୍ଷୀଣ ଆଶାଟି ଉଜ୍ଜୀବିତ ହେବ।
ବୈକୁଣ୍ଠନାଥ ମିଶ୍ର
ଜଗତସିଂହପୁର, ମୋ: ୯୯୩୭୪୫୦୫୪୦