ଲୋକମାନଙ୍କୁ ଏକତ୍ର କରିବାରେ, ଯୋଗାଯୋଗକୁ ସମୃଦ୍ଧ କରିବାରେ ଏବଂ ବିଭିନ୍ନ ସଂସ୍କୃତି, ସମ୍ପ୍ରଦାୟ ଓ ଦୃଷ୍ଟିକୋଣ ମଧ୍ୟରେ ଉତ୍ତମ ବୁଝାମଣାକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ରେଡିଓ। ‘ୱାର୍ଲଡ ରେଡିଓ ମ୍ୟାପ୍’ ତଥ୍ୟ ଅନୁସାରେ ସାରା ବିଶ୍ୱରେ ପ୍ରାୟ ୪୦ ହଜାର ରେଡିଓ ଷ୍ଟେସନ ରହିଛି। ସେହିଭଳି ଅନ୍ତର୍ଜାତୀୟ ପ୍ରସାରଣ ସଂଘର ତଥ୍ୟ ଅନୁସାରେ ବିଶ୍ୱର ପ୍ରାୟ ଅର୍ଦ୍ଧାଧିକ ଲୋକ (ପାଖାପାଖି ଚାରିଶହ କୋଟି) ନିଶ୍ଚିତ ଭାବେ ରେଡିଓ ଶୁଣନ୍ତି। ବିଶ୍ୱର ବିଭିନ୍ନ ଦେଶଙ୍କ ତୁଳନାରେ ଭାରତରେ ରେଡିଓର ଉପସ୍ଥିତି ଢେର ଅଧିକ। କେବଳ ଆମ ଦେଶରେ ୯ ଶହରୁ ଅଧିକ ରେଡିଓ ଷ୍ଟେସନ ରହିଛି। ଏହାସହ ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ପାଖରେ ରେଡିଓ ପହଞ୍ଚି ପାରିଛି। ସମାଜର ବିକାଶ ଦିଗରେ ରେଡିଓର ଅତୁଳନୀୟ ଭୂମିକାର ମହାନ ପରମ୍ପରାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଫେବ୍ରୁଆରି ୧୩ ତାରିଖରେ ପାଳନ କରାଯାଏ ‘ବିଶ୍ୱ ରେଡିଓ ଦିବସ’। ମିଳିତ ଜାତିସଂଘ ପକ୍ଷରୁ ‘ବିଶ୍ୱ ରେଡିଓ ଦିବସ’କୁ ୨୦୧୨ ମସିହାରୁ ବିଧିବଦ୍ଧ ଭାବେ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା।
ରେଡିଓ ସେବା ଆରମ୍ଭ କରିବାର ଆଦ୍ୟ ଦିନଗୁଡ଼ିକରେ ଯୋଗାଯୋଗ ଏବଂ ମନୋରଞ୍ଜନ ପାଇଁ ଏହା ଏକ ବଳିଷ୍ଠ ମାଧ୍ୟମ ଥିଲା। ସମୟ ସହିତ ଏହା ଏକ ଶକ୍ତିଶାଳୀ ଗଣମାଧ୍ୟମରେ ପରିଣତ ହୋଇଛି। ରେଡିଓକୁ ବିଶ୍ୱର ସବୁଠାରୁ ସହଜ ଏବଂ ଶସ୍ତାରେ ଉପଲବ୍ଧ ଗଣମାଧ୍ୟମ ବୋଲି କୁହାଯାଏ। କାରଣ ଏହା ଦୂରଦୂରାନ୍ତରରେ ଥିବା ସ୍ଥାନ ତଥା ଗ୍ରାମାଞ୍ଚଳର ଅପହଞ୍ଚ ଇଲାକାରେ ପହଞ୍ଚିପାରେ, ଯେଉଁଠାରେ ଅନ୍ୟ ଯୋଗାଯୋଗ ଏବଂ ଗଣମାଧ୍ୟମ ଉପଲବ୍ଧ ନୁହେଁ। ସଚେତନତା ସୃଷ୍ଟି କରିବା, ସାମାଜିକ ଏକତା, ସଂହତି ଓ ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ଏବଂ ବହୁମୁଖୀ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏହା ଏକ ଆଦର୍ଶ ସାଧନ। ବିପର୍ଯ୍ୟୟ ଓ ସଙ୍କଟ ସମୟରେ ରେଡିଓ ଜୀବନ ରକ୍ଷାକାରୀ ସୂଚନା ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ପାରିଛି। ରେଡିଓ ଏଭଳି ଏକ ମାଧ୍ୟମ, ଯାହା ମଣିଷଙ୍କୁ ସାନ୍ତ୍ୱନା ଦେଇପାରେ ଏବଂ ଲୋକଙ୍କ ଦୁର୍ଦ୍ଦିନରେ ସେମାନଙ୍କ ଭାବନା ଅନୁକୂଳ ମନୋବଳ ଯୋଗାଇବା ସହ ସମବେଦନା ବି ଜ୍ଞାପନ କରିପାରେ।
ରେଡିଓ ଷ୍ଟେସନଗୁଡ଼ିକ ବିଭିନ୍ନ ବ୍ୟକ୍ତିଙ୍କ ଭିନ୍ନ ଭିନ୍ନ ମତାମତ ପାଇଁ ଏକ ମଞ୍ଚ ପ୍ରଦାନ କରିପାରିବେ, ଯାହା ହୁଏତ ଅନ୍ୟ କ୍ଷେତ୍ରରେ ସମ୍ଭବ ହୋଇନପାରେ। ଲୋକଙ୍କୁ ସେମାନଙ୍କର ଦୃଷ୍ଟିକୋଣ ଏବଂ ଅଭିଜ୍ଞତା ବାଣ୍ଟିବାର ସୁଯୋଗ ଦେଇପାରେ ରେଡିଓ। ଯେଉଁ ଦେଶରେ ବାକ୍ ସ୍ୱାଧୀନତା ଏବଂ ଗଣମାଧ୍ୟମର ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଯାଇଥାଏ ସେହି ଦେଶରେ ରେଡିଓର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼େ। ସୂଚନା ବିସ୍ତାର କରିବା, ଅଭିବ୍ୟକ୍ତିର ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସମର୍ଥନ କରିବାର ଏକ ବଳିଷ୍ଠ ମାଧ୍ୟମ ଭାବରେ ରେଡିଓର ବ୍ୟବହାର କରାଯାଇପାରିବ।
ଶିକ୍ଷା ଏବଂ ଆଜୀବନ ଶିକ୍ଷଣକୁ ପ୍ରୋତ୍ସାହିତ କରିବାରେ ମଧ୍ୟ ରେଡିଓ ଏକ ଗୁରୁ ଦାୟିତ୍ୱ ନିର୍ବାହ କରିଆସୁଛି। ଲୋକଙ୍କୁ ନୂତନ କୌଶଳ ଶିଖାଇବା, ସ୍ୱାସ୍ଥ୍ୟ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସୂଚନା ପ୍ରଦାନ କରିବା ଏବଂ ପିଲାମାନଙ୍କ ପାଇଁ ଶିକ୍ଷାଗତ ବିଷୟବସ୍ତୁ ପ୍ରଦାନ କରିବା ଲାଗି ରେଡିଓ କାର୍ଯ୍ୟକ୍ରମଗୁଡ଼ିକର ପରିକଳ୍ପନା କରାଯାଇପାରିଛି। ଦୂର ନିରନ୍ତର ଶିକ୍ଷା ପାଇଁ ରେଡିଓ ଏକ ସୁଲଭ ଓ ମହତ୍ତ୍ୱପୂର୍ଣ୍ଣ ସାଧନ ଭାବରେ ସାବ୍ୟସ୍ତ ହୋଇପାରିଛି। ସାମ୍ପ୍ରତିକ ସମୟରେ ବୈଷୟିକ ବିଦ୍ୟାର ଅଗ୍ରଗତି, ଇଣ୍ଟରନେଟ୍ ଏବଂ ମୋବାଇଲ୍ ରେଡିଓର ବୃଦ୍ଧି, ପୂରା ଦୁନିଆରେ ରେଡିଓ ପାଇଁ ଏକ ନୂତନ ଯୁଗ ସୃଷ୍ଟି କରିଛି। ଏହା ବିଶ୍ୱର ଯେକୌଣସି ସ୍ଥାନରୁ, ଯେକୌଣସି ସମୟରେ ଲୋକଙ୍କୁ ରେଡିଓ ପ୍ରସାରଣ ଶୁଣିବାକୁ ସକ୍ଷମ କରି ଏକ ନୂତନ ସ୍ତରରେ ପହଞ୍ଚି ପାରିଛି।
ଏ ସବୁ ବ୍ୟତିରେକ ଦେଶର ଭୌଗୋଳିକ ସୀମା ଅତିକ୍ରମ କରୁଥିବା ଯୋଗାଯୋଗର ମାଧ୍ୟମ ପାଲଟି ଅନ୍ତର୍ଜାତୀୟ ସମ୍ପର୍କର ବିକାଶରେ ରେଡିଓ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଦୀର୍ଘ ଦୂରତ୍ୱରେ ପ୍ରସାରଣ କରିବାର କ୍ଷମତା ସହିତ ରେଡିଓ ବିଭିନ୍ନ ଦେଶର ଲୋକଙ୍କ ମଧ୍ୟରେ ସୂଚନା ଏବଂ ଭାବ ବିନିମୟକୁ ସୁଗମ କରି ସାଂସ୍କୃତିକ ପାର୍ଥକ୍ୟକୁ ବୁଝିବାରେ ସାହାଯ୍ୟ କରେ। ବିଂଶ ଶତାବ୍ଦୀର ପ୍ରାରମ୍ଭରେ, ରେଡିଓ ଏକ ଅପେକ୍ଷାକୃତ ନୂତନ ପ୍ରଯୁକ୍ତିବିଦ୍ୟା ଥିଲା ଏବଂ ଅନ୍ତର୍ଜାତୀୟ ଯୋଗାଯୋଗ ପାଇଁ ଏହାର ବ୍ୟବହାର ବାଲ୍ୟାବସ୍ଥାରେ ଥିଲା। ୧୯୨୦ ଏବଂ ୧୯୩୦ ଦଶକରେ ଅନ୍ତର୍ଜାତୀୟ ସର୍ଟୱେଭ୍ ପ୍ରସାରଣର ବିକାଶ କୂଟନୈତିକ ଉପକରଣ ଭାବରେ ରେଡିଓର ବ୍ୟବହାର ପାଇଁ ପଥ ପରିଷ୍କାର କରିଥିଲା। ‘ଲିଗ୍ ଅଫ୍ ନେସନ୍ସ’ ପରି ସରକାର ଏବଂ ଅନ୍ତର୍ଜାତୀୟ ସଂଗଠନ ଏବଂ ପରେ ମିଳିତ ଜାତିସଂଘ ରେଡିଓକୁ ସୂଚନା ବିସ୍ତାର ତଥା ବିଶ୍ୱ ସ୍ତରରେ ସେମାନଙ୍କ ବାର୍ତ୍ତା ପ୍ରଚାର କରିବାର ମାଧ୍ୟମ ଭାବରେ ବ୍ୟବହାର କରିଥିଲେ। ବିବାଦ ସମୟରେ ରେଡିଓ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବାହ୍ୟ ଜଗତ ସହିତ ଯୋଗାଯୋଗର ମାଧ୍ୟମ ଯୋଗାଇଥାଏ ଏବଂ ଜନମତକୁ ପ୍ରଭାବିତ କରିଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଉଭୟ ମେଣ୍ଟ ପକ୍ଷ ରେଡିଓ ବ୍ୟବହାର କରି ଜନମତକୁ ପ୍ରଭାବିତ କରିବା ସହ ନିଜ ସୈନ୍ୟ ଓ ନାଗରିକଙ୍କ ମନୋବଳ ବୃଦ୍ଧି କରିଥିଲେ। ଯୁଦ୍ଧ ପରେ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ ପୂର୍ବ ଶତ୍ରୁମାନଙ୍କ ମଧ୍ୟରେ ବୁଝାମଣା ସୃଷ୍ଟି କରିବା ପାଇଁ ରେଡିଓ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ପାଲଟିଥିଲା।
ବିଶ୍ୱ ରେଡିଓ ଦିବସରେ ଏତିକି କୁହାଯାଇପାରିବ ଯେ ବହୁଧା ବିଭକ୍ତ ତଥା ବ୍ୟାପକ ଭାବେ ପରିବ୍ୟାପ୍ତ ଏକ ବିଶାଳ ଶ୍ରୋତା ମଣ୍ଡଳୀଙ୍କ ପାଖରେ ପହଞ୍ଚିବାର କ୍ଷମତା, ଏହାର ଉପଲବ୍ଧତା, ଏବଂ ତୁରନ୍ତ ତଥା ଅତ୍ୟାଧୁନିକ ସୂଚନା ପ୍ରଦାନ କରିବାର କ୍ଷମତା ରେଡିଓକୁ ଅନ୍ତର୍ଜାତୀୟ ସମୁଦାୟରେ ଶାନ୍ତି ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣରେ ପରିଣତ କରାଇପାରିଛି। ତେଣୁ ରେଡିଓକୁ ଏକ ସୃଜନଶୀଳ ମାଧ୍ୟମ ରୂପରେ ବ୍ୟବହାର କରି ବିଶ୍ୱ କଲ୍ୟାଣ ଦିଗରେ କିପ୍ରକାର ଲାଭ ନିଯାଇପାରିବ ସେଦିଗରେ ଚିନ୍ତା କରାଯିବା ଦରକାର। ତେବେ ତା’ ପୂର୍ବରୁ ରେଡିଓର କ୍ଷମତା, ଦକ୍ଷତା ଏବଂ ବ୍ୟାପକତା ସମ୍ପର୍କରେ ସମସ୍ତେ ଅବଗତ ବି ହେବା ଜରୁରୀ। ରେଡିଓ ଦ୍ୱାରା ଆମ ଜୀବନ ଉପରେ କି ପ୍ରକାର ପ୍ରଭାବ ପଡ଼ିଛି ତା’କୁ ବୁଝିବା ସହ ତା’ର ଭୂମିକାକୁ ପ୍ରଶଂସା କରିବା ଏବଂ ଜନମଙ୍ଗଳ ପାଇଁ ଏହାର ସଦୁପଯୋଗ କରିବା ଆମର ଧ୍ୟେୟ ହେବା ଉଚିତ।
ଡକ୍ଟର ଫକୀର ମୋହନ ନାହାକ
ମୋହାଲି(ପଞ୍ଜାବ)