ସେପ୍ଟେମ୍ୱର ୧୧, ୧୭୩୦ ଦିନ ଭୋର ସମୟରେ ରାଜସ୍ଥାନର ଯୋଧପୁରଠାରୁ ପ୍ରାୟ ୧୮ କିଲୋମିଟର ଦୂରରେ ଥିବା ଖେଜାର୍ଲୀ ନାମକ ଏକ ଛୋଟ ଗାଁରେ ଏକ ଅଜବ ଘଟଣା ଘଟିଥିଲା। ବଡ଼ ବଡ଼ କୁରାଢ଼ି ହାତରେ ଧରି ଘୋଡ଼ାରୁ ଓହ୍ଲାଇଲେ କିଛି ଲୋକ। ସେମାନେ ଥିଲେ ମାରୱାର (ଯୋଧପୁର) ର ଶାସକ ଅଭୟ ସିଂଙ୍କ ଲୋକ, ଯେଉଁମାନେ ଖେଜ୍ରି ଗଛକୁ କାଟି ଯୋଧପୁରର ମେହେରଙ୍ଗର ଦୁର୍ଗକୁ ନେଉଥିଲେ। ପ୍ରାସାଦ ନିର୍ମାଣ ପାଇଁ ଆବଶ୍ୟକ ଚୂନଭାଟିକୁ ଇନ୍ଧନ ଦେବା ପାଇଁ ଏହି କାଠ ବ୍ୟବହାର କରାଯାଉଥିଲା।
ଯେତେବେଳେ ଅଭୟ ସିଂଙ୍କ ଲୋକମାନେ ଖେଜ୍ରୀ ଗଛ କାଟିବା ପାଇଁ ଉଦ୍ୟମ ଆରମ୍ଭ କରନ୍ତି, ସେତେବେଳେ ଅମୃତା ଦେବୀ ବୈଷ୍ଣବୀ ନାମ୍ନୀ ଜଣେ ମଧ୍ୟମ ବୟସ୍କା ଆଦିବାସୀ ମହିଳା ସେଠି ପହଞ୍ଚି ସେମାନଙ୍କୁ ବାରଣ କରିବାକୁ ଚେଷ୍ଟା କଲେ। ଯେତେବେଳେ ସୈନିକମାନେ ଏଥିପ୍ରତି ଧ୍ୟାନ ଦେଲେ ନାହିଁ, ସେତେବେଳେ ସେ ଗଛକୁ ଆଲିଙ୍ଗନ କରି କହିଥିଲେ ଯେ ‘ଗଛ କାଟିବା ଅପେକ୍ଷା ତାଙ୍କ ମୁଣ୍ଡ କଟିବା କମ୍ ମୂଲ୍ୟ ପଡ଼ିବ।’ ନିର୍ଦ୍ଦୟ ସୈନିକମାନଙ୍କ କୁରାଢ଼ୀ ଚୋଟରେ ଅମୃତାଙ୍କ ଜୀବନ ଗଲା। ତାଙ୍କର ତିନି ଝିଅ ଆସୁ, ରତ୍ନି ଓ ଭାଗୁ ଏ ଦୃଶ୍ୟ ଦେଖିବା ପରେ ମା’ଙ୍କ ଭଳି ଗୋଟିଏ ପରେ ଗୋଟିଏ ଗଛକୁ ଆଲିଙ୍ଗନ କରି ଗଛ ପାଇଁ ନିଜ ଜୀବନକୁ ବଳି ଦେଲେ। ଏହି ଖବର ପହଞ୍ଚିବା ମାତ୍ରେ ପାଖ ଆଖ ଗାଁର ବିଷ୍ଣୋଇ ସମ୍ପ୍ରଦାୟର ୩୬୩ ପୁରୁଷ, ମହିଳା ଏବଂ ଶିଶୁ ଗଛକୁ କୁଣ୍ଢାଇ ଧରି ସମ ଦଶା ଭୋଗିଥିଲେ। ଖେର୍ଜାଲୀ ଗ୍ରାମର ମାଟି ରକ୍ତରଞ୍ଜିତ ହୋଇଗଲା।
ରାଜା ଅଭୟ ସିଂହ ଏହା ଜାଣିବା ପରେ ସେ ଗାଁକୁ ଧାଇଁଗଲେ ଏବଂ ସମଗ୍ର ଘଟଣା ପାଇଁ ନିଜକୁ ଦାୟୀ କଲେ। ଅନୁତାପ କରି ସେ ବୈଷ୍ଣବ ସମ୍ପ୍ରଦାୟକୁ କ୍ଷମା ମାଗିଥିଲେ। ଗଛ କାଟିବା ଏବଂ ବନ୍ୟଜନ୍ତୁ ଶିକାର ବନ୍ଦ କରିବାକୁ ରାଜ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଲେ। ଯେଉଁମାନେ ଆଦେଶ ଉଲ୍ଲଂଘନ କରିଥିଲେ ସେମାନଙ୍କୁ ଦଣ୍ଡିତ କରିଥିଲେ। ବୈଷ୍ଣବୀଙ୍କ ସାହସକୁ ସମ୍ମାନ ଜଣାଇ ସେ ତାମ୍ବ୍ରପାତ୍ରରେ ଖୋଦିତ ଏକ ଆଦେଶ ଜାରି କରି ଗ୍ରାମ ପରିସରରେ ବୃକ୍ଷ ଛେଦନ ଏବଂ ପଶୁ ଶିକାରକୁ ସବୁଦିନ ପାଇଁ ନିଷେଧ କରିଥିଲେ। ଏହା ବୋଧହୁଏ ଦେଶର ଇତିହାସରେ ପ୍ରଥମ ଏବଂ ସବୁଠାରୁ ଭୟଙ୍କର ପରିବେଶ ସୁରକ୍ଷା ଆନ୍ଦୋଳନ।
ଅକ୍ଟୋବର ୧, ୧୯୯୮ରେ ଆଉ ଏକ ଦୁଃଖଦ ଘଟଣା ଘଟିଥିଲା। ସେଦିନ ରାତିରେ ଦୁଇ ନିରୀହ କୃଷ୍ଣସାର ମୃଗଙ୍କୁ ଅଭିନେତା ସଲମାନ ଖାନ ଗୁଳିବିଦ୍ଧ କରି ହତ୍ୟା କରିଥିଲେ। ସଲମାନଙ୍କ ସହ ଆସିଥିବା ଅନ୍ୟ କଳାକାରମାନେ ହେଲେ ସୈଫ ଅଲି ଖାନ, ତବୁ, ସୋନାଲି ବେନ୍ଦ୍ରେ ଓ ନିଲମ କୋଥାରୀ। ‘ହମ ସାଥ ସାଥ ହୈ’ ଚଳଚ୍ଚିତ୍ରର ସୁଟିଂ ପାଇଁ ସେମାନେ ଯୋଧପୁରରେ ରହିଥିବା ବେଳେ ଏହି ଭୟଙ୍କର ଘଟଣା ଘଟିଥିଲା। ଶିକାର କରିବାର ଆନନ୍ଦ ଦୁଇଟି ନିରୀହ ମୂଲ୍ୟବାନ କୃଷ୍ଣସାର ମୃଗଙ୍କ ଜୀବନ ନେଇଗଲା। ବନ୍ୟଜନ୍ତୁ (ସୁରକ୍ଷା) ଅଧିନିୟମ, ୧୯୭୨ ଅନୁଯାୟୀ ଏହି ମୃଗ ଅନୁସୂଚୀ-୨ ବର୍ଗର ପ୍ରାଣୀ। ସ୍ଥାନୀୟ ବାସିନ୍ଦା ପୁନମ ଚାନ୍ଦ ବୈଷ୍ଣବୀ ଏବଂ ସ୍ଥାନୀୟ ବୈଷ୍ଣୋଇ ସମ୍ପ୍ରଦାୟର ତାଙ୍କର ଦୁଇ ବନ୍ଧୁ ଏହି ଘଟଣାର ସାକ୍ଷୀ ଥିଲେ। ସଲମାନ ଦୋଷୀ ସାବ୍ୟସ୍ତ ହୋଇଥିଲେ, ଜୋରିମାନା ହେଲା, କାରାବରଣ କଲେ। ତେବେ ପରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। କିନ୍ତୁ ସଲମାନ ବୈଷ୍ଣବୀଙ୍କ କ୍ରୋଧରୁ ମୁକ୍ତ ହୋଇପାରିଲେ ନାହିଁ।
ଖେଜ୍ରି ଗଛ, କୃଷ୍ଣସାର କିମ୍ୱା ଅନ୍ୟ କୌଣସି ବନ୍ୟଜନ୍ତୁଙ୍କ ପ୍ରତି କ୍ଷତି ଘଟାଉଥିବା ଯେକୌଣସି ଲୋକଙ୍କୁ ବୈଷ୍ଣୋୟୀମାନେ କଦାପି କ୍ଷମା ଦିଅନ୍ତି ନାହିଁ। ଅଭିନେତା ସଲମାନଙ୍କୁ ହତ୍ୟା କରିବା ପାଇଁ ତାଙ୍କ ମୁମ୍ୱାଇସ୍ଥିତ ବାସଭବନରେ ଉଦ୍ୟମ କରାଯାଇଥିଲା। ଏଥିପାଇଁ ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗଷ୍ଟର ନିଜକୁ ଦାୟୀ କରିଛନ୍ତି। ସେମାନଙ୍କର ଦାବି ହେଉଛି ଯେ ଅଭିନେତା ଖାନ ଯେଉଁଠାରେ ବନ୍ଧୁକ ଗୁଳିରେ କୃଷ୍ଣସାର ମୃଗ ହତ୍ୟା କରିଥିଲେ ବ୍ୟକ୍ତିଗତ ଭାବରେ ସେଠାକୁ ଆସି କ୍ଷମା ମାଗନ୍ତୁ; ନତୁବା ସେମାନେ ସଲ୍ମାନ୍ଙ୍କୁ ହତ୍ୟା କରିବାକୁ ଉଦ୍ୟମ ଜାରି ରଖିବେ। ବଲିଉଡ ଅଭିନେତା ସଲମାନଙ୍କ ଦ୍ୱାରା ପ୍ରାଣ ହରାଇଥିବା ଦୁଇ କୃଷ୍ଣସାର ମୃଗଙ୍କ ବାସସ୍ଥଳୀ କଙ୍କଣି ଗ୍ରାମରେ, ଯାହା ଯୋଧପୁର ସହରଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ। ବୈଷ୍ଣବୀମାନେ ସେଠାରେ ଏକ ସ୍ମାରକ ନିର୍ମାଣ କରିଛନ୍ତି। ଏହି ସ୍ଥାନ ଚାରିପାଖରେ ଖେଜ୍ରି ଗଛ ଲଗାଇଛନ୍ତି ଏବଂ ସେଠାରେ ପଞ୍ଚଧାତୁରେ ନିର୍ମିତ କୃଷ୍ଣସାରର ମୂର୍ତ୍ତି ସ୍ଥାପନ କରାଯିବାର ଯୋଜନା ରହିଛି।
୧୪୮୫ ମସିହାରେ ରାଜସ୍ଥାନରେ ଏକ ବଡ଼ ଅନାବୃଷ୍ଟି ଏବଂ ମରୁଡ଼ି ଘଟିଥିଲା। ହଠାତ୍ କିଛି କୃଷ୍ଣସାର ଦେଖାଗଲେ ଏବଂ ବର୍ଷା ହେଲା। ଆଧ୍ୟାତ୍ମିକ ଗୁରୁ ଜମ୍ୱେଶ୍ୱର ଏହା ଦେଖିଲେ ଏବଂ ବିଶ୍ୱାସ କଲେ ଯେ କୃଷ୍ଣସାରର ଉପସ୍ଥିତି ଶୁଭସଙ୍କେତ। ସେ ଖେଜ୍ରି ଗଛକୁ ମଧ୍ୟ ପବିତ୍ର ବୋଲି ବିବେଚନା କରିଥିଲେ। ସେ ବୈଷ୍ଣବ ଧର୍ମର ବୈଷ୍ଣବୀ ନାମରେ ଉପ-ସମ୍ପ୍ରଦାୟ ପ୍ରତିଷ୍ଠା କରିଥିଲେ। ସେ ଧର୍ମ ଅନୁସରଣ କରିବାକୁ ୨୯ ଟି ନୀତି ପ୍ରଣୟନ କରିଥିଲେ। ପ୍ରାଣୀମାନଙ୍କୁ ହତ୍ୟା କରିବା ଏବଂ ଗଛ କାଟିବା ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ଏଣୁ ବୈଷ୍ଣୋଇମାନେ ଜୀବଜଗତକୁ ଦେବତା ତୁଲ୍ୟ ପୂଜା, ଶ୍ରଦ୍ଧା ଓ ସମ୍ମାନ କରନ୍ତି।
ଓଡ଼ିଶାରେ କୃଷ୍ଣସାର ବିଷୟରେ ମଧ୍ୟ ସମାନ କାହାଣୀ ଅଛି। ଶହ ଶହ ବର୍ଷ ପୂର୍ବେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ନିକଟ ଭେଟନୋଇ-ରାମୁଣ୍ଡା ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ହଠାତ୍ କିଛି କୃଷ୍ଣସାର ଦେଖାଗଲେ ଏବଂ ବର୍ଷା ହେଲା। ସ୍ଥାନୀୟ ସମ୍ପ୍ରଦାୟ କୃଷ୍ଣସାର ମୃଗକୁ ସେମାନଙ୍କର ପବିତ୍ର ପ୍ରାଣୀ ଭାବରେ ମାନ୍ୟତା ଦେଲେ। ପଶ୍ଚିମ ରାଜସ୍ଥାନର ବୈଷ୍ଣୋଇ ସମ୍ପ୍ରଦାୟ ଏବଂ ସୈରାଷ୍ଟ୍ରର ଭାଲା ରାଜପୁତ ପରି ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଲୋକମାନେ କୃଷ୍ଣସାରକୁ ସୁରକ୍ଷା ଦିଅନ୍ତି, କାରଣ ଏହାର ଦୃଶ୍ୟ ଶୁଭଙ୍କର ସୂଚକ ଭାବରେ ବିବେଚନା କରାଯାଏ। ୨୦୧୧ ମସିହାରେ ସେଠାରେ କୃଷ୍ଣସାର ମୃଗ ସଂଖ୍ୟା ୨, ୧୯୪ ଥିଲା ବେଳେ ଜାନୁୟାରୀ ୨୯, ୨୦୨୩ରେ ରାଜ୍ୟ ଜଙ୍ଗଲ ବିଭାଗ ଦ୍ୱାରା କରାଯାଇଥିବା ସର୍ବଶେଷ ଜନଗଣନାରେ ଜିଲ୍ଲାରେ ସମୁଦାୟ ୭, ୭୪୩ କୃଷ୍ଣସାର ମୃଗ ଥିବା ସୂଚନା ମିଳିଛି।
ବୈଷ୍ଣବୀଙ୍କ ସାହସିକ ସଂରକ୍ଷଣ ଆନ୍ଦୋଳନକୁ ସ୍ୱୀକୃତି ଦେଇ ପରିବେଶ ସଂରକ୍ଷଣରେ ଅବଦାନ ପାଇଁ ଭାରତ ସରକାର ‘ଅମୃତା ଦେବୀ ବୈଷ୍ଣବୀ ସ୍ମୃତି ପରିବେଶ ପୁରସ୍କାର’ ଓ ‘ଅମୃତା ଦେବୀ ବୈଷ୍ଣବୀ ବନ୍ୟଜନ୍ତୁ ସୁରକ୍ଷା ପୁରସ୍କାର’ ପ୍ରଦାନ କରି ଆସୁଛନ୍ତି। ସେହିପରି ୨୦୧୩ ମସିହାରେ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ସେପ୍ଟେମ୍ୱର ୧୧ କୁ ‘ଜାତୀୟ ବନ ସହିଦ ଦିବସ’ ଭାବରେ ଘୋଷଣା କରିଛନ୍ତି।
ଡକ୍ଟର ସୁନ୍ଦର ନାରାୟଣ ପାତ୍ର
ଭୁବନେଶ୍ୱର, ମୋ: ୯୪୩୭୧୯୦୪୨୦
(ସଭାପତି, ଓଡ଼ିଶା ପରିବେଶ ସମିତି)