ପୋଡୁଚାଷ ଏକ ପୂରାତନ ଚାଷପଦ୍ଧତି, ଯାହା କେଉଁ ଆଦିମ କାଳରୁ ପାହାଡ଼ିଆ ଅଞ୍ଚଳରେ ଅନୁସୂଚିତ ଜନଜାତି ନିଜର ଜୀବନ-ଜୀବିକାର ଏକ ମୁଖ୍ୟ ସାଧନ ଭାବରେ ବ୍ୟବହାର କରୁଛନ୍ତି। ଦକ୍ଷିଣ ଆମେରିକା, କେନ୍ଦ୍ର ଓ ପଶ୍ଚିମ ଆଫ୍ରିକା ଏବଂ ଦକ୍ଷିଣ-ପୂର୍ବ ଏସିଆ ମହାଦେଶରେ ୬୩ ଦେଶର ୩୬ ନିୟୁତ ବର୍ଗ କିଲୋମିଟର ଅଞ୍ଚଳରେ ପୃଥିବୀର ପ୍ରାୟ ୨୦୦ ନିୟୁତ ଲୋକ ଏପ୍ରକାର ଚାଷ ଏବେ ବି ଅନୁସରଣ କରୁଛନ୍ତି। ଭାରତରେ ଓଡ଼ିଶା, ଛତିଶଗଡ଼଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର, ମେଘାଳୟ, ନାଗାଲାଣ୍ଡ, ଆସାମ, ତ୍ରିପୁରା ଆଦି ରାଜ୍ୟଗୁଡ଼ିକରେ ପ୍ରାୟ ୨/୩ ନିୟୁତ ଆଦିବାସୀ ସମ୍ପ୍ରଦାୟର ଲୋକ ଏହି ଚାଷ ଖ୍ରୀଷ୍ଟପୂର୍ବ ୩୦୦୦ଠାରୁ କରିଆସୁଛନ୍ତି। ପୋଡୁ ଚାଷକୁ ଝୁମ୍, ଦାବି, କୋମନ, ଗୁଡ଼ା, ବଗଡ଼଼, ହାରୂ ବ୍ରିଞା ଇତ୍ୟାଦି କୁହାଯାଏ। ବିଦେଶରେ ଏହାକୁ ସ୍ୱିଡେନ ଚାଷ କୁହାଯାଏ। ଓଡ଼ିଶାରେ ଅବିଭକ୍ତ କୋରାପୁଟ, ସୁନ୍ଦରଗଡ଼଼, ଫୁଲବାଣୀ, ଗଞ୍ଜାମ, କଳାହାଣ୍ଡି, ସମ୍ୱଲପୁର ଓ କେନ୍ଦୁଝର ଜିଲ୍ଲାମାନଙ୍କର ପ୍ରାୟ ୨୨୨୨୭ ବର୍ଗ କିମି ଅଞ୍ଚଳରେ କୋୟା, ପରଜା, ଗଦବା, ବଣ୍ଡା, ଦିଦାୟୀ, କନ୍ଧ, ସଉରା, ଜୁଆଙ୍ଗ ଓ ଭୂୟାଁ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ଏକ-ତୃତୀୟାଂଶ ଏହି ଚାଷ ସହିତ ସମ୍ପୃକ୍ତ।
ପୋଡ଼ୁଚାଷ ପଦ୍ଧତିରେ ପ୍ରଥମେ ପାହାଡ଼ିଆ ଅଞ୍ଚଳରେ ଏକ ଉପଯୁକ୍ତ ସ୍ଥାନ ଚିହ୍ନଟ କରି ପରିବାର ମଧ୍ୟରେ ବାଣ୍ଟି ଦିଆଯାଏ। ସମସ୍ତେ ମିଳିମିଶି ଚିହ୍ନଟ ହୋଇଥିବା ଜାଗାରୁ ବୁଦା, ଗଛ ଇତ୍ୟାଦି କାଟି ସଫା କରିବା ପରେ ଏକାଠି କରି ପୋଡ଼ି ଦିଅନ୍ତି। ଏଥିରୁ ବାହାରୁଥିବା ପାଉଁଶ ମାଟିରେ ବିଛାଇ ଦିଆଯାଏ। ମୌସୁମୀ ବର୍ଷା ଆସିବା ପୂର୍ବରୁ ସେମାନେ ସପରିବାରେ ଏହି ଜମିରେ ବିଭିନ୍ନ ଫସଲର ବିହନ ଗୋଜିଆ କାଙ୍କ ସାହାଯ୍ୟରେ ବୁଣି ଦିଅନ୍ତି। ସାଧାରଣତଃ ପୁଷ୍ଟି ଶସ୍ୟ, କାନ୍ଦୁଲ, ବିରି, ବରଗୁଡ଼ି, ଭେଣ୍ଡି, ଧାନ, କନ୍ଦମୂଳ, ହଳଦୀ ଇତ୍ୟାଦି ବିହନ ବିଭିନ୍ନ ପଟିରେ ବୁଣାଯାଇଥାଏ। ଏହି ଫସଲଗୁଡ଼ିକ କ୍ରମାନ୍ୱୟରେ ଅଗଷ୍ଟ ଶେଷଠାରୁ ମାର୍ଚ୍ଚ ମଧ୍ୟରେ ଅମଳ ହୋଇଥାଏ। ପ୍ରଥମେ ପୁଷ୍ଟି ଶସ୍ୟ ଓ ଶେଷରେ କାନ୍ଦୁଲ ଅମଳ ହୁଏ। ପରିବାରର ଆବଶ୍ୟକତା ଅନୁସାରେ ଖାଦ୍ୟଶସ୍ୟ, ଡାଲି, ପନିପରିବା ଓ ମସଲା ଏହି ଚାଷରୁ ମିଳିଥାଏ। ଜମି ଅଧିକ ଗଡ଼଼ାଣିଆ ହୋଇଥିଲେ ପାବଚ୍ଛକ ବା ଟେରେସ ପ୍ରଣାଳୀରେ ଫଳ, ପନିପରିବା, ଧାନ ଓ ମସଲା ଜାତୀୟ ଫସଲ ଚାଷ କରାଯାଏ।
ପୋଡୁଚାଷର ଉଭୟ ଭଲ ଓ ମନ୍ଦ ଦିଗ ରହିଛି। ଏହି ଚାଷ ମୁଖ୍ୟତଃ ଏକ ପ୍ରକାରର ପୁନରୁତ୍ଥାନ କୃଷି ପଦ୍ଧତି। ପୂର୍ବେ ମୃତ୍ତିକାର ସ୍ୱାସ୍ଥ୍ୟ ବୃଦ୍ଧି ଉଦ୍ଦେଶ୍ୟରେ ପୋଡୁଚାଷ କଲା ପରେ ୧୨ ରୁ ୧୫ ବର୍ଷ ପର୍ଯ୍ୟନ୍ତ ଜମି ପଡ଼ିଆ ରଖାଯାଉଥିଲା। ଘାସ ଓ ଅନାବନା ଗଛ ପୋଡ଼ିଯିବା ଫଳରେ ଫସଲରେ ରୋଗପୋକ ଆକ୍ରମଣ ହୁଏ ନାହିଁ, ପାଉଁଶ ମାଟିରେ ମିଶିଲେ ଏଥିରୁ ପୋଟାସିୟମ ମିଳେ। ମିଶ୍ରିତ ଫସଲ ଚାଷ ଯୋଗୁଁଁ ଜମି ସୁରକ୍ଷିତ ରହେ ଏବଂ ପରିବାରର ବହୁବିଧ ଆବଶ୍ୟକତା ପୂରଣ ହୁଏ। ଏହି ଚାଷ ଯୋଗୁଁଁ ଗୋଷ୍ଠୀ ସହଭାଗିତା ବୃଦ୍ଧିପାଏ। ଏହି ଚାଷର ମନ୍ଦ ଦିଗଗୁଡ଼ିକ କିନ୍ତୁ ଅଧିକ। ଜନସଂଖ୍ୟା ବୃଦ୍ଧି ଏବଂ ଚାଷ ଜମିର ଅଭାବ ଯୋଗୁଁଁ ବର୍ଷେ ଛାଡ଼ି ବର୍ଷେ ପୋଡୁଚାଷ କରାଯାଉଛି। କୈଣସି ନୂତନ କୌଶଳ ଅନୁସରଣ କରାଯାଉନି। ଏହାଫଳରେ ମୃତ୍ତିକା ଅବକ୍ଷୟ, ଜୈବ ବିବିଧତା ହ୍ରାସ, ଜଙ୍ଗଲ କ୍ଷୟ, ସବୁଜ ଗୃହ ବାଷ୍ପ ନିର୍ଗମନ ଜନିତ ଜଳବାୟୁ ପରିବର୍ତ୍ତନ, ବୃଷ୍ଟିହାନି, ଜଳ ପ୍ରଦୂଷଣ ଓ ଫସଲ ଅମଳ ହ୍ରାସ ଇତ୍ୟାଦି ସମସ୍ୟା ଦେଖାଦେଉଛି। ଉଭୟ ଦୃଷ୍ଟିରୁ ଦେଖିଲେ ଜମିରେ ବାରମ୍ୱାର ପୋଡୁଚାଷ ବହୁ ସମସ୍ୟା ସୃଷ୍ଟିକରେ। ଏହି କାରଣରୁ ବ୍ରିଟିଶ ସରକାର ପୋଡୁଚାଷ ସମ୍ପୂର୍ଣ୍ଣ ନିଷେଧ କରିବାକୁ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇ ପାରି ନ ଥିଲେ।
ସ୍ୱାଧୀନତା ପରେ ଭାରତ ସରକାର ପୋଡୁଚାଷ ବନ୍ଦ କରିବା ପାଇଁ ବହୁ ଉଦ୍ୟମ କରିଛନ୍ତି। ବନ ବିଭାଗ ୪୦ ଡିଗ୍ରୀରୁ ଅଧିକ ଗଡ଼଼ାଣିଆ ଜମିରେ ପୋଡୁଚାଷ ପାଇଁ ଅନୁମତି ଦେଉନାହାନ୍ତି। ଆଦିବାସୀଙ୍କ ଜୀବିକା ଓ ପରିବେଶ ସଂରକ୍ଷଣ ମଧ୍ୟରେ ଏକ ସନ୍ତୁଳନ ଆଣିବା ପାଇଁ ସରକାର ସର୍ବବିଧ ଉଦ୍ୟମ ଜାରି ରଖିଛନ୍ତି। ପୋଡୁଚାଷର ବିକଳ୍ପ ସ୍ୱରୂପ ସ୍ଥାୟୀ କୃଷି, ବନୀକରଣ, ଜଙ୍ଗଲ ଆଧାରିତ ଜୀବିକା ନିର୍ବାହନ ପନ୍ଥା, ଜଙ୍ଗଲ ଅଧିକାର ଆଇନ୍ ୨୦୦୬, ବିକଳ୍ପ ଜୀବିକା ପାଇଁ ସହାୟତା, ଜଳ ବିଭାଜିକା ଉନ୍ନୟନ, ସଂରକ୍ଷଣ କୃଷି ଓ ଗୋଷ୍ଠୀ ସହଭାଗିତା ପାଇଁ ବହୁ ଯୋଜନା କରୁଛନ୍ତି। ଏହା ସତ୍ତ୍ବେ ପୋଡୁଚାଷ ସେହିଭଳି ଅନୁସରଣ କରାଯାଉଛି। ପରିଣାମ ସ୍ୱରୂପ ଏକଦା ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ପାହାଡ଼ ଆଜି ନଣ୍ଡା ପାହାଡ଼ରେ ପରିଣତ ହୋଇଛି। ବସ୍ତୁତଃ ଏହା ଜଳ ବିଭାଜିକା ଯୋଜନାଗୁଡ଼ିକୁ ପ୍ରଭାବିତ କରୁଛି।
ପୋଡୁଚାଷର ବିକଳ୍ପ ପାଇଁ ବହୁ ପରୀକ୍ଷା ନିରୀକ୍ଷା କରାଯାଉଛି। କେତେକ ମଡେଲ ମଧ୍ୟ ସଫଳ ସାବ୍ୟସ୍ତ ହୋଇଛି। ଉଦାହରଣ ସ୍ୱରୂପ ମିଜୋରାମ୍ର ବାଉଁଶ କୃଷି ବନୀକରଣ, ନାଗାଲାଣ୍ଡ ଖୋନୋମା ମଡେଲରେ ଜୈବ ବିବିଧତା ସଂରକ୍ଷଣ, ଖାସି ଜୟନ୍ତୀଆ ପାହାଡ଼ିଆ ଅଞ୍ଚଳରେ ଗୋଷ୍ଠୀ ଜଙ୍ଗଲ ଇତ୍ୟାଦି ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଫିଲିପିନସ୍ରେ ଗଡ଼଼ାଣିଆ କୃଷିଭୂମି ପ୍ରଯୁକ୍ତିବିଦ୍ୟା ବା ସ୍ଲୋପିଙ୍ଗ ଏଗ୍ରିକଲଚର ଲାଣ୍ଡ ଟେକ୍ନୋଲୋଜି ସଲଟ- ୧) ପୋଡୁଚାଷର ସଫଳ ବିକଳ୍ପ ଭାବରେ ପ୍ରଦର୍ଶିତ ହୋଇଛି। ଏହାକୁ ସଂକ୍ଷେପରେ ସଲଟ ଟେକ୍ନୋଲୋଜି କୁହଯାଏ। ସଲଟ ଟେକ୍ନୋଲୋଜି ଚାରି ପ୍ରକାରର। ସଲଟ ୨ ହେଉଛି ସରଳ କୃଷି- ପ୍ରାଣୀପାଳନ ଜମି ଟେକ୍ନୋଲୋଜି। ସଲଟ ୩ ହେଉଛି ପୋଷଣୀୟ କୃଷି-ଜଙ୍ଗଲ ଭୂମି ଟେକ୍ନୋଲୋଜି ଏବଂ ସଲଟ ୪ ହେଉଛି ଛୋଟ କୃଷି-ଫଳ ଜୀବିକା ଟେକ୍ନୋଲୋଜି।
ଏହି ଚାରିପ୍ରକାରର ସଲଟ ମଧ୍ୟରୁ ସଲଟ-୧ ଅଧÒକ ଅନୁସରଣ କରାଯାଏ। ଏଥିରେ ଦଶଗୋଟି ସୋପାନ ଅଛି। ପ୍ରଥମେ ଏକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ସମପତନ ରେଖା ଗୋଟିଏ ଏ-ଫ୍ରେମ ଦ୍ୱାରା ଚିହ୍ନଟ କରାଯାଏ। ଏହାଉପରେ ଏକ ମିଟର ଚଉଡ଼ାର ହଳ କରି ଓ ସିଆର ଟାଣି ଏଥିରେ ଯବକ୍ଷାରଜାନ ଯୋଗାଉଥିବା ସବୁଜବାଡ଼ ପାଇଁ ମଞ୍ଜି(ସୁବାବୁଲ, ଗ୍ଲିରିସିଡିଆ, ଆଲଫାଲଫା ଇତ୍ୟାଦି) ପୋତାଯାଏ। ଏହି ସବୁଜବାଡ଼ ମୃତ୍ତିକା କ୍ଷୟ ନିରୋଧୀ। ଏକ ମିଟରରୁ ଅଧିକ ଉଚ୍ଚର ଗଛ ହେଲେ ଉପର ଡାଳ କାଟି ମାଟିରେ ମିଶାଇ ଦିଆଯାଏ, ଯାହା ଫଳରେ ଏହା ସବୁଜସାର ଭଳି କାମ କରେ। ପାହାଡ଼ର ଉପର ପଟିରେ ବୃକ୍ଷରୋପଣ ଏବଂ ଏହା ପରେ ଯଥାକ୍ରମେ ଫଳ ଗଛ ରୋପଣ (କମଳା, ଅମୃତଭଣ୍ଡା, କଦଳୀ), ମକା ଚାଷ, କାନ୍ଦୁଲ ଚାଷ, ଜୁଆର, ମାଣ୍ଡିଆ, ଧାନ, ବିରି, ପନିପରିବା, ହଳଦୀ ଇତ୍ୟାଦି ଗୋଟିଏ ପଟି ଛାଡ଼ି ଅନ୍ୟ ପଟିରେ ଚାଷ କରାଯାଏ। ସବୁଜ ବାଡ଼ଗୁଡ଼ିକ ମୃତ୍ତିକାକୁ ଧରି ରଖିବା ଫଳରେ ପଟିଗୁଡ଼ିକ ପାବଚ୍ଛକ ପରି ଦେଖାଯାଏ।
ଫସଲ ପର୍ଯ୍ୟାୟ ଅନୁସରଣ କରାଯାଏ। ସବୁଜ ବାଡ଼ର ରକ୍ଷଣାବେକ୍ଷଣ କରିବାକୁ ହୁଏ। ଏହି ପ୍ରଣାଳୀରେ ଫସଲ ଚାଷ କଲେ ମୃତ୍ତିକା ଓ ଜଳ ସଞ୍ଚିତ ହୋଇରହେ। ଫଳରେ ଫସଲ ଅମଳ ବୃଦ୍ଧିପାଏ। ଅତୀତରେ ଓଡ଼ିଶାରେ ଏପରି ସଲଟ-୧ କୌଶଳ କେତେକ ସ୍ଥାନରେ ପ୍ରଦର୍ଶିତ ହୋଇଥିଲା। ଓଡ଼ିଶାରେ ଟେରେସ ବା ସୋପାନ ଚାଷର ସଫଳତା ଗଜପତି ଜିଲ୍ଲାରେ ଦେଖାଯାଏ। ଚନ୍ଦ୍ରଗିରି ଓ ମହେନ୍ଦ୍ରଗିରି ପାର୍ବତ୍ୟ ଅଞ୍ଚଳରେ କମଳା, ସପୁରୀ ଇତ୍ୟାଦି ଫଳ ଚାଷ ବିଶେଷ ଭାବରେ ଦେଖାଯାଏ। ଗଡ଼଼ାଣିଆ ଜମିରେ ପଥର ବାଡ଼ ଦେଇ ସୋପାନ ପ୍ରଣାଳୀରେ ଫଳ ଚାଷ କରି ଚାଷୀମାନେ ଅଧିକ ଲାଭବାନ ହୁଅନ୍ତି।
ସାରାଂଶରେ କହିଲେ ପୋଡୁଚାଷ ଆଦିବାସୀଙ୍କ ଜୀବନ ନାଟିକା। ସରକାରଙ୍କ କେତେକ ନୀତି ଯୋଗୁଁଁ ଏବଂ ସ୍ଥାୟୀ ଚାଷ ପାଇଁ ସହାୟତା ଯୋଗୁଁଁ ପୋଡୁଚାଷ ପରିମାଣ କିଛି ହ୍ରାସ ପାଉଛି। ଏହାଦ୍ୱାରା ଜଙ୍ଗଲ କ୍ଷୟ ଓ ମୃତ୍ତିକା ଅବକ୍ଷୟ ସତ୍ତ୍ବେ ଏପରି ଚାଷ ଆଦିବାସୀ ଅଞ୍ଚଳରେ ବନ୍ଦ ହେବନାହିଁ। ପୋଡୁଚାଷ ପ୍ରଣାଳୀ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଭିନ୍ନ ହେଉଥିବାରୁ ଏହାର ନିରାକରଣ ପାଇଁ ଗୋଟିଏ ପନ୍ଥା ସ୍ଥିର କରାଯାଇ ପାରିବ ନାହିଁ। ଜନଜାତିଙ୍କ ଜୀବିକା ନିର୍ବାହ ପନ୍ଥାକୁ ଲକ୍ଷ୍ୟରେ ରଖି ସରକାର ଏହାର ବିକଳ୍ପ ପାଇଁ ସ୍ଥାୟୀ ଚାଷ, ଚାରାରୋପଣ, ପାବଚ୍ଛକ ବା ସୋପାନ ପ୍ରଣାଳୀରେ ଚାଷ ଏବଂ ଆଧୁନିକ ଚାଷ କୌଶଳ ଉପରେ ଗୁରୁତ୍ୱ ଆରୋପ କରୁଛନ୍ତି। ଏହାସହିତ ଗୋଷ୍ଠୀ ଆଧାରିତ ବନ ସୁରକ୍ଷା ପାଇଁ ପ୍ରୋତ୍ସାହନ ଦେଉଛନ୍ତି। ତଥାପି ଆଦିବାସୀଙ୍କ ପାଇଁ କର୍ମନିଯୁକ୍ତି ବ୍ୟବସ୍ଥା ଆବଶ୍ୟକ। କାରଣ ଏହାର ଅଭାବରେ ଆଦିବାସୀମାନେ ବାଧ୍ୟ ହୋଇ ଦେଶାନ୍ତରୀ ଯାଉଛନ୍ତି। ଜଙ୍ଗଲ ସୁରକ୍ଷା ଆଇନ୍ ୨୦୦୬ ଓ ପେସା ଆଇନ୍ ୧୯୯୬ ନିଷ୍ଠାର ସହ ପାଳନକଲେ ପୋଡୁଚାଷର ବିକଳ୍ପ ସୁବିଧାରେ କାର୍ଯ୍ୟକାରୀ ହୋଇପାରିବ।
ବିଦ୍ୟାଧର ମହାରଣା
ଭୁବନେଶ୍ୱର, ମୋ:୯୪୩୭୦୭୧୧୯୦