ଆସ ହଟେଇବା ହସ ଦୁର୍ଭିକ୍ଷ

ଛୋଟବେଳୁ ଆମେ ଜାଣିଛୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ବଞ୍ଚିବା ପାଇଁ ମଣିଷର ସର୍ବନିମ୍ନ ଆବଶ୍ୟକତା। କିନ୍ତୁ ଏତିକି ଆବଶ୍ୟକତା ପୂରଣ ହେଇଗଲା ପରେ ଆମେ ଖୋଜୁ ଆଉ ଟିକିଏ ଆରାମଦାୟକ ଜୀବନ। ଯଦି ସାଇକେଲ ଖଣ୍ଡେ ଅଛି, ଆମେ ଚିନ୍ତାକରୁ କେମିତି ମୋଟରସାଇକେଲ ଚଢ଼ିବୁ। ଯାହାର ମୋଟରସାଇକେଲ ଅଛି, ସେ ସ୍ୱପ୍ନ ଦେଖେ ଚାରିଚକିଆ ଯାନଟିଏ କିଣିବା ପାଇଁ। ଶେଷରେ ଆମ ସମସ୍ତଙ୍କ ଜୀବନ ଲିଓ ଟଲଷ୍ଟୟଙ୍କ କାଳଜୟୀ ଗଳ୍ପ ‘ହାଓ ମଚ୍‌‌ ଲ୍ୟାଣ୍ଡ ଡଜ୍‌‌ […]

ଛୋଟବେଳୁ ଆମେ ଜାଣିଛୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ବଞ୍ଚିବା ପାଇଁ ମଣିଷର ସର୍ବନିମ୍ନ ଆବଶ୍ୟକତା। କିନ୍ତୁ ଏତିକି ଆବଶ୍ୟକତା ପୂରଣ ହେଇଗଲା ପରେ ଆମେ ଖୋଜୁ ଆଉ ଟିକିଏ ଆରାମଦାୟକ ଜୀବନ। ଯଦି ସାଇକେଲ ଖଣ୍ଡେ ଅଛି, ଆମେ ଚିନ୍ତାକରୁ କେମିତି ମୋଟରସାଇକେଲ ଚଢ଼ିବୁ। ଯାହାର ମୋଟରସାଇକେଲ ଅଛି, ସେ ସ୍ୱପ୍ନ ଦେଖେ ଚାରିଚକିଆ ଯାନଟିଏ କିଣିବା ପାଇଁ। ଶେଷରେ ଆମ ସମସ୍ତଙ୍କ ଜୀବନ ଲିଓ ଟଲଷ୍ଟୟଙ୍କ କାଳଜୟୀ ଗଳ୍ପ ‘ହାଓ ମଚ୍‌‌ ଲ୍ୟାଣ୍ଡ ଡଜ୍‌‌ ଏ ମ୍ୟାନ ନିଡ୍‌‌’ ର ଚରିତ୍ର ପେହୋମ ପରି ଶେଷ ହୁଏ। ଅର୍ଥ ପ୍ରାଚୁର୍ଯ୍ୟତା ପଛରେ ଧାଇଁ ଧାଇଁ ଶେଷରେ ହାଲିଆ ହୋଇ ଶୋଇଯାଉ କୋକେଇ କୋଳରେ। ସବୁ ଥାଇ କିଛି ନଥିଲା ପରି ଅନୁଭବ। ଶାନ୍ତିରହିତ ଏମିତି ମୂଲ୍ୟହୀନ ଜୀବନର ମାନେ କ’ଣ? ସେତିକି ନାହିଁ ବୋଲି ତ ଆମେ ମନଖୋଲା ହସ ହସି ପାରୁନୁ। ବାସ୍ତବ ଖୁସି, ଶାନ୍ତି ଓ ହସର ଭୟଙ୍କର ମରୁଡ଼ି ଓ ଦୁର୍ଭିକ୍ଷ ଚାରିଆଡ଼େ। ହୃଦୟରେ ଶାନ୍ତି ଓ ମନରେ ଖୁସି ଥିଲେ ଓଠରୁ ଆପେ ଆପେ ଝରି ପଡ଼ିବ ହସ।

ଆମେ ସାମାଜିକ ସ୍ତରରେ ପରସ୍ପରକୁ ଆନ୍ତରିକତାର ସହିତ ସାହାଯ୍ୟ ସହଯୋଗ କରିବାରେ କୁଣ୍ଠିତ। ଆମେ ସମସ୍ତେ ଅତ୍ୟଧିକ ସ୍ୱାର୍ଥପର ଓ ସୁବିଧାବାଦୀ ହୋଇ ଯାଇଛୁ। ଦୁର୍ନୀତିର ଚେର ଗଭୀରରୁ ଗଭୀର ହେବାରେ ଲାଗିଛି। ଆମେ ସମସ୍ତେ ଦୟା, କରୁଣା ଓ ମାନବୀୟ ଗୁଣ ପାଖରୁ ଦୂରେଇ ଦୂରେଇ ଚାଲିଛୁ। ହୃଦୟରେ ଥିବା କଅଁଳା ଶିଶୁର ତଣ୍ଟି ଚିପି ହତ୍ୟା କରୁଛୁ। ଏମିତି କଲେ ବିଶାଳ ନୀଳ ଆକାଶ ଛାତିରେ ଇନ୍ଦ୍ରଧନୁର ସୁନ୍ଦରତାକୁ କେମିତି ଆମେ ଉପଭୋଗ କରିପାରିବା? ଲୋଭ, ମୋହ, କ୍ରୋଧ, ଅପରାଧ ପ୍ରବଣତା, ପରଶ୍ରୀକାତରତା, ଅସହିଷ୍ଣୁତା ଆମ ଭିତରେ ବସା ବାନ୍ଧୁଛି। ସାଙ୍ଗରେ ବସି ପରିବାରର ସଦସ୍ୟମାନେ ଖାଇବା ଆଉ ଦେଖିବାକୁ ମିଳୁନାହିଁ। ପାରିବାରିକ ସମ୍ପର୍କର ବନ୍ଧନ ଆଉ ସେତେଟା ମଜଭୁତ ଥିଲା ଭଳି ଲାଗୁନି। ଗୋଟିଏ ଛାତତଳେ ଥାଇ ବି ଆମ ପରିବାରର ସଦସ୍ୟମାନଙ୍କ ଭିତରେ ମାଇଲ୍‌‌ ମାଇଲ୍‌‌ ଦୂରତା। ପରସ୍ପର ସହିତ ନିଜର ସୁଖଦୁଃଖ ଉପରେ ବିଶେଷ ଆଲୋଚନା କରୁନୁ କି ମିଳିତଭାବେ ସମସ୍ୟାର ସମାଧାନର ସୂତ୍ର ବାହାର କରୁନୁ। ଏମିତି ଜୀବନ ଜିଇଁଲେ ଆମେ ହସିବା କେମିତି?

ଏକ ଦୀର୍ଘ ନିରାମୟ ସୁଖମୟ ଜୀବନ ପାଇଁ ମାଗଣାରେ ମିଳୁଥିବା ହସ ଏକ ଭଲ ଔଷଧ। କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଏମିତି ଲାଗୁଛି ଯେମିତି କାହାରି ମନରେ ଖୁସି ନାହିଁ। ଯାହା ପାଖରେ ଅର୍ଥର ଅଭାବ ସେ ଦୁଃଖୀ ଓ ଯାହା ପାଖରେ ଅର୍ଥର ପ୍ରାଚୁର୍ଯ୍ୟତା ଅଛି ଆହୁରି ପାଇବା ଲୋଭରେ ସେ ବି ଦୁଃଖୀ। ଅଧିକାଂଶ ଲୋକଙ୍କ ମୁହଁରୁ ହସ ଯେମିତି ଉଭାନ ହୋଇଯାଇଛି। ସକାଳେ ବିଛଣାରୁ ଉଠିବା ପାଖରୁ ରାତିରେ ଶୋଇବାକୁ ଯିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଉଦ୍ଭଟ ଚିନ୍ତା ମନକୁ ଗ୍ରାସ କରୁଛି। ଏହି ଚିନ୍ତା ଡାକି ଆଣୁଛି ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ରୋଗକୁ। ଓଠରେ ହସର ଦୁର୍ଭିକ୍ଷ ସୂଚେଇ ଦେଉଛି ଆମ କଲିଜାର ଶୁଷ୍କତାକୁ। ନିଜେ ହସି ଅନ୍ୟକୁ ହସେଇବାର କଳା ଆମ ସମସ୍ତଙ୍କ ଭିତରେ ଅଛି। କିନ୍ତୁ ଆମେ ନିଜକୁ ବହୁତ ସଙ୍କୁଚିତ କରି ଆତ୍ମସର୍ବସ୍ୱ ଦୁନିଆକୁ ଆପଣେଇ ନେଉଛୁ। ଅତ୍ୟଧିକ ସ୍ୱାର୍ଥପର ସୁବିଧାବାଦୀ ହେଇ ମନଖୋଲା ହସ ହସି ପାରୁନୁ।

ଆପଣ ଜଣେ ଅନ୍ତରଙ୍ଗ ସାଙ୍ଗକୁ ଭେଟନ୍ତୁ, ତାଙ୍କ ସହିତ କେଇପଥ ମନଖୋଲା କଥା ହୁଅନ୍ତୁ। ଆପଣ ଭାବୁଥିବେ ସାଙ୍ଗ ସହିତ କଥା ହେଇ ମୁଁ ମୋର ହୃଦୟକୁ ଟିକେ ହାଲୁକା କରିଦେବି। କିନ୍ତୁ ସାଙ୍ଗ କହି ଚାଲିବ ତା’ ନିଜ ହୃଦୟରେ ସାଇତା ଅନେକ ଦୁଃଖ। ଘରେ ଅଭାବ, ବାପାମାଆ ବୁଢ଼ାବୁଢ଼ୀ ହେଲେଣି। ସାନଭାଇ ବାହାରେ ନିଜ ପରିବାର ସହିତ। ଘର କଥା କିଛି ବୁଝୁନି। ମୁଁ ସକାଳୁ ସନ୍ଧ୍ୟା ଯାଏ ଅଫିସ୍‌‌ରେ ଖଟୁଛି। ବିଳମ୍ୱିତ ସନ୍ଧ୍ୟାରେ ଘରକୁ ଫେରିଲେ ସ୍ତ୍ରୀର ବିଭିନ୍ନ ଅନୁରୋଧ, ଦାବି, ଅଭିଯୋଗ। ଘରେ ଆଳୁ ପିଆଜ, ରାସନ୍‌ ସରି ଯାଇଛି। କ୍ଷୀରବାଲାର ପଇସା ବାକି ଅଛି। ବର୍ଷେ ହେଲାଣି ସିନେମା ଟିକିଏ ଦେଖେଇ ନେଇନ। ଏମିତି କେତେ କ’ଣ। ଏତେ ସମସ୍ୟା ଭିତରେ କ’ଣ ସାଂସାରିକ ଜୀବନରେ ଖୁସି ନାହିଁ? ନିଶ୍ଚିତ ଅଛି। ସବୁବେଳେ ଖାଲି ନକାରାତ୍ମକ ଭାବନାକୁ ପ୍ରଶ୍ରୟ ଦେଲେ ମନ ଭିତରେ ସକାରାତ୍ମକ ଚିନ୍ତା ଆସିବ କେମିତି? ତେଲ ଲୁଣର ସଂସାର ଭିତରେ ଏମିତି ଅନେକ ଘଟଣା ଘଟେ, ଅନେକ ସମସ୍ୟା ଆମ ଜୀବନରେ ଆସେ। କିନ୍ତୁ ଏସବୁକୁ ଡେଇଁ ଆମକୁ ଆଗକୁ ଯିବାକୁ ପଡ଼ିବ। ଦୁଃଖ ନଥିଲେ ସୁଖ ଖୁସିର ସ୍ୱାଦ ଜାଣିବା କେମିତି। ମଣିଷର ସବୁ ଅଭାବ ଯଦି ଆପଣାଛାଏଁ ପୂରଣ ହେଇ ଯାଉଥା’ନ୍ତା, ତା’ହେଲେ ମଣିଷ ଆଉ ସର୍ବଶ୍ରେଷ୍ଠ ସର୍ବଶକ୍ତିମାନ ଈଶ୍ୱରଙ୍କୁ ମନେପକାନ୍ତା ନାହିଁ। ତେଣୁ ଜୀବନରେ ସୁଖ ଥାଉ କି ଦୁଃଖ, କୌଣସି ପରିସ୍ଥିତିରେ ଧୈର୍ଯ୍ୟହରା ହେବା ନାହିଁ। ଧୈର୍ଯ୍ୟ ହରେଇଲେ, ଆଗକୁ ବଢ଼଼ିବା କଷ୍ଟକର ହେବ। ସଫଳତା ଆମ ପାଇଁ ଏକ ମରୀଚିକା ପାଲଟି ଯିବ। ଦୁଃଖ ଭିତରେ ଆମକୁ ସୁଖର ଆଲୁଅ ଖୋଜିବାକୁ ହେବ। ମନେ ରଖିବା ସବୁ ଅନ୍ଧାର ସୁଡ଼ଙ୍ଗର କେଉଁଠି ନା କେଉଁଠି ଶେଷ ଅଛି। ସେହି ଆଲୁଅର ସନ୍ଧାନରେ ଆମକୁ ଚାଲିବାକୁ ହେବ, ରାସ୍ତା ଖୋଜି ବାହାର କରିବାକୁ ହେବ।

ଆମେ ଆମର ସଫଳତାକୁ ନେଇ ଗର୍ବରେ ଫାଟି ପଡ଼ିବାର ନାହିଁ କି ବିଫଳତାରେ ଉଦାସ ହେବାର ନାହିଁ। ଆମେ ଅମୃତ ସନ୍ତାନ, ଈଶ୍ୱରଙ୍କ ସନ୍ତାନ। ପରମେଶ୍ୱର ଆମର ପିତା। ତାଙ୍କର ସନ୍ତାନ ଭାବରେ ଆମ ଭିତରେ ଈଶ୍ୱର ଦେଇଥିବା ଗୁଣକୁ ଆମେ ଚିହ୍ନିବା ଦରକାର। ଜୀବନ ଆଜି ଅଛି, ଆସନ୍ତାକାଲି କ’ଣ ହେବ ସେକଥା ସମସ୍ତଙ୍କୁ ଅଜଣା। ହାରିଯିବାର ଡରରେ ଜିଇଁଲେ, ଜୀବନ ଜିଇଁବା କଷ୍ଟକର ହେବ। ଓଠରୁ ହସ ଲିଭିଯିବ। ଡରକୁ ହରେଇ ଆଗକୁ ଯାଇ ପାରିଲେ ବିଜୟର ମନଖୋଲା ହସ ସୁନିଶ୍ଚିତ। ସଫଳତା ପାଇବା ପରେ ଆମେ ଯଦି ନମ୍ର, ଭଦ୍ର, ଶାନ୍ତ ରହିବା, ସବୁ ଈଶ୍ୱରଙ୍କ ଆଶିଷ ବୋଲି ବିବେଚନା କରିବା, ତା’ ହେଲେ ଅହଂକାର ଆମ ପାଖ ପଶିବ ନାହିଁ। କାହାର ଅଚଳାଚଳ ଧନ ସମ୍ପଦ ଦେଖି ଈର୍ଷାପରାୟଣ ହେଲେ ଦୁଃଖର ଭାର ଆହୁରି ବଢ଼଼ିଯିବ। ଆମେ ଯେଉଁଠି ଅଛନ୍ତି, ଆମ ତଳେ ଆହୁରି କୋଟି କୋଟି ଲୋକ ଅଛନ୍ତି। ସେମାନଙ୍କ ଅବସ୍ଥା ଆମଠାରୁ ଦୟନୀୟ। ଏମିତି ଚାଲିଛି ଦୁନିଆ। ମନ ହୃଦୟକୁ ସବୁବେଳେ ଶାନ୍ତ ରଖିବା। କର୍ମ କରିବା ସହିତ ଈଶ୍ୱରଙ୍କ ପାଦତଳେ ନିଜକୁ ସମର୍ପଣ କରିଦେବା। ପରୋପକାରୀ, ସମ୍ୱେଦନଶୀଳ ହେବା ସହିତ ସମାଜର ସେବାରେ ନିଜର ଶକ୍ତି ମୁତାବକ ଯେତିକି ପାରିବା, ନିଜକୁ ନିୟୋଜିତ କରିବା। ଈଶ୍ୱରଙ୍କ ସୃଷ୍ଟିର ଶ୍ରେଷ୍ଠଜୀବ ଭାବରେ ସମସ୍ତ ମାନବୀୟ ଗୁଣକୁ ହୃଦୟରେ ସ୍ଥାନ ଦେଇ ଜଣେ ଭଲ ମଣିଷ ହେବାକୁ ସବୁବେଳେ ଚେଷ୍ଟିତ ହେବା। ତା’ ହେଲେ ଈଶ୍ୱରଙ୍କ ଆଶିଷ ଆମ ଉପରେ ନିଶ୍ଚିତ ରହିବ। ଈଶ୍ୱରଙ୍କ ଆଶିଷ ରହିଲେ ଆମେ ମନଖୋଲା ହସ ହସି ପାରିବା। ଦୁନିଆରୁ ହସର ଦୁର୍ଭିକ୍ଷ ଅପସରି ଯିବ। ମନଖୋଲା ହସର ମଳୟରେ ମହକିଯିବ ଚତୁର୍ଦ୍ଦିଗ। ଆମେ ଯଦି ଖୁସିରେ ଶାନ୍ତିରେ ଜୀବନଯାପନ କରିବାର କଳା ଶିଖିଯିବା, ତା’ହେଲେ ଆମ ଦେଶ ଭାରତ ବି ବିଶ୍ୱ ଖୁସି ତାଲିକାରେ ନିଶ୍ଚିତ ଉପରକୁ ଯିବ।

ଭାସ୍କର ବାରିକ
ବାସୁଦେବପୁର(ଭଦ୍ରକ)
ମୋ: ୯୪୩୭୩୨୦୩୫୦

About The Author: The Sakala