ରକ୍ଷଣଶୀଳତାର ଏରୁଣ୍ଡିବନ୍ଧ

ପରକୀୟା ପ୍ରୀତି(ଏକ୍ସଟ୍ରା ମାରିଟାଲ୍‌‌ ଆଫେୟାର) ହେଉଛି ରକ୍ଷଣଶୀଳ ଭାରତୀୟଙ୍କ ପାଇଁ ଏକ ସାର୍ବଜନୀନ ନିଷିଦ୍ଧ ପ୍ରସଙ୍ଗ। ସଙ୍କୋଚ ଓ ସଂରକ୍ଷଣର ଚାରିକାନ୍ଥ ଭିତରେ ସନ୍ତୁଳି ହେଉଥିବା ଏହି ପ୍ରସଙ୍ଗକୁ ଆମେ ଅନେକ ସମୟରେ ବ୍ୟକ୍ତିଗତ ମାମଲା କିମ୍ୱା ଚରିତ୍ରଗତ ସମସ୍ୟା କହି ହାଲକାରେ ଏଡ଼ାଇ ଦେଉ। କିନ୍ତୁ ସତ କଥା ହେଉଛି, ସାମାଜିକ ପରିହାର ସତ୍ତ୍ବେ ବ୍ୟଭିଚାର ସହିତ ଜଡ଼ିତ ଅପରାଧ ଓ ହତ୍ୟା ଏବେ ଏକ ନିୟମିତ ଘଟଣା ହୋଇଗଲାଣି। ନ୍ୟାସନାଲ କ୍ରାଇମ୍‌‌ ରେକର୍ଡ ବ୍ୟୁରୋ […]

ପରକୀୟା ପ୍ରୀତି(ଏକ୍ସଟ୍ରା ମାରିଟାଲ୍‌‌ ଆଫେୟାର) ହେଉଛି ରକ୍ଷଣଶୀଳ ଭାରତୀୟଙ୍କ ପାଇଁ ଏକ ସାର୍ବଜନୀନ ନିଷିଦ୍ଧ ପ୍ରସଙ୍ଗ। ସଙ୍କୋଚ ଓ ସଂରକ୍ଷଣର ଚାରିକାନ୍ଥ ଭିତରେ ସନ୍ତୁଳି ହେଉଥିବା ଏହି ପ୍ରସଙ୍ଗକୁ ଆମେ ଅନେକ ସମୟରେ ବ୍ୟକ୍ତିଗତ ମାମଲା କିମ୍ୱା ଚରିତ୍ରଗତ ସମସ୍ୟା କହି ହାଲକାରେ ଏଡ଼ାଇ ଦେଉ। କିନ୍ତୁ ସତ କଥା ହେଉଛି, ସାମାଜିକ ପରିହାର ସତ୍ତ୍ବେ ବ୍ୟଭିଚାର ସହିତ ଜଡ଼ିତ ଅପରାଧ ଓ ହତ୍ୟା ଏବେ ଏକ ନିୟମିତ ଘଟଣା ହୋଇଗଲାଣି। ନ୍ୟାସନାଲ କ୍ରାଇମ୍‌‌ ରେକର୍ଡ ବ୍ୟୁରୋ (ଏନସିଆରବି)ର ତଥ୍ୟ ଅନୁଯାୟୀ ପ୍ରତିବର୍ଷ ଭାରତରେ ଘଟୁଥିବା ସମୁଦାୟ ହତ୍ୟାକାଣ୍ଡର ୧୦ ପ୍ରତିଶତ ଏବଂ ଜାତୀୟ ସ୍ତରରେ ପ୍ରତିବର୍ଷ ରେକର୍ଡ ହେଉଥିବା ୧୧୦୦ ରୁ ଅଧିକ ଆତ୍ମହତ୍ୟାର ପ୍ରମୁଖ କାରଣ ହେଉଛି ପରକୀୟା ପ୍ରୀତି। ସେହିପରି ଅନ୍ୟ ଏକ ସରକାରୀ ରିପୋର୍ଟ ଅନୁଯାୟୀ ଭାରତର ବଡ଼ ସହର ଓ ମେଟ୍ରୋମାନଙ୍କରେ ଘଟୁଥିବା ହତ୍ୟାକାଣ୍ଡର ଏହା ହେଉଛି ତୃତୀୟ ବୃହତ୍ତମ ଉଦ୍ଦେଶ୍ୟ। ଏସବୁବ୍ୟତୀତ ଘରୋଇ ହିଂସା ଓ ନିର୍ଯାତନା, ବିବାହ ବିଚ୍ଛେଦ, ଅପହରଣ ଓ ଅର୍ଥ ଆତ୍ମସାତ ଭଳି ସମସ୍ୟା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଥିବାରୁ ମାଡ୍ରାସ ହାଇକୋର୍ଟ ପରକୀୟା ପ୍ରୀତିକୁ ଏକ ‘ଭୟଙ୍କର ସାମାଜିକ ରାକ୍ଷସ’ ଭାବେ ଆଖ୍ୟା ଦେଇଥିଲେ।

ଭାରତୀୟ ସମାଜ ବ୍ୟବସ୍ଥାରେ କୌଣସି ସମ୍ପର୍କର ପ୍ରଭାବ କେବଳ ଦମ୍ପତିଙ୍କ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ପରିବାର, ଏପରିକି ସାମାଜିକ ସ୍ତର ପର୍ଯ୍ୟନ୍ତ ପରିବ୍ୟାପ୍ତ। ‘ଇନଷ୍ଟିଚ୍ୟୁଟ୍‌‌ ଫର୍‌‌ ଫ୍ୟାମିଲି ଷ୍ଟଡିଜ୍‌‌’ ଦ୍ୱାରା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ କୌଣସି ବ୍ୟକ୍ତିଙ୍କ ବ୍ୟଭିଚାର କାର୍ଯ୍ୟକଳାପ ଯେତେବେଳେ ପ୍ରଘଟ ହୁଏ, ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ପରିବାର ପାଇଁ ଲଜ୍ଜା, ଅଶ୍ୱସ୍ତିକର, ଅପମାନ ଓ ସାମାଜିକ ତିରସ୍କାର ପରି ପରିସ୍ଥିତି ସୃଷ୍ଟି କରେ। ଏମିତି ଅନେକ ଉଦାହରଣ ରହିଛି ଯେଉଁଠି ଅଭିନେତା, ଖେଳାଳି ଓ ବ୍ୟବସାୟୀମାନଙ୍କ ପରକୀୟା ପ୍ରୀତି ପ୍ରଘଟ ହେବା କାରଣରୁ ଉପହସିତ ଓ ଅପମାନିତ ହୋଇଛନ୍ତି। କିନ୍ତୁ ବିଡ଼ମ୍ୱନା ଯେ ପୁରୁଷକୈନ୍ଦ୍ରିକ ଭାରତୀୟ ସମାଜରେ ବ୍ୟଭିଚାରକୁ ଏକ ଲିଙ୍ଗଭିତ୍ତିକ ଦୃଷ୍ଟିକୋଣରେ ମୂଲ୍ୟାଙ୍କନ କରାଯାଏ। ପୁରୁଷମାନଙ୍କ ତୁଳନାରେ ଏହି ସବୁ ମାମଲାରେ ସମ୍ପୃକ୍ତ ମହିଳାମାନେ କଠୋର ସାମାଜିକ ପ୍ରତିକ୍ରିୟା ଓ ପ୍ରତିବାଦର ସମ୍ମୁଖୀନ ହୋଇଥା’ନ୍ତି।

ଭାରତୀୟ ନ୍ୟାୟ ସଂହିତାରେ ବ୍ୟଭିଚାରକୁ ଆଇନଗତ ଅପରାଧ ଭାବେ ସ୍ୱୀକାର କରାଯାଏ ନାହିଁ। ୨୦୧୮ମସିହାରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଜୋସେଫ୍‌‌ ଶାଇନ୍‌‌ ବନାମ କେନ୍ଦ୍ର ସରକାର ମାମଲାରେ ପରକୀୟା ପ୍ରୀତିକୁ ଅପରାଧମୁକ୍ତ କରିଥିଲେ। ଯଦିଓ ନ୍ୟାୟାଳୟ ଅନୁଯାୟୀ ବ୍ୟଭିଚାର ଆଉ ଅପରାଧ ନୁହେଁ ଏବଂ ଏଥିରେ ସମ୍ପୃକ୍ତ ପକ୍ଷଙ୍କୁ ଦୋଷୀ ସାବ୍ୟସ୍ତ କରିବା ଅସାମ୍ବିଧାନିକ, ତଥାପି ନାଗରିକ ଆଇନ ଅନୁଯାୟୀ ଏହା ଛାଡ଼ପତ୍ର ପାଇଁ ଏକ ବୈଧ ଆଧାର। ଭାରତରେ ବ୍ୟଭିଚାର ଓ ବିବାହ ବହିର୍ଭୂତ ସମ୍ପର୍କ ଏବେ ଛାଡ଼ପତ୍ର ପାଇଁ ଏକ ଉତ୍ସ ପାଲଟିଯାଇଛି ବୋଲି ବୈବାହିକ ୱେବସାଇଟ୍‌‌ ‘ଶାଦି ଡଟ୍‌‌ କମ୍‌‌’ର ସର୍ବେକ୍ଷଣରୁ ଜଣାପଡ଼ିଛି। ଏହି ସର୍ବେକ୍ଷଣ ତଥ୍ୟାନୁଯାୟୀ ଭାରତରେ ୨୦%ରୁ ୪୦% ଆଇନଗତ ବିବାହ ବିଚ୍ଛେଦ କେବଳ ପରକୀୟା ପ୍ରୀତି ବା ବ୍ୟଭିଚାର ଯୋଗୁଁଁ ହେଉଛି।

ଭାରତୀୟ ସଂସ୍କୃତି ବ୍ୟଭିଚାରକୁ ଏକ ନିଷିଦ୍ଧ ଅଭ୍ୟାସ ବୋଲି ବିବେଚନା କରୁଥିବା ବେଳେ ଆଧୁନିକ ଗଣମାଧ୍ୟମ, ବିଶେଷକରି ସିନେମା, ଓଟିଟି ଓ ଟିଭି ଧାରାବାହିିକ ଏହି ମାନବ ସମ୍ପର୍କର ଜଟିଳତାକୁ ଅଧିକ ସୂକ୍ଷ୍ମ ଭାବରେ ଚିତ୍ରଣ କରୁଛି। ମୁଖ୍ୟ କଥା ହେଉଛି, ଏହାକୁ ନୈତିକ ବିଫଳତା ଭାବରେ ନୁହେଁ, ବରଂ ବିବାହରେ ବିଚ୍ଛିନ୍ନତା, ଏକାକୀତ୍ୱ ଓ ଅସନ୍ତୋଷ ଭଳି ଆଧୁନିକ ଆହ୍ୱାନର ଏକ ସମାଧାନ ସୂତ୍ର ଭାବରେ ଚିତ୍ରଣ କରାଯାଉଛି। ଏହାବ୍ୟତୀତ ସାମ୍ପ୍ରତିକ ଡିଜିଟାଲ ଯୁଗରେ ପରକୀୟା ପ୍ରୀତିକୁ ଟିଣ୍ଡର, ସୁଗାରବୁକ୍‌‌, ୱିଚାଟ୍‌‌ ଓ ଟେଲିଗ୍ରାମ ଭଳି ଅନେକ ଅନଲାଇନ୍‌‌ ଡେଟିଂ ଆପ୍‌‌ ସହ ସାମାଜିକ ଗଣମାଧ୍ୟମ ପ୍ରୋତ୍ସାହିତ କରୁଛି ବୋଲି ଅଭିଯୋଗ ମଧ୍ୟ ହୁଏ। କୋଭିଡ ମହାମାରୀ ପରଠାରୁ ଭାରତରେ ‘ଡେଟିଂ ଆପ୍‌‌’ ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ଶହେଗୁଣରୁ ଅଧିକ ବୃଦ୍ଧି ପାଇଛି। ଡିଜିଟାଲ ପଣ୍ଡିତଙ୍କ ମତରେ ‘ଡେଟିଂ ଆପ୍‌‌’ ମୁଖ୍ୟତଃ ସେହି ଲୋକମାନେ ବ୍ୟବହାର କରନ୍ତି, ଯେଉଁମାନେ ନିଜର ବୈବାହିକ ସମ୍ପର୍କରେ ଅସନ୍ତୁଷ୍ଟ ଅଛନ୍ତି କିମ୍ୱା ଯେଉଁମାନେ ଦାମ୍ପତ୍ୟ ଜୀବନ ବାହାରେ କୌଣସି ପ୍ରକାରର ଉତ୍ସାହ ଖୋଜୁଛନ୍ତି। ଗତବର୍ଷ ଲୋକପ୍ରିୟ ଫରାସୀ ଆପ୍‌‌ ‘ଗ୍ଲିଡେନ୍‌‌ ପୋର୍ଟାଲ’ ଦ୍ୱାରା ପରକୀୟା ପ୍ରୀତି ଆଧାରିତ ଏକ ଗବେଷଣାରେ ଭାଗ ନେଇଥିବା ୪୬ ପ୍ରତିଶତଙ୍କ ମତରେ ବିବାହ ବହିର୍ଭୂତ ଆକର୍ଷଣ ହେଉଛି ଏକପ୍ରକାରର ଶାଶ୍ୱତ ପ୍ରେମ(ପ୍ଲାଟୋନିକ ଇଣ୍ଟରଆକ୍ସନ୍‌‌)। ୩୬ ପ୍ରତିଶତଙ୍କ ମତରେ ସାମାଜିକ ଗଣମାଧ୍ୟମରେ ବଢ଼ୁଥିବା ଭର୍ଚୁଆଲ୍‌‌ ଆକର୍ଷଣ ହିଁ ପରକୀୟା ପ୍ରୀତି ପାଇଁ ଦାୟୀ। ସର୍ବେକ୍ଷଣରେ ବିସ୍ତୃତ ଭାବରେ କୁହାଯାଇଛି ଯେ ଡେଟିଙ୍ଗ ଆପ୍‌‌ର ଉପଭୋକ୍ତାମାନେ ଦିନକୁ ହାରାହାରି ୯୦ ମିନିଟ ଚାଟ୍‌‌ କରନ୍ତି ଏବଂ ଅପରାହ୍ନ ୧୨ଟାରୁ ଅପରାହ୍ନ ୩ଟା ଏବଂ ରାତି ୧୦ଟାରୁ ମଧ୍ୟରାତ୍ରି ଅଧିକ ସକ୍ରିୟ ରୁହନ୍ତି। ଅନ୍ୟ ଏକ ମହଲର ଦାବି ଅନୁଯାୟୀ ଆଧୁନିକ ଯୁଗରେ ବ୍ୟଭିଚାର ପାଇଁ ‘ଡେଟିଂ ଆପ୍‌‌’ କିମ୍ୱା ସାମାଜିକ ଗଣମାଧ୍ୟମ ଦାୟୀ ନୁହେଁ। ସାମାଜିକ ଗଣମାଧ୍ୟମ କେବଳ ବ୍ୟକ୍ତିଗତ ସ୍ୱାଧୀନତାକୁ ସ୍ୱୀକାର କରିବାର ଏକ ଉପକରଣ। ଏହାକୁ ବ୍ୟକ୍ତିଗତ ପସନ୍ଦ ବା ଅଭ୍ୟାସରେ ବ୍ୟବହାର କରିବା ଆମ ଉପରେ ନିର୍ଭର କରେ।

କ୍ରମବର୍ଦ୍ଧିଷ୍ଣୁ ଜଗତୀକରଣ, ସହରୀକରଣ ଏବଂ ପାଶ୍ଚାତ୍ୟ ମୂଲ୍ୟବୋଧ ଯୋଗୁଁଁ କିଛି ନିର୍ଦ୍ଦିଷ୍ଟ ବର୍ଗରେ ବିବାହ ଓ ବିଶ୍ୱସ୍ତତା ପ୍ରତି ଥିବା ଆଭିମୁଖ୍ୟ ଧୀରେ ଧୀରେ ବଦଳିବାରେ ଲାଗିଛି। ବ୍ୟକ୍ତିବାଦ ଓ ବ୍ୟକ୍ତିଗତ-ପରିପୂର୍ଣ୍ଣତାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସହରାଞ୍ଚଳରେ ବ୍ୟଭିଚାରର ମାତ୍ରା ଗ୍ରାମାଞ୍ଚଳଠାରୁ ଅଧିକ। ବେଙ୍ଗାଲୁରୁ, ମୁମ୍ୱାଇ ଓ କୋଲକାତା ଭଳି ମହାନଗରୀର ଅତ୍ୟାଧୁନିକ ଜୀବନଶୈଳୀ ଦ୍ୱାରା ପରକୀୟା ପ୍ରୀତି ଜନିତ ମାମଲା ଅଧିକ ଦେଖିବାକୁ ମିଳୁଛି। ମନୋବିଜ୍ଞାନୀଙ୍କ ମତରେ ପରକୀୟା ପ୍ରୀତି ପାଇଁ ଜୀବନସାଥୀ ସହିତ ଥିବା ସମ୍ପର୍କ ବିଶେଷ ଭାବରେ ଦାୟୀ ନୁହେଁ, ବରଂ ଏହାକୁ ବୈଧତା ଦେବା ପାଇଁ ସେମାନଙ୍କର ନିଜସ୍ୱ ଆବଶ୍ୟକତା ସହିତ ଏହା ସମ୍ୱନ୍ଧିତ। ଏହା ସାଧାରଣତଃ ସମାଧାନ ହୋଇପାରୁନଥିବା ବ୍ୟକ୍ତିବିଶେଷର ବୃହତ ମାନସିକ କିମ୍ୱା ଭାବନାତ୍ମକ ସମସ୍ୟାର ପ୍ରତ୍ୟକ୍ଷ ପରିପ୍ରକାଶ ବୋଲି ଅନେକ ପରିବାର ପରାମର୍ଶଦାତା ମତପୋଷଣ କରନ୍ତି। ଭାରତର ବଡ଼ ସହରମାନଙ୍କରେ ୨୦ ଲକ୍ଷରୁ ଅଧିକ ଉପଭୋକ୍ତା ଥିବା ଏକ ପରକୀୟା ପ୍ରୀତି ଡେଟିଙ୍ଗ ପୋର୍ଟାଲ ଦାବି କରିଛି ଯେ ଏହାର ସଦସ୍ୟଙ୍କ ପାଇଁ ଶାରୀରିକ ସମ୍ପର୍କ ପ୍ରାଥମିକତା ନୁହେଁ। ଏହାର ୯୦% ସଦସ୍ୟ ବୈବାହିକ ଜୀବନରେ ବିରକ୍ତିବୋଧ, ନିଃସଙ୍ଗତା ନିବାରଣ ଓ ଭାବନାତ୍ମକ ସୁଖ ପାଇବା ପାଇଁ ଏଥିରେ ଯୋଗ ଦେଇଛନ୍ତି।

ବ୍ୟଭିଚାରର ବ୍ୟାପକତାର ସାମାଜିକ ଦୃଷ୍ଟିକୋଣକୁ ଆମେରିକୀୟ ସମାଜବିଜ୍ଞାନୀ ସି ରାଇଟ୍‌‌ ମିଲ୍ସଙ୍କ ତତ୍ତ୍ୱ ‘ଦି ସୋସିଓଲୋଜିକାଲ ଇମାଜିନେସନ୍‌‌’ ଦ୍ୱାରା ବିଶ୍ଳେଷଣ କରାଯାଇପାରେ। ଏହି ତତ୍ତ୍ୱର ମୂଳପିଣ୍ଡ ଉଲ୍ଲେଖ କରେ ଯେ ସାମାଜିକ ବାସ୍ତବତା ହେଉଛି ଉଭୟ ବ୍ୟକ୍ତିଗତ ଅନୁଭୂତି ଏବଂ ବୃହତ ସାମାଜିକ ପ୍ରସଙ୍ଗର ଏକ ସମ୍ମିଶ୍ରଣ। ଉଦାହରଣ ସ୍ୱରୂପ, ସାମାଜିକ ପ୍ରସଙ୍ଗ, ଯଥା ହ୍ରାସ ପାଉଥିବା ପରିବାରର ଭୂମିକା, ଆଧୁନିକ କର୍ମ ସଂସ୍କୃତି, ଆଧୁନିକ ଜୀବନଶୈଳୀର ପ୍ରଭାବ ଓ ବ୍ୟକ୍ତିଗତ ସନ୍ତୋଷକୁ ପ୍ରାଥମିକତା ସହିତ ଯେତେବେଳେ ଅବିଶ୍ୱାସ, ବିକୃତ ମାନସିକତା, ଯୌନ ଅସନ୍ତୁଷ୍ଟି ଭଳି ବ୍ୟକ୍ତିଗତ କାରଣ ଯୋଡ଼ି ହୋଇଯାଏ ସେତେବେଳେ ପରକୀୟା ପ୍ରୀତି ଭଳି ଆଚରଣର ସମ୍ଭାବନା ଅଧିକ ହୋଇଯାଏ।

ପରକୀୟା ପ୍ରୀତି ଏକ ବ୍ୟକ୍ତିଗତ ମାନସିକ ସମସ୍ୟା ହୋଇଥିବାରୁ ଅନେକ ସମୟରେ ଦାମ୍ପତ୍ୟ ଜୀବନରେ ସନ୍ତୁଳନ ପାଇଁ ମନସ୍ତାତ୍ତ୍ୱିକ ପରାମର୍ଶର ଆବଶ୍ୟକତା ପଡ଼େ। ‘କ୍ଷମା କରିବା’ ହେଉଛି ଏହି ଚିକିତ୍ସାର ମୂଳଦୁଆ। ଜୀବନରେ ବିଶ୍ୱାସର ଅର୍ଥ ଓ ଅବିଶ୍ୱାସର ପ୍ରଭାବ ଏବଂ ସବୁ ଭୁଲି ଆଗକୁ ବଢ଼଼ିବା ଭଳି ପରାମର୍ଶ ଏହି ଚିକିତ୍ସାଗତ ହସ୍ତକ୍ଷେପ ପର୍ଯ୍ୟାୟରେ ଜଡ଼ିତ।

ଭାରତର ସମସ୍ତ ପ୍ରମୁଖ ଧର୍ମରେ ବ୍ୟଭିଚାରକୁ ଉଭୟ ନୈତିକ ଏବଂ ଧାର୍ମିକ ସଂହିତାର ଉଲ୍ଲଂଘନ ଭାବେ ବିବେଚନା କରାଯାଏ। କାରଣ ଏପର୍ଯ୍ୟନ୍ତ ଭାରତୀୟ ସଂସ୍କୃତି ରକ୍ଷଣଶୀଳତାର ସେହି ନିଷିଦ୍ଧ ଏରୁଣ୍ଡିବନ୍ଧ ଡେଇଁବାକୁ ଉଦାର ଅନୁମତି ଦେଇନାହିଁ। ସେଥିପାଇଁ ଅଧିକାଂଶ ଭାରତୀୟ ଏହି ଆଚରଣକୁ ଏକ ନକାରାତ୍ମକ କାର୍ଯ୍ୟ ଏବଂ ଅନୈତିକ ବୋଲି ମତ ପୋଷଣ ମଧ୍ୟ କରନ୍ତି। ସବୁଠାରୁ ଚିନ୍ତାର କାରଣ ହେଉଛି କ୍ରମବର୍ଦ୍ଧିଷ୍ଣୁ ବ୍ୟଭିଚାର ଯୋଗୁଁଁ ଭାରତରେ ଏକକ-ବିବାହର ବିଚାରଧାରା ଏବେ ବିପଦରେ। ବିଡ଼ମ୍ୱନା ଯେ ଏହାର ନିରାକରଣ ପାଇଁ କୌଣସି ଆନୁଷ୍ଠାନିକ ଢାଞ୍ଚା ନାହିଁ। ତେଣୁ କେବଳ ବ୍ୟକ୍ତିଗତ ଜୀବନରେ ବିଶ୍ୱାସ, ସଦାଚାର ଓ ନୈତିକତା ହିଁ ପରକୀୟା ପ୍ରୀତି ଭଳି ସାମାଜିକ ବିଚ୍ୟୁତିର ସମାଧାନ।

ଡକ୍ଟର ଅବଶ ପରିଡ଼ା
ଭୁବନେଶ୍ୱର, ମୋ: ୮୪୫୬୮୭୯୫୨୨

About The Author: The Sakala